SARATA KUMAR DAS

Children Stories Others

3  

SARATA KUMAR DAS

Children Stories Others

କୁନା କୁନିଙ୍କ ଶିବ ପୂଜା

କୁନା କୁନିଙ୍କ ଶିବ ପୂଜା

4 mins
236



ଆଜି ଜାଗର । ଭଗବାନ ଶିବଙ୍କ ପୂଜା ।ଚାରିଆଡେ ଗହଳ ଚହଳ । ଗାଁ'ଟି ଜାକ ଲୋକଙ୍କର ଭିଡ ଜମିଛି ଶିବ ମନ୍ଦିର ନିକଟରେ । ଗାଁର ଶେଷ ମୁଣ୍ଡରେ କେଉଁ ଦିନରୁ ଆକାଶକୁ ମୁଣ୍ଡ ଟେକି ଛିଡା ହୋଇଛି ଶିବ ମନ୍ଦିର । ଗୋପାଳ ନନା ଓ ତାଙ୍କ ପୂର୍ବ ପୁରୁଷ ମାନେ କେଉଁ କାଳରୁ ଏ ମନ୍ଦିରରେ ପୂଜା କରି ଆସୁଛନ୍ତି । ସତେ ଯେପରି ଶିବ ଠାକୁର ସେ ଗାଁ ର ମୁରବୀ । ଗାଁ ଲୋକଙ୍କର ରକ୍ଷାକର୍ତ୍ତା । ସୁଖରେ ଦୁଃଖରେ ଲୋକମାନେ ଧାଇଁ ଯାଆନ୍ତି ମନ୍ଦିରକୁ । ଭୋଳା ମହେଶଙ୍କୁ ମୁଣ୍ଡ ପିଟି ଦୁଃଖ ଜାଣନ୍ତି । ଗଂଜେଇ ଭୋଗ ସହିତ ନଡିଆ କଦଳୀ କେତେ କ'ଣ ମାନସିକ କରନ୍ତି ।  


    ଆଜି ଗାଁ ଲୋକମାନେ ମିଳିମିଶି ମନ୍ଦିରକୁ ଖୁବ୍ ଭଲ ଭାବରେ ସଜାଇଛନ୍ତି । ଚାରିଆଡେ ନାଲି ନେଳି ଆଲୁଅ ।ପାଖ ଆଖ ଗାଁ ଗୁଡିକରୁ ଭକ୍ତମାନଙ୍କର ଭିଡ ଜମିଛି । କେତେ ଠେଲା ପେଲା ।ଡାକବାଜି ଯନ୍ତ୍ରର ଚିତ୍କାର ସହିତ ନନାଙ୍କ ମନ୍ତ୍ର ଉଚ୍ଚାରଣରେ ଫାଟି ପଡୁଛି ମନ୍ଦିର ବେଢା ।ଶିବ ଦର୍ଶନ ସହିତ କେତେ ଲୋକ କେତେ ପ୍ରକାର ଜିନିଷ କିଣାବିକାରେ ବ୍ୟସ୍ତ । ସମସ୍ତଙ୍କ ମନ ଖୁସି । କେମିତି ବା ନ ହେବ ! ବରଷକରେ ଦିନଟି ଏ । ଗାଁ ର ତ ବଡ ପରବ । କାମ ଦାମ ସବୁ ବନ୍ଦ । ରାତି ସାରା ଉଜାଗର ରହି ଦୀପ ଜାଳିବେ । ଗାଁଟି ଜାକର ଖୁସି ମନାସିବେ । ରାତିର ଶେଷ ପହରକୁ ମହାଦୀପ ଉଠିବ ।

 

   କୁନା କୁନି ସେହି ଗାଁ ର ଦୁଇଜଣ ଛୋଟ ଭାଇ ଭଉଣୀ । କୁନି ବଡ କୁନା ସାନ । ବୟସ ଖୁବ୍ କମ୍ । ସେହି ଗାଁ ସ୍କୁଲରେ ପାଠ ପଢନ୍ତି । ଭାରି ଭଲ ପଢନ୍ତି । ପାଠ ପଢା ସାଙ୍ଗକୁ ଖେଳକୁଦ ଓ ନାଚ ଗୀତରେ ମଧ୍ୟ ପାରଙ୍ଗମ । ଘରେ ମଧ୍ୟ ସବୁ କାମ କରନ୍ତି । ମା' ତାଙ୍କର ରୋଗିଣୀ । ବାପା ତାଙ୍କର ପାଂଚ ବର୍ଷ ହେଲା ବିଦେଶକୁ କାମ କରିବାକୁ ଗଲେଣି ଯେ ଏ ପର୍ଯ୍ୟନ୍ତ ଖୋଜ ଖବର କିଛି ନାହିଁ । ପ୍ରଥମେ ପ୍ରଥମେ କିଛି କିଛି ଟଙ୍କା ଘର ଖର୍ଚ୍ଚ ପାଇଁ ଦେଉଥିଲେ । ଏବେ ତା ବି ନାହିଁ । ଚଳିବାକୁ ବହୁତ ଅସୁବିଧା । ତଥାପି ଦୁଇ ଭାଇ ଭଉଣୀ କାହା ପାଖରେ ମୁଣ୍ଡ ନୁଆଁନ୍ତି ନାହିଁ । ଯାହା ଯେମିତି ଚଳି ଯାଆନ୍ତି । ଗାଁ ଟି ଜାକର ମଧ୍ୟ ଭାରି ପ୍ରିୟ । ଛୋଟ ହେଲେ କ'ଣ ହେବ ସବୁ କାମରେ ଆଗରେ । ଯାନି ଯାତ୍ରା ମେଳା ମଉଛୁକ ପୂଜା ପର୍ବ ଆଦି ସବୁ କାମରେ ସେମାନେ ଖୋଜା ପଡନ୍ତି ।

