ବାପା ଅଶୋକ ଓ ମାଆ ମିନତି ଙ୍କ ସଙ୍ଗେ ଛୁଟିରେ ମସ୍ତି କରିବାକୁ ଗାଁକୁ ଆସିଥାଆନ୍ତି ଦୁଇଭାଇ ଚିକୁ ଓ ମିକୁ. ଗାଁ ତାଙ୍କୁ ଖୁବ ଭଲ ଲାଗୁଥାଏ. କେବେ ଜମିରେ ଠିଆ ହୋଇଥିବା ପାଳଭୂତ ଦେଖି ଅଭିଭୂତ ହୁଅନ୍ତି ଦୁଇଭାଇ ତ କେବେ ବାଇଚଢେଇ ବସା, ପୁଣି କେବେ ଧାନ ବେଙ୍ଗଳା ପଡ଼ିବାର ଦୃଶ୍ୟ ତ କେବେ ହଳ ଲଙ୍ଗଳ ଧରି ବିଲ ଚାଷ କରିବା ଦୃଶ୍ୟ. ଏସବୁ ମସ୍ତି ଭିତରେ ପଡୋଶୀ ଘର ସମସାଅମାୟିକ ପୁଅ ମୁନା ସହ ସାଙ୍ଗ ହୋଇ ତାଙ୍କ ଘରେ ଅଁଳା କୋଳି ଆଚାର ଖାଇବା, ମୁନା ର ଜେଜେ ମାଆ ଙ୍କ ପାଖରୁ ଗପ ଶୁଣି ମୁନା ସହ ଚିକୁ ମିକୁ ତାଙ୍କ ଘରେ ମୁନା ଜେଜେମାଆ କୋଳରେ ଶୋଇଯାଆନ୍ତି ପୁଣି ମୁନା ତା ଜେଜେଙ୍କୁ ଘୋଡା କରି ତାଙ୍କ ପିଠିରେ ଦୁଇଭାଇ ଚାଲ ଘୋଡା ଚାଲ କହି ମୁନାର ଜେଜେଙ୍କ ପିଠି ରେ ବସିଲେ ମୁନା ନିଜେ ଓ ମୁନା ଘର ଲୋକ ତାଳି ମାରୁଥାନ୍ତି ମସ୍ତି ମଜ୍ଜା କରୁଥାନ୍ତି କିନ୍ତୁ ମାଆ ଆସି ବିରକ୍ତ ହୋଇ ଚିକୁ ମିକୁଙ୍କୁ ବାରଣ କରନ୍ତି. ସେଦିନ ଚିକୁ ମିକୁ ଦୁଇଭାଇ ପଡୋଶୀ ମୁନା ଘରକୁ ଯାଇ ନପାରି ଖୁବ କାନ୍ଦୁଥିଲେ ତଥାପି ମାଆ କହୁଥିଲେ ତୁମେ ଦୁଇଜଣ ଯାହା କରୁଛ ଘରେ କର ତାଙ୍କ ଘରକୁ ଯାଇ ସେମାନଙ୍କୁ ହଇରାଣ କର ନାହିଁ.
ସେତିକି ବେଳକୁ ମୁନାର ଜେଜେମାଆ ନିଜ ହାତ ତିଆରି ଆରିସା ପିଠା ନେଇ ଚିକୁ ମିକୁ ଙ୍କୁ ଖୋଜି ପହଁଚିଲେ ଓ ଆଜି କାହିଁକି ଆମ ଘରକୁ ଯାଇନ ପଚାରିଲେ. ମୁନା ତୁମ ଦୁହିଁଙ୍କୁ ନଦେଖି ଋଷି ବସିଛି. ତୁମେ ଦୁହେଁ ଗଲେ ସେ ତୁମ ଦୁହିଁଙ୍କ ସଙ୍ଗେ ବାଡ଼ିପଟ କଇଁ ଗଡିଆରୁ ଧରା ହୋଇଥିବା ଶେଉଳ ମାଛର ଝୋଳ... ବେଟା ହରିଆ ହରିଆ ବୋଲ କହି ମସ୍ତି କରିବା ସହ ଛୁଟିରେ ସାଙ୍ଗ ହୋଇ ଖାଇବାକୁ ଜିଦ ଧରି ବସିଛି. ଚିକୁ ମିକୁ ଡରି ଡରି ନିଜ ମାଆ ଙ୍କୁ ଚାହିଁଲେ ତ ମାଆ କହିଲେ ସେ ଦୁହେଁ ଗାଧେଇ ନାଁହାଁନ୍ତି. ଜେଜୀ ମାଆ କହୁଥିଲେ ନଗାଧାନ୍ତୁ କଣ ହେଲା ସେଇଠୁ!ମୁନା ସହମରା ନଡ଼ିଆ ତେଲ ଲଗେଇ ଗାଧେଇଦେବି. ଡରୁଛୁ କି ବୋହୁ. ମୁଁ ପରା ତୋର ଖୁଡି ଶାଶୁ ହେବି. ସହରକୁ ଚାଲିଗଲ ବୋଲି ଚିକୁ ମିକୁ କଣ ପର ହୋଇଗଲେ କହି ଚିକୁ ମିକୁ ଙ୍କ ପୋଷାକ ସହ ଜେଜୀ ମାଆ ସେ ଦୁହିଁଙ୍କୁ ନେଇ ଚାଲିଯିବା ବେଳେ ଚିକୁ ମିକୁ ଙ୍କ ମୁଁହଁରୁ ଝରିପଡୁଥିଲା ଛୁଟି ରେ ଗାଁ କୁ ଆସି କି ମଜ୍ଜା ସତରେ!ପଡୋଶୀ ଘର କି ପର ଆପଣା ଭେଦ ଭାବ ନଥିଲା ଗାଁରେ. ଦୁହେଁ ଭାବୁଥିଲେ ଗାଁ କେତେ ଭଲ ସତରେ!
