The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Arabinda Rath

Comedy Drama

3  

Arabinda Rath

Comedy Drama

ବିଜ୍ଞାପନ

ବିଜ୍ଞାପନ

12 mins
625



ଭଲକରି ଦେଖି ନିଅନ୍ତୁ ଏହି ବ୍ଯକ୍ତିଙ୍କର ମୁହଁକୁ। ତାଙ୍କ ଲଣ୍ଡାମୁଣ୍ଡ ଓ ପେଚାପରି ଆଖି ଯୋଡିକୁ। କିଏ ଜାଣେ କେତେବେଳେ ତାଙ୍କ ମୁଣ୍ଡ ଉପରେ ବସ୍,ଟ୍ରକ ବା ଟ୍ରାକ୍ଟର ଚଢି ମୁଣ୍ଡକୁ ରୋହି ମାଛ ଛିଞ୍ଚଡା ପରି କରିଦେବ- -

ନିଜର ସମସ୍ତ ଶକ୍ତି ଖଟାଇ " ଟେଙ୍ଗେଣା କାଉଁରିକାଠି" ଚ୍ଯାନେଲର ସାମ୍ବାଦିକ ପେଞ୍ଚଡରାମ୍ ଚିତ୍କାର କରି ଚାଲିଥାଆନ୍ତି ରାଜରାସ୍ତା ଉପରେ। ତାଙ୍କ ପାଖକୁ ଏକ ପୁରୁଣା କାଳିଆ ଲୁନା ଗାଡିରେ ଆଉଜି ହୋଇ ପୋଲିସ୍ ମାନଙ୍କ ମେଳରେ ଛିଡା ହୋଇଥିଲା ଟେମ୍ପୁ ମାହାଳିକ।


ଟେମ୍ପୁ ମାହାଳିକ ବୋଲି ଦରବୁଢା ଯୁବକ ପାଖରେ ସେମିତି କିଛି ଗୁଣ ନାହିଁ ଯେ ଲୋକେ ତାକୁ ଚିହ୍ନିବେ। କେବଳ ତା ନାମ ଓ ରୂପ ପାଇଁ ସେ ସଇତାନପୁରରେ ଭୀଷଣ ପ୍ରସିଦ୍ଧ। ଆସନ୍ନପ୍ରସବା ଟେମ୍ପୁର ମାତା ଡାକ୍ତରଖାନା ଯିବା ସମୟରେ ହିଁ ଗର୍ଭସ୍ଥ ଶିଶୁ ଅଟୋରିକ୍ସା ସିଟ୍ ଉପରକୁ ଲମ୍ଫପ୍ରଦାନ ପୂର୍ବକ ଜନ୍ମଗ୍ରହଣ କରିଥିଲା। ମାତାପିତା,ବନ୍ଧୁ ପରିଜନ ଓ ଗାଁଆଟା ଯାକର ଲୋକ କୁହାକୁହି ହେଲେ ଯେ ଏ ଶିଶୁଟି ନିହାତି ଭାବରେ ଏକ ଯୋଗଜନ୍ମା ପୁରୁଷ ଭାବରେ ଖ୍ଯାତ ହେବ। ସଂସାରରେ ଥିବା ଅସରନ୍ତି ଜଞ୍ଜାଳକୁ ସମାପ୍ତ କରିବାପାଇଁ ସେ ଏତେ ତରତର ହୋଇ ଧରାବରଣ କଲା। ନହେଲେ ଡାକ୍ତରଖାନା ପରି ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପାଇଁ ଅପେକ୍ଷା ନ କରି ଏକ ଧୁଡୁଧୁଡିଆ ନିଉଛୁଣିଆ ଅଟୋରିକ୍ସା ଭିତରେ କାହିଁକି ବା ଜନ୍ମ ଗ୍ରହଣ କରିଥା'ନ୍ତା। ଶିଶୁର ନାମକରଣ କରିବା ସମୟରେ ବିଭିନ୍ନ ଲୋକ ନାନା ନାମ ବାଛିଲେ। କିନ୍ତୁ ସମସ୍ତଙ୍କ ମୁହଁ ଚୁପ୍ କରିଦେଲା ସଇତାନପୁରର ହେଙ୍ଗୁଳି ପଣ୍ଡା।

ରାଗରେ ସଣସଣ ହୋଇ କହିଲା- - ହୋଃ ମାଲିକେ, ପିଲାଟାକୁ ମୋ ଗାଡି ଭିତରେ ବେଇଦେଲା ପରେ କାଇଁ ମୋ କଥା ତ ଜମାରୁ ମନେ ପଡିଲାନି। ମୋ ଗାଡି ଭିତର ଟା ଏ ରକମ ନାଳ,ରକ୍ତ,ଝାଡାବାନ୍ତିରେ ପଚପଚିଆ କରିଦେଲ ଯେ ଫି ଦିନ ଯାଏଁ ଦୁର୍ଗନ୍ଧରେ ମୁଁ ନିଜେ ଗାଡି ଭିତରେ ପଶି ପାରିଲିନି। ଗାଁଆ ପୋଖରିରେ ନିତି ଦୁଇଓଳି ଗାଧୋଇଲା ପରେ ବି ଗାଡିରୁ ଗନ୍ଧ ଛାଡିଲାନି। ଏବେ ବି ମାଛି ମାନେ ଇଲେକ୍ସନ ଗାଡି ପଛରେ ପିଲା ଦଉଡିଲା ପରି ଭଣଭଣ କରି ଗୋଡଉଛନ୍ତି। ଏତେ ହୀନସ୍ତା କଲା ପରେ ବି ମୋ ଭଡା ବାବଦକୁ ଫଟା ଆହୁଲାଏ ବି ଦେଲନି। ତୁମ ପିଲା ଜନମ ହେବା ଦିନରୁ ମୋ ଟେମ୍ପୁରେ ଜଣେ ହେଲେ ଗରାଖ ଚଢି ନାହାଁନ୍ତି। ମୋତେ ତ ତୁମେମାନେ କିଛି ନ ଦେଇ ଭଲକରି ଦଣ୍ଡି ମାରିଦେଲ ; ଏବେ କିନ୍ତୁ ମୁଁ କିଛି ଦେବାକୁ ଚାହୁଁଛି। ତୁମର ଏ ପେଚାଆଖିଆ ପିଲାର ନାମକରଣଟା ମୁଁ କରିବି। ମୋ ଟେମ୍ପୁରେ ସେ ଜନମ ହେଇଛି ମାନେ ତା ନାମ ଟେମ୍ପୁ ଦିଆଯାଉ। କଣ ରାଜି ତ?

