Sabitri Mohapatra

Abstract Horror Thriller

4  

Sabitri Mohapatra

Abstract Horror Thriller

ଛାୟା ମୂର୍ତ୍ତି

ଛାୟା ମୂର୍ତ୍ତି

5 mins
517



ନଡିଆ ଗଛ ଫାଙ୍କରୁ ଜହ୍ନ ଉଇଁ ଆସୁଛି ।ଜହ୍ନ ଆଲୁଅ ପୋଖରୀର ପାଣିରେ ପଡି ଏକ ସୁନ୍ଦର ଆଉ ମନୋରମ ଦୃଶ୍ୟ ସୃଷ୍ଟି କରୁଛି । ଶାନ୍ତ ଆଉ କୋମଳ ପରିବେଶରେ ସୀତା ମାମ୍ ଙ୍କର ମନଟା ଟିକେ ହାଲକା ହେଲା ଭଳି ଲାଗୁଛି ।ବୋଧେ ପୂର୍ଣ୍ଣିମା ପାଖେଇ ଆସୁଛି ।ସୀତା ମାମ୍ ଭାବି ବସିଲେ ହ! ଆଉ ପାଂଚ ଦିନ ବାକି ଅଛି ପୂର୍ଣ୍ଣିମା ହେବାକୁ । ସେଥିଲାଗି ଚତୁଃପାର୍ଶ୍ବ ଏତେ ତୋଫା ପରିଷ୍କାର ଜଣାଯାଉଛି । ସୀତା ମାମ୍ ଏଠାକୁ ଆସିବାର ଦଶଦିନ ହୋଇଗଲାଣି । ଘର ସଜଡାରେ ଲାଗି ଯାଇଛନ୍ତି ମାମ୍ ଆଉ ତାଙ୍କ କାମ କରିବା ସ୍ତ୍ରୀ ଲୋକ  ଲିଲି । ରାତି ଦିନ ଘରସଫା କାମରେ ଲାଗିଛନ୍ତି। ଘର ଏବେ ଟିକେ ବାଟକୁ ଆସିଲା । କାରଣ କ୍ୱାଟରଟି ବହୁତଦିନ ହେଲା ଖାଲି ପଡିଥିଲା। ପୂର୍ବର ପ୍ରିନସିପାଲ ନିଜ ଘରେ ରହି ଯିବାଆସିବା କରୁଥିଲେ । ମାତ୍ର ସୀତା ମାମ୍ ଦୂରରୁ ମାନେ ପୁରୀରୁ ଆସିଛନ୍ତି ବାଲେଶ୍ବରର ଏକ ସରକାରୀ ବିଦ୍ୟାଳୟକୁ ପ୍ରିନସିପାଲ ହୋଇ । ତେଣୁ କ୍ୱାଟରରେ ହିଁ ରହିବା କଥା ।


ବର୍ଷେ ହେବ ସ୍ୱାମୀକୁ ହରାଇ ମନ ଦୁଃଖରେ କାଳାତିପାତ କରୁଥିବା ବେଳେ ହଠାତ୍ ସୀତା ମାମ୍ ଙ୍କର ପ୍ରିନସିପାଲ ପୋଷ୍ଟକୁ ଉନ୍ନୀତ ହେବାଟା କ୍ଷଣିକ ଖୁସି ପ୍ରଦାନ କରିଥିଲା । ତେଣୁ ସେ ଧାଇଁ ଆସିଛନ୍ତି ପୁରୀ ସହରରୁ ବାଲେଶ୍ବରକୁ ପ୍ରିନସିପାଲ  ରୂପେ ଯୋଗ ଦେବାକୁ । ସରକାରୀ କ୍ୱାଟରଟି ବେଶ୍ ବଡ । ଫୁଲଗଛ ସବୁ ଚାରିପଟେ ଲାଗିଛି । ଗେଟ୍ ପାଖରେ ଦରୱାନ ସ୍କୁଲ ଆଉ ଏ କ୍ୱାଟରକୁ ଜଗିଥାଏ ଦିନ ରାତି। ଆଉ ଏ ସ୍ତ୍ରୀ ଲୋକଟି ମିଳିଛି ମାମ୍ ଙ୍କୁ ଘର କାମରେ ସାହାଯ୍ୟ କରିବାକୁ । ତାଙ୍କର ଦୁଇ ପୁଅ ଦୂରରେ ରୁହନ୍ତି । ସେମାନେ ତାଙ୍କ ଚାକିରୀ ଆଉ ପରିବାରକୁ ନେଇ ବ୍ୟସ୍ତ।ତେଣୁ ମାମ୍ ତାଙ୍କର ଏକୁଟିଆ ରହିବାର ଅଭ୍ୟାସ କରି ସାରିଛନ୍ତି ।


