Kartik chandra panda

Classics

3  

Kartik chandra panda

Classics

ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ

ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ

5 mins
3


  

ବିଲେ,ବିଲେ, ଆରେ ବାବା, ତୁ କୁଆଡେ ଗଲୁ, ଖୋଜି ଖୋଜି ଥକି ପଡିଲିଣି ବାପ, କେଉଁଠି ଅଛୁ? ଆ ଚାଲିଆ. ଛୁଆ ଟା ସକାଳୁ ଯାଇଛି ଯେ ଯାଇଛି. ଆସିବାର ନାଁ ନାହିଁ. ଖୋଜି ଖୋଜି ନୟାନ୍ତ ହେଲିଣି. ରାତି ଆସି ଘଡିଏ ହେଲାଣି. କେଉଁଠି ଖୋଜିବି. ମାଆ ଭୁବନେଶ୍ୱରୀ ଦେବୀ ବ୍ୟସ୍ତ ବିବ୍ରତ ଭାବରେ ଏଣେ ତେଣେ ଖୋଜି ହେଉଛନ୍ତି. ବିଲେ ବିଲେ ବୋଲି ଡାକ ପକାଉଛନ୍ତି. କିନ୍ତୁ ମାଆ ର ଡାକ ବିଲେ ର କର୍ଣ୍ଣ ରେ ପ୍ରବେଶ କରି ପାରୁନାହିଁ. ସେ କଦଳୀ ବଗିଚାରେ ଚକା ଆସନ ଭିଡି ଯୋଗ କଲା ଭଳି ଭଙ୍ଗୀରେ ବସି ରହିଛି. ଆଜି ସେ ହନୁମାନ କୁ ଦେଖିବ. ମାଆ କହିଛନ୍ତି ହନୁମାନ ଚାରି ଯୁଗରେ ଅମର. ସେ କଦଳୀ ଖାଇବାକୁ ଭଲ ପାଆନ୍ତି. ସେ ନିଶ୍ଚୟ କଦଳୀ ଖାଇବାକୁ ଆସିବ. ଏହି କଥା ଛୋଟ ବାଳକ ବିଲେ ର ମୁଣ୍ଡରେ ଢୁକିଛି. ତେଣୁ ସେ ହନୁମାନ କୁ ଦେଖିବା ପାଇଁ ଏହି କଦଳୀ ବାଡ଼ିରେ ଜଗି ବସିଛି. ଦିନ ଯାଇ ରାତି ହେଲାଣି ତଥାପି ସେ ବସିଛି. କେହି ଜଣେ ବ୍ୟକ୍ତି ସେହି କଦଳୀ ବାଡ଼ିରେ ତାକୁ ଆବିଷ୍କାର କଲା.ତାକୁ ବୁଝେଇ ଶୁଝେଇ ତା ମାଆ ପାଖରେ ପହଞ୍ଚାଇ ଦେଲା.ମାଆ ତାକୁ କୁଣ୍ଢାଇ ଧରିଲେ, ତାଙ୍କ ଆଖିରୁ ଧାର ଧାର ଲୁହ ଗଡି ଚାଲିଲା.।

