Lopamudra Parida

Action Inspirational

3  

Lopamudra Parida

Action Inspirational

ଚକାନୟନ

ଚକାନୟନ

5 mins
169



ହାଣ୍ଡି ଭଳିଆ ପାଟି କରି ଅରଣା ମଇଁଷି ପରି ମଝି ଅଗଣାକୁ ପଶିଆସିଲା ନାକିନୀ ।ଖଣ୍ଡା ଭଳିଆ ଧାରୁଆ ସରୁଆ ନାକଟେ ତାର ।ସେଥିରେ ଦିପଟକୁ ଓହଳିଥାଏ ନାକଗୁଣା ଅଧ ତୋଳାଏ ଲେଖାଁ ଓଜନେ ହବ ,ତହିଁରେ ପୁଣି ଦଣ୍ଡାରେ ସୂର୍ଯ୍ୟ ଅଙ୍କା ନୋଳି ଝୁମ୍ପା ।ସେଇଲାଗି ତା' ନାଁ ଏମନ୍ତ କି କଣ !ହସ ଟା ମଖା ଲହୁଣୀ ।ଆଖି ଟେଳା ଟେଳା ।ବାହୁ ତ ଶିଳପୁଆ ।ଖଟିଖିଆ ମଣିଷ ପଖାଳ ପାଣିରେ ବି ଜୁଆନେ ବଳ ରଖେ ।ପନିପରିବା ଥାଟ ତାର ।ଏଡେ ଏକେ ବାଉଁଶ ଟୋକେଇ ରେ ଗଇଁଠେ ସରିକି ସବୁ ପରିବା ସଜେଇ ଖଞ୍ଜି ଥାଏ ।ସଜ ।ତଟକା ।ଜହ୍ନିରଙ୍ଗିଆ କସ୍ତା ଲୁଗାରେ ଚାନ୍ଦ ପରି ଥାକେ ଦାନ୍ତ ଦେଖେଇ ହସେ ସିଏ ।ଆଉ ତା' ମୁହଁ ର ରଙ୍ଗ ... ପୋଛିଦେଲେ ବୋଧେ ଟିପ ... କଳା ହେଇଯିବ ... ଚିକ୍କଣ ଷଢେଇ କଳା ।ସେ ରଙ୍ଗକୁ ନେଇ ପୁଣି ତା'ର ବଡ ସରାଗ .... କହେ ," ମାଆ ଗୋ ମୁହିଁ ଯେ ମହାପୁରୁ ରଙ୍ଗ " ।ବସତି ଆମ ସମୁଦ୍ର କୁଳିଆ ନୋଳିଆ ପେଣ୍ଠ ପାଖାପାଖି ନେଳି ପଲିଥିନ୍ ଚାଳିଆ ତଳ ।ହେଲେ ଅଳପକେ ହଉ ପଛେ ପରିଛନ୍ନ ପରିପାଟି ତାର । କୋଉ ଗାଁ ରେ ଥିବ ତା ର' ନିଜ ମାଟି ଲିପା କାନ୍ଥ ।ବେଉସା ପରିବା ବେପାର ।ମିଶାମିଶି ଘାଣ୍ଟତୁଣ ଭାଷା କହେ ,ବୋଧହୁଏ ଗରାଖ ବୁଝା ଆଉ ବହୁତ ଆଡେ ଚଳିବା ଚକ୍ର ସହ ଖେଚଡି ହେଇଯାଇଛନ୍ତି ଶବ୍ଦଗୁଛ୍ଛ ।


ରୀପୁହୀନ ..... ପରିପୂର୍ଣ୍ଣ "ପୁରୀ" । ସଭିଁଙ୍କୁ ଆଦରି କୋଳେଇ ନିଏ ।ସେଇଥିରେ ହି ତାର ସାର୍ଥକତା ।


ଭାତ ,ଛାତ ଯୋଉଠି ଯୁଟେ, ମାଟି ସେଇଠି ମାଆ ।ଘର ଆଉ କଣ ଇଟା ଥାକର ସ୍ତୁପକି ! ଘର ତ ମନ୍ଦିର ...  ଯୋଉଠି ସରସ ରହେ ମନ ।


ଭଜାଭଜି କଣ ଧାପେ ସହ ତେନ୍ତୁଳି କି ଆମ୍ବୁଲ ଖଣ୍ଡେ କଞ୍ଚା ମରିଚ ଦିଟିପା ଲୁଣ ମନ୍ଥି ଦଳିଦେଇ ଟୁଙ୍କିଦିଏ କଂସାଏ ଭାତରସ ।କହେ ," ଦିହକୁ ହିତ, ଜାଣ ଅମୃତ" ଆଉ କହେ ,"ଟଙ୍କ ତୋରାଣୀ ଆରୋଗ୍ଯ ପଥି ଗୋ ମାଆ । ଅଜଣା ରୋଗ ବି ଉଭେଇ ଯାଏ ସରାଏକରେ ।" 


