ଇଚ୍ଛା ଥିଲେ ଉପାୟ ଅଛି
ଇଚ୍ଛା ଥିଲେ ଉପାୟ ଅଛି
ପାହାଡ ପଛପଟରେ ଛୋଟ ଗାଁ ଟିଏ । ନାଁ ହରିପୁର । ସେହି ଗାଆଁ ରେ ଜଣେ ପିଲା ଥିଲା । ନାଁ ତା'ର ଗୋପାଳ । ଭାରି ମଜାକିଆ । ହେଲେ ମନଟି ତା'ର ଦୁଃଖ । ଅନ୍ୟ ସାଙ୍ଗମାନଙ୍କ ସହିତ ସେ ସ୍କୁଲକୁ ଯାଏନା । ପାଠ ପଢେ ନା । ତା' ବୋଉକୁ ଘର କାମରେ ସାହାଯ୍ୟ କରେ । ପଖାଳ ଗଣ୍ଡା ଖାଇଦେଇ ସଅଳ ସଅଳ ବାହାରି ଯାଏ ଗାଈପଲ ଧରି ଜଙ୍ଗଲକୁ । ପୁଣି ଘରକୁ ଫେରିବା ବେଳକୁ ସଞ୍ଜ ହୋଇ ଯାଇଥାଏ । ଯାହା ଗଣ୍ଡିଏ ଗାମୁଛାରେ ବାନ୍ଧିନେଇଥାଏ ଭୋକ ଲାଗିଲେ ଖାଇଦିଏ ଓ ଝରଣାରୁ ପେଟେ ପାଣି ଦିଏ ।
ଜଙ୍ଗଲରେ ଗୋରୁ ଛାଡି ଦେଇ ଜାମୁକୋଳି ଗଛକୁ ଚଢିଯାଏ ଓ ମନ ଖୁସିରେ ବଂଇଶୀ ବଜାଏ । ଗୋପାଳର ବଂଇଶୀ ସ୍ବର ଶୁଣି ବଣଭୂଇଁ ଖୁସିରେ ନାଚିଉଠେ । ସେଇ ବାଟ ଦେଇ ଯେଉଁ ବାଟୋଇ ଯାଉଥାନ୍ତି , ଗୋପାଳର ବଂଇଶୀ ସ୍ବର ଶୁଣି ଘଡିଏ ଅଟକି ଯାଆନ୍ତି । ବହୁତ ପ୍ରଶଂସା କରନ୍ତି ତାକୁ ।ସ୍କୁଲ୍ ଯାଉଥିବା ଗାଁ ପିଲାମାନେ ମଧ୍ୟ କେତେବେଳେ କେମିତି ଅଟକି ଯାଇ ତା' ସହିତ ଥଟ୍ଟାମଜାକରି ନିଜ ନିଜ ବାଟରେ ଚାଲି ଯାଆନ୍ତି । ଗୋପାଳ କିଛି କହେ ନାହଁ । କେବଳ ସେମାନଙ୍କ ଯିବା ବାଟକୁ ଚୁପ୍ ଚାପ୍ ଚାହିଁ ରହିଥାଏ ।
ଗାଁ ମୁଣ୍ଡରେ ସ୍କୁଲ୍ । ପାଖଆଖର ପିଲାମାନେ ସେହି ସ୍କୁଲରେ ପାଠ ପଢନ୍ତି । କେଶବ,ହରିଆ,ରାମ,ମାଧିଆ ପ୍ରଭୁତି ଗୋପାଳର କେତେ ସାଙ୍ଗମାନେ ମଧ୍ୟ ସେହି ସ୍କୁଲରେ ପଢନ୍ତି । ସମୟ ପାଇଲେ ଗୋପାଳ ସେମାନଙ୍କ ସହ ବୁଲେ, ବେଶ୍ ମଜାକରେ ଓ ଗୀତ ଗାଇ ଶୁଣାଏ । ସେମାନେ ମଧ୍ୟ ଗୋପାଳକୁ ପାଠପଢା ବିଷୟରେ କୁହନ୍ତି ।ବେଳେ ବେଳେ ସାହିତ୍ୟ ବହିରୁ ଗପ ପଢି ତାକୁ ଶୁଣାନ୍ତି । ଗୋପାଳର ମନ ଖୁସି ହୁଏ ଯେତିକି ,ସେତିକି ବି ଭାରି ହୋଇଯାଏ ।
