Satyabati Swain

Children

4.0  

Satyabati Swain

Children

ଖୁସି

ଖୁସି

5 mins
252



ମୁଁ ଖୁସି ମିଶ୍ର ଦିନୁ ଦିନ ମଣିଷ ପିଲାରୁ ମେସିନ୍ କଣ୍ଢେଇ ପାଲଟି ଯାଉଥିଲି।

ମେସିନ୍ ପରି ନିର୍ଦ୍ଧିଷ୍ଟ ସମୟରେ ଖାଉଥିଲି,ପଢୁଥିଲି, ଫୋନ୍ ଦେଖୁଥିଲି ଓ ଶୋଉଥିଲି।ରିମୋଟ ମୋଡା ରକ୍ତ ମାଂସର କଣ୍ଢେଇଟିଏ ହୋଇ ଯାଉଥିଲି।ହୋଇ ଯାଉଥିଲି ଭାଵ ଶୁନ୍ୟ ହୃଦୟ,ସ୍ନେହ ଶୁନ୍ୟ ପିଲା।

ଆଜିକାଲି ମମ୍ କୁ ମୁଁ ଅପେକ୍ଷା ରଖୁନାହିଁ।ଡାଡ୍ ଙ୍କ କଥା ତ ମୋର ମନେ ନାହିଁ।

ମୋ ଡାଡ୍ ଓ ମମ୍ ଉଭୟଙ୍କର ଅପେକ୍ଷା ଥିଲା ଗୋଟେ ମୁହୂର୍ତ୍ତକୁ।


ସେଇଟା ବି ଖୁବ୍ ଶୀଘ୍ର ଆସିଗଲା। ବୁଝା ମଣା  ହୋଇଗଲା ଉଭୟଙ୍କ ଭିତରେ।ଏଣିକି ଉଭୟେ ଖୋଲା ଆକାଶର ସ୍ୱାଧୀନ ପକ୍ଷୀ।

ଏତେ ଡେରି , ପୁଣି ଡ୍ରିଙ୍କସ୍ କରି କାହିଁକି ଆସିଛ? ସେ ଉର୍ବଶୀ ପାଖେ ଏତେ ବେଳ ଯାଏ ଥିଲ, ନୁହେଁ ?କାହିଁକି ରାତି ଅଧ ଟାରେ ଆସୁଛ ?ଉର୍ବଶୀ ପାଖେ ରହି ଯାଅନ୍ତ ,ସକାଳ ହେଲେ ଦୁହେଁ ସାଙ୍ଗ ହୋଇ ପୁଣି ଅଫିସ୍ ଯାଅନ୍ତ ବୋଲି ମମ୍ ଆଉ ଡାଡ୍ ଙ୍କୁ କହିବ ନାହିଁ।ଏଣିକି ମମ୍ ରାଗ ଗର ଗର ହୋଇ ଉପାସ ଶୋଇବ ନାହିଁ।ଡାଡ୍ ଆସିବାକୁ ନେଇ ଟେନ୍ ସନ୍  ହେବ ନାହିଁ।

ଆଉ ଡାଡ୍ !!


ଡାଡ୍ ବି ବିପି ଅଙ୍କଲଙ୍କ ସଙ୍ଗରେ ତୁମର ସମ୍ପର୍କ କଣ ବୋଲି ମମ୍ କୁ ଜେରା କରିବେ ନାହିଁ।ବାଡ଼ିଆ କଚଡ଼ା ଭଙ୍ଗା ରୁଜା ଆଉ ଘରେ ହେବ ନାହିଁ।ସବୁବେଳେ ତୁମୁଳ ଲଙ୍କା କାଣ୍ଡ ରୁ ଦୁହେଁ ତ୍ରାହି ପାଇ ଯିବେ। ନିଜ ଇଚ୍ଛା ମୁତାବକ ଜୀଇଁବେ ଦୁହେଁ।


