Rabinarayan Senapati

Abstract Classics Inspirational

4.5  

Rabinarayan Senapati

Abstract Classics Inspirational

ବ୍ଲାଉଜ

ବ୍ଲାଉଜ

11 mins
343


ଗତ ଶତାବ୍ଦୀର ଶେଷ ଡିସେମ୍ବରର ଶେଷ ଦିବସ, ଭଞ୍ଜପୁର ଉଚ୍ଚବିଦ୍ୟାଳୟ ପାଇଁ ଏକ ବିଶେଷ ଦିନ। ଦୁଇ ସର୍ବପୁରାତନ କର୍ମଚାରୀ, ପ୍ରଧାନ ଶିକ୍ଷକ ଗୋକୁଳବାବୁ ଓ ପିଅନ ବୁଲୁନନା ଆଜି ବିଦାୟ ନେଉଛନ୍ତି; ଅବସର। ନୂତନ ଶତାବ୍ଦୀର ଅୟମାରମ୍ଭରେ ସେମାନଙ୍କ ସ୍ଥାନ ଅନ୍ୟ କେହି ନେବେ। ଏହା କଣ ସମ୍ଭବ! ସମସ୍ତଙ୍କ ହୃଦୟ କହୁଥାଏ ସେ ଶୂନ୍ୟତା ଅତି ବହଳ, ଅପୁରଣୀୟ। ଉଭୟ ସେହି ଭଞ୍ଜପୁର ଗ୍ରାମର। ସମବୟସ୍କ କେବଳ ଖାତାପତ୍ରରେ, ବୁଲୁନନା ତ ଅନ୍ୟୁନ ପାଞ୍ଚବର୍ଷ ବଡ। ବର୍ତ୍ତନବଦ୍ଧ ଭଣ୍ଡାରୀ ଘର ପୁଅ, ଗାଁରେ ସେବା ଯୋଗାଉଥିଲେ। ଗୋକୁଳବାବୁ ତାଲିମ ପ୍ରାପ୍ତ, ଉପାଧ୍ୟୁତ୍ତର ବିଦ୍ବାନ ଶିକ୍ଷକ। ସେ, ଅଞ୍ଚଳର ବିଶିଷ୍ଟ କବି, ଗାଳ୍ପିକ ଓ ସାହିତ୍ୟ ସଂଗଠକ। ବହୁ ଉଚ୍ଚପଦସ୍ଥ ସୁଧୀଜନେ ତାଙ୍କର ଚିହ୍ନା। ଗାଁରେ ସମସ୍ତଙ୍କ ପ୍ରିୟ ବୁଲୁନନାକୁ ପିଅନ ପଦରେ ନିଯୁକ୍ତି କରିବା ଗୋକୁଳବାବୁଙ୍କୁ ସହଜ ହୋଇଥିଲା। ଗୋକୁଳଙ୍କ ବୁଲୁନନା ଡାକଟି କ୍ରମେ ସାର୍ବଜନୀନ ହୋଇଗଲା। ବାପା ଡାକୁଥିଲେ ନନା, ପୁଅ ଓ ଏପରିକି ନାତି ମଧ୍ୟ ଡାକିଲେ ବୁଲୁନନା। ସାରା ଶିକ୍ଷା ବିଭାଗ ଜାଣେ, ଜଣେ ମାନକ ପିଅନ ହେଲେ ଭଞ୍ଜପୁରର ବୁଲୁନନା।

ବୁଲୁନନାଙ୍କ କିଛି ଶିକ୍ଷା ପ୍ରମାଣପତ୍ର ନଥିଲା। ଅବଶ୍ୟ ଠାକୁରବାଡିରେ କାମକରି ଅନେକ ପୁରାଣ ଶାସ୍ତ୍ର ପଢିଥିଲେ। କାମକାର୍ଯ୍ୟରେ ବ୍ରାହ୍ମଣ ନାହାକଙ୍କ ସହ ପାଳିଧରି ବହୁତ ମନ୍ତ୍ର ଓ ଶ୍ଳୋକ ମଧ୍ୟ ଗାଇ ପାରୁଥିଲେ। ଖବରକାଗଜ ପଢି ଦେଶବିଦେଶର ହାଲ ଜାଣୁଥିଲେ। ଏମିତି ଭଲ ମଣିଷଙ୍କ ଜନ୍ମ ତାରିଖର ତ୍ରୁଟିକୁ କେହି ଧରୁନଥିଲେ। ଏ ତ୍ରୁଟି ଆଜି ଏକସାଥେ ଅବସରର ରହସ୍ୟ।

ମହାପାତ୍ର ବଂଶର ନାହାକ ଜ୍ୟୋତିଷ କାମ ଯେମିତି ଗୋକୁଳଙ୍କ ଠାରୁ ଶେଷ ସେମିତି ନାପିତ ବଂଶର କୌଳିକ ବୃତ୍ତି ବୁଲୁନନାଙ୍କ ଠାରୁ ଶେଷ। ସେ ଦୁହେଁ ଥିଲେ ନିଜ ନିଜ ପରିବାରର ଏକୋଇର ବଳା ବିଶିକେଶନ; କୌଳିକ ସେବା ବନ୍ଦ ହେଲା।

ବୁଲୁନନା କେବେ ନନାଗିରି ଦେଖାଇ ନାହାନ୍ତି, ସେବେଳର ଏକାନ୍ତ ବିଶ୍ବସ୍ତ, କର୍ମନିଷ୍ଠ ନିର୍ଭୁଲ ପିଅନ। ସରକାରୀ କାମ ବାହାରେ ବି ସେ ସଦା ହସ ହସ ଜଣେ ସେବକ; ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ। କୌଳିକ ବ୍ରୁତ୍ତିରୁ ହଟିଥିଲେ ମଧ୍ୟ ସେବାର ମହକ ତାଙ୍କଠି ସେମିତି ପୁରି ରହିଥିଲା। ସମସ୍ତଙ୍କ ସେବା ହିଁ ଯେମିତି ତାଙ୍କ ପରମଧର୍ମ। ପ୍ରତିବଦଳରେ ସେ କିଛି ଆଶା କରୁନଥିଲେ, ପ୍ରଶଂସା ମଧ୍ୟ ନୁହେଁ। କେବଳ କାହାର ବୁଲୁନନା ଡାକରେ ସେ ଅନୁଭବ କରୁଥିଲେ ଅପାର ଆନନ୍ଦ।


ଭଞ୍ଜପୁର ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ଏକଦା ଶ୍ରେଣୀ ଗୃହରେ ଲେଖିବାକୁ ନିର୍ଦ୍ଦେଶ ଦେଲେ ରଚନା, "ପିଅନର ଆତ୍ମକାହାଣୀ"। କହିଲେ ପ୍ରବନ୍ଧ ପୁସ୍ତକ ନଦେଖି ନିଜ ଅନୁଭବରୁ ଲେଖିବା ଉତ୍ତମ।

ସବୁଛାତ୍ର, ବର୍ଣ୍ଣନା ଯାହା କରନ୍ତୁ ନା କାହିଁକି ଆରମ୍ଭ କରିଥିଲେ; "ମୁଁ ଭଞ୍ଜପୁର ଉଚ୍ଚ ବିଦ୍ୟାଳୟର ପିଅନ। ମୋର ନାମ ବୁଲୁନନା।...."। କହିବା ବାହୁଲ୍ୟ, ଦୁର୍ବଳ ଛାତ୍ରଛାତ୍ରୀ ମଧ୍ୟ ଚମତ୍କାର ଲେଖି ପାରିଥିଲେ।

