Santanu Bisoi

Abstract

5.0  

Santanu Bisoi

Abstract

ବଇଁଶୀ ବୋଉ।

ବଇଁଶୀ ବୋଉ।

3 mins
101


ଘରୁ ଗୋଟିଏ ଖାଲି କଳା ରସ କାଖରେ କାଖେଇ କିଛି ବାସି ଲୁଗାପଟା ଧରି ବାହାରି ପଡେ ବଇଁଶୀ ବୋଉ। ଯେମିତି ଦାଣ୍ଡରେ ପାଦ ରଖେ ଆରମ୍ଭ କରିଦିଏ ଗାଳି ଗୁଲଜ। ଏଇ ରାଣ୍ଡର ପିଲାଏ ଗାଧୋଇ ପାଧୋଇ ଦେବେନି, ମରୁନରେ ଯୋଗିନୀ ଖିଏ.. ତମ ମାନଙ୍କୁ ବାଘ ଖାଉନି, ସାପ ଖାଉନି... ରଇ ସୁଏ, ଯେତେ କାଟିଲେ ବାଛିଲେ ତମ ଦିହରେ ଗଲୁନି, ଦିହରେ ପଶୁନି? ତମ ମାଆ ମାନେ କେମିତି ଜନମ ଦେଇ ଥିଲେ ରେ ବୁଢ଼ୀ ମା' ଖିଏ.. ଆହୁରି କଦର୍ଯ୍ୟ ଗାଳି ସାଙ୍ଗକୁ ଦାଣ୍ଡରୁ ବାଲି ଗୋଟେଇ ରସ ଭିତରେ ଭରି ରଖେ।


ସାହି ଭିତରେ କୋଉ ସ୍ତ୍ରୀଲୋକ ର ଦମ୍ଭ ନାହିଁ ଯେ ସେ ଏମିତି ଗାଳି ଦେବାରୁ ବଇଁଶୀ ବୋଉକୁ କ୍ଷାନ୍ତ କରାଇ ପାରିବ। ଯାହାକୁ ଶନି ଦଶା ଯୋଗ ଥିବ ସେ ବଇଁଶୀ ବୋଉକୁ ସାମ୍ନା କରିବାକୁ ଯିବ। ଜଟିଆ ମା' ଦିନେ ପଚାରି ଥିଲା, କାହାକୁ ଏତେ ଗାଳି ଦେଉଛ ହେ ବଇଁଶୀ ବୋଉ.. ବାସ, ସେତିକିରେ ଆଉ ଜଟିଆ ମାଆକୁ କେବେ ବଇଁଶୀ ବୋଉ ଆଗରେ ମୁହଁ ଖୋଲିବାକୁ ପଡିନି। ଜଟିଆ ମା ଦୁଆରେ ବସି ବସି ହାତକୁ ହଲେଇ, ମୁହଁକୁ ଝାଡ଼ି, ବିଭିନ୍ନ ଢଗ ଢ଼ଗାଳି ଜରିଆରେ ଦୁଇ ଘଣ୍ଟା ଏମିତି ପୁଜିଲା ଯେ, ଖଣ୍ଡେ ଦୂରରୁ ଦେଖିଲେ ଜଟିଆ ମାଆ ବଇଁଶୀ ବୋଉକୁ ଦେଖି ଲୁଚିଯାଏ। ତା ପରଠାରୁ ବଇଁଶୀ ବୋଉ ହେଇଗଲା ଆମ ଗାଁ ର ସବୁଠାରୁ ଶକ୍ତିଶାଳୀ ସ୍ତ୍ରୀ ଲୋକ। ଗାଁ ମାଇପେ ଛାଡ଼, ଗର୍ଭିଣୀ ଗାଈ ମଧ୍ୟ ବଇଁଶୀ ବୋଉକୁ ଖାତିରି କରିବା ଆରମ୍ଭ କରିଦେଲା। କେବଳ ମୁଁ ଆଉ ମୋର ତିନି ଚାରିଜଣ ଅନ୍ତରଙ୍ଗ ସାଙ୍ଗଙ୍କୁ ଛାଡିକି।


ଅବଶ୍ୟ ମୁଁ କହିବା ଭୁଲି ଯାଇଛି ଯେ, ବଇଁଶୀ ବୋଉ ଦାଣ୍ଡରୁ ଭର୍ତ୍ତି କରୁଥିବା ବାଲି, ମାଟି ଗୋଡି ସବୁ ଆମ ଉଦ୍ଦେଶ୍ୟରେ ଥିଲା। ତା ଆଗରେ ଆମେ ତୁଠରେ ପଶି ଗାଧୋଇଲେ ସେ ଏହି କ୍ଷେପଣାସ୍ତ୍ର ଗୁଡିକର ସଦ୍ ବ୍ୟବହାର କରିଥାଏ। ଗାଳି ରୂପକ ରଣଦୁନ୍ଦୁଭି,ତୁର୍ଯ୍ୟନାଦ, ଯୁଦ୍ଧମ୍'ଦେହୀ ଡାକରା ସବୁ ଆମରି ଉଦ୍ଦେଶ୍ୟରେ।

