ଭୁବନେଶ୍ୱର
ଭୁବନେଶ୍ୱର
ମୟୁରଭଞ୍ଜରୁ ବାହରି ପ୍ରଥମଥର ଅଶ୍ୱିନୀ ଭୁବନେଶ୍ୱର ଅଭିମୁଖେ ଯାଇଥାଏ ଡାକ୍ତରୀ ପ୍ରବେଶିକା ପରୀକ୍ଷାପାଇଁ l
ବସ ଝର୍କାରୁ ବଡ଼ସହର,ଗାଡି ମଟର, ମଲ, ବିଲଡିଂ, ଶିଳ୍ପସଂସ୍ଥା, ହୋଟେଲ, ଅଟ୍ଟାଳିକା ଆଉ ଚାକଚକ୍ୟ ଦେଖି ତାର ଅକଲ ଗୁଡ଼ୁମ l କିଛି ସମୟପାଇଁ ସ୍ମୁତି-ବିଭ୍ରମର ଶିକାର ହୋଇଗଲା ସେ l ବାଟି ହଜମ କରିଥିବା ପାଠ ସାଠ କିଛି ଆଉ ମନେ ପଡ଼ୁ ନଥାଏ ତାର l
ବୋଉର କାକାପୁଅଭାଇ ଶରତ ମିଶ୍ର ଓଡିଶା ସରକାରଙ୍କ ଅଧୀନସ୍ଥ ଜଣେ ବଡ଼ ପ୍ରଶାସନିକ ଅଧିକାରୀ l ପୂର୍ଵରୁ ଫୋନରେ ହେଇଥିବା କଥା ଅନୁଯାଇ ବାଣୀବିହାରରେ ଓଲ୍ହାଇ ତାଙ୍କ ଘରକୁ ଯିବାପାଇଁ କ୍ୟାବ ବୁକ କଲା ଅଶ୍ୱିନୀ l
ଦେଖିଲା ଜଣେ ବାପ ବୟସର ଭଦ୍ରବ୍ୟକ୍ତି ଆସି ଗାଡି ଠିଆକଲେ l ଧଳାରଙ୍ଗର ସୁଜୁକି ସୁଇଫ୍ଟ l ପକେଟରୁ ଟିପାଖାତାକାଢି ଅଶ୍ୱିନୀ ମାମୁଁଙ୍କ ଆଡ୍ରେସ ବଢ଼ାଇ କହିଲା,
- ମଉସା ନମସ୍କାର l ଏଇଠିକୁ ନେଇଚାଲ l
କୌଣସି ଯାତ୍ରୀଙ୍କଠାରୁ 'ନମସ୍କାର' ରୂପକ ସମ୍ମାନର ବ୍ୟାଜଟିଏ ପାଇ ନଥିବା ଲୋକଟି ମୁହଁରେ ହସର ବିଜୁଳିଟିଏ ଖେଳିଗଲା l ସାମାନ୍ୟ ଡ୍ରାଇଭରରୁ ମଉସା ଡାକ ଶୁଣି ଭାବିଲା ହଠାତ କିଏ ତାକୁ ଆଉ ପାହାଚେ ଉପରକୁ ଚଢାଇଦେଲା ସତେକି? ଅଚାନକ ଛାତିଏ ଖୁସି ଭରିଗଲା ମନରେ l ଅନ୍ୟ ରାଜ୍ୟକୁ ଚାକିରୀ ଅନ୍ୱେଷଣରେ ଯାଇଥିବା ନିଜ ପୁଅର ପ୍ରତିଛବି ଦିଶିଗଲା କ୍ଷଣିକ ପାଇଁ l ପିଲାଟି ପ୍ରତି କାହିଁ କେଜାଣି ପ୍ରଥମରୁହିଁ ଗୋଟେ ଆତ୍ମୀୟତା ସୃଷ୍ଟି ହୋଇଗଲା ଡ୍ରାଇଭର ମନରେ l ମାଟିର ଭୋଳାପଣ ଆଉ ଆତ୍ମୀୟତା ମୁହଁରେ ନେଇ ଆସିଛି ପିଲାଟି କେଉଁଠୁଁ l ପ୍ରତି ନମସ୍କାର କରି କାରରେ ଜିନିଷ ପତ୍ର ରଖିଲା ପରେ ଗାଡି ଆଗେଇଲା l
