ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦ
ବିଶ୍ବ ବିଜୟୀ ସ୍ବାମୀ ବିବେକାନନ୍ଦ
ସ୍ବାମୀ ବିବେକାନନ୍ଦ । ଡାକ ନାମ ନରେନ୍ ବା ନରେନ୍ଦ୍ର । ବାପାଙ୍କ ନାମ ବିଶ୍ବନାଥ ଦତ୍ତ ଓ ମା' ଙ୍କ ନାମ ଭୁବନେଶ୍ବରୀ ଦେବୀ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ କଲିକତା ସହରରେ ଏକ ଧନୀ ପରିବାରରେ ଜନ୍ମ ତାଙ୍କର । ବାଲ୍ୟକାଳରୁ ସେ ଖୁବ୍ ଚପଳ ହେଲେ ମଧ୍ୟ ଖେଳକୌତୁକ ପ୍ରିୟ ଥିଲେ । ଏହା ସହିତ ସେ ଖୁବ୍ ଭଗବତ୍ ବିଶ୍ବାସୀ ଥିଲେ ।
ଅନେକ ସମୟରେ ପୂଜା ଓ ଧ୍ୟାନରେ ମନ ନିବେଶ କରୁଥିଲେ ।ତାଙ୍କ ମା' ଜଣେ ଧର୍ମପରାୟଣା ମହିଳା ହୋଇଥିବାରୁ ସେ ନରେନ୍ ଙ୍କୁ ରାମାୟଣ ଓ ମହାଭାରତର ଗପ ଶୁଣାଉଥିଲେ ,ଯାହାକି ତାଙ୍କ ମନରେ ଖୁବ୍ ପ୍ରଭାବ ପକାଇଥିଲା ।
ନରେନ୍ଦ୍ର ଜଣେ ମେଧାବୀ ଛାତ୍ର ଥିଲେ ।ବିଭିନ୍ନ ବିଷୟରେ ପାଣ୍ଡିତ୍ଯ ଅର୍ଜନ କରିଥିଲେ । ଦର୍ଶନ ଶାସ୍ତ୍ର, ସଙ୍ଗୀତ ଓ ବ୍ୟାୟାମରେ ଦକ୍ଷତା ଅର୍ଜନ କରିଥିଲେ । ଖୁବ୍ ଭଲ ଭାଷଣ ଦେଇପାରୁଥିବାରୁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ସାଙ୍ଗସାଥୀମାନଙ୍କ ମଧ୍ୟରେ ସେ ଥିଲେ ପ୍ରଥମ। ଭଗବାନଙ୍କ ଉପସ୍ଥିତି ବିଷୟରେ ଜାଣିବା ପାଇଁ ତାଙ୍କ ମନରେ ଖୁବ୍ ଆଗ୍ରହ ଥିଲା । ଅନେକ ସାଧୁ ସନ୍ଥଙ୍କୁ ମଧ୍ୟ ଦେଖା କରୁଥିଲେ । ମାତ୍ର କେଉଁଠାରେ ସେ ସନ୍ତୁଷ୍ଟ ହୋଇପାରିଲେ ନାହଁ । ଶେଷରେ ତାଙ୍କର ସାକ୍ଷାତ ହୋଇଥିଲା ସନ୍ଥ ଶ୍ରୀରାମକୃଷ୍ଣଙ୍କ ସହିତ । ତାଙ୍କୁ ସେ ନିଜର ଗୁରୁ ରୂପେ ଗ୍ରହଣ କରିଥିଲେ । ଗୁରୁଙ୍କର ପରାମର୍ଶ କ୍ରମେ ସେ ଦକ୍ଷିଣେଶ୍ବରର ମା' କାଳୀଙ୍କର ପୂଜାକରିଥିଲେ । ତାଙ୍କ ଗୁରୁଙ୍କ ଠାରୁ ଅନେକ ପ୍ରଶ୍ନର ସରଳ ଉତ୍ତର ପାଇଥିଲେ ।