ପାଠ ପଢିବାକୁ ବହୁତ ଇଚ୍ଛା ଗୋପାଳର । ଅନ୍ୟ ସାଙ୍ଗମାନଙ୍କ ସହ ସେ ସ୍କୁଲକୁ ଯାଆନ୍ତା । ସେମାନଙ୍କ ଭଳିଆ ସ୍କୁଲ ପୋଷାକ ପିନ୍ଧନ୍ତା । ଧାଡିରେ ଛିଡାହୋଇ ପ୍ରାର୍ଥନା କରନ୍ତା...'ଆହେ ଦୟାମୟ ବିଶ୍ବବିହାରୀ.......' । ହେଲେ କ'ଣ କରିବ ସେ ।ତା' ବୋଉ ସହିତ କାମରେ ସହଯୋଗ ନକଲେ ଘରେ ଚୁଲି ଜାଳିବା ବନ୍ଦ୍ ହୋଇଯିବ । ଏମିତି ବି ପିଲା ଦିନରୁ ସେ ତା' ବାପାଙ୍କୁ ହରାଇଛି ।
କେତେବେଳେ କେମିତି ଜଙ୍ଗଲରେ ଗୋରୁ ଚରାଇଲାବେଳେ ସ୍କୁଲ୍ ରେ ପିଲାମାନଙ୍କର ପ୍ରାର୍ଥନା ଗୋପାଳର କାନରେ ବାଜେ । କିଛିକ୍ଷଣ ପାଇଁ ତା'ର ବଂଇଶୀ ବଜାଇବା ବନ୍ଦ ହୋଇଯାଏ । ଅନ୍ୟମନସ୍କ ହୋଇଯାଏ ସେ । ବେଳେବେଳେ ସ୍କୁଲ୍ ପାଖକୁ ଧାଇଁ ଯାଏ । ଝରକା ପାଖରେ ଲୁଚି ଛିଡାହୋଇ ସାର୍ ଙ୍କ କଥା ଶୁଣେ । ଗୋଟି ଗୋଟି ସବୁ କଥା ମନେରଖିଥାଏ ।କେହି ଦେଖିଦେଲେ ଲାଜରେ ମୁହଁ ଜାକି ପଳାଇଆସେ । ସ୍କୁଲ୍ ର ସବୁ ସାର୍ ମାନେ ଗୋପାଳକୁ ବି ଭଲ ପାଆନ୍ତି । କେହି କିଛି କୁହନ୍ତି ନି । ପାଠ ପଢା ପ୍ରତି ଥିବା ତା' ର ଆଗ୍ରହ ଦେଖି ସମସ୍ତେ ତାକୁ ଆଦର କରନ୍ତି ।
ଥରେ ଗାଈ ଚରାଇବାକୁ ଯାଉଥିବା ବେଳେ ମାଧିଆ ସହିତ ତା'ର ବାଟରେ ଦେଖା ହେଲା ।
- "ଏ ସାଙ୍ଗ , ତେତେ ଗୋଟିଏ କଥା କହିବି କହିବି ଭାବୁଛି । ହେଲେ ସାହାସକରି କହିପାରୁନି । ତୁ ଯଦି କିଛି ନ ଭାବିବୁ ,ତେବେ......."-ଗୋଟିଏ ନିଃଶ୍ବାସରେ ଗୋପାଳ କହିପକାଏ ଛେପ ଢୋକିଲା ।
-"କ'ଣ କହୁନୁ "- ମାଧିଆ ପଚାରିଲା ।
ଟିକେ ଲାଜେଇଯାଇ ଗୋପାଳ କହିଲା--" ମୋର ଭାରି ଇଚ୍ଛା ହେଉଛି ତୋ ସହିତ ପାଠ ପଢି ଯିବାପାଇଁ ।"
-"ହଉ ହଉ ଠିକ୍ ଅଛି । ଏ ତ ବହୁତ ଭଲ କଥା । ମୁଁ ଯାଉଛି ଆଜି ସାର୍ ଙ୍କୁ ସବୁକଥା ତୋ ବିଷୟରେ କହିବି "-ମାଧିଆ କହି ସ୍କୁଲ୍ କୁ ତରବର ହୋଇ ଚାଲିଗଲା ।
