ଶିମିଳିପାଳରେ ରାତିଟିଏ - ୪
ଶିମିଳିପାଳରେ ରାତିଟିଏ - ୪


ସଂଧ୍ୟା ଘନେଇ ଆସୁଥିଲା । ପଶୁ ପକ୍ଷୀମାନଙ୍କ କୋଳାହଳରେ ପ୍ରକମ୍ପିତ ହେଉଥିଲା ବନଭୂମି । ଆକାଶରେ କଇଁଫୁଲିଆ ଜହ୍ନ ଲୁଚକାଳି ଖେଳୁଥିଲେବି ଝଙ୍କାଳିଆ ପତ୍ର ଗହଳକୁ ଭେଦ କରି ଶୁଷ୍କ ଭୂଇଁକୁ ଛୁଇଁ ପାରୁ ନଥିଲା। ଚାରିଆଡେ କେବଳ ବହଳିଆ ଅନ୍ଧାର ର ମେଂଚା ମେଂଚା କଳାଛାଇ।ଏକ ଅଜଣା ଭୟରେ ଆମେ ସମସ୍ତେ ଥରୁଥିଲୁ । ମନେ ମନେ ମା' ତାରିଣୀଙ୍କୁ ସ୍ମରଣ କରି ଅପରିଚିତ ଏକ ଅଣ ଓସାରିଆ ଚଲା ବାଟରେ ଡାକବଙ୍ଗଳା ଅଭିମୁଖେ ପାଦ ଆଗକୁ ପଡୁନଥିଲେ ବିଆମେ ସମସ୍ତେ ଯନ୍ତ୍ରବତ୍ ଧୀରେ ଧୀରେ ଆଗେଇଲୁ । କେଉଁ ଏକ ଅଜଣା ଭୟରୁ ରକ୍ଷା ପାଇବା ପାଇଁ ଆମେ ପରସ୍ପର ମଧ୍ୟରେ ଜୋର୍ ରେ କଥା ବି ହେଉଥିଲୁ ।
ଜଙ୍ଗଲିଆ ରାସ୍ତା ରେ କିଛି ବାଟ ଗଲା ପରେ ଗୋଟିଏ ଫାଙ୍କାଳିଆ ଜାଗା ନିକଟରେ ଆମ ସମସ୍ତଙ୍କ ପାଦ ଅଟକି ଗଲା । ସୋରିଷ ଫୁଲର ଭୁରୁଭୁରୁ ବାସ୍ନା ରେ ବାସ୍ନାୟିତ ହେଉଥିଲା ଅନ୍ଧାରୁଆ ବଣୁଆ ମୂଲକ । ଆଗରେ କେଉଁଠି ସୋରିଷ କ୍ଷେତ ଅଛି ବୋଲି ଆମେ ଅନୁମାନ କରିନେଲୁ । ପାଖଆଖରେ ଲୋକ ରହୁଥିବାର ମଧ୍ୟ ଅନୁମାନ କଲୁ । ତେଣୁ ଆମେ ସେହିଆଡକୁ ଏକଲୟରେ ଆଗେଇଲୁ ।
ସତକୁ ସତ ଅଳ୍ପ କିଛି ବାଟ ଗଲା ପରେ ଏକ ଲମ୍ବା ହିଡର ଦୁଇ ପାର୍ଶ୍ଵରେ ପ୍ରଶସ୍ତ ସୋରିଷ କ୍ଷେତମାନ ଦେଖିବାକୁ ପାଇଲୁ । ଶୀତୁଆ ପବନର କଅଁଳ ସ୍ପର୍ଶରେ ଫୁଲରେ ଲହଡି ଭାଙ୍ଗୁଥିବ ସୋରିଷ ଗଛଗୁଡିକ ସତେଯେପରି ମୁଣ୍ଡ ହଲେଇ ଆମକୁ ଆମନ୍ତ୍ରଣ କରୁଥିଲା ।କଅଁଳ ଜହ୍ନର ଶୀତଳ ଜ୍ୟୋସ୍ନାରେ ହସୁଥିଲା କିରି କିରି ଶିମିଳିପାଳର ନିଘଂଚ ବନଭୂମି ।
ସୌଭାଗ୍ଯବଶଃ ଜଣେ ଲୋକ ଯାଉଥିବାର ଦେଖି ଆମେ ଅତ୍ୟନ୍ତ ଖୁସି ହୋଇଗଲୁ । ତାଙ୍କୁ ଡାକବଙ୍ଗଳା କେତେ ଦୂର ପଚାରିବାରୁ ସେ ହାତଠାରି ପାଖରେ ବୋଲି କହି ତରବର ହୋଇ ଚାଲିଗଲେ । ତାରିଣୀ ମା'ଙ୍କୁ ଭକ୍ତିପୂତ ପ୍ରଣାମ ବାଡି ଆମେ ଆଗକୁ ଚାଲିଲୁ । ସେତବେଳକୁ ଶୀତର ପ୍ରକୋପ ମଧ୍ୟ ଖୁବ୍ ଜଣାପଡୁଥାଏ । ଆମ ପାଖରେ ବିଶେଷ କିଛି ଶୀତ ବସ୍ତ୍ର ନଥିବାରୁ କାନ ମୁଣ୍ଡ ଶିରି ଶିରି ହୋଇ ଯାଉଥିଲା।
