Arabinda Rath

Drama

3  

Arabinda Rath

Drama

ଛଅଫଡିଆ ଓଉ

ଛଅଫଡିଆ ଓଉ

12 mins
616


ସେଦିନ ସକାଳେ ଆନନ୍ଦ ମନରେ ହୟଗ୍ରୀବ ଚେୟାରରେ ବସି ପେପର ପଢାରେ ନିମଗ୍ନ ଥିଲେ। ଅଚାନକ ମୁହଁ ଫଣଫଣ କରି ମାଳତୀ ଘର ଭିତରକୁ ଝଡ ବେଗରେ ମାଡି ଆସିଲେ। ଘଟଣା କଣ ବୋଲି ହୟଗ୍ରୀବ ପ୍ରେମାଳିଆ ସ୍ବରରେ ପଚାରନ୍ତେ ; ମାଳତୀ ଫିଡିକି ଉଠି ଅଦିନିଆ ମେଘ ପରି ବର୍ଷି ଚାଲିଲେ । ବାହାଘର ପରଠାରୁ ତାଙ୍କୁ ହୟଗ୍ରୀବ ଏକ ରାନ୍ଧୁଣିଆ ପରି ଖଟେଇ ଚାଲିଛନ୍ତି ଓ ରୋଷେଇ ସମ୍ବନ୍ଧିତ କାର୍ଯ୍ଯକଳାପ କରି କିପରି ତାଙ୍କ ଛନଛନିଆ ରୂପ ଶୁଖିଲା ଭେଣ୍ଡିଗଛ ପରି ହୋଇଯାଇଛି,ସେ ବିଷୟ କହିବା ସହ ଲୋତକବର୍ଷଣ ଆରମ୍ଭ କଲେ । ମାଳତୀଙ୍କ ଏପରି ମାନସିକ ଅବସ୍ଥାର ସ୍ରଷ୍ଟା କିଏ ସେକଥା ହୟଗ୍ରୀବ ଭାବି ପାରୁ ନଥାନ୍ତି।  

ଦିନର ଆରମ୍ଭ ଟା କେତେ ଭଲରେ ହୋଇଥିଲା। ହୟଗ୍ରୀବଙ୍କ ଅଫିସ ଛୁଟି ବୋଲି ମାଳତୀଙ୍କ ମନ ମଧ୍ଯ ଖୁସି ଥିଲା। ସକାଳୁ ତାଙ୍କ ପାଇଁ ଚାହାକପେ ସାଙ୍ଗକୁ ମୁଢି କଂସେ ଅତି ସରାଗରେ ବାଢିଦେଇ ମାଳତୀ ସାହିଭ୍ରମଣରେ ଯାଇଥିଲେ। ଅନ୍ଯଦିନ ମାନଙ୍କରେ ମାଳତୀ ଅତିକମ୍ ରେ ଦୁଇଘଣ୍ଟା କାଳ ସାହିର ମାଇପି ମାନଙ୍କ ସହ ସୁଖଦୁଃଖ ହେବାରେ ବିତାଇ ଦିଅନ୍ତି। କାହା ସ୍ବାମୀ ମଦପିଇ ସ୍ତ୍ରୀ କୁ ମାରୁଛି, କାହା ଶାଶୁ ବୋହୁ ରୋଷେଇ କଲାବେଳେ ତରକାରିରେ ଲୁଣ ଢାଳି ଦେଉଛି, କାହା ବୋହୁ ଶାଶୁ ଶ୍ବଶୁରଙ୍କୁ ହୀନିମାନ କରୁଛି, କେଉଁ ଟୋକାଟୋକିଙ୍କର ଲୁଚାଣିଆ ପୀରତି ଚାଲିଛି,ସାହିର କାହାଘରେ ନୂଆ ଜିନିଷ କିଣା ହେଲା ଓ ସେ ଟଙ୍କା କେଉଁଠୁ ଯୋଗାଡ କଲେ …...ଏମିତି କେତେ ଯେ କଥାର ନିଶାପ ବସେ ତା'ର ହିସାବ ନାହିଁ। ଅନ୍ଯମାନଙ୍କ ଠାରୁ ମାଳତୀଙ୍କ ବୁଦ୍ଧି ଯେ ଅଧିକ ଏକଥା ସଭିଏଁ ଜାଣନ୍ତି ଓ ସେ ପ୍ରତ୍ଯେକ ସମସ୍ଯାର ସମାଧାନ ଅଚିରେ କରି ପକାନ୍ତି। ଗାଁଆର ମାଇପିମାନେ ତାଙ୍କୁ ଗୋପାଳ ଭାଣ୍ଡଙ୍କ ନାରୀ ଅବତାର ବୋଲି ଉପାଧି ମଧ୍ଯ ଦେଇଛନ୍ତି। ମାଳତୀ ଆଗରୁ କେବେ ଗୋପାଳ ଭାଣ୍ଡଙ୍କ ନାଁଆ ଶୁଣି ନ ଥିଲେ, ତେଣୁ ଭାବୁଥିଲେ ତାଙ୍କୁ ମାଇପି ମାନେ ଥଟ୍ଟା ରହସ୍ଯ କରୁଛନ୍ତି। କିନ୍ତୁ ହୟଗ୍ରୀବଙ୍କ ଠାରୁ ଗୋପାଳଙ୍କ ମାହାତ୍ମ୍ଯ ଶୁଣିବା ପରେ ସେ ଖୁସିରେ ଗଦଗଦ ହୋଇ ଗଦେଇ ହୋଇ ପଡିବା ପରେ କୋଡିଏ ଟଙ୍କାର ଗୁଲୁଗୁଲା ମଧ୍ଯ ବିତରଣ କରିଥିଲେ। 