ଚିକୁ ମିକୁ ଦୁଇଭାଇଙ୍କ ମାଆ ମିନତି, ଛୁଟିରେ ମସ୍ତି କରିବାକୁ ଗାଁକୁ ଆସି କିନ୍ତୁ ଭାବୁଥିଲେ ଅଲଗା କଥା. ଏଇ ଗାଁ ଝିଅ ମିନତି ସେଦିନ ଅଗିରା ପୂର୍ଣ୍ଣମୀ ଚାନ୍ଦିନୀ ରାତିରେ ଚନ୍ଦ୍ର ଙ୍କ ଶୀତଳତା ଭରା ଜୋଛନା ତଳେ ଠିଆ ହୋଇ କେତେକଣ ଭାବି ଚାଲିଥିଲା ବେଳେ ଅଶୋକ ଆସି ତାଙ୍କ ବାମ ହାତ ପାପୁଲଟିକୁ ଭିଡ଼ିନେଇ କହିଥିଲେ ତତେ ଗୋଟେ କଥା ପଚାରିବି ସତ କହିବୁ ମିନତି. କଥା ଶେଷ ହେବା ପୂର୍ବରୁ ହାତ ଛିଞ୍ଚଡି ଘର ଭିତରକୁ ଦୌଡ଼ି ପଳେଇଥିଲେ ମିନତି କିନ୍ତୁ ଆଜି ର ଏହି ପଡୋଶୀ ଖୁଡିଶାଶୁ ବୋଲାଉଥିବା ତାଙ୍କ ବୋଉ ବାପାଙ୍କ ପାଖେ କଥାଟା ପକ୍କା କରିବାକୁ ପଛେଇନଥିଲେ. ମଙ୍ଗଳ ଦୋଷ ଥିଲା ଜାତକରେ ବୋଲି ସବୁ ପ୍ରସ୍ତାବ କାଟ ଖାଇ ଯାଉଥିଲା ବେଳେ ଅଶୋକ ଙ୍କୁ କାହିଁକି ସେ ମଙ୍ଗଳ ଦୋଷରେ ଘାଣ୍ଟିବେ ବା କିଛି କ୍ଷତି ପହଞ୍ଚାଇବେ ଭାବି ସେଦିନ ଅଗିରା ଜଳା ସ୍ଥାନରୁ ଅଶୋକଙ୍କ ସ୍ପର୍ଶ ରେ ଫିଟି ଆସିଥିବା ମିନତି ଙ୍କ ମାନତଳେ କେବଳ ଯେ ଅଶୋକ ରାଜା ହୋଇ ହୃଦୟ ମାଡିବସିଥିଲେ ଏକଥା ସେ ଅନେକଙ୍କ ସହିତ ଅଶୋକଙ୍କୁ ଫାଙ୍କି ଦେଲେ ଵି ନିଜ ପାଖରେ ହାରି ଯାଉଥିଲା ବେଳେ ବାହଘର ହୋଇଗଲା ନେତି ଖୁଡିଙ୍କ ମଧ୍ୟସ୍ଥି ରେ. ବୋହୁ ହୋଇ ଆସିଲା ପରେ କିନ୍ତୁ ଶାଶୁଙ୍କ ଅସହ୍ୟ ଗାଳି ଗୁଲଜ ସାଙ୍ଗକୁ ପରୋକ୍ଷ କଟାକ୍ଷ ଓ ପ୍ରତ୍ୟେକ୍ଷ ଯନ୍ତ୍ରଣା ସହି ନପାରି ନେତି ଖୁଡିଙ୍କ ବାଡ଼ିପଟ କଇଁ ଗାଡିଆରେ ବସି କେତେ କାନ୍ଦନ୍ତି. ପଛରୁ ପିଠିରେ ହାତ ରଖି ନେତି ଖୁଡି ଖାଲି ତାଙ୍କୁ ବୁଝାନ୍ତି ନାହିଁ ବରଂ ଶାଶୁଙ୍କୁ ମଧ୍ୟ ବୁଝାନ୍ତି. ପାଚିଲା ପତର ଆମେ ଫଗୁଣ ଆସୁ ଆସୁ ପତ୍ରଝଡା ଦେବା ପରି କେତେବେଳେ ଝଡିଯିବା କିଏ କହିବ ନାନୀ. ତେଣୁ ବୋହୁକୁ ଝିଅ ପରି ଭାବ ଦେଖିବ ଜୀବନରେ ରଙ୍ଗ ଭରିଯିବ. କି ମଙ୍ଗଳ ଦୋଷ.. କାହିଁକି କରୁଛ ମିଛରେ ଅବଶୋଷ!ଆହେ ନାନୀ ଆଜିକାଲି ପରା ନାହାକ ପଣ୍ଡିତ କହନ୍ତି ମିଛ... ଦ୍ୱାରେ ଦ୍ୱାରେ ବୁଲି ମାଗନ୍ତି ଭିକ. ଏମିତି ସବୁ କହି କେତେ ବୁଝେଇଥିଲେ ଶାଶୁଙ୍କୁ ନେତି ଖୁଡି. ପୁଣି କହିଥିଲେ ଗଳ୍ପଟିଏ. ନୂଆ ବର୍ଷ ର ପ୍ରଥମ ସକାଳ ରେ ବୋହୁ ହାତର ମିଠା ଚା ଆହୁରି ମିଠା ଲାଗୁଥିଲା ଅର୍ପିତା ଙ୍କୁ. ଝିଅ ବାହା ହୋଇ ଶାଶୁ ଘରେ ହେଲେ ଏଇ ପର ଝିଅଟି ହିଁ ତାଙ୍କ ଘରର ଝିଅ. ପ୍ରକୃତରେ ସାମାଜିକ ନିୟମ ଓ କଟକଣା ଭିତରେ କେତେ ସବୁ ଅଭିଜ୍ଞତା ପୂର୍ଣ୍ଣ ବିଷୟ ର ସମାହାର ସଂସାର ରେ. ସମୟ ସାରଣୀ ସହ ତାଳ ମେଳ ରଖି ନିୟମ କାନୁନ କରାଯାଇଛି. ଯିଏ ଯାହା ସ୍ଥାନରେ ଠିକ ଠାକ ଅଛନ୍ତି. ସେତେବେଳେ ଯେବେ ପ୍ରଥମ କରି ବୋହୁ ହୋଇ ଶାଶୁ ଘର ଆସିଥିଲେ ଅର୍ପିତା ତାଙ୍କୁ ଭାରି ଅଭିମାନ ଲାଗିଥିଲା ଯେ କୋଡିଏ ବର୍ଷ କାଳ କଟେଇଥିବା ଘର ଟା ତାଙ୍କର ନୁଁହଁ ବରଂ ତାଙ୍କୁ ଆଉ କୋଉ ଘରକୁ ଯିବାକୁ ହେବ. ସେଇ ଅପରିଚିତ ଲୋକମାନଙ୍କୁ ସ୍ନେହ ଶ୍ରଦ୍ଧା ଦେଇ ନିଜର କରିବାକୁ ହେବ ଭାବି ହାତ ଗୋଡ଼ ଥରେ ଯେ ଯଦି କେବେ କିଛି ଭୁଲ ହେଇନଯାଉ. ଗୋଟେ ଦିନର କଥା. ବଡ଼ ଯାଆ ଓ ନଣନ୍ଦ ଗୀତ ଗାଇବାକୁ କହିବାରୁ ଅର୍ପିତା ଗାଇଦେଲେ ସେଇ ଗୀତା ପଟ୍ଟନାୟକ ଙ୍କ ଗୀତ ଟି ବୋଧହୁଏ ମୁଁ ତ ଶାଶୁଘରେ ବୋହୁ ନୂଆ... ନୂଆ ମଣିଷଙ୍କୁ ନେଇ ମୁଁ ଚଳିବି କେମିତି ଲାଗେ ଛାନିଆଁ... ମୁଁ ତ ଶାଶୁ ଘରେ ବୋହୁ ନୂଆ. ଗୀତ ଟି ଗୀତଟିଏ ଥିଲା ବୋଲି କେହି ବୁଝିନଥିଲେ ସେଦିନ. ଗୀତର ଅର୍ଥ କୁ ବୁଝି ଶାଶୁ, ନଣନ୍ଦ ଓ ଯାଆ ମାନେ କଥା କାଢିଥିଲେ.ଗୀତ ଟା କି ତାଙ୍କ ବୋଉ ର ଖୁବ ପ୍ରିୟ ଥିବାରୁ ଅଧିକାଂଶ ସେ ଗୁଣୁ ଗୁଣୁ ଗାଏ ତ ସମୟ କ୍ରମେ ଅର୍ପିତାଙ୍କ ପ୍ରିୟ ହୋଇଯାଇଥିଲା ଗୀତଟି କିନ୍ତୁ ଆଜି ବୋହୁ ହିସାବରେ ତାଙ୍କୁ ଶିକ୍ଷା ମିଳିଥିଲା କି ସବୁ ଜିନିଷର ସ୍ଥାନ କାଳ ଓ ପାତ୍ର ଅନୁଯାୟୀ ରୂପ, ଭେକ, ଅବସ୍ଥା ଓ ସ୍ୱରୂପ ଭିର୍ନ୍ନ ଭିର୍ନ୍ନ. ତେଣୁ ଝିଅକୁ ସେ ବଢ଼େଇଥିଲେ ସେମିତି ଯେ ଯେତେ ପାଠ ଶାଠ ପଢିଲେ ମଧ୍ୟ ବୋହୁ ହେଲାପରେ ଝିଅଟିଏ ନିଜକୁ ବଦଳାଇ ନେବା ଉଚିତ. ସମୟ ସହିତ ତାଳ ମେଳ ରଖିବା ସହ ସ୍ଥାନ କାଳ ପାତ୍ର ଓ କାଳ ର ମୂଲ୍ୟ ବୁଝିବା ଦରକାର. ଯାହା ହେଉ ଝିଅ ର ତାଙ୍କର ଭଲ ବୋହୁ ବୋଲି ସୁନାମ ଅଛି. ସେଥିପାଇଁ ମାଆ ର ଅବଦାନ ଅଛି ବୋଲି କେହି କହିବେନି କିନ୍ତୁ ଭୁଲ ହୋଇଗଲେ କି ପାଟିରୁ କଥା ଖସିଗଲେ ବା ଭୁଲ ଭାଲ ଅଜଣାତ ରେ ହୋଇଗଲେ ମଧ୍ୟ ଶୁଣିବାକୁ ମିଳେ ମାଆ ଯେମିତି ବଢ଼େଇଛି ଝିଅ ସେମିତି ଆଚରଣ ଓ ଉଚ୍ଚାରଣ କରୁଛି. ସେଥିପାଇଁ ଅର୍ପିତାଙ୍କ ଝିଅ ମଧ୍ୟ ଖୁବ ସତର୍କ.
