ଚିଠିଟିଏ ବାପାଙ୍କୁ
ଚିଠିଟିଏ ବାପାଙ୍କୁ
ପୂଜନୀୟ ବାପା
ଭୂମିଷ୍ଠ ପ୍ରଣାମ ନେବେ .ଆଖିରୁ ସବୁ ଲୁହ ଶୁଖିଯାଇଛି ବାପା ,ଆପଣଙ୍କ ଆବର୍ତ୍ତମାନ ପରେ ପରେ ଲୁହ ମୋହ କୋହ ରୁ ଦୁରେଇ ଯାଇ ବି ବେଳେ ବେଳେ ଅସ୍ଥିର ଲାଗୁଛି ,ଆଉ ପ୍ରେରଣା ପାଇବି ବା ମାଗିବି କାହାକୁ ?ଜୀବନର ତମାମ ମୁସ୍କିଲକୁ ସମ୍ନା କରିବାର ଧର୍ଯ୍ୟ ,ସାହସ ,ଶାଳୀନତା ଭରା ମୂଲ୍ୟବୋଧଭିତ୍ତିକ ପ୍ରେରଣା ପାଇବାର ପରିସମାପ୍ତି ଘଟିଗଲା ଆପଣଙ୍କ ବିଚ୍ଛେଦ ପରେ .ଏଵେ ଏଵେ ,ମୁଁ କେମିତି କିପରି କେବେ କବି ହେଲି ଲେଖିବା ପାଇଁ ଆହ୍ୱାନ ଟିଏ ପାଇ ମୁଁ ସବୁ ଆପଣଙ୍କ କଥା ଏମିତି ଭାବେ ସତ ସତ ବଖାଣି ଭଲ ସାଠିଫିକେଟ ଟିଏ ପାଇଲି ବାପା .ମୁଁ ଲେଖିଥିଲି -
ମୋର କବି ହେବାର ଭାବନା, ନିଶ୍ଚୟ ମୋ ବାପାଙ୍କ ପାଖରୁ ଆସିଥିଲା. ଆମ ଘର ପୁରୀ ସହରର ମାର୍କଣ୍ଡେଶ୍ଵର ସାହି ଅଞ୍ଚଳର, ମିଶ୍ର ସାହିରେ ଲାପିଲାଦିନର ଫଟୋ ସବୁ ଭିତରେ, କବି ସମ୍ମିଳନୀରେ ବାପାଙ୍କ ସଙ୍ଗେ ମୁଁ. ବାପାଙ୍କର ବଡ଼ଝିଅ, ଅତି ଗେଲ୍ଲୀ, ତ ସାଙ୍ଗରେ ନେଇଥାନ୍ତି ମତେ କବି ସମ୍ମିଳନୀକୁ, ସେହି ଅବୁଝା ଦିନର ଫଟୋଟି ବଡ ହେବା ପରେ ମତେ ପ୍ରଥମ ପ୍ରେରଣା ଦେଇଥିଲା କବିଟିଏ ହେବାକୁ l
ସେହି ଫଟୋରେ ଥିବା ବହୁ ବିଶିଷ୍ଠ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିତ୍ୱଙ୍କ ସହିତ କାଳକ୍ରମେ ମୋର ପରିଚିତ ହୋଇଥିଲା. ସେମାନଙ୍କ ଭିତରେ, ଶ୍ରୀଯୁକ୍ତ ହରିହର ମିଶ୍ର ଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ କର ମହୋଦୟ, ଜଣେ ସାହିତ୍ୟ ଏକାଡେମୀର ସଭାପତି ପଦରୁ ଅବ୍ୟାହତି ନେଇସାରିଛନ୍ତି, ଆଉ ଜଣେ ସଂଗୀତ ଜଗତରେ ଗାୟକ ଓ ସଂଗୀତ ନିର୍ଦେଶକ ରୂପେ ପ୍ରତିଷ୍ଠା ଲାଭ କରିଛନ୍ତି. ସେ ଦୁହେଁ ମୋ ବାପା, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ, ଘନିଷ୍ଠ ବାଲ୍ୟ ବନ୍ଧୁ. ବାପା ଆଜି ଆରପାରିରେ କିନ୍ତୁ ଶ୍ରୀଯୁକ୍ତ ହରିହର ମିଶ୍ର ମୋ ପରିଚୟ ପାଇ କହନ୍ତି, ଆରେ ପୂର୍ଣ୍ଣ କଣ ଖାଲି ମୋ ସାଙ୍ଗ ବରଂ ମୋର ଗୁରୁ ଥିଲା, ସେହିଁ ପ୍ରଥମେ କବିତା ଲେଖିବା ଶିଖେଇଥିଲା ଆମକୁ, ଆଉ ତୋ ପାଖେ ସେ କଳା ରହିବା ସ୍ୱାଭାବିକ. ତାଙ୍କର ଏହି କେଇପଦ କଥା ମତେ ଆହୁରି ଭଲ କବିତା ଲେଖିବା ପାଇଁ ଅନୁକୂଳ ମନ୍ତବ୍ୟ ଓ ପ୍ରେରଣା ଯୋଗାଇଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଆଉ ବାପାଙ୍କ ବଡ଼ଝିଅ ହିସାବରେ ମୋ ଭିତରେ କବି ଭାବ ହୁଏତ ଜନ୍ମଗତ
ଲେଖୁଥିଲି ବାପାଙ୍କୁ ଲୁଚେଇ, ଛୋଟ ଛୋଟ ଗୀତି କବିତା, ଗଳ୍ପ ଓ ନାଟକ କିନ୍ତୁ କାଳେ ବାପା ସେସବୁ ପଢି କୋଉଠି ବନାନ ଅଶୁଦ୍ଧି ବାହାର କରି ଗାଳିଦେବାର ଭୟ ଥିବାବେଳେ, ନାଟକଟି ବାପାଙ୍କ ହାତରେ ପଡିଥିଲା ଆଉ ମୁଁ ଡ଼ରିକି ମୁଁ ଲେଖିନାହିଁ, ମୋ ସାଙ୍ଗ ଲେଖିଛି କହିଦେଇଥିଲି ସିନା ହେଲେ ଭିତରେ ଭିତରେ କବିଟିଏ ହୋଇସାରିଥିଲି, ବାପାଙ୍କ କବିତା ଖାତା ଓ ରେଡ଼ିଓକୁ ପଠାଇଥିବା ସେତେବେଳେ ପଚାଶ ଗୋଟି ଆଧୁନିକ ଗୀତକୁ ପଢି ଶିଖି, ଯେଉଁଗୁଡିକ ତାଙ୍କ ମୃତ୍ୟୁକାଳୀନ ଦଶାହରେ ଖୋଜିଥିଲେ ତାଙ୍କ କବିବନ୍ଧୁମାନେ, ଆଉ ମିଳିନଥିଲା ସେଗୁଡିକ, ହେଲେ ପାଇଥିଲେ ମୋ କବିତ୍ଵର ପରିଚୟ.
ମୋର ସେହି କବିତା ଲେଖା ବଢିଚାଲିଲା, ଯେତେବେଳେ ମୁଁ ପୁରୀରେ, ମାମୁଁଘର ରଥସାହିରେ ରହି କଲେଜରେ ପାଠ ପଢ଼ିଲି, କାରଣ ବାପା ବୋଉ ଆଉ ସାନ ଭାଇଭଉଣୀ ମାନେ ବାପା ଚାକିରୀ କରୁଥିବା ସ୍ଥାନରେ କ୍ଵାଟରରେ ଥିଲା ବେଳେ, ମୁଁ ରହୁଥିଲି ସେମାନଙ୍କୁ ଛାଡି ପୁରୀରେ, ତ ଲେଖୁଥିଲି ବିଚ୍ଛେଦ ଓ ବିରହ ଭରା ପାରିବାରିକ ଗୀତି କବିତା, ପରିବାରକୁ ମନେ ପକାଇ, ତାଛଡା ବାପାଙ୍କ ପ୍ରେରଣା ତଥା ନିର୍ଦେଶରେ, ସେତେବେଳେ ରେଡ଼ିଓରେ ଦେଉଥିବା ଶିଶୁସଂସାର ଗୀତ ଗୁଡିକ ଲେଖି ଶିଖି ଗାଇବା ସହ ଲେଖୁଥିଲି ସେତେବେଳେ ଶିଶୁ ଗୀତି କବିତା ଆଉ କଲେଜ ଫଙ୍କସନରେ ପ୍ରାରମ୍ଭିକ ସଂଗୀତ ଗାନରେ, ଭାଗ ନେଇ ବଢାଇଚାଲିଥିଲି ମୋର ସଂଗୀତ ପ୍ରତି ଦୁର୍ବଳତା, ତ ସେସବୁ ସ୍ମୃତି ଗୁଡିକୁ ମଧ୍ୟ ଧରିରଖୁଥିଲି ଛୋଟ ଗୀତି କବିତା ମାଧ୍ୟମରେ, ତାଛଡା ସେତେବେଳେ ଯୁବବାଣୀ, ବିନାକା ପ୍ରୋଗ୍ରାମ ସବୁ ବାପା ଶୁଣିଲା ବେଳେ ମୁଁ ବି ଶୁଣୁଥିଲି ଲୁଚେଇ ଲୁଚେଇ, ଗୀତ ଓ କବିତା ଯେ ପରସ୍ପର ପରସ୍ପରର ପରିପୂରକ, ଏକଥା ମୁଁ ନିଜ ଅନୁଭୂତିରୁ ଅଂଗୀକାରବଦ୍ଧ.