ଏତେ ବଡ଼ ଜାଗାକୁ ଆସିବି କାହିଁକେଜାଣି ନିଜ ଗାଁ, ନିଜ ପରିବେଶ, ନିଜ ଲୋକଙ୍କ କଥା ଭିତରେ ଭିତରେ ବେଶୀ ବେଶୀ ମନେ ପଡ଼ୁଥାଏ ଅଶ୍ୱିନୀର l ସଞ୍ଜହେବା ସହ ଅନେକ ଦୂରରେ ଥିବା ବଡ଼ସହରଆଡ଼େ ଖାଦ୍ୟପାଇଁ ଚାଲି ଯାଇଥିବା ବାୟାଚଡେଇ ମନରେ ତୁଳନାତ୍ମକ ଚିନ୍ତାଧାରା ଘନୀଭୂତ ହୋଇଯାଏ ଯେପରି l ନହନହକା ସଜନାଗଛରେ ଝୁଲୁଥିବା କାଠିକୁଟାର ଛୋଟିଆ ବସାଟି ଛଡା ଆଉ ସବୁ ପରଲାଗନ୍ତି ତାକୁ l ଗୋଟେ ଉଡାଣରେ ପହଁଞ୍ଚି ଯାଆନ୍ତାକି ନିଜ ବସାରେ ଏହିକ୍ଷଣି !
ଡ୍ରାଇଭର ମଉସା ପଚାରିଲେ,
-କଉଠୁ ଆସିଛ ବାବୁ?
ଭାବନାରାଜ୍ୟରୁ ଫେରି ଆସିଲା ଅଶ୍ୱିନୀ l
ବାପା ତାକୁ କହିଥିଲେ,
କେହି ନିଜଆଡୁ କଥା ନହେଲେ ଚୁପଚାପ ହୋଇ ବସିବାକୁ ଆଉ ଉପରେ ପଡି କଥା ନ ହେବାକୁ l ସେଥିପାଇଁ ଚୁପ ହୋଇ ପୁରା ପାଞ୍ଚ ମିନିଟ ତ ସାରିଦେଇଥାଏ l ଏଥର ସବୁ ନିୟମ କାନୁନ ଭୁଲିଗଲା l
- ମୋ ଘର ମୟୁରଭଞ୍ଜ l ଆପଣଙ୍କର?
- ଏଇ ଭୁବନେଶ୍ୱର ବାବୁ l ନହରକଣ୍ଟା l ମୁଁ ଗଲା ପଚିଶ ବର୍ଷହେଲା ଗାଡି ଚଲେଇ ଅନେକ ଜାଗା ଯାଇଛି l ହେଲେ ଏ ମୟୁରଭଞ୍ଜ କେବେ ଯାଇନାହିଁ l କେମିତିକା ଜାଗା କହିଲେ ଆପଣଙ୍କ ମୟୁରଭଞ୍ଜ ଜିଲ୍ଲା?
- ତିରିଶଟି ଜିଲ୍ଲା ଭିତରୁ ମୋ ଭୂମି ମୟୁରଭଞ୍ଜ ଓଡିଶାର ସବୁଠାରୁ ବଡ଼ ଜିଲ୍ଲା ବୋଲି ଜାଣିଥିବ ନିଶ୍ଚିତ l ଗଞ୍ଜାମ, କଟକ ପରେ ଆମ ଜିଲ୍ଲାର ଜନସଂଖ୍ୟା ସବୁଠୁ ଅଧିକ l
- ମୁଁ ମୁରୁଖ ନୋକ ବାବୁ, ଏତେକଥା ମୁଁ କି ଜାଣେ? ପାଠ ପଢୁଆ ପିଲା ତୁମେ l ତୁମ ମା' ବାବା କଣ କରନ୍ତି ?
