ବୀର ସୁରେନ୍ଦ୍ର ସାଏ
ବୀର ସୁରେନ୍ଦ୍ର ସାଏ
ଭାରତୀୟ ସଶସ୍ତ୍ର ସଂଗ୍ରାମର ମହାନାୟକ, ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି, ଓଡିଆ ମାଟିର ଲଢୁଆ ପୁଅ ତଥା ଜଣେ ସାହସୀ ଆଦିବାସୀ ନେତା ରୂପେ ବୀର ସୁରେନ୍ଦ୍ର ସାଏ ଙ୍କ ନାମ ଇତିହାସ ର ଅମର ପୃଷ୍ଠାରେ ଚିର ଜାଜ୍ବଲ୍ଯମାନ ।ଦେଶ ମାତୃକାର ସେବାରେ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରି ସେ ଯେଉଁ ଦେଶ ଭକ୍ତିର ନିଦର୍ଶନ ଦେଇଛନ୍ତି, ତାହା ବାସ୍ତବିକ ଚିର ସ୍କରଣୀୟ ।
୧୮୦୯ ମସିହା ଜାନୁଆରୀ ୨୩ ତାରିଖ ଦିନ ଖିଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରି ସମ୍ବଲପୁର ଚୌହାଣ ରାଜବଂଶର ଦାୟାଦବୀର ବୀର ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ମା' ମାଟିର ମୁକ୍ତି ପାଇଁ ଶକ୍ତିଶାଳୀ ଇଂରେଜ ଶାସନ ବିରୁଦ୍ଧରେ ଆରମ୍ଭ କରିଥିଲେ ସଶସ୍ତ୍ର ସଂଗ୍ରାମ । ପିତା ଧରମ ସଂହ ଓ ମାତା ରେବତୀ ଦେବୀଙ୍କ ର ସେ ଥିଲେ ସୁଯୋଗ୍ୟ ସନ୍ତାନ ।ନିଜ କକାଙ୍କ ସାହାଯ୍ୟରେ ସେ ଘୋଡା ଚଢା ଓ ତୀର ଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ପାଇଥିଲେ । ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଅଧିକାଂଶ ଅଂଚଳକୁ ଇଂରେଜ ଶାସନ କବଳରୁ ରକ୍ଷାକରିବା ସହିତ ଓଡିଶା ତଥା ସମଗ୍ର ଭାରତ ବର୍ଷରୁ ଇଂରେଜ ଶାସନ ହଟାଇବା ପାଇଁ ସେ କରିଥିଲେ ବଜ୍ର ଶପଥ ।
ସମ୍ବଲପୁରର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମରହଟ୍ଟାମାନେ ବନ୍ଦୀ କରିଥିଲେ । ସେମାନଙ୍କୁ ମୁକ୍ତି କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜଙ୍କର ସାହାଯ୍ୟ ଚାହିଁଥିଲେ । ୧୮୦୪ ମସିହାରେ ଇଂରେଜ ମାନଙ୍କ ସହାୟତା ରେ ସେମାନେ ମୁକ୍ତ ହୋଇଥିଲେ ମଧ୍ୟ । ଏହାପରେ ସମ୍ବଲପୁର ଏକ ପ୍ରକାର ଇଂରେଜ ମାନଙ୍କ ହାତକୁ ଚାଲି ଆସିଥିଲା ।୧୮୨୭ ମସିହାରେ ସମ୍ବଲପୁର ରାଜାଙ୍କର ମୃତ୍ୟୁ ହୋଇଥିଲା ।
ରାଜା ଅପୁତ୍ରିକ ଥିବାରୁ ଇଂରେଜ ସରକାର ରାଣୀ ରତନ କୁମାରୀଙ୍କ ହାତରେ ଜାଣିଶୁଣି ଶାସନ ଭାର ଦେଇଥିଲେ । ମାତ୍ର ପ୍ରକୃତ ପକ୍ଷେ ସୁରେନ୍ଦ୍ର ସାଏ ଥିଲେ ଶାସନ ପାଇଁ ଦାବିଦାର । ଏହାପରେ ଆଦିବାସୀ ଜମିଦାର ବିଦ୍ରୋହ ଆରମ୍ଭ କରିଥିଲେ ।ବଳରାମ ସିଂହଙ୍କ ସହିତ ସୁରେନ୍ଦ୍ର ସାଏ ଏହାର ନେତୃତ୍ବ ନେଇଥିଲେ ।
ସେ ଦୁଇଟି ପର୍ଯ୍ୟାୟରେ ଆରମ୍ଭ କରିଥିଲେ ତାଙ୍କ ସ୍ବାଧୀନତା ସଂଗ୍ରାମର ସଫଳ ଯାତ୍ରା । ପ୍ରଥମ ପର୍ଯ୍ୟାୟ ଥିଲା 1827 ରୁ 1840 ଓ ଦ୍ବିତୀୟ ପର୍ଯ୍ୟାୟ ଥିଲା 1857 ରୁ 1864 । ତାଙ୍କ ସ୍ବାଧୀନତା ସଂଗ୍ରାମର ପ୍ରଥମ ପର୍ଯ୍ୟାୟ ଥିଲା ବିକ୍ଷିପ୍ତ ଓ ଶିଥିଳ ଏବଂ ଦ୍ବିତୀୟ ପର୍ଯ୍ୟାୟ ଥିଲା ସୁସଂଗଠିତ ଓ ଯୋଜନାବନ୍ଧ ।
