ବିନୟେ ଜ୍ଞାନ ଲାଭ
ବିନୟେ ଜ୍ଞାନ ଲାଭ


ବହୁତ ଦିନ ତଳର କଥା । ଗ୍ରୀସ୍ ଦେଶରେ ଜଣେ ବିଖ୍ୟାତ ଜ୍ଞାନୀ ଗୁଣୀ ପଣ୍ଡିତ ଓ ଦାର୍ଶନିକ ଥିଲେ । ନାଁ ତାଙ୍କ ପ୍ଲାଟୋ । ତାଙ୍କର ଜ୍ଞାନ ଚାରିଆଡେ ବ୍ୟାପିବାରେ ଲାଗିଥିଲା ।ଲୋକମାନେ ତାଙ୍କ ବିଷୟରେ ଅନେକ ଚର୍ଚ୍ଚା କରୁଥିଲେ ।ତାଙ୍କୁ ମଧ୍ୟ ଜଣେ ବଡ ଜ୍ଞାନୀ ବୋଲି ଭାବୁଥିଲେ । ତାଙ୍କୁ ସାକ୍ଷାତ କରିବାକୁ ଦୂର ଦୂରାନ୍ତରୁ ଅନେକ ଲୋକ ପ୍ରତିଦିନ ଆସୁଥିଲେ । ନିଜ ନିଜର ସମସ୍ୟା ବିଷୟରେ ପ୍ଲାଟୋଙ୍କୁ ପଚାରୁଥିଲେ ଓ ସେଗୁଡିକର ସମାଧାନ ଚାହୁଁଥିଲେ । ପ୍ଲାଟୋ ମଧ୍ୟ ଲୋକମାନଙ୍କର ପ୍ରଶ୍ନର ଉତ୍ତର ହସି ହସି ଅତି ସରଳ ଭାବରେ ଦେଉଥିଲେ । ମାତ୍ର କିଛି ପ୍ରଶ୍ନ ଓଲଟି ଲୋକମାନଙ୍କୁ ପଚାରି କିଛି ନା କିଛି ଉତ୍ତର ଆଶାକରୁଥିଲେ ।
ମାତ୍ର ପ୍ଲାଟୋଙ୍କର ଏଭଳି ଓଲଟ ପ୍ରଶ୍ନ ପଚାରିବା କିଛି ଲୋକ ପସନ୍ଦ କରୁ ନଥିଲେ । ଧୀରେ ଧୀରେ ତାଙ୍କର ଜ୍ଞାନ ଗାରିମାକୁ ନେଇ କିଛି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଲା ।ସେମାନେ ତାଙ୍କ ବିଷୟରେ ନାନା କଥା ଆଲୋଚନା କଲେ । ପ୍ଲାଟୋ ଜଣେ ବଡ ଜ୍ଞାନୀ ନୁହଁନ୍ତି ବୋଲି ସେମାନେ ଭାବିବାକୁ ଲାଗିଲେ । ଜଣେ ଲୋକ କହିଲେ--"ଭାଇମାନେ, ଆମେ ପ୍ଲାଟୋଙ୍କ ବିଷୟରେ ଯାହା ଭାବୁଛୁ ସେ ସେଭଳି ବଡ ବିଦ୍ବାନ ନୁହଁନ୍ତି । ଆମେ ତଙ୍କୁ ପ୍ରଶ୍ନ ପଚାରି କିଛି ଶିଖିବାକୁ ଆସିଥାଉଁ,ହେଲେ ସେ ଆମକୁ କିଛି ନ ଜାଣିଲା ଭଳି ଓଲଟି ପ୍ରଶ୍ନ କାହିଁକି ପଚାରୁଛନ୍ତି ? ସେ ଆମ ଭଳି ଜଣେ ସାଧାରଣ ମାମୁଲି ମଣିଷ ।"
ଲୋକମାନଙ୍କର ପ୍ଲାଟୋଙ୍କ ବିଷୟରେ ଏହିଭଳି ଆଲୋଚନା ତାଙ୍କର ଜଣେ ବିଶ୍ବସ୍ଥ ଶିଷ୍ୟଙ୍କ କାନରେ ଦିନେ ବାଜିଲା । ନିଜ ଗୁରୁଙ୍କ ବିରୋଧରେ ଏଭଳି କଥାବାର୍ତ୍ତା ଶୁଣି ଶିଷ୍ୟ ଜଣକର ବହୁତ ମନ ଦୁଃଖ ହେଲା । ଏ ବିଷୟରେ ଗୁରୁଙ୍କୁ ପଚାରିବା ପାଇଁ ସେ ମନେ ମନେ ସ୍ଥିର କଲେ ।
