ବିଶର ମହାନ୍ତି
ବିଶର ମହାନ୍ତି
ଧନ୍ୟ ତୁମେ ବିଶର ମହାନ୍ତି ।
ସମୁଦ୍ରକୂଳରୁ ୧୫ କିଲୋମିଟର ପଶ୍ଚିମକୁ କୂଜଂଗଗଡ଼, ଏହି କୁଜଂଗଗଡ଼ ରାଜ ଦରବାରରେ, ବିଶର ମହାନ୍ତି ନାମକ ଜଣେ ପାଞ୍ଜିଆ କରଣ ଥିଲେ ।
ତାଂକର ପେଷା ଥିଲା ପାଞ୍ଜି ଲେଖିବା, ତାଳପତ୍ର ଉପରେ ଲେଖନୀ ମୁନରେ ରାଜାଙ୍କ ସଂମ୍ପତିର ହାନୀ ଲାଭର ବିଶଦ ବିବରଣୀ, ସେ ଫୁଖାନୁପୁଂଖ ଭାବରେ ଲିପିବଦ୍ଧ କରୁଥିଲେ । ବେଳେ ବେଳେ ରାଜାଙ୍କ ଡକରାପାଇ, ଛାମୁଙ୍କ ନିମନ୍ତେ ତାଙ୍କ ମନ ମୁତାବକ ଚିଟାଉ ଲେଖୁଥିଲେ ।
ରାଜଦରବାରରୁ ଯାହା କିଛି ମିଳୁଥୁଲା, ସେଥୁରେ ସେ କୌଣସି ପ୍ରକାରେ ନିଜର ଗୁଜରାଣ ମେଣ୍ଟାଉ ଥିଲେ । ରାଜାଙ୍କ କରଣ ହିସାବରେ ସେ ମଧ୍ୟ ଲୋକମାନଙ୍କ ଠାରୁ ସମ୍ମାନ ପାଉଥିଲେ ।
ରାଜାଙ୍କ ଦରବାରକୁ କେତେ ଆଡ଼ୁ କେତେ ବିଦ୍ଵାନ ପଣ୍ଡିତ ଆସୁଥିଲେ, ଚଉପାଢ଼ୀ ଉପରେ ବସି ବିଭିନ୍ନ ପୁରାଣଶାସ୍ତ୍ରର ବିବିଧ ଜ୍ଞାନର ବ୍ୟାକ୍ଷା କରୁଥିଲେ ।
ବେଳେ ବେଳେ ପୁରୀରୁ ଶ୍ରୀମନ୍ଦିରର ମୁକ୍ତିମଣ୍ଡପରୁ ପଣ୍ଡିତମାନେ ରାଜଦରବାରକୁ ଆସନ୍ତି, ନିଜର ପାଣ୍ଡୀତ୍ୟ ଦ୍ଵାରା ମହାପ୍ରଭୁଙ୍କ ଲୀଳା ଶୁଣାଇ ଲୋକମାନଙ୍କୁ ଉଦ୍ବୁଦ୍ଧ କରନ୍ତି । ସେମାନଙ୍କ ଭାଷଣ ଶୁଣି, ବିଶର ମହାନ୍ତି ଭାବବିଭୋର ହୋଇ ଭାବନ୍ତି, ଧନ୍ୟ ଏହି ପଣ୍ଡାମାନେ, ପୂର୍ବଜନ୍ମର ଅସୀମପୁଣ୍ୟ ହେତୁ, ଏମାନେ ମହାପ୍ରଭୁଙ୍କ ପାଖଲୋକ ହୋଇ ତାଙ୍କର ସେବାପୂଜା କରି, ତାଙ୍କର ସାନିଧ୍ୟ ପ୍ରାପ୍ତ ହୋଇଛନ୍ତି ।
ମାତ୍ର ତାଙ୍କର ଜୀବନ ବୃଥା, ଟିକିଏ ବି ମହାପ୍ରଭୁଙ୍କ ସେବାପୂଜାର ଅବସର ତାଙ୍କ ଭାଗ୍ୟରେ ନାହିଁ, ଜୀବନଟା ତାଙ୍କର ଖାଲି ଲେଖି ଲେଖି ବୃଥାରେ ଅତିବାହିତ ହେଉଛି। ବିଶର ପଣ୍ଡାମାନଙ୍କ ଠାରୁ ଧର୍ମଜ୍ଞାନ ଆଗ୍ରହର ସହ ଶୁଣନ୍ତି, ସେମାନଙ୍କ ନିକଟରୁ ଠାକୁରଙ୍କୁ ମହାପ୍ରସାଦ ସହ, ଧଣ୍ଡାମାଳ, ଛଡ଼ାଫୁଲ ଓ ତୂଳସୀ ଗ୍ରହଣକରି, କୃତ୍ୟକୃତ୍ୟ ହୋଇ ପଡ଼ନ୍ତି । ମହାପ୍ରଭୁଙ୍କୁ ପ୍ରାର୍ଥନା କରି କହନ୍ତି, ହେ ପତିତପାବନ !