ତା ପରେ ଲେଖିଲି ଗଳ୍ପ କବିତା, ପ୍ରକାଶିତ ହେଲା କଲେଜ ମ୍ୟାଗାଜିନରେ, ଗାଇଲି ଗୀତ କଲେଜ ଫଙ୍କସନ ଓ ସାଙ୍ଗ ମାନଙ୍କ ପାଖରେ କଲେଜ କମନରୁମରେ ତଥା ଷ୍ଟଡି ଟୁର ରେ ଗଲାବେଳେ, ସବୁ ଅନୁଭୂତିଗୁଡିକୁ କବିତା ମାଧ୍ୟମରେ. ମନେ ଅଛି ଥରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ପତ୍ରିକାରେ ମୋ ଲେଖାଗୁଡିକ ସବୁ ମୋ ସାନ ଭାଇ ଭଉଣୀ ଓ ସେମାନଙ୍କ ସାଙ୍ଗମାନଙ୍କ ନାମରେ ସମଗ୍ର ପୃଷ୍ଠା ମଣ୍ଡନ କରିଥିଲା, ବାପା ଖୁବ ଖୁସି ହୋଇଥିଲେ.
ବାପା, ଅବସର ପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସଂସ୍କରଣ, "ଭକ୍ତିପୁଷ୍ପ ଭଜନମାଳା " ପ୍ରକାଶିତ କରି ଚତୁର୍ଥ ସଂସ୍କରଣ ପାଇଁ ଲେଖୁଥିବା ଅବସ୍ଥାରେ, ହୃଦଘାତରେ ଚାଲିଗଲେ, ଆଉ ଆଜି ମୁଁ ମଧ୍ୟ, ଭାରି ଅବୁଝା ଏ ମନ, ମୁଁ ମୌସୁମୀର ମଲାଜହ୍ନ, ପାପରୁ ଖିଏ ପୂଣ୍ୟ ନନିଏ, ମହୁଲ ଫୁଲର ମାଲ୍ୟାଣୀ, ଆଞ୍ଜୁଳେ ଅଞ୍ଜଳି, ଇତ୍ୟାଦି କବିତା ଓ ଗଳ୍ପ ବହି ପ୍ରକାଶ କରିଥିଲେବି, ସେହି ସ୍ରଷ୍ଟାଙ୍କ ଅନୁପସ୍ଥିତି ବେଳେ ବେଳେ ବିଚଳିତ କରେ, ତଥାପି ହାରିଯାଇନି, ପରବର୍ତ୍ତୀ ପୁସ୍ତକ ପ୍ରକାଶନ ପାଇଁ ପ୍ରସ୍ତୁତ ହେଉଛି, ସେହି ଅଦୃଷ୍ଟ ଭାଗ୍ୟନିଅନ୍ତାଙ୍କ ଆଶୀର୍ବାଦରେ. ଏ ଦିଗରେ ସ୍ୱାମୀ, ପୁତ୍ର, କନ୍ୟା, ଜାମାତା ଓ ପୁତ୍ରବଧୂ, ତଥା ଟିକି ନାତୁଣୀ, ଏମାନଙ୍କ ସହମତି, ସଦିଚ୍ଛା ମଧ୍ୟ କବିଟିଏ ହେବା ପାଇଁ ଯୋଗାଏ ପ୍ରେରଣା .
