STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ବୋଉର ସ୍ବର୍ଗୀୟ ଚିଠି

ବୋଉର ସ୍ବର୍ଗୀୟ ଚିଠି

2 mins
116

ବୋଉ ମୋର ଆମମାନଙ୍କୁ ଛାଡ଼ି ଯିବାର ଆଜିକୁ ବାଇଶି ଦିନ ହେଲାଣି। ତା' କଥା ସବୁ ସ୍ମୃତି ହୋଇଗଲା। କେମିତି ଭୁଲିହେବ ତାକୁ! ସ୍ୱର୍ଗର ଅମୃତ କେମିତି ଆମେ କେହି ଚାଖିନୁ ସତ ହେଲେ ସେହି ସବୁ ସ୍ବର୍ଗୀୟ ଗୁଣ ଯଥା ସ୍ନେହ,ମମତା, ଶ୍ରଦ୍ଧା, ପ୍ରୀତି, ପ୍ରେମ, ତ୍ୟାଗ, ସେବାର ମିଶ୍ରଣରେ ମୋ ବୋଉ, ସବୁ ବୋଉ ମାନଙ୍କ ଭଳି ଅମୃତମୟୀ ନିଶ୍ଚୟ। ତା' ହାତ ପରଶା ସବୁଠୁ ନିଆରା। ତା' ପଣତ, ମନ୍ଦିର ନେତ ପରି ତୁଳସୀ, ଚନ୍ଦନ, ଅଗରୁ, କସ୍ତୁରୀ ବାସ ଦିଏ। ବୋଉ ମୋର ସୂର୍ଯ୍ୟମୁଖୀ ଫୁଲଟିଏ। ବାପାଙ୍କ ଆବର୍ତ୍ତନ ପରେ ଚାହିଁ ରହେ ଆକାଶକୁ। କାହାକୁ ଖୋଜୁଛୁ ବୋଉ ପଚାରିଲେ ଗୁମସୁମ୍ ହୋଇଯାଏ। ଥରେ ଥରେ ପଚାରେ ସତରେ କ'ଣ ସମସ୍ତେ ମରିଗଲା ପରେ ତାରା ହୋଇଯାଆନ୍ତି ଝିଅ? ଉତ୍ତର ଶୁଣିବା ପୂର୍ବରୁ ଖୋଜୁଥାଏ ସପ୍ତର୍ଷିମଣ୍ଡଳ। ବୋଉର ପିଲା ଭଳି ପ୍ରଶ୍ନରେ ମୁଁ ସିନା ବିଭୋର ହୋଇଯାଏ ହେଲେ ସିଏ ସେ ତାରା ସବୁ ଭିତରେ ବାପାଙ୍କୁ ଖୋଜୁଥାଏ ନିଶ୍ଚୟ କାରଣ, ତାରା ଦେଖୁ ଦେଖୁ ବାପାଙ୍କ ଗୁଣ ଗ୍ରାମ ବଖାଣି ଚାଲିଥାଏ।   ବାପା ଯିବାର ଦଶ ବର୍ଷ ଢେର ପୂର୍ବରୁ ବୋଉ ଏମିତି ଚାଲିଯିବାରେ, ଜୀବନର ପରଜନ୍ମରେ ସେ ବାପାଙ୍କୁ ନିଶ୍ଚୟ ପାଇଥିବ ବୋଲି ଭାବି ତୁନି ପଡେ ମୁଁ। ସେମିତି ତୁନିତାନ ଶୋଇଗଲା ପରେ, ଝିଅ ଡାକିଲା, ତୋର ଗୋଟେ ବିଶେଷ ଚିଠି ଅଛି ଉଠୁ, ଆମକୁ ଡାକବାଲା ମଉସା ଦେଉନାହାଁନ୍ତି। ଧଡ଼ପଡ଼ ହୋଇ ରେଜିଷ୍ଟ୍ରି ଚିଠିଟିକୁ ଦସ୍ତଖତ କରି ଗ୍ରହଣ କଲାପରେ ଚମତ୍କୃତ ହେଲି। ଅଦ୍ଵିତୀୟ ସେ ଚିଠି। ଆଗରୁ ଏମିତି ଲଫାପା କେବେ ଦେଖିନି ପୁଣି ବୋଉ ପାଖରୁ ଆସିଛି। ସବୁ କାମ ଛାଡ଼ି ଚିଠି ପଢିବାକୁ ବସିଗଲି।   