- କରଞ୍ଜିଆର ଏକ ଉ. ପ୍ରା. ବିଦ୍ୟାଳୟରେ ବାପା ମୋର ହେଡ଼ ମାଷ୍ଟର ଆଉ ସେଇ ସ୍କୁଲରେ ମା' ଇଂରାଜୀ ଅଧ୍ୟାପିକା l
ଆସନ୍ତୁ କେବେ ଆମଏଠିକି ମଉସା, ନିଜେ ଜାଣିଯିବେ l ଆପଣଙ୍କ ଏ ଭୁବନେଶ୍ୱର ପରି ନୁହେଁ ଆମ ଜିଲ୍ଲା l ଆମ ଜିଲ୍ଲାର ଶାନ୍ତ ସ୍ନିଗ୍ଧ ପରିବେଶ ଖୁଵ ମନୋରମ l ପ୍ରାକୃତିକ ସୌନ୍ଦର୍ଯ୍ୟର ଓଢଣୀ ତଳେ, ଶିଳ୍ପୀ ନିହାଣ ମୁନରେ ଖୋଦେଇ ଦେଇଛି ଅନାବିଳ ମୁହଁଟିଏ ଯାହାର ନାଁ ହେଲା ମୟୁରଭଞ୍ଜ l ଆପଣଙ୍କୁ ଲାଗିବ, ମେଘକୁ ଦେଖି ଘନନୀଳ ସବୁଜିମାର ପର ମେଲାଇ ନୃତ୍ୟରତା ମୟୁରଟିଏ ଯେପରି l ଆମ ଜିଲ୍ଲାରେ ଦେବକୁଣ୍ଡ, ଜୋରନ୍ଦା, ଲୁଲୁଙ୍ଗ ବାରମ୍ବାର ଆକର୍ଷିତ କରେ ପର୍ଯ୍ୟଟକ ମାନଙ୍କୁ l ରାସ୍ତା ଉଭୟପଟୁ ମେଘୁଆ ଆକାଶର ଭ୍ରମ ସୃଷ୍ଟି କରୁଥିବା ବିସ୍ତିର୍ଣ ଶାଳ ପିଆଶାଳ ଜଙ୍ଗଲ, ଆଖିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ଛାତିରେ ନିଶୁକ୍ଳ ଅମ୍ଳଜାନ ଭରିଦିଏ l ତା'ମଝିରେ ଅପସରାର ବେଣୀ ପରି ଲମ୍ବି ଯାଇ ଥାଏ ଗୋଟିଏ ନଦୀ, ଯାର ନାଁ ପଳପଳା ନଦୀ l ସେ ବେଣୀ ଭିତରେ କଳା ଚୁମକି ପରି ସୂର୍ଯ୍ୟକିରଣରେ ଝିଲମିଲ କରୁଥିବା ଖୁନ୍ଦିଖୁନ୍ଦି ମୁଗୁନି ପଥର l ଆଃ, ଦଣ୍ଡେ ବସି ତା ଶୋଭାକୁ ଆଖିରେ ପି' ଯିବା ଜୀବନ ପିଇବା ସଙ୍ଗେ ସମାନ l
ଆଉ ହଁ ମଉସା , ଆମ ବୁଢାବଳଙ୍ଗ ନଦୀ କଥାତ ଶୁଣିଥିବେ ? ସେଥିରୁ ଉଠୁଥିବା ଜଳୀୟବାଷ୍ପର କୁହୁଡିଆ ଧୂଆଁ ତୁମକୁ ସ୍ବପ୍ନପୁରୀ ପରି ଲାଗିବ l ସେଥିରେ ଯୋଡାଏ ରଶି ଲେଖା ପାହାଡ଼ ଶିଖର
ତଳକୁ ଫିଙ୍ଗି ଦେଇଥିବା ଶିମିଳିପାଳର ବରେହିପାଣି ଜଳପ୍ରପାତ ଦେଖିଲେ ରୋମଟାଙ୍କୁରୀ ଉଠିବା ସ୍ୱାଭାବିକ l ଜଙ୍ଗଲ, ନଦୀ, ଡ଼ଙ୍ଗର ଗୁମ୍ଫା ଆଦି ଭିତରେ ବାଘ ବାଘୁଣୀ, ଜାତି ଜାତିକା ପଶୁ ପକ୍ଷୀ ବିଭିନ୍ନ ପ୍ରଜାତିର ସରୀସୃପ ଆଦି ନିଜ ଆଶ୍ରୟ ନିର୍ମାଣ କରି ରହିଛନ୍ତି l ଭାରି ବିପଦସଂକୁଳ ପରିବେଶ l କେବେ କେବେ ଗେଷ୍ଟ ହାଉସରେବି ବାଘ ପଶିଯାଆନ୍ତି l କେବେ ଆସିଲେ ମୋ ଘରକୁ ଆସିବେ ନିଶ୍ଚୟ l ଏତେଦିନ ରହଣି ଭିତରେ ଭୁବନେଶ୍ୱକୁ କେମିତି ଆପଣ ଚି଼ହ୍ନନ୍ତି ମଉସା ?