ଏଣୁ ଡାଡ୍ ଓ ମମ୍ ଭାରି ଖୁସି କୋର୍ଟର ରାୟ ଶୁଣି।ଦୀର୍ଘ ଦିନ ଧରି କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁ ନଥିଲେ ମୋ ଡାଡ୍ ଓ ମମ୍।ଖୁବ୍ ଷ୍ଟ୍ରେସ୍ ରେ ରହୁଥିଲେ।ମମ୍ ଅଲଗା ଭଡା ଘରେ ରହୁଥିଲା ମୋତେ ପାଞ୍ଚ ବର୍ଷ  ହେବା ଯାଏ । ଏଇ ପାଞ୍ଚ ବର୍ଷ ଭିତରେ ଥରେ ଅଧେ ଡାଡ୍ ଆମ ପାଖକୁ ଆସନ୍ତି ଓ ଦଶ ପନ୍ଦର ମିନିଟ ରୁହନ୍ତି କି ନାହିଁ ଚାଲି ଯାଆନ୍ତି।


ମୁଁ ଡାଡ୍ କ'ଣ ଠିକ୍ ରେ ଜାଣିନି।ତଥାପି ଡାଡ୍ ଯେବେ ଆସନ୍ତି ଦେଖିଲେ ଖୁବ୍ ଖୁସି ହୋଇଯାଏ।ତାଙ୍କ କୋଳରୁ ବାହାରେ ନାହିଁ।ତାଙ୍କ ପକେଟ୍, ଚଷମା,ସାର୍ଟ କଲର୍ ଓ ପେନ୍ ରେ ଲାଗେ।ଡାଡ୍ ଙ୍କ ମୁହଁ ଭର୍ତ୍ତୀ ଅଳ୍ପ ଅଳ୍ପ ଦାଢ଼ିରେ ହାତ ଘଷେ।ଡାଡ୍ ଙ୍କ ଗାଲରେ ପପି ଦେବାକୁ ମୋତେ ଭାରି ଭଲ ଲାଗେ।


କୋର୍ଟ ଶୁଣାଣି ଦେଲା ଡାଡ୍ ଓ ମମ୍ ଙ୍କ ଭିତରେ ଆଉ କିଛି ସମ୍ପର୍କ ନାହିଁ।


ଆଉ ମୁଁ !


ଡାଡ୍ ତ ଲେଖା ପଢା ହେଲା ବେଳେ କହିଲେ କି ମୋର ଝିଅ ନାହିଁ।


ଝିଅ ନାହିଁ !! ମୁଁ ତାହେଲେ କିଏ?


ମୋ ଲାଳନ ପାଳନ ଭାର ନେବାକୁ ପଡିବ ବୋଲି ମୋ ଡାଡ୍ ଏପରି କହିଲେ।


ମମ୍ ଭୟାନକ ଭାବେ ରାଗି ଗଲା। ମୁଁ ମୋ ଝିଅକୁ ପାଳି ପୋଷି ପାରିବାର ତାକତ ଅଛି।କିନ୍ତୁ ମୋ ଝିଅ କ'ଣ ଜାରଜ ? ତୁମେ ତାର ଡାଡ୍ ଏ କଥା କେଇଟା ଟଙ୍କା ଦେବାକୁ ପଡିବ ବୋଲି ଅସ୍ବୀକାର କରୁଛ?ଆଜି ଏ କଥା କହୁଛ କାଲି କହିବ ଏ ଝିଅ ଅବାନଛିତ! 


ହଁ ମୁଁ କହୁଛି ଏ ମୋ ଝିଅ ନୁହେଁ,ଡାଡ୍ ଜୋର୍ ଦେଇ କହିଲେ।ମୋର ଡ଼ି ଏ ଏନ୍ ଟେଷ୍ଟ ଯାଏ କଥା ଗଲା।


ଦେଖ୍ ତ କେମିତି ପାଞ୍ଚ ବର୍ଷ  ବୟସରେ  ମୋ ପରିଚୟ ଓ  ଜନ୍ମର ଵୈଧତା ପାଇଁ ଡି ଏ ଏନ୍ ଟେଷ୍ଟ କରାଇ ଦୁନିଆଁକୁ ଜଣାଇବା ଯାଏ କଥା ଗଲା ?