ସ୍କୁଲର ସମସ୍ତ ଛାତ୍ରୀଙ୍କୁ ସେ ନିଜର ପିଲା ବୋଲି ଭାବି ସେମାନଙ୍କର ସେବାରେ,ଭଲମନ୍ଦରେ ଦିନ ବିତାଇ ଦେଇଥାନ୍ତି। ଦରୱାନ ତ କ୍ୱାଟର ଓ ସ୍କୁଲକୁ ଦିନ ରାତି ଜଗିଥାଏ । କେହି ପଶିଯିବାର ଭୟ ନଥାଏ ।ସେହି ସ୍ତ୍ରୀ ଲୋକଟି ଲିଲି ସକାଳୁ ଆସି କାମ ସାରି ସନ୍ଧ୍ୟା ସମୟକୁ ତା ନିଜ ଘରକୁ ଫେରି ଯାଏ ।ରାତିରେ ସେ ଏକା ରୁହନ୍ତି ।ସୀତା ମାମ୍ ଦିନ ଯାକ କାମରେ ବ୍ୟସ୍ତ ଥାଆନ୍ତି । ସ୍କୁଲ କାମ,ଅଫିସ୍ କାମରେ ଫୁରସତ ପାଆନ୍ତିନି । ନୂଆ ଜାଗା,ନୂଆ କାମ.....ତେଣୁ ଟିକେ ଅଧିକ ସମୟ ଦେଉଥିଲେ କାମ ସବୁ ବୁଝା ବୁଝି କରିବାରେ ।ସନ୍ଧ୍ୟା ବେଳେ ସ୍କୁଲରୁ ଫେରିଲେ ଲିଲିର ହାତରୁ ଚା ଟିକେ ପିଇ ବାହାରେ କିଛି ସମୟ ବସନ୍ତି । ଲିଲି ସହିତ ଟିକେ କଥାବାର୍ତ୍ତା ,ତାର ଘର ଖବର ଓ ଭଲମନ୍ଦ ବୁଝନ୍ତି ।

ସେ ସମୟଟା ତାଙ୍କର ଟିକେ ଆଶ୍ଵସ୍ତିର ସମୟ । ଏମିତି ଦିନେ ଲିଲି ସହିତ କଥା ହୋଇ ସାରିବା ପରେ ,ଲିଲି ଫେରି ଯାଇଛି ତା ଘରକୁ......ମାମ୍ ଟିକେ ବସୁ ବସୁ ବେଶି ସମୟ ବସିଯାଇଛନ୍ତି ବାହାରେ । ହଠାତ୍ ସେ ନଜର ଉଠେଇଲାବେଳକୁ ଦେଖି ପାରିଲେ ସେହି ପୋଖରୀ ହୁଡାରୁ ଏକ ଛାୟା ମୂର୍ତ୍ତି  ବାହାରି ପୋଖରୀ ଚାରିପଟେ ବୁଲୁଛି । ଦୁଇ ତିନି ଘେରା ବୁଲିସାରି ସେ ପଡିଆରେ ବିଭିନ୍ନ ଆଙ୍ଗଭଙ୍ଗୀରେ ନୃତ୍ୟ ଦେଖେଇ ପୁଣି ପୋଖରୀ ଭିତରେ ବୁଡି ଗଲା । ସୀତା ମାମ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।


