STORYMIRROR

Narendra Prasad Behera

Classics Others

3  

Narendra Prasad Behera

Classics Others

ବିନତା କଦ୍ରୁଙ୍କ ପାଖରେ ଦାସୀପଣ କଲ

ବିନତା କଦ୍ରୁଙ୍କ ପାଖରେ ଦାସୀପଣ କଲ

4 mins
476


    ମହର୍ଷି କଶ୍ଯପଙ୍କ ପତ୍ନୀ କଦ୍ରୁଙ୍କ ଗର୍ଭରୁ ନାଗମାନେ ଜନ୍ମଲାଭ କରିଥିଲେ । କିନ୍ତୁ ମହର୍ଷି କଶ୍ଯପଙ୍କ ପତ୍ନୀ ବିନତାଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ । ଏଥିପାଇଁ ବିନତାଙ୍କ ମନରେ ଭାରି କଷ୍ଟ ଥିଲା । ଏହାଜାଣି ବିନତାଙ୍କ ପ୍ରତି କଶ୍ଯପ ଦୟାପରବଶ ହେଲେ । ମହର୍ଷି କଶ୍ଯପଙ୍କ ପ୍ରସାଦରୁ ବିନତା ଦୁଇଟି ଅଣ୍ଡାମାତ୍ର ଲାଭ କରିଥିଲେ । ମହର୍ଷି କଶ୍ଯପ ବିନତାଙ୍କୁ ଆଶ୍ବାସନା ଦେଇ କହିଥିଲେ ଯଥାସମୟରେ ଏହି ଦୁଇଟି ଅଣ୍ଡା ଫୁଟି ଦୁଇଟି ଶିଶୁପୁତ୍ର ବାହାରିବେ । 

    ଵହୁ ଦିନ ବିତିଗଲା ହେଲେ କୌଣସି ଗୋଟିଏ ହେଲେ ଅଣ୍ଡା ଫୁଟିଲା ନାହିଁ । ମହର୍ଷି କଶ୍ଯପଙ୍କ ପାଖରେ ବିନତା ଏଥିପାଇଁ ବଡ ଅଶାନ୍ତି ପ୍ରକାଶ କଲେ । ଧୈର୍ଯ୍ୟର ସହିତ ଅପେକ୍ଷା କର ବିନତା । ଯଥା ସମୟରେ ଅଣ୍ଡାଫୁଟି ଶିଶୁପୁତ୍ର ଜନ୍ମଲାଭ କରିବେ । ଏହାକହି କଶ୍ଯପ ତୀର୍ଥଭ୍ରମଣରେ ଚାଲିଗଲେ । 

   ବିନତା ଆହୁରି ଅନେକ ଦିନ ଅପେକ୍ଷାକଲେ । କିନ୍ତୁ ଅଣ୍ଡା ଫୁଟିଲା ନାହିଁ କି ଶିଶୁପୁତ୍ର ଜନ୍ମିଲା ନାହିଁ । ଏଥିରେ ଦିନେ ରାଗିଯାଇ ବିନତା ଗୋଟିଏ ଅଣ୍ଡାକୁ ଉଠେଇ ଦୂରକୁ ଫିଙ୍ଗିଦେଲେ । ଦୂରରେ ଅଣ୍ଡା ପଡି ଫାଟିଯିବା ସଙ୍ଗେ ସଙ୍ଗେ ସେଥିରୁ ଗୋଟିଏ ଅପୂର୍ଣ୍ଣ ଶିଶୁ ବାହାରିପଡ଼ି ବିନତାଙ୍କୁ କହିଲେ -ମା ମା,କ'ଣ କଲୁ ତୁ ? ଅକାଳରେ ଅଣ୍ଡାଟିକୁ ଭାଙ୍ଗି ଦେଲୁ ? ମୁଁ ତୋର ସେହି ନିକ୍ଷିପ୍ତ ଅଣ୍ଡା ଭିତରୁ ବାହାରି ପଡ଼ିଥିବା ପୁତ୍ର । ହେଇ ଦେଖ୍ । ତୋର ଅଧୈର୍ଯ୍ଯତା ଫଳରେ ମୋର ଶରୀର କିପରି ଅପୂର୍ଣ୍ଣ ହୋଇଛି । ଏହାକହି ସେହି ପୁତ୍ର ସେହି ସ୍ଥାନ ପରିତ୍ଯାଗ କରି ଦୂରକୁ ଦୂରକୁ ଚାଲିଯିବାରେ ଲାଗିଲେ । ବିନତା ବ୍ଯାକୁଳ ହୋଇ ଡାକିବାରେ ଲାଗିଲେ -ପୁଅ,ତୁ ଫେରିଆ ମୋ କୋଳକୁ । ଫେରିଆ,ଫେରିଆ ।

