ଚିତ୍ରଲେଖା : ଏକ ପ୍ରେମ ଉପାଖ୍ୟାନ
ଚିତ୍ରଲେଖା : ଏକ ପ୍ରେମ ଉପାଖ୍ୟାନ


- " ପ୍ରେମର ମାନେ କ'ଣ ? "
ଦିନେ ଗୋଟିଏ ପତ୍ରିକାର " ଆପଣଙ୍କ ପ୍ରଶ୍ନ ଆମ ଉତ୍ତର " ବିଭାଗକୁ ଏଇ ପ୍ରଶ୍ନଟି ପଚାରିଥିଲି ।
- " ପ୍ରେମର ନିର୍ଦ୍ଦିଷ୍ଟ କାଳ ବେଳ ନ ଥାଏ । ଯିଏ ଯେତେ ଶୀଘ୍ର ଗୋଟେ ସୁନ୍ଦରୀ ଝିଅକୁ ହୃଦୟରେ ବସାଏ,ସିଏ ସେତେ ଶୀଘ୍ର ପ୍ରେମର ମାନେ ବୁଝିଯାଏ । ସେପରି କର । ନ ହେଲେ କାଳ କାଳ ଧରି ପାଣିରେ ପଙ୍କରେ ଘାଣ୍ଟି ହେଉଥିବ । ପ୍ରେମର ମାନେ ବୁଝି ପାରିବନି । "
ମୋ ପ୍ରଶ୍ନର ଉତ୍ତରରେ ସେ ଏମିତି ଲେଖିଲେ । ଗୋଟେ ସୁନ୍ଦରୀ ଝିଅକୁ ହୃଦୟରେ ବସାଇବାକୁ ହେବ ବୁଝିଲି ।
ମୋ ଆଖିରେ ଗୋଟେ ସୁନ୍ଦରୀ ଝିଅ ଥିଲା । ତା' ନାଆଁ ଚିତ୍ରଲେଖା । ସକାଳେ ଚୁପଚାପ ଫୁଟୁଥିବା ରଜନୀଗନ୍ଧା ପରି ସେ । ସେ' ବି ମହକୁଥିବା ମଲ୍ଲୀ ଫୁଲ ପରି । ତାକୁ ହୃଦୟରେ ବସାଇଦେଲି । ସତକୁସତ ପ୍ରେମର ମାନେଟା ମୋ ପାଇଁ ଆଉ ଅବୁଝା ନ ଥିଲା । ଓଃ ! କି ଆବେଗ ! କି ଆକୁଳତା ! ତାକୁ ପାଇବା ପାଇଁ ଛଟପଟ ହେଲି ମୁଁ ।
- " ମୁଁ ଗୋଟିଏ ସୁନ୍ଦରୀ ଝିଅକୁ ଭଲପାଉଛି । ତାକୁ କେମିତି ପାଇବି ? "
ଦିନେ ପୁଣି ସେଇ ପତ୍ରିକାକୁ ଏ ପ୍ରଶ୍ନ ଟି ପଚାରିଦେଲି ।
- " ବଶୀକରଣ ମନ୍ତ୍ର ଆୟତ୍ତ କଲେ ତାହା ସମ୍ଭବ ହୋଇ ପାରିବ । କାରଣ ସୁନ୍ଦରୀ ଝିଅମାନେ ସହଜରେ ଧରା ଦିଅନ୍ତି ନାହିଁ । "
ମୋ ପ୍ରଶ୍ନର ଉତ୍ତରରେ ଏମିତି ଲେଖିଲେ ସେ ।
ଏବେ ବଶୀକରଣ ମନ୍ତ୍ର ଶିଖିବାକୁ ମୋ ଭିତରେ ଆଗ୍ରହ ବଢିଲା ।
ଦିନେ ଗୋଟିଏ ନାମୀ ଦାମୀ ଦୈନିକ ଖବରକାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନଟିଏ ମୋ ନଜରକୁ ଆସିଲା । ସେଥିରେ ଲେଖାଥିଲା ସହରକୁ ଜଣେ ନାଗା ସାଧୁ ଆସିଛନ୍ତି । ପ୍ରେମ ଓ ବିବାହ ସମସ୍ୟାର ସମାଧାନ କରୁଛନ୍ତି । ବଶୀକରଣ ମନ୍ତ୍ର ଶିକ୍ଷା ଦେଉଛନ୍ତି ।
ଚିତ୍ରଲେଖାକୁ ପାଇବାକୁ ମୋ ଭିତରେ ଆଗ୍ରହ ଖୁବ୍ ବଢିଗଲାଣି ସେତେବେଳକୁ । ମୁଁ ଆଉ କାଳ ବିଳମ୍ବ ନ କରି ଯାଇ ତାଙ୍କ ପାଖରେ ପହଞ୍ଚିଲି ।
- " ହ୍ଳିଂ କ୍ଳିଂ ସ୍ଳିଂ । ଏହି ମନ୍ତ୍ରକୁ ତିନିଥର ଉଚ୍ଚାରଣ କରିବ । ଝିଅଟି ଉପରକୁ ଧୂଳି ଟିକେ ପକାଇଦେବ । କାମ ଫତେ । " ନାଗା ସାଧୁ କହିଲେ ।
