Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyaprakash Sethy, M. A(UGC NET)

Inspirational Drama


5.0  

Satyaprakash Sethy, M. A(UGC NET)

Inspirational Drama


ଚନ୍ଦକାରେ ଗୋଟେ ରାତି (ଭାଗ - 6)

ଚନ୍ଦକାରେ ଗୋଟେ ରାତି (ଭାଗ - 6)

7 mins 448 7 mins 448

କ୍ରମଶଃ... ଭାଗ - 6(ଜୀବନ ରହସ୍ୟ - ବାସ୍ତବତା )

 ସେବାମୁକ୍ତି ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳୀ । ପରିବେଶ ଏକାନ୍ତ ମନୋରମ । ସର୍ବତ୍ର ଶାନ୍ତି ବିରାଜମାନ । ଏଠି କଠୋର ଅନୁଶାସନର ଅଙ୍କୁଶ ନାହିଁ କି ନିର୍ଦ୍ଦିଷ୍ଟ ଧରବନ୍ଧା କାମ । ଯାହା ବି ଯେତିକି କାମ ଥାଏ, ପରସ୍ପରେ ହାତ ବାଣ୍ଟି ନିଅନ୍ତି, ନିଜ ଇଚ୍ଛାରେ ସମସ୍ତେ ସବୁ କାମ କରନ୍ତି । ନିଜ ପାଇଁ ନିଜେ କାମ ବାଣ୍ଟନ୍ତି । କେହି କାହାକୁ କିଛି କହନ୍ତି ନାହିଁ କି ବାଧ୍ୟ କରନ୍ତି ନାହିଁ । ନିଜ ଜୀବନ ନିଜ ଉପରେ ବୋଝ ହୁଏ ନାହିଁ, କି କେହି କାହା ଉପରେ ବୋଝ ହୁଅନ୍ତି ନାହିଁ । କାହାରି କିଛି ଆପତ୍ତି ଅଭିଯୋଗ ନଥାଏ, ପ୍ରତ୍ୟେକ ପରସ୍ପରକୁ ଅକୁଣ୍ଠ ଚିତ୍ତରେ ସେବା ଯତ୍ନ ଯୋଗାଇ ଦିଅନ୍ତି । ବାକି ସମୟଟା ବେଶ୍ ଉପଭୋଗ କରନ୍ତି । ସାଙ୍ଗାସାଥୀ ଗହଣରେ ସୁଖ ଦୁଃଖ ହୁଅନ୍ତି । ସମୟଟା କେଉଁବାଟେ ବିତିଯାଏ, ଜଣାପଡ଼େ ନାହିଁ । ଲାଇବ୍ରେରୀ, ଖେଳ ଓ ମନୋରଞ୍ଜନ ସାମଗ୍ରୀ ସବୁ କିଛି ଉପଲବ୍ଧ । ମ୍ୟାଗାଜିନ୍ ସମ୍ବାଦପତ୍ର ପୁଣି ଟେଲିଭିଜନ ଇଣ୍ଟାନେଟର ବ୍ୟବସ୍ଥା, କାହାରି କିଛି ଅସୁବିଧା ରହେ ନାହିଁ । ରାମହରି ବାବୁ ଓ ନିଶାନ୍ତ କେତେବେଳୁ ଚାଲିଗଲେଣି। ଆଶ୍ରମର କୁଳପତି ବା ତତ୍ତ୍ୱାବଧାରକ ସେଇ ଏକା ନିଶିକାନ୍ତ ବାବୁ, ଏକାଏକା ଏଡ଼େ ବଡ଼ ଆଶ୍ରମଟାର ବୋଝ ମୁଣ୍ଡେଇ ଏକଲା ବସିଥାନ୍ତି, ଯାହାଙ୍କ ଘର ଢିଅ ଉପରେ ଆଶ୍ରମଟା ତୋଳା ଯାଇଛି । 