ଏଠି ଘରେ ଝିଅକୁ ବିଦା କରିସାରିବା ପରେ, ଅର୍ପିତା ବୋହୁ ଆଣିବା ପରେ ନିଜେ ଖୁବ ସମୟ ଉପଯୋଗୀ ସତର୍କ. ବତେଇବା ଶିଖେଇବା କେହି ଆଜିକାଲି ଗ୍ରହଣ କରେନାହିଁ. ସ୍ବାଧୀନତା ଦେବା ମଧ୍ୟ କେହି ଲୋଡ଼େ ନାହିଁ. ଭଲ କହିଲେ ଭେଲ ହୁଏ ବୋଲି ବୁଝିସାରିଥିବା ଅର୍ପିତା ହୁଏତ ଭଲ ମାଆ କି ନୁଁହଁନ୍ତି ଝିଅ ପୁଅ କହିବେ କିନ୍ତୁ ବୋହୁ ପାଇଁ ସେ ନିଜେ ମାଆ ଠାରୁ ଅଧିକା ହୁଅନ୍ତି. ପାଟି ଫିଟାନ୍ତି ନାହିଁ କି କଟକଣା କରନ୍ତି ନାହିଁ ତ ସମ୍ପର୍କ ଠିକ ଠାକ ଚାଲିଛି. ବୁଝିଯାଇଛନ୍ତି ଅର୍ପିତା କି ନିଜ ଝିଅ ନୁଁହଁ ବରଂ ବୋହୁ ହିଁ ପାଖରେ ଥିବ. ହାତ ଗୋଡ଼ ନଚାଲିଲା ବେଳେ ଆହା ସାହା ରାହା ହେବାକୁ ତଥା ଆଶ୍ରୟ ହୋଇ ପାଖରେ ଥିବ ପରଝିଅ ବୋହୁ.ତ ନୂଆବର୍ଷ ର ନୂଆ ସକାଳେ ବୋହୁ ମୁଁହଁ ଦିଶୁଥିଲା ଖୁବ ସୁନ୍ଦର, ସତେଜ ଓ ଆକର୍ଷଣୟ ଠିକ ନୂଆ ସକାଳ ର ନୂତନ ସୂର୍ଯ୍ୟ ଙ୍କ ପରି. ସତରେ କିଏ ହେବ ବୋହୁ ସରି! ଏଇତ ଚା ପରେ ପରେ ସଜାଡ଼ିଲାଣି ସୁସ୍ୱାଦୁ ଜଳଖିଆ.ବାସ୍ନାରେ ମହକୁଛି ଘର ବାହାର. ସେ ବାସ୍ନା ଭାରି ସ୍ୱତନ୍ତ୍ର, ଠିକ ବୋହୁ ପରି.ମିନତି ଙ୍କୁ ମଧ୍ୟ ସେହିପରି ଗପଟିଏ ଶୁଣେଇ କହିଥିଲେ ଶାଶୁ ବୋହୁଙ୍କ ସମ୍ପର୍କ କିପରି ହେବା ଉଚିତ କହି କହିଥିଲେ ଗପଟି.ସୌମ୍ୟର ସ୍ତ୍ରୀ ନୂଆବୋହୁର ମାଛ ଖୁବ ପସନ୍ଦ. ସବୁଦିନ ଶାଶୁମାଆଙ୍କ ବରାଦରେ ଘରକୁ ମାଛ ଆସୁଥିଲେ ବି ଶାଶୁମା କେଵେ ଖାଆନ୍ତି ନାହିଁ. ବୋହୁର ସାହାସ ହୁଏନି ପଚାରିବାକୁ କାହିଁକି ବୋଲି କିନ୍ତୁ ସୌମ୍ୟ କହେ ସେ ତୁମ ଭଳି ବିଲେଇ ହୋଇକି ନାହିଁ. ଏ ଉତ୍ତର ଶୁଣି ସ୍ନିଗ୍ଧାକୁ ଲାଗେ ତେବେ ଆଗରୁ କଣ ମାଆ ବିଲେଇ ପରି ମାଛ ଖାଉଥିଲେ? ଏବେ ତେବେ କାହିଁକି ଖାଉନାହାଁନ୍ତି ବୋଲି ଭାବେ କିନ୍ତୁ ପଚାରିପାରେନା,ଯଦିଓ ମାମୁଁଘର ସମୁଦ୍ରକୁଳିଆ ଅଞ୍ଚଳରୁ ଆସୁଥାଏ ଋତୁ ଅନୁଯାଇ ଢେର ମାଛ ତା ପାଇଁ. ମାଆ କହନ୍ତି କାହିଁ ଏତେ କଷ୍ଟ କରି ଆସିଲ ଦାମ କକା?ତ ମାମୁଁଘର ପ୍ରଜା ଦାମକକା କହନ୍ତି ତୁମେ ସିନା ଛାଡିଦେଲ ମାଛ ଖାଇବା ଦେଇ ହେଲେ ନୂଆବୋହୂ ମାଆ ପରା ମାଛ ପ୍ରିୟ. ଏଥର ସ୍ନିଗ୍ଧା କିନ୍ତୁ ଗୋଟେ କଥାରେ ନିଶ୍ଚିନ୍ତ ହୋଇଗଲେ ଯେ ଆଗରୁ ମାଆ ତେବେ ଖାଉଥିଲେ ମାଛ. ମାଛତ ମାଛ ରୋହି ଭାକୁର ମୁଣ୍ଡ.
