ଛଚିନ୍ଦ୍ରା
ଛଚିନ୍ଦ୍ରା
ବୋଉ ବାଡିପଟ ଚୁଲିରେ କରୁଥାଏ ଚକୁଳି । ଗରମ ଗରମ ଚକୁଳି ସାଙ୍ଗକୁ ବୋଉ ହାତ ରନ୍ଧା ଛଚିନ୍ଦ୍ରା ମିଶ୍ରିତ ତରକାରୀ ଖାଇବାକୁ ଭାରି ସୁଆଦିଆ ।
ବୋଉ ଚୁଲି ପାଖରେ ବସି ଗୋଟିଏ ଗୋଟିଏ ଚକୁଳି ପରସୁ ଥାଏ, ଆମେ ତିନି ଭାଇଯାକ ବସି ଖାଉଥାଉ । ଘଣ୍ଟା ଘଣ୍ଟା ଚୁଲି ପାଖରେ ବସି ଚକୁଳି କରି ପିଲାମାନଙ୍କୁ ଦେବାରେ ବୋଉର ବଡ ଆନନ୍ଦ...
ସବୁବର୍ଷ ବୋଉ କେଉଁଠି ସେ ଛଚିନ୍ଦ୍ରା ମଞ୍ଜି ରଖିଥାଏ କେଜାଣି ? ? ?
ବର୍ଷାଦିନ ପୂର୍ବରୁ ଦୁଇ ଚାରିଟା ମନ୍ଦା କରି ବାଡିପଟ ଲଗାଇଦିଏ ।
ବର୍ଷାଦିନ ଆସିଲା ବେଳକୁ ମୁଁ ସେଥିରେ ରଞ୍ଜା ପୋତି ଦିଏ । ସେଥିରେ କେତେ କଶି ଫୁଲ ଧରେ । ବୋଉ ଡାକି କହେ - ପୁଅରେ ! ଗଛରେ ଟିକେ ଖତ ଦେଇ ଦେଉନୁ ? ? ?
ଖତଟିକିଏ ଯୋଗାଡ କରି ମୂଳରେ ଦେଇଦିଏ । ଗଛଟିରେ ଅପର୍ଯ୍ୟାପ୍ତ ଫଳ ଧରେ । ବୋଉର ହାତକୁ ସେ ଛଚିନ୍ଦ୍ରା ଗଛଟି ଚିହ୍ନିଥାଏ ବୋଧହୁଏ , ଦଶହରା ପର୍ଯ୍ୟନ୍ତ ଛଚିନ୍ଦ୍ରା ଫଳେ, ଖାଇ ଖାଇ ଚିଟାପିଟା ଲାଗେ । ବୋଉ ଛଚିନ୍ଦ୍ରାରେ କାଞ୍ଜି, ରାଇତା, ସନ୍ତୁଳା, ତରକାରୀ, ଦୁଇଫାଳ କରି ପିଠଉ ଭଜା ଏମିତି କେତେ ପ୍ରକାରର ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରେ ।
କର୍ପୂର ଉଡି ଯାଇଛି କନା ଖଣ୍ଡିକ ପଡି ରହିଛି । ବାଡିପଟକୁ ଗଲେ ମନେ ପଡେ - ବୋଉ ଛଚିନ୍ଦ୍ରା ପୋତୁଥିବା ଯାଗାଟି ଖାଲି ପଡିଛି । ସେ ସ୍ଥାନରେ ମୁଁ କେତେ ମଞି ପୋତିଲିଣି କିନ୍ତୁ ମଞି ଗୁଡ଼ିକୁ ପିମ୍ପୁଡି ଖାଇ ଦେଉଛି । ଯେମିତିକି ଲାଗୁଛି ସେ ଯାଗା ଚାହିଁ ରହିଛି.... ବୋଉର ହାତକୁ... ।