ଭଳି କି ଭଳି ନାମ ବାଛିଥିବା ଲୋକ ମାନଙ୍କର ମୁହଁଟା ଆମ୍ବିଳିଆ ଦିଶିଲା। ଟେମ୍ପୁ ନା ଫେମ୍ପୁ- - ଇଏ କେମନ୍ତ ନାଁଆ ହୋ? ୟା'ପ ପିଲା ଟା ଉପରେ ଦୁନିଆଁ ଯାକର ଲୋକେ ଚଢିବେ ଏମିତିଆ ନାଁଆଦେଲେ। ଏ ନାଁଆ ଧରି ସେ କି ବଡମଣିଷ ହେବ ଯେ ? ଗୁଣୁଗୁଣୁ ହେଲେ କିଛି ଭଦ୍ରଲୋକେ । କିନ୍ତୁ ହେଙ୍ଗୁଳିର ଏକା ଜିଦି ତା ଗାଡିଭଡା ଓ ସଫେଇତି ବାବଦକୁ ଟଙ୍କା ଦୁଇ ହଜାର ଦିଅ ନହେଲେ ନାମ ଟା ନିଅ। ବହୁ ଆଲୋଚନା ପରେ ସ୍ଥିରହେଲା ଯେ ସର୍ବଦା ଦେବା ଅପେକ୍ଷା ନେବା ଟା ଭଲ। ତେଣୁ ଶିଶୁଟିର ପରିବାରବର୍ଗ ଭଲରେ ନାମ ହେଲେ ଓ ଶିଶୁଟିର ନାମକରଣ ହେଲା ଟେମ୍ପୁ।


ପିଲାଟି ଦିନରୁ ଟେମ୍ପୁର ବିଚକ୍ଷଣ ବୁଦ୍ଧିଦେଖି ଲୋକେ ପାଟିମେଲା କରି ରହିଲେ। ଅତି ଅଳ୍ପ ବୟସରୁ ସେ ନିଜ ବୁଦ୍ଧି ବଳରେ ଆଛାଆଛା ଲୋକଙ୍କୁ ପାଣି ପିଏଇଦେଲା। ସ୍କୁଲରେ ପଢିବା ଦିନରୁ ସେ ବେପାର ବଣିଜରେ ମନପ୍ରାଣ ଓଜାଡିଦେଇ ଲାଗି ପଡିଲା। ସ୍କୁଲସାରଙ୍କ ଆମ୍ବବାଡିରୁ ଆମ୍ବଚୋରି କରି ଆଣି ତାଙ୍କୁ ବିକ୍ରିକଲା। ପିଲାଙ୍କ ପେଣ୍ଟସାର୍ଟରେ ବ୍ଲେଡ୍ ମାରି ଚିରାଚିରି କଲା ଓ ବାପର ସିଲେଇ ଦୋକାନରେ ସିଲେଇ କରେଇ ଟଙ୍କା ଟାଣିଲା। ସ୍କୁଲବ୍ଯାଗ୍ ଭିତରେ ବିଡି,ସିଗାରେଟ୍, ପାନଗୁଟୁଖା, ନଖପାଲିସି, ଲିପଷ୍ଟିକ୍, ଚୁଟିବନ୍ଧା ରବର ଆଦି ବୋଝେଇ କରି ଚଢାଦରରେ ସ୍କୁଲପିଲାଙ୍କୁ ବିକ୍ରିବଟା ବି କଲା। ଗାଁଆଲୋକଙ୍କୁ ସାହାଯ୍ଯ କରିବା ଆଳରେ ଟଙ୍କାନେଇ ବଜାର ସଉଦା କଲା ଓ ପାଞ୍ଚକୁ ପଚିଶି କରି ହିସାବ ଦେଲା। ଖୁବ୍ ଅଳ୍ପଦିନରେ ପିଲାଟି ସଇତାନପୁରରେ ଢେର ନାମ କମାଇଲା। ଖାଲି ଶାଠରେ ନୁହଁ ପାଠରେ ମଧ୍ଯ ପିଲାର ଭଲ ନାମ ହେଲା। କପି କରିବାର ଫାଞ୍ଚଶହ ଚଉଷଠିଟି ଉପାୟ ସେ କରାୟତ କରିଥିଲା। ପିଲାମାନେ ତା ପାଖରେ ଟଙ୍କା ଜମା କରି ଦୁଇ ଚାରିଟା କପିବୁଦ୍ଧି ନେଇ ପରୀକ୍ଷାରେ ପାଶ୍ କରିଯାଉଥିଲେ। ସମୟର ଚକ ଗଡି ଚାଲିଲା, ଟେମ୍ପୁର ବାପାମାଆ ଦୁନିଆରେ କରଣୀୟ ସମସ୍ତ କାମଧାମ ସାରି ଉପରକୁ ଟିକଟ କାଟିଲେ। ସେମାନଙ୍କ ଜୀବଦ୍ଦଶା ଭିତରେ ଟେମ୍ପୁର ହାଡୁଆ ଶିରାଳିଆ ହାତରେ ଆଉ ଗୋଟିଏ ହାତ ଛନ୍ଦି ହୋଇ ସାରିଥିଲା। ସେଇ ସଇତାନପୁରର ଏକ ସିଂଘାଣିନାକି କନିଆର ହାତ ଧରି ଟେମ୍ପୁ ଜୀବନ ନଉକା ଆଗକୁ ବାହିବାରେ ମନଦେଲା। ପରିବାର ଭଲରେ ଚଳାଇବାକୁ ବେଶି ଟଙ୍କା ଦରକାର ହେବାରୁ କିଛି ଗୋଟେ ବଡକାମ କରିବାକୁ ଟେମ୍ପୁ ମନସ୍ଥ କଲା। ବହୁତ ଚିନ୍ତା କଲାପରେ ସେ ନିଷ୍ପତ୍ତି ନେଲା ଯେ , ପଛେ ଦୁନିଆରେ ସବୁ କିଛି ବନ୍ଦ ହୋଇ ଯାଇପାରେ ; କିନ୍ତୁ ବାହାଘର ଓ ଶୁଦ୍ଧିଘର କେବେ ବନ୍ଦ ହେବନି। ଏଇ ଦୁଇଟା କାମ ପାଇଁ ସବୁଲୋକଙ୍କର ପକେଟ ଉସୁଆସ ହେବାଟା ଥୟ। ବିଭାଘର ଓ ଶୁଦ୍ଧିଘର କାମ ପାଇଁ ଲୋଡା ଚଉକି ଟେବୁଲ,ସାମିୟାନା,ଲାଇଟ୍,ହଣ୍ଡା କଡେଇ ଡେକଚି,ଦରି,ଗଦି ଆହୁରି କେତେ କଣ, ତା ସାଙ୍ଗକୁ ଭଲ ରୋଷେଇଆ। ଟେମ୍ପୁ ପକ୍ଷରେ ଏସବୁ ଯୋଗାଡଯନ୍ତ୍ର କରିବା ଚୁଟୁକି ମାରିବା ସହିତ ସମାନ। ତା ଲୋକସମ୍ପର୍କ ଅଉଲ ନମ୍ବରର ଥିଲା ଓ ସେ କଥା କହିବା ବେଳକୁ ବାଟୁଳି ବାଜେନି। ତା ସହ କଥା ହେବା ଲୋକ ଦଶ ମିନିଟ୍ ରେ ଦଶଥର ଇନ୍ଦ୍ରଭୂବନ ବୁଲିଆସିବା ଟା ଥୟ। ସମସ୍ତ କଳାକଉଶଳର ସଦୁପଯୋଗ କରିବା ସହ କିଛି ଧାର ଉଧାର କରି ଟେମ୍ପୁ ଏକ ଟେଣ୍ଟହାଉସ ଖୋଲିଲା; ଟେଣ୍ଟ ହାଉସର ନାମ ହେଲା " ଟେମ୍ପରସନ ଟେଣ୍ଟ ହାଉସ ”। କିନ୍ତୁ ବିଚରାର ଭାଗ୍ଯ ଟିକେ କମଜୋର ଥିଲା। ବହୁତ ଧାଁ ଦଉଡ ପରେ ମଧ୍ଯ ବେପାର ଆଶାନୁରୂପ ହେଲା ନାହିଁ। ସେତେବେଳକୁ ସଇତାନପୁର ଗାଁଆରେ ଅନେକ ଟେଣ୍ଟ ହାଉସ୍ ବହୁଦିନ ପୂର୍ବରୁ ନିଧଡକ ବେପାର ଚଳାଇଥିଲେ। ଯେତେ ଯାହା ହେଲେ ବି ଟେମ୍ପୁ ଏ ବେପାର ରେ ନୂଆ। କିଏ ବା ତାକୁ ଚିହ୍ନିବ ନା ବିଶ୍ବାସ କରିବ। ଓ୍ବାଜିବ ଦର ଲଗାଇଲା ପରେ ବି ଲୋକେ ତା ପାଖରୁ ଜିନିଷ ନେବାକୁ କୁନ୍ଥୁକୁନ୍ଥୁ ହେବା ଦେଖି ଟେମ୍ପୁ ମୁଣ୍ଡରେ ଉକୁଣୀ କାମୁଡିବା ଆରମ୍ଭ କଲା।

