SARATA KUMAR DAS

Children Stories

3  

SARATA KUMAR DAS

Children Stories

ଛୋଟ ସିନା ବୁଦ୍ଧି ତା ମହାନ

ଛୋଟ ସିନା ବୁଦ୍ଧି ତା ମହାନ

6 mins
364



ପାହାଡ ଆରପଟେ ଛୋଟ ଗାଁଟିଏ । ନାଁ ତା'ର ମଧୁପୁର ।ସେହି ଗାଁରେ ସାଧୁ ଓ ରାଧୁ ବୋଲି ଦୁଇଜଣ ସାଙ୍ଗ ରହୁଥିଲେ ।ଗାଁ ସ୍କୁଲ୍ ରେ ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି ।ସ୍କୁଲକୁ  ଯିବାଠାରୁ ଆରମ୍ଭ କରି ଖାଇବା ପିଇବା ଖେଳ କୁଦ ସବୁ ଏକାଠି ହୁଏ । ଦୁଇଜଣଙ୍କ ଘର ପାଖାପାଖି ହୋଇଥିବାରୁ ଆହୁରି ସହଜ ହୁଏ ସେମାନଙ୍କ ମିଳାମିଶା ।କେହି କାହାରିକୁ ନ ଦେଖିଲେ ଦଣ୍ଡେ ରହିପାରନ୍ତି ନାହିଁ । ଘରେ ମଧ୍ୟ ସେମାନଙ୍କୁ କେହି ଆକଟ କରନ୍ତି ନାହିଁ । ଯାତ୍ରା ପୂଜା ଏକାଠି ଦେଖିବାକୁ ଯାଆନ୍ତି । ସାଙ୍ଗ ହୋଇ ହରେକ ରକମ ଜିନିଷ କିଣନ୍ତି । କେତେ ମଜା କରନ୍ତି । ସରସ୍ବତୀ ପୂଜା , ଗଣେଶ ପୂଜା ଅଥବା ଅଗଷ୍ଟ ପନ୍ଦରରେ ଟିକିଏ କଥା ନିଆରା । ନୂଆ ପୋଷାକ ସହିତ ଜହ୍ନିଫୁଲିଆ ହସ ସେମାନଙ୍କୁ ବେସ୍ ମାନୁଥାଏ । ପାଠ ପଢା ସହିତ ହସି ଖୁସିରେ ସେମାନେ ସମୟ କଟେଇ ଦିଅନ୍ତି ।ସମସ୍ତଙ୍କର ଅତି ପ୍ରିୟ ।ଗାଁ ଲୋକଙ୍କ ସହିତ ସ୍କୁଲର ଶିକ୍ଷକମାନେ ସେମାନଙ୍କ ଖୁବ୍ ଭଲପାଆନ୍ତି ଓ ପ୍ରଶଂସା କରନ୍ତି ।


       କିଛିଦିନ ପରେ ଜମିବାଡି ସମସ୍ୟାକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହେଲା । ଏଭଳି ପରିସ୍ଥିତି ହେଲା ଯେ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ବି ବନ୍ଦ ହୋଇଗଲା ।ଏପରିକି ହାତାହାତି ହେବାକୁ ମଧ୍ୟ ପଛେଇଲେ ନାହିଁ । ସାଧୁର ବାପା ବଡପାଟିରେ କହିଲେ -"ସାଧୁ ! କାଲିଠାରୁ ରାଧୁ ସହିତ ତୋ'ର ସବୁ ପ୍ରକାର ମିଳାମିଶା ବନ୍ଦ । ତାଙ୍କ ଘରକୁ ଯିବୁନାହିଁ କି ତା' ସହିତ ସ୍କୁଲକୁ ଯିବୁନାହିଁ । ଆଉ ଯଦି ମୋ କଥା ନ ମାନୁ ତେବେ ତୋର ଦିନକୁ ମୋର ଦିନେ ।"


        ବାପାଙ୍କ ଟାଣ ଟାଣ କଥା ଶୁଣି ସାଧୁ ମନେ ମନେ ବହୁତ ଡରିଗଲା । ମନ ଦୁଃଖରେ ନ ଖାଇ ନ ପିଇ ସେ ସେଦିନ ଶୋଇ ପଡିଲା ।ଅନ୍ୟ ପକ୍ଷରେ ରାଧୁର ବାପା ମଧ୍ୟ ରାଧୁକୁ କଡା ଆକଟ । ସାଧୁ ସହିତ କଥା ନହେବା ପାଇଁ କିମ୍ବା ତାଙ୍କ ଘରକୁ ନ ଯିବା ପାଇଁ । ବାପାଙ୍କ କଥା ଶୁଣି ରାଧୁ ମଧ୍ୟ ଭାଙ୍ଗି ପଡିଲା । ମାତ୍ର ବାପାଙ୍କୁ କିଛି ଉତ୍ତର ଦେଲା ନାହିଁ ।