ଅବଶ୍ଯ ଏ କଥା ଭିନ୍ନ ଯେ ଦୁନିଆଁ ଯାକର କୂଟନୀତିଆ ଓ ପରମ ପେଞ୍ଚୁଆ ଉପାୟ ମାନ ଦେବାରେ ମାଳତୀ ଉସ୍ତାଦ୍ ଥିଲେ। ଉଦାହରଣ ସ୍ବରୂପ ସ୍ବାମୀ ସ୍ତ୍ରୀ କୁ ମାରିଲେ ସେ ଉପାୟ ଦିଅନ୍ତି ଯେ ସ୍ବାମୀ ଶୋଇଥିଲା ବେଳେ ତା ମୁହଁରେ କୁକୁର ବିଷ୍ଟା ବୋଳି ଦେବାକୁ। ଶାଶୁ ବୋହୁର ତରକାରୀ ଖରାପ କରିବାକୁ ଲୁଚାଣିଆ ଲୁଣ ପକେଇଦେଲେ, ସେ ଉପାୟ ଦିଅନ୍ତି - - ଶାଶୁ ପାଇଖାନା ଯିବା ସମୟରେ ତା ବାଲଟି ରେ ବିଛୁଆତି ପତ୍ର ଗୁଣ୍ଡ କରି ମିଶାଇ ଦେବାକୁ, ଯେମିତି ବୁଢି କୁଣ୍ଡେଇ କାଣ୍ଡେଇ ରକ୍ତଝୋଳିଆ ହୋଇଯିବ। ବୋହୁ ଯଦି ଶାଶୁ ଶ୍ବଶୁର ଙ୍କୁ ହୀନିମାନ କରେ ତେବେ ସେ ବୁଢାବୁଢୀଙ୍କୁ ବାଟ ବତାଇ କୁହନ୍ତି ଯେ ପୁଅକୁ ସମ୍ପତ୍ତି ରୁ ବେଦଖଲ କରି ଦେବାର ଧମକ ଥରେ ଦିଅ, ତାପରେ ଦେଖିବ କେମିତି ବଇଁଶୀ ବାଜିବ ଆଉ ରାଧା ଥେଇଥେଇ ନାଚିବ। ମାଳତୀଙ୍କ ନିଶାପ ବିଷୟରେ କହିଲେ ମହାଭାରତ ସରିକି ଗ୍ରନ୍ଥ କେତେଟା ରଚନା ହୋଇଯିବା ଟା ଆଦୌ ଅସମ୍ଭବ ନୁହଁ। ତେବେ ତାଙ୍କ ମୁଣ୍ଡରେ ଆଜି କାହା ଭୂତ ସବାର ହୋଇଗଲା ସେକଥା ବିଚରା ହୟଗ୍ରୀବ ଜାଣି ନ ପାରି କୁନ୍ଥେଇବା ଆରମ୍ଭ କରି ଦେଇଥିଲେ। ଶେଷରେ ମାଳତୀ ରହସ୍ଯ ଉପରୁ ପରଦା କାଢି କହିଲେ

- - - ଆଜି ସେ ପଣ୍ଡାଘର ଝିଅ ନାଣ୍ଡି ମୋତେ ଯାହା ହନ୍ତସନ୍ତ କରିଛି ସେ କଥା ନ କହିବା ଭଲ। ତୁମ ପରି ଗୋଟେ ଲଣ୍ଡାମୁଣ୍ଡିଆ ଭାଲୁ ସହ ବାହା ହେଇଛି ବୋଲି ସିନା ଏତିକି ଶୁଣିବାକୁ ପଡିଲା। ମୁଁ ଏ ଗାଁଆକୁ ବୋହୁ ହୋଇ ଆସିଲା ବେଳକୁ ପଣ୍ଡାଘରେ ଚୁଲି ଜଳୁ ନ ଥିଲା। ପୁରୋହିତି କରି ଭିକ ମାଗି ନିଉଛୁଣିଆଟା ବଞ୍ଚୁଥିଲା। ଅବସ୍ଥା ଏମିତି ଥିଲା ଯେ ଗୋଟେ ଧୋତି କୁ ପଣ୍ଡା ମାଇପ ଶାଢୀ କରି ପିନ୍ଧୁ ଥିଲା ଓ ସେଇ ଧୋତିକୁ ସଫା କରି ପଣ୍ଡା ପୁରୋହିତି କରିବାକୁ ଯାଉଥିଲା। ଆଜି ପାଖରେ ପଇସା ହୋଇଗଲା ବୋଲି ତାଙ୍କ ବହପ ଦେଖ। ନାଣ୍ଡି ସେ ବାରିକ ଟୋକା ସହ ଘରୁ ପଳେଇ ବାହା ହୋଇଗଲା। ଲୋକେ କୁହନ୍ତି ସେ ଟୋକା କୁଆଡେ ରାଜଧାନୀରେ ଚାକିରି କରିଛି। ଟୋକା ର ଚାକିରି ଦେଖି ପଣ୍ଡା ଜାତିଫାତି କଥା ଭୁଲି ଝିଅକୁ ସେ ପିଲା ସହ ଛାତି ଫୁଲେଇ ବାହା କରିଦେଲା। ମରଣ ହେଉନି ସେ ରଇଜଳା ପଣ୍ଡା କୁ। ଆଜି ସେ ଡାହାଣି ନାଣ୍ଡି ରାଜଧାନୀ କଥା କହିକହି ମୋ ରକ୍ତ ଶୋଷି ପକେଇଛି। କହୁଛି କଣ ନାଁ, ରାଜଧାନୀରେ କେତେ ବଡବଡ ମହଲ(ଆମ ଭାଷାରେ ମଲ୍) ଅଛି। ସେ ମହଲ ଭିତରେ ନାନା ଜାତିର ଜିନିଷ ମିଳେ- - ଲୁଗା କପଡା ଠୁ ଆରମ୍ଭ କରି ବ୍ୟୋମଜାନ ଯାଏ। ସେ କୁଆଡେ ଦିନକୁ ଦି ଥର ସେ ମହଲ ବୁଲି ଯାଉଛି। ପୁଣି କହୁଛି ରାଜଧାନୀରେ ପରା ଯାହା କୁ ଯେତେ ତାରକା ହୋଟେଲ ଅଛି, ଖାଦ୍ଯ ଏଡେ ସୁଆଦିଆ ଯେ ଖାଇବା ଲୋକ ଆଙ୍ଗୁଠି ଚୋବେଇ ଖାଇଯିବେ। ଏମିତି ଖାଦ୍ଯ ଯିଏ ଥରେ ନ ଚାଖିଛି ତା ଜୀବନ ମାଟି ବୋଲି ଜାଣ। ନାଣ୍ଡି କୁଆଡେ ହପ୍ତାରେ ପାଞ୍ଚଦିନ ସେ ତାରକା ହୋଟେଲ ରେ ଅନ୍ନ ଭୁଞ୍ଜୁଛି । ନ ଦେଖିଲା ଓଉ ଛଅ ଫଡା ପରି, ଗାଁଆ ମାଇପିମାନେ ତା କଥାକୁ ବିଶ୍ବାସ କରି ଆଖି ତରାଟି ସବୁ ପିଇ ଯାଉଛନ୍ତି। ତା ଫୁଟାଣି କଥାରେ ମୋ ବୋପାର କି ଯାଏ ଆସେ; କିନ୍ତୁ ସେ ଘୁଷୁରିମୁହିଁ ନାଣ୍ଡି ମୋତେ ଛିଗୁଲାଇ କହିଲା