ବେପାର ଉଦ୍ଦେଶ୍ଯରେ ଗାଁଆମାନକୁ ସୁବିଧାରେ ଯିବା ଆସିବା କରିବା ପାଇଁ ଟେମ୍ପୁ ତା ବାପାର ଲୁନା ଗାଡିକୁ ବ୍ଯବହାର କରୁଥିଲା। ଜୀବନସାରା ଲୁଗାପଟା ସିଲେଇ କରି ବାପା ଏଇ ଲୁନା ଗାଡିଟିକୁ କିଣିଥିଲା। ବାପର ଆୟୁଷ ସିନା ସରିଗଲା କିନ୍ତୁ ସେ ରଙ୍ଗଛଡା ଲୁନାଗାଡିଟି ଏବେ ମଧ୍ଯ ଧାଁ ଦଉଡ କରିବାକୁ ସକ୍ଷମଥିଲା। ବିଲହିଡ,ନାଳ ନର୍ଦ୍ଦମା, ମୋରମବିଛା ରାସ୍ତା, କାଦୁଅ ପଚପଚ ବସ୍ତି ଭିତରକୁ ବଡ ଆରାମରେ ଲୁନାଟି ଫୁଟୁଫୁଟୁ ଶବ୍ଦ କରି ଟେମ୍ପୁକୁ ବୋଝେଇ ମାଡି ଯାଉଥିଲା। ଦରକାର ବେଳେ ହାଣ୍ଡି ଡେକଚି ,ଦରି, ସାମିଆନା ଭିଡା କପଡାଲତା କୁ ମହା ଆନନ୍ଦରେ ଲୁନାଟି ବୋହି ହେଉଥିଲା। ଲୁନାର ତେଲଟାଙ୍କି ପାଖରେ ପେଟ୍ରୋଲଭିଜା କପଡା ଖଣ୍ଡେ ହଲାଇଦେଲେ ବି ସେତିକି ଶୁଙ୍ଘି ଲୁନାଟି କୋଶେ ଦି କୋଶ ମାଡି ଯିବାକୁ ସମର୍ଥ ଥିଲା। କବାଡିବାଲା ହଜାର ଥର ଟେମ୍ପୁକୁ କହିଛି ଲୁନାଟି ତାକୁ ଟଙ୍କା ପାଞ୍ଚଶହରେ ବିକ୍ରି କରିଦେବା ପାଇଁ। ମାତ୍ର ଟେମ୍ପୁ ରାଜି ହୁଏନି, ଏମିତି ଏକ ଚମତ୍କାରୀ ଗାଡିକୁ ଶାଗମାଛ ଦରରେ ଛାଡି ଦେବାପାଇଁ।

ବେପାରରେ ଉନ୍ନତି ଆଣିବା ପାଇଁ ଟେମ୍ପୁ ସହରର କିଛି ବୁଦ୍ଧିଆମୁଣ୍ଡିଆ ଲୋକଙ୍କ ସହ ଆଲୋଚନା କରିବାପରେ ନିଶ୍ଚିତ ହେଲା ଯେ, ବିନା ବିଜ୍ଞାପନରେ ବେପାର ବଣିଜ ଅସମ୍ଭବ। ଆଜିକାଲି ଦୁନିଆରେ ବିଜ୍ଞାପନ ନଦେଲେ ଲୋକେ ଯମରାଜାକୁ ବି ଯାମିଆ ମେହେନ୍ତର ଭାବିବା ଅସମ୍ଭବ ନୁହଁ। କେତେ କାଣି,କୁଜି,ଟେରି,ସେନ୍ତେରି ଝିଅ ମୁହଁରେ ପାଉଡର ମାଖି ରାଜକୁମାରୀ ସାଜୁଛନ୍ତି ଓ ବିକ୍ରି ନ ହେବା ଜିନିଷ ବିକ୍ରି କରେଇ ଦେଉଛନ୍ତି ସେହି ବିଜ୍ଞାପନ ମାଧ୍ଯମରେ। ତାମ୍ପଡା ଶୁଖୁଆ ପରି ଗାଲ, ଗଞ୍ଜାଚୁଟି ପରି କେଶ ଓ ନହନହକା ରୂପଧାରୀ ଭେଣ୍ଡିଆ ମାନେ ଟେଲିଭିଜନରେ ବେଶଭୂଷା ହୋଇ ଏମିତି ବିଜ୍ଞାପନ ମାନ କରୁଛନ୍ତି ଯେ ଦେଖିବା ଲୋକେ ଅତରଛିଆ ଦୌଡି ଆସୁଛନ୍ତି ଜିନିଷ କିଣିବାପାଇଁ। ତେଣୁ କୌଣସି ଏକ ଟେଲିଭିଜନ ଚ୍ଯାନେଲରେ ଟେମ୍ପରସନ ଟେଣ୍ଟହାଉସର ବିଜ୍ଞାପନଟା ଦେଇଦେଲେ, ଲୋକେ ଘର ସାମନାରେ ଧାଡିବାନ୍ଧି ଛିଡାହେବେ ଜିନିଷ ନେବାପାଇଁ। ଘରେ ବୁଢାବୁଢୀ ମରିବା ପାଇଁ ସୁକୁସୁକୁ କରିବା ଅବସ୍ଥାରେ ହିଁ ଶୁଦ୍ଧିଘର ପାଇଁ ଟେଣ୍ଟ ବୁକିଙ୍ଗ ସରିଯିବ। ଟୋକାଟୋକିଙ୍କୁ ଆମ୍ବଗଛ,ବୁଦାମୂଳ, ପାଖରିତୁଠ କି କଲେଜପଛ ପଡିଆରେ ଦେଖିବା ମାତ୍ରେ ହିଁ ଘର ଲୋକେ ହାଜର ହେବେ ଟେମ୍ପରସନ ଟେଣ୍ଟ ହାଉସ ପାଖରେ ବାହାଘର ସକାଶେ ଟେଣ୍ଟ ପାଇଁ। ଏହାଠାରୁ ବଳି ସୁବିଧା କଣ ଥାଇପାରେ!

