Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ଶିଶିର ସାହୁ ମନୋଜ

Comedy


4  

ଶିଶିର ସାହୁ ମନୋଜ

Comedy


ବିଜୁଳି ଖୁଣ୍ଟ ଓ ଭ୍ରଷ୍ଟାଚାର

ବିଜୁଳି ଖୁଣ୍ଟ ଓ ଭ୍ରଷ୍ଟାଚାର

4 mins 233 4 mins 233

ଦିନେ ରାଜା ଚିଡିଯାଇ ଘୋଷଣା କରିଦେଲେ ଯେ ଭ୍ରଷ୍ଟାଚାରୀ ଅମଲା ମାନଙ୍କୁ ଵିଜୁଳିଖୁଣ୍ଟରେ ଝୁଲେଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ।


ସକାଳ ନହେଉଣୁ ଲୋକେ ଵିଜୁଳିଖୁଣ୍ଟ ନିକଟରେ ଏକତ୍ର ହୋଇଗଲେ । ଯିଏ ଯୋଉ 

ଵିଜୁଳିଖୁଣ୍ଟ ପାଇଲେ ପୁଷ୍ପ ଫଳ ଧୂପ ଆଦିରେ 

ପୂଜାର୍ଚ୍ଚନା ଆରମ୍ଭ କରିଦେଲେ । 


ସଂଧ୍ୟା ଯାଏଁ ସେମାନେ ଅପେକ୍ଷା କଲେ କି କାଳେ ଆଜି ଭ୍ରଷ୍ଟାଚାରୀଙ୍କୁ ଵିଜୁଳି ଖମ୍ଭରେ ଟଙ୍ଗାଯିବ 

ହେଲେ ସେମିତି କିଛି ହେଲା ନାହିଁ ...


ଲୋକେ ନିରାଶ ହୋଇ ଯେ ଯେଝା ଘରକୁ ଫେରିଲେ.....


ତହିଁ ପର ଦିନ ଲୋକମାନେ ଏକ ଶୋଭାଯାତ୍ରା କରି ରାଜାଙ୍କ ଛାମୁରେ ଯାଇ ଗୁହାରି କଲେ, “ହେ ମହାରାଜ, ଆପଣ ଘୋଷଣା କରିଥିଲେ ଭ୍ରଷ୍ଟାଚାରୀମାନେ ଵିଜୁଳୀ ଖୁଣ୍ଟରେ ଟଙ୍ଗାଯିବେ, କିନ୍ତୁ ସ୍ତମ୍ଭଗୁଡ଼ିକରେ କାହାକୁ ଟଙ୍ଗାଗଲା ନାହିଁ ଵରଂ ଭ୍ରଷ୍ଟାଚାରୀମାନେ କାଲି ଦିନଟି ଉତ୍ସଵ ଭଳି ପାଳୁଥିଲେ । 


ରାଜା କହିଲେ, 

ଆମ୍ଭେ ଘୋଷଣା କରିଅଛୁ ଅର୍ଥ ସେମାନେ ନିଶ୍ଚେ ଟଙ୍ଗାଯିଵେ, ତେଵେ ଆମ୍ଭ ଆଦେଶ କାର୍ଯ୍ୟକାରୀ ହେଵାକୁ କିଛି ଦିନ ଲାଗିପାରେ । ଏତେ ଭ୍ରଷ୍ଟାଚାରୀମାନଙ୍କୁ ଟାଙ୍ଗିବା ହେତୁ ତେତିକି ପରିମାଣର ଦଉଡି଼ର ମଧ୍ୟ ଆଵଶ୍ଯକତା ରହିଛି | ମୁଁ ଶକ୍ତ ଦଉଡି଼ ତିଆରି କରିଵାକୁ ନିର୍ଦ୍ଦେଶ ଦେଇସାରିଛି | ଦଉଡି଼ ଆସିଗଲାପରେ ଆମ୍ଭ ଆଦେଶର ଶିଘ୍ରାତିଶିଘ୍ର ପାଳନ ହେଵ ଓ ସମସ୍ତ ଭ୍ରଷ୍ଟାଚାରୀଙ୍କୁ ଵିଜୁଳୀ ଖୁଣ୍ଟରେ ଟାଙ୍ଗି ଦିଆଯିଵ |


ଭିଡ଼ ଭିତରୁ ଜଣେ ବ୍ୟକ୍ତି କହିଲା―

ହେ ଦେଵ ! କିନ୍ତୁ ଫାଶୀ ପାଖରେ ଦଉଡି଼ ଯୋଗାଇ ଦେଵାର କାର୍ଯ୍ୟଟା ବି ଜଣେ ଭ୍ରଷ୍ଟାଚାରୀ ରାଜକର୍ମଚାରୀ ହିଁ ଵହନ କରିଛନ୍ତି ଆଜ୍ଞା ...


