ବକ୍ସି ଜଗବନ୍ଧୁ
ବକ୍ସି ଜଗବନ୍ଧୁ
ପାଇକ ବିଦ୍ରୋହର ମହାନାୟକ 'ବକ୍ସି ଜଗବନ୍ଧୁ'
----------------------------
ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା,ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ, ଖୋର୍ଦ୍ଧା ମାଟିର ବରପୁତ୍ର ତଥା ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ।ସେ 'ବକ୍ସି ଜଗବନ୍ଧୁ' ବା 'ପାଇକ ବକ୍ସି' ରୂପେ ବେଶ୍ ଜଣାଶୁଣା । ୧୭୭୩ ମସିହାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଗଡରୋଡାଙ୍ଗ ଠାରେ ସେ ଜନ୍ମ ଗ୍ରହଣ କରିଥିଲେ । କେତକ ଐତିହାସିକଙ୍କ ମତରେ ତାଙ୍କ ଜୀବନ କାଳ ୧୭୭୦ ରୁ ୧୮୨୯ ମଧ୍ୟରେ ସୀମିତ ଥିଲା । ତାଙ୍କରି ନେତୃତ୍ୱ ରେ ୧୮୧୭ ମସିହାରେ ସଂଗଠିତ ହୋଇଥିଲା ଐତିହାସିକ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ ।
ଜଗବନ୍ଧୁ ବିଦ୍ୟାଧର ଥିଲେ ଭୋଇ ବଂଶର ପ୍ରଥମ ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ମନ୍ତ୍ରୀ ଦନେଇ ବିଦ୍ୟାଧରଙ୍କ ଅଷ୍ଟମ ବଂଶଧର । ବାଲ୍ୟକାଳରୁ ବଂଶ ପରମ୍ପରା ଅନୁଯାୟୀ ଅସ୍ତ୍ର ବିଦ୍ୟା ଓ ଧନୁ ବିଦ୍ୟା ରେ ସେ ଦକ୍ଷତା ହାସଲ କରିଥିଲେ । ସେ ନିଜେ ମଧ୍ୟ ସୁସ୍ଥ ସବଳ ସହିତ ବଳିଷ୍ଠ ଓ ଶକ୍ତିମାନ ଥିଲେ ।
ଖୋର୍ଦ୍ଧା ମହାରାଜା ମୁକୁନ୍ଦ ଦେବଙ୍କ ସେ ଥିଲେ ପ୍ରଧାନ ସେନାପତି ବା ବକ୍ସି । ବଂଶ ପରମ୍ପରା କ୍ରମେ ସେ 'ବକ୍ସି' ଉପାଧି ପାଇଥିଲେ । ରାଜାଙ୍କ ପରେ ସେ ଥିଲେ ଦ୍ବିତୀୟ ମାନ୍ୟଗନ୍ୟ ବ୍ୟକ୍ତି । ତାଙ୍କର ଭରଣ ପୋଷଣ ପାଇଁ ରାଜାଙ୍କ ଠାରୁ ନିଷ୍କର ଜମି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଭୋଗ କରୁଥିଲେ । ଏହା ସହିତ ତାଙ୍କୁ 'ରରଙ୍ଗ କିଲ୍ଲା' ର ଜମିଦାରୀ ପ୍ରଦାନ କରାଯାଇଥିଲା ।