ସତେ କଅଣ ମୋ ଭଳି ଏକ ଅଧମକୁ ଆପଣଙ୍କ ସେବା କରିବାର କେବେ ସୁଯୋଗ ମିଳିବ ?
ଏହା ଷୋଡ଼ଷ ଶତାବ୍ଦୀର କଥା, ଏମିତି ପ୍ରଭୁଭକ୍ତି ସହ ଦିନ କାଟୁ କାଟୁ, ୧୫୬୮ ମସିହାରେ ଦିନେ ଶ୍ରୀକ୍ଷେତ୍ରରୁ ଜଣେ ପଣ୍ଡା ଆସି ଦୁଃସମ୍ବାଦ ଦେଲେ ଯେ, ଦିଲ୍ଲୀର ମୋଗଲ ବାଦଶାହା ଆକବର ଙ୍କୁ ସମର୍ଥନ କରିବାରୁ, ଗଜପତି ମହାରାଜା
ମୁକୁନ୍ଦଦେବ, ବାଦଶାହାଙ୍କ ଶତୃ ବଙ୍ଗଳାର ଆଫଗାନ ନବାବ ସୁଲେମାନ କରଣୀକ ସେନାପତି କଳାପାହାଡ଼ ଦ୍ଵାରା ଯୁଦ୍ଧରେ ପରାସ୍ତହୋଇ, ମହାରାଜ ମୁକୁନ୍ଦଦେବ ନିହତ ହୋଇଛନ୍ତି ।
ବାରବାଟୀ ଦୁର୍ଗକୁ ରକ୍ଷାକରିବା ନିମନ୍ତେ, ରାଜକୁମାର ରାମଚନ୍ଦ୍ର ଦେବ ମଧ୍ୟ ମୁସଲମାନ ସୈନୀକମାନଙ୍କ ଦ୍ଵାରା ପରାସ୍ତ ହୋଇଛନ୍ତି । ବର୍ତମାନ ଉତ୍କଳକୁ ସୁଲେମାନ କରଣୀର ସେନାପତି କଳାପାହାଡ଼ ବଙ୍ଗଳାର ଶାସନାଧୀନ କରାଇ ଦେଇଛନ୍ତି ।
ଲୋକେ କଳାପାହାଡ଼ର ନାଁ ଶୁଣି ଭୟଭୀତହୋଇ କୁହାକୁହି ହେଉଛନ୍ତି, ‘ଆଇଲା କଳାପାହାଡ଼, ଭାଂଗିଲା ଲୁହାରବାଡ଼, (ବାରବାଟୀ ଦୁର୍ଗର) ପିଇଲା ମହାନଦୀ ପାଣି, ସୁବର୍ଣ, ଥାଳୀରେ ହୀରା ପରଶିଲେ, ମୁକୁନ୍ଦ ଦେବଂକ ରାଣୀ' ।
କଳାପାହାଡ଼ ଉତ୍କଳର ସମସ୍ତ ହିନ୍ଦୁମନ୍ଦିର ଧ୍ବଂସ କରିବାକୁ ଶପଥ ନେଇଛି, ବର୍ତମାନ ସେ କଟକ ପରେ ଭୁବନେଶ୍ୱର ଅକ୍ତିଆର କରି, ଶ୍ରୀକ୍ଷେତ୍ରରେ ପହଁଚିଛି।
ଶ୍ରୀମନ୍ଦିର ଆକ୍ରମଣ କରି, ମହାପ୍ରଭୁଙ୍କ ତିନି ବିଗ୍ରହକୁ ହାତିପିଠିରେ ଚମଡ଼ା ଦଉଡ଼ିରେ ବାନ୍ଧି, ଗଙ୍ଗା କୂଳକୁ ନେଇ ଜଳାଇ ଦେଇଛି ।