ମୁଁ ତ ଡାଡ୍ ଙ୍କ ଝିଅ।ଡି ଏ ଏନ୍ କ'ଣ କୁହନ୍ତା ମୁଁ ଆଉ କାହାର ଛୁଆ !!ଜାରଜ ଷ୍ଟାମ୍ପ୍ ବାଡେଇ ଦିଅନ୍ତା କି ମୋ ଦେହରେ !!


ଆରେ ବାବା ରକ୍ଷା ପାଇଁ ଗଲି ଯେ ମୁଁ ଜାରଜ ନୁହେଁ ଡି ଏନ୍ ଏ ପ୍ରମାଣ ପତ୍ରଟି ପାଇ।

କୋର୍ଟ ରାୟ ଶୁଣାଇଁ ଦେଲେ। ମୋ ମମ୍ କହିଲା କି ଝିଅ ବଡ଼ ହେଲେ ତା ଡାଡ୍ ଙ୍କ ପାଖକୁ ଯାଇ ପାରେ, କିନ୍ତୁ ମୁଁ ବଞ୍ଚିଥିବା ଯାଏ ମୋ ଝିଅ ତା ଡାଡ୍ ପାଖକୁ ଯାଉ ଏକଥା ଚାହିଁବି ନାହିଁ।ତା ଡାଡ୍ କ'ଣ ମୁଁ ଅସ୍ବୀକାର କରୁଛି ଏପରି କାପୁରୁଷ ମୋ ଖୁସି"ର ଡାଡ୍ ହୋଇ ନ ପାରନ୍ତି ।


ବାସ୍ ତାପରେ ମୋ ମମ୍ ଓ ଡାଡ୍ ସେମାନଙ୍କ ଇଚ୍ଛାର ଜୀବନ ବଂଚିଲେ।


କିନ୍ତୁ ମୁଁ କେମିତି ବଞ୍ଚିଲି ?


ମମ୍ ସକାଳୁ ଚାଲିଯାଏ ତା ଅଫିସ୍,ଫେରେ ରାତିରେ।ଆୟା ଜଗେ ମୋତେ।ଟିଉସନ୍ ସାର୍ ଆସି ପଢ଼ାନ୍ତି ଦୁଇ ଟାଇମ୍।ମମ୍ ଦିନେ ଦିନେ ଫେରିବା ରାତି ଆଠ କି ନଅ କରିଦିଏ। ଅଧିକ ଡେରି ହେଲେ ଆୟା ବି ସବୁ କାମ ସାରି ଚାଲିଯାଏ।ଫ୍ଲାଟରେ ରହିଯାଏ ଏକା ମୁଁ। ମୋ ଚାରି ପାଖେ ଖେଳନା ପାହାଡ଼।ତାଙ୍କ ସହ ମୋ କଥା ସେୟାର କରେ।ଫୋନ୍ ମୋର ଡାଡ୍ ,ମମ୍  ତଥା ମୋ ଦୁନିଆଁ ହୋଇଯାଏ।


ଜାଣିଛ ! ଏକା ରହିଲେ ମୋତେ ଖୁବ୍ ଡର ଲାଗେ। ଛାତ, କାନ୍ଥରେ ଯେପରି ଏଡ଼େ ଏଡ଼େ ହାତ ଲମ୍ବି ଆସେ ମୋ ଯାଏ। ଘୋଷ୍ଟଙ୍କ ବଡ଼ ବଡ଼ ଦାନ୍ତ ,ମୁହଁ ଦିଶେ।  ଛାନିଆଁ ହୋଇ ମୁହଁ ଗୁଂଜିଦିଏ କଣ୍ଢେଇ ମାନଙ୍କ ଭିତରେ।କେବେ କେବେ ମମ୍ ଆସିଲା ବେଳକୁ ମୁଁ ଉପାସରେ ଶୋଇ ଯାଇଥାଏ।