ଦିପହରର ଉଦୁଉଦିଆ ଖରାବେଳ । ଅଗଣାରେ ଚୌକିଟାଏ ପକାଇ, ନିଶିକାନ୍ତ ବାବୁ ଏକୁଟିଆ ବସି ପଡ଼ିଥାନ୍ତି । ହଠାତ୍ କଳରବ କରି, ଦଳେ ପକ୍ଷୀ ଆକାଶରେ ଉଡ଼ିଗଲେ । ଆକାଶଟାକୁ ଚାହିଁ ଦେଇ, ନିଶିକାନ୍ତ ବାବୁ କ’ଣ ଭାବିଲେ କେଜାଣି,ହଠାତ୍ ଗମ୍ଭୀର ହୋଇ ଉଠିଲେ । ମନଟା ଯେମିତି ଅଶାନ୍ତ ହୋଇଗଲା ।ପକ୍ଷୀ ଆଉ ମଣିଷ କେତେ ଭିନ୍ନ। 


କ୍ରମଶଃ ! ଦିବସ ପରେ ରଜନୀ ଆସିଲା । ଦିବସର ପ୍ରଚଣ୍ଡ ରୌଦ୍ରକ୍ଳିଷ୍ଟ କ୍ଲାନ୍ତି ପରେ , ତନ୍ଦ୍ରାର ଆଳସ୍ୟ, ମେଘମୁକ୍ତ ଆକାଶ, ଚନ୍ଦ୍ରସ୍ନାତା ରଜନୀ, ପୁଷ୍ପର ସୁବାସିତ ସୁଶୀତଳ ସମୀରଣ, ଆଖିରେ ପରଳ ପରଳ ନିଦର ଛାଇ । ସାଥୀ ସହଯୋଗୀମାନେ ଯିଏ ଯୁଆଡ଼େ ଶୋଇପଡ଼ିଲେଣି । ଏଥର ନିଶିକାନ୍ତ ବାବୁ ନିଜ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କଲେ । ବାହାରେ ଥଣ୍ଡା, ଭିତରେ ତାତି। ଶରୀର ଉନ୍ମାଦ, ମସ୍ତକରେ ବିନ୍ଦୁ ବିନ୍ଦୁ ଝାଳ। ଝରକା ଖୋଲି ଦେଇ, ପଙ୍ଖାର ଗତିଟା ଟିକିଏ ବଢାଇ ଦେଲେ । ଲାଇଟଟା ଲିଭାଇ ଦେଇ ବିଛଣାରେ ଲେପଟିକି ପଡ଼ିଗଲେ ।


ଦିବସର ଅଶାନ୍ତ ମନ ଏଯାଏଁ ପ୍ରଶମିତ ହୋଇନଥାଏ । ବିଛଣାରେ ପଡ଼ିରହି ସେ ଖାଲି ଛଟପଟ ହେବାକୁ ଲାଗୁଥିଲେ । ସ୍ଥିର ନିଶ୍ଚେତ ଆଦୌ ହୋଇପାରୁନଥାନ୍ତି। ତେଣୁ କେତେ ଭାବନା ଆସି ମୁଣ୍ଡ ଟେକୁଥାଏ । ଜୀବନ ଦୁର୍ବିସହ ହୋଇଉଠୁଥାଏ – “ମଣିଷ କାହିଁକି ବନ୍ଧନରେ ବାନ୍ଧିହୋଇ ଏମିତି ଛଟପଟ ହୁଏ? ସବୁଠି କାରାଗାରର ନିବୁଜ କୋଠାରୀ, ଯେଉଁଠି ଜୀବନର ସମସ୍ତ ସ୍ୱାଧୀନତା ବିଲୁପ୍ତପ୍ରାୟ । ଜୀବନର ସ୍ୱାଭାବିକ ବିକାଶରେ ବ୍ୟାହାତ ଘଟେ, ତା’ଠାରୁ ବରଂ ଭଲ ଆକାଶରେ ବିହଙ୍ଗଟିଏ । କି ସୁନ୍ଦର ତା’ର ଡ଼େଣା ଦୁଇଟି । ଯେଉଁଠିକି ଇଛା କରେ ସେଇଠିକି ସେ ଉଡ଼ିଯାଏ । ଖୁମ୍ପେ ଖାଇ, ପୁଣି ସେଠୁ ସେ ଚାଲିଯାଏ । କିଏ ବା ତା’କୁ ଅଟକାଇ ରଖିପାରେ ? କିନ୍ତୁ ମଣିଷ ? ମଣିଷ କାହିଁକି ଏମିତି ବନ୍ଧନରେ ବାନ୍ଧି ହୋଇ ଛଟପଟ ହୁଏ? ପରାଧୀନତାର ବେଡ଼ି ମାଡ଼ିମାଡ଼ି ଯାଏ । ଜୀବନଟା ସ୍ୱର୍ଣ୍ଣ ପଞୁରୀରେ କଏଦୀ ସାଜେ । ପରାଧୀନ ରହି ସେ ଜୀବନ ଜୀଏଁ ।


ଏଥର ନିଶିକାନ୍ତ ବାବୁ ସବୁ ଭୁଲି, ଶୋଇବାକୁ ପୁଣି ପ୍ରଯନ୍ନ କଲେ । କିନ୍ତୁ ଆଖି ସାମ୍ନାରେ ଭାସି ଉଠୁଥାଏ – କେତେ ଯେ ବର୍ଣ୍ଣିଳ ଛବି, ସ୍ଵପ୍ନର ଅଶରୀରୀ ଆତ୍ମା ।ତେଣୁ ସ୍ୱପ୍ନରେ ସେ ଖାଲି ବିଳବିଳି ହେଉଥାନ୍ତି……..


ହଠାତ୍ ସକାଳର ଶିଶୁଟିଏ ଧାଇଁ ଆସିଲା । ଆଇନାଟା ଟାଣିଆଣି ତଳେ ପକାଇ ଭାଙ୍ଗିଦେଲା । ମା’ ନେଇ ଖଟରେ ଖଟେଇ ଦେଲା । ସେ ବିକଳରେ ରାହା ଛାଡ଼ି କାନ୍ଦି ଉଠିଲା । ନିଶିକାନ୍ତ ବାବୁ ପିଲାଟାକୁ ଡ଼ାକିଲେ- "ଏ ପିଲା ମୋ କୋଳକୁ ଆ"। ସେ ଆସିଲା ନାହିଁ, ସେଇଠି ଶୋଇ ପଡ଼ିଲା । ଉଠିଲା ବେଳକୁ ଦିପହର ।


ନିଶିକାନ୍ତ ବାବୁଙ୍କର ମନେ ପଡ଼ିଗଲା – ସେଦିନ ମା’ କହୁଥିଲା- “ସେ ମା’ ପେଟରୁ ଭୂମିଷ୍ଠ ହୋଇ, ଯେତେବେଳେ ସୃଷ୍ଟିର ପହିଲୁ ସୂର୍ଯ୍ୟ କିରଣ ଦେଖିଲା, କେମିତି ସେ ଚିରାଡ଼ି ଛାଡ଼ି କାନ୍ଦି ଉଠୁଥିଲା, ଆଉ ମନେ ମନେ ସତେକି କହୁଥିଲା- “ମୋତେ କାହିଁକି ଜନମ ଦେଲ,ହେ ଭଗବାନ ?” ସତେକି ଭଗବାନ ଠାରେ ସେ ପ୍ରତିବାଦର ସ୍ୱର ହାଣି ତୁହାଇ ତୁହାଇ କାନ୍ଦୁଥିଲା, ଆଉ ପଚାରୁଥିଲା- ମୋତେ କାହିଁକି ବନ୍ଧନରେ ନିଗୂଢ ଫାଶରେ ଅହରହ ଏମିତି ବାନ୍ଧୁଛ? ଦୁଃଖ-ସୁଖର ସଂସାର ପ୍ରତି ମୋର ଆସକ୍ତି ନାହିଁ । ମୁଁ ଗୋଟାଏ ସୁନ୍ଦର ଆତ୍ମା । ମୁକ୍ତ ରହିବାକୁ ଚାହେଁ, ଶରୀରର ଗମ୍ବୁଜ ଭିତରେ ମୁଁ ଅଣନିଶ୍ୱାସୀ ହୋଇଯିବି ପରା?


