STORYMIRROR

sudarsan mahapatra

Classics

4  

sudarsan mahapatra

Classics

ବୋଉ

ବୋଉ

2 mins
305


-"ବୋଉ ର ଏକା ଜିଦ୍ ସେ ଗାଁ କୁ ଯିବ" - ସକାଳୁ ସକାଳୁ ଫୋନ୍ କରି କହିଲେ ଭାଇ।

- "ସହଜେ ଠିକ୍ ସେ ଚାଲି ପାରୁନି। ହାମୁଡେଇ କରି କେତେ କଷ୍ଟରେ ବାଥରୁମ ଯାଇ ଆସୁଛି। ସେ ପୁଣି କେମିତି ଗାଁ ରେ ଭାଗବତ ସପ୍ତାହରେ ଯାଇଁ ଠାକୁରଙ୍କ ସାମ୍ନାରେ ବସି ପ୍ରବଚନ ଶୁଣିବ ? ମୋତେ କହୁଥିଲା ଗାଁ ରେ ନେଇ ଛାଡି ଆସିବାକୁ ଯେ ମୁଁ ମନା କରିଥିଲି।" ହସି ହସି କହିଲି ।

-" ତୁ ସିନା ଛାଡ ପାଇଛୁ। ହେଲେ ମୁଁ ସକାଳେ ଟୁରରୁ ଫେରିଲା ବେଳରୁ ମୋ ପଛରେ ପଡ଼ିଯାଇଛି ବିଚାରି।ଆଉ ମାଧ୍ୟମ ହୋଇଛି ତୋ ଭାଉଜ। କ'ଣ ଆଉ କରିବି। ଗାଡି ବୁକ୍ କରି ଦେଉଛି।" 

-" କାରରେ ବସିଲେ ତ' ତା'ର ବାନ୍ତି ସୁନିଶ୍ଚିତ। ଆଗତୁରା ଗୋଟିଏ ଔଷଧ ଦେଇଦେବ।"

  ବୋଉ ଗାଁରେ ପହଞ୍ଚିଲା ପରେ ଭାଉଜ ଜଣାଇଲେ ଆଉ ବୋଉ କେମିତି ଗାଆଁ କୁ ଯିବ ବୋଲି ବ୍ୟସ୍ତ ହେଉଥିଲା କହି ହସୁଥିଲେ। ସବୁଠୁ ବଡକଥା ହେଲା କୌଣସି ଔଷଧ ନଖାଇ ବି ବୋଉ ର ଆଜି ବାନ୍ତି ହୋଇନାହିଁ ବୋଲି ଜଣାଇଲେ ଭାଇ ।   


 - " ବୋଉର ତ ଆଉ କିଛି କଥା ମନେ ର‌ହୁନି, ତୁମେ କାହିଁକି ତାକୁ ଭାଗବତ ସପ୍ତାହ କଥା ମନେପକେଇ ଦେଉଥିଲ?

ମଜାରେ କହିଲି ଭାଉଜଙ୍କୁ।

-" କୁହନି ଆଉ ସେକଥା। ଔଷଧ ଖାଇବା କଥା ଭୁଲିଯାଉଛନ୍ତି। ବନ୍ଧୁ ବାନ୍ଧବ ଙ୍କ ନାଁ ଗାଁ ଭୁଲି ଯାଉଛନ୍ତି। ହେଲେ ଗାଆଁ ରେ କେବେ ସପ୍ତା ବସିବ ଦିନକୁ ଦୁଇଥର ମୋତେ ମନେ ପକେଇ ଦେଉଥିଲେ।" ହସିକି କହିଲେ ଭାଉଜ।


ହେଲେ ଠାକୁର ବସିଥିବା ଜାଗା ପର୍ଯ୍ୟନ୍ତ ବୋଉ ଯାଇପାରି ନଥିଲା ବୋଲି ସାନଭାଇ ଗାଆଁରୁ ଖବର ଦେଲା। ଦାଣ୍ଡ ଦୁଆରେ ବସି ମାଇକ ଦ୍ୱାରା କାନ ପାଖରେ ପହଞ୍ଚୁଥିବା ପ୍ରବଚନ କୁ ରୀତିମତ ଶୁଣୁଥିଲା ବୋଉ।ଗଲା ଗୁରୁବାର ଥିଲା ହରିହାଟ। ଶୁକ୍ରବାର ସକାଳୁ ସାନଭାଇ ଶୁଣାଇଲା ବୋଉର କାଣ୍ଡ କାରଖାନା। 

