The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Lopamudra Parida

Drama

4.0  

Lopamudra Parida

Drama

ବରକୋଳି

ବରକୋଳି

4 mins
414



ଗିରିଧାରୀ ଗିରିଧାରୀ ଧଳଙ୍କର ଏ ଫଟୋ ପୋଷ୍ଟ ଟି ଦେଖି ସ୍ମୃତିରେ ଗୋଟେ ଝଲକ ଫେରିଆସିଲା ।ସେଇଥିରୁ ଏ ଗପ ର ସୃଷ୍ଟି ।ଥାଙ୍କୁ ଗିରି ।


********


ଖେଳଛୁଟି ଘଣ୍ଟ ବାବାଜୀ ଭାଇନା ଢମ୍ ଢମ୍ ଢମ୍ କରି ବାଡେଇ ଚାଲିଗଲେ ।ଆମ ସ୍କୁଲରେ ଦିଟା ବିରତି ହୁଏ ,ଗୋଟେ ଦଶ ମିନିଟିଆ ପାଣି ପିଆ....ଆରଟି କୋଡିଏ ମିନିଟିଆ ଲଞ୍ଚ ଖିଆ ।


ଘରୁ ସବୁ ଟିଫିନ ଡବାରେ ବୋଉ ଯାହା ଦେଇଥାଏ ମିଳି ବାଣ୍ଟି ଏକାଠି ଖାଉ ସେଇ ପଢା ଟେବୁଲ ଉପରେ ।କଇଁ, ଅର୍ଚ୍ଚନା, ସାଗରିକା, ଅନୀତା, ସ୍ନିଗ୍ଧା, ଆଉ ମୁଁ ।ଦିନେ ଦିନେ ଲଳିତା ଆଉ ସୌଭାଗ୍ଯ ବି ଯୋଡି ହୁଅନ୍ତି ।ସମସ୍ତଙ୍କର ଟିଫିନ୍ ରୁ ଚାଖୁ ଚାଖୁ ସବୁ ମିଶି ଭୁରି ଭୋଜିର ଭୋଜନ ଟିଏ ହେଇଯାଏ ..... ।ଆମ ସ୍କୁଲରେ ବି ଏଇ ବଡ ବିରତି ଟିରେ ଯାହା ହେଲେ କ'ଣ ଗୋଟେ ସ୍କୁଲ ତରଫରୁ ଦିଆଯାଏ .....ଯେମିତି ଦଶ ପଇସିଆ ବରାଟେ କି ସିଙ୍ଗଡାଟେ ।ସେଇଟା ବାଣ୍ଟିବା ମନିଟର ର କାମ ।


ସେତେବେଳେ ଦଶ ପଇସା, କୋଡିଏ ପଇସା ମାନେ ଢେର୍ ହେଲା ।ପିଲାଙ୍କର ପକେଟ ମନି ବେଶୀରୁ ବେଶୀ ଚାରେଣୀ ସୁକି ରୁ ଆଠେଣି ଯାଏ ।ତା' ଠୁ ଆଉ ଆଗକୁ ନାହିଁ ।


ସରସ୍ବତୀ ପୂଜା ବେଳେ, ବସନ୍ତ ଆସି ସବୁ ଆମ୍ବ ଗଛରେ ବଉଳ ଓ ପରେ ପରେ କସି ଆମ୍ବ ଖୋସିଯାଏ ।ସବୁ ବରକୋଳି ଗଛରେ କୁନି ବାଟି ପରି କୋଳି ଖୁନ୍ଦି ଯାଏ ।


ନିୟମ ହେଲା ଦୋଳ ନ ଗଲାଯାଏ, ନୋ କସି ଆମ୍ବ ।

ଆଉ ମା ବାଗଦେବୀଙ୍କୁ ପୁଷ୍ପାଞ୍ଜଳୀ ନ ଦେବା ଯାଏ ନୋ ବରକୋଳି ।


ଗଛରେ ଥାନ୍ତି ସେମାନେ, ଖଟାଖାଇ ମାନଙ୍କୁ ଆହ୍ବାନ ଦଉଥାନ୍ତି ଡାଳ ଡାଳରୁ ।


**********


ସ୍କୁଲ ପଛ ଗେଟ୍ ପାଖରେ ଧୋବଲା ବୁଢୀ ଟିଏ ବାଉଁଶ ଡାଲାରେ କଇଁଥ, ଖଟା କମଳା ଲେମ୍ବୁ, କଞ୍ଚା ଆମ୍ବ, ତା' ବାରି ବରକୋଳି, କାକୁଡି ଧରି ବସେ ।ସୋରା ସୋରା କି ସର ସାର କାଟି ଶବୁଜ ଖଲିପତରରେ ଲମ୍ବୀଥିବା ହାତ ମାନଙ୍କୁ ବଢେଇଦିଏ ସରାଗରେ ଦଶ,କୋଡିଏ ,ଚାରେଣୀ ବଦଳରେ ।ମହୁମାଛି ଭଳିଆ ବେଢି ଥାନ୍ତି ଖରାଛୁଟି ସାରା ଝିଅ ମାନେ ସବୁ ଶ୍ରେଣୀରୁ ସୁ ...ସା .....ସଡ୍...ସାଡ୍ ଶବ୍ଦ ସହ ।