କ୍ରମଶଃ ସେ ବଢିବାକୁ ଲାଗିଲା । ଯେତେ ଯେତେ ତା’ର ବୟଃ ବୃଦ୍ଧି ହେଉଥାଏ, ସମସ୍ତେ ଅଙ୍କୁଶର ଲଗାମଟାକୁ ଆଉ ଟିକିଏ ଜୋହର କରି ଭିଡ଼ି ଦେଉଥାନ୍ତି । ତା’ର ଶିଶୁମନ ଚାହୁଥାଁଏ – “ସେ ସବୁ ଟାଣି ଆଣନ୍ତା କି ? ଘରସାରା ଜିନିଷ ଗଦେଇ ଖେଳନ୍ତା ।” ମା’ ପାଟି କରି ଉଠେ-” ଧର’ନା, ଭାଙ୍ଗିଯିବ ।” କାନ୍ଦିଲେ- “ଚୁପ୍ ପାଟି କରନା”- ଧମକାଏ । ବେଶି ନଟଖଟ କଲେ ହାତଗୋଡ଼ ବାନ୍ଧି ଝୁଲିରେ ପକେଇ ଦିଏ । ଏଥର ସେ ଆଉ ଟିକିଏ ବଡ଼ ହୋଇଗଲା । ଚାଲି ଶିଖିଲା । ସବୁ ପାରିଲା । ମନ ଜିଜ୍ଞାସୁ ହୋଇ ଉଠିଲା । ସବୁ ଜାଣିବାକୁ ଇଚ୍ଛା କଲା । ବାପା ମିଛ କହି ଠକି ଦେଲେ । ଆକାଶର ଚନ୍ଦ୍ରକୁ – “ଜହ୍ନ ମାମୁଁ”, ତାରାକୁ – ‘ତାରାରାଣୀ’ କହିଲେ । ମନ ଜମାରୁ ବୁଝିଲା ନାହିଁ’ ।


ଏଥର ମୁକ୍ତ ଭାବେ ଦରାଣ୍ଡି ଘରସାରା ଖେଳିବାକୁ ଇଚ୍ଛା ହେଲା । ପୁଣି କେତେବେଳେ ଦାଣ୍ଡରେ ଖେଳିବାକୁ ମନ ଚାହେଁ । ପରିବାରର ଲୋକ ସତର୍କ ହୋଇ ଯାଆନ୍ତି । ଜଗି ଯାଆନ୍ତି, ଆରମ୍ଭ ହୋଇଯାଏ “ଏଟା କରନା, ସେଟା କରନା, ଆମକୁ ନପଚାରି କୁଆଡ଼େ ଯାଅନା”ର - ନାଟକ । ସଦର ଫାଟକ ତା’ପାଇଁ ବନ୍ଦ ରହେ । ପୁଣି ଦାଣ୍ଡ ଦରଜା କେତେବେଳେ ପଡ଼ିଯାଏ । ଇଚ୍ଛା ହେଉଥାଏ- ଉଚ୍ଚତା ପାଇ ଯାଆନ୍ତା କି, ଖିଡ଼ିକୀଟା ଖୋଲି ଚାଲି ଯାଆନ୍ତା, ଦୁନିଆଟାକୁ ଭଲ ଭାବେ ଦେଖନ୍ତା । କିନ୍ତୁ, ଏମିତି ହୁଏ ନାହିଁ । ତା’ର ପିଲାମନ ବିଦ୍ରୋହ କରି ଉଠେ । ହେଲେ ପ୍ରତିବାଦ କରିପାରେ ନାହିଁ । ତେଣୁ ଶୈଶବେ, ପିତା-ମାତା- ଗୁରୁଜନଙ୍କର କଠୋର ଅନୁଶାସନ ଭିତରେ ଜୀବନ ତା’ର ଅସହ୍ୟ ଯନ୍ତ୍ରଣାରେ ଭରିଯାଏ ।