ମମ୍ ବି ଚେଞ୍ଜ୍ ନ କରି ଅଖିଆ ଅପିଆ ମୋତେ ଧରି ଶୋଇ ପଡେ।ପାଞ୍ଚ ଛଅ ବର୍ଷରୁ ଦିନେ ଦିନେ ଏପରି ଭୟଙ୍କର ସମୟର ସାମନା କରୁ କରୁ ମୁଁ ବି  ମଣିଷ ଛୁଆରୁ ଚାବି ମୋଡା କଣ୍ଢେଇ ପାଲଟୁ ଥାଏ।ହଁ ମମ୍ ଯଥା ସାଧ୍ୟ ଚେଷ୍ଟା କରେ ସହଳ ଘରକୁ ଫେରିବାକୁ ମୋ ସହ ଟାଇମ୍ ସ୍ପେଣ୍ଡ୍ କରିବାକୁ କିନ୍ତୁ ତା କାମ ଏମିତି ଯେ ଚାହିଁଲେ ବି ମୋତେ ସମୟ ଦେବା ଅସମ୍ଭବ ହୁଏ। 


ମାମ୍ ଯଦି ସର୍ଭିସ୍ ନ କରିବ ତ ଆମେ ବଞ୍ଚିବୁ କେମିତି ଖାଇବୁ କ'ଣ ? ସେଥିରେ ନିହାତି ଗୋଟେ ଭଲ ଲାଇଫ୍ ମୋତେ ଦେବାକୁ ତାର ଇଚ୍ଛା। ବଡ଼ ଗୋଟେ ଇଙ୍ଗିଲିସ ମିଡିୟମ ସ୍କୁଲରେ  ପଢ଼ାଉଛି।ମମ୍ କୁ ଦୋଷ ଦେଇ ପାରେନି କି ନିଜକୁ ବୁଝେଇ ପାରେନି।ପିଲା ମନ ମୋର ମମ୍ ଖୋଜେ,ଡାଡ୍ ଖୋଜେ।ଖୋଜେ ସ୍ନେହ ମମତା ସମୟ ଓ ଖୁସି ଟିପେ । 

ମମ୍ ଏଥିରୁ କେଉଁଟି ମୋତେ ଦେଇ ପାରେନି।ଖଟି ଖଟି ଆସି ସେ ବି ଚିଡି ଚିଡି ହୁଏ। ମୁଁ ଲମ୍ବା ଲିଷ୍ଟ୍ କରି ରଖିଥିବା ଅଭିଯୋଗ ଫର୍ଦ୍ଦ ନିତି ଚିରି ଫିଙ୍ଗେ।


ମମ୍ ମୋତେ ଭଲ ପାଏ ନିଶ୍ଚୟ।କିନ୍ତୁ ମୁଁ ଅନୁଭବ କରି ପାରେନି।ତଥାପି ମୋର ମମ୍ ବ୍ୟତୀତ ଅଛି କିଏ ଯେ !! ଭଲ ହେଉ କି ମନ୍ଦ ମମ୍ କୁ ମୁଁ ଗ୍ରହଣ କରିବାକୁ ବାଧ୍ୟ।


ଏବେ ଡାଡ୍ ଙ୍କ ପରି ମମ୍ ବି ଡ୍ରିଙ୍କ କରେ।ବାଉଳି ହୁଏ। ସେ କୁଆଡେ କାହାକୁ ଭଲ ପାଉଛି।ଆୟା କୁହେ ମମ୍ ରି ମ୍ୟାରେଜ୍ କରିବ।ମୋତେ ଗୋଟେ ନୂଆ ଡାଡ୍ ମିଳିଯିବ।ଆମର ବି ଗୋଟେ ହାପି ଫେମିଲି ହେବ।