ପ୍ରଧାନଶିକ୍ଷକଙ୍କ ପ୍ରସ୍ତାବରେ, ସାହିତ୍ୟ ଶିକ୍ଷକ ସବୁପିଲାଙ୍କ ରଚନା ପାଠକରି ସେ ଏକ ଆଦର୍ଶ ପ୍ରବନ୍ଧ ଲେଖିଲେ, ଯାହାକୁ ବିଦ୍ୟାଳୟ ତରଫରୁ ପଠାଗଲା ମାଧ୍ୟମିକ ଶିକ୍ଷା ବୋର୍ଡକୁ। ବୋର୍ଡ କର୍ତ୍ତୃପକ୍ଷ ପ୍ରଶଂସା କରିବା ସହ ରାଜ୍ୟର ପ୍ରତି ବିଦ୍ୟାଳୟକୁ ପଠାଇଥିଲେ ଏକ ଆଦର୍ଶ ନମୁନା ହିସାବରେ। ବିନା ସାମାଜିକ ଗଣମାଧ୍ୟମରେ ବିଗତ ଶତାବ୍ଦୀରେ ବୁଲୁନନା ଏମିତି ପରିଚିତ ହୋଇଯାଇଥିଲେ ସାରା ରାଜ୍ୟର ଛାତ୍ର, ଶିକ୍ଷକ ଓ ପିଅନ ମାନଙ୍କ ହୃଦୟରେ। କେଜାଣି କେତେ ଯେ ପ୍ରବନ୍ଧ ଏ ରାଜ୍ୟରେ ଲେଖାଯାଇଥିବ; ମୁଁ ଜଣେ ପିଅନ, ମୋର ନାମ ଲୁଚିଯାଇଛି ବୁଲୁନନା ଡାକରେ।


ଆଜି ଅବସର, ବୁଲୁନନା ତାଙ୍କ ସଙ୍କୁଚିତ ଓ ସଂକ୍ଷିପ୍ତ ଭାଷଣରେ କେବଳ ଏହି କଥାଟି କହିଥିଲେ, - ଦୀର୍ଘ କାଳ ଚାକିରି ପରେ ବି ଆଜି ପିଲାଏ ଲେଖୁଛନ୍ତି, ମୁଁ ଜଣେ ପିଅନ, ମୋର ନାମ ବୁଲୁନନା, ଏହାଠୁ ଅଧିକ ଭାଗ୍ୟର କଥା ମୁଁ କଣ କହିପାରିବି! ମୋତେ ଚାକିରି ଦେଇ ସାରା ସଂସାରରେ ପରିଚିତ କରାଇଥିବା ସ୍ବନାମଧନ୍ୟ ଗୋକୁଳ ସାର ଆଜି ଅବସର ନେଉଥିବାରୁ, ଏ ବିଦ୍ୟାଳୟର କୋଣ ଅନୁକୋଣ କ୍ରନ୍ଦନରତ ଯାହା ମୋ ହୃଦୟର ନୟନରେ ସ୍ପଷ୍ଟ ଦେଖି ପାରୁଛି। 


ତାପରେ ସ୍ବର ହେଲା ବାଷ୍ପାରୁଦ୍ଧ, କିଛି କହିପାରିଲେ ନାହିଁ ସେ। ସେ ହେଲେ ବୁଲୁନନା।


ଆଉ ଗୋକୁଳ ମାଷ୍ଟ୍ରେ, ପ୍ରଖର ବୁଦ୍ଧି, ସୃଜନଶୀଳ ଓ ବହୁ ଜ୍ଞାନ ସମ୍ପର୍ଣ୍ଣ। ଗ୍ରାମ୍ୟ ବିଦ୍ୟାଳୟ ଇଛାକୃତ ଭାବେ ଆପଣେଇ ନେଇଥିଲେ, ଗୃହ ଦାୟିତ୍ୱ ଓ ସୃଜନର ଦାୟିତ୍ୱ ଦ୍ବାହିରେ। ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ପୁରସ୍କାର ସେ ପାଇସାରିଛନ୍ତି, ରାଷ୍ଟ୍ରପତି ପୁରସ୍କାର ପର୍ଯ୍ୟନ୍ତ। ସେମିତି ସାହିତ୍ୟ କ୍ଷେତ୍ରରେ ସେ ପାଇଛନ୍ତି ଅଜସ୍ର ସମ୍ମାନ ଓ ପୁରସ୍କାର। ଶିକ୍ଷକତା ସିନା ଔପଚାରିକ ଭାବେ ସରିଲା, ସାହିତ୍ୟରେ ଦୀର୍ଘ ପଥ ବାକି। ଜଗନ୍ନାଥ ସଂସ୍କୃତିର ପ୍ରବଚନ ଦିଗଟି ଏବେ ଆହୁରି କରୁଣା ଲାଭ କରିବ ମହାପ୍ରଭୁଙ୍କ। ସେ ତାଙ୍କ ଭାଷଣଟି ତାଙ୍କ ଶୈଳୀରେ କହିଲେ ମୂଖ୍ୟତଃ ବୁଲୁନନାଙ୍କ ବାବଦରେ। ତାଙ୍କଠୁ ଯଥେଷ୍ଟ ବୟସ୍କ ହେଲେ ମଧ୍ୟ ସେ ଏବେବି କର୍ମଠ ରହିବା ଉତ୍ସାହଜନକ। ଏଣିକି ଭଞ୍ଜପୁର ସାହିତ୍ୟ ସଂସଦ ହେବ ତାଙ୍କ କାର୍ଯ୍ୟାଳୟ ଓ ବୁଲୁନନା ପୁନଶ୍ଚ ସହଯୋଗୀ। ଦୁଃଖ ପରିଣତ ହେଲା ସୁଖର କରତାଳିରେ।

ଚାହୁଁ ଚାହୁଁ ଏତେବର୍ଷ ବିତିଗଲାଣି। ଜଣେ ବିଜ୍ଞ ବ୍ୟକ୍ତିଙ୍କ ପାଇଁ ଅବସରର ଦୁଇ ଦଶକରୁ ଉର୍ଦ୍ଧ୍ବ କଣ କମ ହେଲାଣି! ପତ୍ନୀ ଆର ପାରିକୁ ଗଲେଣି। ପୁଅ ଝିଅ ଦୂରାନ୍ତରେ। କେବେ କେବେ ବୁଲି ଯାଆନ୍ତି ସିନା, ରହି ପାରନ୍ତି ନାହିଁ ନାତି ନାତୁଣୀଙ୍କ ଗହଣରେ। ଭିଟାମାଟି, ମନ୍ଦିର, ସାହିତ୍ୟ ସଂସଦ ଓ ଆଉ କେତେ ସୁନିର୍ଦ୍ଦିଷ୍ଟ କାମରେ ଭଞ୍ଜପୁରରେ ରହିବାକୁ ପଡେ। ପିଲାଏ ଛୁଟିରେ କେବେ ଆସିଲେ ଘରଟି ପୁରିଉଠେ ଓ ତାପରେ ନିସଙ୍ଗ। ନିସଙ୍ଗ କେମିତି? ସବୁବେଳେ ସାହିତ୍ୟ; ପଠନ ଓ ଲିଖନ। କାବ୍ୟ "ଭଞ୍ଜପୁର"କୁ କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ମିଳିଛି ଏବେ ଏବେ। ପୁଣି ପ୍ରବଚନ ପାଇଁ ସାରା ରାଜ୍ୟ ଭ୍ରମଣ। ସେ, ଏବେ ବି ଯେମିତି ଚଳ ଚଞ୍ଚଳ ଯୁବକ।