ସ୍ନିଗ୍ଧା ନୂଆରୁ ପୁରୁଣା ହୋଇ ଦୁଇ ଦୁଇଟା ଛୁଆର ମାଆ ହେଲେଣି. ଲାଜ ଭୟ ସଂଭ୍ରମ ବଦଳରେ ସାହାସୀ, ନିର୍ଭୟା ହେବା ସହ ପରିବାରର କର୍ତ୍ତୀ ନହେଲେ ମଧ୍ୟ ମୁକ୍ତପକ୍ଷୀଟିଏ ହୋଇପାରିଲେଣି ତ ସେଦିନ ଡ଼ଲଫିନ ଦେଖିବାକୁ ଯାଇ ପିଲାଦୁହିଁଙ୍କ ସହ ସ୍ୱାମୀଙ୍କ ସଙ୍ଗେ ଶାଶୁଙ୍କୁ ବାଧ୍ୟ କରି ଜୋର କରି ନେଇଯାଇଥିଲେ. ଆସନ୍ତୁ ମାଆ ସେତେବେଳର ଡଲଫିନ ଓ ଏବେର ଡଲଫିନଙ୍କ ମଧ୍ୟରେ ପ୍ରଭେଦ ଦେଖିବେ. ସତକୁ ସତ କେତେ ସମ୍ବେଦନଶୀଳ ସେମାନେ! ଗ୍ରୁପ ପରେ ଗ୍ରୁପରେ ଯାଉଥିବା ଦର୍ଶକ ଭିତରେ ଥିବା ସମସ୍ତଙ୍କୁ କଥାରେ ନକହି ଠାରରେ ହାଲୋ ହାଏ କରିବା ଓ ସମସ୍ତଙ୍କୁ ଗେଲ କରିବା ଆଦି ସମ୍ବେଦନଶୀଳ କାର୍ଯ୍ୟକଳାପରେ ଅଭିଭୂତ ହେଉ ହେଉ ଫେରିଲା ବେଳେ ମାଆ କହୁଥିଲେ ଏ ତିମି, ଡଲଫିନମାନଙ୍କ ଭଳି ମାଛମାନେ ମଧ୍ୟ ଖୁବ ସମ୍ବେଦନଶୀଳ.ସ୍ନିଗ୍ଧା କିଛି ବୁଝି ବି ନବୁଝିବା ଆଖିରେ ଶାଶୁଙ୍କୁ ଚାହିଁ ଭାବୁଥିଲା ମାଛ ଖାଇବାକୁ ଡାକ୍ତର ମାଆଙ୍କୁ ପରାମର୍ଶ ଦେଲା ବେଳେ ମାଆଙ୍କର ମାଛମାନଙ୍କ ସମ୍ବେଦନଶୀଳତା ହୁଏତ ଅତୀତରେ କିଛି ଘଟଣା ଘଟିଛି ଯାହାଦ୍ୱାରା ମାଆ ମାଛ ଖାଇବାକୁ ରାଜି ନୁହଁ. ଏଣିକି ଗାଁ ଘରେ ପୋଖରୀ ଗାଧୁଆ ବନ୍ଦ ମାଆଙ୍କର, ନଈତୁଠରେ ବସି ଭାବନା ରାଇଜରେ ବୁଡିଯିବାରେ କଟକଣା ସ୍ନିଗ୍ଧାଙ୍କର, କାରଣ ଛୋଟ ବଡ଼ ମାଛଙ୍କ ସନ୍ତରଣ ଦୃଶ୍ୟ ଭିତରେ ହୁଏତ ଲୁଚିଛି ମାଆଙ୍କର ଏଇ ମାଛ ନଖାଇବାର କାରଣ ବୋଲି ମନେହୁଏ ସ୍ନିଗ୍ଧାଙ୍କୁ . କେମିତି ମନେଇ ମାଆଙ୍କୁ ମାଛ ଖୁଆଇବାକୁ ପଡିବ ବୋଲି ଚିନ୍ତିତ ରହୁଥିଲେ ସ୍ନିଗ୍ଧା. ହେମୋଗ୍ଲୋବିନ ପୁରା କମ, କେତେଥର ଝୁଙ୍କି ପଡିଲେଣି ମାଆ ଘରେ ଏ ଭିତରେ.
ଲେଖାଲେଖି କରୁଥିବାରୁ କେଵେ କେଵେ କବି ସମ୍ମିଳନୀ ବା ସାହିତ୍ୟ ଆସରକୁ ଯିବାକୁ ହୁଏ ସ୍ନିଗ୍ଧାଙ୍କୁ ତ ସେଦିନ ଅଟୋରେ ଫେରିବାବେଳେ ସ୍କୁଲ ଫେରନ୍ତା ଛାତ୍ରୀମାନଙ୍କୁ ଦେଖି ବାନ୍ଧବୀ ଜଣେ କହୁଥାନ୍ତି ଆଜିକାଲି ବାଟ, ଘାଟ,ହାଟର ପରିବର୍ତ୍ତନ ଯୋଗୁଁ କେତେ ସୁବିଧା! ଆମ ପିଲାବେଳେ ଏସବୁ ସୁବିଧା କୋଉଠି ଥିଲା!କେତେ କଷ୍ଟରେ ଆମେ ପାଠ ପଡ଼ିବାକୁ ଯାଇ ଆସି କଷ୍ଟ କରି ପାଠ ପଢ଼ୁଥିଲୁ ଏ ଗାଁ ଗଣ୍ଡାରେ. ସହରରେ ବଢିଥିବା ସ୍ନିଗ୍ଧା ଏସବୁ ଅସୁବିଧାର ସମ୍ମୁଖୀନ ହୋଇନଥିଲେ ତ ସ୍ୱାମୀଙ୍କୁ ପଚାରିଥିଲେ କି କି ଅସୁବିଧା ଥିଲା ସେତେବେଳେ ଗାଁ ମାନଙ୍କରେ!