ସେଦିନ ସକାଳୁ ହଳକ ଶାଶୁବୋହୂ ସକାଳ ପାଇଟିରେ ଲାଗିଛୁ ସିଏ ଆସି ବିଜେ କଲା ଡାଳିମ୍ବ ଗଛ ମୂଳେ ।ହଲ୍ଲା ପକେଇ ଡାକିଲା ।


_ " ବୋହୁପିଲା ଗୋ, ଏ ମାଆ .... କେଣେ କୁଆଡେ ଅଛ ଗୋ ...ଦିଅ ଟିକେ ହାତ ଲଗାଅ ।ଭାର ଥୋଇଦିଏ ତଳେ.. ତୋରାଣି କାଞିପାଣି କିସ ଟୋପେ ଅଛେ ଦିଅ ଗୋ ,ଏ ଧରମଛଡା ତତଲା ଦିନଟାରେ ଗଳା ଶୁଖିଫାଟି ଆଁ କରି ଯାଉଛେ ପରା ଘଡିକି ଘଡି ।" 


ସିଏ ଆସିଲେ ଘଡିଏ ବସେ ,ଡାଲାରେ ଧରିଆସିଥାଏ ଅଙ୍ଗେନିଭା ଗପ ବିଡା ବିଡା ।କୋଉଦିନ ଦି' ଗୋଛା ଶାଗ ପଛାଡି ଦିଏ ତ କୋ' ଦିନ ପଥୁରୀରେ ବତୁରା ହଳଦୀ କି ଲାଲି ଲଙ୍କା ଶୀଳ ପକେଇ ବାଟିରସି ଦିଏ ।ଆଉ ବଖାଣେ କେତେ ନାଇଁ କେତେ କାହାଣୀ .... ସବୁ ସତ ... ମନଗଢା ବୋଲି କଣ କିଛି ଥାଏ !

କୋଉଠି ନା କୋଉଠି ସ୍ଥିତି ଟିଏ , ସତ୍ତା ଟିଏ ଲୁଚିବସିଥାଏ ତ ନିଜର ଅସ୍ତିତ୍ବ ଦାବିରେ !


_" ଓହୋ !" ଏ ପେଟକୁ ଟେକି ବୋହି ଆମ ଧରଣୀ ମାଆ ଚାଲିଛି ବୋଲି ଆମେ ସମିତେ ଅଛୁ ।ନାଇଁ ଗୋ ମାଆ! " 


ବଡ ଶାନ୍ତିର ନିଶ୍ବାସ ଟେ ସହ ବେଲାରୁ ବଦଳ ପରି ମୁହଁ କାଢି କହିଲା । 


" ହଁ ,ତା' ନୁହେଁ ତ ଆଉ କଣ ! ମାଆ ପରା ସବୁ ସହେ, ହେଲେ ପିଲା ଉପରେ ଆଖି ରଖିଥାଏ ଆମ ଜଗାସାଆନ୍ତ ପରି ।" କହିଦେଇ ଶାଶୁମାଆ ମୋର ଦିଅଁ ପୂଜିବାକୁ ଫୁଲ ତୋଳି ଗଲେ ।


ମୁଁ ସ୍ବତଃ ଆଗ୍ରହ ବଶତଃ ପଚାରିଦେଲି, " ଆଉ ମାଉସୀ ..... " ।


ମୋ ପାଟିରୁ ପ୍ରଶ୍ନ ସରିବାକୁ ନ ଦେଇ ସିଏ ଆରମ୍ଭିଲା ।


_ କି କହିବି ଲୋ ବୋହୁପିଲା, କାଲି ରାତି ଘଡିକରୁ ଏ ପୋଡାମୁହାଁ ମଥାଟା ଖାଲି ଦିକିଦିକି କରି ବିନ୍ଧି ଫାଟିଲା ଯେ ଯେତେ ମଲମ ଘସେ ଯା' କରେ ଆଉ କି କମେ ।ଦଶରାରେ ପାଣିକଖାରୁ ଦିଫାଳ ହେଲା ଲେଖେଁ ମୁଣ୍ଡ ଫାଳ ହବା ପରି ଲାଗୁଥାଏ ।ଟାଣେଇକି କପଡା ପଟେ ଭିଡି ନେଇ ମୁଣ୍ଡ ରେ ଭୋର ପହରୁ ତ ଉଠିଲି ।କୋଉ ଶେଜଲାଗି ଅଭ୍ଯାସ ଯେ !ଏଇ ସଜ ତୋଳା ଦି ଡାଲା ପରିବା ଭରିଲି ।ନିତିଦିନିଆ ସେବା ଖଣ୍ଡେ ଯେ ମହାପୁରୁ ଅପାର ଦୟା ବାନ୍ଧି ଦେଇଛି ଲୋ ବୋହୁପିଲା ।କେଡେ କରୁଣା ତାର ।ମୋ ପରି ନିରିମାଖୀ କୁ ଏଇ ପଦ ଯୋଗ୍ଯ ବିଚାରିଛି ।"


