ବୋଉ କଥା ସତହେଲା
ବୋଉ କଥା ସତହେଲା
ସେଦିନ ଶେଷ ପାସେଞ୍ଜର ଟ୍ରେନ ଫେଲ ହୋଇ ପ୍ଲାଟଫର୍ମରେ ରାତି କାଟିବା ଛଡା ଅନ୍ୟ ଉପାୟ ନଥିଲା ପ୍ରକାଶର । ପ୍ଲାଟଫର୍ମ ତ ନୁହେଁ ଗୋଟେ ଅଜାବେଷ୍ଟସ ଛାତ ତଳେ ଥିବା ଘାସ ଗାଲିଚା । ବୋଉ ସତ କଥା କହୁଥିଲା, ଏମିତି ଜାଗାରେ ଚାକିରୀ କରିଛୁ ମାନେ ପିଲାଛୁଆ ନେଇ ସେଠି ଘରଭଡା ଖୋଜି ରହ । ପ୍ରକାଶ କିନ୍ତୁ ଯିବା ଆସିବା କରୁଥିଲା କେବଳ ବୋଉ ପାଇଁ । ଆଜିକାଲିର ପାଞ୍ଚଟା ପୁଅଙ୍କ ପରି ନୁହଁ ପ୍ରକାଶ । ବାପା ଚାଲିଗଲା ପରେ ବୋଉକୁ ଏକା ଛାଡ଼ି ଯିବାକୁ କେବେ ଭାବିନି ସେ ଆଜିଯାଏଁ ।
ଘରଣୀ ମିତାର ମଧ୍ୟ ସେହି ଏକା ଚିନ୍ତାଧାରା । ବାପା ମାଆ ଭାଇଙ୍କୁ ହରାଇ ଥିବା ମିତାଙ୍କୁ ପ୍ରକାଶ ପରି ବର ଓ ଏ ଘର ମିଳିଛି କେବଳ ବୋଉଙ୍କ ଯୋଗୁଁ ତେଣୁ ତାଙ୍କର ସବୁ ଦାନର କିଛି ପ୍ରତିଦାନ ନଦେଲେ, ସବୁ ପାପରେ ଭାଗୀ ହୋଇ ଘାଣ୍ଟି ହେବା ସାର ହେବ, ବୋଲି ମିତା ସାଥ ଦେଇଛି ପ୍ରକାଶର ଉତ୍ତମ ସହଧର୍ମିଣୀ ଓ ସହକର୍ମିଣୀ ହୋଇ ଏଯୁଗରେ । ଏମିତି ସବୁ ଭାବୁ ଭାବୁ ଘାସ ଗାଲିଚା ଉପରେ ଶୋଇଗଲା ପ୍ରକାଶ ।
ସକାଳୁ ଉଠିଲା ବେଳକୁ ଶୀତୁଆ ସକାଳରେ ଠା କୁ ଠା ନିଆଁ ଜାଳି କେତେକ ଯାତ୍ରୀ ଟ୍ରେନକୁ ଅପେକ୍ଷା କରିଛନ୍ତି । ତାର ନା ଅଫିସ ନା ଘରକୁ ଯିବାର ଇଛା ଥିଲା । ଫୋନ କାଢ଼ି ଦେଖେତ ମିତାର ପଇଁତିରିଶ ମିସ କଲ । ଅଫିସକୁ ଫୋନ କରି ଛୁଟି ମାଗି ଫେରିଲା ଗାଁକୁ । ଛାତି ଧଡ଼ାପଡ଼ ହେଉଥାଏ । ଶୀତୁଆ ସକାଳରେ ଝାଳ ଗମଗମ ବାହାରୁଥାଏ । ଅଜଣା ଭୟରେ ଗାଁ ରାସ୍ତା ପାର ହୋଇ ଘରେ ପହଁଚିଲା ବେଳକୁ ସବୁ ସରିଥିଲା । ବୋଉ ଆଉ ଇହ ଜଗତରେ ନଥିଲା । କ୍ରିୟା କର୍ମ କର୍ମାଣୀ ସବୁ ସାରି ଯିବା ବେଳେ କଣ ଛାଡ଼ି ଗଲା ପରି ଲାଗୁଥିଲା । ମିତା ବୋଉଙ୍କ ଅସ୍ଥି ଛାଡ଼ି ଯାଇହେବନି କହୁଥିଲା ବେଳେ ସେଦିନ ଶେଷ ଟ୍ରେନ ଫେଲ ହୋଇ ଘାସ ଉପରେ ଶୀତ କାକରରେ ଶୋଇଯିବା ପରେ ଦେଖିଥିବା ସ୍ବପ୍ନ ମନେ ପଡୁଥିଲା ପ୍ରକାଶର ।
ସେହି ଦିନ ରାତି ସାରା ବୋଉ ତା ପାଖରେ ବସି କାନି ପଣତରେ ମଶା ଉଡେଇ ଦେଇ କହୁଥିଲା ଦେଖ ପୁଅ, ମୁଁ ପାଚିଲା ପତର, କୋଉଦିନ ଝଡିଯିବି । ତୁ ମୋ ପାଇଁ ବ୍ୟସ୍ତ ହୁଅନା । ମୋର ଏଠାରେ ଗାଁ ଭାଇ ବନ୍ଧୁ ସଖା ସହୋଦର ସମସ୍ତେ ଅଛନ୍ତି । ମୁଁ ଚଳିଯିବି କିନ୍ତୁ ତୁ ଶେଷ ଟ୍ରେନ ଧରିବାକୁ ଯାଇ ଏତେ ହଇରାଣ ମୁଁ ଆଉ ଦେଖିପାରିବି ନାହିଁ । ସ୍ୱପ୍ନରେ ବୋଉକୁ ପ୍ରଶ୍ନ ପଚାରିଥିଲା ପ୍ରକାଶ ତେବେ ତୁ ଯିବୁତ ମୋ ସହ, ବୋଉ କହିଥିଲା ହଉ ତୋର ଯଦି ଏତେ ଜିଦ ବଞ୍ଚିଥିଲା ବେଳେ ଯାଉନି ଘଟ ହୋଇ ଘାଟକୁ ଯିବି । ତ ପ୍ରକାଶର ସେ ସ୍ବପ୍ନ ଏବେ ମନେ ପଡି ଦେହର ରୁମ ଟାଙ୍କୁରି ଯିବା ବେଳେ ମିତା ଅସ୍ଥି ଘଟ ନେବାର ସୁବନ୍ଦୋବସ୍ତ କରି ସାରିଥିଲା । ମିତା ପ୍ରକାଶକୁ ଦମ୍ଭ ଦେଇ ଉଠିବାକୁ କହିଲା ବେଳେ ଦୁହିଁଙ୍କ ଆଖିରୁ ଝରି ପଡୁଥିଲା ଅମାନିଆଁ ଅଶ୍ରୁ ଟୋପା ଧାର ଧାର ।