     

     ଭାଇ ଭଉଣୀ ଦୁଇଜଣ ମିଶି ଆଜି ସକାଳୁ ସକାଳୁ ସବୁ କାମ ସାରି ଦେଇଛନ୍ତି । ଘର ଲିପା ପୋଛା ସହିତ ଯେତେ ଅନ୍ୟାନ୍ୟ କାମ । ନାନା ଜାତିର ଫୁଲ ତୋଳି ଆଣି ରଖିଛନ୍ତି । ବେଲପତ୍ର ସହିତ ଶିବଙ୍କର ଅତି ପ୍ରିୟ ଅରଖ ଫୁଲ ଓ ଦୁଦୁରା ଫୁଲ ମଧ୍ୟ ଯୋଗାଡ କରିଛନ୍ତି । ଉପବାସ କରିଛନ୍ତି । ମା' ଯେତେ କହିଲେ ବି ମୁନ୍ଦାଏ ପାଣି ପାଟିକି ନେବାକୁ ରାଜି ନୁହଁନ୍ତି । ରାତି ଅନିଦ୍ରା ରହି ପୁଣି ଦୀପ ଜାଳିବେ ।ମହାଦୀପ ଦେଖିବେ । ଶିବ ଠାକୁରଙ୍କୁ କେତେ କ'ଣ ମାଗିବେ ।


       ସକାଳୁ ସକାଳୁ ମନ୍ଦିରରେ ବହୁତ ଭିଡ । ନାମ ସଂକୀର୍ତ୍ତିନ ସହିତ ହରିବୋଲ ହୁଳହୁଳିରେ ମନ୍ଦିର ବେଢା ଉଠୁଛି ପଡୁଛି । ଭୋଗ ଧରି କୁନା କୁନି ଏକମୁହାଁ ହୋଇ ଚାଲୁଛନ୍ତି ମନ୍ଦିର ଆଡକୁ । ସଅଳ ସଅଳ ଦିଅଁ ଦର୍ଶନ ସାରି ଫେରି ଆସିଲେ ଘରେ ପୁଣି କେତେ କାମ କରିବାକୁ ପଡିବ । 


        ସେମାନଙ୍କ ବୟସର ପିଲାମାନେ ନିଜ ନିଜର ବାପ ମା' ଙ୍କ ସହିତ କେତେ କ'ଣ ମଜା କରୁଛନ୍ତି । ମନ୍ଦିର ଚାରିପଟେ କେତେ ଧାଁ ଦୌଡ କରୁଛନ୍ତି । କିଏ କଣ୍ଢେଇ କିଣୁଛି ତ କିଏ ପୁଣି ପେଁକାଳି । ଆଉ କିଏ ଆଇସକ୍ରୀମ ଖାଉଛି ତ କିଏ ପୁଣି ବାରମଜା । ହେଲେ କୁନା କୁନିଙ୍କର ସେଥିପ୍ରତି ଆଦୌ ନଜର ନାହିଁ । 


   ମନ୍ଦିର ଦ୍ବାର ପାଖରେ ଲୋକ ଗହଳି ।ଭାଇ ଭଉଣୀ ଦୁହେଁ ଗୋଟିଏ ପାଖରେ କାନ୍ଥକୁ ଆଉଜି ନିରବରେ ଛିଡା ହୋଇଛନ୍ତି । ଟିକେ ଭିଡ କମିଲେ ଦର୍ଶନ ସାରି ଫେରିଯିବେ। ଏହି ସମୟରେ କେମିତି କେଜାଣି ଭିଡ ଭିତରୁ ଗୋପାଳ ନନାଙ୍କର ନଜର ପଡିଗଲା ଏ ଦୁଇଜଣଙ୍କ ଉପରେ ।


    - '' ଆରେ ସେଠି କ'ଣ ଦି' ଜଣ ମୁହଁକୁ ମାଡି ଛିଡା ହୋଇଛ ? ଶୀଘ୍ର ଆସ । ନ ହେଲେ ଆହୁରି ଭିଡ ହୋଇଯିବ ଯେ ! ଛୋଟ ପିଲା । ଠେଲା ପେଲାରେ ଦିଅଁ ଦର୍ଶନ କରିପାରିବନି ।"-ଗୋପାଳ ନାନା ପାଟିକରି କହିଲେ ।