ଅଶିତିପର ବୁଲୁନନାଙ୍କ ଉନ୍ନତି ମଧ୍ୟ କିଛି କମ ନୁହେଁ। ପୁତ୍ର ଶରତ, ଭଞ୍ଜପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ। ପତ୍ନୀ ବୈଦେହୀ ଓ ସେ ଏବେ ମଧ୍ୟ କର୍ମ ତତ୍ପର। ସୁନାନାକୀ ବୋହୂ କଈଁ ବେଶ୍ ଗୁଣର। ନାତୁଣୀ ଆଲଫା ଓ ନାତି ବିଟାକୁ ନେଇ ଅଗଣା ଭରପୁର।


ଆପଣାର ହସଖୁସିରେ ସାମିଲ ଗୋକୁଳବାବୁ। ଗାଁରେ ଅଛନ୍ତି ମାନେ ମହାପାତ୍ରେଙ୍କ ଖାଦ୍ୟପେୟ ଓ ସେବାଯତ୍ନର ସମସ୍ତ ଦାୟିତ୍ୱ ଏ ଅଭିନବ ବାରିକ ପରିବାରର।


ଖାଲିକଣ ଏତିକି, ବୁଲୁନନା ସୁଖରେ କହନ୍ତି, - ଆମ ସାହିତ୍ୟ ସଂସଦର ପ୍ରଧାନ ଶିକ୍ଷକ ହେଲେ ଗୋକୁଳ ସାର୍ ଓ ପିଅନ ହେଲେ ବୁଲୁନନା। କାଲି ପିଲାଏ ଶରଧା କରୁଥିଲେ ବୁଲୁନନାଙ୍କୁ ଆଜି ଅଞ୍ଚଳର ଓ ଅଞ୍ଚଳ ବାହାରର ଅନେକ ସାହିତ୍ୟିକ ଶରଧା କରନ୍ତି ବୁଲୁନନାଙ୍କୁ। ବୁଲୁନନା ନିଜେ ଜାଣିପାରିନାହାନ୍ତି ଏହା ମଧ୍ୟରେ କେତେବେଳେ ସେ କଲମ ଧରିଛନ୍ତି; କେତେ ଭଜନ, ଜଣାଣ, ଚଷାଗୀତ, ନାନାବାୟା ଗୀତ ଓ ଅନେକ ସରଳ କବିତା ଲେଖି ପକାଇଛନ୍ତି। ଗୋକୁଳଙ୍କ ପ୍ରତି ନିଷ୍ଠାରୁ ଜାତ ହୋଇଛି ସଂସଦ ପ୍ରତି ନିଷ୍ଠା, ତହିଁରୁ ଆଉ ଧାପେ ଉତ୍ତରଣ କରିଛି ତାଙ୍କୁ ସାହିତ୍ୟ ସଂଶ୍ଳିଷ୍ଟ । ଏହା ହେବାର ଥିଲା। ଏ ପ୍ରକାର ଭାବଜଡିତ ନନା କ୍ଳାନ୍ତି କଣ ଜାଣିପାରନ୍ତି ନାହିଁ। ଶ୍ରବଣ ଶକ୍ତି ମାନ୍ଦା ହେଲାଣି, ସଭାସମିତିର ମଜା ଆଉ ନେଇପାରୁନଥିଲେ କଣ ହେଲା, ନିର୍ବାହୀ ସୈନିକ ହେବାକୁ ସେ ଏବେ ମଧ୍ୟ ପୁରା ଫିଟ୍।


ଗୋକୁଳବାବୁ ସବୁବେଳେ ଡାକନ୍ତି, - ଭାଉଜ ସଭାକୁ ଆସିବ, ନନାଙ୍କ କବିତା ଶୁଣି ତୁମ ଜୀବନ ଧନ୍ୟ ହେବ।

ବୁଲୁନନା ତାଙ୍କୁ ନେଇ ପାରିନାହାନ୍ତି। ଶରତ ଓ କଈଁ ଯେତେ ବୁଝାଇଲେ ମଧ୍ୟ ସେ ଲୁଚନ୍ତି ଘର କଣରୁ ବାହାରନ୍ତି ନାହିଁ। 

ଲୁଚିବା କେଉଁ ନୂଆ କଥା ଯେ! ଏଘରକୁ ବୋହୂ ହୋଇ ଆସିଲା ବେଳକୁ ବୟସ ତାଙ୍କର ହୋଇଥିଲା ତେର କି ଚଉଦ। ନୂଆବୋହୂକୁ ଘରକଣରେ ଲୁଚାଇ ରଖିଲେ ବେଶ୍ କିଛି ବର୍ଷ। ଅନେକ ବର୍ଷ ଧରି ପିଲାପିଲି ହେଲେନାହିଁ, ସମାଜ ଟାହିଟାପରା କଲା। ତାଙ୍କ ଲୁଚିରହିବା ବଢିଲା। ଶରତ ଜନ୍ମ ହେଲା ବହୁ ଦିଅଁ ଦେବତାଙ୍କ ପାଇଁ କେତେ ବ୍ରତ ଉପବାସ କରି। ଶରତର ଯତ୍ନ ପାଇଁ ସେ ଘରୁ ବାହାରକୁ ପାଦ କାଢିଲେ ନାହିଁ। ନାପିତୁଣୀ ଭାବେ ଯେବେ କାମକାର୍ଯ୍ୟରେ ବାହାରିଥାନ୍ତେ, ସେବେ ବୁଲୁନନା କଲେ ଚାକିରି, କୌଳିକ ବୃତ୍ତି ବନ୍ଦ ହେଲା। ଘରବାଡିର ଯତ୍ନ, ଘରକରଣା, ବନ୍ଧୁ ବାନ୍ଧବ ଚଳାଇବାରେ ସେ ବ୍ୟସ୍ତ ରହିଲେ, ବାହାରିବା ନୋହିଲା।


ଏବେ ବୁଢ଼ୀ କାଳରେ ଯେବେ ସେ ବାହାରକୁ ଗୋଡ କାଢିଥାନ୍ତେ, ତାଙ୍କ ବେଶ ପରିପାଟି ହେଲା ପ୍ରତିବନ୍ଧକ। କଥାହେଲା, କାଳକ ତାଙ୍କ ଚାଲିଗଲା ସେ ବ୍ଲାଉଜ ପିନ୍ଧା ଜାଣିଲେ ନାହିଁ। ତାଙ୍କ ମାଆ ଥିଲେ ସେମିତି, ଶାଶୁ ବି ସେମିତି, ସେମାନେ ଶିଖାଇଲେ ନାହିଁ। ଯାଆ ନାହାନ୍ତି। ନଣନ୍ଦ, ତାଙ୍କ ଆସିବା ଆଗରୁ ଶାଶୁଘର ଗଲେଣି। ତାଙ୍କର ବି ଝିଅଟିଏ ହେଲାନାହିଁ। ଥିଲେ ଶିଖାଇଥାନ୍ତା। କେହି ତାଙ୍କୁ ଜିଗର କରି କହିଲେ ନାହିଁ, ବ୍ଲାଉଜ ପିନ୍ଧ ବୋଲି।