ଦିନେ ସବୁ ଲୋକ ଚାଲିଗଲା ପରେ ଶିଷ୍ୟଜଣକ ଅତି ଶାନ୍ତ ଓ ଧୀର ଭାବରେ ପ୍ଲାଟୋଙ୍କୁ ପଚାରିଲେ -''ହେ ମହାଭାଗ ! ଆପଣ ଜାଣେ ବିଦ୍ବାନ ଓ ଦାର୍ଶନିକ । ଆପଣଙ୍କ ଖ୍ୟାତି ସମଗ୍ର ଦୁନିଆରେ ପ୍ରସାରିତ ହେବାରେ ଲାଗିଛି । ଅସଂଖ୍ୟ ଲୋକ କିଛି ଶିଖିବା ପାଇଁ ଆପଣଙ୍କ ପାଖକୁ ଧାଇଁ ଆସୁଛନ୍ତି ।ହେଲେ ଆପଣ ସେମାନଙ୍କୁ ଓଲଟା କିଛି ପ୍ରଶ୍ନ ପଚାରୁଛନ୍ତି । ଏଥିରୁ ସେମାନଙ୍କର ସନ୍ଦେହ ହେଉଛି ଯେ ଆପଣ ଜଣେ ସାଧାରଣ ମାମୁଲି ମଣିଷ । ଆପଣଙ୍କ ନିକଟରେ ସେମାନେ ଚାହୁଁଥିବା କିଛି ଜ୍ଞାନ ଗୁଣ ନାହିଁ । ତେବେ ଏ ଭଳି ଆପଣ କାହିଁକି କରୁଛନ୍ତି ?"
ଶିଷ୍ୟଙ୍କ କଥା ଶୁଣି ବିଶ୍ବ ବିଖ୍ୟାତ ଦାର୍ଶନିକ ପ୍ଲାଟୋ ଟିକେ ମୁରୁକି ହସ
ିଲେ । କିଛିକ୍ଷଣ ଚୁପ୍ ରହି କହିଲେ--"ବତ୍ସ ! ତୁମେ ଯାହା କହୁଛ ,ତାହା ଠିକ୍ । ଲୋକମାନେ ମୋ ବିଷୟରେ ଯାହା ଭାବୁଛନ୍ତି ତାହା ମଧ୍ୟ ଠିକ୍ । ଲୋକମାନେ ମୋ ବିଷୟରେ କ'ଣ ଭାବିବେ ନ ଭାବିବେ ତାହା ସେମାନଙ୍କର କାମ ।ଏହା ମୋର କାମ ନୁହେଁ । କାରଣ ମୋ ନୀତିରେ ମୁଁ ଠିକ୍ ଅଛି ।"
ଶିଷ୍ୟଜଣକ ନିଜ ଗୁରୁଙ୍କ ନିକଟରୁ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡିଲେ ଓ କିଛିକ୍ଷଣ ମୁହଁ ମାଡି ଛିଡାହୋଇ ରହିଲେ । ନିଜ ଶିଷ୍ୟଙ୍କର ମନର କଥାକୁ ପ୍ଲାଟୋ ବୁଝିପାରି କହିଲେ -''ବତ୍ସ ! ମୁଁ କେବଳ ଏତିକି ଜାଣିଛି ଯେ ଯିଏ ନିଜକୁ ଶ୍ରେଷ୍ଠ ଜ୍ଞାନୀ ବୋଲି ଭାବି ନିଜ ଗୁଣ ନିଜେ ପ୍ରଚାର କରେ, ତା' ଠାରୁ ବଡ ମୂର୍ଖ ଆଉ କିଏ ହୋଇପାରେ ! ଯିଏ ନିଜକୁ ଅନ୍ୟମାନଙ୍କ ଠାରୁ ବଡ ଭାବେ ,ସେ ଦୁନିଆର ସବୁଠାରୁ ମିଥ୍ୟାବାଦୀ , ଅହଙ୍କାରୀ ଓ ଛଳନାପ୍ରିୟ । "