    ବାଳୁତ ଅବସ୍ଥାରୁ ଏହିପରି ଚିନ୍ତା ଧାରା ଥିବା ଧୀ ଶକ୍ତି ସମ୍ପନ୍ନ ବିଚକ୍ଷଣ ପ୍ରତିଭା ଧାରୀ, ମହାନ ସନ୍ଥ, ସନାତନ ହିନ୍ଦୁ ଧର୍ମ ର ପୃଷ୍ଠପୋଷାକ ମାନବ ବାଦୀ ବ୍ୟକ୍ତିତ୍ୱ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ. ଯାହା ଙ୍କର ପିଲାଦିନର ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ. ତା ପିତା ମାତା ସ୍ନେହରେ ବିଲେ ବୋଲି ଡାକୁଥିଲେ ଏବଂ ସାଙ୍ଗ ସାଥୀ ମାନେ ନରେନ ବୋଲି ଡାକୁଥିଲେ. ଏହି ବାଳକ ନରେନ୍ଦ୍ର ନାଥ ଦତ୍ତ ଙ୍କ ଜନ୍ମ 1863ମସିହା ଜାନୁଆରୀ ମାସ 12ତାରିଖ ରେ କଲିକତା ର ଏକ ଅଖ୍ୟାତ ପଲ୍ଲୀ ରେ ହୋଇଥିଲା. ପିତା ବିଶ୍ୱନାଥ ଦତ୍ତ କଲିକତା ଉଚ୍ଚ ନ୍ୟାୟାଳୟ ର ଜଣେ ଓକିଲ ଏବଂ ମାତା ଭୁବନେଶ୍ୱରୀ ଦେବୀ ଜଣେ ଧର୍ମ ପରାୟଣା ସୁ ଗୃହିଣୀ ଥିଲେ. ମାତାଙ୍କ ଠାରୁ ରାମାୟଣ, ମହାଭାରତ, ଗୀତା ଭାଗବତ ର ବାଣୀ ଶ୍ରବଣ କରି କରି ବାଳକ ନରେନ୍ଦ୍ର ବହୁତ କିଛି ଶିକ୍ଷା ଲାଭ କରି ପାରିଥିଲେ. ପିଲା ଦିନେ ସେ ଜଣେ ମେଧାବୀ ଛାତ୍ର ଥିଲେ. ଯେଉଁ ପାଠ ସେ ଥରେ ଶୁଣୁ ଥିଲେ ବା ପଢୁଥିଲେ ତାହା ସେ ମନେ ରଖି ପାରୁଥିଲେ. ତେଣୁ ସେ ସବୁ ଶିକ୍ଷକ ଙ୍କର ପ୍ରୀୟ ଶିଷ୍ୟ ଥିଲେ.ସେ ମନୁଷ୍ୟର ଦୁଃଖ ଦୁର୍ଦଶା ଦେଖି ସହି ପାରୁ ନଥିଲେ. ତାଙ୍କ ଭିତରେ ମଣିଷ ପଣିଆ ଥିଲା, ଦୟା, କ୍ଷମା, ଉଦାରତା ଆଦି ମହାନ ଗୁଣ ତାଙ୍କ ନିକଟରେ ଦେଖିବାକୁ ମିଳୁଥିଲା. ସେ ଛୁଆଁ ଅଛୁଆଁ ଭେଦଭାବ କୁ ନିନ୍ଦା କରୁଥିଲେ. ତାଙ୍କ ମତରେ ସବୁ ମଣିଷ ସମାନ. ତାହେଲେ ଅସ୍ପୃଶ୍ୟତା