- - - ମାଳତୀ ମାଉସି ତେମେ କେବେ ରାଜଧାନୀ ବୁଲି ଯାଇଛ ନା ଏଇ ଗାଁଆ ରେ ଢାମେଣା ପରି ପଡି ରହିଛ।  ପଇସାପତ୍ର ଯୋଗାଡ କରି ଥରେ ରାଜଧାନୀ ଆଡେ ବୁଲିଯାଅ- - ତାରକା ହୋଟେଲରେ ଚିକେନ ଚେମେଣି (ଚାଓମିନ୍) କୁ ଚନ୍ଦୁରି ଚିକେନ ଭୁଞ୍ଜ। ତେବେ ସିନା ତୁମ କାଟତି ଗାଁଆ ରେ ରହିବ। ନୋହିଲେ ଏ ସିଙ୍ଘାଣିନାକିଆ ମାଇପି ଆଉ ତୁମ ଭିତରେ କି ଫରକ ରହିବ ଯେ ? ସମାନେ ତ ସେଇ ଜୀଅନ୍ତା ବରା କୁ ଛଟପଟିଆ ଘୁଘୁନି ହୋଟେଲ "କାନ୍ଦବୋବାଳି" ରୁ ଖାଉସେନ୍ତି, ଆଉ ତୁମେ ବି ଖାଉଛ। ଏଠି ଗାଁଆରେ ନିଶାପ କରି ବାହାସ୍ଫୋଟ ନ ମାରି ଥରେ ହଗୁରୁ ( ହୟଗ୍ରୀବଙ୍କୁ ସବୁ ହଗୁରୁ ଡାକନ୍ତି) ମଉସା ପକେଟ ଉସୁଆସ କଲେ ସିନା ଗାଁଆ ଲୋକ ତୁମ ବଡପଣିଆ ଜାଣନ୍ତେ।

- - - ଭିକାରି ଘର ଝିଅ କେତେ ବଡ କଥା ମୋ ମୁହଁରେ ନାଛି ଦେଲା। ସେ ଏମିତି କହିବାର କାରଣ ହେଲା ତୁମର ଛିଣ୍ଡାଳିଆ ପ୍ରକୃତ୍ତି। ଗାଁଆର ସବୁ ଲୋକ ତୁମ କୃପଣିଆ ପ୍ରକୃତ୍ତି ବିଷୟରେ ଭଲରେ ଜାଣିଛନ୍ତି। ଏତେ ବର୍ଷ ଭିତରେ ଥରେ ମୋତେ ରାଜଧାନୀ ନେବା କଥା ଚିନ୍ତା କରିଛ ? ହୋଟେଲ ଖାଇବା ଛାଡ, ବଜାର ରୁ ବରା ଆଳୁଚପ ଦି ଟା ଆଣିଲେ ପରା ତୁମ ପଇସା ସରି ଯାଉଛି।.......

ମାଳତୀ ରେଳଗାଡି ପରି ଖାଲି ଛୁଟି ଚାଲିଥିଲେ ଓ ତାଙ୍କ ମୁହଁରୁ କର୍କଶିଆ ଗାଳି ସବୁ କ୍ଷେପଣାସ୍ତ୍ର ପରି ଛିଟକି ପଡୁଥିଲେ। ହୟଗ୍ରୀବ ଚୁପଚାପ ଲଣ୍ଡାମୁଣ୍ଡରେ ପାଣି କେଇବୁନ୍ଦା ଛିଞ୍ଚି କାକସ୍ନାନ ସାରି ଜାମାପ୍ଯାଣ୍ଟ ପିନ୍ଧି ରାଜଧାନୀ ଯିବାକୁ ମାଳତୀଙ୍କୁ ନିମନ୍ତ୍ରଣ ଦେଲେ। ହଠାତ୍ ଲହୁବର୍ଷା ବନ୍ଦ ହୋଇଗଲା ଓ ମାଳତୀଙ୍କ ମୁହଁରେ ହସର ସୂର୍ଯ୍ଯ ଉକୁଟି ଉଠିଲା। ସେ କାଳବିଳମ୍ବ ନ କରି ଚକମକିଆ ଶାଢି ପିନ୍ଧି ହୟଗ୍ରୀବଙ୍କ ଲୁନା ଗାଡି ପଛରେ ବସି ରାଜଧାନୀ ଭ୍ରମଣରେ ବାହାରିଲେ। ସେତିକି ବେଳକୁ ତାଙ୍କ ମହା ବିଛୁଆତିଆ ଛୁଆ ଦୁଇଟା ଗାଡି ଉପରକୁ ଲମ୍ଫ ପ୍ରଦାନ କରି କହିଲେ

- - ବୁଢାବୁଢୀ ଆମକୁ ଛାଡି କୁଆଡେ ଯାଉଛ। ଆମେ ବି ଯିବୁ, ଆଜି ଇସ୍କୁଲ ଛୁଟି ଅଛି।

ବିଚରା ହୟଗ୍ରୀବ ପିଲାଙ୍କୁ ଭୁଲେଇ କହିଲେ- - ଆରେ ମୁଁ ତୁମ ମାଆକୁ ଡାକ୍ତର ପାଖକୁ ନେଉଛି। ତା ପେଟ ଖରାପ ଅଛି ତ। ପିଲାମାନେ ତ ଆହୁରି ସଇତାନ୍ ; ଦୁଇଜଣ ସମବେତ ସ୍ବରରେ କହିଲେ- - ସେ ମିଛ କଥା ଛାଡ, ଆଜି ସକାଳେ ମାଆ କାନ୍ଦବୋବାଳି ହୋଟେଲରୁ କୋଡିଏ ଟା ବରା କୁ କଂସେ ଘୁଘୁନି ଆମ ହାତରେ ମଗେଇ ତେଣ୍ଡିଛି। ଆମେ ମାଗିଲାରୁ ଛାଞ୍ଚୁଣି ଉଠେଇ ତଡି ଆଣିଲା ପରା.....

ଆଶ୍ଚର୍ଯ୍ଯରେ ହୟଗ୍ରୀବ ମାଳତୀଙ୍କ ମୁହଁକୁ ଦେଖନ୍ତେ , ସେ ଦାନ୍ତ ନେଫେଡି କିଛି ନ ଶୁଣିଲା ପରି କହିଲେ- - ପିଲାମାନେ ଆମ ସାଙ୍ଗରେ ଗଲେ କିଛି ଅସୁବିଧା ନାହିଁ। ଗାଁଆରେ ଫେରି ସେଇମାନେ ତ ସମସ୍ତଙ୍କୁ କହିବେ ଯେ ଆମେ ରାଜଧାନୀ ବୁଲି ଯାଇଥିଲୁ । କାଇଁ ଲୁନା ଭାଙ୍ଗି ଯିବ ନା କଣ? ମୋ ବାହାଘର ବେଳେ ପରା ଏ ଲୁନା ମୋ ବାପା ଯୌତୁକ ଦେଇଥିଲେ। ଖାଣ୍ଟି ଲୁହାରେ ତିଆରି ବୋଲି ତୁମ କାନେ କାନେ କହିଥିଲେ। ଏ ଲୁନା ଦିହରେ ଟ୍ରକ ବାଡେଇ ହେଲେ ସେ ସିନା ଚେପା ହେଇଯିବ, କିନ୍ତୁ ଆମ ଲୁନା ଫୁଡୁଫୁଡୁ କରି ଆରାମ ରେ ଧୂଆଁ ଉଡେଇ ରାସ୍ତାରେ ରାଜା ପରି ଚାଲୁଥିବ। 