ରାଜା କହିଲା, “ କଣ ହେଇ ଗଲା ସେଠୁ ! ତାଙ୍କୁ ତାଙ୍କ ଦ୍ଵାରା ଯୋଗାଣ ହେଵାକୁ ଥିଵା ଦଉଡି଼ରେ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବ। ”


ତା’ପରେ ଆଉ ଜଣେ କହିଲା, କିନ୍ତୁ ସେ ତ କହୁଥିଲେ ମୁଁ ଫାଶୀ ଦେଵା କାର୍ଯ୍ଯର ମଧ୍ୟ ଠିକା ନେଇ ଯିଵି ।


ରାଜା ଉତ୍ତର ଦେଲେ, “ନା, ତେମନ୍ତ ଆଦୌ ହେଵ ନାହିଁ। ଫାସୀ ଦେଵା ଭଳି ରାଜକାର୍ଯ୍ୟର ଏପର୍ଯ୍ୟନ୍ତ ଘରୋଇକରଣ ହୋଇନାହିଁ। ”


ତହୁଁ ଲୋକମାନେ ପଚାରିଲେ, ତା’ହେଲେ ସେମାନଙ୍କୁ କେତେ ଦିନ ପରେ ଫାଶୀ ଦିଆଯିଵ।


ରାଜା କହିଲେ, ଆଜିଠାରୁ ଠିକ୍ ଷୋହଳ ଦିନ ପରେ ତମେମାନେ ସବୁ ଭ୍ରଷ୍ଟାଚାରୀମାନଙ୍କୁ ବିଜୁଳି ଖୁଣ୍ଟରେ ଝୁଲୁଥିଵାର ଦେଖିଵ ।


ଲୋକମାନେ ଉତ୍କଣ୍ଠା ସହାକରେ ସେହି ମହତ୍ତ୍ୱପୂର୍ଣ୍ଣ ଦିନଟିକୁ ଅନେଇ ରହିଲେ...


ଷୋହଳ ଦିନ ସକାଳୁ ସକାଳୁ ଲୋକେ ଉଠି ଦେଖିଲେ ସବୁ ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଛି । ସେମାନେ ଏହା ଦେଖି ବହେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ରାତିରେ ତ ଭୂମିକମ୍ପ ହୋଇନଥିଲା ତାହେଲେ ସେହି ସ୍ତମ୍ଭଗୁଡ଼ିକ କିପରି ଭାଙ୍ଗିଗଲା !


ସେମାନେ ସ୍ତମ୍ଭ ନିକଟରେ ଠିଆ ହୋଇଥିବା କେତେଜଣ ଶ୍ରମିକଙ୍କୁ ଦେଖିଵାକୁ ପାଇଲେ। ପଚାରି ବୁଝିଲାରୁ ଜଣାଗଲା ଯେ ରାତିରେ ଶ୍ରମିକମାନେ ଏହି ସ୍ତମ୍ଭଗୁଡ଼ିକୁ ଉପାଡି଼ ଦେଇଛନ୍ତି । ଲୋକମାନେ ତାଙ୍କୁ ଧରି ରାଜାଙ୍କ ନିକଟରେ ଉପସ୍ଥିତ ହେଲେ ।


ଲୋକେ ଅଭିଯୋଗ କଲେ,

"ମହାରାଜ, ଆପଣ ଭ୍ରଷ୍ଟାଚାରୀମାନଙ୍କୁ ଆଜିଦିନରେ ବିଜୁଳି ଖୁଣ୍ଟରେ ଝୁଲେଇ ଦେଵାକୁ ଆଦେଶ ଦେଇଥିଲେ କିନ୍ତୁ ରାତିରେ ସମସ୍ତ ସ୍ତମ୍ଭ ଉପାଡ଼ି ଦିଆ ଯାଇଥିଲା । ଆମେ ଏହି ଶ୍ରମିକଙ୍କୁ ଧରିଛୁ । ସେମାନେ କହୁଛନ୍ତି ଯେ ତାଙ୍କେ ରାତିରେ ସମସ୍ତ ସ୍ତମ୍ଭ ଉପାଡି଼ ପକାଇଛନ୍ତି । 