ବୁଲୁନନା ସଭ୍ୟ ସମାଜରେ ବସଉଠ ହେଲାପରେ ବୈଦେହୀଙ୍କୁ ଯେତେ ବୁଝାଇଲେ ବି, ସେ ତାଙ୍କ ଅଭ୍ୟସ୍ତ ବେଶଭୂଷା ବଦଳେଇ ପାରିଲେ ନାହିଁ। ସେ ପୁରୁଣା କାଳିଆ ସାଜସଜ୍ଜାରେ ନନାଙ୍କ ସହ ବାହାରେ ବୁଲିବା ହେଲାନାହିଁ। ଜୀବନଟା ଘରକଣରେ କାଟିଦେଲେ ସିନା ବ୍ଲାଉଜଟାଏ ପିନ୍ଧି ପାରିଲେ ନାହିଁ। ତାଙ୍କ ସର୍ବମୋଟ ଗସ୍ତ ସ୍ଥାନ ତାଙ୍କ ବାପଘର ଦୁଇ କୋଶ ଦୂର। ବଡି ଭୋରରୁ ଯାଆନ୍ତି ଓ ସେମିତି ସମୟରେ ଫେରନ୍ତି। ସେ କେବେ ଯାନିଯାତ୍ରା, ତୀର୍ଥ, ବା ଅନ୍ୟାନ୍ୟ ସଭା ସମିତିକୁ ଯାଇପାରନ୍ତି ନାହିଁ। ବୁଲୁନନାଙ୍କ ଉତ୍ତରଣରେ ବୈଦେହୀ ନିଜର ସ୍ବାଧୀନତା ଯେମିତି ହରାଇଛନ୍ତି। ନହେଲେ କିଏ ପଚାରୁଛି ବ୍ଲାଉଜ କଥା, ସେ ଏବେ ଘରକୁ ଘର ଯାଉଥାନ୍ତେ, ଅଳତା ବୋଳୁଥାନ୍ତେ, ନଖବି କାଟି ଦେଉଥାନ୍ତେ। ନା, ଏସବୁ ପୁରୁଣା ଯୁଗର କଥା, ଗାଁରେ ପାର୍ଲର ଖୋଲିଲାଣି।


 ଆଉ କଈଁ, ସେ ବୋହୂ ସେ ଝିଅ। ଫେରିବାଲାଠାରୁ କେତେଥର ବୈଦେହୀଙ୍କ ପାଇଁ ବ୍ଲାଉଜ୍ କିଣନ୍ତି କଈଁ। ଝିଅ ଭଳି ଅଳି କରନ୍ତି। କିନ୍ତୁ ଶାଶୁ ପାରନ୍ତି ନାହିଁ। ଆଭୂଷଣ ବିନା ଲାଜ ଲାଗିବା ସାଧାରଣ କଥା, କିନ୍ତୁ ଅଭ୍ୟସ୍ତ ବେଶଭୂଷା ସମସ୍ତଙ୍କ ସର୍ବୋତ୍ତମ ଲଜ୍ଜା ନିବାରଣ। ଆଉକିଛି ଯୋଡିଲେ ଲାଜ ଘୋଡାଏ ନାହିଁ ବରଂ ନିଜ ଲାଜକୁ ନିଜେ ସଚେତନ ହୋଇପଡିବା ହୁଏ। ଏଥିପାଇଁ ବୈଦେହୀ ବଦଳିଲେ ନାହିଁ, ସଭାସମିତି ଯିବା ହେଲାନାହିଁ।


ଗୋକୁଳବାବୁଙ୍କ ନିମନ୍ତ୍ରଣ ଓ ନନାଙ୍କ ଇଛାକୁ ଏଡାଇ ଯାଇ ବୈଦେହୀ କହନ୍ତି, ମଲା, ମୋ ଝିଅ କଈଁ ଯାଉ, ସେ ସଭାରୁ ଶୁଣିବ, ଶିଖିବ, ମୋତେ ଆସି ବୁଝାଇ ଦେବ। ମୋର କିଏ ଯାଉଛି ସେ ମାଇକ ଘାଉଁ ଘାଉଁ ସଭାକୁ। କଈଁ ଯାଏ, ମାଆ ପୁଅ ଘରେ ରହିଯାନ୍ତି।

ଏତେ କଥା ଗୋକୁଳଙ୍କ ପଣ୍ଡିତ ମୁଣ୍ଡରେ ପଶେନାହିଁ। ସେ ଏଥର ଜିଦ୍ କଲେ। ଏବର୍ଷ ବାର୍ଷିକ ଉତ୍ସବରେ ନନାଙ୍କ ନାନାବାୟା ଗୀତ ବହି ଉନ୍ମୋଚନ ହେବ, ଭାଉଜ ନଗଲେ ହେବନାହିଁ।

ବୁଲୁନନା ବି ଭାରି ଜିଦିଆ ହୋଇଗଲେଣି, - ତୁମେ ନଗଲେ ମୁଁ ଯିବିନାହିଁ, ସେ ବହି ସେମିତି ପଡିରହୁ। ସେ ବି ଏତେ ସୂକ୍ଷ୍ମ ଭାବେ ଧରି ପାରନ୍ତି ନାହିଁ ବୈଦେହୀଙ୍କ ମନର ଭାବନାକୁ। ଏକ ସାଧାରଣ ପିନ୍ଧିବା ଜିନିଷ ଏ ବୁଢ଼ୀ କାଳରେ ବି ବୈଦେହୀଙ୍କ ପାଇଁ ଏତେ ଗୁରୁତ୍ୱ ବହନ କରିପାରେ! ଏତେବର୍ଷ ସଂସାର କଲାପରେ ବି ପୁରୁଷଟି ନାରୀର ମନକୁ କି ସମ୍ପୂର୍ଣ୍ଣ ବୁଝିପାରେ?


କଈଁ ବୁଝିଲେ ଓ ଦୁଇ ବୁଢାଙ୍କୁ ବୁଝାଇଲେ, - ବୋଉ ଯଦି ନଯାଉଛନ୍ତି ନଯାଆନ୍ତୁ, ତାଙ୍କ ପ୍ରତିନିଧି ହିସାବରେ ମୁଁ ତ ଥିବି। ତାଙ୍କୁ ଏତେ ବାଧ୍ୟ କରନ୍ତୁ ନାହିଁ।

କିନ୍ତୁ ଦୁଇ ବୁଢାଙ୍କ ଜିଦି ବଦଳିଲା ନାହିଁ। ସତରେ ଯେତେ ଜ୍ଞାନୀ ହେଲେବି ବାଳ ବୃଦ୍ଧ ସମାନ।

କଈଁ ଏଵେ ଶାଶୁଙ୍କୁ ପଟାଇବାକୁ ଲାଗିଲେ। - ଏଥର ନିସ୍ତାର ନାହିଁ ବୋଉ, ତୁମେ ଯିବ, ମୁଁ ସାଥିରେ ଥିବି। ଏଇ ଦେଖୁନ ଏ ସମ୍ବଲପୁରୀ ପାଟ ତୁମ ପୁଅ ସହ ଯାଇ ମୁଁ ନିଜେ ବାଛିଛି, ତା ବ୍ଲାଉଜ ଦେଖ କେତେ ସୁନ୍ଦର। ତୁମକୁ ଖୁବ୍ ମାନିବ ବୋଉ। କବିପତ୍ନୀଙ୍କର କର୍ତ୍ତବ୍ୟ ରହିଛି ବୋଉ। ବାପା ଆଉ ବାରମ୍ବାର ବହି କରିବେ କି? 