ହସିଦେଲେ ଡ୍ରାଇଭର ମଉସା ପିଲାଟିର ପ୍ରଶ୍ନ ଶୁଣି l ଏଡ଼େ ସରଳ ମନ, କଣ କହିବେ ତାକୁ? କେବଳ ଖର୍ଦ୍ଦି,ବିକ୍ରୀରେ ଚାଲିଥିବା ଦାମୀ ସହରର କଥା?
ଭୁବନେଶ୍ୱର... ବଡ଼ ଲୋକଙ୍କ ସହର l ଏଠି ଦିନ ଦି ଘଡିରେ ଏତିକି ଭିଡ଼ ହୁଏନି ଯେତିକି ରାତି ଦି ଘଡିରେ l ଏଠି ସୌନ୍ଦର୍ଯ୍ୟ ଆଉ ଆନ୍ତରିକତା ସବୁ ତ ଅପ୍ରାକୃତିକ ! ପିଲାଟା l ସେ କଣ ବୁଝି ପାରିବ ଜାନୁଆରଙ୍କ ଠୁଁ ମଣିଷ ଅଧିକ ମାରାତ୍ମକ ବୋଲି? ସ୍ୱାର୍ଥରେ ଆଞ୍ଚ ଆସିଲେ ମଣିଷ ମଣିଷର ତଣ୍ଟି କାଟିବାକୁ ପଛାଏନି ଏଠି l
ତଥାପି ଛେପ ଢ଼ୋକି କହିଲେ,
-ଭୁବନେଶ୍ୱର କଥା କଣ ଆଉ କହିବି ବାବୁ? ଆପଣଙ୍କ ଜିଲ୍ଲା ପରି ଏଠିବି ଭିନ୍ନ ଭିନ୍ନ ପ୍ରଜାତିର ଜୀବ ମିଳିବେ l ଯେମିତିକି ଶାସକ, ମନ୍ତ୍ରୀ, ଅଭିନେତା, ପ୍ରଶାସକ , ଅଫିସର, ଶିଳ୍ପପତି ଅନେକ ବଡ଼ ବଡ଼ ଲୋକଙ୍କୁ ନେଇ ମୁଖ୍ୟତଃ ଏ ସହର l ସେଥିରେ ଆମେ ଛୋଟମାଛ ପରି l ଏଠି ମଲ ବି ପାଇବେ, ଲିଙ୍ଗରାଜ ମହାପ୍ରଭୁଙ୍କୁ ବି l ଯାହା ଖୋଜିଲେ ତା' ପାଇବେ, ଖାଲି ପକେଟ ଭରିଥିବା ଦରକାର l ଷ୍ଟାଡିଅମ, ବଡ଼ ବଡ଼ କମ୍ପାନୀ, ବହୁତଳ ବିଶିଷ୍ଟ ନଭତ୍ସଚୁମ୍ବି ଅଟ୍ଟାଳିକା, ସଂଗ୍ରହାଳୟ, ଖଣ୍ଡଗିରି, ଶାନ୍ତିସ୍ତୁପ ,ନନ୍ଦନକାନନ, ମୁକ୍ତେଶ୍ୱର, ରାଜରାଣୀ ମନ୍ଦିର, ପାର୍କ, ବଜାର ଆଦି ଏଠାର ଅନ୍ୟତମ ଆକର୍ଷଣ l ତାହା ଛଡା ଶିକ୍ଷା, ପ୍ରଯୁକ୍ତିବିଦ୍ୟାର କେନ୍ଦ୍ର ଏଇ ରାଜଧାନୀଟି ବିଷୟରେ ଯେତେ କହିଲେ ସେତେ କମ l
ନିଜେ ଖାଉ ଖାଉ ଅନ୍ୟ ଏକ ଖାଦ୍ୟ ପୁଡିଆଟିଏ ଏତିକି ବେଳେ ବଢ଼େଇ ଦେଇଥାଏ ଅଶ୍ୱିନୀ ଡ୍ରାଇଭର ମଉସାଙ୍କୁ l
-ନିଅନ୍ତୁ l ଖାଇ କହିଲେ ମୋ ବୋଉ ହାତର ବାସ୍ନା କେମିତି?