ମାଆଛୁଆଙ୍କ ମିଳିତ ଆକ୍ରମଣର ପ୍ରତିରୋଧ କରି ନ ପାରି ବିଚରା ସମସ୍ତଙ୍କୁ ଲୁନାରେ ବୋଝେଇ ରାଜଧାନୀ ଚାଲିଲେ। ବାଟସାରା ମାଳତୀ ଓ ପିଲାମାନେ ଏମିତି କିଳିକିଳା ରାବ ଦେଇ ଖୁସି ହେଉଥାନ୍ତି ଯେ ବାଟରେ ଯିବା ଲୋକ ଦଣ୍ଡେ ଛିଡା ହୋଇ ପଡୁଥାନ୍ତି। ଲୁନା ଟି କୁନ୍ଥେଇ କାନ୍ଥେଇ ରାଜଧାନୀ ଭିତରେ ପଶିଲା ବେଳକୁ ଜଣେ ଟ୍ରାଫିକ ପୋଲିସ୍ ବାଡି ଧରି ସେମାନଙ୍କ ଉପରକୁ ଝପଟି ଆସିଲା। କିଛି କହିବା ପୂର୍ବରୁ ଲୁନାରୁ ଚାବି ଟା ଘିଞ୍ଚି ନେଇ ପାଞ୍ଚଶହ ଟଙ୍କା ଫାଇନ୍ ହାଙ୍କି ଦେଲା। ମାଳତୀ ବହୁତ ନେହୁରା ହେବା ପରେ ପଚାଶଟଙ୍କା ହାତଗୁଞ୍ଜା ନେଇ ସେମାନଙ୍କୁ ଛାଡିଲା। 

ମାତ୍ର ହୟଗ୍ରୀବଙ୍କୁ କହିଲା- - ଭାଇ ତୁମେ ଯଦି ଏ ଲୁନା ଗାଡିରେ ବଉଂଶ କୁଟୁମ୍ବ ଧରି ବୁଲିବ ତା ଜୀବନ ରହିବ ଟି ? ଦଶବାର ବର୍ଷିଆ ପିଲା ଦୁଇଟା କୁ ଆଗରେ ବସେଇ ଭାଉଜକୁ ପଛରେ ବସେଇ ନେଲା ବେଳକୁ ଲାଜ ଲାଗୁନି? ଯଦି ସମସ୍ତଙ୍କୁ ଧରି ବୁଲିବାର ଏତେ ସଉକ ନାନୋ କାର୍ ଖଣ୍ଡେ କିଣ। ମାଳତୀଙ୍କ କାନରେ କେବଳ ଦୁଇଟି ଶବ୍ଦ ଭଲରେ ବାଜିଲା। ଗୋଟେ ହେଲା ଭାଉଜ ଓ ଅନ୍ଯଟି କାର୍। ସେ ଭଦ୍ରଲୋକି ଦେଖେଇ କହିଲେ - - ଠିକ୍ କଥା କହିଲ ହୋ ମୋ ପୋଲିସି ଦିଅର ବାବୁ। ତୁମେ ହେଲେ ତାଙ୍କୁ ଟିକେ ବୁଝେଇଦିଅ। ଏ ଲୋକଟାକୁ ମୁଁ ତ ପାରିଲିନି, ଯେତେ ଯାହା କହିଲେ ବି ଲୋକଟା ଦାରୁଭୁତ ମୁରାରୀ ପରି ଖାଲି ଆଖି ମିଟିମିଟି କରୁଥିବ, ସବୁ ଶୁଣିବ କିଛି କରିବନି। ଏତେ ବର୍ଷ ହେଲା କହିକହି ଆଜି ଆମକୁ ରାଜଧାନୀ ବୁଲେଇ ଆଣିଛନ୍ତି। ଗୋଟେ ତାରକା ହେଟେଲରେ ଚିକେନ ଚେମେଣି ଟିକେ ଖାଇ ମହଲ ବୁଲି ଘରକୁ ଯିବୁ। ମାଳତୀଙ୍କ ଉଚ୍ଚାରଣ ଶୁଣି ଟ୍ରାଫିକ୍ ପୋଲିସ ମୁଣ୍ଡରୁ ଟୋପି କାଢି କାଖରେ ଜାକି କଣ ସବୁ ଭାବିବାରେ ଲାଗିଲା। ଚିକେନ ଚେମେଣି ଓ ମହଲ ସେ ବୋପା ଅଜା ଚଉଦ ପୁରୁଷରେ ଶୁଣି ନ ଥିଲା। ତେଣୁ ବିଶେଷ ପାଟିତୁଣ୍ଡ ନ କରି ହୟଗ୍ରୀବଙ୍କ ପରିବାରକୁ ସାଷ୍ଟାମ ପ୍ରଣାମ ଠୁଙ୍କି ହୁଇସିଲ୍ ମାରିବାରେ ଲାଗିଲା। 

କିଛି ପାନଦୋକାନରେ ପଚରା ଉଚୁରା କରିବା ପରେ ମଧ୍ଯ ତାରକା ହୋଟେଲର ଠିକଣା ମିଳିଲାନି। ତେଣେ ପିଲା ଗୁଡା ଭୋକରେ ଆଉଟୁ ପାଉଟୁ ହୋଇଗଲେଣି। ବଡ ପିଲା ଟା ଲୁନା ରଡ୍ ରେ ବସିବସି କୁନ୍ଥେଇବା ଆରମ୍ଭ କଲାଣି। ଲୁହାରଡ୍ ଟା ଉପରେ ପିଚା ଛେଚା ଖାଇ କେତେ ସମୟ ବା ବସିପାରିବ ! ଶେଷରେ ଜଣେ ଦୋକାନୀ କହିଲା-- ଆଜ୍ଞା, କେଉଁ ତାରକା ହୋଟେଲକୁ ଯିବେ କୁହନ୍ତୁ। ଏକ୍ ସେ ବଢ୍ କର ଏକ ହୋଟେଲ ର ନାଁଆ ମୁଁ ଜାଣିଛି। ଆପଣଙ୍କ ପରିବାର ଓ ଗାଡିକୁ ଦେଖିଲେ ଲାଗୁଛି ଅନ୍ଯ ସହରରେ ନିହାତି ଆପଣମାନେ କେବଳ ତାରକା ହୋଟେଲରେ ହିଁ ଖାଉଥିବେ। ଦୋକାନୀର କଥା ଶୁଣି ମାଳତୀ ଲାଜେଇଗଲେ। 

ଯତ୍ନରେ ଲୁନାକୁ ଆଉଁସି କହିଲେ- - ଭାଇ ଠିକ୍ କହିଲ, ଏ ଗାଡି ଟି ମୋ ବାପା ଏ ଲୋକକୁ ଯୌତୁକ ରେ ଦେଇଥିଲେ। ଆମେ ମାନେ ତ ପାଣି ବି ସେଇ ତାରକା ହୋଟେଲ ରେ ପିଉ। ଦେଖୁନ ପିଲା ଗୁଡା କେମିତି ଭୋକରେ ରାମ୍ପୁଡି ବିଦାରି ହେଲେଣି। ତୁମ ପାଖରେ ଯଦି ଆମ୍ପ୍ରୋ ବିସ୍କୁଟ୍ ଅଛି ଦୁଇ ପ୍ଯାକେଟ୍ ଦିଅ। ତେଣିକି ହୋଟେଲ ଗଲେ ମିନେରାଲ ପାଣି ପିଇ ଚିକେନ ଚେମେଣି କୁ ଚନ୍ଦୁର ଚିକେନ ଖାଇବୁ।