ରାଜା ଶ୍ରମିକଙ୍କୁ ପଚାରିଲେ, "ଶ୍ରମିକଵୃନ୍ଦ , ତୁମ୍ଭେମାନେ କାହା ଆଦେଶରେ ସ୍ତମ୍ଭଗୁଡ଼ିକୁ ଉପାଡି଼ ଦେଲ? "


ଜଣେ ଶ୍ରମିକ ଡରି ଡରି କହିଲା,

ହଜୁର୍ ରାଜ୍ୟ ଓଵରସିୟର୍ ଆମମାନଙ୍କୁ ଏସବୁ ଉପାଡି଼ ଦେଵାକୁ ନିର୍ଦ୍ଦେଶ ଦେଇଥିଲେ ।


ଓଵରସିୟର୍'ଙ୍କୁ ଡକାଗଲା !


ରାଜା ତାଙ୍କୁ ବି ପଚାରିଲେ,

କିହୋ ଆପଣ କଣ୍ ଜାଣନ୍ତି ନାହିଁ ? ମୁଁ ପରା ଆଜି ଦିନରେ ସବୁ ଭ୍ରଷ୍ଟାଚାରୀଙ୍କୁ ବିଜୁଳି ଖୁଣ୍ଟରେ ଟାଙ୍ଗିଦେଵାକୁ ଘୋଷଣା କରିଥିଲି ?


ଆଜ୍ଞା ମଣିମା !!!


ଆଉ ତାହେଲେ ରାତାରାତି ଖୁଣ୍ଟ କାହିଁକି ଉପାଡି଼ ପକେଇଲେ ? 


ମଣିମା ଦୟାକରି ଆମ୍ଭ ଦୋଷ କ୍ଷମା କରନ୍ତୁ ! ମାତ୍ର ଏହା କରିଵା ପାଇଁ ଆମ୍ଭ ରାଜ୍ୟର ଇଞ୍ଜିନିୟର ଗତକାଲି ସନ୍ଧ୍ୟାରେ ମୋତେ ନିର୍ଦ୍ଦେଶ ଦେଇଥିଲେ ।


ଇଞ୍ଜିନିୟରଙ୍କୁ ରାଜ ଡାକରା ହେଲା । 


ସେ ଆସି କହିଲେ ତାଙ୍କୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଗତକାଲି ରାତିରେ ସମସ୍ତ ପୋଲ ଉପୁଡ଼ି ଦେଵାକୁ 

ନିର୍ଦ୍ଦେଶ ଦେଇଥିଲେ । 


ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରଙ୍କୁ ଡକାଗଲା, ସେ ହାତ ଯୋଡି଼ କହିଲେ ଆଜ୍ଞା ସଚିବ ସାର୍'ଙ୍କ ଆଦେଶ ଅନୁସାରେ ଏହି କାର୍ଯ୍ୟ ହୋଇଅଛି । 


ତହୁଁ ରାଜା ବିଭାଗୀୟ ସଚିବଙ୍କୁ ଡକେଇ ପଠେଇଲେ । 


ସଚିଵ ଆସିଲାରୁ ରାଜା ତାଙ୍କୁ ଜେରା କଲେ...

“ଆଚ୍ଛା ତୁମେ ବିଜୁଳି ଖୁଣ୍ଟ ଗୁଡ଼ିକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲ ଟି ? "


ସଚିବ ବରଡା଼ ପତ୍ର ଭଳି ଥରି ଥରି କହୁଥାଆନ୍ତି "ଆଜ୍ଞା ମଣିମା !"


ତହୁଁ ରାଜା କହୁଛନ୍ତି,

"ମୁଁ ତ ଆଜି ଦିନରେ ସେଥିରେ ଭ୍ରଷ୍ଟାଚାରୀଙ୍କୁ ଟାଙ୍ଗିଥାଆନ୍ତି ! ତମେ କାହିଁକି ବିଜୁଳି ଖୁଣ୍ଟ ଓପାଡି଼ ପକାଇଵାର ଆଦେଶ ଦେଇଥିଲ ଶୁଣେ ...! 