ଅଗତ୍ୟା ବାଧ୍ୟ ହୋଇ ଆଗେ ଅଭ୍ୟାସ କଲେ ପୂର୍ବରୁ ସଂଗୃହିତ ଅନେକ ବ୍ଲାଉଜ ପିନ୍ଧି। ସେ ସ୍ତ୍ରୀ ଧର୍ମ ପାଳନ କରିବେ, ସ୍ବାମୀଙ୍କ ଇଚ୍ଛା, ହେଉ। ନିଜକୁ ଓ ସମସ୍ତଙ୍କୁ ଅଡୁଆ ଲାଗିଲା ପ୍ରଥମେ। ଦିନ ସାତଟିରେ ଆଉ ଅସୁବିଧା ନଥିଲା। ଏହା ଘର ଭିତରେ କିନ୍ତୁ ବାହାରେ! ତଥାପି ମାଡି ପଡୁଥାଏ ତାଙ୍କୁ। ନା ସେ ଯିବେ। ତାଙ୍କ ସ୍ବାମୀ କେଉଁଠି ପହଞ୍ଚିଲେଣି ନିଜେ ଦେଖିବେ। କେଡେ ବଡ ବଡ ସାହିତ୍ୟିକ ଆସିଥିବେ। ସେମାନେ ଚିହ୍ନିବେ କବିପତ୍ନୀଙ୍କୁ। ସେ ବାରଣା ପ୍ରସ୍ତୁତ, ଆଉ ଚାରଣା ବାକି।


ଘରକଥା ଅଲଗା, ବାହାର କଥା ଅଲଗା। କେବଳ ପରିପାଟିରେ ଅନଭ୍ୟସ୍ତ କଥା ନୁହେଁ, ଜୀବନରେ କେବେ ସଭାସମିତିକୁ ଯାଇ ନଥିବାରୁ ବୈଦେହୀ ଭିତରେ ଭିତରେ ଭୟଭୀତ ଥାଆନ୍ତି।


ସଭାଦିନ ଆସିଗଲା, କଈଁ ଶାଶୁମାଙ୍କୁ ସଜାଇଦେଲେ। ଲମ୍ବା ଦର୍ପଣରେ ନିଜକୁ ଦେଖୁଥାନ୍ତି ବୈଦେହୀ। ବିନା ବ୍ଲାଉଜରେ ଆଗରୁ ଏ ସୁନ୍ଦର ଶାଢ଼ୀଟି ଖଣ୍ଡିଆ ଦିଶୁଥିଲା, ଏବେ ପରିପୂର୍ଣ୍ଣ। ସେ ଟିକେ ହସିଦେଲେ। ନାତି ବିଟା ଓ ନାତୁଣୀ ଆଲଫା ହସି ହସି ଗଡିଯାଉଥାନ୍ତି। ଗାଇ ପକାଇଲେ -ପୁଚୁକି ଗାଲି, ଫେସନବାଲୀ ଚାଲି ତୋ ବମ୍ବେ ଦିଲ୍ଲୀ, ଆମ ଜେଜେମା ଲୋ। ଜେଜେମା ଲୋ, ଗୋଟେ ମଲ୍ଲୀ ଗଜରା ଝୁଲାଇ ଦେ ଖୋସାରୁ ଭଲ ମାନିବ।


ବୈଦେହୀ ଲାଜେଇ ଗଲେ, ଏ ମେଞ୍ଚଡ ଛୁଆଙ୍କୁ ଦିନେ ଗପିଥିଲେ, ମଲ୍ଲୀ ଗଜରା କେମିତି ତାଙ୍କର ପ୍ରିୟ ଥିଲା, ଜେଜେ ବାପା ମଲ୍ଲୀଫୁଲ ଆଣନ୍ତି, ସେ ନିଜେ ଗୁନ୍ଥନ୍ତି ଗଜରା। ଆଜି ଆଲଫା ବିଟା ସେଇକଥା ଓଲଟେଇ କହୁଛନ୍ତି। ଆଜିର ଛୁଆ, ବାବାଃ। ସେ କଡାଭାବେ ଚିଡିଉଠିଲେ। ପିଲାଏ ବୁଝିପାରିଲେ ଓ ଚୁପ୍ ପଡିଲେ।


 ଭୀଡ ଜମିଛି; ସାହିତ୍ୟର ଆଦର ନା ନାନା କାର୍ଯ୍ୟକ୍ରମର ଆକର୍ଷଣ! ବୈଦେହୀଙ୍କ ପାଇଁ ଆଗରେ ସ୍ଥାନ ସଂରକ୍ଷିତ ଥିଲେ କଣ ହେଲା ସେ ବଡ ସଂକୁଚିତ ମନେକଲେ ମାନ୍ୟଗଣ୍ୟ ଅଚିହ୍ନା ଅତିଥିଙ୍କ ଗହଣରେ ବସିବାକୁ। ପଛରେ ଏକ କଡକୁ ବସିଲେ କଈଁ ଓ ପିଲା ଦୁଇଙ୍କ ସହ। ଶରତ ସେପଟେ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି। ଏମିତି ସିଟ୍ ବାଛିଲେ ଯେଉଁଠି ଆଲୋକ ମ୍ଳାନ, ମାଇକ ଭଲରେ ଶୁଭିବ କିନ୍ତୁ ଘାଉଁ ଘାଉଁ ହେବନାହିଁ। ବେଶୀ ଅସୁବିଧା ଲାଗିଲେ ଚୁପଚାପ ଖସିଯାଇ ହେବ। ପିଲାଦୁହେଁ ଯାଇ ଜେଜେବାପାଙ୍କୁ ସୂଚନା ଦେଇ ଆସିଲେ ତାଙ୍କ ଅବସ୍ଥିତି। ନନା ତୃପ୍ତ, ସୁନା ସୀତା ନୁହେଁ ଅସଲି ବୈଦେହୀଙ୍କ ସହ ଆଜି ତାଙ୍କ ଯଜ୍ଞର ପୂର୍ଣ୍ଣାହୁତି, "ବୁଲୁନନାଙ୍କ ନାନା ବାୟା ଗୀତ"।

 

 ସଭା ଆରମ୍ଭ ହେଲା। ପ୍ରାୟ ଘଣ୍ଟାଏ ଧରି ଉପକ୍ରମଣିକା, ଭଞ୍ଜପୁରର ଇତିହାସ, ସାହିତ୍ୟ ଓ ବରପୁତ୍ର ମାନଙ୍କ ବିବରଣୀ। ଗୋକୁଳବାବୁଙ୍କ ବାକଚାତୁରୀରେ ସମୟ କଟିଗଲା। ମୂଖ୍ୟ ଅଥିତି ଐତିହାସିକ ଶ୍ରୀଚରଣ ଦିଶୁଥିଲେ ଆମୋଦିତ କିନ୍ତୁ ମୂଖ୍ୟ ବକ୍ତା କବି ଧୃତରାଷ୍ଟ୍ର ପାଣ୍ଡବ ଦିଶୁଥିଲେ ଅସ୍ତବ୍ୟସ୍ତ। ଅନେକ ପୂର୍ବଜଙ୍କୁ ସ୍ମରଣ କରି ଏକ ନିଆରା ଢଙ୍ଗରେ ଦୀପଦାନ କରାଗଲା ଏକ ପରେ ଏକ। ସେ ବି ଅନେକ ସମୟ ନେଲା। ସାଧାରଣ ଶ୍ରୋତାଙ୍କ କଥା କିବା କହିବା, ପୁରସ୍କୃତ ହେବାକୁ ଥିବା ଲମ୍ବା ତାଲିକାର ଲୋକେ ବି ଅସ୍ଥିର ହେଲେଣି।