    ଗୋପାଳ ନନାଙ୍କ ଡାକଶୁଣି କୁନା କୁନି ଭିଡ ଭିତରେ ଧୀରେ ଧୀରେ ଆଗକୁ ପାଦ ପକାଇଲେ । ମନ ତାଙ୍କର କେତେ ଖୁସି ଯେ କହିଲେ ନ ସରେ । ଝୁଣା ,ଧୂପ ,ଦୀପ ,ଚନ୍ଦନ ,ଆଗରୁ ଆଦି ବାସନାରେ ମନ୍ଦିର ମହମହ ହୋଇ ବାସୁଥିଲା । ନାନା ଋକମର ଫୁଲରେ ଶିବ ଲିଙ୍ଗ ଦାଉ ଦାଉ ହୋଇ ଝଲସୁଥିଲେ ।


   -'' ହାତ ଯୋଡି ଦୁଇଜଣ ଛିଡା ହୁଅ । ମୁଁ ମନ୍ତ୍ର ପଢୁଛି । ତା' ପରେ ପୁଷ୍ପାଞ୍ଜଳୀ ଦେବ ।"-ନନା କହିଲେ ।


     କୁନା କୁନି ଆଖି ବୁଜି ଏକ ଲୟରେ ଛିଡା ହୋଇ ଧୀରେ ଧୀରେ ଶିବ ନାମ ଜପ କରୁଥାନ୍ତି ।


- ''ଏଥର ଆଖି ଖୋଲ । ପୁଷ୍ପାଞ୍ଜଳୀ ଦେବ ।"


   କୁନା କୁନି ଆଖି ଖୋଲିଲେ । ଆଖିରୁ ତାଙ୍କର ଧାର ଧାର ଲୁହ ବହି ଯାଉଥିଲା । ଗୋପାଳ ନନା ଆଶ୍ଚର୍ଯ୍ୟ ହୋଇଗଲେ ଛୁଆ ଦି' ଟା । କି ଭକ୍ତି ! ପୁଣି ଏତେ କମ୍ ବୟସରୁ ।


     ନନାଙ୍କ ହାତରୁ ଫୁଲ ଆଣି ପୁଷ୍ପାଞ୍ଜଳୀ ଦେଲେ କୁନା କୁନି । ମୁଣ୍ଡ ମାଡି ମୁଣ୍ଡିଆ ମାରିଲେ । 


-''ହେ ପ୍ରଭୁ ! ଆମର କିଛି ଦରକାର ନାହିଁ । ସବୁବେଳେ ତୁମ କୃପା ଆମ ଉପରେ ଥାଉ । ଆମ ଗାଁ ର ଲୋକମାନେ ସୁଖ ଶାନ୍ତିରେ ରହନ୍ତୁ । ଆମର ସବୁ ବିପଦ ଦୂର କରିଦିଅ ।"-ଗୁଣୁ ଗୁଣୁ ହୋଇ କହୁଥିଲେ କୁନା କୁନି ।


  ନନା ଦୁଇଜଣଙ୍କ ହାତରେ ବେଲପତ୍ର ସହିତ ଘର୍ଷଣ ଭୋଗ ଦେଲେ। କୁନା କୁନି ଭୋଗ ଖାଇ ମୁଣ୍ଡରେ ହାତ ପୋଛିଲେ ।


-'' ଭୋଳାନାଥ ତମ ଦୁଇ ଜଣଙ୍କୁ କୃପା କରନ୍ତୁ । ତମ ଦୁଃଖ ଦୂର ହୋଇଯାଉ । ଭଲ ମଣିଷ ହୁଅ । ଖୁସିରେ ରୁହ । ଦେଶର ନାଁ ରଖ।"-ନନା ଆଶୀର୍ବାଦ କଲେ ।


      ଭକ୍ତିରେ ପରା ଭଗବାନ ବନ୍ଧା । ହିଂସା କପଟ ଛାଡି ତାଙ୍କୁ ଯିଏ ଭକ୍ତିରେ ଡାକିବ , ସେ ନିଶ୍ଚୟ ତାଙ୍କ ଡାକ ଶୁଣିବେ । ସବୁ ଦୁଃଖ ସେ ଦୂର କରି ଦେବେ । ସତକୁ ସତ ଭଗବାନ ମହାଦେବ ଦିନେ କୁନା କୁନିଙ୍କୁ ଡାକ ଶୁଣିଲେ । ସେମାନଙ୍କ ସବୁ ଦୁଃଖ ଦୂର ହୋଇଗଲା । ତାଙ୍କ ବାପା ବିଦେଶରୁ ଫେରି ଆସିଲେ । ମା' ତାଙ୍କର ଆସ୍ତେ ଆସ୍ତେ ସୁସ୍ଥ ହେବାକୁ ଲାଗିଲେ ।ଦୁଇଜଣ ବଡ ହୋଇ ଦେଶର ନାଁ ରଖିଲେ । ସମସ୍ତେ କହୁଥିଲେ 'ଧନ୍ୟ ଧନ୍ୟ ।'



Rate this content
Log in