ଏ ଭିତରକୁ ଏ ଝିଅଟି ଆସିଲା କେଉଁଠୁ? ସେ କଣ ସ୍କୁଲ ର ଏକ ଛାତ୍ରୀ ନା କଣ ? ମାମ୍ କିଛି ବୁଝିପାରିଲେନି । ସେତେବେଳକୁ ରାତି ପ୍ରାୟ ଏଗାର କି ସାଢେ ଏଗାର ହେବ । ଏ ଦୃଶ୍ୟ ଦେଖି ମାମ୍ ଙ୍କୁ ଟିକିଏ ଛାନିଆ ଲାଗିଲା । ଏ ଝିଅଟି ଭିତରକୁ ପଶିଲା କେମିତି ?ଏତେ ରାତିରେ ଏଠି କାହିଁକି ବୁଲୁଛି ? ତାର ଉଦ୍ଦେଶ୍ୟ କଣ,କିଛି ଜାଣି ପାରିଲେ ନାହିଁ । ଦରୱାନ କୁ ଡାକି ପଚାରିବାକୁ ଇଛା ହେଲା । କିନ୍ତୁ ପରମୁହୂର୍ତ୍ତରେ କଣ ଭାବି ଚୁପ୍ ରହିଲେ ଓ ଘର ଭିତରକୁ ପଳେଇ ଆସିଲେ । କବାଟଟା ବନ୍ଦ କରି ଘର ଭିତରେ ଖାଇବା ପିଇବା କରି ଶୋଇଗଲେ । କିନ୍ତୁ ମନ ଭିତରୁ ସେ ଛାୟା ମୂର୍ତ୍ତି କଥା ଯାଉ ନଥିଲା । ସେ ବିଷୟରେ ଭାବି ଭାବି ରାତିଟା କଟେଇଦେଲେ । ଏ ବିଷୟରେ କାହାକୁ କିଛି ନକହି ତା ପରଦିନକୁ ଅପେକ୍ଷା କରି ରହିଲେ । ମନରେ କୌତୁହଳ ବସା ବାନ୍ଧି ଥାଏ ।


ତା ପରଦିନ ଘର ବାହାରେ ନବସି ଘର ଭିତରେ ଥାଇ ଝରକା ଖୋଲି ପୋଖରୀ ହୁଡାକୁ ଚାହିଁଲେ । ରାତି ପ୍ରାୟ ଏଗାର ହବ । ବାରମ୍ବାର ଝରକା ଖୋଲି ପୋଖରୀ ଆଡେ ଚାହିଁଥାଆନ୍ତି । କିନ୍ତୁ କୌଣସି ଭି ଦୃଶ୍ୟ  ସେମିତି ଦେଖିବାକୁ ପାଇଲେନି । ତାଙ୍କର ମନର ଗୋଟେ ଭ୍ରମ ଧାରଣା ଓ ଭୁଲ୍ ରେ ସେମିତି ଗୋଟେ ଦୃଶ୍ୟ ଦେଖିଲେ ବୋଲି ଭାବିଲେ । ତାର ପରଦିନ ଭି ସେମିତି ଝରକା ଖୋଲି ଦେଖିବାକୁ ଚେଷ୍ଟା କଲେ । କାହିଁ ସେମିତି ଭି କିଛି ନାହିଁ  । ନୂଆ ଜାଗା ,ନୂଆ ପରିବେଶରେ କଣ ଗୋଟାଏ ମନର ଭ୍ରମ ହୋଇଥିବ ଭାବି ଚୁପ୍ ରହିଲେ ।ଏ ବିଷୟରେ କାହାକୁ କିଛି କହିବାଟା ଠିକ୍ ହବନି ବୋଲି ଭାବିଲେ ।