ଦୋକାନୀ ଟା ମନେମନେ ବହେ ହସିଲା। କିନ୍ତୁ କାଳେ ଗ୍ରାହକ ମାନେ ଖରାପ ଭାବିବେ ବୋଲି ପାଟି ଚାପିଚାପି କହିଲା- - ନାକ ସିଧାରେ ଗଲେ ରାଜଉଆସ ପରି ତାରକା ହୋଟେଲରେ ପହଞ୍ଚିଯିବେ। ସେ ହୋଟେଲରେ ତାରା ମାନେ ଖଞ୍ଜି ହୋଇ ଅଛନ୍ତି। ସେଇ ତାରକା ହୋଟେଲରେ ଖାଇ କେତେ ଯେ ଲୋକ ଦିନରେ ତାରା ଦେଖିଛନ୍ତି ତା' ହିସାବ ନାହିଁ। ଆପଣଙ୍କ ପରି ବଡବଡିଆ ଲୋକଙ୍କ ପାଇଁ ସେ ହୋଟେଲ ପାଟି ମେଲା କରି ଚାହିଁଛି।

କିଛି ସମୟ ଭିତରେ ଫୁଡୁଫୁଡୁ କରି ହୟଗ୍ରୀବ ଲୁନା କୁ ହୋଟେଲ ପୋର୍ଟିକୋ ତଳେ ଛିଡା କରାଇଲେ। ପିଲା ଦୁଇ ଟା ଡିଆଁ ମାରି ତଳକୁ ଆସିଲେ ଓ ମାଳତୀ ଶାଢୀ ସଜେଇ ବାରେ ଲାଗିଲେ। ସେତିକି ବେଳକୁ ମୋଟା ନିଶ ବାଲା ଏକ ଲୋକ ଘାଉଁଘାଉଁ ଶବ୍ଦ କରି ମାଡି ଆସିଲା। ତାଙ୍କୁ ଦେଖି ହୟଗ୍ରୀବଙ୍କ ପିଳେହି ପାଣି ହୋଇଗଲା। ଲୋକଟା ଧମକେଇ କହିଲା-- ଆବେ ଶାଲା ୟାହାଁ ପେ ଭିକ୍ ନେହିଁ ମିଲେଗା। ବେସରମ୍- - - ଫେମିଲି ଲେକେ ଭିକ୍ ମାଙ୍ଗନେ କେ ଲିୟେ ଲୁନା ଚଢ କେ ଆୟେ ହୋ? 


ଖଣ୍ଡି ହିନ୍ଦି ଜାଣିଥିବା ହୟଗ୍ରୀବ ଦମ୍ଭିଲା ସ୍ବରରେ କହିଲେ

- - ହମ୍ ୟାହାଁ ଖାନେ କେ ଲିୟେ ଆୟା ହୁଁ। ଶଳା ହାମ୍ କୋ ଭିକାରି ଭାବତା ହେ, ଭୁଲ ମାଗ୍ ପେହେଲେ, ନେହିଁ ତୋ ତେରା ମୋଟା ନିଶ ଟାଣ୍ କେ ଉପାଡ୍ ଦେଗା। ଏମିତି ଠୁକେଗା କି ତେରା ବୋପା କୋ ମଉସା ଡାକେଗା।

ମୋଟା ନିଶୁଆ ଟା ଚୁପ୍ ହୋଇଗଲା ଓ ହୟଗ୍ରୀବ ବିଜୟଦର୍ପରେ ବଡ ପାହୁଣ୍ଡ ପକାଇ ମାଡି ଚାଲିଲେ। ତାରକା ହୋଟେଲର ରୂପ ଦେଖି ସମସ୍ତଙ୍କ ଆଖି ଖୋସି ହୋଇ ଯାଉଥାଏ। ପ୍ରକୃତରେ ରାଜମହଲ ଠାରୁ କୌଣସି ଗୁଣରେ କମ୍ ନୁହଁ। କେତେଜାତିର ଗଛ, ଫୁଲ, ଝରଣା ଆଦି ହୋଟେଲର ରୂପ କୁ ହଜାର ଗୁଣ ବଢାଇ ଦେଉଥିଲା। ଓ କାଚ ପରି ଚକମକିଆ ଚଟାଣରେ ଚପଲ ଖସି ଯାଉଥିଲା। ଦିନ ଦିହିପହରେ ଯେତିକି ଲାଇଟ୍ ଲାଗିଥିଲା, ସୂର୍ଯ୍ଯ ଦେଖିଲେ ବି ଲାଜେଇ ଯାଇଥାଆନ୍ତା। ଏକ ପ୍ରକାଣ୍ଡ କାଚ କବାଟ ପାଖରେ ଆଉ ଏକ ନିଶୁଆ ହୟଗ୍ରୀବଙ୍କୁ ଦେଖି ସାଲ୍ଯୁଟ୍ ମାରିଲା। ସେ ମଧ୍ଯ ପ୍ରତିସାଲ୍ଯୁଟ୍ ମାରି ନିଶୁଆ କୁ ଅଭିବାଦନ ଜଣାଇଲେ। ମାଳତୀ ଓ ପିଲାମାନେ ମଧ୍ଯ ସାଲ୍ଯୁଟ୍ ମାରିବାରେ ଲାଗିଲେ। ନିଶୁଆ କୁ ଏସବୁ ବଡ ବିଚିତ୍ର ଲାଗିଲା। ସେ ଆଉଥରେ ସାଲ୍ଯୁଟ୍ ମାରିଲା ଓ ହୟଗ୍ରୀବଙ୍କ ସମଗ୍ର ପରିବାର ଅତି ଆନନ୍ଦରେ ତାକୁ ଜବରଦସ୍ତ ସାଲ୍ଯୁଟ୍ ଠୁଙ୍କି ଚାଲିଲେ। ଲୋକଟା ଅପ୍ରସ୍ତୁତ ହୋଇ କବାଟ ଖୋଲି ସେମାନଙ୍କୁ ଭିତରକୁ ଆସିବାକୁ ନିମନ୍ତ୍ରଣ ଦେଲା। ଭିତରକୁ ପଶିବା ସମୟରେ ପୁଣିଥରେ ସମସ୍ତେ କଡାମାର୍କା ସାଲ୍ଯୁଟ୍ ମାରି ଭିତରେ ପଶିଲେ। 