କିଛି ସମୟ ଅଟକି ଯାଇ ପୁଣି ପ୍ଲାଟୋ କହିଲେ--''ପ୍ରତ୍ୟେକ ବ୍ୟକ୍ତି ସ୍ବାଧୀନ । ସ୍ବାଧୀନ ଭାବରେ ଭାବିବାର ସେମାନଙ୍କର ଅଧିକାର ଅଛି । ଅବଶ୍ୟ ଏହା ସତ୍ୟ ଯେ ଅନେକ ଲୋକ ନିଜ ନିଜର ଭାବ ପ୍ରକାଶ କରିବାକୁ ବିଶେଷ ସୁଯୋଗ ପାଇ ନଥାନ୍ତି ।"
''ମୁଁ ଏ ପର୍ଯ୍ୟନ୍ତ ଯେତିକି ଜ୍ଞାନ ଅର୍ଜନ କରିଛି ତାହା କେବେ ବି ଯଥେଷ୍ଟ ନୁହେଁ ।ଏହା ସମୁଦ୍ରର ବିନ୍ଦୁଏ ଜଳ ସଦୃଶ ।ବିନ୍ଦୁ ବିନ୍ଦୁ ଜଳର ମିଶ୍ରଣରେ ମୁଁ ସାଗର ସୃଷ୍ଟି କରିବାକୁ ଚାହୁଁଛି ।ପ୍ରତ୍ୟେକଙ୍କୁ କିଛି ନା କିଛି ପ୍ରଶ୍ନ ପଚାରି ଉତ୍ତର ଚାହିଁବାର ଅର୍ଥ ହେଲା ମୁଁ ମୋର ନିଜ କ୍ଷୁଦ୍ର ଜ୍ଞାନର ପରିସରକୁ ବୃଦ୍ଧି କରିବା ପାଇଁ ଚାହୁଁଛି ।ଅନ୍ୟ କିଛି ନୁହେଁ ।"
ପୁନଶ୍ଚ ପ୍ଲାଟୋ କହିଲେ -''ଏ ଦୁନିଆରେ କେହି ଛୋଟ ବା ହୀନ ନୁହଁନ୍ତି । ଆମେ କାହାକୁ ବି ହେୟ ଭାବିବା ଠିକ୍ ନୁହେଁ ।
ପ୍ରତ୍ୟେକଙ୍କ ଠାରୁ କିଛି ଶିଖିବାର ଅଛି ।ସବୁ ସମୟରେ କିଛି ଶିଖିବାର ଇଚ୍ଛା ଆମ ପାଖରେ ରହିବା ଦରକାର ।"
ପ୍ରକୃତରେ ବିଖ୍ୟାତ ବିଦ୍ବାନ ପ୍ଲାଟୋଙ୍କ କଥା ଏକଦମ୍ ଠିକ୍ । ମଣିଷ ଭିତରେ ଥିବା ଗର୍ବ ଅହଙ୍କାର ତାକୁ କିଛି ଶିଖିବାରେ ସୁଯୋଗ ଦିଏ ନାହିଁ । ଗର୍ବୀ ,ଅହଙ୍କାରୀ ଓ ଈର୍ଷା ପରାୟଣ ବ୍ୟକ୍ତି କେବେ ଜ୍ଞାନୀ ହୋଇ ନ ପାରେ । ଜୀବନର ପ୍ରତିଟି ମୁହୂର୍ତ୍ତ ଶିଖିବାର ମୁହୂର୍ତ୍ତ । ନମ୍ର ,ଉଦାର ,ସରଳ ଓ ବିନୟ ଭାବ ଜ୍ଞାନ ଆହରଣ ରେ ସାହାଯ୍ୟ କରେ ।ଆମେ ନିଜକୁ ଯେତିକି ବିନମ୍ର କରିପାରିବା ସେତେ ଅଧିକ କିଛି କିଛି ନୂଆ ନୂଆ କଥା ଶିଖି ପାରିବା ଓ ଆଗକୁ ଆଗକୁ ଯାଇ ପାରିବା। ତେଣୁ କଥାରେ ଅଛି -'' ବିନୟେ ଜ୍ଞାନ ଲାଭ।"