ଚା
ଚା
ସକାଳ ନ ପାହୁଣୁ ବିପ୍ର ଦାଦା ସୁମି ଘରେ ପହଞ୍ଚନ୍ତି। ଗୋବର ଗୋଟେଇ ଗୁହାଳ ପରିଷ୍କାର କରନ୍ତି। ଗାଈମାନଙ୍କୁ କୁଣ୍ଡା ତୋରାଣୀ ଦିଅନ୍ତି। ବାଡ଼ିରେ ଲଗା ହେଇଥିବା ଶାଗ ପଟାଳିରେ କୂଅରୁ ପାଣି ମଡାନ୍ତି। ଫୁଲଗଛ ପାଖରୁ ଅନାବନା ଘାସ ସବୁ ଉପାଡି ମା'ଙ୍କ ପୂଜା ପାଇଁ ଫୁଲ ତୋଳି ଗୋଟିଏ ବଡ଼ ଶାଳ ପତ୍ରରେ ଦାଣ୍ଡ ଘରେ ରଖି ଦିଅନ୍ତି। ମା ବିପ୍ରଦାଦାଙ୍କ ପାଇଁ ରାତି ରେ ତିଆରି ହେଇଥିବା ଦିଇଟା ରୁଟି ଓ ଷ୍ଟିଲ ଗ୍ଲାସରେ ଗ୍ଲାସଟେ ନାଲି ଚା ରଖି ଦିଅନ୍ତି। ସେ ଚା ରେ ରୁଟି ବୁଡ଼େଇ ବୁଡ଼େଇ ପରମତୃପ୍ତିରେ ତାକୁ ଖାଆନ୍ତି।
ସୁମି ଦେଖେ ମା ବାପାଙ୍କୁ ପ୍ରତିଦିନ ସକାଳେ କ୍ଷୀରରେ ତିଆରି ଚା ଦିଏ କିନ୍ତୁ ବିପ୍ରଦାଦାଙ୍କୁ ନାଲି ଚା ଦିଏ। ତା ପିଲାଳିଆ ମନ ବୁଝେନି। ବିପ୍ରଦାଦା ଘରର ଚାକର ବୋଲି କଣ ତାଙ୍କର ଭଲ ଜିନିଷ ଖାଇବାରେ ହକ୍ ନାହିଁ? ମାଙ୍କର ଏ ପାତର ଅନ୍ତର ନୀତି ତାକୁ ଭଲ ଲାଗେନି। ସେ ଦାଦାଙ୍କ ପାଇଁ ବହୁତ ଦୁଃଖୀ ହୁଏ। ତାର ଇଚ୍ଛା ହୁଏ ସେ ନିଜେ ବିପ୍ରଦାଦାଙ୍କ ପାଇଁ ମେଞ୍ଚେ କ୍ଷୀର ପକେଇ ଚା କରି ଦେବ।
ସୁମିର ମାଙ୍କୁ ଗୋଟିଏ ବାହାଘରରେ ଯିବାକୁ ପଡ଼ିଲା। ମାଙ୍କ ବଡବାପାଙ୍କ ଝିଅର ବାହାଘର। ଏଣେ ସୁମିର ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା। ନା ସୁମିର ପରୀକ୍ଷା ବନ୍ଦ କରି ହେବ, ନା ବିବାହକୁ ନଗଲେ ଚଳିବ। ଶେଷରେ ନିଷ୍ପତ୍ତି ହେଲା ସୁମି ଓ ତା ବାପା ଘରେ ରହିବେ ଓ ମା ବାହାଘରକୁ ଯିବେ। ସୁମି କେବେ ବି ମାଙ୍କ ବିନା ଘରେ କେବେ ରହି ନଥିଲା। ତା ମନ ଉଦାସ ହେଇ ଯାଇଥିଲା। ହେଲେ ପରୀକ୍ଷାକୁ ତ ବନ୍ଦ କରିହେବନି। ସେ ତା ମନକୁ ବୁଝେଇ ଦେଲା।