ହୋଟେଲ ଭିତରଟି ହିମାଳୟ ପର୍ବତ ଉପରେ ଥିବା ପରି ଲାଗୁଥିଲା। ଏତେ ଥଣ୍ଡା ଯେ ମାଢି କୁ ମାଢି ବାଡେଇ ହୋଇ ବାଜା ବଜେଇବା ଆରମ୍ଭ କରିଦେଇଥିଲେ, ସତେ କି ଦାନ୍ତ ଖସି ପଡିବ। ମିଞ୍ଜିମିଞ୍ଜି ଜଳୁଥିବା ରଙ୍ଗବେରଙ୍ଗ ଆଲୁଅ ରେ ମୁହଁ ଦେଖିବା ମୁସ୍କିଲ ଥିଲା। ସ୍ତ୍ରୀ ଓ ପିଲା ମାନେ କାଳେ ହଜିଗଲେ ଭାବି ହୟଗ୍ରୀବ ରଡି ଛାଡି ଡାକିଲେ- - ହଇଲୋ ହଗୁରା ବୋଉ,କୁଆଡେ ଗଲୁ। ମୋ ପଛେପଛେ ଆସୁ ଥା ନ ହେଲେ ଏକା ହଜି ଯିବୁ। ନିତମ୍ବରେ ଏକ ଶକ୍ତ ଚିମୁଟା ଅନୁଭବ ହେବା ପରେ ହୟଗ୍ରୀବ ପତ୍ନୀଙ୍କ ଅବସ୍ଥିତି ବିଷୟ ରେ ନିଶ୍ଚିତ ହୋଇ ତୁନି ପଡିଲେ। ମାତ୍ର ସେତେବେଳକୁ ସେହି ସ୍ଥାନରେ ବିରାଜମାନ କରୁଥିବା ଅଖଣ୍ଡ ନୀରବତା ହୟଗ୍ରୀବଙ୍କ ଚିତ୍କାରରେ ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିଲା ଓ କିଛି ସମୟ ମଧ୍ଯରେ ବସିଥିବା ଲୋକେ ମହୁମାଛି ପରି ଗୁଁ ଗୁଁ ହେବା ଆରମ୍ଭ କରି ହୟଗ୍ରୀବଙ୍କ ପରିବାରକୁ ଦେଖିବାକୁ ଲାଗିଲେ। ସତେ କି ସେମାନେ ମଙ୍ଗଳଗ୍ରହରୁ ଆସିଛନ୍ତି ଓ ସେ ଜାଗାରେ ସେମାନଙ୍କର ଉପସ୍ଥିତି ଏକ ନହାତି ଅପ୍ରାସଙ୍ଗିକ ଘଟଣା।


ମାଳତୀ ସେଠାରେ ବସିଥିବା ଲୋକ ମାନଙ୍କ ପ୍ଲେଟ୍ କୁ ଛଞ୍ଚାଣ ପରି ଦେଖିବାରେ ଲାଗିଥିଲେ। ସେ ଖାଇବାକୁ ଆସିଥିବା ନିଆରା ଜିନିଷ କୁ ଅନ୍ଯ କେହି ଖାଉଛନ୍ତି କି ନାହିଁ ଜାଣିବାକୁ ତାଙ୍କର ମନରେ ପ୍ରବଳ ଉତ୍କଣ୍ଠାଥିଲା। କିନ୍ତୁ ସେ ମିଞ୍ଜିମିଞ୍ଜି ଆଲୁଅରେ କଣ ଟା ବା ଦିଶିବ! !!  

ଖୋଜାଖୋଜି କରି ଚାରି ପ୍ରାଣୀ ବସିବା ପାଇଁ ଯାଗା ପାଇଲେ। ସେ ଟେବୁଲ ଉପରେ ଜାତି ଜାତିକା ଛୁରୀ , କଣ୍ଟାଳିଆ ଚାମଚ ଓ କୁନିକୁନି ଶିଶି ରେ ଲୁଣ, ଲଙ୍କାଗୁଣ୍ଡ, ନାଲିଆ, ନେଳିଆ ପାଣି ଆଦି ସଜେଇ ରଖା ଯାଇଥିଲା। ଧୋବ ଫରଫର ଗାମୁଛା କେତେ ଟା ଟେବୁଲରେ ଭଙ୍ଗା ହୋଇ ପଡିଥିଲେ। ଚୌକିରେ ପଡଥିବା ଗଦି ଗୁଡିକ ଡଉଲ ଡାଉଲ ଭାଲୁଛୁଆର ପେଟ ପରି ଲାଗୁଥିଲେ । ଏତେ ସୁନ୍ଦର ବ୍ଯବସ୍ଥା ଦେଖି ହୟଗ୍ରୀବଙ୍କ ମନ ରେ ଲଡୁ ଫୁଟୁଥିଲା ।


ମାଙ୍କଡାମୀ କରୁଥିବା ପିଲା ଦୁଇଟାକୁ ଆକଟ କରି ସେ ଚାରି ଆଡକୁ ଦେଖିଲେ, ଖାଇବା ବରାଦ ନେବାକୁ କେହି ଆସୁଛି କି ନାହିଁ ଜାଣିବାକୁ। କିଛି ସମୟ ବିତିଗଲା ପରେ ସେ ବଡପାଟି ରେ ଡାକିଲେ- - ଆରେ କିଏ ଅଛ, ଇଆଡେ ଟିକେ ଆସ, ପାଣି ଗିଲାସେ ଦିଅ। ଖାଇବାକୁ ଦିଅ। ତାଙ୍କ ପାଟି ରୁ କଥା ଛିଣ୍ଡିଛି କି ନାହିଁ ଜଣେ ଅନିଦ୍ଯ ସୁନ୍ଦରୀ ଝିଅ ଗୋଇଠିଟେକା ଚପଲ ପିନ୍ଧି ଠାକୁରୁ ଠାକୁରୁ ଶବ୍ଦ କରି ମାଡି ଆସିଲା। ଆସୁଆସୁ କହିଲା- - ସରି ସାର୍। ପ୍ଲିଜ୍ ଡୋଣ୍ଟ ମାଇଣ୍ଡ..... ହ୍ବାଟ୍ କ୍ଯାନ୍ ଆଇ ଡୁ ?

ସେତିକି ବେଳକୁ ତାଙ୍କର ବାଳୁଙ୍ଗା ପିଲା ଦୁଇଟା ଝିଅକୁ ଦେଖି ଖିଲିଖିଲି ହସି କହିଲେ- - ଓଃ କଣ ହେଇଛ ମ! !! ପୁରା ଯାତ୍ରା ହିରୋଇଣି ପରି ଦୁଶୁଛ। କି ଆଖି, କି ଚୁଟି - - ତୁମେ କୋଉ ଚାଉଳ ର ଭାତ ଖାଉଛ ମ!!!!! ଝିଅଟା ରାଗିଯିବା ଦେଖି ହୟଗ୍ରୀବ ତରତରରେ କହିଲେ

