ବନ୍ଧା ପଡିଛନ୍ତି ଠାକୁର ଯେଉଁଠି
ବନ୍ଧା ପଡିଛନ୍ତି ଠାକୁର ଯେଉଁଠି
କଥାଟା ସେଇଠି ଶେଷ ହୋଇନଥିଲା. ଘରେ ସମସ୍ତେ ପଚାରୁଥିଲେ ସତରେ ଅପା ତୁମ ପାଖାପାଖି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମାଆ ରହି ତୁମକୁ ବାଟ କଢେଇ ନେଉଥିଲେ? ଆରେ ନାହିଁ, ଏପରି ଭାଗ୍ୟ ମୋର କାହିଁ କହି ନିହାରିକା କଥାଟା ଯେତେ ଏଡେଇ ଦେଲେ ବି ଭାବୁଥିଲେ ଧନ୍ୟ ପ୍ରଭୁ ତୁମ କୃପା. ନହେଲେ କଣ ତୁମ ଦର୍ଶନ କରିପାରିଥାନ୍ତି ପ୍ରଭୁ. ଦେହ ମୁଣ୍ଡ ରୋମାଞ୍ଚିତ ହେଉଥିଲା, ଆଖିରୁ ଲୁହ ଧାର ଗଡି ଯାଉଥିଲା. ତିନି ଭଉଣୀଙ୍କ ସଙ୍ଗେ ରତ୍ନବେଦୀ ପର୍ଯ୍ୟନ୍ତ ଯାଉଛନ୍ତି ଭାବି ସେ ଯାଉଥିଲେ ଏବଂ ତିନିଜଣ ଯାକ ତାଙ୍କୁ ଯଥାକ୍ରମେ ବଳଭଦ୍ର ବଡଠାକୁର, ମାଆ ସୁଭଦ୍ରା ଓ ପ୍ରଭୁ କାଳିଆ ସାଆନ୍ତ ଜଗନ୍ନାଥଙ୍କ ଭଳି ଦେଖାଯାଉଥିଲେ କିନ୍ତୁ ଭଉଣୀମାନେ କହୁଛନ୍ତି ସେମାନେ ଯାଇ ନଥିଲେ. ଭେଳିକି ଭଳି ଲାଗୁଥିଲା କଥାଟା ତ ଠିକ ଚାରିଟାରେ ଅଭଡ଼ା ଲାଗିଥିଲା. କି ମହମହ ସେ ବାସ୍ନା. ସେଥିରେ ଗୋଟେ ନିଆରା ଖଟା. ବରକୋଳି ପଡି, ଫଳ ସେଓ ଇତ୍ୟାଦି ସହିତ କୃଷ୍ଣଭୋଗ ଅରୁଆ ଚାଉଳ ଗୋଟି ଗୋଟି ଅନ୍ନ ଭାରି ମନମତାଣିଆ. ଆଗରୁ ଏତେ ଥର ଖାଇଛି ଅବଢ଼ା ଅନ୍ନ ହେଲେ ଆଜିର ପ୍ରସାଦ ଥିଲା ଅଲଗା. ସେହି କଥା କହିବାରୁ କିଏ କହୁଥିଲା ବାପାଙ୍କ ଦିନିକିଆ ଶ୍ରାଦ୍ଧ ଏଇଟା. ତାଙ୍କ ମନ ଯେମିତି ପ୍ରଭୁ ସେମିତି. କିଏ ପୁଣି କହୁଥିଲା ବାପା ଶ୍ରାଦ୍ଧ ବଡ଼ ଶ୍ରଦ୍ଧାରେ କରନ୍ତି. ସକାଳୁ ବ୍ରାହ୍ମଣ କ୍ରିୟା କର୍ମ ସାରି, ପିଣ୍ଡ ପକେଇ,ଉଠୁ ଉଠୁ ଚୁଡାଘଷା, ଡ଼ାଲମା, ଦହିସାକର ଇତ୍ୟାଦି ଖିଆ ପିଆ ପରକୁ ବୋଉ କରିଥାଏ ଭାତ, ଡାଲି, କ୍ଷୀରି, ମାଛ ବେସର ସାଙ୍ଗକୁ ଛଅ ପ୍ରକାର ଭଜା ସହ ଖଟା. ନିହାରିକା ବି ମନେପକାଉଥିଲେ ତାଙ୍କ ପିଲାବେଳୁ ସେ ଦେଖିଛନ୍ତି ତାଙ୍କ ବାପା, ଜେଜେ ମାଆ ଓ ଜେଜେବାପାଙ୍କ ଶ୍ରାଦ୍ଧ ଦିନ ଉଠି ଭୋର ଭୋର କାନ୍ଦୁଥାଆନ୍ତି ପିତା ମାତାଙ୍କ ଗୁଣ ସ୍ମରଣ କରି.