କାହିଁକି. କାହିଁକି ମଣିଷ ମଣିଷ କୁ ଘୃଣା କରୁଛି. ସମାଜରେ ଏହି ପ୍ରକାର କୁସଂସ୍କାର କୁ ଦେଖି ତାଙ୍କ ମନ ବ୍ୟଥିତ ହେଉଥିଲା. ଈଶ୍ୱର ଙ୍କୁ କିଏ ଦେଖିଛି, ତାଙ୍କ ସ୍ୱରୂପ କଣ? ଏହି ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା. ସେ ସମସ୍ତଙ୍କୁ ପ୍ରଶ୍ନ କରୁଥିଲେ କିଏ ଈଶ୍ୱରଙ୍କୁ ଦେଖିଛି, ମାତ୍ର ତାଙ୍କୁ ନିରାଶ ହେବାକୁ ପଡୁଥିଲା. ସୁଯୋଗ ବଶତଃ ତାଙ୍କର ସାକ୍ଷାତ ହେଲା ଜଣେ ଦିବ୍ୟ ଦ୍ରଷ୍ଟା, ଆଧ୍ୟାତ୍ମିକ ବାଦୀ ସନ୍ଥ ରାମକୃଷ୍ଣ ପରମ ହଂସ ଙ୍କ ସହ. ତାଙ୍କ ଠାରୁ ଜୀବନର ପ୍ରକୃତ ମୂଲ୍ୟ ବୁଝି ତାଙ୍କ ଆଧ୍ୟାତ୍ମିକ ଚେତନା ରେ ଉଦବୁଦ୍ଧ ହୋଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ. ଗୁରୁ ଙ୍କର ମୃତ୍ୟୁ ପରେ ତାଙ୍କ ଆଶ୍ରମ ର ଦାୟିତ୍ୱ ତୁଲାଇଲେ. ସେତେବେଳେ ଇଂରେଜ ସରକାର ଙ୍କ ଦ୍ୱାରା ଲୋକ ମାନେ ନାନାଦି ନିର୍ଯ୍ୟାତନା ସହି ଦୁଃଖ କଷ୍ଟରେ ରହୁଥିଲେ. ମଣିଷର ଦୁରାବସ୍ଥା ତାଙ୍କୁ ବ୍ୟଥିତ କରୁଥିଲା. ଲୋକ ଙ୍କ ସମସ୍ୟା ବୁଝିବା ପାଇଁ ସେ ସମଗ୍ର ଭାରତ ଭ୍ରମଣ ରେ ବାହାରିଲେ. ବାରଣାସୀ, କାଶୀ, ବୃନ୍ଦାବନ, ମଥୁରା ଆଦି ଭ୍ରମଣ କରି ଦକ୍ଷିଣ ଭାରତ ଅଭିମୁଖେ ଅଗ୍ରସର ହେଲେ. ତିରୁପତି, ମହୀଶୂର, ରାମେଶ୍ୱରମ ଓ କନ୍ୟାକୁମାରୀ ସ୍ଥାନ ଭ୍ରମଣ କରି ତିନି ସମୁଦ୍ର ଭାରତ ମହାସାଗର, ଆରବ ସାଗର, ଓ ବଙ୍ଗୋପ ସାଗର ର ମିଳନ ସ୍ଥଳ ରେ ସମୁଦ୍ର ମଧ୍ୟସ୍ଥ ଏକ ଶିଳା ଉପରେ ଉପଵେଶନ କରି ଯୋଗ ମୁଦ୍ରାରେ ବସିଲେ ଓ ସେଠାରେ ଦିବ୍ୟ ଜ୍ଞାନ ପ୍ରାପ୍ତ ହେଲେ.