ଶ୍ରୀରାମକୃଷ୍ଣଙ୍କ ମୃତ୍ୟୁ ପରେ ନରେନ୍ଦ୍ର ସମଗ୍ର ଭାରତ ଭ୍ରମଣ କରି ନିଜର ଜ୍ଞାନ ବୃଦ୍ଧି କରିଥିଲେ । ସାରା ଦେଶ ବୁଲି ସେ ଅନୁଭବ କଲେ ଯେ ଧର୍ମ ହିଁ ଭାରତର ଶକ୍ତି ।ଧର୍ମ ଭିତରେ ଥିବା ଦୁର୍ଗୁଣ ଆଦିକୁ ବାହାର କରିବାକୁ ସେ ଚେଷ୍ଟା ଆରମ୍ଭ କଲେ । ଭାରତରେ ଥିବା ଗରିବ ଲୋକମାନଙ୍କ ପ୍ରତି ସେ ମଧ୍ୟ ଚିନ୍ତା କରୁଥିଲେ । ନାରୀମାନଙ୍କର ଦୁଃଖ ଦୁର୍ଦ୍ଦଶାରେ ସେ ଦୁଃଖ କରୁଥିଲେ । ଏ ସବୁର ସମାଧାନ ପାଇଁ ସେ ଚିନ୍ତିତ ଥିଲେ ।
ପରିଶେଷରେ ସେ କନ୍ୟାକୁମାରୀରେ ପହଞ୍ଚିଲେ । ସେହିଠାରେ ସେ ସ୍ଥିର କଲେ ଯେ ସମଗ୍ର ବିଶ୍ବ ଭ୍ରମଣ କରି ଭାରତ ବିଷୟରେ ଜଣାଇବେ ।
ସ୍ବାମୀଜୀ ଅନେକ ଦେଶ ବୁଲି ବୁଲି ଶେଷରେ ଆମେରିକାର ଚିକାଗୋ ସହରରେ ପହଂଚିଲେ ୧୮୯୩ ମସିହାରେ । ସେଠାରେ ଏକ ଧର୍ମ ସମ୍ମିଳନୀ ରେ ଯୋଗଦେଇ ସମଗ୍ର ପୃଥିବୀରେ ଭାରତର ଖ୍ୟାତି ବଢାଇବାରେ ସାହାଯ୍ୟ କରିଥିଲେ । "ମୋର ପ୍ରିୟ ଆମେରିକାର ଭଉଣୀ ଓ ଭାଇମାନେ" କହି ଭାଷଣ ଆରମ୍ଭ କରିବା ମାତ୍ରେ ସଭାସ୍ଥଳି କରତାଳିରେ ଫାଟି ପଡିଲା । ଏହାପରେ ତାଙ୍କର ସାରା ପୃଥିବୀରେ ଖ୍ୟାତି ବଢିବାକୁ ଲାଗିଲା ।"ମାନବ ସେବା ହିଁ ମାଧବ ସେବା" ବୋଲି ସେ ପ୍ରଚାର କରୁଥିଲେ । ପ୍ରତି ମଣିଷଙ୍କ
ଭିତରେ ଭଗବାନ ଅଛନ୍ତି । ତେଣୁ ଭଗବାନଙ୍କୁ ବିଶ୍ବାସ କରିବା ପାଇଁ ସେ କହୁଥିଲେ । ହିଂସା କପଟ ଦୂରେଇ ଦେଇ ପ୍ରତିଟି ମଣିଷଙ୍କୁ ଭଲ ପାଇବା ପାଇଁ ସେ ପରାମର୍ଶ ଦେଉଥିଲେ ।
ଯୁବକ ମାନଙ୍କୁ ସାହାସୀ ହେବାକୁ ସେ କହୁଥିଲେ । ଯୁବକମାନେ ଚାହିଁଲେ ଭାରତ ଆଗକୁ ଯାଇପାରିବ ବୋଲି ତାଙ୍କର ବିଶ୍ବାସ ଥିଲା ।ସମସ୍ତ ପ୍ରକାର ଅଳସୁଆମୀ ଛାଡି ନିଜ କାମରେ ମନଦେବାକୁ ସେ ପରାମର୍ଶ ଦେଉଥିଲେ ।ଯୁବକ ମାନଙ୍କୁ ଦେଶର ବୀର ସୈନିକ ବୋଲି କହି ଯୁବସମାଜର ଉନ୍ନତିରେ ଦେଶର ଉନ୍ନତି ହୋଇ ପାରିବ ବୋଲି ସେ କହୁଥିଲେ । ତେଣୁ ତାଙ୍କ ଜନ୍ମ ଦିନକୁ ଭାରତରେ 'ଯୁବ ଦିବସ' ରୂପେ ପାଳନ କରାଯାଏ ।