ସକାଳ ପାହିଲେ ପରୀକ୍ଷା। ସୁମିକୁ ରାତିରେ ନିଦ ନାହିଁ। ବିପ୍ରଦାଦା କାମକୁ ଆସିଲେ। ଫୁଲ ତୋଳି ଦାଣ୍ଡଘରେ ରଖିଲେ। ସେ ସୁମିଠାରୁ ଜାଣିବାକୁ ପାଇଲେ ଯେ ମା ନାହାନ୍ତି। ଆଜି ତାହାହେଲେ ଚା ପିଇବାକୁ ମିଳିବନି। ଏହା କହି ଦାଦା ଚାଲି ଯାଉଥିଲେ ତ ସୁମି ତାଙ୍କ ହାତ ଧରି ଟାଣି ଆଣିଲା। ସେ ଆଜି ନିଜେ ଚା କରି ଦାଦାଙ୍କୁ ଦେବ।
ସେ କ୍ଷୀର ଚା ବନେଇବା ପାଇଁ ଯାଉଛି ଦାଦା କହିଲେ ଯେ ସେ କ୍ଷୀର ଚା ପିଅନ୍ତିନି। କେବଳ ନାଲି ଚା ପିଅନ୍ତି। ସୁମି ଦେଖିଛି ମା ଦାଦାଙ୍କ ପାଇଁ ଗିଲାସେ ଚା କଲାବେଳେ ଟିକିଏ ଚା ପତି ପକାଏ ଯେତେବେଳେକି ବାପାଙ୍କ ପାଇଁ ମାତ୍ର କପେ କ୍ଷୀର ଚା କଲାବେଳେ ଚାମଚରେ ଫୁଲ ଚାମୁଚେ ପକାଏ। ସେ ମନେ ମନେ ସ୍ଥିର କଲା ଦାଦାଙ୍କ ପାଇଁ ଆଜି ବେଶୀ ଚା ପତି ପକେଇ ଭଲ ଚା କରିବ। ପୁଣି ମା ଦାଦାଙ୍କ ଚା ରେ ଚିନି ବଦଳରେ ଲୁଣ ପକାନ୍ତି। ସେ ଦାଦାଙ୍କ ପାଇଁ ସବୁଠାରୁ ସୁଆଦିଆ ଚା କରିବାକୁ ଚାହୁଁଥିଲା। ଚାକୁ ଅତି
ସ୍ୱାଦିଷ୍ଟ କରିବା ପାଇଁ ଗୋଟିଏ ଗ୍ଲାସରେ ପାଣି ଭର୍ତ୍ତି କରି ଚା କେଟିଲରେ ଢାଳିଲା। ସେଥିରେ ବଡ଼ ଚାମଚରେ ଚାରି ଚାମଚ ଚା ପତି ଓ ମୁଠାଏ ଚିନି ପକେଇ ଭଲରେ ଛାଣି ରୁଟି ସହିତ ଅତି ଖୁସି ମନରେ ଦାଦାଙ୍କ ହାତକୁ ଗ୍ଲାସଟି ବଢ଼େଇ ଦେଲା। ଦାଦାଙ୍କ ଠାରୁ ସାବାସି ପାଇବ ବୋଲି ଦାଦାଙ୍କ ପାଖରେ ଠିଆ ହୋଇ ରହିଲା। ଦାଦା ଚା ପିଇସାରି ଚୁପଚାପ ପଳେଇଲେ। କିଛି କହିଲେନି। ସେ ଗ୍ଲାସକୁ ଅନେଇଲା। ଦାଦା ସବୁ ଚା ପିଇଦେଇଛନ୍ତି। ଯାହାହେଉ ଏତେ ଦିନ ପରେ ତା ଇଚ୍ଛା ପୂରଣ ହେଇଛି। ସେ ଦାଦାଙ୍କୁ ଏତେ ବଢ଼ିଆ ଚା ପିଆଇ ପାରିଛି। ସେ ପରୀକ୍ଷା ଦେବାପାଇଁ ଚାଲିଗଲା।