ଏ ଦୁଃଖ ସମ୍ବାଦ ପାଇ ଭକ୍ତ ବିଶର ମହାନ୍ତି କି ଆଉ ଧଯ୍ୟ ଧରନ୍ତି, ପ୍ରଭଙ୍କ ବିଗ୍ରହକୁ ପୋଡ଼ି ଦେଇଥିବା ଖବର, ତାଙ୍କୁ ଅତ୍ୟନ୍ତ ବିବ୍ରତ କରିଦେଲା, ଖାଇବା ଶୋଇବା ତାଙ୍କୁ ବିଷଭଳି ଲାଗିଲା।
ସେଦିନ ରାତ୍ରୀରେ ବିଛଣାରେ ପଡ଼ି ପଡ଼ି ଛଟପଟ ହେଉଥାନ୍ତି, ଟିକିଏ ଛାଇନିଦ ଲାଗିଛି କି ନାହିଁ, ଦେଖୁଲେ ଛାୟାମୂର୍ତୀଟିଏ ଆସି କହିଲା, ‘ବିଶର ! ମୋ ପାଇଁ କଅଣ ତୋର କିଛି କର୍ତବ୍ୟ ନାହିଁ, କିପରି ଶୋଇଛୁ’?
ଚମକି ପଡ଼ି ବିଶର ଉଠି ଦେଖୁଲେ ପାଖରେ କେହି ନାହିଁ, ତାଙ୍କୁ ଲାଗିଲା ଯେପରି ସେ ଘରେ ପୂଜା କରୁଥିବା ମହାପ୍ରଭୁଙ୍କ ବିଗ୍ରହ ତାଙ୍କୁ ଏପରି କହିଛି ।
ସେ ପାଗଳ ଭଳି ହୋଇଗଲେ, ମୁଣ୍ଡର କେଶସବୁ କାଟିଦେଇ ଲଣ୍ଡା ହୋଇପଡ଼ିଲେ, ଦେହ ସାରା ଚନ୍ଦନ ବୋଳିହୋଇ, କପାଳରେ ହରିମନ୍ଦିର ଚିତା କାଟିଦେଲେ, କାନ୍ଧରେ ମୃଦଙ୍ଗଟିଏ ପକାଇ ଯନ୍ତ୍ରଭଳି ଗଙ୍ଗାକୁଳକୁ ଚାଲିଚାଲି ବାହାରିଲେ ।
ଲୋକମାନେ ଭାବିଲେ, ‘ପାଞ୍ଚୀଆ ବିଶରମହାନ୍ତି ବାଇଆହୋଇ କୁଆଡ଼େ ପଳାଇଲା । ବାଟସାରା ମୃଦଙ୍ଗ ବାଦ୍ୟର ତାଳେ ତାଳେ, ଭଜନ କୀର୍ତନ ଗାଇ ଗାଇ, ଉଦ୍ଧଣ୍ଡ ନୃତ୍ୟ କରି କରି, ଯାଇ ପହଂଚିଲା ଗଙ୍ଗାନଦୀର କୂଳରେ, ଯେଉଁଠାରେ କଳାପାହାଡ଼ ଶ୍ରୀଜୀଜିଉମାନଂକୁ ଜଳାଇ ଦେଇଥିଲା । ତାଙ୍କୁ ଲାଗିଲା ଯେପରି ତାଙ୍କ ପାଦକୁ କିଏ ଟାଣି ନେଉଥିଲା ।
ଆଗକୁ ଆଗକୁ ।
ସେଠାରେ ସେ ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ନିକଟରୁ ଶୁଣିଲେ ଯେ, ମହାପ୍ରଭୁମାନଙ୍କୁ ନିଆଁ ଲାଗାଇଲା ପରେ, ହଠାତ୍ କଳାପାହାଡ଼ ସ୍ଵୟଂ ଅସୁସ୍ଥ ହୋଇ ପଡ଼ିଲା । ଏହା ପ୍ରଭୁଙ୍କ କୋପହେତୁ ହୋଇଥିବାର ସଂନ୍ଦେହ କରି,