ସ୍କୁଲର ପ୍ରଧାନ ଶିକ୍ଷକ ଜଣେ ଭାରି ଭଲ ଲୋକ ।ପଢା ପ୍ରତି ବହୁତ ଧ୍ୟାନ ତାଙ୍କର । ପିଲାମାନଙ୍କୁ ଆଦର କରନ୍ତି । ମାଧିଆ ଠାରୁ ଗୋପାଳ ବିଷୟରେ ସବୁକଥା ଶୁଣି ସେ ବହୁତ ଖୁସିହେଲେ । ଉପର ହାକିମଙ୍କୁ କହି କିଛି ଗୋଟିଏ ବ୍ୟବସ୍ଥା କରିବେ ବୋଲି କହିଲେ । ସାର୍ ଙ୍କ କଥା ଶୁଣି ମାଧିଆ ବହୁତ ଖୁସି ହୋଇଗଲା । ଯେତେ ଶୀଘ୍ର ଏ ଖବର ଟା ଗୋପାଳକୁ ଦେବ ବୋଲି ମନେମନେ ସେ ସ୍ଥିର କଲା ।
ଗୋପାଳର ବି ଆଜି ଗୋରୁ ଚରାଇବାରେ ମନ ନାହଁ । ମାଧିଆର ଆସିବା ବାଟକୁ ଚାହିଁ ରହିଛି ।
-"ବୁଝିଲୁ ସାଙ୍ଗ , ଆଜି ତୋ ବିଷୟରେ ସବୁକଥା ପ୍ରଧାନ ସାର୍ ଙ୍କୁ କହିଛି । ସେ କିଛି ଗୋଟିଏ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।"-ଧଇଁ ସାଇଁ ହୋଇ ମାଧିଆ ଆସି ଗୋପାଳକୁ କହିଲା ।
କି ଖୁସି ତା'ର ! ସେଦିନ ସଞ୍ଜ ନ ହେଉଣୁ ସେ ଗାଈନେଇ ଘରକୁ ଫେରିଆସିଲା ଗୋପାଳ ଓ ତା' ବୋଉକୁ ସବୁକଥା କହିଲା ।
-"ହେଲେ ମୁଁ ଏତେ ଟଙ୍କା କୋଉଠି ପାଇବି ଯେ ତେତେ ପାଠ ପଠାଇବି ।"-ମନ ଦୁଃଖ ରେ ଗୋପାଳର ବୋଉ କହିଲେ ।
-"ବୋଉ, ତୁ ଜମା ବ୍ୟସ୍ତ ହଅନା । ସବୁ ଠିକ୍ ହୋଇଯିବ ।"- ଏତିକି କହି ଗୋପାଳ ମାଧିଆ ସହିତ ଖେଳିବାକୁ ଚାଲିଗଲା ।
ଦୁଇ ଚାରି ଦିନ ପରେ ହଠାତ୍ ଦିନେ ସ୍କୁଲ୍ ରୁ ଡାକରା ଆସିଲା ।ପ୍ରଧାନ ଶିକ୍ଷକ ଗୋପାଳକୁ ଡାକିଛନ୍ତି । ସେଦିନ ସ୍କୁଲକୁ ବଡ ହାକିମ ଆସୁଛନ୍ତି । ଗୋପାଳର ପାଠ ପଢା ବିଷୟରେ ସବୁକଥା ସେ ତାଙ୍କୁ କହିବେ । ସିଦିନ ଗୋପାଳ ଆଉ ଗାଈ ଚରାଇବାପାଇଁ ଗଲାନି । ଗାଧୋଇ ପାଧୋଇ ତା' ବୋଉ ସହ ବାହାରିଗଲା ସ୍କୁଲକୁ । ଖୁସିରେ ତା' ଗୋଡ ତଳେ ଲାଗୁ ନ ଥାଏ ।