ସ୍କୁଲରୁ ଫେରିଲା ବେଳକୁ ଦେଖିଲା ମା ଘରକୁ ଆସି ଗଲେଣି। ଦାଦାଙ୍କ ସହିତ କଥା ହେଉଛନ୍ତି। ଦାଦାଙ୍କ ମୁହଁରୁ ତା ପ୍ରଶଂସା ଶୁଣିବା ପାଇଁ କବାଟ ପଛ ପଟେ ଲୁଚି ରହିଲା। ଦାଦା ଚା ପିଉ ପିଉ ହସି ହସି କହୁଥାନ୍ତି
- ମା, ଆଜି ସାନ ଦେଇ ସକାଳେ ମୋ ପାଇଁ ଚା କରିଥିଲେ।
- ଆରେ ସତେ ନା କଣ। ମୋ ଝିଅ ହାତରୁ ତମେ ଚା ପିଇଲ, ତମେ ତ ଭାଗ୍ୟବାନ ଲୋକ। ସେ ତ ଆଜି ଯାଏଁ ନିଜେ ପାଣି ଗ୍ଲାସଟେ ବି ପିଇନି।
- ହଁ ଯେ କିନ୍ତୁ----
- ଆରେ କଣ ହେଲା କହୁନୁ?
- ଦେଇ ଆଜି ଚା'ରେ ମେଞ୍ଚେ ଚିନି ଓ ମୁଠାଏ ଚା ପତି ପକେଇ ଦେଇଥିଲେ। ଏତେ ପିତା ଲାଗିଲା ଯେ ମୁଁ ବାରିପଟକୁ ଆସି ବାନ୍ତି କଲି।
- ମୋ ଝିଅ ଦେଖିନି ତ! ସେ କେଡ଼େ ଖୁସିରେ ତମ ପାଇଁ ଚା କରିଥିବ। ଜାଣିଲେ ତା ମନ ଦୁଃଖ ହେଇଯିବ।
ମା ବିକଳ ହେଇ କହିଲେ।
- ମା, ମୁଁ କଣ ଏଡ଼େ ବୋକା ହେଇଛି? ନା ସାନ ଦେଇଙ୍କୁ କିଛି କହିନି। ପିଲାଲୋକ ସେ କଣ ଜାଣନ୍ତି ଯେ ନାଲି ଚାରେ ଟିକିଏ ଚା ପତି ପଡ଼େ, ନହେଲେ ଚା ପିତା ହେଇଯାଏ। ପୁଣି ଲୁଣ ନାଲି ଚା'ର ମଜା ଚିନି ଚା'ରେ କେଉଁଠୁ ଆସିବ? ସେ ମନଖୁସିରେ ମୋ ପାଇଁ ଚା କଲେ ତା ଠୁ ବଳି ଭାଗ୍ୟର କଥା କଣ ଅଛି? ଦେଇଙ୍କୁ କିଛି କହିବେନି।
ସୁମି ଆଖିରୁ ଠକ୍ ଠକ୍ ହେଇ ଲୁହ ବହିଗଲା। ସେ ଆଜିଯାଏ ମାଙ୍କୁ କେତେ ଭୁଲ ବୁଝିଥିଲା। ସେ ଦୌଡିଯାଇ ମାଙ୍କ କୋଳରେ ବସି ମାଙ୍କୁ ଗେଲ କରି କହିଲା
- ମୋ ମା'ଠୁ ଭଲ ମା ଦୁନିଆରେ କେହି ନାହାନ୍ତି।
ମା ସୁମିକୁ କୋଳେଇ ନେଇ ଚା ପିଉ ପିଉ କହିଲେ
- କଣ ଚା ପିଇବୁକି? ସେଥିପାଇଁ ମୋତେ ଏତେ ତେଲଉଛୁ?
- ମୁଁ କଣ ଚା ପିଏ? ହଉ ତୁମେ ଯଦି କହୁଛ ମୁଁ ଟିକିଏ ପିଇଦେବି।
ଏହା କହି ସୁମି ମାଙ୍କ ପିଠିରେ ଲୋଟି ପଡ଼ିଲା।