କିନ୍ତୁ ସମ୍ବେଦନଶୀଳ କଥା ହେଲା ମୋ ଲେଖା ଆପଣ ଜମା ପଢ଼ିବାର ସୁଯୋଗ ମୁଁ ଆପଣଙ୍କୁ ଦେଇପାରିନି ସିନା ବାପା ହେଲେ ଆଜି ଆପଣଙ୍କ ଆଶୀର୍ବାଦରେ ଆଗେଇ ଚାଲିଛି ମୁଁ ସାହିତ୍ୟ ଜଗତରେ ପାଦ ରଖି .ଆପଣଙ୍କ ଦର୍ଶନ ଓ ଶାଶନ ମତେ ସବୁଠି କରିଛି ଅଦ୍ଵିତୀୟ .ଯଦିଓ ଏ ଯାଏଁ ସେମିତି କୌଣସି ପଦ ମର୍ଯ୍ୟାଦା ମୁଁ ପ୍ରାପ୍ତ ହୋଇନି ,ତଥାପି ପ୍ରତିଲିପି ଭଳି ପ୍ଲାଟଫର୍ମ ମତେ କରିଛି ସମ୍ବର୍ଦ୍ଧିତ .କେତେକ ଅନୁଷ୍ଠାନ ସହ ଷ୍ଟୋରୀ ମିରରରୁ ବି ପାଇଛି ସମ୍ବର୍ଦ୍ଧନା .ଆଉ ଅନେକ ଅଗ୍ରଣୀ ସାହିତ୍ୟ ସଙ୍ଘ ମତେ କରିଛି ପୁରସ୍କୃତ .ତଥାପି ମୁଁ ଅଧୁରା ,ଆହୁରି ଅନେକ ଶିଖିବାର ଅଛି ମୋ ପାଇଁ ,ମତେ ଆଶୀର୍ବାଦ ଦିଅନ୍ତୁ ବାପା ,ଏ ଦିଗରେ କିଛି ମାତ୍ରାରେ ସଫଳ ହୋଇ ଆପଣଙ୍କ ନାମ ରଖିବାରେ କୃତକାର୍ଯ୍ୟ ହୁଏ l
ମୋ ସଂସାର କେମିତି ଠିକ ଠାକ ଚାଲୁ ,ମୋ ସନ୍ତାନ ଦୁହେଁ କେମିତି ଚାକିରୀ କରି ବିବାହ କରି ଘର ସଂସାର କରନ୍ତୁ ର ଆଶୀର୍ବାଦ ଆଜି ମୋ ଉପରେ ଅଛି ତ ଆପଣଙ୍କ ନାତି ନାତୁଣୀ ଦୁହେଁ .ବାହା ଚୋରା ହୋଇ ଯିଏ ଯାହା ଚାକିରୀ ଜାଗାରେ .ଝିଅ ବାପା ମାଆ ପସନ୍ଦ କୁ ଯେମିତି ସମ୍ମାନ ଦେଇଛି ,ପୁଅର ଇଛାକୁ ଅର୍ଥାତ ତା ଜୀବନସାଥୀ ଚୟନରେ ଆମେ ସେମିତି ସ୍ୱୀକୃତି ଦେଇଛୁ ବାପା ,ଏସବୁ ତ ମୁଁ ଆପଣଙ୍କଠୁ ଶିଖିଛି .ସେଦିନ ମୋ ପାଇଁ ସ୍ୱାମୀ ଚୟନ କଲାବେଳେ ଆପଣ ପଦେ କହିଥିଲେ କି ଜୋଇଁ ମୋର ଜ୍ଞାନୀ ,ଗୁଣୀ ଓ ଵିଵେକୀ ,ତ ଆପଣଙ୍କ ଚୟନ ସହ ସ୍ୱୀକୃତିକୁ ସମ୍ମାନ ଦେଇ ,ତାଙ୍କ ସହ ଜୀବନର ଶେଷ ଯାଏଁ ବାଟ ଚାଲୁଥାଏର ଆଶୀର୍ବାଦ ମୋ ମୁଣ୍ଡରେ ଅଦୃଶ୍ୟ ହାତ ରଖି କହିଦିଅ ବାପା ,ଅହ୍ୟସୁଲକ୍ଷଣୀ ତଥା ସୌଭାଗ୍ୟବତୀ ହୁଏ .