    ସେତେବେଳେ ଆମେରିକା ର ଚି଼କାଗୋ ସହରରେ ବିଶ୍ୱ ଧର୍ମ ସମ୍ମିଳନୀ ଆୟୋଜନ ହୋଇଥିଲା. ସବୁ ଧର୍ମର ପ୍ରତିନିଧି ମାନେ ଯୋଗ ଦେଇ ନିଜ ନିଜ ର ଧର୍ମ ସମ୍ବନ୍ଧରେ ମତାମତ ରଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା. ତେଣୁ ଭାରତ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଙ୍କୁ ସନାତନ ହିନ୍ଦୁ ର ପ୍ରତିନିଧି ରୂପେ ଯୋଗ ଦେବାକୁ ସୁଯୋଗ ମିଳିଲା. ଜଳପଥରେ ସେ ଆମେରିକା ଅଭିମୁଖେ ଯାତ୍ରା କଲେ. ଯାତ୍ରା ସମୟରେ ଜଣେ ଆମେରିକୀୟ ଙ୍କ ସହ ଭେଟ ହେଲା ଓ ତାଙ୍କ ସହାୟତାରେ ସେ ଚି଼କାଗୋ ଧର୍ମ ସମ୍ମିଳନୀ ରେ ଯୋଗ ଦେଲେ. ସମ୍ମିଳନୀ ଆରମ୍ଭ ହେଲା. ବିଭିନ୍ନ ଧର୍ମ ର ପ୍ରତିନିଧି ମାନେ ନିଜ ଧର୍ମ ସପକ୍ଷରେ ବ୍ୟକ୍ତବ୍ୟ ରଖିଲେ. ସବା ଶେଷରେ ବିବେକାନନ୍ଦ ଙ୍କୁ ସୁଯୋଗ ମିଳିଲା, କାରଣ ସେ ଗେରୁଆ ବସ୍ତ୍ର ପରିଧାନ କରି ଅତି ସାଧାରଣ ବ୍ୟକ୍ତି ଭାବେ ବସି ରହିଥିଲେ. ଅନ୍ୟ ମାନଙ୍କର ଚାକଚକ୍ୟ ପୋଷାକ ଥିବାରୁ ପ୍ରଥମେ ସୁଯୋଗ ମିଳିଥିଲା. ମାତ୍ର ଦୁଇ ମିନିଟ ପାଇଁ ଭାଷଣ ଦେବାକୁ ବିବେକାନନ୍ଦ ଙ୍କୁ ସୁଯୋଗ ମିଳିଲା. ତାଙ୍କ ଭାଷଣ ଆରମ୍ଭ ରେ ସେ ସମ୍ବୋଧନ କଲେ ଆମେରିକାବାସୀ ମୋର ପ୍ରୀୟ ଭାଇ ଓ ଭଉଣୀ. ବିବେକାନନ୍ଦ ଙ୍କ ଏହି ସମ୍ବୋଧନ ରେ ଉପସ୍ଥିତ ସଭା ସଦ ବର୍ଗ କର ତାଳି ରେ କମ୍ପାଇ ଦେଇଥିଲେ. ବିବେକାନନ୍ଦ ଙ୍କ ତେଜସ୍ୱିନୀ ଭାଷଣ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା. ତାଙ୍କ ଭାଷଣ ମାଧ୍ୟମରେ ବିଶ୍ୱ ଭାତୃତ୍ୱ ର ବାଣୀ ଶୁଣାଇ ଥିଲେ. ସମଗ୍ର ବିଶ୍ୱ ଗୋଟିଏ ପରିବାର ଓ ଆମେ ସମସ୍ତେ ଭାଇ ଭଉଣୀ. ପରସ୍ପର ମଧ୍ୟରେ ମିତ୍ରତା ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ. ବିବେକାନନ୍ଦ ଙ୍କ ଏହି ବାଣୀ ସମଗ୍ର ବିଶ୍ୱ ବାସୀଙ୍କ ମନରେ ଭାତୃତ୍ୱ ଭାବ ଉଦ୍ରେକ କରିବାରେ ସମର୍ଥ ହୋଇଥିଲା. ଆମେରିକା ର ସବୁ ଖବର କାଗଜରେ ବିବେକାନନ୍ଦ ଙ୍କ ଭୁରିଭୁରି ପ୍ରଶଂସା କରି ଲେଖା ପ୍ରକାଶ ପାଇଲା. ଭରତର ଜଣେ ଗୈରିକ ପୋଷାକ ଧାରୀ ସନ୍ଥ ଙ୍କ ପାଣ୍ଡିତ୍ୟ ସାରା ବିଶ୍ୱରେ ପ୍ରଚାରିତ ହେଲା. ଅନେକ ନର ନାରୀ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରି ଧାଇଁ ଆସିଲେ. ଆମେରିକାର ଜଣେ ସୁନ୍ଦରୀ ତରୁଣୀ ମାର୍ଗାରେଟ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ. ମାତ୍ର ଆଜୀବନ ବ୍ରାହ୍ମଚାରୀ ରହିବାର ଶପଥ ନେଇଥିବା ସ୍ୱାମୀ ବିବେକାନନ୍ଦ ତାଙ୍କ ପ୍ରସ୍ତାବ କୁ ଅଗ୍ରାଜ୍ୟ କରି ଥିଲେ. ମାତ୍ର ମାର୍ଗାରେଟ ତାଙ୍କ ସହ ରହିବା ପାଇଁ ଏକାନ୍ତ ଜିଦ୍ଧି କରିବାରୁ ସ୍ୱାମୀଜୀ ତାଙ୍କୁ କହିଥିଲେ, ତୁମେ ମୋର ମାଆ ଭାବରେ ମୋ ପାଖରେ ରହି ପାରିବ. ମାର୍ଗାରେଟ ରାଜି ହୋଇ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରି ତାଙ୍କ ପାଖରେ ରହିଲେ ପରବର୍ତ୍ତୀ ସମୟରେ ସେ ସିଷ୍ଟର ନିବେଦିତା ଭାବରେ ପରିଚିତ ହୋଇ ମାନବ ସେବାରେ ନିଜକୁ ନିୟୋଜିତ କରିଥିଲେ. ଏହାପରେ ତାଙ୍କୁ ଇଂରେଜ, ଫ୍ରାନ୍ସ ଆଦି ଦେଶରୁ ନିମନ୍ତ୍ରଣ ଆସିଲା. ନିମନ୍ତ୍ରଣ ରକ୍ଷାକରି ସେ ସେହି ସବୁ ଦେଶ ଭ୍ରମଣ କରି ସନାତନ ହିନ୍ଦୁ ଧର୍ମର ମୂଳ ତତ୍ୱ ବିଶ୍ୱ ଭାତୃତ୍ୱ ର ବାଣୀ ଶୁଣାଇ ଥିଲେ. ନିଜର ଜ୍ଞାନ, ପାଣ୍ଡିତ୍ୟ ବଳରେ ସମଗ୍ର କୁ ଜୟ କରି ଥିବାରୁ ତାଙ୍କୁ ବିଶ୍ଵବିଜୟୀ ସ୍ୱାମୀ ବିବେକାନନ୍ଦ ଭାବରେ ମାନ୍ୟତା ମିଳିଲା. ଏହା ପରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ଗୁରୁ ରାମକୃଷ୍ଣ ଙ୍କ ସମ୍ମାନାର୍ଥେ ରାମକୃଷ୍ଣ ମିଶନ ଗଠନ କଲେ. ଅନେକ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ. ସ୍ୱାମୀ ବିବେକାନନ୍ଦ ବେଶି ଦିନ ବଞ୍ଚି ନଥିଲେ.ମାତ୍ର 39ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ. ତାଙ୍କ ମୃତ୍ୟୁରେ ସାରା ବିଶ୍ୱ ଜଣେ ତ୍ୟାଗୀ, ସନ୍ଥ, ଯୁଗ ପୁରୁଷ, ମହାନ ବ୍ୟକ୍ତିତ୍ୱ କୁ ହରାଇଲା. ଯୁବ ସମାଜ କୁ ସେ ଯେଉଁ ଦିଗଦର୍ଶନ ଦେଇଥିଲେ, ଉଠ, ଜାଗ, ନିଜର କର୍ତ୍ତବ୍ୟ କରିଚାଲ, ଲକ୍ଷ୍ୟ ପ୍ରାପ୍ତି ନହେବା ଯାଏ ତିଳେ ପଛକୁ ହଟନି. ଲକ୍ଷ୍ୟ କୁ ସ୍ଥିର ରଖି କର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ ତାହା ନିଶ୍ଚିତ ସଫଳ ହେବ ତାହା ଆଜି ବି ଯୁବ ସମାଜ କୁ ଉଦବୁଦ୍ଧ କରୁଛି. ସେଥିପାଇଁ ତାଙ୍କ ଜନ୍ମ ଦିବସ କୁ ସାରା ଦେଶରେ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି. ସେହି କାଳଜୟୀ, ଯୁଗ ଜନ୍ମା, ବିଚକ୍ଷଣ ଜ୍ଞାନୀ, ଯୋଗୀ ବିଶ୍ଵବିଜୟୀ ବିବେକାନନ୍ଦ ଆଜି ନାହାନ୍ତି ସତ ମାତ୍ର ତାଙ୍କର ବିଶ୍ୱ ଭାତୃତ୍ୱ ର ବାର୍ତ୍ତା ଆଜି ବି ସମସ୍ତଙ୍କ ହୃଦୟରେ ସ୍ପନ୍ଦିତ ହେଉଛି. ସମସ୍ତଙ୍କ ହୃଦୟରେ ସେ ଚୀର ଅମର ହୋଇ ରହିଛନ୍ତି.।


Rate this content
Log in

Similar oriya story from Classics