ଏବେ ଆମେ କରୁଛୁ କଣ? ଏହା ଭାବି ଆଖିରୁ ଖସିପଡୁଥିବା ଲୁହ ସଂକ୍ରମିତ କରିଥିଲା ସମସ୍ତଙ୍କୁ. ଭାଇ ଦୁହେଁ ଜଣାଇ ଦେଇଥିଲେ, ସମସ୍ତେ ଆସିଲେ ଅପା ତୁ ଭାଇଙ୍କୁ ଆଣିଲୁନି, ଆର ବର୍ଷ କଣ ଆଉ ବାପାଙ୍କ ଶ୍ରାଦ୍ଧ ହେବ ନା କଣ!କାହିଁକି? ତୁତ ଜାଣିଛୁ ଅପା, ବୋଉର ଆସନ୍ତା ଡ଼ିସେମ୍ବରମାସରେ ବର୍ଷେ ପୁରି ଯାଉଛି ମୃତ୍ୟୁ ବାର୍ଷିକୀ ତେଣୁ ତା କାମ ସରିବା ପରେବାପା ଓ ବୋଉ, ଦୁହିଁଙ୍କର ଅସ୍ଥି ବିସର୍ଜ୍ଜନ କରିଦେବୁ ଭାବିଛୁ. ଅସ୍ଥି ବିସର୍ଜ୍ଜନ କଣ ନିହାତି ଜରୁରୀ? ତୁ ବୁଝୁନୁ ଅପା, ଅସ୍ଥି ପାଣି ପାଉନାହାଁନ୍ତି. ଚାକିରୀ ଜାଗାରେ ଏଠୁ ସେଠୁ ବଦଳି ହୋଇ ଯାଉ ଯାଉ ମନେରହୁନି ଦିନ ବାର ତିଥି ଲଗ୍ନ. ଶୁଣିନୁ ବାପା କହନ୍ତି, ସରକାରୀ ଚାକିରୀ କରିବା ପୂର୍ବରୁ ବାପାଙ୍କୁ ଇଣ୍ଟରଭ୍ୟୁରେ ପଚରା ଯାଇଥିଲା, ଧରନ୍ତୁ ଆପଣଙ୍କ ବାପାଙ୍କ ଦେହ ଖରାପ ଏଣେ ଜରୁରୀ ସରକାରୀ କାମ ଅଛି ଆପଣ କଣ କରିବେ ବାପା ଉତ୍ତର ଦେଇଥିଲେ ଆଗ ସରକାରୀ କାମ ସାରି ତା ପରେ ବାପା ବା ମାଆଙ୍କୁ ଦେଖିବାକୁ ଯିବି. ତା ପରେ ଆମ ବାପାଙ୍କ ଚାକିରୀ ପକ୍କା ହୋଇଯାଇଥିଲା ତେଣୁ ବାପା କହନ୍ତି ଛାଡ଼ ପିତୃକାର୍ଯ୍ୟ କର ରାଜକାର୍ଯ୍ୟ. ହଁ କହୁଥିଲେ ନିହାରିକା, ସେଇଥି ପାଇଁ ତାଙ୍କ ବୋଉଙ୍କର ଠିକ ଠାକ ଦେଖାଶୁଣା କରିପାରିନଥିବାରୁ କେତେ କାନ୍ଦନ୍ତି ପ୍ରତି ଶ୍ରାଦ୍ଧରେ. ଆଉ ବୋଉ ପାଇଁ କବିତା ଦୁଃଖରେ ଲେଖୁ ଲେଖୁ ଦରଦୀ କବି ପାଲଟି ଯାଇଥିଲେ ବାପା.