ତାଙ୍କ ପୁତ୍ର ଦରପୋଡ଼ା ଦାରୁଦିଅଁମାନଙ୍କୁ ଗଙ୍ଗାରେ ବିସର୍ଜନ କରିଦେଲା । ବିଶର ମହାନ୍ତି ମନରେ ଭାବିଲେ, ବିଧର୍ମୀ କଳାପାହାଡ଼ ସିନା ଦାରୁମାନଙ୍କୁ ଜଳାଇ ଦେଇଛି, ସେମାନଙ୍କ ବ୍ରହ୍ମ ତ କେବେ ଜଳିଯାଇ ନଥିବ ।
ବିଶର ମହାନ୍ତି ମନରେ ଭାବିଲେ, ଆତ୍ମାତ ଅବିନାଶୀ, ତାହା ପୋଡ଼ିବ କିମିତି ? ତାଙ୍କର ଦୃଢ଼ବିଶ୍ବାସ ରହିଥୁଲା ଯେ, ମହାପ୍ରଭୁମାନଙ୍କର ବ୍ରହ୍ମପଦାର୍ଥ ନିଶ୍ଚୟ ରହିଥିବ, କେବେ ପୋଡ଼ି ନଥିବ, ଭଲକରି ଖୋଜିଲେ ନିଶ୍ଚୟ ତାଙ୍କୁ ମିଳିଯିବ । ସେ ଗଙ୍ଗାର ନୀଳ ଜଳରାଶି ଉପରେ ନଜର ପକାଇଲେ, କଅଣ କେଉଁଠି ଭାସୁଛି ତାହାକୁ ଅନୁସଂନ୍ଧାନ କଲେ ।
ଠାକୁରମାନଙ୍କର ବ୍ରହ୍ମକୁ ଖୋଜିଖୋଜି ଶେଷରେ ଦାରୁବ୍ରହ୍ମଙ୍କୁ ଠାବକଲେ । କିନ୍ତୁ ବିଶରଙ୍କ ମନରେ ସଂନ୍ଦେହ ରହିଥିଲା । ପ୍ରକୃତରେ ତାହା ବ୍ରହ୍ମ କି ନୁହେଁ, ଠାକୁର ତାଙ୍କୁ ପରୀକ୍ଷା କରୁନାହାଁନ୍ତି ତ ? ଏହି ସମୟରେ ତାଙ୍କୁ ଶୁଭିଲା, ‘ହଁ ବିଶର ! ଏହା ମୋର ବ୍ରହ୍ମ, ଯାହାକୁ କଳାପାହାଡ଼ ଜଳାଇବାକୁ ପ୍ରୟାସ କରିଥିଲା’ ।
ବିଶର ମହାନ୍ତି ପାଗଳଭଳି ସବୁଆଡ଼ ଖୋଜିବାକୁ ଲାଗିଲେ, ଗଙ୍ଗାଜଳ ମଧ୍ଯରେ ଦରାଣ୍ଡୁ ଦରାଣ୍ଡୁ କଅଣ କିଛି ଭାରିପଦାର୍ଥକୁ ହଠାତ ଝୁଟି ପଡ଼ିଲେ । ତାକୁ ଉଠାଇ ଆଣି ଦେଖନ୍ତି ତ ତାହା ଏକ ଦରପୋଡ଼ା ପଦାର୍ଥ ।