ଖୁସି ହୁଏ ଯାହା ହେଉ କେହି ତ ମୋ ଡାଡ୍ ହେବ।କାହାକୁ ତ ମୁଁ ଡାଡ୍ ଡାକିବି। ଏକା ଏକା ରହିବିନି ଆଉ।


କିନ୍ତୁ ମୋ ଭାବନା ଓ ଆଶା ଗଡ଼ରେଜ୍ ଲକର୍ ଭିତରେ ବନ୍ଧା ହୋଇ ରହିଗଲା।ଡେରି ରାତିରେ ହେଉ ପଛେ ମମ୍ କୁ ମୁଁ ଦେଖିବାକୁ ପାଉଥିଲି।କିନ୍ତୁ ମୋ ନୂଆ ଡାଡ୍ ଆସିବା ପରେ ଆଉ ମମ୍ କୁ ଦେଖିବାକୁ ପାରିଲି ନାହିଁ।ମମ୍ ମୋତେ ତା ବେଡ୍ ରେ ନେଇ ଶୁଆଇବାରୁ ନୂଆ ଡାଡ୍ କହିଲେ ,ଛଅ ବର୍ଷର ପିଲା ହେଲାଣି ଏକା ଶୋଇବାକୁ  ଦିଅ । ସେ ସେଲ୍ଫ ଡିପେଡାଣ୍ଡ୍ ବେବି ଟେ ହେଉ।ଏଣୁ ମୁଁ ମାଇଁ ସେଲ୍ଫ୍ ବେବି ହୋଇ ନିଜ କାମ ନିଜେ କରିବା ଶିଖିଗଲି।


ଆସ୍ତେ ଆସ୍ତେ ମୁଁ ସତ ସତିକା ମେସିନ୍ ହେଉଥିଲି।କାହା ସଙ୍ଗେ କଥା ହେବା ବନ୍ଦ କରିଦେଲି।ମୋ ରୁମ୍ ଡୋର ସବୁବେଳେ ବନ୍ଦ ରଖିଲି।ଅନ୍ଧାର ଘର ମୋତେ ଭଲ ଲାଗିଲା।ମମ୍ କିନ୍ତୁ ମୋର ଦରକାର ଥିଲା।କିଏ ହେବ ମୋ ମମ୍ ?


ଅନେକ ଭାବି ଚିନ୍ତି ମୋତେ ଆଠ ବର୍ଷ ହେଲା ବେଳକୁ ଜଣେ ପୋଖତ ଅଭିଜ୍ଞ ମେସିନ୍ ଝିଅ ହୋଇଯାଇଥିଲି।ମୋ ନିଃସଙ୍ଗ ଜୀବନରୁ ମୁକ୍ତି ପାଇବା ପାଇଁ ଭଲ ଭଲ ଇଲୋକଟ୍ରିକାଲ୍ ପ୍ରୋଜେକ୍ଟ ତିଆରି କରି ପାରୁ ଥିଲି।ମମ୍ ମୋତେ ପ୍ରୋତ୍ସାହିତ କରୁଥିଲେ।ଆଗ ଅପେକ୍ଷା ରି ମ୍ୟାରେଜ କଲା ପରେ ମମ୍ ପ୍ରାଣ ପଣେ ଚେଷ୍ଟା କରନ୍ତି ମୋ ପାଇଁ କିଛି ସମୟ ବାହାର କରିବା ପାଇଁ।

ମୁଁ କିନ୍ତୁ ମେସିନ୍ ପାଲଟି ଯାଇଥିଲି ନା। ଏଣୁ କଥା ହେଉ ନଥିଲି।ମମ୍ କୁ ବାଧୁଥିଲ ଏକଥା।ମୋତେ ବୁଝାଉଥିଲା।ଜୀବନ ସହିତ ପ୍ରାଟିକାଲ୍ ହେବାକୁ ପ୍ରେରଣା ଦେଉଥିଲା।ମୁଁ କିନ୍ତୁ କିଛି ବି ପ୍ରତିକ୍ରିୟା କରୁ ନଥିଲି ମା କଥାରେ।ମୋ ପଢା ମୋ ପ୍ରୋଜେକ୍ଟ ଭଲ ତ ମୁଁ ଭଲ।