ଏଥର ସେ ପରିବାରର କାରାଗାର ଛାଡ଼ି ଗୁରୁକୁଳ ଆଶ୍ରମର କାରାଗାରକୁ ଗଲା । ସେଠି ମଧ୍ୟ ଗୁରୁଜୀ ଅଙ୍କୁଶର ଲଗାମ ଲଗାନ୍ତି । ଧରାବନ୍ଧା ଗୁଳାରେ ଚାଲିବାକୁ କହନ୍ତି । ବେତ ଦେଖାଇ ଶାସନ କରନ୍ତି । ଟିକିଏ ବିଗିଡ଼ି ଗଲେ ପଟାସ୍ କିନା ଗାଲରେ ଗୋଟେ କଷି ଦିଅନ୍ତି । “ସେମିତି ନୁହେଁ, ଏମିତି ନୁହେଁ”ର କାହାଣୀ ଶୁଣାନ୍ତି । ସେ ମନେମନେ ଭାବେ – “ଏ ବୁଢା ମାଷ୍ଟ୍ରଟାକୁ କ'ଣ ସବୁ ନିୟମ କାନୁନ ଜଣା ନା ? ତା’ହେଲେ ଇଏ କ’ଣ ବୃହସ୍ପତି ?”

 ସେଦିନ ସେ ସ୍ଲେଟଟା ଭାଙ୍ଗିଦେଲା । ଗୁରୁଜୀ ଏକ ଗୋଡ଼ିଆ କରି ଛିଡ଼ା କରେଇ ଦେଲେ । ଘରକୁ ଫେରି ବହିପତର ଫିଙ୍ଗି ଦେଇ, ତରତରରେ କ’ଣ ଦି’ଟା ଖାଇ ଦେଇ, ସିଧା ଚାଲିଲା ବ୍ୟାଟ୍ ଧରି । ବାପା ଅଫିସରୁ ଫେରି ଗାଳି କଲେ, କହିଲେ – “ସିଧା ଯାଇ ପଢା ଟେବୁଲ ପାଖେ ବସ୍” । ହୋମୱାର୍କ ସାରି, କାର୍ଟୁନ ଚ୍ୟାନେଲ୍ ଦେଖିବାକୁ ଟି.ଭି. ଖୋଲିଲା । ମା କହିଲା – “ଖାଇ ପିଇ ଧିରିକି ଶୋ”, ସକାଳୁ ସ୍କୁଲ ଯିବୁ” । ଭୋର୍ ଭୋର୍ ସମୟର ନିଦଟା ଭାରି ମିଠା କି କ’ଣ, ନିଦଟା ଖାଲି ଘୋଟି ଆସୁଥାଏ । ଅପା ବିଛଣାରୁ ଘୋସାରି ପକାଇଲା । କହିଲା – “ଝଅଟ ଉଠ୍, ସ୍କୁଲ ଟାଇମ୍ ହୋଇଗଲାଣି” । ଏମିତି ଧରାବନ୍ଧା ଗୁଳା ଭିତରେ ଜୀବନ ବେଶ୍ କିଛି ଦିନ ଧାଇଁଲା । ନୀତି ନିୟମର ଶୃଙ୍ଖଳ ଭିତରେ ଜୀବନ କେମିତି ଦୁର୍ବିସହ ହୋଇ ଉଠୁଥାଏ ।