 ଏହାପରେ ଅବଶ୍ୟ ଚାଲିଲା ପୁରସ୍କାର ଓ ସମ୍ମାନର ପର୍ବ। ମାନପତ୍ର ପାଠ ଅବସରରେ ଜଣେ ମଞ୍ଚ ଉପରକୁ ଚଢିବେ ମୂଖ୍ୟ ଅତିଥି କି ମୂଖ୍ୟ ବକ୍ତା କେହିଜଣେ ପୁରସ୍କୃତ କରିବେ, ଫଟୋ ଉଠିବ ସେ ତଳକୁ ଫେରିବେ ଉତ୍ତରୀୟ, ଫଳକ ଓ ମାନପତ୍ର ଧରି ବଡ ସନ୍ତର୍ପଣରେ। ଏ ବୋଝକୁ ତଳେ ପହଞ୍ଚି ଉତ୍ତାରିବାକୁ ବ୍ୟବସ୍ଥା ନଥିବ। ବାଧ୍ୟରେ ସେ ସବୁ କୁଣ୍ଢେଇ ଧରି ନିଜ ଚୌକିରେ ବସିବେ। ପୁଣି ଆଉ ଜଣେ ଓ ପୁଣି ଆଉଜଣେ, ନୂଆ ନାମ କିନ୍ତୁ ସମାନ ଅଭିନୟ ଏମିତି ଚାଲିଥିବ। ମଞ୍ଚାସୀନ ଓ ମଞ୍ଚତଳର ମଣିଷ ମାନେ ନିଜ ନିଜ ମଧ୍ୟରେ ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ କଥା ହେଉଥିବେ ନିରାସକ୍ତ ଭାବେ। 

କଈଁ ଚାହିଁଲେ ଶାଶୁମାଙ୍କୁ। ସେ କେଉଁ ଏକ ଭିନ୍ନ ରାଜ୍ୟରେ ଥିଲେ। ନିଜକୁ ଯଥାସମ୍ଭବ ଘୋଡେଇ ଘାଡେଇ କାକୁସ୍ଥ ହୋଇ ବସିଛନ୍ତି। ମୁଣ୍ଡରେ ଓଢଣା, ସାରା ଶରୀର ଆବୃତ୍ତ। ସତେଅବା ତାଙ୍କ ବ୍ଲାଉଜ ପିନ୍ଧିବାଟା ପ୍ରଘଟ ହେଲେ ସଭା ଭଣ୍ଡୁର ହୋଇଯିବ। କଈଁ ଚାହିଁଲେ ବୋଉ ଟିକେ ଫିଟଫାଟ ହୋଇ ବସନ୍ତୁ। ତାଙ୍କ କାନ୍ଧରୁ କାନି ଖସାଇଲା ବେଳକୁ ସେ ସଚେତନ ଭାବରାଜ୍ୟରୁ ଫେରିଆସି ବଡ ବିଚଳିତ ବୋଧକଲେ। କଈଁକୁ ଯେମିତି ଚାହିଁଲେ ନଥିଲା ତହିଁରେ ବିରକ୍ତ ଭାବ, ବରଂ ଥିଲା ସୁସ୍ପଷ୍ଟ କାକୁତି। ସତେଅବା କହି ପକାଇଲେ, - ବାସ କଈଁ ବାସ, ଆଉ ହଇରାଣ କରନି, କେମିତି ତୋ ଶଶୁରଙ୍କ ବହି ଫିଟିଗଲେ ମୁଁ ଏଠୁ ପଳାଇବି। ଶିଶୁ ହେଲେବି ଆଲଫା ବିଟା ବୁଝିଗଲେ, ଜେଜେମା ସଭାକୁ ଉପଭୋଗ କରୁନାହାନ୍ତି, ଗୋଟେ ବୋଝ ବୋହୁଛନ୍ତି। ଜେଜେମାଙ୍କ ବଟୁଆରୁ ଖୋଲି ଆଲଫା ଖଣ୍ଡିଏ ପାନ ତାଙ୍କ ପାଟିରେ ଗେଞ୍ଜିଦେଲା। ଏ ପରିସ୍ଥିତିରେ ବଡ ଖୁସିହେଲେ ସେ, ଯେମିତି ମୁକୁଳିବାର ଚାବି ମିଳିଗଲା। ତଥାପି ଅବଶିଷ୍ଟ କେଇଟି ଶକ୍ତ ଦାନ୍ତରେ ସେ ଚୋବାଇଲେ ଧୀରେଧୀରେ। ଆହୁରି ଅନେକ ପାନ ଅଛି। ଆଲଫାକୁ ସସ୍ନେହେ ଆଉଁସି ଦେଲେ।

ଧୃତରାଷ୍ଟ୍ର ପାଣ୍ଡବଙ୍କୁ ପ୍ରଶସ୍ତି ଗାନ ମଧ୍ୟରେ ଅନୁରୋଧ କରାଗଲା ଆପଣାର ବକ୍ତବ୍ୟ ରଖିବାକୁ। ଏଯୁଗର ଗୋପବନ୍ଧୁ, ବିଶିଷ୍ଟ ଦଳିତ କବି ଯାହାଙ୍କ ବାମପନ୍ଥୀ ବିଚାରଧାରାର କବିତା ସାମାଜିକ ଆଲୋଡନ ସୃଷ୍ଟି କରେ ଓ ଆହୁରି କେତେ ପ୍ରଶଂସାରେ ପାଣ୍ଡବେ ସପ୍ରସନ୍ନ ଉଠିଲେ।


କଈଁ ସାହିତ୍ୟ ପ୍ରତି ରୁଚିଶୀଳା ହେଲେ ମଧ୍ୟ ବୁଝି ପାରୁନଥାନ୍ତି, ସାହିତ୍ୟ ଓ କବିତାରେ ଏ ଦଳିତ ବିଚାର, ରାଜନୈତିକ ବିଚାର ସବୁ କଣ? କବି ତ କବି ପୁଣି ଦଳିତ କବି ଗୋଟେ କଣ! ଏସବୁ ନବରସ ମଧ୍ୟରେ ନା ଦଶମ ବା ଏକାଦଶ ରସ? ସେ ବୁଝିପାରିଲେ ନାହିଁ ପାହାଡ ଚୁଳରେ ମେଘ ଦେଖିଲେ ତାହା କଣ ଭିନ୍ନ ଭିନ୍ନ ଜାତି ଓ ଭିନ୍ନ ରାଜନୈତିକ ଚିନ୍ତାଧାରାର ଲୋକକୁ ଭିନ୍ନ ଦେଖାଯିବ, ଭିନ୍ନ କବିତା ବାହାରିବ! କେଜାଣି ହୋଇଥିବ, ସେ ଜାଣେ, ଜଣେ ବଡ କବିଙ୍କୁ ପୁନେଇର ଜହ୍ନ ଦେଖାଯାଏ ଭୋକିଲାଙ୍କ ନଜରରେ ରୁଟି ଭଳି। ହୁଏତ ପାହାଡ ଚୁଳର ବର୍ଷାରେ ସେ ଦେଖୁଥିବେ ବେଛପର ଘର ଭିତରକୁ ଗଳୁଥିବା ପାଣି। ଧୃତରାଷ୍ଟ୍ରଙ୍କ ଦାଢୀ ଏବେ ସତକୁ ମନେହେଲା ଗୋପବନ୍ଧୁଙ୍କ ଦାଢୀ। ସେ ଧ୍ୟାନଦେଇ ଶୁଣିବାର ପ୍ରଯତ୍ନକଲେ। ଆହାରେ, ଶାଶୁମା ଯଦି ଏସବୁ ବୁଝିବା ଅବସ୍ଥାରେ ଥାଆନ୍ତେ, ସେ ଏବେବି ଯତ୍ନରେ ବ୍ଲାଉଜ ଲୁଚାଇ ବସିଛନ୍ତି।