ସେଠୁ ସଚିବ କହିଲେ,

ମଣିମା ଦୋଷ କ୍ଷମା ହେଉ ! ସମଗ୍ର ରାଜ୍ଯର ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ନିର୍ଦ୍ଦେଶ ଦେଵାକୁ ବାଧ୍ଯ ହେଲି । ଯଦି କାଲି ରାତିରେ ଖୁଣ୍ଟଗୁଡି଼କ ଓପାଡା଼ଯାଇ ନଥାନ୍ତା, ତେବେ ଆଜି ସମଗ୍ର ରାଜ୍ଯଟି ଧ୍ୱଂସ ହୋଇଯାଇଥାଆନ୍ତା ! ”


ଏହା ଶୁଣି ରାଜା ଓ ଉପସ୍ଥିତ ପ୍ରଜା ସମସ୍ତେ ତାଟକା ହୋଇ ସଚିଵଙ୍କ ଆଡ଼କୁ ଚାହିଁ ରହିଲେ । 


ରାଜା ସଚିଵଙ୍କୁ ପୁଣ ପଚାରିଲେ, 


ଆଚ୍ଛା ! ତମେ ଏକଥା କିପରି ଜାଣିଲ ? କିଏ ତୁମକୁ ଏ ଵିଷୟରେ କହିଥିଲା କି ନା ଠାକୁରେ ସପନେଇଥିଲେ ?


ସଚିବ କହିଲେ,

ନାଇଁ ଛାମୁ ! ରାଜ୍ୟର ଜନୈକ ଵିଶେଷଜ୍ଞ ମୋତେ ପରାମର୍ଶ ଦେଲେ ଯେ ଯଦି ଆପଣ ସହରକୁ ବଞ୍ଚେଇଵାକୁ ଚାହାଁନ୍ତି, ତେବେ ସକାଳ ପୂର୍ଵରୁ ଯେତେ ବିଜୁଳିଖୁଣ୍ଟ ସବୁଯାକ ଓପାଡି଼ ପକାନ୍ତୁ । "


ରାଜା ପଚାରିଲେ, 

ଏହି ବିଶେଷଜ୍ଞ କିଏ ? ସେ ଜଣେ ଵିଶ୍ଵାସଯୋଗ୍ଯ ଲୋକ କି ? "


ସଚିବ କହିଛନ୍ତି, 

“ଆଜ୍ଞା ! ସଂପୂର୍ଣ୍ଣ ଵିଶ୍ଵାସୀ ଲୋକ । ସମ୍ପର୍କରେ ମୋହର ଶାଳକ, ଘରର ଲୋକ ତ ।" ଆପଣ ଅନୁମତି ଦେଲେ ମୁଁ ତାକୁ ଏଠାରେ ଉପସ୍ଥିତ କରାଅନ୍ତି ।"


ରାଜ ଆଜ୍ଞା ପାଇଵାରୁ ଵିଶ୍ଵସ୍ତ ବିଶେଷଜ୍ଞ ଜଣକ ରାଜସଭାକୁ ଡକାହୋଇ ଆସିଲେ ...