ବହୁତ ବୁଝାବୁଝି କରିବା ପରେ ଟେମ୍ପୁ ହାଜରହେଲା "ପରଛିଦ୍ର " ଟେଲିଭିଜନ ଚ୍ଯାନେଲରେ। ଏକ ମିନିଟର ବିଜ୍ଞାପନ ପାଇଁ ଚାଳିଶି ହଜାର ଟଙ୍କା ସେମାନେ ହାଙ୍କିଲେ। ବିଚରା ଦର ଶୁଣି ପିଚାମାଡି ତଳେ ଲୋଟିଗଲା। ଏତିକି ପଇସାରେ କେତେ ଜିନିଷ କିଣାଯାଇ ପାରିବ, ଖାଲି ବିଜ୍ଞାପନ ପାଇଁ ଯଦି ଏତେ ଟଙ୍କା ଉଡେଇଦେବ ବେପାର କରିବ ଲେମ୍ବୁଟା। ମନଦୁଖରେ ଗାଁଆକୁ ଫେରିଲା। ବୁଦ୍ଧିଆଲୋକଙ୍କ ପାଖରୁ ଆଉ କିଛି ଟେଲିଭିଜନ ଚ୍ଯାନେଲର ନାମ ସଂଗ୍ରହ କଲା। ଯେମିତି କି "ଅତର୍ଚ୍ଛବାଣୀ” " ବେଙ୍ଗ ସ୍ପିକିଙ୍ଗ ବେଙ୍ଗୁଲୀ ଲିସନିଙ୍ଗ ” "ସତ୍ଯରମ୍ପା ” "ଦାରୁଣ ସମ୍ବାଦ” " କାଣିବିଲେଇ ” "ତିଳ କୁ ତାଳ ” "ନିଉଜ୍ ୟାଡୁସ୍ୟାଡୁ ” । ଟେମ୍ପୁ ସ୍ଥିରକଲା ଯେ ପୁଣିଥରେ ସହର ଯାଇ ଏ ବିଜ୍ଞାପନ ଗଣିତର ସମାଧାନ ନକଲେ ନିସ୍ତାର ନାହିଁ। ଆଗକୁ ବାହାଘର ଋତୁ ମାଡି ଆସୁଛି। ଠିକ୍ ସମୟରେ ବାଇଗଣ ରୋଇଦେଲେ ବାହାଘର ବେଳକୁ ହନ୍ତସନ୍ତ ହେବାକୁ ପଡିବନି।

ମହାଆନନ୍ଦରେ ଟେମ୍ପୁ ଲୁନା ଚଳାଇ ମନଫୁଲାଣିଆ ଗୀତର ଧାର ଛୁଟାଇ ମାଡି ଯିବା ବେଳକୁ, ଜଣେ ନିଶୁଆ ହାବିଲଦାର ତା ଲୁନା ସାମନାରେ ଏକ ପାଞ୍ଚହାତିଆ ଠେଙ୍ଗାଧରି ଛିଡା ହୋଇଗଲା। ସମସ୍ତ ବଳ ଖଟାଇ ବ୍ରେକ ଚାପିବା ପରେ ମଧ୍ଯ ବ୍ରେକ୍ ଧରିଲାନି,ତେଣୁ ଟେମ୍ପୁ ଦୁଇ ଗୋଡକୁ ରାସ୍ତାରେ ଠେବି ଗାଡି ଅଟକାଇବାର ପ୍ରୟାସରେ ଲାଗି ରହିଲା। ତା ମଳିଛିଆ ଚପଲ ଚକମକିଆ ରାଜରାସ୍ତା ଉପରେ ଘଷିହୋଇ ଆନନ୍ଦରେ ସଁ ସଁ ଡାକଦେଲା ଓ ଲୁନାଟି ନିଶୁଆ ହାବିଲଦାର ତୁମ୍ବା ପେଟକୁ ଛୁଇଁବ ନ ଛୁଇଁବ ଅବସ୍ଥାରେ ରହିଗଲା। ଏମନ୍ତ ଦୃଶ୍ଯ ଦେଖି ଝପଟି ଆସିଲେ ପାଞ୍ଚଛଅ ଜଣ ପୋଲିସ ଓ ଟେମ୍ପୁକୁ ଘେରିଗଲେ।

ଜଣେ ହାବିଲଦାର କହିଲା - - ଆରେ ଏ ଲଣ୍ଡାମୁଣ୍ଡିଆର ସାହାସ ଦେଖ। ହେଲମେଟ୍ ପିନ୍ଧିନି, ଗାଡିରେ ବ୍ରେକ ଲାଗୁନି,ନମ୍ବର ପ୍ଲେଟ କୁକୁର ମୁତ ପିଇପିଇ କୋତରି ଯାଇଛି, ଗାଡିର କାଗଜପତ୍ର ଅଛି କି ନାହିଁ ଜଣାନାହିଁ- - ତା ସାହାସ ଦେଖ, ଆମ ହାବିଲଦାର ଭାଇଟି ଗାଡି ଅଟକାଇବାକୁ ଚେଷ୍ଟାକଲା ବୋଲି ତାକୁ ମାରିଦେବା ଉଦ୍ଦେଶ୍ଯରେ ଗାଡି ଚଢାଇ ଦେଉଥିଲା। ଏ ଲୋକ ନିହାତି ଏକ ଆତଙ୍କବାଦୀ ହୋଇଥିବ। ଆମ ପୋଲିସି ବାହିନୀକୁ ମାରି ଆମ ଦେଶରେ ଆତଙ୍କବାଦ କାମ ପାଇଁ ପଡୋଶୀଦେଶର ପ୍ରଧାନମନ୍ତ୍ରୀ ଏ ଲାଣ୍ଡୁ କୁ ନିହାତି ପଠେଇଛି। ଧର ତାକୁ, ମାଡି ବସ। ହୋ ଭାଇମାନେ ତା ସାର୍ଟ କଲାର ଧରି ଘିଞ୍ଚିଆଣି ଗାଲରେ କୀର୍ତ୍ତନ ଓ ପିଠିରେ ମୃଦଙ୍ଗ ବଜାଇବା କାମ ଆରମ୍ଭ କରିଦିଅ ।