ସ୍ବାମୀଜୀ ସର୍ବଦା ଦୁଷ୍ଟମାନଙ୍କୁ ସାମ୍ନା କରିବାକୁ କହୁଥିଲେ । ଥରେ ବାରଣାସୀର ଗୋଟିଏ ନିଛାଟିଆ ରାସ୍ତାରେ ଯାଉଥିବା ବେଳେ କିଛି ମାଙ୍କଡ ତାଙ୍କୁ ଆକ୍ରମଣ କଲେ । କ'ଣ କରିବେ ସେ କିଛି ବୁଝି ପାରିଲେ ନାହିଁ । ପ୍ରାଣ ବିକଳରେ ଧାଇଁବାକୁ ଲାଗିଲେ । ମାଙ୍କଡମାନେ ବି ତାଙ୍କ ପଛରେ ଧାଉଁଥାନ୍ତି । ଶେଷରେ ସାହାସ ବାନ୍ଧି ହଠାତ ମଝି ରାସ୍ତାରେ ଛିଡା ହୋଇପଡିଲେ ଓ ମଙ୍କଡମାନକୁ ବୁଲି ପଡି ଚାହିଁ ରହିଲେ ।ଏହା ଦେଖି ଭୟରେ ମାଙ୍କଡମାନେ ଆଉ ଆଗକୁ ଗଲେ ନାହଁ । ପଛକୁ ଫେରି ଚାଲିଗଲେ । ସାହାସର ସହିତ କାମ କଲେ ଯେତେ କଠିନ ବିପଦ ସବୁ ଦୂର ହୋଇଯିବ ବୋଲି ସେ ପରାମର୍ଶ ଦେଉଥିଲେ ।
କୌଣସି ମନ୍ଦ କଥା ନ ଶୁଣିବା , ମନ୍ଦ କାମ ନ କରିବା ଓ ମନ୍ଦ ଚିନ୍ତା ନ କରିବାକୁ ସ୍ବାମୀଜୀ ସବୁବେଳେ କହୁଥିଲେ ।ନିଜର ଦୋଷ ପାଇଁ ଅନ୍ୟ କାହାକୁ ଦାୟୀ ନ କରିବାକୁ ସେ ମଧ୍ୟ ପରାମର୍ଶ ଦେଉଥିଲେ ।ନିଜ ଦାୟିତ୍ୱ ନିଜେ ନେବାକୁ ସେ ପରାମର୍ଶ ଦେଉଥିଲେ । ଚେଷ୍ଟା ଦ୍ବାରା ସବୁ ସମ୍ଭବ ହୋଇପାରିବ । ସେ ନିସ୍ବାର୍ଥପର କାମ କରିବାକୁ କହୁଥିଲେ ।ସେ କହୁଥିଲେକି-
'ଭିକାରି ଟି କେବେ ସୁଖୀ ହୋଇ ପାରେ ନାହଁ । କାରଣ ସେ ଯେଉଁ ଭିକ୍ଷା ପାଇଥାଏ,ତା' ପଛରେ କାହା ଦୟା ବା ଉପେକ୍ଷା ଥାଏ ।ଆମେ ସମସ୍ତେ ଜଣେ ଜଣେ ଭିକାରି । କାରଣ ଆମେ ଯେଉଁ କାମ କରୁ ,ତା' ବଦଳରେ ଆମେ କିଛି ଚାହିଁ ଥାଉ ।
ତେଣୁ ଆମେ ସୁଖୀ ହୋଇ ପାରୁ ନାହୁଁ ।'
ସ୍ବାମୀଜୀ ନିଜ ଦେଶକୁ ଖୁବ୍ ଭଲ ପାଉଥିଲେ । ଭାରତର ଲୋକମାନଙ୍କୁ ମଧ୍ୟ ଭଲ ପାଉଥିଲେ ।ବିଦେଶର ଚାକଚକ୍ୟରେ ସେ କେବେ ଭଳିଯାଇନଥିଲେ । ମାତୃଭୂମିର ଉନ୍ନତି ପାଇଁ ତାଙ୍କ ଆଖିରେ ନିଦ ନଥିଲା ।ତାଙ୍କରି ଚେଷ୍ଟାରେ ଭାରତ ସମଗ୍ର ବିଶ୍ବରେ ନିଜର ଖ୍ଯାତି ଅର୍ଜନ କରିପାରିଥିଲା ।ସମଗ୍ର ବିଶ୍ବକୁ ଭାଇଚାରା ଭାବରେ ବାନ୍ଧି ରଖିବାକୁ ସେ ଚେଷ୍ଟା କରିଥିଲେ । ମାତ୍ର ୩୯ ବର୍ଷ ବୟସରେ ଜୁଲାଇ ୪ ତାରିଖ ୧୯୦୨ ମସହିରେ ଏହି ଯୋଗଜନ୍ମା ମହାପୁରୁଷଙ୍କ ମୃତ୍ୟୁ ଘଟିଥିଲା ।ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକ ଶକ୍ତି ବଳରେ ଜୟ କରିଥିବାରୁ ସେ ବିଶ୍ବ ବିଜୟୀ ବିବେକାନନ୍ଦ ରୂପେ ପରିଚିତ ।