ସୌମ୍ୟଙ୍କ ଆଖି ଆଗରେ ଭାସି ଉଠିଲା ନିଜ ପିଲାଦିନକଥା . ବାପା ଥିଲେ ଶିକ୍ଷକ. ଅଳ୍ପ ଦରମାରେ ଜେଜେ ଜେଜେମା ତଥା ଦୁଇପିଇସୀ ଓ ମାଆ ସହ ସେ ଦୁଇ ଭାଇ ଭଉଣୀଙ୍କୁ ଚଳେଇବା ଭିତରେ ବାପା ଖୁବ କଷ୍ଟ କରୁଥିଲେ. ବାରି ବାଇଗଣ ଚକଟା ଲଗେଇ ଭାତ ଖାଇବା ଯେମିତି ଅଭ୍ୟାସ କରି ନେଇଥିଲେ ସେ . ସେଦିନ ଜେଜେ ମାଛଟିକେ ଖାଇବାକୁ ମନ କରିବାରୁ ବାପା ମାଛ ଆଣିଥିଲେ ଓ ବୋଉ ସବୁଥର ପରି ଖୁବ ସୁଆଦିଆ ରା଼ନ୍ଧିବା ଆରମ୍ଭ କରିଦେଇଥିଲା ଭିତରେ ବାପା କହିଲେ ଦେହଟା ଟିକେ ଭଲ ଲାଗୁନି.ସଂସାରର ଦୁଃଖ କଷ୍ଟ କିଛି ବୁଝିବା ବୟସ ପୂର୍ବରୁ ଆମେ ଦୁଇଭାଇଭଉଣୀ ଜାଣିଥିଲୁ ବାପାଙ୍କ ଦେହ ଖରାପ ହେଲେ ଆମେ ଭାଇ ଭଉଣୀ ବାପାଙ୍କ ଉପରେ ଚଢି ଅଣ୍ଟାରୁ ପାଦ ଯାଏଁ ଘଷି ଦେଲେ ବାପା ଉଠି ବସିବେ . ଏଥର ମଧ୍ୟ ସେମିତି କରୁଥିଲୁ ହେଲେ ସବୁଥର ପରି ବାପା ଆମକୁ ଶହେରୁ ମୋର କେତେ ବା ମୋ ଭଉଣୀର କେତେ ନକହି ପଡି ରହିଥାଆନ୍ତି. ଜେଜେ ଓ ଜେଜେମାଆଙ୍କୁ ଖାଇବାକୁ ଦେଇସାରି ମାଆ ବାପାଙ୍କୁ ଡାକୁଥିଲା ଆଉ ସେ ଉଠୁନଥିଲେ. ମାଆ କହୁଥିଲା ଦୁଇ ଭଉଣୀଙ୍କ ବାହାଘର ପାଇଁ ହୋଇଥିବା କରଜ ଶୁଝିବାକୁ ଜମା ଡର ନାହିଁ. ମୋ ଭାଇଙ୍କୁ କହିଛି ଏ ସନ ଧାନ ବିକି ଆମକୁ ପଇସା ଦେଲେ ଆମେ ଆଗ କରଜ କରଜ ଶୁଝି ଦେବା. ପରେ ଆସ୍ତେ ସୁସ୍ଥେ ତାଙ୍କୁ ଟଙ୍କା ଦେଇଦେବା କହି ଯେତେ ବାପାଙ୍କୁ ଡାକିଲେ ବି ସେ ଉଠୁନଥିଲେ. ହଲେଇ ଦେଇ ଛାତିରେ ହାତ ରଖି ମାଆ କଣ ବାରିଲା କେଜାଣି ଭୋ ଭୋ କାନ୍ଦି ମୋ ସଂସାର ଭାସିଗଲା କହୁଥିଲା. ରାସ୍ତା ଘାଟ ଭଲ ନଥିବାରୁ ହସ୍ପିଟାଲ ନେଇ ହେଲାନି ବାପାଙ୍କୁ. ସ୍କୁଲ ହେଡ଼ମାଷ୍ଟରଙ୍କ ପୁଅ ସହରରେ ଡାକ୍ତରୀ ପଢୁଥାଆନ୍ତି. ଛୁଟିରେ ଗାଁରେ ଥିବାରୁ ସେ ଭାଇନା ବାପାଙ୍କୁ ଦେଖି କହିଲେ ପ୍ରଥମ ଷ୍ଟ୍ରୋକରେ ହାର୍ଟ ଆର୍ଟାକରେ ମଉସା ଆଉ ନାହାଁନ୍ତି . ସେହି ଚିନ୍ତାରେ ଜେଜେ ଓ ଜେଜେମା ଆଗ ପଛ ହୋଇ ଗଲେ. ଆଉ ମାମୁଁଘର ସହାୟତାରେ ଭଉଣୀ ବେବିନାର ପଢ଼ା ବାହାଘର ଇତ୍ୟାଦି ହେବା ସହ ମୁଁ ମଧ୍ୟ ଆଜି ଡାକ୍ତର. ହେଲେ ମାଆ .. କହି ଅଟକି ଯାଉଥିବା ସୌମ୍ୟଙ୍କ କଥା ସମ୍ପୂର୍ଣ୍ଣ କରି ସ୍ନିଗ୍ଧା କହିଲେ ସବୁଦିନ ପାଇଁ ମାଛ ଛାଡିଲେ. ଆଁ କରି ଅନେଇ ଥିଲେ ସୌମ୍ୟ ସ୍ନିଗ୍ଧାଙ୍କ ମୁହଁକୁ.