କଣ ହେଉଛି ବୋଲି ବୁଝିବା ପୂର୍ବରୁ ଆଉଜଣେ ପୋଲିସ ଟେମ୍ପୁ ପିଚାରେ ବାଉଁଶବାଡି ଖେଞ୍ଚି ପକେଇଲା, ଯେମିତି ସାପ ମାରିବା ସମୟରେ ଲୋକେ ବାଡିରେ ଖେଞ୍ଚାଖେଞ୍ଚି କରି ପକାନ୍ତି। ବିଚରା ଟେମ୍ପୁ ବିକଳରେ " ମୋ ବୋପାଲୋ ମଲି " ରଡି ଛାଡି ଡେଇଁ ପଡିଲା। ଆତଙ୍କବାଦୀ ନାମଟା ଶୁଣି ବୁଢାଳିଆ ପୋଲିସି ଜଣେ କହିଲା - - ୟା'ପ ଆମ ଚାକିରି ସରିବାକୁ ବସିଲା, କେତେ ବଡବଡ ଡନ୍ ଓ ଭଳିକି ଭଳି ଗନ୍ ଦେଖିଛୁ; କିନ୍ତୁ ଆତଙ୍କବାଦୀଟେ ଦେଖି ପାରିଲୁନି। ଦେଖି ଦେଖି ତା ବଦନ ଟିକେ ଦେଖେଇଲ। ହୋଃ ଲଣ୍ଡାମୁଣ୍ଡିଆ ଡାଇଭର,ତୁମ ବଦନ ଟା ଦେଖାନି ଟିକେ।

ଆଉଜଣେ ସୁକୁଟାପେଟିଆ ହାବିଲଦାର କହିଲା-- ବୁଝିଲ ତୁମେ ସବୁ ତୁଚ୍ଛା ଗୋବରିଆ ଗୁଡା। ଲୋକ ଟା ବୋପାଲୋ ମଲି ବୋଲି ରାବ ଦଉଛି, ତୁମକୁ ଶୁଭୁନି ? ତା ମୁହଁ ଦେଖିଲେ ଲାଗୁଛି, ସେ ଜୀବନରେ କେବେ ମଶା ଡାଆଁସଙ୍କୁ ମାରିବାର ସାହାସ କରି ନ ଥିବ। କିନ୍ତୁ ତୁମ ଅଲଜ୍ଯା ମାନଙ୍କୁ ସେ ଆତଙ୍କବାଦୀ ପରି ଲାଗୁଛି - - ନାଇଁ? ଛାଡ ହୋଃ, ପବନାଦଳ। ଆରେ ହେଃ ମାଙ୍କଡମୁହାଁ ଘୁଷୁରି ପିଲା- - ଦେଖା ତୋ କାଗଜପତ୍ର ସବୁ। ଲାଇସେନସ୍, ଫିଟନେସ୍, ପଲ୍ଯୁସନ, ଇନସ୍ଯୁରାନସ୍ ସବୁ ଦେଖା ଗୋଟି ଗୋଟି କରି। ନହେଲେ ଏମିତି ଫାଇନ ହାଙ୍କିବୁ ଯେ ତୋ ନାତି ପଣନାତି ଚାହିଁଲେ ବି ଶୁଝି ପାରିବେନି। ଆଗ କହ ହେଲମେଟ୍ କାହିଁକି ପିନ୍ଧିନୁ?କଣ ତୋ ମୁଣ୍ଡ ଟା ମେଣ୍ଢା ମୁଣ୍ଡ ଠୁ ବି ଟାଣ୍ କି? ଗାଡିର ନମ୍ବର ପ୍ଲେଟ୍ କୁଆଡେ ଗଲା?ମୋତେ ଲାଗୁଛି ଆଜି ତୋ ପାଖରୁ ଅତିକମ୍ ରେ ସତୁରୀ ହଜାର ଟଙ୍କାର ଫାଇନ ଆଦାୟହେବ।

ସି ଅକ୍ଷର ବିବର୍ଜିତ ଟେମ୍ପୁ ଏତେ ଗୁଡାଏ ଇଂରାଜୀଶବ୍ଦ ଶୁଣିଲା ବେଳକୁ ଫାକସିବୁଡ୍ ଅବସ୍ଥାରେ ପହଞ୍ଚି ଯାଇଥିଲା। ତା ଲୁନାର ରଙ୍ଗ ଛାଡି ଖାଲି ଲୁହା କଙ୍କାଳ ଟା ଦିଶୁଥିଲା ଯାହା, ଏପରି ଏକ ଗାଡିର କି କାଗଜପତ୍ର ସେ ରଖିବ। ତା ବାପା ଦିନେହେଲେ କହିନି ଯେ ଗାଡି ଚଳାଇବାକୁ ଲାଇସେନସ ଦରକାର ବୋଲି। ପୁଣି ଗାଡିର କି ଇନସୁରାନସ ଯେ? ସେ କଣ ମଣିଷ ହୋଇଛି ଯେ ମଲା ପରେ ଇନସୁରାନସ ଟଙ୍କା ଘରଲୋକେ ପାଇବେ। ବାକି ରହିଲା ହେଲମେଟ୍ କଥା- - ଗାଁଆରେ ଖରାବର୍ଷାରୁ ରକ୍ଷା ପାଇବାକୁ ଭଲ ଝାମ୍ପିଟାଏ ପିନ୍ଧିଦେଲେ କାମ ତମାମ୍। ଭଲ କଥା କହୁଛନ୍ତି ଏ ପୋଲିସ ବାଲାଏ। ସେ କଣ ସେ ପୁରୁଣା ଝାମ୍ପି ପିନ୍ଧି ସହର ଆସିଥିଲେ ଭଲ ଦିଶିଥା'ନ୍ତା ? ବାକି ରହିଲା ନମ୍ବର ପ୍ଲେଟକଥା। ସେ ମହାନ୍ତିଘର କୁକୁରପଲ ମୁତିମୁତି ନମ୍ବରପ୍ଲେଟର ନମ୍ବର ଲିଭେଇଦେଲେ,ଶେଷକୁ ପୁତ ପିଇପିଇ ବିଚରା ଖୋତରିଗଲା। ଏଥିରେ ତା'ର ଦୋଷ ବା କଣ? ସତୁରୀ ହଜାରରେ କେତେଟା ଶୁନ୍ ବୋଲି ମନେମନେ ହିସାବ କରି ପେଟୁଆ ପୋଲିସ କୁ ଢଳଢଳ ଆଖିରେ ଚାହିଁ ରହିଲା।

ଜଣେ ପୋଲିସ ଟେମ୍ପୁ କାନ ପାଖରେ ଫିସଫିସ କରି କହିଲା- - ବେଶି ଚାଲାକି ନ ଦେଖେଇ ଦୁଇ ହଜାର ଟଙ୍କା ଦେଇ ଦେ, ଛାଡିଦେବି। ଆମ ବଡବାବୁ ଅଳ୍ପ ସମୟ ଭିତରେ ପହଞ୍ଚି ଯିବେ। ସେ ଆସିଲା ପରେ ତୋ ବଇଁଶୀ ଏମିତି ବଜେଇବେ ଯେ ଇନ୍ଦ୍ରପୁର ଯାଏ ଶୁଭିବ। ପକେଟ ଦରାଣ୍ଡି ଟେମ୍ପୁ ମଳିଛିଆ କୋଡିଏ ଟଙ୍କିଆ ନୋଟ ଖଣ୍ଡିଏ କାଢି ପୋଲିସ ହାତକୁ ବଢେଇଦେଇ କହିଲା- - ଏତିକି ପଇସା ଅଛି, ଗାଡିରେ ତେଲ ପକେଇବାକୁ ଆଣିଥିଲି। ଏଡିକି କୁନି ଟଙ୍କାରେ ମଳିଛିଆ ଗାନ୍ଧିମୁଣ୍ଡ ଦେଖି ପୋଲିସବାଲାର ମୁଣ୍ଡକୁ ରାଗ ଚଢିଗଲା। ସେ ଟେମ୍ପୁ ଗାଲରେ ଏକ ଜବରଦସ୍ତ ଖୋବଣୀ ମାରି କହିଲା