    ବିନତା ଯେତେ ଡାକ ପକେଇଲେ ସେହି ଅପୂର୍ଣ୍ଣ ପୁତ୍ର ଆଉ ଫେରିଲେ ନାହିଁ ବିନତା କୋଳକୁ । ଏପରି ମା ପାଖରେ ରହିବାକୁ ସେ ଉଚିତ ମନେ କଲେନାହିଁ ।ବିନତାଙ୍କର ସେହି ଅପୂର୍ଣ୍ଣ ହେଉଛନ୍ତି ଅରୁଣ । ପରେ ସେ ସୂର୍ଯ୍ୟଙ୍କ ପାଖରେ ସୂର୍ଯ୍ୟଙ୍କ ରଥର ସାରଥି ହୋଇ ରହିଲେ । କଶ୍ଯପ ତୀର୍ଥାଟନରୁ ଫେରି ଏସବୁ କଥା ଜାଣି ବିନତାଙ୍କ ଉପରେ ଖୁବ ବିରକ୍ତି ହେଲେ । ବିନତାଙ୍କ ଘୋର ଅନୁତାପ ଦେଖି କଶ୍ଯପ ତାଙ୍କୁ କହିଲେ -ବିନତା ,ଦ୍ବିତୀୟ ଅଣ୍ଡା ବିଷୟରେ ଏଣିକି ଆଉ ଅଧୈର୍ଯ୍ଯ ହେବନାହିଁ । ଧୈର୍ଯ୍ୟର ସହିତ ଅପେକ୍ଷା କରିବ । ଯଥାସମୟରେ ତୁମ୍ଭର ଏହି ଅଣ୍ଡାରୁ ଜାତ ପୁତ୍ର ଲାଭ ହେବ । ଏହାକହି କଶ୍ଯପ ତପସ୍ଯା କରିବାକୁ ଅନ୍ଯତ୍ର ଚାଲିଗଲେ । ନାଗମାତା କଦ୍ରୁ ଓ ସନ୍ତାନ ନ ଥିବା ବିନତା ପରସ୍ପରର ସଉତୁଣୀ ହୋଇଥିବାରୁ ଉଭୟେ ଅନେକ ସମୟରେ ଏକାଠି ବସି ପରସ୍ପର କଥାବାର୍ତ୍ତା ହୁଅନ୍ତି । ଦିନେ ସନ୍ଧ୍ୟା ହେବାକୁ କିଛି ସମୟ ବାକିଥାଏ । କଦ୍ରୁ ଓ ବିନତା ଦୁହେଁ ବାହାର ପିଣ୍ଡାରେ ବସି କଥାବାର୍ତ୍ତା ହେଉଥାନ୍ତି । ଏହି ସମୟରେ ସନ୍ଧ୍ୟା ଆସିଗଲା । ରାତ୍ରିର ଅନ୍ଧକାର ଆଗତ ପ୍ରାୟ । ଠିକ୍ ସେତିକିବେଳକୁ ଇନ୍ଦ୍ରଙ୍କର ଉଚ୍ଚୈଶ୍ରବା ଘୋଡା ଆସି ଦୂରରେ ଚରିବାକୁ ଲାଗିଲା । ଦୂରରୁ ଉଚ୍ଚୈଶ୍ରବା ଘୋଡାକୁ ଦେଖି କଦ୍ରୁ କହିଲେ ଉଚ୍ଚୈଶ୍ରବା ଘୋଡାର ରଙ୍ଗ କଳା । ଏହାଶୁଣି ବିନତା କହିଲେ ମୋର ମନେହେଉଛି ତୁମେ ଭୁଲ ଦେଖୁଛ । ପ୍ରକୃତରେ ଉଚ୍ଚୈଶ୍ରବା ଘୋଡାର ରଙ୍ଗ ଧଳା । 

