STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ବିଜୁଳିକନ୍ଯା

ବିଜୁଳିକନ୍ଯା

2 mins
249

ମୋ ପେଟ କାଟି ସିଜେରିଆନ କରୁ କରୁ ଡାକ୍ତର ଟିମ୍ ଗପରେ ଲାଗିପଡିଲେ ।ମତେ ଓ: ଟି ଲାଲି ବଲବ ଜଳିବା ଆଗରୁ କବାଟ ସେପାରୁ ହାତଧରି ବାପା କହିଥିଲେ 'ଗୋବିନ୍ଦ ','ଗୋବିନ୍ଦ ' ଜପୁଥିବୁ ,ତ୍ରାଣକର୍ତ୍ତା ତ୍ରାହି କରିବେ ।ଅପରେସନ ଆରମ୍ଭ ରୁ ଶେଷ ଯାଏ ମୁଁ ଦୁର୍ଗା ଦୁର୍ଗା ଜପୁଥିଲି ଆପେ ।ଡାକ୍ତର ଦଳ ପାଞ୍ଚ ବର୍ଷ ପରୀ ଠୁ ଯେ ପନ୍ଦର ବର୍ଷ ନିକିତା ଯାଏ ସମସ୍ତଙ୍କ କଥା ଗପି ଚାଲିଥିଲେ ଗୋଟେ ପରେ ଗୋଟେ।ମୁଁ ଦୁର୍ଗା ଦୁର୍ଗା ଜପିବାରେ ମଗ୍ନ ଥିଲେ ବି ମୋ କାନରେ ପଡୁଥିଲା ଆଉ ମୁଁ ଭାବୁଥିଲି ଏ ପ୍ରସବ ଘରଟିରେ ସଦା ସୁନ୍ଦର ପରିବେଶ ରଖିବା ଉଚିତ୍, ସୁନ୍ଦର ଧ୍ବନି ପ୍ରକମ୍ପିତ ହେବା କଥା ,ଡାକ୍ତର ମାନେ ଓ ଅନ୍ୟ ଷ୍ଟାଫ୍ ମଧ୍ୟ ଏ ସବୁ ନେଇ ନିଶ୍ଚିତ ଯତ୍ନବାନ ହେବା କଥା କାରଣ ଏ ଏନ୍ତୁଡିଶାଳରେ ପ୍ରଥମ କରି ଅଗଣିତ ଶିଶୁ ମା ପେଟରୁ ପୃଥିବୀ ମା ପେଟରେ ପାଦ ଥାପନ୍ତି ।ତାଙ୍କୁ ପ୍ରଥମ ସ୍ବାଗତ ସୁନ୍ଦର ଓ ଦିବ୍ୟ ହେବା କଥା ମାତ୍ର ଏଠି ତ ମୋ ଛୁଆ ଏ ଭୟଙ୍କର ଘଟଣାବଳୀ ଶୁଣି ଶୁଣି ବାହାରୁଛି! ମୁଁ ଜପିବାରେ ମନ ଦେଲି ,କି ଶୁଭିଲା

_ ଯଦି ସମ୍ଭବ ହନ୍ତା ମୁଁ ଗୋଟେ ବି ଝିଅ ଜନ୍ମ କରାନ୍ତିନି ।

_ ସତରେ ଆମରି ହାତରେ ଜନ୍ମୁଥିବା ଏଇ କୋମଳ ଶିଶୁ ମାନଙ୍କୁ ଆମେ ଖାଲି ଜନ୍ମ କରେଇ ଦେଇ ହାତ ଧୋଇଦେଉଛେ ।ଦାୟିତ୍ୱ ସାରିଦେଉଛେ ।ଏ ସମାଜ କେବେ ବଦଳିବ, ଲୋକେ କେବେ ବୁଝିବେ?

_ ଦେଖିବ ଦିନ ଆସିବ ଈଶ୍ବର ବି ଆଉ ଝିଅ ସୃଷ୍ଟି କରିବେନି ଭୟରେ ।

ମୁଁ ସେ ଯାଏ ଜାଣିନି ମୋ ପେଟରେ କିଏ ଫୁଲ ଟିଏ ନା ଭ୍ରମର ଟିଏ ।

ହଠାତ୍ ଚତୁର୍ଦିଗ କମ୍ପମାନ ହେଲା ଘର୍ଘର ନାଦରେ ।ଡାକ୍ତର କହିଲେ

_ ଆରେ ବାପରେ, ଏଇ ତ ସିଂହିନୀ ।ହି ଜୋର ନାଦ ରେ ପୃଥିବୀ ଥରହର କରୁଛି ଦେଖ ।ପୁଣି ପାଦ ବାଟେ ଜନ୍ମିଛି ।ଆକାଶରୁ ମହାକାଶ ଯାଏଁ ଏ ନାଁ ରଖିବ ।ଈଶ୍ବର କରନ୍ତୁ ।

ମତେ ଶୁଭୁଥିଲା

" ରେ ରେ ମୂର୍ଖ ମଣିଷ, ତୁ ଯାହାକୁ ଖୋଜୁଛୁ ସେ ଗୋପରେ ବଢୁଛି ।ମୁଁ ତ ବିଜୁଳି କନ୍ଯା ....... ବି ଜୁ ଳି କ ନ୍ଯା ।

ମୋ ହାତ ଆପେ ଯୋଡି ହୋଇଗଲା ଲାଲ୍ ଟୁକଟୁକୁ ପାଦ ହଳିକୁ ଚାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action