ଏଥର କଡ଼ ଲେଉଟାଇ ନିଶିକାନ୍ତ ବାବୁ ବୁଲି ପଡ଼ିଲେ । ଦେଖିଲା ବେଳକୁ ଆଖି ସାମ୍ନାରେ ଦିପହରର ଯୁବକଟିଏ, ପଥରମୁଣ୍ଡିଆଟେ ପରି ବସିପଡ଼ିଛି । ଯେମିତି ତା’ଭିତରେ ଯୁଗ ଯୁଗର ବ୍ୟଥା- କିଏ ଭରି ଦେଇଛି । ନିଶିକାନ୍ତ ବାବୁ କହିଲେ – “ଏ ଯୁବକ! ଏଠି କାହିଁକି ବସିଛ? ତୁମର କ’ଣ ହୋଇଛି?? ଏଥର ଯୁବକ କହିଲେ- “ମୁଁ ଆଉ ପାରୁ ନାହିଁ ଆଜ୍ଞା! ଥକ୍କା ହୋଇ ବିଶ୍ରାମ ନେଉଛି । ଯନ୍ତ୍ରଣା ଢେର ହେଲା, ଜୀବନ ଅସହ୍ୟ ହୋଇ ଉଠିଲାଣି । ମୋ ଭିତରେ ଅନେକ ଦୁଃଖ । କାହାକୁ ମୁଁ କହିପାରୁ ନାହିଁ । ନିଶିକାନ୍ତ ବାବୁ କହିଲେ- “ମୋତେ କୁହ, ମୁଁ କାହାକୁ କହିବି ନାହିଁ” । ଏଥର ଯୁବକ କହିଲେ – “ହେଉ ତା ହେଲେ ଶୁଣ…. ।


“କ୍ରମେ ମୋର ବୟସ ବୃଦ୍ଧି ହେଲା ଉତ୍ତାରୁ, ଯୌବନ ମୁଣ୍ଡ ଟୁଙ୍ଗାରିଲା । ବନ୍ଧୁ ବାନ୍ଧବ ଭିଡ଼ି ଆସିଲେ । ସାଥୀଟିଏ ଖୋଜି ବେକରେ ରଶି ପକାଇ ଦେଲେ । ଏଥର ଜୀବନର ଅସଲି ମଜା ଆସିଗଲା । ସ୍ତ୍ରୀ’ର ତାଗିଦ୍ ଶୁଣି ଶୁଣି ମୁଁ ଏକଦମ୍ ତାଜୁବ୍ ହୋଇଗଲି । ଦିନକର କଥା – “ମୁଁ ଟିକିଏ କ’ଣ ରାଗି କରି କହିଦେଲି, ପତ୍ନୀର ତୋଡ଼ ଆଉ କିଏ ସମ୍ଭାଳେ? ସମସ୍ତେ ଖାଇପିଇ ଭାତ ପଖାଳି ଦେଲେ । ଡ଼ାକିଲେ ନାହିଁ, ଶୋଇ ପଡ଼ିଲେ । ମୁଁ ଭୋକରେ ଛଟପଟ ହୋଇ ରହିଲି” । ଯୌବନରେ ସଂସାର ଜଂଜାଳର ନିର୍ମମ ପ୍ରହାର ସହେ । କର୍ମଭୟ ଜୀବନ ଭିତରେ ଜୀବନ ହଜେ, ପରାଧୀନତାର ବେଢି ମାଡ଼ିମାଡ଼ି ଆସେ । କର୍ମ କ୍ଷେତ୍ରରେ କର୍ମାଧିପତି ଓ ପରିବାରରେ ପିଲା ଛୁଆଙ୍କର ଦାବି ବଢିବଢି ଯାଏ । ଅନ୍ୟର ଇସାରାରେ ମୁଁ ଧାଇଁବାକୁ ବାଧ୍ୟ ହୁଏ । ସେଦିନ ଅଫିସରର କଥା ଶୁଣିଲି ନାହିଁ, ସଙ୍ଗେ ସଙ୍ଗେ ପ୍ରୋସିଡ଼ିଙ୍ଗ ଓ ତା’ପରେ ସସ୍ପେଣ୍ଡ , ଚାକିରିରୀରୁ ହାତ ଧୋଇ ଘରେ ବସିଲି” ।