ସେଦିନ ହଠାତ ସ୍ନିଗ୍ଧା କହିଲେ ତୁମେ ଡାକ୍ତର ପୁଅ ହୋଇ ମାଆଙ୍କୁ ମାଛ ଖୁଆଇବାକୁ କେତେ ଚେଷ୍ଟା କରିଛ ଶୁଣେ? ସୌମ୍ୟ ସିନା ଚୁପ ରହିଲେ ହେଲେ ସ୍ନିଗ୍ଧା କିଛି ପରାମର୍ଶ କଲେ କୁଳ ପୁରୋହିତଙ୍କ ସହିତ ଗୁପ୍ତରେ ତ ସେ ଶଶୁରବାପାଙ୍କ ଶ୍ରାଦ୍ଧ ପୂର୍ବରୁ ଘରେ ପହଁଞ୍ଚି ମାଆଙ୍କ ଆଗେ କିଛି କହିଲେ. ଭିତରେ ଭିତରେ ସ୍ନିଗ୍ଧା ଖୁସି ଥିଲେ ତ ଶ୍ରାଦ୍ଧ ସରି, ପଞ୍ଚୁପତ୍ରରେ ଆମିଷ ବଢ଼ା ଯାଇଥିବା ଗୋଟେ ପତ୍ର ଭିଡ଼ିଆଣି ମାଆ ବସିବା ଦେଖି ସୌମ୍ୟ ବିସ୍ମିତ ହୋଇ ସ୍ନିଗ୍ଧାଙ୍କୁ ଚାହୁଁଥିବା ଦେଖି ପରେ ସ୍ନିଗ୍ଧା କହିଥିଲେ କୁଳ ପୁରୋହିତ କହିଗଲେ କି ଘରେ ଲାଗୁଥିବା ଆମିଷ ପଞ୍ଚୁପତ୍ରରେ ଯଦି ବର୍ତ୍ତମାନର ମୁରବୀ ବସି ମାଛ ନଖାଆନ୍ତି ତେବେ ପୁତ୍ର ଉପରେ ଶନି ଓ ମଙ୍ଗଳଙ୍କ ଅଶୁଭ ଦୃଷ୍ଟି ରହିବ. ହେଲେ ତୁମେ ଏତେ କଥା କେମିତି ଜାଣିଲ!ମାଆ ମତେ ତ ଏ ବିଷୟରେ କିଛି କହିନି. ମତେ କହିଛନ୍ତି ନା କହି ଚୁପି ଚୁପି ହସୁଥିଲେ ସ୍ନିଗ୍ଧା.ଗଳ୍ପ ଟି କହସାରି ନେତି ଖୁଡି ମିନତି ଙ୍କୁ ଅନୁରୋଧ କରି କହିଥିଲେ ଯେ ଗୁରୁଜନମାନଙ୍କ କଥା ଧରିବୁନି. ମାଆ ଗାଳି ହେଲା ଆଶୀର୍ବାଦ ଭଳି. ତୁମ ନିଜ ଜନ୍ମ କଲା ମାଆ କହିଲେ ଯଦି ବାଧୁନି ତେବେ ଶାଶୁଙ୍କ କଥା ଧରିବା ଉଚିତ ନୁଁହଁ. ଆମେ ପୁରୁଣାକାଳିଆ ମଣିଷ କହି ଗଳ୍ପଟିଏ ଉଭୟ ଶାଶୁ ବୋହୁଙ୍କୁ କହିଥିଲେ.ସେଦିନ ଖାଲି ମିନତି ବୁଝିଯାଇଥିଲେ ନୁଁହଁ ବରଂ ଶାଶୁ ଙ୍କ ବ୍ୟବହାର ରେ ଢେର ପରିବର୍ତ୍ତନ ଆସିଥିଲା. ଆଜି ନିଜ ବାପା ବୋଉ, ଶାଶୁ ଶଶୁର ସମୟ ଚକ୍ରରେ ଆରପାରିରେ ସତ କିନ୍ତୁ ନେତି ଖୁଡିଙ୍କ ପରି ହାତଗଣତି କେତେ ଜଣ ଅଛନ୍ତି!ଯିଏ ପର ହୋଇ ଵି ଭାରି ଆପଣାର. ରକ୍ତର ନହୋଇ ମଧ୍ୟ ଭିଡି ଧରନ୍ତି ସମ୍ପର୍କ ଡୋର. ଏଇ ନେତି ଖୁଡିଙ୍କ ଭଳି ଲୋକସବୁ ଗାଁରେ ସେହି ପୁରୁଣକାଳିଆ ଲୋକ ହୋଇ ପୁରୁଣା ସଂସ୍କୃତି, ସଂହତି, ପରମ୍ପରା ଜାବୁଡି ଧରିଛନ୍ତି ବୋଲି ତ ଛୁଟିରେ ମସ୍ତି କରିବାକୁ ଗାଁକୁ ସେ ଦୌଡ଼ି ଆସିଛନ୍ତି ସୁଦୂର ସହରରୁ.