ଭାବପ୍ରବଣତା ନେଇ କାନ୍ଦ କାନ୍ଦ ହେଲା ସିଏ , ସେଇ ଭାବର ନଈ ଧାର ବହୁଥିଲା ମୋ ନିଭୃତ ହୃଦକନ୍ଦର ଯାଏ ନୟନପଥଗାମୀ ସ୍ବରରେ ......


_ବାଘଦୁଆର ବାଟ ଦେଇ ଦେଉଳ ପାହାଚ ଗୋଟି ଗୋଟି ଉଠି ଯାଉଥିଲି ମାଆ ।ମୁଣ୍ଡ ରେ ରୋଜନେ ଓଜନ ଟୋକେଇ ।ଏକାନହସକେ ଉଠିତ ଯାଉଛି ।ଏ ଯାଏ କମିନଥାଏ ମୁଣ୍ଡ ବିନ୍ଧାଟା ।ବୟସ ଗଡିଲାଣି ।ଏଣୁ ବଲି ତେଣୁ ତ ହବ ।ଚଉଷଠି ରୋଗ ଗନ୍ତାଘର ଏ ଶରୀର ପରା ।ମାଟି ଦିହ ମାଟିକୁ ଯିବ ।ଶୀଳତାଙ୍କୁ ମନେ ମନେ ଜୁହାର ହେଲି ।ସୁନାକୂଅ ଡେଇଁ ଉପର ପାହାଚକୁ ଉଠୁଛି ଝାଇଁ ମାରିଦେଲା କି !ଆଖି ଟେକି ହେଇଗଲା, ଲାଥୁ' କି ଖସି ପଡିବି କଣ" ମହାପୁରୁ ହେ "ଅନ୍ତରେ ଡାକଟେ ଦେଇଛି ।ତମକୁ ମିଛ ମତେ ସତ କାହୁଁ ବଳିଆର ଭୁଜ ପଣ୍ଡା ପିଲାଟେ ଉଡିଆସି ଝାପ୍ କରି ଏଇ ବାଁ ଖୁଆ ମୂଳକୁ ଧରିପକେଇଲା ତ ଆଉ ।ଲେସାଡି ହବା ଆଗୁ ସମ୍ବାଳି ଗଲି ।ଦେଖିପାରୁନଥାଏ କିଏ ।ଖରା ଚାଇଁ ମାରୁଥାଏ ଆଖି କି ମୋର,ଜିଭ ଖାରିଆ କଷା ଲାଗୁଥାଏ ।ସିଏ ଜୋର୍ କରି କହିଲା, " ଏ ବୁଢୀ ... ଧ ... ଆ ମୋ ସାଙ୍ଗେରେ ।" ସେଇଠୁ ତ ବିଶ୍ବାସ କରିବନି ମାଆ ଫୁଲମିତି ଉସୁଆସ ହେଇଗଲିକି ମୁଁ ସତେ ।ପବନ ଦୋଳିରେ ଭାସି ଭାସି ଯାଇ ସରଘରେ ।ହାତ ଲଗେଇ ଡାଲା ବି ଓହ୍ଲାଇ ଦେଲା ସେଇ ପୁଅଟି । ଓହୋ ମୁଁ ନଇଁ ପଡି ରଖିଥୋଇ ଉଠି ସଳଖିଲା ବେଳକୁ ସିଏ ଆଉ ନାହିଁ ।ଆଖି ପହଁରେଇ ଆଣିଲି ।ଦଉଡି ଗଲି ରେଳ ପରି ଛୁଟି ଛୁଟି ଗରୁଡଖୁମ୍ବ ଠୁ ଇନ୍ଦ୍ରିଣୀଙ୍କ ଯାଏ ,ଏପଟେ ରୋହିଣୀ କୁଣ୍ଡ ଠୁ ଯେ ଆନନ୍ଦବଜାର ଯାଏଁ ।ବାଇଶି ପାହାଚ କାଶୀନାଥ ,ପତିତପାବନ । ପୁରା ଦେଉଳ ଖେଦିଗଲି ଗୋ । ନାଃ । ଆଉ ନ ଦିଶିଲେ । ଆଖି ମୋର ବହେଇଚାଲିଥାଏ ଗଙ୍ଗାଯମୁନା । ଅପୂର୍ବ ମହକ ଟେ ଘେରିଥାଏ ମନକୁ ।ପାଟ ଅଗଣାରେ ଚକା ପାରି ବସିଲି ।ମାହାର୍ଦ୍ଦ ଅମ୍ବାଲୁ ଦିଟା ତୁଳସୀ ପତର ଦିଆ ଖଲିଟାରେ ମୋଡିକି କିଏ କାନ୍ଥଲଗା କରି ରଖିଥିଲା ଯେମିତି କିଏ ମୋରି ଲାଗି । କାନିରେ ବାନ୍ଧିଲି ।ନୀଳନେତକୁ ଚାହିଁ ହାତ ଯୋଡିଲି ।ସତ୍ଯନାରାୟଣ, ମହାଲକ୍ଷ୍ମୀ ଙ୍କୁ ଜୁହାର ହେଇ ଉଠିଲି ।ମୁଣ୍ଡ ବିନ୍ଧା ଉଭେଇ ଯାଇଥିଲା କୋ' ବେଳୁ ।ସହସ୍ରହାତୀ ବଳ ଖୁନ୍ଦି ଖାନ୍ଦି ହେଇଥିଲେ ଦିହରେ ।ସେଇଠୁ ଅଇଲି ।ଆର ଝୁଡିଟା ଲକ୍ଷ୍ମୀ ବଜାର ପଟୁ ମୁଣ୍ଡେଇ ଏଇ ତ ତମ ଘରକୁ ଆସୁଚି ଆ ' ।ହଁ ହଁ ହେ ଜନତା ସିନିମାଘରେ ନୂଆ ଓଡିଆ ବହି ପଡିଛି ।କଣ ତ ନାଁ' ଟି? "ଚକା ଆଖି ସବୁ ଦେଖୁଛି"। ବଢିଆ ବହି ।ଦେଖିଆଇଲିଣି ନା ଦି ପାଳି ।ତମେ ଶାଶୁବୋହୂ ହେଇ ଦେଖିଆସୁନ ପାଳିଏ ।ଭଲ ନାଗିବ ବା , ଶୀରାମପଣ୍ଡାକୁ ଉତ୍ତମମହାନ୍ତି । ହିଟ୍ ଯୋଡି ।।ହଉ ମୁଁ ଯାଏ ତାତି ଗାଢଉଛି ।ଦେଲ ଦେଲ କିଏ ଟୋପା ହାତ ଦେଲ ।ଡାଲାଟା ଉଠେଇ ନିଏ ।ଆଜ ପରା ଭାଗ୍ଯର ଦିନ ରେ ଆଉ କଣ ଭୋକ ଶୋଷ ଅଛି ! ମୋକ୍ଷ ଦୁଆର ପଟେ ମହାପୁରୁ ଆଖି ବିଛେଇ ବସିଥେଲେ ସ୍ବୟଂ ।ହାତ ବଢେଇ ଜାଚି ଦେଲେ ।ଆଉ ମୋର କଣ ଅଛି ! ଶ୍ରୀଅଙ୍ଗଲାଗି ହେଲି ।ଏଥର ସରଗଦୁଆର ବାକି । " 

