Soumya Shubhadarshinee

Romance Tragedy

3  

Soumya Shubhadarshinee

Romance Tragedy

ଭକୁଆ

ଭକୁଆ

6 mins
3.7K


ଚମତ୍କାର ଇନ୍ଦ୍ରିୟାନୁଭୁତି ସେ ଦୃଶ୍ୟର ଆବିର୍ଭାବ। ଉଦ୍ଧତ ଆସ୍ଫାଳନ ଆଉ ଉନ୍ନତ ରୂପ ଲାବଣ୍ୟର ପେରଫେକ୍ଟ ଯୁଗଳ ବନ୍ଦୀ । ପରିଚିତ ସଂଜ୍ଞା ଠୁ ଭିନ୍ନ । ବୁଲେଟ ଚଢି ଆସୁଥିବା ଅନିନ୍ଦ୍ୟ ସୁନ୍ଦରୀ ଝିଅ ।

ସେତିକି କେବଳ ସେତିକି ଜଣା ତାକୁ। ସବୁଦିନ ଠିକ ଘଣ୍ଟା ସହ ପ୍ରତିଯୋଗିତାରେ ସାମିଲ ହେଇ ଜିତିଯାଏ ସେ ଝିଅ । ୯ ଟା ୧୫ ରୁ ୧୬ ବି ହୁଏନି ତା'ର। ଆଉ ଠିକ ସେଇ ମାହେନ୍ଦ୍ର ବେଳାରେ ତା' ବୁଲେଟ ଆସି ଠିଆ ହୁଏ ଗୋଟେ ଚା' ଦୋକାନ ଆଗରେ । ସେ ଚା' ପିଏ , କିନ୍ତୁ ପ୍ରକୃତରେ ସେ ତା' ଭୂଗୋଳ ଠୁ ଭିନ୍ନ ଭୂଗୋଳ ଖୋଜେ ଚା' ଭିତରେ। ସେ ଚିରହରିତ ବଣ୍ୟ ସମ୍ପଦ ହେଲେ ଚା' ଟା ସାହାରା ମରୁଭୂମି। ପୁରା ଶୁଷ୍କ ନୀରସ, ଚିନି ଲୁଣ କିଛି ନାହିଁ। ଖାଲି ନାଲି । ଇସ୍ ଏତେ ରସବତୀ ଲଳନା ଏମିତି ସ୍ୱାଦହୀନ ପେୟ କାହିଁକି ???

ଏଇ ଅନୁସନ୍ଧାନରୁ ତା'ର କାହାଣୀର ଅୟମାରମ୍ଭ। ଝିଅଟି ବୁଲେଟରେ ଆସୁଥିବା ଦୃଶ୍ୟ- ଲୋଭନୀୟ, ଉଦ୍ଧତ ରଙ୍ଗ ଆଉ ପୋଷାକ-ଆକର୍ଷଣୀୟ, ମଦାଳସୀ ରୂପ - ସମ୍ମୋହକ କିନ୍ତୁ ଏମିତି ବେରସିକ ଚା' - ସତରେ ହୃଦୟ ବିଦାରକ।

ତାକୁ ଜଣା ଆଜି କାଲିର ନଖରା । ଡାଏଟିଂ କରି ସ୍ଲିମ ହେବାର ହଜାରେ ଫୋର୍ମୁଲା। ବ୍ଲାକଟି କି କଫିର ରାଜୁତି , ଖାସ୍ କରି ସୁନ୍ଦରୀ ମହଲରେ। ସେମାନେ ବୟସ ଆଉ ସମୟକୁ ଜିତି ଯିବାକୁ କରୁଥିବା ପ୍ରବଳ ପ୍ରଚେଷ୍ଟା ବିଷୟରେ। ତମାମ ଜୀଵନ ଷୋଡ଼ଶୀ ହେଇ ବଞ୍ଚିବା ମୋହରେ। ଖାଦ୍ୟର ପ୍ରଲୋଭନ ଏଡେଇ ଦେଇ କୃଶାଙ୍ଗୀ ହେବାର ଦୁର୍ବାର ଇଚ୍ଛାରେ। ଏସବୁ ଏବେ ଭାରି ଜରୁରୀ ।