ବାପାଙ୍କ ଗୁଣ ସୁମରୁ ସୁମରୁ ଉଠିଲୁ ସମସ୍ତେ. ଯିଏ ଯାହାର ବାହୁଡ଼ିବେ ଶାଶୁଘରକୁ ଓ କର୍ମକ୍ଷେତ୍ରକୁ. ସଜ ଅଭଡ଼ା ଦିଟା ଆଣିବାକୁ ମନ ଥାଏ କିନ୍ତୁ ଗାଡି କୋଉଠି, ଗାଡିର ଡ୍ରାଇଭର କୋଉଠି ପୁଣି ବନ୍ଧୁ ପରିବାର. ତାଙ୍କ ପରିବାର ଲୋକଙ୍କ ସଙ୍ଗେ ଫେରିବାକୁ ତାଙ୍କ ପିଛା କରି ତରତରରେ ଆସିବାକୁ ହେଲା. ସେମାନେ ଦୂର ବାଟ ଯିବେ . ଛକରେ ଓଲ୍ହେଇ ଚାଲିଗଲା ପରେ, ନିହାରିକା ଅଟୋ କରି ଘରେ ପହଞ୍ଚି କହିଲେ ସ୍ୱାମୀଙ୍କୁ,ଗଲନି ସିନା ଏମିତି ଅଭଡ଼ା ଆଉ ପାଇବନି. ସ୍ବାମୀ କହୁଥିଲେ ନଗଲେ କଣ ହେଲା ତୁମେ ପଠେଇଥିବା ଅବଢ଼ାଖାଇ ମୋର ପେଟେ. ଯୋଗକୁ ଆଜି ଓ଼ଲ୍ଡ ବଏଜ ଆସୋସିଏସନ ମିଟିଙ୍ଗ କ୍ୟାନସେଲ ହେଲା. ତୁମେ ଯେଉଁ କାଳିଆ ଭାଇଙ୍କ ହାତରେ ଅବଢ଼ା ପଠାଇଥିଲ, ସେସବୁ ଖାଇ ପୁଣି ବଳିଛି. ଯାଅ ତୁମେ ଯଦି ଖାଇବ. ଆଶ୍ଚର୍ଯ୍ୟରେ ସ୍ୱାମୀଙ୍କୁ ଚାହିଁ ନିହାରିକା କହୁଥିଲେ କୋଉଠି, କିଏ, କାହାକୁ ପଠେଇଲା ଅଭଡ଼ା ଦେଇ? ଯାଉନ ଦେଖିବ. ଦଉଡି ଗଲେ ନିହାରିକା ବଳକା ଅଭଡ଼ା ବୋଲି ସ୍ୱାମୀ କହୁଥିବା ସ୍ଥାନରେ କଦଳୀ ପତ୍ର ଉପର ତୁଳସୀ ଟିକେ ଥିଲା. ସେହି ବାସ୍ନା. ଯେମିତି ମନ୍ଦିରରେ ପାଦୁକରେ ପାଇଥିବା ସେଇ ତୁଳସୀର ବାସ୍ନା.ଭାଇ ଭଉଣୀମାନେ ପଚାରୁଥିଲେ ଅପା ଭଲରେ ପହଞ୍ଚିଲୁ? ତରତରରେ ଭାଇଙ୍କ ପାଇଁ ଅଭଡ଼ା ପ୍ୟାକେଟ ନେବାକୁ ଭୁଲିଗଲୁ.ନିହାରିକା କହିଲେ ଏଁ, ହଁ ହଁ ଭାଇ ଖାଇଲେ. କଣ ଖାଇଲେ? ତୁ ତ ଛାଡିକି ଯାଇଛୁ. ଆରେ କାଳିଆ ଭାଇ ଆସିକି ତାଙ୍କୁ ଦେଇ ଯାଇଛନ୍ତି. କଣ ଯେ କହୁ ଅପା!ସବୁ ଶୁଣି ସେମାନେ କହୁଥିଲେ ସତରେ ଅପା ତୋ ପାଖେ ଠାକୁର ବନ୍ଧା ପଡିଛନ୍ତି.