ଫେରିଯାଉଥିଲା ନାକିନୀ ।

ପାଦର ମୋଟ ଗୋଲେଇ କଳାଚାନ୍ଦିଆ ପାହୁଡ ତାର ଚକା ଚକା ଦିଶୁଥିଲା ,କଳା,ଧଳାରେ ନାଲିପାଢିଆ କୁଞ୍ଚ ତଳେ ।


ଆଖି ମୋର "ତୃପ୍ତି"ର ସ୍ବରୂପ ଦେଖୁଥିଲା ତା'ଚର୍ମଚକ୍ଷୁରେ।ଅନ୍ତର ପୁରେଇ ଅନୁଭବ ଢାଳିଦିଅନ୍ତି ଚକାନୟନ କଳାଠାକୁରେ ଅପ୍ରତ୍ୟାଶିତ ।


ଶାଶୁ ମୋର ଦିଅଁ ଙ୍କ ଘରେ ଚନ୍ଦନ ଘୋରୁ ଘୋରୁ ଗାଉଥିଲେ, " ଥକାମନ ଚାଲ ଯିବା ଚକା ନୟନ ଦେଖିବା, ଶଂଙ୍ଖନାଭି ମଣ୍ଡ ଳରେ ବେନି ନେତ୍ର ପଖାଳିବା ।"



Rate this content
Log in

Similar oriya story from Action