         ଏଭଳି ଗମ୍ଭୀର ପରିସ୍ଥିତିରେ ଦୁଇ ସାଙ୍ଗ ଅତିମାତ୍ରାରେ ଭାଙ୍ଗି ପଡିଲେ । କଣ କରିବେ ନ କରିବେ କିଛି ବୁଦ୍ଧି ଦିଶିଲା ନାହିଁ । ଯେତେ ପ୍ରକାର ବୁଝାଇବାକୁ ଚେଷ୍ଟା କଲେ ବି ସେମାନଙ୍କ ପରିବାର କୌଣସି ପ୍ରକାର ବୁଝିଲେ ନାହିଁ । ବରଂ ଦିନକୁ ଦିନ ସମସ୍ୟା ବଢି ବଢି ଚାଲିଲା । ଭୟଙ୍କର ରୂପ ନେବାରେ ଲାଗିଲା । ତଥାପି ଲୁଚି ଛପି ଦୁଇ ସାଙ୍ଗ ସ୍କୁଲ ଯିବା ବାଟରେ କଥା ହେଉଥିଲେ ଓ ସମାଧାନର ବାଟ ଖୋଜୁଥିଲେ ।

         

           ଏହା ଭିତରେ ଗୋଟିଏ ବର୍ଷ ବିତି ଗଲାଣି । ଦୁଇ ପରିବାର ମଧ୍ୟରେ ସେମିତି ବିବାଦ ଲାଗିରହିଛି । ପାରିବାରିକ ବିବାଦ ମଧ୍ୟ ଦୁଇ ସାଙ୍ଗ ସାଧୁ ଓ ରାଧୁଙ୍କ ଉପରେ ଖୁବ୍ ପଡିଛି । ଆଗଭଳି ସେମାନଙ୍କ ମୁହଁରେ ଆଉ ହସ ଖୁସି ନାହିଁ । ଯାତ୍ରା ପୂଜା ଦେଖି ଯିବା ଦୁଇଜଣଙ୍କର ପ୍ରାୟ ଏକ ରକମ ବନ୍ଦ ହୋଇଗଲାଣି ସରସ୍ବତୀ କିମ୍ବା ଗଣେଶ ପୂଜାରେ

ସେମାନେ ଆଉ ନୂଆ ପୋଷାକ ପିନ୍ଧି ସ୍କୁଲକୁ ଯାଉ ନାହାଁନ୍ତି ।


ସେମାନଙ୍କ ମନ ଭାଙ୍ଗି ଯାଇଛି ।ଦୁଇ ପରିବାର ମଧ୍ୟ ନିଜ ନିଜ ପିଲାଙ୍କ ପାଇଁ ବହୁତ ବ୍ୟସ୍ତ । କେମିତି ସେମାନଙ୍କୁ ବୁଝାଇ ବାଟକୁ ଅଣାଯିବ ଓ ପରସ୍ପର ପରସ୍ପରକୁ ଭୁଲିଯିବା ସହିତ ପାଠ ପଢାରେ ମନ ଦେବେ ସେଥିପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ମାତ୍ର କୌଣସି ଫଳ ମିଳୁନାହିଁ । ବରଂ ସେମାନଙ୍କର ସ୍ବାସ୍ଥ୍ୟ ଉପରେ ଧୀରେ ଧୀରେ ଏହାର ଖରାପ ପ୍ରଭାବ ପଡିଲାଣି ।

         