ଝିଅ ଟା ଆଉ କଣ କହି ଆଣୁଥିଲା। ମାତ୍ର ହୟଗ୍ରୀବ ପାଟିକରି କହିଲେ- - ଆଲୋ ମାଆ ସେ ଇଙ୍ଗି ମିଙ୍ଗି ଡିଙ୍ଗି କଥା ଛାଡି ଓଡିଆରେ କହ। ତୋ ମୁହଁ କୁ ଲାଜ ନାହିଁ ଯେ ବୋପା ମାଆ ମୁହଁରେ କଳା ବୋଳି ଏ ହୋଟେଲ ରେ ବଢାବଢି କାମ କରୁଛୁ !! ତୋ ବେଶଭୂଷା ରୁ କିଏ କହିବ ଯେ ତୁ ଗରିବ ଘର ଝିଅ ବୋଲି। ହଉ ଛାଡ୍ ସେ କଥା- - ଦୌଡିଯାଇ ମୋ ପାଇଁ ଆଇଁଷ ମିଲ୍ ଟେ ଆଣେ। ମାଡାମ୍ ଆଉ ପିଲାଙ୍କ ପାଇଁ ଚେମେଣି ଚିକେନ , ଚିକେନ ଚନ୍ଦୁରୀ ସହିତ ଆଉ ଯାହା ଯାହା ତାରକା ହୋଟେଲିଆ ଖାଦ୍ଯ ଅଛି ଆଣେ । ହଁ ଶୁଣ୍, କଟା ପିଆଜ କୁ ଲୁଣ,ଲଙ୍କା,ଲେମ୍ବୁ ଆଣିବୁ। ଆଲୋ ହୁଣ୍ଡୀ କିଛି ବୁଝୁଛୁ ନା ଖାଲି କୁକୁଡାଅଣ୍ଡା ପରି ତୋ ଆଖି କୁ ମିଟିମିଟି କରୁଛୁ।। ସେ କାନ୍ଦବୋବାଳି ହୋଟେଲ ପରି ପାଣିଆ ଡାଲି ଯମା ବି ଦେବୁନି କହି ଦେଉଛି। ଆଉ ପିଆଜ ନ ଦେଇ ଯଦି ମୂଳା କଟା ଦେବୁ ତେବେ ତୋ ଚାହା ପିଆ ପଇସା ଟା ଗଲା ବୋଲି ଜାଣ୍। 

ହୟଗ୍ରୀବଙ୍କ କଥାରେ କି ଜାଦୁ ଥିଲା କେ ଜାଣି ଝିଅଟା କିଛି ସମୟ ମୁଣ୍ଡ କୁଣ୍ଡାକୁଣ୍ଡି କରିବା ପରେ ଫେରେକେଟା ମାରି କଚି ହୋଇ ଗଳି ପଡିଲା। ସାଙ୍ଗସାଙ୍ଗେ ଜଣେ ଟୋକାଳିଆ ପିଲା ଦୌଡି ଆସି ଝିଅ ଟିକୁ ଟେକି ନେଇଗଲା ଓ ହାତରେ ଏକ ମୋଟିଳିଆ ଚକମକିଆ ଖାତା ଧରି ଫେରିଲା। ରୁକ୍ଷ ସ୍ବରରେ ପଚାରିଲା- - ଆପଣ ଏମିତି କଣ କହିଦେଲେ ଯେ ଝିଅ ଟା ଝିଭ କାମୁଡି ଚେତା ବୁଡିଗଲା।


ମାଳତୀ ଦାନ୍ତ ନେଫେଡି କହିଲେ, ସେ କଥା ଡାକ୍ତର କହିବେ ନା ଆମେ କହିବୁ। ତୁ ନିଜେ କହୁନୁ, କାହିଁକି ସେ ଚେତା ବୁଡିଗଲା। ତୁ ଏଡେ ନାଗର ନାଇଁ !!! ମନେମନେ ତ ଅଜାଣୁ ଭାତ ଖାଉଛୁ ? ତୁ ଯେମିତି ପଚାରିଲୁ, ସେମିତି ତିହାଡି ଘର ପୁଅ ବରାଳ ଘର ଝିଅ ଚେତାବୁଡିଲା ବେଳେ ପଚାରିଥିଲା। ନିଶାପ ସମୟରେ ମୁଁ ପରା ତା ତଣ୍ଟି ଭିତରୁ ସତ କଥା ଟାଣି ଆଣିଲି। ଏବେ ସେ ଟୋକା ପାଞ୍ଚ ଟା ଛୁଆର ବାପା ହୋଇ ସାରିଲାଣି।

ସରଳ ପ୍ରଶ୍ନର ଏମିତି ଭୟଙ୍କର ଉତ୍ତର ଶୁଣି ଟୋକାଟି ଆଖି ମିଟିମିଟି କରି ଦେଖିଲା। କହିଲା ଆଜ୍ଞା ମାନେ, ମୋତେ କ୍ଷମା କରିଦିଅନ୍ତୁ,ମୋର ଭୁଲ ହୋଇଗଲା। ମେନୁ ଦେଖି ଶୀଘ୍ର ଅର୍ଡର ଦିଅନ୍ତୁ,ଆଜି ବହୁତ ଲୋକ ହୋଟେଲରେ। ମାଳତୀ ଝପଟି ପଡି କହିଲେ ଆରେ ହେଃ ଟୋକା- - - ମିନୁ ଚିନୁ ମହାନ୍ତି ଘରେ ଅଛନ୍ତି। ଆମର କି ଗରଜ ପଡିଛି ଯେ ଆମେ ଖାଇବା ଅର୍ଡର ଦେବା ପାଇଁ ମହାନ୍ତି ଘର ଝିଅଙ୍କୁ ଦେଖିବୁ? ଦୌଡି ଯାଆ ରୋଷଘରକୁ, ଚିକେନ ଚେମେଣି ଦୁଇ ପ୍ଲେଟ୍ ଆଉ ଚନ୍ଦୁରି ଚିକେନ ତିନି ପ୍ଲେଟ୍ ଆଣିବୁ। ସାର ଙ୍କ ପାଇଁ ଅରୁଆଭାତ, ମାଉଁସ ଝୋଳ, ଆଳୁ ଚଟଣି, ବଡିଚୁରା ଆଣିବୁ, ଜଲଦି ଯାଆ। ସେ ଟୋକା ବି ଚେତା ବୁଡିବ ବୁଡିବ ହେଉଥିଲା, କୌଣସି ମତେ ରହିଗଲା। ହୟଗ୍ରୀବଙ୍କ ଚିତ୍କାର ରେ ଅଚାନକ୍ ହୋଟେଲ ଟା କମ୍ପମାନ ହେଲା। 

ସେ ପାଟି କରି କହୁଥା'ନ୍ତି- କିରେ ଏଟା ହୋଟେଲ ନା ଡକାୟତ ଖାନା। ଭାତ ପ୍ଲେଟ୍ କୁ ପାଞ୍ଚଶହ ଟଙ୍କା? ଡାଲି ଆଠଶହ? ଆଉ ଯାହା ବି ଲେଖା ଯାଇଛି ସବୁ ହଜାର ଦୁଇ ହଜାର। କଣ ସୁନା ଚାଉଳରେ ଭାତ କରୁଛ କିରେ? ୟାପ ବଡ ସଇତାନ୍ ପାଜି ଲୋକ ତ? ଆମ ଗାଁଆ କାନ୍ଦବୋବାଳି ହୋଟେଲ ରେ ଟଙ୍କା ପାଞ୍ଚଶହରେ ଭୋଜି ଟେ ହୋଇଯିବ। ଇଏ ପାଞ୍ଚଶହ ଟଙ୍କାର ଭାତ ପ୍ଲେଟ୍ ଟେ ବିକୁଛି। ୟାପ ଆଜି ବେପାର ବେପାର କରୁଛ ନା ଆଗରୁ କରିଥିଲ?