ଚାହୁଁ ଚାହୁଁ ଏକ ମାସ ବିତିଗଲା । ସେଦିନ ଥିଲା ପୂର୍ଣ୍ଣିମାର ରାତି ।ଏହି ପୂର୍ଣ୍ଣିମା ରାତିରେ ମାମ୍ ଙ୍କୁ ଟିକେ ବାହାରେ ବସି ଜହ୍ନ ଆଲୁଅକୁ ଉପଭୋଗ କରିବାକୁ ଇଛା ହୁଏ । ଦିନଯାକର ସ୍କୁଲର କାମ,ଦାୟିତ୍ୱ ସବୁ ବୁଝା ବୁଝି କରି କ୍ୱାଟରକୁ ଫେରିଲାବେଳକୁ ପ୍ରାୟ ସନ୍ଧ୍ୟା ସାତଟା ହୋଇଯାଏ । ତାପରେ ଟିକେ ଲିଲି ହାତରୁ ଚା ପିଇ ବାହାରେ ବସି ସମୟ କଟେଇ ଦିଅନ୍ତି । ସେଦିନ ସେହି ପୂର୍ଣ୍ଣିମା ରାତିରେ ସ୍କୁଲରୁ ଫେରି ଲିଲି ହାତର ଚା ଆଉ ଜଳଖିଆ ଟିକେ ଖାଇ ବାହାରେ ବସିଛନ୍ତି । ସେମିତିବେଶି ସମୟ ବସି ଯାଇଛନ୍ତି । ହଠାତ୍ ପୋଖରୀ ହୁଡା ଉପରେ ଆଖି ପଡିଗଲା । ସେହି ଏକାପ୍ରକାର ଝାପ୍ସା ଛାୟା ମୂର୍ତ୍ତି ଦୃଶ୍ୟମାନ ହେଲା । ସେମିତି ସେ ଛାୟା ପୋଖରୀ ହୁଡାରୁ ବାହାରି ପୋଖରୀ ଚାରିପଟେ ବୁଲିଲା,ଆଉ ପଡିଆରେ ବିଭିନ୍ନ ନୃତ୍ୟ ଭଙ୍ଗୀ ଦେଖେଇ ପୁଣି ପୋଖରୀ ଭିତରେ ବିଲୀନ ହୋଇଗଲା । ଏଥର ମାମ୍ ନିଜକୁ ବିଶ୍ଵାସ  କଲେ । କିଛି ଗୋଟାଏ ଏଥିରେ ଅଛି । ସେ ଘର ଭିତରକୁ ଯାଇ ଝରକା ବାଟ ଦେଇ ଏ ଦୃଶ୍ୟ ଦେଖୁଥାନ୍ତି । ଏକ ମାସ ପୂର୍ବର ଦିନକୁ ମନେ ପକେଇଲେ । ସେଦିନ ଥିଲା ପୂର୍ଣ୍ଣିମା । ଆଜି ମଧ୍ୟ ପୂର୍ଣ୍ଣିମା । ତାମାନେ ଏ ପୂର୍ଣ୍ଣିମା ଦିନ କିଛି ଗୋଟେ ଏମିତି ଘଟୁଛି ବୋଲି ତାଙ୍କର ପୁରା ବିଶ୍ୱାସ ଆସିଗଲା । ସେ ଏଥର ନଡରି ଏହାର ଅନୁସଂଧାନ କରିବାକୁ ମନ ବଳାଇଲେ ।