        ରାତି ପାହିଲେ ଅଗଷ୍ଟ ପନ୍ଦର । ସ୍ବାଧୀନତା ଦିବସ । ସ୍କୁଲ୍ ରେ କେତେ ରକମର ସାଜସଜ୍ଜା ହୋଇଥିବ । ରଙ୍ଗ ବେରଙ୍ଗର ପତାକା ସହିତ କେତେ ରଙ୍ଗର ବେଲୁନ୍ ଟଙ୍ଗା ହୋଇଥିବ । କାଲି ସ୍କୁଲ୍ କୁ ମନ୍ତ୍ରୀ ଆସିବେ । ଭାଷଣ ଦେବେ ।କେତେ ଗୀତ ନାଚ ହେବ । ବାଜା ବାଣ ସାଙ୍ଗକୁ ଭୋଜି ଭାତ ।କି ମଜ୍ଜା ! ବାପା ଯେତେ କହିଲେ ବି ସେ ଏଥର ଜମା ସ୍କୁଲକୁ ଯିବନାହିଁ । ବିଛଣାରେ ଶୋଇ ରହି ମନେ ମନେ ଭାବୁଛି ରାଧୁ ।ଗତ ବର୍ଷ ଦୁଇ ସାଙ୍ଗ ମିଶି କେତେ ମଜା କରିଥିଲେ । ସକାଳୁ ସକାଳୁ ଗାଧୋଇପଡି କ'ଣ ଗଣ୍ଡା ପାଟିରେ ଦେଇ ସଅଳ ସଅଳ ସ୍କୁଲ୍ କୁ ବାହାରି ଯାଇଥିଲେ ।ଦୁଇ ସାଙ୍ଗ ମିଶି ରାତି ଅନିଦ୍ରା ହୋଇ କାଗଜ ଓ କାଠିରେ ରଙ୍ଗ ବୋଳି ଜାତୀୟ ପତାକା ତିଆରି କରିଥିଲେ ।ସ୍କୁଲ୍ ରେ ଭାଷଣ ଦେଇଥିଲେ । 

ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।କେତେ କରତାଳି ସାଙ୍ଗକୁ ପ୍ରଶଂସା ଉଛୁଳି ପଡିଥିଲା । ଅନ୍ୟ ସାଙ୍ଗମାନଙ୍କ ଘର ବୁଲି ଥିଲେ ।  ଘରକୁ ଫେରୁ ଫେରୁ ପ୍ରାୟ ସଂଧ୍ୟା ହୋଇ ଯାଇଥିଲା ।


         ସାଧୁର ମଧ୍ୟ ଗୋଟିଏ ଜିଦ୍ । ସ୍କୁଲକୁ ଯିବ ଯଦି କେବଳ ରାଧୁ ସହିତ ଯିବ ।ନହେଲେ ସେ ଏ ବର୍ଷ ଆଦୌ ଯିବନାହିଁ । ଦାଣ୍ଡ ଅଗଣାରୁ ଠିକ୍ ଏତିକି ବେଳେ ବାପାଙ୍କ ପାଟି ଶୁଭିଲା ।


-"ଆଜି ପରା ଅଗଷ୍ଟ ପନ୍ଦର ! ଏତେ ବେଳ ହେଲାଣି ତୁ ଏ ପର୍ଯ୍ୟନ୍ତ ବିଛଣା ଛାଡିନୁ  ? ସ୍କୁଲକୁ କେତେବେଳେ ଯିବୁ ?"


-ମୁଁ ଆଜି ସ୍କୁଲକୁ ଯିବିନାହିଁ। ଯଦି ଯିବି ତ ରାଧୁ ସହିତ ଯିବି ।" ରୋକଠକ୍ ଶୁଣାଇଦେଲା ସାଧୁ ।

ବାପା ରାଗିଗଲେ ଓ ସଁ ସଁ ହୋଇ ବାହାରକୁ ଚାଲିଗଲେ ।

         

         ଆଜିକୁ ସପ୍ତାହ ହେଲାଣି ରାଧୁ ସହିତ ସାଧୁର ଦେଖା ହୋଇନାହିଁ ।ସାଧୁ ଯେତେ ଚେଷ୍ଟା କଲେବି ତା' ସହିତ ଟିକେ କଥା ହେବାପାଇଁ ତାହା କୌଣସି ପ୍ରକାର ସମ୍ଭବ ହୋଇପାରୁନି । ସ୍କୁଲକୁ ମଧ୍ୟ ରାଧୁ ଆଉ ଯାଉନାହିଁ । ତା'ର ଦେହ ପା' କ'ଣ କିଛି ଖରାପ ହେଲା କି ? ଚିନ୍ତା ରେ ପଡିଗଲା ସାଧୁ । ରାଧୁ କଥା ଭାବି ତାକୁ ଦାନା ବି ରୁଚୁନି । ଆଖିକୁ ନିଦ ବି ଆସୁନି । ଯାହାକୁ ପଚାରିଲେ ବି କୌଣସି ସଠିକ ଉତ୍ତର ବି ପାଉ ନାହିଁ । କେତେଥର ଭାବିଛି ରାଧୁର ଘରକୁ ଯାଇ ଖବର ଟା କ'ଣ ବୁଝି ଆସନ୍ତା । କିନ୍ତୁ ବାପାଙ୍କର କଡା ତାଗିଦ ପାଇଁ ତା' ଗୋଡ ଆଗକୁ ପଡୁନାହିଁ ।  