ଟୋକାଟା ଦାନ୍ତ ନିକୁଟି କହିଲା- - ହାଃ ମଉସା, ରେଟ୍ ଦେଖି ଆକି ଡୋଳା ଘୁରି ଗଲା ନା କଣ?ତାରକା ହୋଟେଲ ରେ ପଶିବ ମାନେ ସେମିତି ତାରକା ମାର୍କା ଟଙ୍କା ଝଡେଇବାକୁ ପଡିବ। ନହେଲେ ତୁମ ଗାଁଆ ହୋଟେଲରେ ଭାତ ମାଛ ମିଲ୍ ଖାଇ ଘରକୁ ଯିବ। ତୁମ ବେଶପୋଷାକ ରୁ ଜଣା ପଡୁଛି ତୁମେ କେମିତି ହୋଟେଲ ରେ ଖାଇବା ଲୋକ। କିଛି ଖାଇବ ନା ପାଣି ଦୁଇ ବୋତଲ ଦେବି, ପିଇ ଘରକୁ ଯିବ। ପାଣି ବୋତଲ ଦୁଇ ଟା ମାତ୍ର ତିନି ଶହ ପଚାଶ ଟଙ୍କା ପଡିବ।

ପିଲା ଦୁଇଟା ସେତେବେଳକୁ ଭୋକରେ ଟେବୁଲ ଉପରେ ଥିବା ଲୁଣ,ଲଙ୍କାଗୁଣ୍ଡ ଓ ନାଲି ନେଳି ବିଲାତିରସକୁ ଚାଟି ସାରିଲେଣି। ଟଣା ଓଟରା ହେଲା ବେଳକୁ ଟେବୁଲ ର କାଚ ଟା ଦୁମଦାମ କରି ତଳେ ପଡି ଚୁରମାର ହୋଇ ଚାରି ଆଡକୁ ଛିଟିକି ପଡିଲା। କିଛି କାଚ ଟୁକୁରା ଲୋକଙ୍କ ଖାଇବା ଉପରେ ପଡିଲା। ସମ୍ପୂର୍ଣ୍ଣ ନୀରବ ଥିବା ହୋଟେଲ ର ଆବହାଓ୍ବା କୋଳାହଳରେ କମ୍ପି ଉଠିଲା। କିଛି ଲୋକ କାଚ ଚୋବାଇ ପାଟିରୁ ରକ୍ତଧାର ବୁହାଇଦେଲେ। ଖୁବ୍ କମ ସମୟ ଭତରେ ହୋଟେଲ ଭିତରେ ଚିତ୍କାର ଶୁଭିବା ଆରମ୍ଭ ହୋଇଗଲା ଓ ଲୋକେ ଦୌଡାଦୌଡି ଆରମ୍ଭ କରିଦେଲେ।


 ଏ ଅବସ୍ଥା ଦେଖି ଦୁଇଟା ଅର୍ଘାସୁର ପରି ଭୁଷୁଣ୍ଡା ଲୋକ ହୟଗ୍ରୀବଙ୍କ ବେକଶଣ୍ଢାରୁ ଧରି ତାଙ୍କୁ ଟେକି ନେଲେ ଓ ପିଲା ଦୁଇଟାକୁ ଗୋଇଠା ମାରି ଫୁଟବଲ୍ ପରି ବାହାରକୁ ଗଡାଇନେଲେ। ମାଳତୀ ଛାଡିଦିଅ ଛାଡିଦିଅ ବୋଲି ବୋବାଳି ଛାଡିଲା ବେଳକୁ ତାଙ୍କୁ କେହି ଜଣେ ମୁଥାଏ ପକାଇଲା। ହୟଗ୍ରୀବଙ୍କ ସମଗ୍ର ପରିବାର ବୋବାଳି ଛାଡି ବାରେ ଲାଗିଲେ।

କାଚ ଭାଙ୍ଗିବା ଓ ଲୋକଙ୍କୁ ରକ୍ତଝୋଳିଆ କରିଥିବାରୁ ହୋଟେଲବାଲା ହୟଗ୍ରୀବଙ୍କୁ ବହେ ଛେଚିଲେ ଓ ଲୁନାକୁ ଜବତ କରିନେଲେ। ଉତ୍ତମ ରୂପେ ଧକ୍କିଆ ବେକିଆ ମାରି ରାସ୍ତା ଉପରେ ଛାଡି ଦେଇ ସେ ନିଶୁଆ ଲୋକଟା "ଭିକାରି କେଉଁଠିକାର" କହି ଚାଲିଗଲା। ବିଧା ଗୋଇଠା ଖାଇ ହୟଗ୍ରୀବ ଓ ମାଳତୀ ରାସ୍ତାରେ ପେଙ୍ଗେଇ ପେଙ୍ଗେଇ ଚାଲୁଥିଲେ ଓ ତାଙ୍କ ପିଲା ଦୁଇଟା ଆଗରେ ଛୋଟା ଠେକୁଆଙ୍କ ପରି କୁଦା ମାରି ଚାଲିଥିଲେ। ମାଳତୀ ଭାବୁଥିଲେ,ସେମାନେ ଗାଁଆ କୁ କେମିତି ଫେରିବେ ଓ ତାଙ୍କ ପିଲା ଦୁଇଟା ଗାଁଆ ଲୋକଙ୍କ ଆଗରେ ତାରକା ହୋଟେଲରେ ଘଟି ଯାଇଥିବା ଘଟଣା ସବୁକୁ କେମିତି ବର୍ଣ୍ଣନା କରିବେ। ଠିକଣା ବତେଇଥିବା ଦୋକାନୀ ଦୋକାନ ବାହାରକୁ ମୁଣ୍ଡ ଟୁଙ୍ଗାରି କଣ ପଚାରିଲା ବେଳକୁ ମାଳତୀ ଦୁନିଆ ଯାକର ଗାଳି ତା ଉପରେ ବର୍ଷଣ କରିଦେଲେ। ଚିକେନ ଚେମେଣି ଖିଆ ନିଶାରେ ବିଚରା ମାନଙ୍କ ଅବସ୍ଥା ଦିନ ବେଳିଆ ଚେମେଣି ପରି ହୋଇ ଯାଇଥିଲା। ମାଳତି ଭାବୁଥିଲେ ପଣ୍ଡାଘର ଝିଅ ନାଣ୍ଡି ତାଙ୍କୁ ଛଅଫଡିଆ ଓଉ ଦେଖେଇ ଦେଲା ।



Rate this content
Log in

Similar oriya story from Drama