1857 ମସିହାର ସିପାହୀ ବିଦ୍ରୋହର 30 ବର୍ଷ ପୂର୍ବରୁ ସେ ଆରମ୍ଭ କରିଥିଲେ ଇଂରେଜ ମାନଙ୍କ ବିରୋଧରେ ତାଙ୍କର ଗରିମାମୟ 'ଉଲଗୁଲାନ' ବା ଆନ୍ଦୋଳନ ।
କିଛି ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ଏକତ୍ରିତକରି ଏକ ସେନାଦଳ ଗଠନ କରି ଇଂରେଜ ମାନଙ୍କ ବିରୋଧରେ ଆରମ୍ଭ କରିଥିଲେ ସଂଗ୍ରାମ । ସେ ପ୍ରତ୍ୟକ୍ଷ ସଂଗ୍ରାମ ଅପେକ୍ଷା ଦୁର୍ଗମ ବଣ ଜଙ୍ଗଲରେ ଲୁଚି ଲୁଚି ଗରିଲା ଯୁଦ୍ଧ ଆରମ୍ଭ କରି ଅନେକ ଥର ଇଂରେଜ ସୈନଙ୍କୁ ପରାସ୍ତ କରିଥିଲେ ।
ବୀର ସୁରେନ୍ଦ୍ର ସାଏଙ୍କ ଅସାଧାରଣ ସାହାସ, ଧୈର୍ଯ୍ଯ, ଅସୀମ ବୀରତ୍ଵ, ଅପୂର୍ବ ରଣକୌଶଳ ଓ ସର୍ବୋପରି ବଳିଷ୍ଠ ବୁଦ୍ଧିମତ୍ତା ଇଂରେଜ ଶାସନକୁ ଦୋହଲାଇ ଦେଇଥିଲା ।
ତାଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ନେତୃତ୍ୱ ରେ ସମ୍ବଲପୁରରେ ବ୍ରିଟିଶ ବିରୋଧୀ ଲଢେଇ ଭାରତୀୟ ସଶସ୍ତ୍ର ସଂଗ୍ରାମର ଏକ ଅନନ୍ୟ ଜ୍ଵଳନ୍ତ ଉଦାହରଣ । ଅନେକ ଥର କାରାବରଣକରି ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ ମଧ୍ୟ ତାଙ୍କର ସେଥିପ୍ରତି ତାଳେ ମାତ୍ର ଭୃକ୍ଷେପ ନଥିଲା । ପରିସ୍ଥିତିର ଚାପରେ ସେ ଇଂରେଜ ମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ସୁଦ୍ଧା ତାଙ୍କର ସଂଗ୍ରାମ ବନ୍ଦ ହୋଇନଥିଲା ।
ପରିଶେଷରେ ନିଜର ଦୁଇଜଣ ବନ୍ଧୁ ଦୟାନିଧି ମେହେର ଓ ମୋହନ ସଂହଙ୍କ ଷଡଯନ୍ତ୍ର ତଥା ବିଶ୍ବାସଘାତକତାର ଶିକାର ହୋଇ ସେ ବନ୍ଦୀହୋଇଥିଲେ ଦ୍ବିତୀୟ ଥର ଓ 1884 ଫେବୃଆରୀ 28 ତାରିଖ ଦିନ ଅସୁରଗଡ ଦୁର୍ଗରେ ତାଙ୍କ ଜୀବନ ଦୀପ ଲିଭିଯାଇଥିଲା ।
ବୀର ସୁରେନ୍ଦ୍ର ସାଏ ନିଜ ଜୀବନର 37 ବର୍ଷ(1827 ରୁ 1864) କାରାଗାରରେ କାଟି ନିଜ ବୀରତ୍ବର ପରିଚୟ ପ୍ରଦାନ କରିଛନ୍ତି । ସେହି ମହାନ ବୀରଙ୍କ ସମ୍ମାନାର୍ଥେ ଉଭୟ ଓଡିଶା ଓ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତାଙ୍କର ଅମର ସ୍ମୃତି କୁ ମନେ ପକାଇବା ନିମନ୍ତେ 2009 ରେ ୟୁନିଭରସିଟି କଲେଜ ଅଫ୍ ଇଂଜିନିୟରିଂ ବୁର୍ଲା ବଦଳରେ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜୀ ବୁର୍ଲା କରାଗଲା ।
ବୁର୍ଲାଠାରେ ଥିବା ଭେଷଜ ମହାବିଦ୍ୟାଳୟ ର ନାମ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଦିଆଯାଇଛି।
2005 ରେ ଭାରତ ସରକାର ସଂସଦ ପରିସରରେ ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ । ଭାରତରେ ସରକାର ମଧ୍ୟ ସେହି ମହାନ ସଂଗ୍ରାମୀଙ୍କ ନାମରେ ଡାକ ଟିକଟ ଛପାଇଛନ୍ତି ।
ତେବେ ଆସନ୍ତୁ ଆଜିର ତାଙ୍କ ପବିତ୍ର ଜନ୍ମତିଥିରେ ଆମେ ସମସ୍ତେ ସେହି ବୀର ଯୋଦ୍ଧାଙ୍କୁ ସ୍ମରଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଓ ଦେଶ ମାତୃକାର ସେବା ନିମନ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନିଜ ଜୀବନକୁ ଉତ୍ସର୍ଗ କରିବା ।