- " ଆଗ ଆଡୁ ପକାଇବାକୁ ହେବ ନା ପଛ ଆଡୁ ? " ମୁଁ ତାଙ୍କୁ ପଚାରିଲି ।
- " ଆଗ ଆଡୁ ପକାଇବାକୁ ହେବ । ପଛ ଆଡୁ ପକାଇଲେ ମନ୍ତ୍ର କାଟୁ କରିବ ନାହିଁ । " ସେ କହିଲେ ।
ତାଙ୍କୁ ଏକ ହଜାର ଏକଶତ ଟଙ୍କା ଦେଇ ମୁଁ ମହା ଆନନ୍ଦରେ ଘରକୁ ଫେରି ଆସିଲି । ସଙ୍ଗେସଙ୍ଗେ ଯାଇ ଚିତ୍ରଲେଖା ପାଖରେ ପହଞ୍ଚିଲି । ପାଇଥିବା ମନ୍ତ୍ର ଉଚ୍ଚାରଣ କରି ତା' ଉପରକୁ ଧୂଳି ଟିକିଏ ପକାଇଦେଲି ।
ସେ ମୋତେ ଚାହିଁ ହସିଲା । ଓଃ ! କି ସୁମଧୁର ହସ !ଭାବଭରା ଅପରୂପ ଆନନ୍ଦରେ ହଜିଗଲି ମୁଁ । ପ୍ରେମର ବର୍ଷା ବର୍ଷିଗଲା କି କ'ଣ ! ନିଜ ଅଜାଣତେ ଗୋଟାପଣେ ଓଦା ହୋଇଗଲି ।
ମୋର ମନେହେଲା ସେ ବଶୀଭୂତ ହୋଇ ସାରିଛି । ମନ୍ତ୍ର କାମ ଦେଇଛି । ଏବେ ସେ ମୋର, କେବଳ ମୋର ପ୍ରେମିକା ।
ମନେମନେ ଖୁସି ହୋଇ ସାଧୁବାବାଙ୍କୁ ଧନ୍ୟବାଦ ଦେବାକୁ ଯାଉଥିଲି । ଏତିକିବେଳେ ସେ କହିଲା - " କାଲି ଦେବାଶିଷ, ପଅରଦିନ ହୁସେନ୍ ଓ ତା' ଆଗଦିନ ସାଇମନ୍ ମୋ ଉପରକୁ ଏମିତି ଧୂଳି ପକେଇଥିଲେ । ଜାଣେ ପରା ଏଠି ସୁନ୍ଦରୀ ଝିଅଙ୍କ ପଛରେ ସମସ୍ତେ ପଡିଯାନ୍ତି । ତେଣୁ ନାଗା ସାଧୁଙ୍କ ପାଖରୁ ଗୋଟେ ଡେଉଁରିଆ ଆଣି ମୁଁ ପିନ୍ଧିଛି । ସେ କହିଛନ୍ତି ଏ ଡେଉଁରିଆ ପିନ୍ଧିଥିବା ଯାଏ କେହି ମତେ ବଶୀଭୂତ କରିପାରିବେନି । ବୁଝିଲୁ ତ....? "
ଏହାପରେ ସେ ତା'ର ବାମ ହାତରେ ବାନ୍ଧିଥିବା ରୁପାର ଡେଉଁରିଆଟି ମୋତେ ଦେଖାଇଲା । ହସିବି ନା କାନ୍ଦିବି ଜାଣି ପାରୁ ନ ଥିଲି । ସେତେବେଳକୁ ପ୍ରାୟ ଫିକା ପଡି ସାରିଲିଣି ମୁଁ । ଆଉ ତାକୁ କିଛି ନ କହି ମନଦୁଃଖରେ ଘରକୁ ଫେରି ଆସିଲି ।
ଘରେ ପହଞ୍ଚି ନିଜେ ନିଜର ବାମ ଓ ଡାହାଣ ଗାଲକୁ ଜୋରରେ ଦୁଇ ଦୁଇ ଚଟକଣା ପକେଇଲି । ବସି ଭେଁ ଭେଁ କାନ୍ଦିଲି । " ଆପଣଙ୍କ ପ୍ରଶ୍ନ ଆମ ଉତ୍ତର " ବାଲାଙ୍କୁ ବହେ ଶୋଧିଲି ।
ସେଇଦିନରୁ ସହରରେ ବୁଲି ବୁଲି ସେ ଭଣ୍ଡ ନାଗା ସାଧୁକୁ ଖୋଜୁଛି ଯେ ଆଜିଯାଏ ତା'ର ଦେଖା ପାଉନି । ବଡ ଚିନ୍ତାରେ ରହିଛି । ଯଦି କେହି ସହୃଦୟ ବନ୍ଧୁ ତା'ର ଠିକଣା ପାଆନ୍ତି, ମୋତେ ଟିକେ ଜଣାଇବେ ତ ପ୍ଲିଜ୍ !!!