ବିନମ୍ର ଭାବରେ ନାହିଁ ନାହିଁ କଲେ ମଧ୍ୟ କିଛି ଶୁଣୁ ନଥାଏ ପିଲାଟି l ମନ ରଖିବାକୁ ତା ହାତରୁ ପୁଡିଆଟି ନେଇ ରାସ୍ତା ଉପରକୁ ଲକ୍ଷ କଲେ ଡ୍ରାଇଭର ମଉସା l ସେ ଦେଇଥିବା ଠିକଣାଟି ପାଖେଇ ଆସିଲାଣି l ପଚାରିଲେ,
-ଏଠି କେତେଦିନ ରହିବ ବାବୁ ? ଖିଆପିଆ, ରହିବା ଆଦି ବ୍ୟବସ୍ଥା କଉଠି ଠିକ କରିଛ ?
- ମୁଁ ଏଠି ଦଶଦିନ ରହିବି ମଉସା l ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଆସିଛି l ଶରତ ମାମୁଁ ବହୁତ ବଡ଼ଲୋକ l ତାଙ୍କଘର ବହୁତ ବଡ଼ l ଚାକର ବାକର ମାଇଁଙ୍କୁ କିଛି କରିବାକୁ ଦିଅନ୍ତିନି l ପିଲାଦିନୁ ତାଙ୍କ ବାପା ମାନେ ବୋଉର କକେଇ ଚାଲିଯିବାରୁ ମୋ ବାପାବୋଉଙ୍କ ପାଖରେ ରହି ସେ ଦଶମ ଯାଏ ପଢିଥିଲେ l ମୋତେ ଦେଖିଲେ ଗୋଡ଼ ତଳେ ଲାଗିବନି ତାଙ୍କର l ତାଙ୍କଘରେ ରହି ପରୀକ୍ଷା ଦେଇ ଭୁବନେଶ୍ୱର ବୁଲାବୁଲି କରି ଫେରିବି l କହିଲା ବେଳେ ଛାତି ଚଉଡ଼ା ହୋଇଯାଉଥାଏ ଅଶ୍ୱିନୀର l
- ଆଛା ଆଛା l
ଦୁଇ ତିନୋଟି ଲୋକଙ୍କୁ ପଚାରିଲା ପରେ ଶେଷରେ ଗାଡି ଗଡି ଗଡି ଗୋଟେ ବଡ଼ ସରକାରୀ କ୍ୱାର୍ଟର ଆଗରେ ଆସି ଠିଆ ହେଲା l ଗେଟ ଖୋଲି ସିକ୍ୟୁରିଟି ଆସିଲା l ତାକୁ ପଚାରି ବୁଝିଲେ ଠିକଣାଟି ସଠିକବୋଲି l ଫୋନରେ ଯୋଗାଯୋଗ ପରେ ଭିତରକୁ ଯିବାପାଇଁ ଅନୁମତି ଦେଲା l
ଆଖିରେ ଆଖିଏ ଭର୍ତ୍ତି ଉତ୍ସାହ ନେଇ ଅଶ୍ୱିନୀ ଚାଲିଗଲା ଏଥର ଭିତରକୁ l ଲଗେଜ କାଢି ଖୁସିରେ ବିଦାୟ ଦେଲେ ଡ୍ରାଇଭର ମଉସା l
ସେଠୁ ଅଳ୍ପ ଆଗରେ ଗୋଟାଏ ବଡ଼ ଗଛ ଛାଇ ଦେଖି ପାର୍କ କଲେ l ପୁଡିଆ ଭିତରେ ଦେଖିଲେ ଛେନା ନଡ଼ିଆ ପୁର ଦିଆ ଘିଅ ସରସର କାକରା ଆଉ ଅଳେଇଚ ଗୁଜୁରାତି ବାସ୍ନା ରେ ମହ ମହ ବସୁଥିବା ଘର ପୋଡପିଠା l ଦୁଇ ପିସ ସେଥିରୁ ଖାଇ ବିଶ୍ରାମ ନେଲେ l କିଛି ସମୟ ପରେ ଅନ୍ୟ ଗ୍ରାହକ କିଏ ମେସେଜ କରିଛନ୍ତି ଭାବି ଚାହିଁଲା ବେଳକୁ ଅଶ୍ୱିନୀ ମୁହଁ ଶୁଖେଇ ଫେରିଆସୁଥାଏ l