 ଆମ ଗାଁ ର ବାଲିସାହି ଓ ବଡ଼ ସାହି ସହିତ ମୁଖ୍ୟ ପୋଖରୀଟି ଇଂରାଜୀର ଜେଡ଼ ଅକ୍ଷର ଭଳି ସ୍ଥିତିରେ ଅବସ୍ଥିତି ଥିଲା। ଆମ ସାହିର ଶେଷ ମୁଣ୍ଡରେ ବଇଁଶୀ ବୋଉର ଘର। ସେ ସେହିଠାରୁ ଗାଳି ଆରମ୍ଭ କରି କରି ଆସେ, ତା ପାଟି ଶୁଭିଲେ ସମସ୍ତେ ଜାଣନ୍ତି ବଇଁଶୀ ବୋଉ ଗାଧେଇବା ପାଇଁ ବାହାରିଲା। ଘରୁ କଳ କୌଶଳ କ୍ରମେ ଆମେ ତିନି ଚାରିଜଣ ସାଙ୍ଗ ବାହାରି ଆସୁ। ତାରି ଆଗରେ ବିକୃତ ଅଭିନୟ କରି ଦଉଡ଼ିବା ଆରମ୍ଭ କରୁ। ବଇଁଶୀ ବୋଉ ଆମକୁ ଦେଖି ରସ ଭିତରେ ରଖିଥିବା ବାଲି, ମାଟି, ମୁଠା ମୁଠା ଛାଡେ। ଗାଳି ଦେବାର ତୀବ୍ରତା ବଢି ଯାଏ। କଣ୍ଠ ଅଧିକରୁ ଅଧିକ ରୁକ୍ଷ କରେ। କିନ୍ତୁ କେବେ ବି ତଡି ନେଇ ଧରି ପାରେନା। ତା ଆଗରେ ଯାଇ ପୋଖରୀ ଭିତରକୁ ଜଣକ ପରେ ଜଣେ ଫକ୍ ଫାକ୍ ଡେଉଁ। ପାଣି ଗୋଳିଆ କରିଦେଉ। ବଇଁଶୀ ବୋଉ ବେକେ ପାଣି ପର୍ଯ୍ୟନ୍ତ ଯାଇ ଆମକୁ ପଙ୍କ କାଢି ଫୋପାଡେ। ଆମେ ପହଁରି ପହଁରି ପୋଖରୀର ଅନ୍ୟ ପାର୍ଶ୍ଵରେ, ଅନ୍ୟ ତୋଠାରେ ବାହାରି ସିଧା ଘରକୁ ଛୁ..।


ଘରେ ପୁଣି ସ୍ୱତନ୍ତ୍ର ମାଡ଼ ବ୍ୟବସ୍ଥା ଥାଏ। ବଇଁଶୀ ବୋଉ ସାଙ୍ଗରେ କାହିଁକି ବିଗୁଲେଇ ହୋଇ ଲାଗିଥିଲୁ...! ଆମେ କେବେ ଗଲି ଗୁଲଜ କରିନୁ, ସିଏ ଯୋଉ ଗାଳି ଦେଉଥିଲା କଣ ତତେ ଭଲ ଲାଗୁଥିଲା..? ପୋଖରୀ ପାଣି କାହିଁକି ଘାଣ୍ଟୁଥିଲ..? ଏସବୁ ଅପରାଧର ଚିହ୍ନ ଗାଲରେ, ପିଠିରେ, ପିଚାରେ ଡେଣାରେ ଆଙ୍କି ହୋଇ ରହିଯାଏ। ବଇଁଶୀ ବୋଉର ବାଲି, ମାଟି ଫୋପଡାରେ ଯଦି କେଉଁଠି ଆଘାତ ହୋଇ ଫୁଲି ଯାଇଥାଏ ସ୍କୁଲରୁ ଆସିଲା ବେଳେ କାଲି ପଡିଯାଇଥିଲି ବୋଲି କୈଫତ୍ ରଖିବାକୁ ପଡେ।