ଏହି ସମୟରେ ବିଶରଙ୍କୁ ଶୂନ୍ୟବାଣୀ ହେଲା, ‘ଆରେ ବିଶର, ମୁଁ ସେହି ଅପୋଡ଼ା ବ୍ରହ୍ମ ପଦାର୍ଥ, ମୋତେ ଜଳାଇ ନପାରି ଶେଷରେ ଗଙ୍ଗାରେ ଭସାଇ ଦିଆଯାଇଛି’। ଆନନ୍ଦରେ ଅଧିରହୋଇ ବିଶର ଉନ୍ମାଦରେ ନାଚିଉଠିଲେ, ପାଇଲି ପାଇଲି ବୋଲି ଚିତ୍କାର କରିବାକୁ ଲାଗିଲେ । ଦରପୋଡ଼ା ଦାରୁ ମଧ୍ୟରୁ ବ୍ରହ୍ମପଦାର୍ଥକୁ ସଂଗ୍ରହକରି, ନିଜର ମୃଦଂଗ ମଧ୍ୟରେ ପୁରାଇ ରଖିଲେ ।
ମୃଦଂଗ ବାଦ୍ୟର ଛନ୍ଦେ ଛନ୍ଦେ ଉଦ୍ଦଣ୍ଡ ନାମ ସଂକୀର୍ତନ କରି କରି, ଜଗନ୍ନାଥାୟ ନମଃ ଗାଇ ଗାଇ, ଭୟାତୁର ଆଶା ଆକଙକ୍ଷା ମଧ୍ୟରେ ଧୀରେ ଧୀରେ ଫେରିଲେ । ମନରେ ଭାବୁଥିଲେ, ମହାପ୍ରଭୁଙ୍କ ବ୍ରହ୍ମ ତାଙ୍କ ମୃଦଂଗ ମଧ୍ୟରେ, କି ପରମଭାଗ୍ୟ ତାଙ୍କର, ସେ ବର୍ତମାନ ସାରା ଜଗତର ନାଥଙ୍କୁ ନିଜେ ବହନ କରୁଛନ୍ତି । ତାଙ୍କର ସାତଜନ୍ମର ଭକ୍ତି ଆଜି ସଫଳ ହୋଇଛି, ଏପରି ଭାବି ଭାବି ବାଟରେ କେତେ ନଦୀନାଳ ପାରହୋଇ, ଆସି ଉତ୍କଳଭୂମୀରେ ପହଞ୍ଚିଲେ ।
କିଛିଦିନ ପରେ ସେ ଆସି କୁଜଂଗଗଡ଼ରେ ପହଂଚିଲେ । ବହୁଦିନ ପରେ ଘରକୁ ଫେରିଥିବା ଦେଖ୍, ଲୋକମାନେ ତାଂକୁ ଘେରିଗଲେ । ଲୋକେ କୁହାକୁହି ହେଲେ, ‘ ବିଶରଟା ବାଇଆହୋଇ ପଳାଇ ଯାଇଥିଲା, ଏବେ ବୈଷ୍ଣବ ହୋଇ ଫେରିଛି’ ।
ମୁସଲମାନମାନଙ୍କ ଭୟରେ ବିଶରମହାନ୍ତି, ଅପୂର୍ବ ବ୍ରହ୍ମପଦାର୍ଥକୁ ଗୁପ୍ତରେ କିଛିଦିନ ନିଜଘରେ, ଓଳିଆଭିତରେ ଲୁଚାଇ ରଖୁଲେ ।
ଗୁପ୍ତରେ ଖବର ଦେଲେ କୂଜଂଗଗଡ଼ ରାଜାଙ୍କୁ, ରାଜା ଅତ୍ୟନ୍ତ ଆନନ୍ଦ ହେଲେ | ଅତ୍ୟନ୍ତ ଗୋପନତାର ସହ ତାଙ୍କଠାରୁ ଏହି ବ୍ରହ୍ମପଦାର୍ଥକୁ ଗ୍ରହଣକରି, ଦାରୁବିଗ୍ରହ ନିର୍ମାଣ କଲେ, ତହିଁ ମଧ୍ୟରେ ବ୍ରହ୍ମକୁ ସଂସ୍ଥାପିତ କରି, ବିଗ୍ରହମାନଙ୍କୁ ପ୍ରତିଷ୍ଠା କଲେ । କିଛିଦିନ ପରେ ମୁସଲମାନ ଭୟ ଥମିଆସିଲା, ରାଜ୍ୟରେ ଶାନ୍ତି ଫେରିଲା ।