ଖୁବ୍ କମ୍ ସମୟରେ ଆମେ ପହଂଚିଗଲୁ ଡାକବଙ୍ଗଳା ନିକଟରେ। ରାତିଟା କୌଣସି ପ୍ରକାରେ କାଟିଦେବାକୁ ମନେ ମନେ ସ୍ଥିର କଲୁ । ଡାକବଙ୍ଗଳାରେ ଥିବା ଜଣେ କର୍ମଚାରୀଙ୍କୁ ଆମର ସମସ୍ତ ଅସୁବିଧା ଜଣାଇବା ସଙ୍ଗେସଙ୍ଗେ ରାତିରେ ରହିବା ପାଇଁ ଅନୁରୋଧ କଲୁ । ମାତ୍ର ଦୁର୍ଭାଗ୍ୟବଶତଃ କୌଣସି ରୁମ୍ ଖାଲି ନାହିଁ ବୋଲି ସେ ଆମକୁ ରୋକଠୋକ୍ କହିଦେଇ ନିଜ କାମରେ ଚାଲିଗଲେ । ଆଗରୁ ଟୁରିଷ୍ଟମାନେ ସବୁ ରୁମ୍ ବୁକ୍ କରି ସାରିଥିବାରୁ ଆମ ପାଇଁ ଗୋଟିଏ ବି ରୁମ୍ ହୋଇପାରିବ ନାହଁ ବୋଲି ଆମେ ଜାଣିବାକୁ ପାଇଲୁ । କ'ଣ କରିବୁ ନ କରିବୁ ଆମେ କିଛି ଜାଣିପାରୁନଥିଲୁ । ଡାକବଙ୍ଗଳାର
ବାରଣ୍ଡାରେ କୌଣସି ପ୍ରକାରେ ରାତି କାଟିଦେବୁ ବୋଲି ନିଷ୍ପତ୍ତି ନେଲୁ ।
ଟୋପା ଟୋପା କାକର ବିନ୍ଦୁ ସହିତ ବାହାରେ ଶୀତର ପ୍ରକୋପ ବଢିଚାଲିଥିଲା। ଆମେ ଏକାଠି ପରସ୍ପର ନିକଟତର ହୋଇ ବାରଣ୍ଡାରେ ବସି ରହି ଏକ ନିଆରା ଅନୁଭବର ସାମନା କରିବାକୁ ମନେମନେ ପ୍ରସ୍ତୁତ ହେଉଥିଲୁ । ଦିନ ତମାମ୍ ଭଲଭାବେ କିଛି ଖିଆ ହୋଇନଥିବାରୁ ପ୍ରବଳ ଭୋକ ସହିତ କ୍ଳାନ୍ତ ବି ଲାଗୁଥିଲା। ଆମ ପାଖରେ ଖାଦ୍ୟ ପଦାର୍ଥ ବି କିଛି ନଥିଲା । ଭାତ ମୁଠାଏ ପାଇଁ ମନ ଆଉଟୁ ପାଉଟୁ ହେଉଥିଲା।
ତେଣୁ ଯେକୌଣସି ପ୍ରକାରେ ରୋଷେଇ କରି ଖାଇବା ପାଇଁ ଚେଷ୍ଟା କଲୁ । ମାତ୍ର ରୋଷେଇ କରିବାର କୌଣସି ସରଞ୍ଜାମ ଆମ ପାଖରେ ନଥିବାରୁ ଡାକବଙ୍ଗଳାରେ ଥିବା ରୋଷେୟା ଙ୍କୁ କେବଳ ଭାତ କରିଦେବାକୁ ଅନୁରୋଧ କଲୁ । ସହୃଦୟତାର ସହିତ ସେ ଆମ କଥାରେ ସମ୍ମତି ପ୍ରକାଶ କଲେ ଓ ଚାଉଳ କିଣି ଆଣିବାକୁ କହିଲେ ।
ଜହ୍ନ ଆଲୁଅ ଭିତରେ ସ୍ପଷ୍ଟ ବାରିହୋଇ ପଡୁଥିଲା ନୁଆଁଣିଆ ଚାଳ ଛପର ଘରେ ମିଞ୍ଜିମିଞ୍ଜି ଜଳୁଥିବା ଡିବିରି ଆଲୋକ । ଆମେ ଚାରି ପାଞ୍ଚ ଜଣ ସାଙ୍ଗ ଏକାଠି ହୋଇ ହାତରେ ଗୋଟିଏ ଗୋଟିଏ ଲମ୍ବା ବାଡିଧରି ସେହି କୁଡିଆ ଘରଗୁଡିକ ଆଡକୁ ଆଗେଇଲୁ ଚାଉଳ ପାଇଁ। ଜାଗା ଜାଗା ପାଦରେ କଣ୍ଟା ଫୁଟି ରକ୍ତ ବାହାରୁଥିଲେ ବି ସେଥି ପ୍ରତି ଆମ କାହାର ନିଘା ନଥିଲା। ଜଙ୍ଗଲୀ ହିଂସ୍ର ପଶୁମାନଙ୍କ ସହିତ ବିଷଧର ସାପମାନଙ୍କ ପ୍ରତି ଯାହା ମନରେ ଭୟ ସୃଷ୍ଟି ହେଉଥିଲା । (କ୍ରମଶଃ )