“ଏବେ ଆଉ ଧରାବନ୍ଧା କାମ ହାତରେ ନଥାଏ । ତେଣୁ ମୁଁ ସମାଜରେ ମିଶିଲି, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ଯୋଗଦେଲି । ସେଠି ମଧ୍ୟ କର୍ତ୍ତବ୍ୟର ଦ୍ୱାହିଦେଇ, ବଳଦିଆ ରଥ ଦଉଡ଼ିରେ, ଗୁଡ଼ାଇ ତୁଡ଼ାଇ ବାନ୍ଧି ଦେଲେ । ସେଥିରୁ ବିଚ୍ୟୁତ ହେଲେ ରକ୍ଷା ନାହିଁ। ସେଦିନ ସମାଜର ନୀତି ନିୟମ ଭାଙ୍ଗିବା ଅପରାଧରେ ୩ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଲେ। ଏଠି ଯେଣୁ ନିଜ ଇଚ୍ଛାରେ ମରିହୁଏ ନାହିଁ, ବଞ୍ଚିବା ବି ବଡ଼ କଷ୍ଟଦାୟକ । ହସିବା, କାନ୍ଦିବା ସବୁ ବନ୍ଦ । କୌଣସି କଥା ନ ପଚାରି କିଛି ହୁଏ ନାହିଁ, ଅନୁମତିଟା ଅତି ପ୍ରୟୋଜନ ।


ନିଶିକାନ୍ତ ବାବୁ ଏତେବେଳକୁ ନିଜ ଭାବନା ଭିତରେ ନିଜେ ବୁଡ଼ି ଯାଇଥାନ୍ତି । ଦେଖିଲା ବେଳକୁ ଯୁବକ ସେଠୁ ଉଠି କୁଆଡ଼େ ଚାଲି ଯାଇଥାଏ । ନିଶିକାନ୍ତ ବାବୁ ଆଖିବୁଜି ଦରାଣ୍ଡି ହେଉଥାନ୍ତି । ହଠାତ୍ ଆଖି ଯାଇ ସଂନ୍ଧ୍ୟାର ଗୋଟାଏ ବୃଦ୍ଧଠିଁ ଲାଖିଗଲା । ନିଶିକାନ୍ତ ବାବୁ ମନେ ପକାଉଥାନ୍ତି- “ୟା’ଙ୍କୁ ବୋଧେ କେଉଁଠି ଦେଖିଛି” । ବୃଦ୍ଧଙ୍କୁ ପଚାରିଲେ – “ମୁଁ ତୁମକୁ ଆଗରୁ ବୋଧେ କେଉଁଠି ଦେଖିଛି”? “ଦେଖିଥିବେ ମୁଁ ଆଉ ଏବେ ସେଠି ରହୁନାହିଁ, ଛୁଆପିଲା ତଡ଼ି ଦେଲେ ଯେ ନିର୍ବାସନ ଦଣ୍ଡ ଭୋଗୁଛି । ସେମାନେ ଏ ବୁଢାଟାର ଭାରବହନ କରିବାକୁ ଅସମର୍ଥ ହେବାରୁ ମନ୍ଦିରରେ ରହୁଛି । ଫୁଲ ତୋଳି ହାର ଗୁନ୍ଥେ । ପୂଜା ସାମଗ୍ରୀ ସଜାଡ଼ି ଡ଼ାଲାରେ ରଖେ । ଚନ୍ଦନ ଘୋରିକି ମୂର୍ତ୍ତିରେ ଲଗାଏ, ମନ୍ଦିରକୁ ଯିଏ ଆସେ ପାଦୁକା ଚଖାଏ । ଭୋଗ ବାଣ୍ଟେ । ମନ୍ଦିରରୁ ଖାଇ ପିଇ ପେଟେ କୁଟୀରକୁ ଫେରେ, ରାତିଟା ଉପରକୁ ଚାହିଁ ଚାହିଁ କଟିଯାଏ । ପୁଣି ସକାଳ ହେଲେ ସେଇଠିକି ଚାଲିଯାଏ । ଲୋକ କହନ୍ତି “ଠାକୁବାପା”, ତାହାରି ଭିତରେ ମୁଁ ହଜି ଯାଏ । ଏଥର ଚମ ଧୁଡ଼ୁ ଧୁଡ଼ୁ ହେଲାଣି, ମୁଖ ମଣ୍ଡଳରୁ କାନ୍ତି ତ କେବେ ଠାରୁ ଉଭାନ୍। ଥର ଥର ହୋଇ ବାଡ଼ି ଧରି ବାଟ ଚାଲେ । ଆଉ କୌଣସି କାମକୁ ପାରୁନାହିଁ । ହଠାତ୍ ମନ୍ଦିର ମହନ୍ତ ଡ଼ାକି କହିଲେ- “କିଛି କାମକୁ ତୁମେ ପାରୁ ନାହଁ। ଆଗରେ ବସି ଭିକ୍ଷା ମାଗି , ଆମକୁ ଦିଅ, ଖାଇବାକୁ ଗଣ୍ଡେ ମିଳିବ । ନୋହିଲେ ଏଠୁ ଚାଳିଯାଅ ।” ସଂଧ୍ୟା ହେଲାଣି ଏଇଠି ବସି ପଡ଼ିଛି । ‘କଣ କରିବି’ – ଭାବୁଛି । ନିଶିକାନ୍ତ ବାବୁ ପଚାରିଲେ – ‘କଣ ଭାବିଲେ?