୧୮୦୪ ମସିହାରେ ଇଂରେଜମାନେ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କୁ ଗାଦିଚ୍ଯୁତ କରି ତାଙ୍କର ରାଜ୍ୟକୁ 'ଖାସ୍' ବା ପ୍ରତ୍ୟକ୍ଷ ଶାସନାଧୀନ ଅଂଚଳ ସହିତ ମିଶାଇ ଦେଇଥିଲେ । ପାଇକ ମାନେ ପାଉଥିବା ସମସ୍ତ ସୁବିଧା ସୁଯୋଗକୁ ବନ୍ଦ୍ କରିଦେଲେ । ନିଷ୍କର ଜମି ଉପରେ ଉଚ୍ଚ ହାରରେ କର ଆଦାୟ କରାଗଲା ।ଜମିଦାରୀର ରାଜସ୍ୱ ବୃଦ୍ଧି କରାଗଲା । ସେମାନଙ୍କୁ ଅକଥନୀୟ ଯନ୍ତ୍ରଣା ଦିଆଗଲା । ୧୮୧୭ ମସିହାରେ ଇଂରେଜ ମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଗୋଟିଏ ହତ୍ୟା ମାମଲାରେ ଗିରଫ କଲେ । ଇଂରେଜମାନଙ୍କର ଏହିଭଳି ଅନ୍ୟାୟ,ଅନୀତି, ନିର୍ଯ୍ଯାତନା, ଓ ଶୋଷଣ ବିରୋଧରେ ପାଇକ ମାନେ ଏକାଠି ହେଲେ । ବକ୍ସି ଜଗବନ୍ଧୁ ନେଇଥିଲେ ଏହାର ନେତୃତ୍ବ । ଏଇଠୁ ଆରମ୍ଭ ହେଲା ପାଇକ ବିଦ୍ରୋହ ।
ଭାରତ ସ୍ବାଧୀନତା ହେବାର ୧୩୦ ବର୍ଷ ପୂର୍ବରୁ ଅର୍ଥାତ ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଆରମ୍ଭ କରିଥିଲେ ବ୍ରିଟିଶ ବିରୋଧୀ ସଂଗ୍ରାମ । ତାଙ୍କର ନେତୃତ୍ବରେ ୪୦୦ କନ୍ଧ ବାଣପୁର ଓ ଖୋର୍ଦ୍ଧା ଅଂଚଳରେ ପ୍ରବେଶ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଥାନା ଇତ୍ୟାଦି ଭଙ୍ଗାରୁଜା କରିବା ସହିତ ଲୁଟ୍ ମଧ୍ୟ କରିଥିଲେ । ଏହାପରେ ପୁରୀ ଓ ପିପିଲି ଆଦି ସ୍ଥାନକୁ ବିଦ୍ରୋହ ବ୍ୟାପିବାରେ ଲାଗିଲା ।
ହଠାତ ଏଭଳି ବିଦ୍ରୋହ ଦେଖି ବ୍ରିଟିଶ ସରକାର ବ୍ୟସ୍ତ ହୋଇପଡିଲେ । ବିଦ୍ରୋହକୁ ଦମନ କରିବାପାଇଁ ଚେଷ୍ଟା କଲେ । ମାତ୍ର ପ୍ରଥମେ ବିଫଳ ହେଲେ ।ପରେ ୧୮୧୭ ମସିହା ଏପ୍ରିଲ ୧୨ ତାରିଖ ରେ ସାମରିକ ଆଇନ ପ୍ରଣୟନ କରି ବିଦ୍ରୋହ କୁ ଦମନ କରିବାରେ ସଫଳ ହେଲେ ସତ କିନ୍ତୁ ବକ୍ସି ଜଗବନ୍ଧୁଙ୍କୁ ଗିରଫ କରିପାରିଲେ ନାହିଁ । ବକ୍ସି ଜଗବନ୍ଧୁ,କୃଷ୍ଣଚନ୍ଦ୍ର ଭ୍ରମରବର ଓ ସେମାନଙ୍କର କିଛି ସହଯୋଗୀ ଜଙ୍ଗଲରେ ଆତ୍ମଗୋପନ କରିଥିବାରୁ ଇଂରେଜ ମାନଙ୍କର ନିଦ ହଜି ଯାଇଥିଲା ଏବଂ କିଛିଦିନ ଇଂରେଜ ସରକାର ଓ ବକ୍ସି ଜଗବନ୍ଧୁଙ୍କ ସମେତ କିଛି ଆତ୍ମଗୋପନକାରୀ ଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା ।