ଏଥର ବୋଉ କଥା କହିବି .ଯାହା ପାଇଁ ତୁମେ ନିଜକୁ ଗୌରବାନ୍ୱିତ ମନେକରୁଥିଲ ,ତାକୁ ଏକା କରି ଚାଲିଯିବାଟା କଣ ଠିକ ବାପା ?,ଘର ଘର ହେଉଥିବା ବୋଉ ଆପଣଙ୍କ ଅନୁପସ୍ଥିତି ରେ ଘରେ ରହିଲା ସିନା ହେଲେ ସ୍ମୃତି ସବୁ ସାଉଁଟି ସାଉଁଟି ହେଇଗଲା ଆଲଯାଇମୋର ରୋଗୀ ,କିଛି ମନେ ରହୁନି କି ମନେ ପକାଇ ପାରୁନି ,ଏମିତିକି ବେଳେ ବେଳେ ନିଜ ପୁଅ ଝିଅ ନାତି ନାତୁଣୀଙ୍କୁ ବି ଚିହ୍ନୁନି ,କିନ୍ତୁ ତା ବାପା, ଭାଇ,ଭାଉଜ ,ପୁତୁରା ,ଝିଆରୀ ତଥା ନଣନ୍ଦ ଓ ଭଣଜା ଭାଣିଜୀ ମାନଙ୍କ ନାମ ନେଇ ଆମକୁ ଡାକୁଛି .
କିନ୍ତୁ ଗୋଟେ କଥା ଜାଣିଛ ବାପା ତା ଝୁଣ୍ଟିଆ କୁଆଡେ ଗଲା ପଚାରୁଛି ,ଦାଣ୍ଡ କବାଟ ବନ୍ଦ ହେଲେ ଛିଡ଼ୁଛି ,ବାପା ଆସିନାହାନ୍ତି ,ଦୁଆର କାହିଁ ଦିଆହେଉଛି କହି ଗାଳି ଦେଉଛି .ଆଉ ବେଳେ ବେଳେ ବାପା ଖାଇଲେଣି ନା ନାହିଁ ବା ବାପାଙ୍କ ପାଇଁ କଣ ରଖିଛ ପଚାରୁଛି ତଥା ଅନୁସନ୍ଧାନ କରୁଛି ,ତା କଥା ଦେଖି ମୁଁ ବି କିଛି ଗଳ୍ପ ଲେଖିଛି ,ଏଥିରେ ଗୋଟିଏ ଦେଉଛି ,ପଡ଼ିନେଇ ବୋଉର ହୃଦୟ ଚିନ୍ହିଯିବେ ନିଶ୍ଚୟ .ଗଳ୍ପ -ବୋଉ ସବୁବେଳେ ବାପାଙ୍କ ଉପରେ ଚିଡି ଚିଡି ହୁଏ ,କାରଣ ଅବସର ପରେ ,ପିଲାମାନଙ୍କ ଉପରେ ବୋଝ ନହୋଇ ନିଜ ପେନସନ ଗଣ୍ଡାକ ରେ ନିଜ ହାତ ଗୋଡ଼ ଚାଲିଲା ପର୍ଯ୍ୟନ୍ତ ଚଳିଯିବାକୁ ବୋଉ ର ଇଚ୍ଛା ,ହେଲେ ବାପା ଏଵେ ଭକ୍ତି ପୁଷ୍ପ ଭଜନ ମାଳା ବୋଲି ବହିଟିଏ ର ପ୍ରଥମ ,ଦ୍ୱିତୀୟ ,ତୃତୀୟ ଭାଗ ପ୍ରକାଶିତ କରି ଚତୁର୍ଥ ସଂସ୍କରଣ ପାଇଁ ଲେଖି ଚାଲିଛନ୍ତି ,ସେଥିରେ ଅବଶ୍ୟ ବୋଉର ସଦିଚ୍ଛା ଅଛି ,କିନ୍ତୁ ନିଜ ସହରର ବହୁ ଅନୁଷ୍ଠାନରେ କୋଉଥିରେ ସଭାପତି ,କୋଉଥିରେ ସମ୍ପାଦକ କୋଉଥିରେ କୋଷାଧକ୍ଷ ତ କୋଉଥିରେ ସଭ୍ୟ ହେବା ଦ୍ୱାରା ମାସିକ ,ତ୍ରୟମାସିକ ତଥା ବାର୍ଷିକ ଚାନ୍ଦା ଦେବା ନେଇ ବୋଉର ଆପତ୍ତି କ୍ରମେ ଆମ ଭାଇ ଭଉଣୀଙ୍କୁ ସଂକ୍ରମିତ କରେ ,ଆଉ ବୋଉ ସହ ତାଳ ମିଳାଇ ବାପାଙ୍କ ଅଯଥା ଖରଚ ପାଇଁ ବାପାଙ୍କୁ ଦୋଷୀ ମଣୁ l