   ଉଚ୍ଚୈଶ୍ରବା ଘୋଡାର ରଙ୍ଗ କଳା କି ଧଳା ଏବିଷୟରେ ଉଭୟଙ୍କ ମଧ୍ଯରେ କିଛି ସମୟ କଥା କଟାକଟି ଚାଲିଲା । କଦ୍ରୁ ଜିଦ୍ ଧରି କହିଲେ ଉଚ୍ଚୈଶ୍ରବା ଘୋଡାର ରଙ୍ଗ କେବେ ହେଲେ ଧଳା ନୁହେଁ । ଉଚ୍ଚୈଶ୍ରବା ଘୋଡାର ରଙ୍ଗ କଳା । ବିନତା ମଧ୍ଯ ଜିଦି କରି କହିଲେ ଉଚ୍ଚୈଶ୍ରବା ଘୋଡାର ରଙ୍ଗ କଳା ନୁହେଁ ଧଳା । ଦୁହିଁଙ୍କ ଭିତରେ ଏବିଷୟରେ ଭାରି ଜିଦାଜିଦି ଲାଗିଲା । ଏହିପରି ଜିଦି ଓ ଯୁକ୍ତିତର୍କ ଫଳରେ ଉଭୟଙ୍କ ମଧ୍ୟରେ ପରସ୍ପର ପ୍ରତି କ୍ରୋଧ ଜାତ ହେଲା । ଶେଷରେ ଉଭୟଙ୍କ ମଧ୍ଯରେ ବାଜି ରହିଲା କଦ୍ରୁଙ୍କ କଥା ଭୁଲ ବୋଲି ପ୍ରମାଣିତ ହେଲେ ବିନତାଙ୍କ ପାଖରେ କଦ୍ରୁ ଜୀବନସାରା ଦାସୀ ହୋଇ ରହିବେ । ବିନତାଙ୍କ କଥା ଭୁଲ୍ ବୋଲି ପ୍ରମାଣିତ ହେଲେ କଦ୍ରୁଙ୍କ ପାଖରେ ବିନତା ଜୀବନସାରା ଦାସୀ ହୋଇ ରହିବେ । ଏହିଭଳି ସତ୍ଯ କରି ଉଭୟେ ଯେ ଯାହାର ପୁରକୁ ଗମନ କଲେ । 

   ରାତି ହେବାରୁ ନାଗମାନେ ଅରଣ୍ଯ ଭ୍ରମଣରୁ ଫେରି ଜନନୀ କଦ୍ରୁଙ୍କ ପାଖରେ ପହଞ୍ଚିଲେ । କଦ୍ରୁ ସେମାନଙ୍କୁ ପଚାରିଲେ ଇନ୍ଦ୍ରଙ୍କ ଉଚ୍ଚୈଶ୍ରବା ଘୋଡାର ରଙ୍ଗ କ'ଣ ? ନାଗମାନେ ଉତ୍ତରଦେଲେ ଇନ୍ଦ୍ରଙ୍କ ଉଚ୍ଚୈଶ୍ରବା ଘୋଡାର ରଙ୍ଗ ଧଳା । ଏହା ଆମେ ଦେଖିଛୁ ଓ ଠିକ୍ ଭାବରେ ଜାଣିଛୁ । ତହୁଁ କଦ୍ରୁ ନିଜର ନାଗପୁତ୍ରମାନଙ୍କୁ ଗତ ସନ୍ଧ୍ୟାବେଳର ଘଟଣା ଓ ବିନତାଙ୍କ ସହିତ ତାଙ୍କର ବାଜି ମରାମରି ଓ ସତ୍ଯ କରାକରି କଥା କହିଲେ । ଏହାଶୁଣି ନାଗମାନେ ବଡ ଦୁଃଖିତ ହେଲେ । ତହୁଁ ନିଜର ନାଗପୁତ୍ରମାନଙ୍କୁ କଦ୍ରୁ କହିଲେ ହେ ମୋର ସୁଯୋଗ୍ଯ ପୁତ୍ରଗଣ,ତୁମ୍ଭମାନଙ୍କ ଭଳି ପୁତ୍ରମାନଙ୍କର ଜନନୀ ହୋଇ ମୁଁ ବିନତା ପାଖରେ ଦାସୀପଣ କରିବି ? ଯେକୌଣସି ପରିସ୍ଥିତିରେ ବି ବିନତା ପାଖରେ ମୁଁ ଦାସୀପଣ କରିବାକୁ ଚାହେଁ ନାହିଁ । ତୁମ୍ଭମାନେ ଏହି ରାତ୍ରରେ ଯାଇ ତୁମ୍ଭମାନଙ୍କ ବିଷାକ୍ତ ନିଃଶ୍ବାସ ପ୍ରୟୋଗ କରି ଧଳା ଉଚ୍ଚୈଶ୍ରବା ଘୋଡାକୁ କଳା କରିଦିଅ । ତାହେଲେ ମୋ କଥା ଠିକ୍ ଵୋଲି ପ୍ରମାଣିତ ହେବ ଓ ବିନତା ମୋ ପାଖରେ ଦାସୀ ହୋଇ ରହିବ । 