        ଗାଁ ଲୋକଙ୍କ ଠାରୁ କୌଣସି ପ୍ରକାର ସାଧୁ ଜାଣିବାକୁ ପାଇଲା ଯେ ତା' ସାଙ୍ଗ ରାଧୁର ଦେହ ବହୁତ ଖରାପ । କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ସହିତ ଲଢେଇ କରୁଛି ।ବଞ୍ଚିବା ନ ବଞ୍ଚିବା କିଛି ଠିକ୍ ନାହିଁ ।କେତେ ଗାଁ ଲୋକ କଟକ ଯାଇଁ ତାକୁ ଦେଖି ଫେରିଲେଣି । ସାଧୁ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ । କ'ଣ କରିବ ନ କରିବ ସେ କିଛି ସ୍ଥିର କରି ପାରିଲାନି । ଭୋ ଭୋ କରି କାନ୍ଦିଉଠିଲା ।ମନେ ମନେ ସ୍ଥିର କଲା କାଲି ସକାଳେ ଯେ କୌଣସି ପ୍ରକାର କଟକ ଯିବ ଓ ତା' ସାଙ୍ଗ କୁ ଦେଖା କରିବ ।ଫଳ ଯାହା ପଛକେ ହେଉ କିଛି ମାନିବ ନାହିଁ ।

 

       କଥାରେ ଅଛି ଇଛା ଥିଲେ ଉପାୟ ଅଛି । ଦୃଢ ମନୋବଳ ନିକଟରେ ସବୁ ବାଧା ବିଘ୍ନ ହାର ମାନେ । ସାଧୁ କ୍ଷେତ୍ରରେ ତାହା ହିଁ ହେଲା । ହାତଖର୍ଚ୍ଚ ପାଇଁ ରଖିଥିବା ସବୁ ଟଙ୍କାକୁ ଠୁଳ କଲା ଓ ସକାଳୁ ସକାଳୁ କାହାକୁ କିଛି ନ କହି କଟକ ବଡ ଡାକ୍ତରଖାନା ବାହାରିଗଲା । ବାପା ଯେତେ ପଚାରିଲେ ବି କିଛି ଉତ୍ତର ଦେଲା ନାହିଁ ।


      ଠିକ୍ ସମୟରେ ସାଧୁ କଟକରେ ପହଞ୍ଚିଗଲା । ହେଲେ ସେ ଯିବ କୁଆଡେ ? ଛୋଟ ପିଲା । ଆଗରୁ କେବେ କଟକ ଦେଖି ନାହିଁ । ଏତେବଡ ସହର । ଏତେ ଲୋକ । ଚାରିଆଡ ଗାଡି ମଟର କେଁ କାଁ ଭେଁ ଭାଁ । ତଥାପି ସେ ମନରେ ସାହାସ ବାନ୍ଧିଲା । କୌଣସି ପ୍ରକାରେ ଡାକ୍ତରଖାନା ରେ ମଧ୍ୟ ପହଞ୍ଚିଗଲା । ପଚାରି ପଚାରି ରାଧୁର ବେଡ୍ ପାଖରେ ପହଞ୍ଚି ନିଜ ସାଙ୍ଗର ଏପରି ଅବସ୍ଥା ଦେଖି ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ । ରାଧୁର ବାପା ମା' ଓ ପରିବାରର ଅନ୍ୟ ଲୋକ ସାଧୁ କୁ ଦେଖି ଚକିତ ହୋଇଗଲେ ।


      ରାଧୁ ବିଛଣାରେ ନୀରବରେ ଶୋଇରହିଥିଲା । ସାଧୁ ତା' ଗୋଡ ପାଖରେ ବସି ରାଧୁର ମୁଣ୍ଡ ଆଉଁସି ଦେଲା । ଆଖିରୁ ଧାର ଧାର ଲୁହ ବହିଯାଉଥିଲା । ମନେ ମନେ ଭଗବାନଙ୍କୁ ଡାକୁଥିଲା ସେ ।

-"ହେ ପ୍ରଭୁ ! ମୋ ଜୀବନ ବରଂ ନେଇଯାଅ , ମାତ୍ର ମୋ ସାଙ୍ଗର ଜୀବନ ବଂଚେଇ ଦିଅ ।"