ଆଶ୍ଚର୍ଯ୍ୟର ସହିତ ଚାହିଁ ରହିଲେ ପିଲାଟିକୁ l
ଆଗରୁ ଫୋନ ପାଇ ଅଶ୍ୱିନୀ ଆସିବ ଜାଣିଥିଲେ ଶରତ ମାମୁଁ l ତଥାପି କେବଳ ଔପଚାରିକତାପୂର୍ଣ୍ଣ ପଦ କେଇଟି ପରେ ଚା, ବିସ୍କୁଟ ଯାଚି ଶେଷରେ କହିଲେ,
- ଆଛା ମୁଁ ଏବେ ଅଫିସ ବାହାରୁଛି l ତୁମେ ଭୁବନେଶ୍ୱରରେ ରହିବା ଭିତରେ କେବେବି ଆଉଥରେ ଆସି ମାଇଁ, ପିଲାଙ୍କୁ ଦେଖା କରିପାର l ଏବେ କେହି ଘରେ ନାହାନ୍ତି l ଆସିବ ଆଉ କେବେ ହେଲା, ଭୁଲିବନି l ନାନୀ ଭାଇନାଙ୍କୁ ପ୍ରଣାମ କହିବ l ଆସ ମୁଁ ତୁମକୁ ତଳେ ଛାଡିଦେଇ ଅଫିସକୁ ବାହାରିବି l ଏତିକି କହି କାହାକୁ ଫୋନ କରୁ କରୁ ମୋ ସହ ତଳ ଯାଏ ଆସି ଗାଡିରେ କୁଆଡେ ଚାଲିଗଲେ l
ବୋଉ ଦେଇଥିବା ବାଡ଼ି ପାରିବା, ମୁଢି, ଛତୁ, ଛେନାଗଜା, ପୋଡ଼ପିଠା, କାକରା ଭର୍ତ୍ତି ଭାରି ବ୍ୟାଗକୁ ଚାହିଁ ରହିଥାଏ ଅଶ୍ୱିନୀ ସେମିତି l ତାର ଅଲୋଡ଼ାପଣ ଏବେ ହାତକୁ ବିନ୍ଧୁଥାଏ l ଆପଣା ଲୋକଙ୍କୁ ସିଡ଼ିକରି ଉପରକୁ ଚଢିଗଲା ପରେ ସେମାନଙ୍କୁହିଁ ଅଦରକାରୀ ବୋଲି ଠେଲିଦେବା ସ୍ୱାର୍ଥପର ମଣିଷର ସ୍ଵଭାଵ l ବହି ଭିତରୁ ଅନେକ ପାଠକୁ ଆୟତ୍ତ କରିଥିବା ମଣିଷ ବିବେକଜ୍ଞାନ ପଢିବାକୁ ଭୁଲି ଯାଆନ୍ତି l
ମୁହଁରେ କସମେଟିକର ପରସ୍ତ , ତାରରେ ଚପା ନିଖୁଣ ଦାନ୍ତ, କ୍ରିମମଖା ଆଇରନ ଦିଆ କଡ଼କଡ଼ିଆ ସିଧାଚୁଟି କରି ସୁନ୍ଦର ପରିଧାନରେ ମାନବିକତାହୀନ ଏକ ଉଦ୍ଧତ ଯୁବତୀଟିଏ ପରି ଭୁବନେଶ୍ୱର କ୍ରମେ ଅସୁନ୍ଦରୀ ଦିଶୁଥିଲା ଅଶ୍ୱିନୀକୁ ଏଥର l
ମନ ଭିତରେ ବୁଦ ବୁଦ ହୋଇ ଫୁଟୁଥିବା ନକାରାତ୍ମକ କଳ୍ପନାକୁ ସବୁ ମନରେହିଁ ସମାଧୀ ଦେଇ କହିଲା,
-ମଉସା, ମାମୁଁ ମାଇଁତ ବାଧ୍ୟ କରୁଥଲେ l କିନ୍ତୁ ତାଙ୍କଘରେ ଦେଖିଲି ଲୋକବାକ ଭର୍ତ୍ତି, ତାଙ୍କ ଶାଳୀଙ୍କର ନିର୍ବନ୍ଧ l ଘରେ ତାଙ୍କର ବା' ଘରିଆ କୁଣିଆ l ଭାବିଲି , ଏତେ ହାଉଜାଉରେ ପଢ଼ିବି କେମିତି? ଅଳ୍ପଦିନ ପାଇଁ କିଛି ହଷ୍ଟେଲ କି ମେସ ଆଦିର ବ୍ୟବସ୍ଥା ହେଇ ପାରିବନି ? ଟିକେ କମ ଖର୍ଚ୍ଚରେ?