    କାହାକୁ ନକହି ସେ ବସୁଥିବା ହ୍ବିଇଲ ଚେୟାର ଗଡେଇ ହରିହାଟ ଦେଖିଯିବ ବୋଲି ଯାଇଁ ବୋଉ ପାହାଚ ପାଖରେ ହାଜର। ଭାଗ୍ୟକୁ ଗାଁ ର ଗୋଟିଏ ପିଲା ଦେଖି ଡାକ ପକେଇଲା। " ଯଦି ସେଇ ଛଅ ସାତଟି ପାହାଚ ତଳକୁ ବୋଉ ଗଡି ଯାଇଥାନ୍ତା..! ଭାଇ ମଧ୍ୟ ଘରେ ନଥିଲେ। ଏତିକି କହି ସୌମ୍ୟ (ସାନଭାଇ) ଅଟକି ଗଲା। ମୁଁ ବୁଝିଗଲି ତା'ର କଣ୍ଠ ରୁନ୍ଧି ହୋଇ ଯାଉଛି...!

   -"ବୋଉ ଆମର ଛୋଟ ପିଲା ପରି ଖୁବ୍ ଜିଦିଆ ହୋଇ ଯାଇଛି ନା !" ସୌମ୍ୟ କୁ ସାବଲୀଳ କରେଇବାକୁ କହିଲି।

-" ଛୋଟ ପିଲା ନୁହେଁ ତ ଆଉ କ'ଣ ? ତଥାପି କାଲି ଜିଦ୍ କଲା ହରିହାଟ ବୁଲିବ ବୋଲି। ଶେଷକୁ ଭାଇ ଆଉ ମୁଁ ଗୋଟିଏ ଚେୟାର ରେ ବସେଇ ବୋଉକୁ ହରିହାଟ ସାରା ବୁଲେଇଲୁ। ଗାଁ ଲୋକ ଏ ଦୃଶ୍ୟ ଦେଖି ମଜାନେଲେ। ତଥାପି ଭାରି ଭଲ ଲାଗିଲା।"

- " ତୁମେ ଦୁଇଭାଇ ବହୁତ ପୂଣ୍ୟ କାମ କରିଛ। ମୋତେ ତ ସେ ଭାଗ୍ୟ ପ୍ରାପ୍ତ ହେଲାନି ନା..!" ତାକୁ ଖୁସି କରାଇବାକୁ କହିଲି।


-"ହରିହାଟ ରେ ତ ବୁଲିଲୁ। ମନଖୁସି ତ ! ଏବେ କ'ଣ କରୁଛୁ ? ତୋ ପୂଣ୍ୟରୁ ମୋତେ ଟିକେ ଦବୁ, ହେଲା। " ସନ୍ଧ୍ୟାରେ ବୋଉ ସହିତ ଫୋନରେ କଥା ହେଉଥିଲି।

- "ମୁଁ ତ ହାମୁଡେଇ ହାମୁଡେଇ ଅଳପ ଜାଗାରେ ବୁଲି ଆସିଥାନ୍ତି।ଏ ଦି' ଭାଇ ମୋତେ କ'ଣ ସେକଥା କରେଇ ଦେଲେ ? ତୁଚ୍ଛାଟାରେ କଷ୍ଟ ପାଇଲେ । କାଲି ତୋ ଜନ୍ମଦିନ ଥିଲା ତ ! ତୋ ମଙ୍ଗଳ କାମନା କରି ଠାକୁରଙ୍କ ପାଖକୁ ଯାଇଥିଲି। ତୋର ସବୁ ଅଭାବ ପୁରଣ କରିବାକୁ ଠାକୁରଙ୍କୁ ଗୁହାରି କରି ଆସିଛି।"

     ଭାବୁଥିଲି ଅଶୀତିପରର ମୋ ବୋଉର କିଛି କଥା ମନେ ର‌ହୁନଥିବା ବେଳେ, ମୋ ଜନ୍ମଦିନ କଥା କେମିତି ମନେ ପଡିଲା ! ଭୁବନେଶ୍ୱରରୁ ଗାଆଁ...ଘରୁ ହରିହାଟ ପରିସର ... ତା'ର ଜିଦି... ଏସବୁ କଥା ଭାବି ମୋ ଆଖି ସ୍ବତଃ ଲୁହରେ ଉଛୁଳି ପଡୁଥିଲା। 


   ବୋଉ ପାଦତଳେ ମୋର ସହସ୍ର ନମନ...!!!


विषय का मूल्यांकन करें
लॉग इन

Similar oriya story from Classics