ଦରୱାନ ଟି ତା ପରିବାର ନେଇ ଗେଟ୍ ପାଖରେ ଥିବା ଗୋଟିଏ ଛୋଟ ଘରଟିରେ ତାର ସ୍ତ୍ରୀ ଆଉ ଛୋଟ ଝିଅକୁ ନେଇ ରହିଥାଏ। ସଂଧ୍ୟା ହେଲେ ତା ଘରେ ବେଶ୍ ଗହଳିଚହଳି । ଝିଅର ପାଠପଢ଼ାର ପାଟି,ସ୍ତ୍ରୀ ର ରୋଷେଇ ବାସ କରିବାର ସେଁସାଁ ଶଦ୍ଦ, ଆଉ ବାସନର ଝୁଣଝାଣ ଶଦ୍ଦ ବେଶ ପରିବେଶକୁ ଗହଳି କରିଥାଏ । ସୀତା ମାମ୍ ଙ୍କୁ ପରିବେଶ  ବେଶ୍ ଭଲଲାଗେ । ଏକା ଏକା ଲାଗେନାହିଁ । ତଥାପି ସୀତା ମାମ୍ ଆର ପୂର୍ଣ୍ଣିମାକୁ ଅପେକ୍ଷା କରି ରହିଲେ । କୌଣସିମତେ ଏକ ମାସ କଟିଗଲା । ଆସନ୍ତାକାଲି ହେବ ପୂର୍ଣ୍ଣିମା ରାତି । ଏକ ଅକୁହା ଉତ୍କଣ୍ଠାରେ ମନଟା ତାଙ୍କର ଭାରିଭାରି ହୋଇ ଲାଗୁ ଥାଏ। କୌଣସି ଥିରେ ତାଙ୍କର ମନ ଲାଗୁନି ଯେମିତି । ସ୍କୁଲ ଛୁଟି ପରେ ଘରକୁ ଆସି ଚା ଜଳଖିଆ ପର୍ବ ସାରି ଯେମିତି କାହାକୁ ଅପେକ୍ଷା କରି ରହିଲେ ।ଚାହୁଁ ଚାହୁଁ ରାତି ଏଗାରଟା ହୋଇଗଲା । ସେମିତି ଏକାପ୍ରକାର ଛାୟା ଆସି ପୋଖରୀ ଚାରିପଟେ ବୁଲିଲା । ଏଥର ମାମ୍ ଙ୍କର ପୁରା ବିଶ୍ବାସ ଆସିଗଲା । ସେ ଏ ବିଷୟରେ ନିଶ୍ଚୟ ଅନୁସନ୍ଧାନ କରିବେ ବୋଲି ଭାବିଲେ । କଣ ଏହାର ରହସ୍ୟ ଜାଣିବାକୁ ବହୁତ ଇଛା ହେଲା । ଏ ପୂର୍ଣ୍ଣିମା ରାତି ସହିତ ଏ ଛାୟା ମୂର୍ତ୍ତିର କଣ ସଂପର୍କ......ଏସବୁ ଭାବି ଭାବି ଶୋଇଲାବେଳକୁ ରାତି ବହୁତ ଡେରି ହୋଇଯାଇଥିଲା । ତେଣୁ ସକାଳୁ ଉଠିଲା ବେଳକୁ ସକାଳ ପ୍ରାୟ ସାତଟା ବାଜି ଯାଇଛି । ସେ ଧଡ୍ ଧାଡ୍ ଉଠି ପ୍ରସ୍ତୁତ ହେଲେ ନିତ୍ୟକର୍ମ ସାରିବାକୁ। ଲିଲି ମଧ୍ୟ କେତେବେଳୁ ଆସି ବାହାରେ ଅପେକ୍ଷା କରିଥିଲା । ସେ ମଧ୍ୟ ଗେଟ୍ ଖୋଲି ଆସି କାମରେ ଲାଗିଲା । ମାମ୍ ଙ୍କର ଦେହଟା ଭାରି ମାନ୍ଦା ମାନ୍ଦା ଲାଗୁଛି । ଆଜି କୌଣସି କାମରେ ମନ ଲାଗୁନି ଯେମିତି । ବେଳେ ବେଳେ କେମିତି ଗୋଟେ ଅଜଣା ଭୟ,ଆତଙ୍କରେ ମନଟା ଭାରି ହୋଇ ଉଠୁଛି । କୌଣସି ମତେ ସ୍କୁଲ ର କାମ ସାରି ଘରେ ଆସି ପହଞ୍ଚି ଗଲେ । ଲିଲି ଅପେକ୍ଷା କରି ରହିଥିଲା । ମିଶିକି ଚା ପିଇଲେ ।ସେଦିନ ବହୁତ ଇଛା ହେଲା.....ଲିଲି ସାଙ୍ଗେ ଟିକେ ବେଶି ସମୟ କଥାବାର୍ତ୍ତା ହେବାକୁ । ଆସନ୍ତା କାଲି ତ ରବିବାର ଅଛି, ସେ ଭାବିଲେ ପୁରାଦିନଟା ଶୋଇ ରହି କଟେଇବେ । ପୁରା ବିଶ୍ରାମ ନେବେ ।


କିଛି ସମୟ ରହି ସୀତା ମାମ୍ କଥା ଆରମ୍ଭ କଲେ । କହିଲେ.....ଆଲୋ ଲିଲି,ତୁ ତ ଏ ସ୍କୁଲ ରେ କାମ କରିବାର ସାତ କି ଆଠ ବର୍ଷ ହୋଇଗଲାଣି ,ତୁ ତ ସବୁକଥା ଜାଣିଥିବୁ । କୋଉ କଥା ମାମ୍..... ଲିଲି ର ମୁହଁରେ ପ୍ରଶ୍ନବାଚୀର ଚିହ୍ନ? ହଁ ! ଏଇ ପୂର୍ଣ୍ଣିମା ରାତି କଥା । ସେ ଛାୟା ମୂର୍ତ୍ତିଟା ସବୁ ପୂର୍ଣ୍ଣିମା ତିଥିରେ ଆସି ପୋଖରୀ ହୁଡାରେ ବୁଲୁଛି। ତୁ ତ ମୋତେ ଏକଥା କେବେ କହିନୁ,କଣ ଏହାର ରହସ୍ୟ, ତୁ ନିଶ୍ଚୟ ଜାଣିଥିବୁ ? ଲିଲି ଏକଥା ଶୁଣି କିଛି ସମୟ ଚୁପ୍ ରହିଲା । ସେ ଛେପ ଢୋକି କଥା ଆରମ୍ଭ କଲା । ହଁ ମାମ୍ ! ସେ ଗୋଟେ ଦୀର୍ଘ କାହାଣୀ । ମାମ୍ ଶୁଣି ତାଙ୍କ ଆଖି ଖୋସି ହୋଇଗଲା । ସେ ଲିଲିର ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଅନେଇଥାନ୍ତି। ଲିଲି କହି ଚାଲିଥାଏ ।