ଭାଗ୍ୟର ଘୋର ବିପର୍ଯ୍ୟୟ ବଶତଃ ବାପା ଚାଲିଗଲେ,ଭକ୍ତି ପୁଷ୍ପ ଭଜନ ମାଳାର , ଚତୁର୍ଥ ସଂସ୍କରଣ ପୁର୍ବରୁ ,ଆଉ ବୋଉ ଭାଙ୍ଗି ପଡିଲା ,ସେଦିନ ଆମ ଘରେ ଛୋଟ କାଟିଆ ବସନ୍ତ ସାହିତ୍ୟ ଆସରରେ ,ଯୋଗ ଦେଇଥାନ୍ତି ମୋ ବାପାଙ୍କ ଜନ୍ମିତ ତଥା ମୋ ସହର ପୁରୀ ର ବହୁ ବିଶିଷ୍ଠ ପ୍ରତିଭା ,ଯେଉଁମାନେ ବାପାଙ୍କୁ ଜାଣିଥାନ୍ତି ,ଆଉ ମୋ ପିତୃ ପରିଚୟ ପାଇ,ବାପାଙ୍କର ବିଭିର୍ଣ୍ଣ ଅନୁଷ୍ଠାନ ସହ ସୁସମ୍ପର୍କ ତଥା ଆର୍ଥିକ ଅବଦାନର କଥା କହୁଥିଲେ ପ୍ରତ୍ୟକ ,ସେମାନଙ୍କ ବକ୍ତୃତା ର ପ୍ରାରମ୍ଭରେ ତ ମୋ ଘରକୁ କିଛି ଦିନ ପାଇଁ ବୁଲିବାକୁ ଆସିଥିବା ମୋ ବୋଉ କାନରେ ସବୁ ପଡିଥିଲା lତା ପରଠୁ ବୋଉ ଗୁମସୁମ ରହୁଥିଲା ଆଉ ମୁଁ ଯେବେ ଛୋଟ ମୋଟ କଥାରେ ମୋ ସ୍ୱାମୀଙ୍କୁ ଦୋଷ ଦେଇ ଚିଡି ଯାଉଥିଲି ,ବୋଉ ପାଟି ଖୋଲି ମତେ କହିଥିଲା ,ତାକୁ କିଛି କହନା ଝିଅ ,ସେ ହିଁ ତୋର ଏକମାତ୍ର ସାହା ,ଭରସା ,ବନ୍ଧୁ ତଥା ଜୀବନର ପ୍ରତି ଟି ସନ୍ଧିକ୍ଷଣ ମୁହୂର୍ତ୍ତ ର ସାଥି ,ଯିଏ କି ତୋ ସପକ୍ଷରେ ପଦେ କହିବ ,ତୋ ମନ ହୃଦୟ ହାଲକା କରି ,କହିବା ସହ ବୋଉ ତା ଦୁଇ ଆଖିରୁ ଗଡି ଆସୁଥିବା ଦୁଇଧାର ଲୁହ କୁ ପୋଛି ନେଉଥିଲା ,ମୋ ଅଜଣାତରେ ,ଆଉ ସେଦିନ ବି ମୁଁ ବୁଝିପାରିଥିଲି ,ସ୍ୱାମୀହିଁ ,ପ୍ରକୃତରେ ସ୍ତ୍ରୀ ର ସବୁଠାରୁ ପ୍ରେମର ମଣିଷ l
ବୋଉ କୁ ପର କରି ଆମକୁ ସବୁ ପରକରି ଚାଲିଗଲେ ସିନା ବାପା ,ହେଲେ ମୁଁ ଧରି ରଖିବାକୁ ଚେଷ୍ଟା କରୁଛି ସାହିତ୍ୟ ଗଦ୍ୟ ଓ ପଦ୍ୟ ମଧ୍ୟରେ ,ଭୁଲ ଥିଲେ କନ୍ୟାକୁ କ୍ଷମା କରିଦେବେ ।
ଇତି
ଆଦରର
ରେବା