କିନ୍ତୁ ତା ପର ଦିନ ପୁଣି ସେଇ ପୁରୁଣା ନାଟକର ଅୟମାରମ୍ଭ ହୁଏ।


 ମତେ ଯେତେ ମାଠିବୁ ମାଠ୍


ସମୟ ସହିତ ସମସ୍ତେ ପରିବର୍ତ୍ତନ ହୋଇ ସାରିଲେଣି। ଆମେ କୈଶୋର ରୁ ଯୁବକ ହେଲୁଣି, ମୋ ସାଙ୍ଗ ମାନେ ନିଜସ୍ୱ ଗାଡି ମୋଟର କିଣି ଟ୍ରାନ୍ସପୋର୍ଟର ହେଲେଣି। ଆଉ ଜଣେ ଆମ ଅଞ୍ଚଳର ଖ୍ୟାତନାମା ବିଜ୍ ନେସ ମ୍ୟାନ ହେଲାଣି। ତୃତୀୟ ଜଣ ଭେଟରିନାରୀ ହେଲାଣି। ମୁଁ ପ୍ରଭେଟ ସେକ୍ଟରରେ ଆତ୍ମନିର୍ଭରଶୀଳ ହେଲିଣି। ଯୋଉ ଦାଣ୍ଡରୁ ବଇଁଶୀ ବୋଉ ବାଲି, ମାଟି ଦରାଣ୍ଡୁଥିଲା ତାହା ଏବେ କଂକ୍ରିଟ ଜଙ୍ଗଲ ହେଲାଣି। ଗୁଡାଏ ପରିବର୍ତ୍ତନ ସହ ଆମର ସେଇ ଗାଁ ଅଛି। ସେଇ ପୋଖରୀ ଅଛି। ସେମିତି ସୂର୍ଯ୍ୟ ଉଦୟ ହେଉଛି। ଅସ୍ତାଚଳରେ କୌଣସି ଫରକ ପଡିନି। 


କେବଳ ଜଣକର ଅଭାବ ରହିଯାଇଛି। ବଇଁଶୀ ବୋଉ।


ବାର୍ଦ୍ଧକ୍ୟ ଓ ପ୍ରବାହମାନ ସମୟ ସ୍ରୋତରେ ବଇଁଶୀ ବୋଉ ଚାଲିଯାଇଛି ଦୁନିଆଁର ଆରପାରିକୁ। ଆଜି ପୋଖରୀ ତୁଠରେ ଠିଆ ହେଲା ବେଳେ ଗୋଳିଆ, ନୀଳବର୍ଣ ପାଣି ରହିତ ପୋଖରୀ ଲୁହ ଧାରକୁ ଲାଜରେ ପାଣି ସହିତ ଲୁଚେଇ ଦେଇ କହୁଛି, ମୋତେ ଚାହିଁ ଦେଖ ଶିକ୍ଷିତ.. ମୋତେ ନିଠେଇ ଦେଖ। ସମୟ ସ୍ରୋତରେ ତମେମାନେ ଆଜି ବଦଳି ଯାଇଛ। ଅତ୍ୟାଧୁନିକ ଗାଧୁଆ ଘର ଓ ଶୌଚାଳୟ ତମମାନଙ୍କୁ ପ୍ରବାହମାନ ପରିବର୍ତ୍ତନର ସ୍ରୋତରେ ଭସେଇ ନେଇଛି। ଅପାଙ୍'କ୍ତେୟ ହେଲେ ବି ମୁଁ ପୂର୍ବବତ୍ ବେଲାଳସେନ ଭଳି ମୁଣ୍ଡ ଟେକି ଠିଆ ହୋଇରହିଛି। ଗୋଟିଏ ପଟରେ ଦେଖୁଛି ହାରିଯାଇଥିବା ତୁମ ସରକାରଙ୍କ ସ୍ୱଚ୍ଛତା ଅଭିଯାନ ଆଉ ତୁମେମାନେ। ଅନ୍ୟ ପଟରେ ହାରି ହାରି ଜିତି ଯାଇଥିବା ଅଶିକ୍ଷିତ ବଇଁଶୀ ବୋଉ। 

କହି ପାରିବ ସଭ୍ୟ ସମାଜ ମୋ ଜଳ ପରିମଳ ବ୍ୟବସ୍ଥା ପାଇଁ ଚିନ୍ତିତ ନବେ ଦଶକର ସେଇ ନିଃସ୍ୱାର୍ଥ ବଇଁଶୀ ବୋଉର ଭୂମିକା ଅଧିକ ନା' ଅର୍ଧ ଚେତନ ଅବସ୍ଥାର ସଂସ୍କାର ବାଦୀ ସ୍ୱଚ୍ଛତା ଅଭିଯାନର ସ୍ୱାର୍ଥନ୍ଵେଷି ବଡ଼ପଣ୍ଡାମାନେ

ତୁମେମାନେ


Rate this content
Log in

Similar oriya story from Abstract