ପ୍ରାୟ ପାଞ୍ଚ ଛଅ ବର୍ଷ ତଳର କଥା । ଏ ସ୍କୁଲରେ ଅଙ୍କିତା ବୋଲି ଝିଅଟିଏ ପଢୁଥିଲା । ଯେମିତି ଚେହେରା,ସେମିତି ପାଠ ଭି ଭଲ ପଢୁଥିଲା  । ନାଚ ଭି ଭଲ କରୁଥିଲା । ସ୍କୁଲରେ ପ୍ରୋଗ୍ରାମ୍ ହେଲେ ତାର ନାଚ ଦେଖିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି । ପାଠରେ ମଧ୍ୟ ପ୍ରତି କ୍ଲାସରେ ଫାଷ୍ଟ ହେଉଥିଲା। ମାତ୍ର ବହୁତ ଗରିବ ଘରର ଝିଅ । ବାପ,ମା ଚାହିଁବସିଥିଲେ ତାଙ୍କ ଝିଅ ନିଶ୍ଚୟ ଭଲ ପାଠ ପଢି ଭଲ ଚାକିରୀ କରିଲେ ତାଙ୍କ ଘରର ଦୁଃଖ ଦୂରେଇ ଯିବ । ଚାହୁଁ ଚାହୁଁ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଆସି ସରିଗଲା ।ଅଙ୍କିତା ଓ ତାର ସାଙ୍ଗମାନେ ହଷ୍ଟେଲରେ ରହୁଥିଲେ । ରେଜଲ୍ଟ ବାହାରିଗଲା ପରେ ସମସ୍ତେ ନିଜ ନିଜଘରକୁ ଫେରିବେ । ରେଜଲ୍ଟ ବାହାରିବା ଦିନକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ରେଜଲ୍ଟ ବାହାରିବାର ପୂର୍ବଦିନ ସାଙ୍ଗମାନେ  କହିଲେ ଚାଲିଯିବା......ଅଙ୍କିତା ସାଙ୍ଗେ ଟିକେ ମଜା କରିଆସିବା । ସାଙ୍ଗମାନେ ସାଙ୍ଗ ହୋଇ ଆସି କହିଲେ.....ଅଙ୍କିତା,ତୁ ପରୀକ୍ଷାରେ ଫେଲ କରିଯାଇଛୁ ,ମିସ୍ କହୁଥିଲେ । ଏକଥା ହଠାତ୍ ଶୁଣି ଅଙ୍କିତା ସକ୍ ହୋଇଗଲା ଓ କିଛି ଭାବି ପାରିଲାନି । କଥାଟା ସତ ବୋଲି ଭାବିଲା । ତତକ୍ଷଣାତ ସେ କିଛି ନବିଚାରି ଧାଇଁ ଯାଇ ପୋଖରୀରେ ବୁଡି ଆତ୍ମହତ୍ୟା କରିଦେଲା ,ସମସ୍ତଙ୍କ ଅଲକ୍ଷରେ । କେହି କିଛି ଜାଣି ପାରିଲେନି। ତା ପରଦିନ ସକାଳ ଦଶଟାରେ ରେଜଲ୍ଟ ବାହାରିବା କଥା । ସାଙ୍ଗମାନେ  ସମସ୍ତେ ନିଜ ନିଜ ଘରକୁ ଯିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବେଡିଙ୍ଗପତ୍ର ବନ୍ଧା ବନ୍ଧି କରୁଛନ୍ତି । ଏପଟେ ରେଜଲ୍ଟ ଭି ବାହାରି ସାରିଛି । ଅଙ୍କିତା ଦଶମ ଶ୍ରେଣୀରେ ଫାଷ୍ଟ ହୋଇଛି । ଅଙ୍କିତାର ସାଙ୍ଗମାନେ ଆଉ ଟିଚରମାନେ ଖୁସିରେ ଅଙ୍କିତାକୁ ଖୋଜି ଚାଲିଛନ୍ତି । କିନ୍ତୁ ଅଙ୍କିତାକୁ କେଉଁଠି ଭି ନପାଇ ସମସ୍ତେ ବ୍ୟସ୍ତ ହୋଇ ପଡିଲେ । କୁଆଡେ କାହାକୁ ନକହି ପିଲାଟା ପଳେଇଛି ଭାବି ସମସ୍ତେ ବ୍ୟସ୍ତ । ହଠାତ୍ ଦରୱାନ ଯାଇ ଦେଖେତ ପୋଖରୀର ପାଣିରେ ଅଙ୍କିତାର ମୃତ ଶରୀର ଭାଷୁଛି । ଦରୱାନ ଅତି ବିକଳରେ ସମସ୍ତଙ୍କୁ ଡାକ ଛାଡିଲା । ସେତେବେଳେ ଥିବା ପ୍ରିନସିପାଲଙ୍କୁ ଯାଇ କହିଲା । ପ୍ରିନସିପାଲ, ଟିଚର ଓ ଅଙ୍କିତାର ସମସ୍ତ ସାଙ୍ଗମାନେ ଦଉଡି ଆସିଲେ ଓ ଅତି ଆଶ୍ଚର୍ଯ୍ୟ ହୋଇ ଅଙ୍କିତାର ସେହି ମରଶରୀରକୁ ଦେଖି ଚାଲିଲେ । ଏ କଣ କଲୁ ଅଙ୍କିତା ? ଏତେ ବଡ ମୂଲ୍ୟବାନ ଜୀବନ କାହିଁକି ନଷ୍ଟ କରି ଦେଲୁ ?ଚତୁର୍ଦ୍ଦିଗ ହୋଇଗଲା ନିଶ୍ଚଳ ଆଉ ନିସ୍ତବ୍ଧ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଏମିତି କାହିଁକି କଲା ? ତାକୁ ସମସ୍ତେ ବହୁତ ଭଲ ପାଉଥିଲେ ।ସ୍କୁଲ ଭିତରେ ଗୋଟେ ଦୁଃଖ ର ଛାୟା ଖେଳି ଗଲା। ।