ପାଣ୍ଡବେ ଉଠିଲେ, ସେ ଏବର୍ଷ ରାଜ୍ୟ ସାହିତ୍ୟ ଏକାଦେମୀ ପୁରସ୍କାର ପାଇଛନ୍ତି। ସେଇଠୁ କଥା ଆରମ୍ଭ କଲେ। କି ପୁରସ୍କାର ହୋ, ଅଧୁଆ ମୁଳାଙ୍କ ସହ ଆମେ ଧୁଆମୁଳା ସମାନ। ପୁରସ୍କାରର ଆଉ ମାନ ଅଛି? କିନ୍ତୁ ନିରପେକ୍ଷ ଭଞ୍ଜପୁର ସାହିତ୍ୟ ସଂସଦ ପୁରସ୍କାରର ବୁନିଆଦି ମାନ୍ୟତା ଅଛି। ଶହେ ଏକାଦେମୀ ପୁରସ୍କାର ସହ ସମାନ। ପୁରସ୍କାରର ମୋହରୁ ସେ ଉତ୍ତୀର୍ଣ୍ଣ କିନ୍ତୁ ଏ ପୁରସ୍କାର ନିଆରା, ସେ ଆନନ୍ଦିତ ଓ କୃତଜ୍ଞ।


କଈଁ ମନେପକାଉଥିଲେ, ଦିନେ ମଧ୍ୟାହ୍ନ ଭୋଜନବେଳେ ଗୋକୁଳବାବୁ କେମିତି ତାଙ୍କ ଶଶୁରଙ୍କୁ କହିଥିଲେ, ଏଥର ପାଣ୍ଡବଙ୍କୁ ଆମର ସଂସଦ ପୁରସ୍କାରଟି ଦେଇଦେବା। ବହୁତ ମାଧ୍ୟମରେ ସେ ଚାପ ପ୍ରୟୋଗ କରୁଛନ୍ତି। ଲାଳସୀ ଲୋକ ଖୁସିହେବେ, ହେଉ। ଶଶୁର କେବଳ ଶୁଣନ୍ତି, ମତ ଦିଅନ୍ତି ନାହିଁ।

ସେ ପାଣ୍ଡବେ ଆଜି ଭାଷଣରେ ଭଞ୍ଜପୁରକୁ ପ୍ରତିଦାନ ଦେଉଛନ୍ତି, ନିରପେକ୍ଷତାର ସାବାସୀ ଦେଉଛନ୍ତି।

ତାପରେ ସେ କହିଚାଲିଲେ। ସମାଜର ଦଳିତ, ନିଷ୍ପେସିତ, ଲାଞ୍ଛିତ ସର୍ଵହରାର ସ୍ବର ଯଦି କବି ନଉଠାଇଲା ତାହେଲେ ତା କବି ହେବା ଧିକ୍। କେଉଁଠି ଶବ ବୁହାହୁଏ ସାଇକେଲରେ, କେଉଁଠି ଲୁଣ କେବଳ ତିଅଣ; ଧିକ୍ ତୁମ କବିତ୍ବକୁ ଯଦି ଏହାକୁ ବାଏଁରେଇ ଗଲ। ସେ ସବୁ କିସମକୁ କାଟି କେବଳ ତାଙ୍କ ନିଜ କିସମଟି ସାହିତ୍ୟ ପଦବାଚ୍ୟ ଏକଥା କହିଲା ବେଳକୁ କଈଁକୁ ମନେହେଲା ଏ ଦାଢୀ ଗୋପବନ୍ଧୁ ସମ ନୁହେଁ, ସୁଦୁ ସ୍ବାର୍ଥପର।


ସେ କହିଲେ,- ଏ ଦେଶର କୋଟି କୋଟି ଲୋକ ମୁଠାଏ ଖାଇବାକୁ ଡହଳ ବିକଳ ହେଉଥିବା ବେଳେ ସେପଟେ ଧନିକ ଗୋଲାପ ପାଖୁଡାର ଗାଲିଚା ଉପରେ ଅତିଥିଙ୍କ ଚାଲିବାର ବ୍ୟବସ୍ଥା କରୁଛି ଝିଅ ବାହାଘର ବେଳେ। ଚାଟାର୍ଡ୍ ବ୍ୟୋମଯାନରେ ଅଭ୍ୟାଗତଙ୍କୁ ଉଡାଇ ଅଣା ହେଉଛି। ବାୟୁମଣ୍ଡଳରେ ଅମ୍ଳଜାନ କମ ଅତର ବେଶୀ। ହେବନି କେମିତି, ଗୋଟିଏ ଲୋକ ହାତରେ ଦେଶର ଏକ ଚଉଠ ସମ୍ପତ୍ତିର ମାଲିକାନା ରହିଲେ ଏମିତି ହିଁ ହେବ। ଏ ସମାଜ କେତେଦିନ ତିଷ୍ଠିବ? କନ୍ୟା ପୁଣି ପିନ୍ଧିଛନ୍ତି ଦୁଇକୋଟିର ବ୍ଲାଉଜ।

ଏଣିକି ପାଣ୍ଡବେ ସବିଶେଷ ବିବରଣୀ ଦେଲେ ବ୍ଲାଉଜ ବାବଦରେ, କେତେ ହୀରା, କେତେ ସୂନା, କେତେ କାରିଗରୀ ଖର୍ଚ୍ଚ ଓ ଇତ୍ୟାଦି ଇତ୍ୟାଦି। ବ୍ଲାଉଜ ବ୍ଲାଉଜ ବ୍ଲାଉଜ। ଯେତେଥର କଈଁ ଶୁଣୁଥାନ୍ତି ଚିହିଁକି ଉଠି ଶାଶୁଙ୍କ ଆଡକୁ ଅନାଉଥାନ୍ତି। ବୋଉଙ୍କୁ ସମ୍ଭବତଃ ସମସ୍ତ ବକ୍ତବ୍ୟ ଦୁର୍ବୋଧ୍ୟ ହେଉଥାଏ କେବଳ ସେହି ଗୋଟିଏ ଶବ୍ଦକୁ ଛାଡିଦେଇ। ସେ ଲୁଗାକୁ ସଜାଡି ଦେଉଥାନ୍ତି। ଅସଜଡା ହୋଇଛି କି, କବି ତାଙ୍କ ବ୍ଲାଉଜକୁ ନଜର କରି ଏମିତି କଣସବୁ କହୁଛନ୍ତି କି? ସେ କଣ ବେଢଙ୍ଗିଆ ପିନ୍ଧିଛନ୍ତି? କଣ ସେ ବ୍ଲାଉଜ ପିନ୍ଧିବାରେ ମିଳିଲା, ନପିନ୍ଧିଥିଲେ କଣ ଚଳି ନଥାନ୍ତା, ଧେତ୍! ଲାଗୁଛି ବୈଦେହୀ ଅଥୟ ହେଲେଣି, ଫେରିଯିବାକୁ ଚାହୁଁଛନ୍ତି। କିନ୍ତୁ ସ୍ବାମୀଙ୍କ ପୁସ୍ତକ ଉନ୍ମୋଚିତ ହୋଇନାହିଁ ଯେ?