ଭାବୁ ଭାବୁ ଦୁଇ ପୁଅ ଚିକୁ ଓ ମିକୁ ଙ୍କୁ ଗାଧୁଆ ପାଧୁଆ କରି ପୁଣି ପିନ୍ଧେଇ ଖୁଆଇ ପିଆଇ ଓ ମୁଣ୍ଡରେ ଚାନ୍କଳା ଟିପା ଦେଇ ନେ ଲୋ ଝିଅ ତୋ ପିଲାଙ୍କୁ ଶୁଆଇ ପକା ଘଡିଏ କହି କେତେ ଭଲ ଭଲ ଖାଇବା ଦରବ ଦେଇଗଲେ ମିନତିଙ୍କୁ. ବସନ୍ତୁ ଘଡିଏ ଖୁଡି କହି ବସେଇ ଦେବା ରୁ ଖୁଡି କହୁଥିଲେ କେମିତି ସହରରେ ଚଳୁଛୁ ଲୋ ଝିଅ!କିଛି ଦିନ ତୋ ଦାଦାଙ୍କର ମୋର ଯାଇଥିଲୁ ବଡ଼ ସହର ବୋଲାଉଥିବା ଦିଲ୍ଲୀ କୁ ପୁଅ ବୋହୁଙ୍କ ପାଖକୁ ତ ସାହି ପଡୋଶୀ କେହି ନାହିଁ. ଯିଏ ଅଛନ୍ତି ନିଜ ଭାଷଭାଷି ନୁଁହଁନ୍ତି. ତୁଳସୀ ଗଛଟିଏ କୋଉଠି ପାଇଲିନି. କାର୍ତ୍ତିକ ପୂର୍ଣ୍ଣମୀ ରେ ଡ଼ଙ୍ଗା ଭସେଇବାକୁ ନା ଅଛି କଦଳୀ ପଟ ନା ଅଛି ନଈ ପୋଖରୀ କି ହ୍ରଦ ପରି ଘାଟ. ନାତିଟାକୁ ପୋଡହ୍ନା କରିବାକୁ ହଳଦୀ ପତ୍ର ଦିଖଣ୍ଡ ପାଇଲିନି ଏଣ୍ଡୁରି ଦୁଇଟା କରିବାକୁ. ନାତି ଟୋକା ମୁନା ମୋର ସେ ସହରରେ ରହି ପାଠ ପଢିଲେ କୋଉ ଓଡ଼ିଆ ରୀତି ନୀତି କି ସଂସ୍କୃତି ଶିଖିବ!ସେଇଥିପାଇଁ ପୁଅ ବୋହୁଙ୍କୁ କେତେ ବୁଝେଇ କହି ନାତି ଟୋକାକୁ ଧରି ଗାଁକୁ ଚାଲି ଆସିଲୁ. ଏଠି ଗାଁ ହରଚଣ୍ଡୀ ମନ୍ଦିର ରେ ସକାଳ ଧୂପ ଉଠିବା ପୂର୍ବରୁ କାଉ ଡାକରେ ଆମ ସହ ତା ନିଦ ଭାଙ୍ଗେ. ଗାଇ ବଉଳା କୁ ସ୍ନେହ ଆଦର କରେ. ଓଡ଼ିଆ ସ୍କୁଲରେ ଏକାଠି ମିଶି ଜାତୀୟ ଦିବସ ପାଳେ. ତୁମେ ମାନେ ଆସିଥିବାରୁ ତୁମ ଦୁଇପୁଅ ଚିକୁ ଓ ମିକୁ ସହ ଖେଳି କେତେ ଖୁସି ହେଉଥିଲା. ଛୁଟି ସରିଗଲେ ତୁମେ କଲିକତା ଚାଲିଗଲେ ପିଲାଟା ମୋର ବହୁତ ଝୁରିବ. ହଉ ଯାହା ଵିଧି ର ବିଧାନ.. କେ କରିବ ଆନ କହି ଉଠୁ ଉଠୁ ଖୁଡି ଖୁଡିଙ୍କ ଚାଲିଯାଉଥିବା ବାଟ କୁ ଅନେଇ ରହିଥାଆନ୍ତି ମିନତି. ସେଦିନ ରାତିରେ ମିନତି ଅଶୋକ ଙ୍କୁ କଅଁଲେଇ କହୁଥିଲେ ମୁଁ ଏଠି ଚିକୁ ମିକୁ ଙ୍କୁ ଧରି ଗାଁରେ ରହିଗଲେ ହୁଅନ୍ତାନି!ପିଲା ଦୁହେଁ ଓଡ଼ିଆ ଦି ଅକ୍ଷର ପଢନ୍ତେ ବଢ଼ନ୍ତେ. ଓଡିଶା ର ସଂକୃତି, ଚାଲିଚଳନ, ପର୍ବ ପର୍ବାଣୀ ଚିହ୍ନନ୍ତେ ତଥା ଓଡିଶା ମାଟି ମାଆ କୋଳେ ଜନ୍ମିତ ବରପୁତ୍ର ମାନଙ୍କୁ ଜାଣନ୍ତେ ଓ ବିଦେଶ ମାଟିରେ ଜଗନ୍ନାଥ ଦେଶ କହୁଥିବା ଓଡିଶାର କଳା ସ୍ଥାପତ୍ୟ ଓ ଐତିହ୍ୟ ବିଷୟରେ ଜାଣିପାରନ୍ତେ. ଅଶୋକ ସ୍ତ୍ରୀ ମୁଁହଁ କୁ ଚାହିଁଥିଲେ ଆତ୍ମତୃପ୍ତି ରେ ସେଦିନ.