ସାଇନ୍ସ ଏକ୍ଜିବେସନ୍ ପାଇଁ ସବୁ ପିଲା ପ୍ରୋଜେକ୍ଟ୍ କରୁଥିଲେ। ମୁଁ ବି ଲାଗି ପଡିଥିଲି ପ୍ରୋଜେକ୍ଟ୍ ପ୍ରସ୍ତୁତ ରେ। ପ୍ରତି ବର୍ଷ ମୋ ପ୍ରୋଜେକ୍ଟ୍ ହିଁ ଫାଷ୍ଟ୍ ହେଉଥିଲା।

ଏବର୍ଷ କିଛି ନୂଆ କରିବି ଭାବିଲି।


ସେତେବେଳେ କୁ ମୋତେ ଦଶ ବର୍ଷ ହୋଇଥାଏ।ଏକ୍ଜିବିସନ୍ ପୂର୍ବ ଦିନ ମମ୍ ପଚାରିଲେ ଖୁସି ! ଶେଷ କରି ସାରିଲୁଣି ତୋ ପ୍ରୋଜେକ୍ଟ ? ଦେଖି ଏଥର କଣ କରିଛୁ?


ମୁଁ ଆଣି ଦେଖେଇଲି ଗୋଟେ ଯନ୍ତ୍ର କଣ୍ଢେଇ।ଯାହାର ସ୍ୱିଚ ଟିପିଲେ ସେ ପାଟିକୁ ଖାଦ୍ୟ ନେଇ ପାରିବ, ଗାରେଇ ପାରିବ କଲମ କି ପେନ୍ ସିଲ୍ ଧରି।।ହାତ ଗୋଡ଼ ନାଚିବା ପରି ହଲେଇ ପାରିବ।ନମ୍ବର ଟିପି ଫୋନ୍ କଲ୍ କରି ଶୁଣି ପାରିବାର ଅଭିନୟ କରି ପାରିବ।ଶେଷରେ ଆଉ ଗୋଟେ ସ୍ୱିଚ ଅଛି ଟିପିଲେ ମମ୍ ମମ୍  କହି କାନ୍ଦିବାର ଅଭିନୟ ବି କରିବ।


ସେଇ ଯନ୍ତ୍ର  କଣ୍ଢେଇ ତଳେ ଲେଖା ଥିଲା "ଖୁସି ;  ମାଇଁ ସେଲ୍ପ୍ ବେବି।"


ମମ୍ ମୋତେ କୋଳକୁ ଟାଣି ନେଇ କାନ୍ଦି ଉଠି କହିଲା ଖୁସି  ମୋ ସୁନା, କ୍ଷମା କରିଦେ ତୋର ଏ ନିଷ୍ଠୁର ମମ୍ କୁ।

ମୋ ଯୋଗୁଁ ଘରେ ନୂଆ ଡାଡ୍ ଓ ମମ୍ ଙ୍କ ଭିତରେ ମନୋମାଳିନ୍ୟ ହେଲା। କଳି ଯାଏ କଥା ଗଲା।ସେମାନଙ୍କ ଖୁସି ପାଇଁ ମୁଁ ଜିଦ୍ କରି ଘର ଛାଡ଼ିଦେଲି।

ଏବେ ମୋ ଘର ବୋଡିଙ୍ଗ୍ ସ୍କୁଲ୍। ବୋଡିଙ୍ଗ୍ ରୁମ୍ ର ଚାରି କାନ୍ଥ ପୃଥିବୀ ଭିତରେ ଖୁସି ମିଶ୍ର ଖୋଜେ ଖୁସିକୁ। ପ୍ରତିଦିନ ମୋ ତକିଆ ପିଏ ଲୁଣିଆ ପାଣି।



Satyabati swain, balikuda, Jagatsinghpur




Rate this content
Log in

Similar oriya story from Children