ଫଳ ମାନେ ତା ଜୀବନ ଜୀବିକା, ତା' ହାଣ୍ଡି ରେ ଭାତ ମୁଠେ ଏଇ ଖଟା ଫଳ ମାନେ ଫୁଟାନ୍ତି ।ଏଇତ ତାଙ୍କରି ମିଠାପଣ । ପ୍ରକୃତି ମା ' କାହାକୁ କେମିତି ଚଳାଏ ।ମା' ଟି ସିଏ ......ବାଟ ବତେଇଦିଏ ପେଟ ପାଇଁ ।


ସେ ବୁଢୀ ପାଖରେ ଗୋଟେ କରାମାତି ଗୁଣ୍ଡ ଥାଏ .....ଚୂରଣ ପରି ।ଗୁଣ୍ଡ ନାଲି ଲଙ୍କା,ପଥର ଲାଲି ଲୁଣ ଆଉ ଗୋଟା ଲୁଣ କୁ ଦସ୍ତାପୁଆ ରେ କୁଟିଥାଏ ବୋଧେ ।ସେଇ ଗୋଟାକ ଜାଣି କମାଲ କରେ ।ତାକୁ ଯାହା ମାଗିବ, ସେ ସେଇ ଫଳ ଉପରେ ସେ ଗୁଣ୍ଡ ରୁ ଚିମୁଟେ ନେଇ ଘସିଦବ ତା'ବିଶି ଆଉ ବୁଢା ଆଙ୍ଗୁଠିରେ ....ଆଉ ଟିକି ଚିରା କାଗଜରେ ଗୋଟେ ଧାପିକିଆ ଚାମଚରେ ଦି ଚାମଚ ମୋଡିକି ଦିଏ ପଛରେ ଟିପେଇ ଟିପେଇ ଚାଟିବାକୁ ।


ମୁଁ ବିଲକୁଲ୍ ଖଟା ଭଲପାଏନି, କି ଏତେ ଖାଏନି ବି ।ଖାଲି ଯଚା ହେଲେ ଟୋପେ ଟିପରେ ନେଇ ଚାଖେ, ସେଥିରେ ଚାରିଦିନ ଦାନ୍ତ ରଟରଟ ।କିନ୍ତୁ ସେ କାଗଜ ପୁଡିଆ ମସଲା ଟି କିନ୍ତୁ ମସ୍ତ ,ମତେ ବି ଆରାଏ ।


ମୁଠା ମୁଠା,ମେଞ୍ଚା ମେଞ୍ଚା ଆଉ ଭାରି ପ୍ରିୟ ଏ ସବୁ ର ଝିଅ ମାନେ ମତେ ଚିଡନ୍ତି କୁହନ୍ତି, ଆବେ ତୁ କି ଜୀବଟା ବେ ? ଝିଅ ପିଲାଟେ ଟି ତୁ ? ଖଟା କଣ ଖାଉନୁ? କେମିତି ବିଧାତା ତତେ ଝିଅ ଜନମ ଦେଲା କିରେ?


ହେ ଖଟା ଖାଇବା ନ ଖାଇବା ଉପରେ ଝିଅ ହବା ନିର୍ଭର କରୁଛି ନା କଣ ।


ମତେ ମିଠା ଭଲ ଲାଗେ, ସ୍ପେସିଆଲ୍ ରସଗୋଲା ମୋ ବାପା ଆଣନ୍ତି ମୋ ପାଇଁ .......ପୁରା ଦିଆ ।ମୋ ମୁହଁ ଯେଡିକି ସେଡିକି ବଡ ,ପୁରା ବାପାଙ୍କ ମେଲା ପାପୁଲି ସାଇଜ୍ ର ।