ମୋଗଲ ସେନାପତି ରାଜା ମାନସିଂହଂକ ସାହାଯ୍ୟରେ, ଯୁଦ୍ଧଜିତି ଭୋଇବଂଶର ରାଜା ରାମଚନ୍ଦ୍ର ଦେବ, ଖୋର୍ଦ୍ଧାଗଡ଼ରେ ରାଜ ସିଂହାସନରେ ବସିଲେ । କୁଜଙ୍ଗ ରାଜାଙ୍କ ଠାରୁ ଶ୍ରୀବ୍ରହ୍ମଙ୍କୁ ଗ୍ରହଣ କରି, ନବକଳେବର କରାଇ ପୁନଶ୍ଚ ଦାରୁବିଗ୍ରହମାନଙ୍କୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କଲେ । ଏହା ଥିଲା ଦାରୁବ୍ରହ୍ମଙ୍କ ସ୍ଵୟଂଲୀଳା, ଦୀର୍ଘଦିନ ଶୂନ୍ୟ ପଡ଼ିଥିବା ରତ୍ନସିଂହାସନ, ପୁନଶ୍ଚ ଦାରୁଦେବତାଙ୍କ ଦ୍ବାରା ବିମଣ୍ଡିତ ହେଲା ।
ଠାକୁରମାନଙ୍କର ପ୍ରତ୍ୟାବର୍ତନ ହେତୁ ଶ୍ରୀମନ୍ଦିର ପୁନଶ୍ଚ କୋଳହଳମୟ ହୋଇ ଉଠିଲା । ସ୍ଵଳ୍ପକାଳ ପାଇଁ ବାଳଭୋଗ ସେବା ପରେ, ପୁଣି ମହାପ୍ରଭୁଙ୍କ ମହାପ୍ରସାଦ ସେବା ଆରମ୍ଭ ହେଲା ।
ଯେଉଁଦିନ ନବକଳେବର ପରେ ମହାପ୍ରଭୁ ମାନଙ୍କର ନୀଳାଦ୍ରୀବିଜେ ହେଲା, ଗଜପତି ମହାରାଜ ରାମଚନ୍ଦ୍ର ଦେବ, ଠାକୁରମାନଙ୍କର ବ୍ରହ୍ମ ଉଦ୍ଧାରକାରୀ ବିଶର ମହାନ୍ତିକୁ ପାଟଖଣ୍ଡୁଆ ବାନ୍ଧି ସମ୍ମାନିତ କଲେ ।
କୁଜଂଗଗଡ଼ରୁ ହାତୀ ପିଠିରେ ବସାଇ, ତାଙ୍କୁ ଶ୍ରୀକ୍ଷେତ୍ର ଆଣି, ପାଟ, କୁଣ୍ଡଳରେ ବିଭୁଷିତ କରାଇଲେ, ଦକ୍ଷିଣାସ୍ଵରୂପ ଏକ ଗ୍ରାମ ଦାନକରି, ଗଡ଼ନାୟକ ଉପାଧ୍ଧରେ ଭୂଷିତ କଲେ । ସେତେବେଳେ ବିଶର ମହାତ୍ତ୍ୱିକ ନେତ୍ରରୁ ଧାରଧାର ଲୁହ ବହୁଥାଏ, ସେ ଭାବୁଥିଲେ, ହେ ପରମ ଲୀଳାମୟ ମହାପ୍ରଭୁ । ଏ ଅକିଂଚନ ଆପଣଙ୍କ ସେବା କରିବାର ସୁଯୋଗ ନପାଇ, ଜୀବନକୁ
ବୃଥା ଭାବୁଥୁଲା, ମାତ୍ର ହେ କରୁଣାମୟ !