- - ଆରେ ହେଃ, କିଏ କୁଆଡେ ଅଛ, ଦୌଡି ଆସ। ଏ ନିମକହାରାମ ମୋ ପରି ଜଣେ ସଫାସୁତର ପୋଲିସିବାଲା ଉପରେ କାଦୁଅ ଫିଙ୍ଗୁଛି। ବାକି ପୋଲିସି ମାନେ କିଛି ବୁଝି ନପାରି ସେହି ବୁଢା ପୋଲିସି ର ସାର୍ଟପ୍ଯାଣ୍ଟରେ କାଦୁଅଛିଟା ଖୋଜିବାରେ ଲାଗିଲେ। ବୁଢା ବିରକ୍ତ ହୋଇ କହିଲା- - ଆରେ ଏ ଶଳା ମୋତେ ଲାଞ୍ଚ ଯାଚୁଛି। ଲାଞ୍ଚ ବାବଦକୁ ଟେମ୍ପୁ ଯାଚୁଥିବା କୋଡିଏ ଟଙ୍କିଆ ନୋଟକୁ ଦେଖି ସମସ୍ତେ ହସିହସି ଭୂଇଁରେ ଗଡିଗଲେ। ଜଣେ ଛିଗୁଲାଇ କହିଲା- - ଯାହା ହେଉ ଏ ଲୋକ ବୁଢାର ଦର ଠିକ୍ କଷିଛି। ମୁଁ ପ୍ରଥମରୁ କହିଛି ପରା ବୁଢା ଦିହମୁଣ୍ଡରେ ଖାଲି ଗୋବର। ଏମିତି ଲୋକ ସାଙ୍ଗରେ କାମ କଲେ ଆମ ଦରଦାମ ବି ଖସିଯିବ।

ସେତିକି ବେଳକୁ ମାଡି ଆସିଲେ " ଟେଙ୍ଗେଣା କାଉଁରିକାଠି" ଚ୍ଯାନେଲର ବରିଷ୍ଟ ସାମ୍ବାଦିକ ପେଞ୍ଚଡରାମ୍। ଚିତ୍କାର କରି ଅଞ୍ଚଳ କମ୍ପାଇଦେଲେ। କ୍ଯାମେରାମ୍ଯାନ କୁ ଇସାରା ଦେଇ ନିଜ ମୁହଁ ପାଖରେ ମାଇକ ରଖି ଚିତ୍କାର କରି କହିଲେ - - -ଦେଖନ୍ତୁ ଏହି ଲୋକକୁ, ଭଲରେ ଥରେ ତା ମୁହଁ ଦେଖି ନିଅନ୍ତୁ। ହେଲମେଟ୍ ନ ପିନ୍ଧି ସେ ଯେଉଁ ଅପରାଧ କରିଛି ତାହା କ୍ଷମାଯୋଗ୍ଯ ନୁହଁ। ଏ ଲୋକ ଯଦି ଦୁର୍ଘଟଣାରେ ମରିଯାଏ ତା ଘରଲୋକେ ଅନାଥ ହୋଇ କାନ୍ଦିକାନ୍ଦି ମରିଯିବେ। ସେମାନଙ୍କ ମୃତ୍ଯୁ ପାଇଁ ଏଇ ସଇତାନ ଦାୟୀ ରହିବ। ସେମାନଙ୍କର ମୃତ୍ଯୁ ହେବନି ବନ୍ଧୁଗଣ, ଏହି ଲୋକ ହେଲମେଟ୍ ନ ପିନ୍ଧି ତାଙ୍କୁ ମାରିଦେବ। ଇଏ ଏକ ନର ହତ୍ଯାକାରୀ ରାକ୍ଷାସ, ସମାଜ ପ୍ରତି ଏକ ଭୟଙ୍କର ବିପଦ। ତା ପାଖରେ କୌଣସି କାଗଜପତ୍ର ନାହିଁ। ସେ ସରକାରଙ୍କୁ ଟିକସ ନ ଦେଇ ବର୍ଷବର୍ଷ କାଳ ଟିକସଫାଙ୍କି ପରି ଭୟାବହ କୁତ୍ସିତ ଅପରାଧ କରିଆସୁଛି। ଆଜି ଦେଶରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଚାଲିଛି ସେଥିପାଇଁ ମଧ୍ଯ ଏହି ଲୋକ ଦାୟୀ। ସ୍କଟଲ୍ଯାଣ୍ଡର ଏକ ରିପୋର୍ଟ ଅନୁସାରେ ଭାରତର ଜିଡିପି ଆଜି ତିନି ବା ଚାରିରେ ପହଞ୍ଚିଛି କେବଳ ଟିକସଫାଙ୍କିବା କାରଣରୁ।