ବରକୋଳି ଠୁ କେତେ ବଡ ଆଉ ସୁଇଟ।


******


ଠିକ୍ ବର୍ଷା ଦିନେ ବି ସେମିତି, ବୁଢୀ ଆଣେ ଝୁଡିଏ ଜାମୁକୋଳି ଆଉ ତା'ର ସେ ତିଲସମୀ ଚୁରଣ ।ଏଇ ଫଳ ଟା ମତେ ଟିକେ ଭଲ ଲାଗେ, ଓଠ ଟା ଜାମୁକୋଳିଆ ଦିଶେ ବୋଲି .... ଜିଭ ସହ ।


ଦିନେ ଖେଳଛୁଟି ସରିବା ଘଣ୍ଟ ବାଜିଗଲାକି, ଆମେ ସବୁ ସ୍କୁଲ ପଡିଆରୁ ଶ୍ରେଣୀ କୁ ଧାଇଁଲୁ ।ସଂକୃତ କ୍ଲାସ ଥାଏ ଆଚାର୍ଯ୍ୟ ସାର୍ ଙ୍କର ।ମନ ଦେଇ ଶୁଣୁଛୁ ....ହଲ୍ ଚଲ୍ ନାହିଁ ।


ପଛ ପଟୁ ଡେସ୍କ ରୁ ଆଗ ବେଞ୍ଚ କୁ ପତ୍ର ଠୋଲାଟି ହାତରୁ ହାତକୁ ସାର୍ ଙ୍କର ଆଖି କୁ ଅଢୁଆଳ କରି ମିଟିକା ମାରେ ମାରି ଆସୁଥାଏ ।ମୋ ପାଖରେ ପହଞ୍ଚି ଗଲା ଅଧାଖାଲି ।ପଛରୁ କଲମ ଖେନ୍ଚା ଆଉ ଜଲ୍ଦୀ ଖା ,ଆଗକୁ ବଢା ର ନିର୍ଦ୍ଦେଶ ।କିନ୍ତୁ ସାର୍ ଅଛନ୍ତି ବା ।ତରତର ରେ ମୁଠେ ପୁରେଇ ଦେଇଛି କି ପାଟିରେ ସାର୍ ଧଡ୍ କି ଡାକିଲେ ଆଉ ,ପରିଡା ପଠ୍ ଧାତୁ ଗା ।ଠିଆ ହ ।


ମଲି ଲୋ ମା ,ଆଉ ଯାଏ କୁଆଡେ ।ପାଟିରେ ପାଟିଏ ଜାମୁ ଜୁସ୍ ସିନା ପେଟକୁ ଉଦରସ୍ତ ହେଇସାରିଥିଲେ କିନ୍ତୁ ମଞ୍ଜି??? କଣ କରାଯାଏ ଆଉ ।ତଳକୁ ମୁହଁ ପୋତି ଠିଆ ।ଉଁ ନା ଚୁଁ ।


ସାର୍ ଆଗରେ ଉଭା ବାଉଁଶ କଣି ନହକା ପାଞ୍ଚଣ ଧରି ।ହାତ ଦେଖା, ହାତ ଦେଖା ।


ପାଞ୍ଚ ପାହାରେ ନଳୀ ପାଠି ନେଳୀ ପଡିଗଲା ।


*******


ପେଟରେ ଝିଅ ଥିଲାବେଳେ ଖାଲି ରସଗୋଲା ଆଉ ଫଳମୂଳ ରୁଚିଲା, ଆଉ ସବୁ ପିତା ।


ପେଟରେ ପୁଅ ଆସିଲା ବେଳେ ଅମୃତ ଅରୁଚି ହେଲା ।


ମାଳଖୁଡି ବେତୁଲିଏ ବରକୋଳି ପାଚିଲା କଞ୍ଚା, ଅଧାପାକଲା ମିଶା ଆଣି ଘରେ ରଖିଗଲେ ....ମା ' ଏତକ ରହିଲା ,କହିକି ।ଲୁଣ ହଳଦୀ ଗୋଳା ହେଇ ଖରାରେ ଶୁଖିଲେ ସେମାନେ ।

ଏପଟବୋଉ ( ମୋ ଶାଶୁବୋଉ ) କରିଦେଲେ ବରକୋଳି ଆଚାର, ବହୁତ କି ଗୁଡ ପାଗ କରି, ମିଠାଆଚାର ।


ଯେତେ ଜରିଲା, ସେତେ ବାସିଲା ।


ନ ମାସ ଜାଣିକି ଗଣ୍ଡେ ସେଇ ରସ ଟିପେ ଟିପେ ସାଙ୍ଗେ ପେଟକୁ ଗଲା,...ଏତେ ଦିନେ ଜାଣିଲି ଖଟା ବରକୋଳି ର ମହତ ।ଜୀବନ ରଖିଦେଲା ।




Rate this content
Log in

More oriya story from Lopamudra Parida

Similar oriya story from Drama