ଉକ୍ତ ଵୈଜ୍ଞାନିକ ଆସି ରାଜାଙ୍କ ଛାମୁରେ ଆସି ଉପସ୍ଥିତ ହେଲେ ଆଉ କହିଲେ,


"ମଣିମା,ମୁଁ ଜଣେ ଵିଶେଷଜ୍ଞ ଏବଂ ମୁଁ ଭୂମି ଓ ପରିଵେଶର ଗତିବିଧି ଉପରେ ଏକ ବିଶେଷ ଅଧ୍ୟୟନ କରୁଛି। କିଛି ଦିନ ତଳେ ପରୀକ୍ଷା କରି ଜାଣିଲି, ଭୂମି ତଳେ ଏକ ଭୀଷଣ ଵିଦ୍ଯୁତପ୍ରଵାହ ଗତି କରୁଛି ଆଉ କାଲି ତାହା ଠିକ୍ ଆମ ସହର ତଳେ ପ୍ରଵାହିତ ହେଵାର ଥିଲା | ଆପଣମାନେ ଉପରେ ଵିନା ଵୈଜ୍ଞାନିକ ଉପକରଣରେ ତାହା ଆଦୌ ଜାଣିପାରିଵେ ନାହିଁ କିନ୍ତୁ ମୋ ପାଖରେ ସେଭଳି ସାଧନ ରହିଛି ତେଣୁ ମୁଁ ଏହା ଜାଣିପାରିଲି । ଯଦି କାଲି ଆମର ଵିଜୁଳି ଖୁଣ୍ଟଗୁଡ଼ିକ ଭୂମିରେ ପୋତି ହୋଇଥାନ୍ତା, ତେବେ ସାରା ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥାଆନ୍ତା । ବଡ଼ ବଡ଼ କୋଠା ଓ ହଜାର ହଜାର ଗଛ ନଵରସାରା ଭାଙ୍ଗିପଡି଼ଥାଆନ୍ତା ଏଵଂ ଲକ୍ଷ ଲକ୍ଷ ଲୋକ ଏଥିଯୋଗୁଁ ମୃତ୍ୟୁମୁଖରେ ପଡି଼ଥାଆନ୍ତେ । ମୁଁ ସଙ୍ଗେ ସଙ୍ଗେ ଏଇକଥା ସଚିବଙ୍କୁ କହିଲି ଏବଂ ସେ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇ ଆମ ଏଇ ସୁନ୍ଦର ନଗରକୁ ରକ୍ଷା କଲେ ।”


ଲୋକମାନେ ଆଶ୍ଚର୍ଯ୍ୟ ଅଵିଭୁତ ହୋଇଗଲେ | ସେମାନେ ଭ୍ରଷ୍ଟାଚାର ଓ ଭ୍ରଷ୍ଟାଚାରୀମାନଙ୍କୁ ସମ୍ପୂର୍ଣ୍ଣ ଭୁଲିଗଲେ | ଗୋଟିଏ ଭୟଙ୍କର ଵିପଦରୁ ସେମାନେ ଅଳ୍ପକେ ବଞ୍ଚିଯାଇଛନ୍ତି ଜାଣି ସେମାନେ ରାଜା,ଗଵେଷକ ଓ ସଚିଵଙ୍କୁ ଧନ୍ଯଵାଦ ଜ୍ଞାପନ କରି ଘରକୁ ଲେଉଟିଗଲେ । 


ସେହି ସପ୍ତାହରେ ବ୍ୟାଙ୍କରେ ନିମ୍ନ ଧନରାଶିଗୁଡିକ କିଛି ଲୋକଙ୍କ ନାମରେ ଜମା କରାଯାଇଥିଲା―


ସଚିଵଙ୍କ ପତ୍ନୀଙ୍କ ନାମରେ - 2 ଲକ୍ଷ ଟଙ୍କା ।


ଶ୍ରୀମତୀ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର - 1 ଲକ୍ଷ ।


ଶ୍ରୀମତୀ ଇଞ୍ଜିନିୟର -1 ଲକ୍ଷ ।


ଶ୍ରୀମତୀ ବିଶେଷଜ୍ଞ - 25 ହଜାର । 


ଶ୍ରୀମତୀ ଓଵରସିୟର୍ -5 ହଜାର। 


ପୁଣି ଉକ୍ତ ସପ୍ତାହରେ, 'ଭ୍ରଷ୍ଟାଚାରୀମାନଙ୍କ ଗୁପ୍ତ ସଙ୍ଗଠନ'ର ‛ଧର୍ମଦା’ ଆକାଉଣ୍ଟରେ ନିମ୍ନଲିଖିତ ଅର୍ଥ ଏମନ୍ତ ହିସାବରେ ଜମା କରାଯାଇଥିଲା -


କୁଷ୍ଠରୋଗୀଙ୍କ ସହାୟତା ପାଇଁ ଦାନ - 2 ଲକ୍ଷ ଟଙ୍କା ।


ବିଧବାଶ୍ରମ - 1 ଲକ୍ଷ । 


ଯକ୍ଷ୍ମାରୋଗ ଚିକିତ୍ସାଳୟକୁ - 1 ଲକ୍ଷ ।


ପାଗଳଖାନାକୁ ―25 ହଜାର ।


ଅନାଥ ଆଶ୍ରମକୁ― 5 ହଜାର ଟଙ୍କା । 


(ମୂଳ ରଚନା ― ହରିଶଙ୍କର ପରସାଈ)



Rate this content
Log in

More oriya story from ଶିଶିର ସାହୁ ମନୋଜ

Similar oriya story from Comedy