ଭଲରେ ଦେଖି ନିଅନ୍ତୁ ଏ ନରରାକ୍ଷାସର ବିଳାସପୂର୍ଣ୍ଣ ଲୁନାଗାଡିକୁ। ଯେଉଁ ଦେଶରେ ପିଲା ଭୋକ ଓପାସରେ ପ୍ରାଣତ୍ଯାଗ କରୁଛନ୍ତି ସେ ଦେଶରେ ଏମାନଙ୍କ ପରି ନରରାକ୍ଷାସ ମାନେ ଚଳାଉଛନ୍ତି ବିଳାସପୂର୍ଣ୍ଣ ଯାନବାହାନ ଯାହାର ପଲ୍ଯୁସନ ସାର୍ଟିଫିକେଟ୍ ନାହିଁ। ଉଗାଣ୍ଡାରୁ ପ୍ରକାଶିତ ଏକ ଖବର ଅନୁଯାୟୀ ଗାଡିରୁ ବାହାରୁଥିବା ବିଷାକ୍ତଧୂଆଁ କାରଣରୁ ଚୀନରେ କୋରୋନା ପରି ରୋଗ ର ସୃ ଷ୍ଟି ହୋଇଛି। ଚୀନରେ ପୋକମାଛି ପରି ମାରି ଚାଲିଥିବା ଲୋକଙ୍କ ମୃତ୍ଯୁପାଇଁ ମଧ୍ଯ ଏହି ଲୋକ ହିଁ ଦାୟୀ। ଏତିକି ରେ କଥା ସରୁନି ବନ୍ଧୁଗଣ, ଏହି ଲୋକର ଗାଡିରୁ ବାହାରୁଥିବା ଘନକୃଷ୍ଣ ଧୂଆଁ ସକାଶେ ଓଜୋନ୍ ଲେୟାର ଫାଟି ଆଁ ହୋଇଗଲାଣି। ଫଳରେ ସୂର୍ଯ୍ଯର ଅତି ବାଇଗଣି ରଶ୍ମୀ ପୃଥିବୀପୃଷ୍ଟକୁ ଧସେଇ ପଶି ସମସ୍ତ ହିମଖଣ୍ଡ ମାନଙ୍କୁ ତରଳାଇ ପକାଇଲାଣି। ସେଥିପାଇଁ ସମୁଦ୍ର କୂଳଲଙ୍ଘନ କରି ଦେଶର ଅଧାଅଧି ଜାଗା ଗିଳି ସାରିଲାଣି। ନିସନ୍ଦେହରେ କୁହାଯାଇପାରେ ଗ୍ଲୋବାଲ ଓ୍ବାର୍ମିଂ ପାଇଁ ଏହି ଲୋକ ହିଁ ଦାୟୀ। ଗୋଟିଏ ନିଶ୍ବାସରେ ଏତିକି କହିସାରି ସାମ୍ବାଦିକ ଟେମ୍ପୁ ମୁହଁକୁ ଦେଖିଲେ। ବିଜୟସୂଚକ ହସରେ ତାଙ୍କ ମୁହଁ ଟି ଚକମକିଆ ଦିଶିଲା। ଟେମ୍ପୁ ସେସବୁ କଥା ନଶୁଣି କାନ ଉପରେ ଜାକିଥିବା ଏକ ଖଣ୍ଡିଆ ବିଡି ଟାଣିବାରେ ବ୍ଯସ୍ତ ଥିବାର ଦେଖି ସାମ୍ବାଦିକ ରାଗିଗଲେ। ଚିତ୍କାର କରି କହିଲେ- - ଆରେ ହେଃ କ୍ଯାମେରାମ୍ଯାନ୍ ଟିକେ ଜୁମ୍ କରି ଏ ଲୋକର ମୁହଁ ଭଲରେ ଦେଖା। ଦେଖ ଭାଇମାନେ ଏ ଖଳନାୟକକୁ। ପୃଥିବୀକୁ ଧ୍ବଂସ କରିବାକୁ ସେ ପଣ ନେଇ ଆସିଛି ଓ ହେଲମେଟ ନ ପିନ୍ଧି ସେ ନିଜ ଭୟଙ୍କର ଷଡଯନ୍ତ୍ରର ଅୟମାରମ୍ଭ କରୁଛି ଆଜିଠାରୁ। ତା ସାଙ୍ଗକୁ ଧୂମ୍ରପାନ ପରି ସଙ୍ଗୀନ କାର୍ଯ୍ଯକରି ବିଡିଧୂଆଁ ସହିତ କ୍ଯାନସର ଜୀବାଣୁ ଖଣ୍ଡମଣ୍ଡଳରେ ବିଞ୍ଚିଚାଲିଛି। କାଲି ସକାଳେ ଯଦି ଆପଣ,ମୁଁ ବା ଏ ପୋଲିସମାନେ କ୍ଯାନସରରେ ପଡିବା, ତାହାର କାରଣ ମଧ୍ଯ ଏ ଅପରାଧୀର ବିଡିଟଣା ହେବ। ଆପଣମାନଙ୍କ ଟେଲିଭିଜନ ସ୍କ୍ରିନ୍ ରେ ଦିଆଯାଇଥିବା ନମ୍ବର ରେ ଏସ ଏମ ଏସ କରି କୁହନ୍ତୁ- - ଏ ଅପରାଧୀ ପାଇଁ ଉପଯୁକ୍ତ ଦଣ୍ଡ କଣ ହେବା ଦରକାର। ଫାଶୀ ନା ଏନକାଉଣ୍ଟର।

ଟେଲିଭିଜନ ନାମ ଶୁଣି ଟେମ୍ପୁର ଆଖି ଦୁଇଟି ଚମକି ଉଠିଲା। ସେତିକି ବେଳକୁ ସାମ୍ବାଦିକ ତା ମୁହଁ ପାଖରେ ମାଇକ୍ କୁ ଗେଞ୍ଜିଦେଲେ ଓ କ୍ଯାମେରାମ୍ଯାନ୍ କୁ ଇସାରା ଦେଲେ। ପେଞ୍ଚଡରାମ ଟେମ୍ପୁକୁ ସାବଧାନ କରିଦେଇ କହିଲେ- - ଆହେ ଲାଣ୍ଡୁଭାଇ, ଆମ ପ୍ରୋଗ୍ରାମଟା ଲାଇଭ୍ ଚାଲିଛି। ଯାହା କହିବ ଭାବିଚିନ୍ତି କହିବ, ସବୁ ଲୋକ ଦେଖୁଛନ୍ତି ବୋଲି ମନରେ ରଖି ନିଜ କଥା କହିବ।

ଟେମ୍ପୁ ଆଖି ଛଳଛଳ କରି କହିଲା- - ଆଜ୍ଞା ମୁଁ ଟେମ୍ପୁ ମାହାଳିକ, ସଇତାନପୁରରେ ମୋ ଘର। ବଡ କଷ୍ଟରେ ପଇସା ଯୋଗାଡ କରି ଏକନମ୍ବର ଟେଣ୍ଟ ହାଉସଟେ କରିଛି। ବାହାଘର, ଶୁଦ୍ଧିଘର ପାଇଁ ଯାହା ଦରକାର ସବୁ ଜନିଷ ମୁଁ ଓ୍ବାଜିବ୍ ଦରରେ ଯୋଗେଇଦେବି। ଆପଣଙ୍କ ସେବା କରିବାର ସୁଯୋଗ କେବଳ ଥରେ ମାତ୍ର ଦିଅନ୍ତୁ। ମୁଁ ଗ୍ଯାରେଣ୍ଟି ଦେଉଛି ଯେ ବଜାରଦରରୁ କମ୍ ଦରରେ ଜିନିଷ ଯୋଗେଇଦେବି।

- - ଆବେ ହେଃ, ପାଗଳଟା କିରେ। ମୁଁ ଆଗରୁ କହିଲି ପରା ଯେ ପ୍ରୋଗ୍ରାମ୍ ଟା ଲାଇଭ୍ ଚାଲିଛି, ଲକ୍ଷଲକ୍ଷ ଲୋକ ଦେଖୁଛନ୍ତି। ପାଗଳଙ୍କ ପରି କଣ ଗପୁଛୁ? ତୋ ଅପରାଧ ବିଷୟରେ କହ, କାହିଁକି ଏ ଘୋର ଅପରାଧ କରିବାକୁ ସ୍ଥିର କଲୁ କହ, କିଏ ସବୁ ଏ ଷଡଯନ୍ତ୍ରରେ ସାମିଲ ଅଛନ୍ତି ସେମାନଙ୍କ ନାମ କହ। କହି ଉଠିଲେ ପେଞ୍ଚଡରାମ ଓ ପୁଣି କ୍ଯାମେରାମ୍ଯାନକୁ ଇସାରାଦେଲେ ଟେମ୍ପୁ ଆଡକୁ କ୍ଯାମେରା ଜୁମ୍ କରିବାକୁ ।