ପରେ ତତ୍କାଳୀନ ବଡଲାଟ ଅନ୍ୟ କିଛି ଉପାୟ ନ ପାଇ ୧୮୨୨ ମସିହାରେ କିଛି ସର୍ତ୍ତ ମାଧ୍ୟମରେ ବକ୍ସି ଜଗବନ୍ଧୁଙ୍କୁ କ୍ଷମାକରିଦେବେ ବୋଲି ଘୋଷଣା କରିବା ସହିତ ଆତ୍ମସମର୍ପଣ କରିବାକୁ କହିଲେ । ମାତ୍ର ବଡଲାଟଙ୍କର କୌଣସି ସର୍ତ୍ତ କୁ ମାନିବାକୁ ପ୍ରସ୍ତୁତ ନଥିଲେ ବକ୍ସି ଜଗବନ୍ଧୁ । ଏଥିରେ ଉତକ୍ଷିପ୍ତ ହୋଇ ସରକାର ବକ୍ସିଙ୍କର ସମଗ୍ର ପରିବାରକୁ ବନ୍ଦୀ କରିଥିଲେ । ତଥାପି ବକ୍ସି ଏହାକୁ ଭ୍ରୂକ୍ଷେପ କରିନଥିଲେ । ପରବର୍ତ୍ତୀ ସମୟରେ ଇଂରେଜ ସରକାର ବକ୍ସିଙ୍କ ପ୍ରତି ଅତି କଠୋର ଆଭିମୁଖ୍ଯ ଗ୍ରହଣ କରିଥିଲେ । କୌଣସି ପ୍ରକାର ସାହାଯ୍ୟ କେହି ଯେପରି ବକ୍ସିଙ୍କୁ ନ କରନ୍ତି ସେଥିପ୍ରତି ସତର୍କ ରହିଲେ । ସମସ୍ତ ରାଜାମାନଙ୍କୁ ରୋକଠୋକ୍ ବିଦ୍ରୋହୀମାନଙ୍କୁ ସାହାଯ୍ୟ ନ କରିବାକୁ କୁହାଗଲା । ଏପରି ପରିସ୍ଥିତିରେ ଆତ୍ମ ସମର୍ପଣ ବ୍ୟତୀତ ବକ୍ସି ଜଗବନ୍ଧୁଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା ।
ପରିଶେଷରେ ନୟାଗଡ ରାଜା ଓ ତାଙ୍କର ଦେବାନ ବରଜୁ ପାଇକରାୟ ଙ୍କ ପରାମର୍ଶ କ୍ରମେ ମଇ ୨୫ ତାରିଖ ୧୮୨୫ ମସିହାରେ ବକ୍ସି ଜଗବନ୍ଧୁ ଓ ତାଙ୍କର ସହଯୋଗୀମାନେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଇଂରେଜ ସରକାର ତାଙ୍କୁ କଟକର ବକ୍ସି ବଜାର ଠାରେ ଗୃହବନ୍ଦୀ କରି ରଖିଥିଲେ । ଶେଷରେ ୧୮୨୯ ମସିହା ଜାନୁୟାରୀ ୨୪ ତାରିଖ ଦିନ ବକ୍ସି ଜଗବନ୍ଧୁଙ୍କର ଜୀବନ ଦୀପ ଲିଭି ଯାଇଥିଲା ।
ବାସ୍ତବରେ କହିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଥିଲେ ଦୁର୍ଦ୍ଦଷ ବୀର , ପାଇକ ବିଦ୍ରୋହର ମହାନାୟକ ତଥା ଭାରତ ମା' ର ସୁଯୋଗ୍ୟ ସନ୍ତାନ । ଭାରତର ଆଦ୍ୟ ସ୍ବାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଥିଲା ଅତୀବ ଗୁରୁତ୍ବପୂର୍ଣ୍ଣ । ସତରେ, କୋଟି କୋଟି ପ୍ରଣାମ ସେହି ମହାନ ଆତ୍ମାଙ୍କୁ ।