ହସି ହସି ମଉସା କହୁଥିଲେ,
- ହଷ୍ଟେଲ କି ମେସ କାହିଁକିରେ ବାବୁ? ମୋ ଘର ପଡିଛି l ମୋ ପୁଅ ବାହାରେ ଚାକିରୀ କରୁଛି l କେବଳ ମୁଁ ଆଉ ମାଉସୀ l ଘରେ ଫୋନ କରି କହିଦିଅ ତୁମେ ଆମ ସହ ରହୁଛ ବୋଲି l ଛୋଟ କୁଡ଼ିଆ ହେଲେବି ବହୁତ ଶାନ୍ତି ଆମ ଘରେ l ନିଶ୍ଚିନ୍ତ ହୋଇ ପଢା ପଢି କରିବ l
ନାହିଁ ନାହିଁ କଲାଠୁଁ ମୁହଁ ଶୁଖାଇ କହିଲେ,
- ମଉସା ଡାକୁଛ, ଅଥଚ ଘରକୁ ଆସୁନା? ହଁ କାହିଁ ଆସିବ, ମୁଁ ତ କେବଳ ଡ୍ରାଇଭରଟିଏ l
ଅଶ୍ୱିନୀ ଆଖିରୁ କୃତଜ୍ଞତାର ଦୁଇଟୋପା ଲୁହ ଥପ ଥପ ହୋଇ ଖସି ପଡିଲା l ଡ୍ରାଇଭର ମଉସା ଆଦରରେ କୋଳଇ ନେଲେ ତାକୁ l
ରାଜରାସ୍ତାରୁ ଓଲ୍ହାଇ ଗାଡି କାଦୁଆ ରାସ୍ତାରେ ଭୁବନେଶ୍ୱର ଉପରାନ୍ତର ତଳିଆ ବସ୍ତି ଆଡକୁ ଗଡୁଥିଲା l କେବଳ ଗୋଟିଏ ପରିସ୍ଥିତିକୁ ଆଧାର କରି ଭୁବନେଶ୍ୱରକୁ ନିନ୍ଦା କରିବାର ଅଶ୍ୱିନୀର ଭାବନା ସତରେ କେଡେ ଭୂଲ ଥିଲା ?
ନା..ନା, ଭୁବନେଶ୍ୱର ସତରେ ବଡ଼ ଲୋକଙ୍କ ଜାଗା l ଖୁଵ ବଡ଼ ହୃଦୟ ଏ ସହରର l ମାତ୍ର କେଇପଦ କଥାରେ ଆପଣାର କରିଦିଏ ସଭିଙ୍କୁ l ପାଠ ପଢିବାକୁ ସୁଯୋଗ ସୁବିଧା ଦିଏ l ରୋଜଗାରକ୍ଷମ ବନାଏ l ଦୂର ଦୂରାନ୍ତର କେଉଁ ଅଜଣା ଲୋକଙ୍କୁବି ପାଛୋଟି ନିଏ l ଦୁଇ ଅଜଣା ଲୋକଙ୍କୁ ସମ୍ପର୍କସୂତ୍ରରେ ବାନ୍ଧି ପକାଏ l ଯେମିତି ଅଶ୍ୱିନୀ ଆଉ ଡ୍ରାଇଭର ମଉସାଙ୍କ ଭିତରର ସମ୍ପର୍କ l