କହୁଛି ଆଜ୍ଞା, ଏଥର ଭଲରେ କହିବି। ଆଜ୍ଞା ମାନେ, ମୋର ଆପଣ ମାନଙ୍କୁ ହାତଯୋଡି ନିବେଦନ, ମୋତେ କେବଳ ଥରେ ସେବାର ସୁଯୋଗ ଦିଅନ୍ତୁ। ଯାହାଘରେ ମୁଁ ଥରେ ବାହାଘର ପାଇଁ ଜିନିଷ ଦେବି ତା ଘରେ ଶୁଦ୍ଧିଘର ହେଲେ ସବୁ ଜିନିଷ ମାଗଣାରେ ଯୋଗାଇଦେବି। ଏ ସୁବର୍ଣ୍ଣ ସୁଯୋଗ ହରାନ୍ତୁ ନାହିଁ। କେବଳ ଥରେ ସଇତାନପୁରର ଟେମ୍ପୁକୁ ସେବା କରିବାକୁ ଦିଅନ୍ତୁ।

ଆରେ , ଏ ଶଳାଟା ପୁରା ପାଗଳ ବୋଧେ। ଛାଡ- - - ଲାଇଭ୍ ପ୍ରୋଗ୍ରାମ ଟା ସବୁ ଲୋକେ ଦେଖି ସାରିବେଣି। ରାଗରେ ଜର୍ଜରିତ ହୋଇ କହିଲେ ପେଞ୍ଚଡରାମ୍।

ଜଣେ କନେଷ୍ଟବଳ ଟେମ୍ପୁକୁ କାନ ପାଖେ କହିଲା ବଡବାବୁ ଡାକୁଛନ୍ତି ଜଲଦି ଆସେ।

- - ଝିଅ ବାହାଘର ପାଇଁ ଚାରିଆଡେ ଖୋଜିଖୋଜି ଟେଣ୍ଟ ଜିନିଷ ପାଉନି। ଆଉ ଦୁଇଦିନ ପରେ ବାହାଘର। ବିଭାଘର କାମ ତୁ କରିପାରିବୁ ? କହିଲେ ବଡବାବୁ।

- - ଆହା, କି ଭାଗ୍ଯ ମୋର ମହାପ୍ରଭୋ। ନିହାତି କରିବି, ମୋତେ ଟିକେ ଛାଡିଦେଲେ ଏଇ ସାଙ୍ଗେସାଙ୍ଗେ ଗାଁଆକୁ ଯାଇ ଜିନିଷପତ୍ର ଲଦି ସଞ୍ଜବେଳକୁ ଆପଣଙ୍କ ଘରେ ପହଞ୍ଚି କାମ ଆରମ୍ଭ କରି ଦିଅନ୍ତି। ଖୁସିରେ ଗଦଗଦ ହୋଇ କହିଲା ଟେମ୍ପୁ।

ପେଡାଲ ମାରି ଲୁନା ଷ୍ଟାର୍ଟ କଲା ଟେମ୍ପୁ ଓ ପେଞ୍ଚଡରାମଙ୍କୁ କହିଲା - - ଆଜ୍ଞା ଆପଣଙ୍କୁ ମୁଁ ଜୀବନରେ କେବେ ଭୁଲିବିନି। ଆପଣଙ୍କ ଦ୍ବାରା ହୋଇଥିବା ବିଜ୍ଞାପନ ପାଇଁ ମୁଁ ବାହାଘରର ପ୍ରଥମ ଅର୍ଡର ଟା ପାଇଲି। ପେଞ୍ଚଡରାମ୍ ରାଗରେ ଜର୍ଜରିତ ହୋଇ ବଡବାବୁଙ୍କ ଆଡକୁ ଦେଖିଲେ ଓ ବଡବାବୁ ତାଙ୍କୁ କହିଲେ - - ଆରେ ଗରିବଲୋକଟା, କିଛି ଜାଣିନି। ତାକୁ ଫାଇନ ନ କରି ଛାଡି ଦେବା ଟା "ଗୋଟେ ପ୍ରକାର ଖୁସି ଆଉ"।

ଲୁନାଟି ଗଡିବାକୁ ଆରମ୍ଭ କରିଛି କି ନାଇଁ ପରଛିଦ୍ର ଟେଲିଭିଜନର ସାମ୍ବାଦିକା ନାକଫୋଡି ସାମନ୍ତରାୟ ଟେମ୍ପୁ ଅଟକାଇ କହିଲେ- - ଆଜ୍ଞା ମୁଁ ଆପଣଙ୍କ ଦୁଃଖ ବୁଝିପାରୁଛି। ଆପଣଙ୍କୁ ଓ ଗାଡିକୁ ଦେଖିଲେ ଲାଗୁଛି ଲକ୍ଷେ ଟଙ୍କାର ତଣ୍ଡ ଗଣିଥିବେ। ତଥାପି ଆପଣ ହସୁଛନ୍ତି। ଆପଣଙ୍କ ପ୍ରତିକ୍ରିୟା ନେବାକୁ ଚାହୁଁଛି। ଏବେ ଏ ପ୍ରୋଗ୍ରାମ ଦେଖୁଥିବା ଲୋକଙ୍କୁ କିଛି କହିବାକୁ ଚାହିଁବେ? ପ୍ରଥମେ କୁହନ୍ତୁ ଆପଣଙ୍କୁ କେମିତି ଲାଗୁଛି?

ମନଖୋଲା ହସଟେ ହସି ଟେମ୍ପୁ କହିଲା- - ଆଜି ମୋତେ ବହୁତ ଖୁସି ଲାଗୁଛି,କୋଟିନିଧି ପାଇବା ମନେ ହେଉଛି। ଲୋକମାନଙ୍କୁ ମୋର ଅନୁରୋଧ ଯଦି କେତେବେଳେ ଏମିତି ପରିସ୍ଥିତିିରେ ପଡିଥିବା ବେଳେ ଟେଲିଭିଜନ ବାଲା ଆପଣଙ୍କ କଟା ଘାଆରେ ଲୁଣ ଢାଳିବାକୁ ଆସିବେ, ଆପଣମାନେ ବ୍ଯସ୍ତ ନ ହୋଇ ନିଜ ଜିନିଷର ବିଜ୍ଞାପନ କରିଦେବେ। କିଛି ନ ହେଲେ ବହୁତ ଟଙ୍କା ବଞ୍ଚିଯିବ।

- - ବିଜ୍ଞାପନ??କଣ କହୁଛନ୍ତି ଆପଣ?ବ୍ଯସ୍ତ ହୋଇ ପଚାରିଲେ ନାକଫୋଡି ମ୍ଯାଡାମ୍।

ସେତେବେଳକୁ ଟେମ୍ପୁ, ଲୁନାରୁ ଧୂଆଁ ଉଡାଇ ମନଫୁଲାଣିଆ ଗୀତର ଝରଣା ବୁହାଇ ସେ ସ୍ଥାନରୁ ଅନ୍ତର୍ଦ୍ଧାନ ହୋଇ ସାରିଥିଲା।



Rate this content
Log in

Similar oriya story from Comedy