ସେ ସ୍ବଗତକ୍ତି କଲେ, ଏ ଝାଡାବାନ୍ତିଆ କବିଟା କେତେ ବୋବେଇବକି ଆଉ!


କଈଁ ଅବଗତ ଥିଲେ ଦେଶର ସବୁଠୁ ଦାମୀ ବାହାଘର ବାବଦରେ। ନିମନ୍ତ୍ରଣ ପତ୍ରଠୁ ନୋଳମୁକୁଟ ପର୍ଯ୍ୟନ୍ତ ସବୁକିଛି ଗଣ ମାଧ୍ୟମରେ ସବିଶେଷ ଆଲୋଚିତ ହୋଇଥିଲା। ହୀରାଖଚିତ ଭାନିଟି ମୁଣାର ଦାମଥିଲା ଅଢେଇ କୋଟି, ଶାଢୀ ସତର କୋଟି, ଯୋତା, ଘଡି, ଚୁଡି ବରଙ୍କର ସରଞ୍ଜାମ କ୍ଵଚିତ କେଉଁଥିରେ ଲକ୍ଷ ଶବ୍ଦଟି ଲାଗୁଥିଲା, କୋଟି ଆଉ କୋଟି।


ଏତେସବୁ ଚିଜରୁ ଏ ଦଳିତ, ବାମପନ୍ଥୀ, ଆଧୁନିକ ଗୋପବନ୍ଧୁ  ଧୃତରାଷ୍ଟ୍ର ପାଣ୍ଡବଙ୍କୁ ଆଉ କିଛି ମନକୁ ଗଲାନି କେବଳ ବ୍ଲାଉଜ ଉପରେ ଗବେଷଣା କଲେ। ଯେମିତି ଶାଶୁମାଙ୍କ ବଇରି ହୋଇ ଏ ବିଶିଷ୍ଟ କବି ଆସିଥିଲେ। ବାତ୍ସଲ୍ୟ ବିଗଳିତ କଈଁକୁ ଲାଗିଲା ସତେ କି ତାଙ୍କ ଝିଅ ବୈଦେହୀ ଆଜି ତାଙ୍କ ଜ୍ବାଇଁ ବୁଲୁନନାଙ୍କୁ ବାହାହେଉଛନ୍ତି ଓ ସେପାଇଁ ଏ ଉତ୍ସବ। ଏ ଆୟୋଜନକୁ ଭଣ୍ଡୁର କରୁଛନ୍ତି କବି, କନ୍ୟାଙ୍କ ବ୍ଲାଉଜ ଉପରେ ଟୀକ୍କାଟିପ୍ପଣୀ ଦେଇ। ଇଛା ହେଉଥିଲା ତୁରନ୍ତ କବିଙ୍କୁ ବସାଇ ଦେବା ପାଇଁ ତାଙ୍କ ଆସନରେ।

ହଠାତ ବିଜୁଳି ଚାଲିଗଲା। ଜେନେରେଟର ଷ୍ଟାର୍ଟ ନେଉଥାଏ ପୁଣି ବନ୍ଦ ହୋଇଯାଉଥାଏ। ମଞ୍ଚ ଅବଶ୍ୟ ଆଲୋକିତ ଥିଲା ଛୋଟ ଛୋଟ ଜରୁରୀ ବତୀ ସାହାଯ୍ୟରେ। କବି କଣ କହୁଥିଲେ ଶୁଣାଯାଉ ନଥିଲା। ବୈଦେହୀ ଓ କଈଁଙ୍କୁ ଲାଗୁଥିଲା ସେ କେବଳ କହୁଛନ୍ତି ସେହି ଗୋଟିଏ ଶବ୍ଦ ବାରମ୍ବାର।


ଶେଷରେ ସେ ମଧ୍ୟ ଭାଷଣ ବନ୍ଦକରି ବସିଲେ।


ଲୋକେ ଉଠୁଥିଲେ, ମନୋରଞ୍ଜନ କାର୍ଯ୍ୟକ୍ରମ ବାକିଥିବା ସତ୍ତ୍ଵେ। କିନ୍ତୁ ଶାଶୁମାଙ୍କ କାମଟି ହୋଇନାହିଁ ଯେ! ସେ ବ୍ୟସ୍ତ ହୋଇପଡିଲେ। ଏତେ ଡେରି ହେଉଛି। ସତେ ଯେମିତି ନାନାବାୟା ଗୀତସବୁ ପରଲଗା, ବହିଫିଟିଲେ ଉଡିବୁଲନ୍ତେ। ମନେକଲେ ସେ, ପୁଳାଏ ଚଢେଇଙ୍କୁ ପିଞ୍ଜୁରୀ ମଧ୍ୟରେ ବନ୍ଦୀ କରାଯାଇଛି। ସବୁଠୁ ବଡ ଚଢେଇ ସେ ନିଜେ, ନନାଙ୍କ ଅସଲି ନାନାବାୟା କବିତା। ସେ ବି ବନ୍ଦୀ।

ଅନେକ ସମୟ ପରେ ଜେନେରେଟର ଚାଲିଲା। ଆଉ ଦୁଇ ମିନିଟ ପରେ ବିଦ୍ୟୁତ ସର୍ବରାହ ବି।

ବିଳମ୍ବ ଦୃଷ୍ଟିରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ତରବରରେ କରାଗଲା। ବୈଦେହୀଙ୍କୁ ମଞ୍ଚ ଉପରକୁ ଡାକିବା ବାତିଲ ହୋଇଗଲା। ବୁଲୁନନା ଦୁଃଖ କରୁନଥିଲେ; ଦଇବ ବରାଦ। ବୈଦେହୀ ବି ବଡ ଆଶ୍ବସ୍ତ ଅନୁଭବ କରୁଥିଲେ, ଯେମିତି ବର୍ତ୍ତିଗଲେ।

ନାନାବାୟା ମାନେ ଉଡିଲା ବେଳକୁ ନାତି ନାତୁଣୀ, ବୋହୂ ଓ ସେବେଳକୁ ଉପସ୍ଥିତ ପୁଅ ସହ ମିଶି ସେ ବି କରତାଳି ଦେବାରେ ଉଣା କରିନଥିଲେ। ଆଖି ଜକେଇ ହୋଇ ଆସିଥିଲା।

କଈଁ ପୁନଶ୍ଚ କେବେ ଉତ୍ସାହିତ ହୋଇନଥିଲେ ବୋଉଙ୍କୁ ବାଧ୍ୟ କରିବାକୁ, ତାଙ୍କ ବେଶଭୂଷା ବାବଦରେ।



Rate this content
Log in

Similar oriya story from Abstract