  ନାଗମାନେ କଦ୍ରୁଙ୍କୁ କହିଲେ ମା, ଏ ଘୋର ଅନ୍ଯାୟ ଆମେ କରିପାରିବୁ ନାହିଁ । ଆମ୍ଭମାନଙ୍କୁ କ୍ଷମା ଦିଅ । ବିନା ଦୋଷରେ ମାଆ ବିନତା ଦାସୀପଣ କରିବେ ? ଏହା ଘୋର ଅନ୍ଯାୟ । ଆମେ ଏ ଅନ୍ଯାୟରେ ଭାଗି ହେବୁ ନାହିଁ । ପୁତ୍ରମାନଙ୍କର ଏଭଳି ଉକ୍ତି ଶୁଣି ଜନନୀ କଦ୍ରୁ ସେମାନଙ୍କ ଉପରେ ରାଗିଗଲେ ଓ ସେମାନଙ୍କୁ ଅଭିଶାପ ଦେବା ପାଇଁ ବାହାରିଲେ । ଅଭିଶାପ କଥା ଶୁଣି ନାଗମାନେ ଡରିଗଲେ ଓ ଜନନୀ କଦ୍ରୁଙ୍କ କଥାରେ ରାଜି ହୋଇ ସଙ୍ଗେ ସଙ୍ଗେ ଉଚ୍ଚୈଶ୍ରବା ଘୋଡା ପାଖକୁ ଧାଇଁଲେ । ସେଠାରେ ପହଞ୍ଚି ଉଚ୍ଚୈଶ୍ରବା ଘୋଡା ଉପରକୁ ନିଜର ବିଷାକ୍ତ ନିଃଶ୍ବାସକୁ ପ୍ରଖର ଭାବରେ ଛାଡିଲେ । ଫଳରେ ଉଚ୍ଚୈଶ୍ରବା ଘୋଡାର ଧଳାରଙ୍ଗ କଳା ହୋଇଗଲା । ନାଗମାନେ ଘରକୁ ଫେରିଆସି କଦ୍ରୁଙ୍କୁ ଏହି କଥା ଜଣାଇଦେଲେ । 

  ତା' ପରଦିନ ସନ୍ଧ୍ୟା ପୂର୍ବରୁ କଦ୍ରୁ ଓ ବନିତା ଦାଣ୍ଡ ବାରଣ୍ଡା ଉପରେ ଛିଡାହୋଇ ଉଚ୍ଚୈଶ୍ରବା ଘୋଡାକୁ ଅପେକ୍ଷା କରି ରହିଲେ । କିଛି ସମୟ ପରେ ଉଚ୍ଚୈଶ୍ରବା ଘୋଡା ଚରିବାକୁ ଆସିଲା । ଏଥର ସେମାନେ ଦୂରରୁ ଉଚ୍ଚୈଶ୍ରବା ଘୋଡାକୁ ସ୍ପଷ୍ଟ ଭାବରେ ଦେଖିପାରୁ ଥିଲେ । ବିନତା ଦେଖିଲେ ଯେ ଉଚ୍ଚୈଶ୍ରବା ଘୋଡାର ରଙ୍ଗ କଳା । ଆଉ ଉପାୟ ନାହିଁ । ବିନତା ନିଜର ସତ୍ଯ ରକ୍ଷାକରି କଦ୍ରୁଙ୍କ ପାଖରେ ଯାବଜ୍ଜୀବନ ଦାସୀ ହୋଇ ରହିଲେ । କଦ୍ରୁ ଥିଲେ ବଡ ଉଗ୍ର ପ୍ରକୃତିର ରମଣୀ । ବିନତାଙ୍କ ପ୍ରତି ତାଙ୍କର ବ୍ୟବହାର ଥିଲା ବଡ କର୍କଶ । ବିନତା ନିଜ ଭାଗ୍ଯକୁ ଆଦରି ସଉତୁଣୀ କଦ୍ରୁଙ୍କ ପାଖରେ ଦାସୀପଣ କରିବାକୁ ଆରମ୍ଭ କଲେ । ଏହି ଦାସୀପଣ କରିବା କାଳରେ ଦିନେ ବିନତାଙ୍କର ଦ୍ବିତୀୟ ଅଣ୍ଡାଟି ଫୁଟି ସେଥିରୁ ଗୋଟିଏ ଶିଶୁପୁତ୍ର ଜାତ ହେଲା । ଶିଶୁପୁତ୍ରଟି ଥିଲା ବଡ ବିସ୍ମୟକର ଭାବରେ ହୃଷ୍ଟପୁଷ୍ଟ ଓ ସ୍ବାସ୍ଥ୍ୟବାନ୍ ।



Rate this content
Log in

Similar oriya story from Classics