ସେହିଦିନ ଠାରୁ ସେ ଦରୱାନ ଲକ୍ଷ୍ୟ କରିଛି,ପ୍ରତି ପୂର୍ଣ୍ଣିମା ରାତି ହେଲେ, ଏମିତି ଗୋଟେ ଛାୟା ମୂର୍ତ୍ତି ପୋଖରୀ ଚାରିପଟେ ବୁଲିବାର । ସେଦିନ ସେ ଆତ୍ମହତ୍ୟା କରିବାର ଦିନଟି ଥିଲା ପୂର୍ଣ୍ଣିମାର ଦିନ । ତେଣୁ ସେହି ଦିନ ସେ ଆସିଥାଏ ଓ ପୋଖରୀ ଚାରିପଟେ ବୁଲି ଥାଏ। କିନ୍ତୁ ଆଉ କୌଣସି ଦିନ କେହି ଭି ତାକୁ ଦେଖି ନାହାଁନ୍ତି । ଏକଥା ଶୁଣି ମାମ୍ ଙ୍କର ଆଖିରୁ ଦୁଇ ଧାର ବୋହି ଆସିଲା । ଲିଲି ତାର କଥା ଶେଷ କରି ତା ଘରକୁ ଚାଲିଗଲା । ମାମ୍ ଲିଲି ର କଥା ଶୁଣି ରାତି ସାରା ଛଟପଟ ହୋଇ ବିତାଇଦେଲେ । ମନରେ କେତେ ପ୍ରକାର ପ୍ରଶ୍ନର ସମାହାର । ଏମିତି କାହିଁକି କଲା ? ଏ ପ୍ରଶ୍ନର ଉତ୍ତର ଦେବାକୁ କେହି ନଥିଲେ .......... ।


Rate this content
Log in

Similar oriya story from Abstract