ଗୋପାଳ ଓ ତା' ବୋଉ ବାହାରେ ଛିଡାହୋଇଥିବାର ଦେଖି ପ୍ରଧାନ ଶିକ୍ଷକ ଭିତରକୁ ଡାକିଲେ । ସେତେବେଳକୁ ଜିଲ୍ଲାପାଳ ଆସି ସାରିଲେଣି । ତାଙ୍କ ସହିତ ସ୍କୁଲ୍ ନିରୀକ୍ଷକ ମଧ୍ୟ ଆସିଥାନ୍ତି । ଗୋପାଳ ମୁଣ୍ଡ ମାଡି ପ୍ରଣାମ କଲା
-" ତୁମ ନାଁ କ'ଣ ?" -ଜିଲ୍ଲାପାଳ ପଚାରିଲେ ।
-"ଆଜ୍ଞା ,ମୋ ନାଁ ଗୋପାଳ ।"-ଗୋପାଳ ଡରି ଡରି ଉତ୍ତର ଦେଲା ।
-"ପାଠ ପଢିବ ?"
-"ହଁ ,ଆଜ୍ଞା।"
-"ସବୁଦିନ ସ୍କୁଲ୍ କୁ ଆସିବ ତ ?"-ଜିଲ୍ଲାପାଳ ପଚାରିଲେ ।
ହଁ ବୋଲି କହି ଗୋପାଳ କାନ୍ଦି ପକାଇଲା ।
ଜିଲ୍ଲାପାଳଙ୍କର ମନ ତରଳିଗଲା ଗୋପାଳର ପାଠ ପଢା ପ୍ରତି ଆଗ୍ରହ ଦେଖି ।ମାଗଣାରେ ପାଠପଢିବାର ସବୁ ବନ୍ଦୋବସ୍ତ କରିଦେଲେ। ସରକାରଙ୍କ ତରଫରୁ ସମସ୍ତ ସରକାରୀ ସାହାଯ୍ୟ, ବହିପତ୍ର ତଥା ପୋଷାକ ଇତ୍ୟାଦି ଯୋଗାଇ ଦେବାକୁ କହିଲେ ।
ଗୋପାଳର ମନ ଖୁସି କହିଲେ ନ ସରେ । ସେ ବି ଅନ୍ୟମାନଙ୍କ ଭଳି ପାଠପଢିବାକୁ ସ୍କୁଲ୍ ଯିବ ।କାଲି ଠାରୁ ଆଉ ଜଙ୍ଗଲକୁ ଗାଈ ଚରାଇବାକୁ ଯିବନାହିଁ । ପାଠପଢି ବଡ ହାକିମ ହେବ । ଦେଶର ନାଁ ରଖିବ । ବିପଦ ଆପଦରେ ଲୋକମାନଙ୍କୁ ସାହାଯ୍ୟ କରିବ ।
ସେଇଆ ହିଁ ହେଲା । ଗୋପାଳ ଗାଈପଲ ଛାଡି ବହି ବସ୍ତାନି ଧରି ସ୍କୁଲ ଗଲା । ତା' ବୋଉ ଗୋପାଳ ହାତରେ ବହିବସ୍ତାନି ଦେଖି ଖୁସିରେ ଫାଟି ପଡୁଥିଲା ଓ ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଦେଉଥିଲା ।
ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ।ଦୃଢ ମନୋବଳ ନିକଟରେ ସବୁ ଅସୁବିଧା ହାର ମାନେ । ଭଗବାନ ସେହିମାନଙ୍କୁ ସାହାଯ୍ୟ କରନ୍ତି ଯେଉଁମାନଙ୍କ ପାଖରେ ଭଲ କାମ କରିବାର ସତ୍ ଆଗ୍ରହ ଥାଏ ଓ ଗୋଟିଏ ସୁନ୍ଦର ଇଚ୍ଛା ଶକ୍ତି ଥାଏ ।