       ରାଧୁର ପରିବାର ରକ୍ତ ସଂଗ୍ରହ ରେ ବ୍ୟସ୍ତ ଥିଲେ । ମାତ୍ର ରାଧୁ ରକ୍ତ ସହିତ ମିଶୁଥିବା ରକ୍ତ ପାଉ ନ ଥିଲେ । ରକ୍ତ ନ ମିଳିଲେ ସାଧୁ ର ଅବସ୍ଥା ଯେ କ'ଣ ହେବ , ଏହି କଥା ଭାବି ଭାବି ରାଧୁର ବାପା ମା' ବ୍ୟସ୍ତ ହୋଇ ପଡୁଥିଲେ । କାହାକୁ କିଛି ନ କହି ସିଧା ଡାକ୍ତରଙ୍କ ପାଖକୁ ଚାଲିଗଲା ସାଧୁ ।

-" ଡାକ୍ତରବାବୁ ! ମୁଁ ରକ୍ତ ଦେବି । ମୋ ରକ୍ତ ପରୀକ୍ଷା କରନ୍ତୁ।"-ସାଧୁ ଡାକ୍ତରଙ୍କୁ ଅନୁରୋଧ କରି କହିଲା ।


       ଡାକ୍ତର ସାଧୁ ର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।

ଏଡିକି ବକଟେ ପିଲାଟେ । ରକ୍ତ ଦେବାକୁ ପୁଣି ଜିଦ୍ କରୁଛି ।ଡାକ୍ତର କ'ଣ କରିବେ କିଛି ସ୍ଥିର କରିପାରୁନଥିଲେ । ଆଉ କିଛି କହିବା ପୂର୍ବରୁ ଡାକ୍ତରଙ୍କ ଗୋଡ ଧରି ଭୋ ଭୋ କାନ୍ଦିପକାଇଲା ସାଧୁ ।


       ଦୈବାତ ସାଧୁ ର ରକ୍ତ ସହିତ ରାଧୁର ରକ୍ତ ମଶିଗଲା ।ସାଧୁର ଖୁସି କହିଲେ ନ ସରେ ।ଡାକ୍ତର ରକ୍ତ ଦେଲେ । ଏକ ଧ୍ୟାନରେ ସେମିତି ରାଧୁର ଗୋଡ ପାଖରେ ସେ ବସିରହିଥାଏ ।କିଛି ସମୟ ପରେ ରାଧୁ ଟିକେ ଆଖି ଖୋଲିଲା । ପାଖରେ ସାଧୁ ବସିଥିବାର ସେ ଦେଖିପାରିଲା । ଉଠିବାକୁ ଚେଷ୍ଟା କରୁଥିଲା ସେ । ମାତ୍ର ଡାକ୍ତର ବାରଣ କରିବାରୁ ସେ ପୁଣି ବିଛଣାରେ ଶୋଇ ପଡିଲା । ହାତ ଠାରି ସାଧୁକୁ ପାଖକୁ ଡାକିଲା ଓ ତା' ହାତ ଧରି କାନ୍ଦିଉଠିଲା ରାଧୁ । ସାଧୁ ରାଧୁକୁ କୁଣ୍ଢେଇ ପକାଇ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲା ।


          ଏତିକିବେଳେ ସାଧୁର ବାପା ମା' ଡାକ୍ତରଖାନା ରେ ପହଞ୍ଚିଗଲେ । ଡାକ୍ତରଙ୍କ ପାଖରୁ ସବୁ ଶୁଣି ଗର୍ବରେ ସେମାନଙ୍କ ଛାତି ଫାଟିପଡୁଥିଲା ।ପୁଅର ସାହାସିକତା ପାଇଁ ନିଜକୁ ଧନ୍ୟ ମନେକରୁଥିଲେ । ଆଉ ବିଳମ୍ବ ନକରି ସାଧୁକୁ ସାଥିରେ ଧରି ଫେରିବା ସମୟରେ ରାଧୁର ବାପା ପଛପଟୁ ତାଙ୍କୁ କୁଣ୍ଢେଇ ପକାଇଲେ । ହାତଧରି କ୍ଷମା ମାଗିଲେ । ନିଜ ନିଜର ଭୁଲ ବୁଝିପାରିଲେ । ପଛ କଥା ଭୁଲିଯିବାକୁ ସେମାନେ ନିଷ୍ପତ୍ତି ନେଲେ ।

   

   ରାଧୁ ଓ ସାଧୁ ଏହା ଦେଖି ଖୁସିରେ ନାଚିଉଠୁଥିଲେ । ପରସ୍ପରର ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହୋଇ ଚଳିଲେ ଏ ଦୁନିଆଁ ହସିଉଠିବ । ବାସ୍ତବରେ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସମସ୍ତେ ସାଧୁକୁ ପ୍ରଶଂସାକରି କହୁଥିଲେ -" ଛୋଟ ସିନା ବୁଦ୍ଧି ତା' ମହାନ ।"



Rate this content
Log in