ବୋଉ ଲେଖିଥିଲା ତୋ ସ୍ବପ୍ନରେ ବି ଥରେ ଆସୁନି ବୋଲି ମନଦୁଃଖ କରୁଥିଲୁ ନା ଝିଅ, ହେଲେ ଏଠି ପରା ସବୁ ନିୟମ ଓ ଶୃଙ୍ଖଳିତ ଧାରାରେ କରିବାକୁ ପଡୁଛି। ଯେମିତି ବାପା ତୁମକୁ ସବୁ ଶିଖାନ୍ତି। ଗାନ୍ଧିଜୀଙ୍କ ଉଦାହରଣ ଦେଇ ବୁଝାନ୍ତି। ସତ୍ୟ ଅହିଂସା ସହିତ ଧୈର୍ଯ୍ୟ, ସହନଶୀଳତା, ତ୍ୟାଗ, ସମୟାନୁବର୍ତ୍ତିତା, ସଂଯମତା ଗୁଣ ଗୁଡିକ ଏଠି ପାଳନ କରି ରହିବା ଭିତରେ ବାପାଙ୍କୁ ଖୋଜୁଛି ବହୁତ ହେଲେ ପାଉନି। କାହାକୁ ମଧ୍ୟ ପାଉନି ଲୋ ଝିଅ। ଭାବିଥିଲି ତୋ ଅଜା ଆଈ ମାନେ ମୋ ବାପା ଓ ମାଆଙ୍କୁ ଭେଟିବି। କଥାବାର୍ତ୍ତାରୁ ଜାଣୁଛି, ତୋ ବାପା ଏଇଠି ଥିଲେ ତାଙ୍କ ଶୃଙ୍ଖଳିତ ଆଚରଣ ଓ ଉଚ୍ଚାରଣରେ ଖୁସି ହୋଇ ମଣିଷ ଜନ୍ମ ପାଇଗଲେଣି ପୃଥିବୀକୁ। ମତେ ଏଠି ବର୍ଷେ ରହିବାକୁ ପଡିବ। ମୋ ନିଜ ଶୃଙ୍ଖଳା ସହ ମୁଁ ଛାଡ଼ି ଆସିଥିବା ପୁତ୍ର କନ୍ୟା ମାନଙ୍କ ମୋ ପ୍ରତି ଥିବା କର୍ତ୍ତବ୍ୟ, କର୍ମ ଓ ଆନ୍ତରିକତା ପରଖି ମତେ ପୁଣି ଜନ୍ମ ହେବାକୁ ପଡିବ ବୋଧେ। ହଉ ଝିଅ ଆଜି ରଖୁଛି।ପୁଣି ପରେ ଆଉ ସବୁ ଜଣେଇବି।   ଧଡ଼ପଡ଼ ହୋଇ ଉଠିବସିଲି ମୁଁ। ମାସିକିଆ ପାଖେଇ ଆସୁଛି। ବୋଉ ପାଇଁ ବାକି ଥିବା ଅନେକ କର୍ମ ଭିତରେ ତା' ଆତ୍ମା ଶାନ୍ତି ଓ ତା ସଦ୍.ଗତି ପାଇଁ ଯାହା ସବୁ କରିବା କଥା ଠିକ୍ ଠିକ୍ ନହେଲେ କାଳେ ମୋ ବୋଉ ବା ଆମ ବୋଉ କଷ୍ଟ ପାଇବ ଭାବି ଫୋନ୍ ଉଠାଉଥିଲି ଭାଇ ପାଖକୁ,ନହେଲେ ମୋ ବୋଉ ବାପାଙ୍କୁ ପୁଣି ସାତଜନ୍ମର ସାଥୀ ରୂପେ ପାଇବ କେମିତି ??



Rate this content
Log in

Similar oriya story from Abstract