ଆପଣ ମୋତେ ଶ୍ରୀଅଙ୍ଗର ସାନିଧ୍ୟ ଲାଭକରିବାର ସୁଯୋଗ ଦେଇ କୃତାର୍ଥ କଲେ, ଧନ୍ୟ ଆପଣଙ୍କ କରୁଣା ।
ମହାପ୍ରଭୁଙ୍କ ନୀଳାଦ୍ରୀବିଜେ ପରେ, କାର୍ତୀକମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ, ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରସାଦ ଲାଗିହେଲା । ସେହିଦିନ ରାଜା ରାମଚନ୍ଦ୍ରଦେବ, ଜୟବିଜୟ ଦ୍ବାର ନିକଟରେ ସାଧୁସନ୍ଥ, ବ୍ରାହ୍ମଣ, ବୈଷ୍ଣବମାନଙ୍କୁ
ମହାପ୍ରସାଦ ସେବା କରାଉ ଥାନ୍ତି । ମଥାରେ ହରିମନ୍ଦିର ଚିତା ଲଗାଇ ବିଶର ମହାନ୍ତି, ସେଠାରେ ଉପସ୍ଥିତ ଥାଆନ୍ତି, ବେନିନେତ୍ରରୁ ଧାରଧାର ଲୁହ ବୋହୁଥାଏ ।
ମହାପ୍ରଭୁଙ୍କୁ ଜଣାଉଥାନ୍ତି, ପ୍ରଭୁ ! ଏ ଅଧମ ବିଶରକୁ ଆପଣ ଏତେ ବଡ଼ ସମ୍ମାନର ଅଧିକାରୀ କରାଇଲେ, ଆପଣ କେଡ଼େ ଦୟାଳୁ, ଆପଣଙ୍କ ନିମନ୍ତେ ଏତେ ସବୁ ଲୀଳା । ଶୂନ୍ୟମନ୍ଦିରକୁ ତ ପ୍ରଭୁ ପୁର୍ଣ, କରିଦେଲ, ଏବେ ଏ ଅଧମ ବିଶରଟାକୁ ଆପଣଙ୍କ ପାଖକୁ ନେଇଯାଅ, ଆପଣଙ୍କ ପଦକମଳରେ ଆଶ୍ରୟ ଦିଅ ।
ସଞ୍ଜ ନଇଁ ଆସୁଥାଏ, ମହାପ୍ରଭୁ ସଂନ୍ଧ୍ୟା ଆଳତୀ ଓ ଚନ୍ଦନଲାଗି ହେବା ନିମନ୍ତେ ସଜ ହେଉଥାନ୍ତି ।
ଭକ୍ତ ବିଶର ସିଂହଦ୍ଵାର ନିକଟରେ ମହାପ୍ରଭୁଙ୍କ ଚକାଆଖରେ ନିଜର ଅପଲକ ଦୃଷ୍ଟୀରଖି, ଚାହିଁ ରହିଥାନ୍ତି କରୁଣାମୟଙ୍କୁ । ଏହି ସମୟରେ ମହାପ୍ରଭୁ ତାଙ୍କୁ ଚିରଦିନ ନିମନ୍ତେ କୋଳେଇ ନେଲେ, ସେହିଠାରେ ଟଳିପଡ଼ିଲା ଭକ୍ତ ବିଶର ମହାନ୍ତିଙ୍କ ମରଶରୀର । ସୂର୍ଯ୍ୟ ଅସ୍ତଗାମୀ ହେଉଥିଲେ, ଭକ୍ତମାନେ ଦେଖୁଥିଲେ, ସେହି ମହାନ ଜଗନ୍ନାଥ ଭକ୍ତ ବିଶର ମହାନ୍ତିଙ୍କ ନଶ୍ୱର ଶରୀରକୁ, ଯାହା ସିଂହଦ୍ଵାର ସାମ୍ନାରେ ପଡ଼ି ରହିଥିଲା
। ଜୟ ଜଗନ୍ନାଥ ।