– “ହଁ”... ଭାବିଲି 


– “କ'ଣ ?”


– “ମୋର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିକୁ ନେଇ ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳୀ ଗଢିବି । ଟ୍ରଷ୍ଟ ଗଢିବି, କେତେ ବୃଦ୍ଧ ବୃଦ୍ଧା ଆଶ୍ରୟ ନେଇ, ଶାନ୍ତିରେ ନିଶ୍ୱାସ ନେବେ ।”


ହଠାତ୍ ସାଙ୍ଗ ସାଥିମାନେ ମର୍ଣ୍ଣିଂଙ୍ଗ ୱାର୍କର ଯିବା ପାଇଁ କବାଟ ବାଡ଼େଇଲେ । ଧଡ଼ପଡ଼ ହୋଇ ନିଶିକାନ୍ତ ବାବୁ ବିଛଣାରୁ ଉଠି ପଡ଼ିଲେ । ଆଖି ମଳି ମଳି ନିଦରୁ ଉଠିଲେ । କିନ୍ତୁ ଏତେବେଳକୁ ସେମାନେ ସମସ୍ତେ ଚାଲିଯାଇଥା’ନ୍ତି ।କେହି ବି ଅପେକ୍ଷା କରି ନଥାନ୍ତି। 


ଜୀବନଟା ଏଇମିତି ଧାଏଁ। ଆମେ ବି ସମସ୍ତେ ଧାଆଁନ୍ତି ସୀମାହୀନ ଅସୀମ ଯାତ୍ରା ପଥେ। ଅସୀମ ଅନନ୍ତ ସେ ଯାତ୍ରା।

କ୍ରମଶଃ.. ଭାଗ 7

ଦୟାକରି ଅଭିମତ ଦେଇ ଲେଖାଟିକୁ ବଳିଷ୍ଠ କରନ୍ତୁ...

ଏହାପରେ ପୁଣି ଫେରିବା ସେଇ ମୁଖ୍ୟ ଘଟଣା ସ୍ରୋତକୁ....


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Inspirational