ପଛେ ମଣିଷ ଦିନ ଦରିଦ୍ର ହେଇଥାଉ କିନ୍ତୁ ଯଦି ସ୍ଲିମ ଲାଗୁଛି ତେବେ ପୁରା ସହର ତା ପିଛାରେ। ବିଚରା ଭୋକ ଉପାସ ରେ ଦୁର୍ବଳ ହେଇଥାଉ ପଛେ ସଭିଏଁ ତାକୁ ବିସ୍ଫାରିତ ଆଖିରେ ଦେଖନ୍ତି ବିକଳ ହେଇ । କିନ୍ତୁ ଯଦି କୋଟିପତି ଝିଅଟି ସ୍ଥୂଳକାୟ ବପୂବତୀ ତେବେ ଦେଖଣାହାରୀର ଆଖିରେ ମୋତିଆବିନ୍ଦୁର ପରଳ ମାଡିବାକୁ ଟିକେ ବି ଡେରି ହୁଏନି ।ଏସବୁ ବିଲକୁଲ୍ ଅଵଶ୍ୟକତା ଆଜିର ସମୟର। ନହେଲେ ସୁନ୍ଦରୀର ପ୍ରକୃତ ସଂଜ୍ଞା ପ୍ରତିପାଦିତ ହେଇପାରିବ ନାହିଁ। ସୁନ୍ଦରୀ ମାନେ କ୍ରୁଶାଙ୍ଗୀ ଏଇଟା ଆଜିର ସ୍ଲୋଗାନ।

**********

ତା'ର ଭାରି ଇଚ୍ଛା ହୁଏ ସେ ସୁନ୍ଦରୀ ଠିକ ତା' ପରି ସୁନ୍ଦର ଚା' କପଟେ ପିଉ। ମଲେଇ ମରା , ମିଠା , ତୃପ୍ତ ପାନୀୟ ଯାହା ସିଧା ତା' ହୃଦୟକୁ ଛୁଇଁ ଯାଉ ।

ଚା' ନୁହେଁ ଯେମିତି ଅମୃତ , ସେମିତି ସ୍ୱାଦଟେ ମିଳୁ। ସେଇ ରାସ୍ତା କଡ଼ ଦୋକାନ ନୁହେଁ ଗୋଟେ ଶୀତ ତାପ ନିୟନ୍ତ୍ରିତ ସୁଦୃଶ୍ୟ କାଫେଟାରିୟାରେ ଲା' ଓପାଲା କପ ସେଟ ସହ ହଜୁ। ଆଉ ଠିକ ତା' ପାଖ ଚେୟାରଟା ଅକ୍ତିଆର କରୁ ସେ ନିଜେ। ପରିଚିତ ଇପ୍ସିତ ହେଇ ପିଉ ସେ ଝିଅକୁ ଧରେଇ ଦେଇ ଗୋଟେ କପ ଲାଞ୍ଚ । ସେଇ ମିଠା ଚା' ର ପ୍ରବାହ ଯେବେ ଝିଅଟିର ଓଠ, ଗଳା ପୁଣି ହୃଦୟ ଛୁଇଁ ଅବରୋହଣ କରୁ ତା' ଶରୀରର ପ୍ରତିଟି କୋଣ ଅନୁ କୋଣରେ ସେ ଉଲ୍ଲସିତ ହେଉ । ସେଇ ଉଲ୍ଲାସର ଛିଟା ଛୁଇଁ ଯାଉ ତା' ମନକୁ । ଝିଅଟି ସାଜୁ କୋମଳ ଲଳନା। ତା' ଲାଗି ରାସ୍ତା କଡ଼ , କାଚ ଗିଲାସ ନାଲି ଚା' ନୁହେଁ । ସେ ଝିଅ କିଛି ଖାସ୍ , କେବଳ ବିଶେଷ ମୁହୂର୍ତ୍ତରେ ତା' ଭଳି ବିଶିଷ୍ଟ ମଣିଷଙ୍କ ଲାଗି ଉଦ୍ଦିଷ୍ଟ।

ଆଉ ଗୋଟେ କାହାଣୀ ବି ଖିଅ ଧରେ ମନେ ମନେ । ଝିଅଟିର ହାତରେ ବୁଲେଟର ହ୍ୟାଣ୍ଡେଲ ଶୋଭା ପିଏନି। ସେଠି ଗୋଟେ ଛୋଟ ପରିବର୍ତ୍ତନ ଲୋଡ଼ା। ମାନେ ଝିଅଟି ସୁନ୍ଦର ଚୁଡି , କି ବ୍ରେସଲେଟ ବା ଚିକମିକ ବ୍ୟାଣ୍ଡଟେ ପିନ୍ଧି, ପୋଷାକକୁ ମ୍ୟାଚ କରି ନେଲପଲିସ ଲଗେଇ ସାଜି ସୁଜି ଆସୁ। ସେ ହେଇଯାଉ ବୁଲେଟ ଚାଳକ ଆଉ ଝିଅଟି ହେଉ ମାଲିକାଣୀ । ସେଇ କୋମଳ ହାତ ଯୋଡ଼ାକ ଦେଉ କେବଳ ଆଲିଙ୍ଗନର ପ୍ରତ୍ୟାଶା ବାସ ଆଉ କିଛି କାମ ନକରୁ। କାରଣ ଯେବେ ଏମିତି ହାତରେ ଚା' କପ ଧରିବ ସେ କପ ବି ପଡିଯିବ ଝିଅର ପ୍ରେମରେ। ତା ପରେ ଚା’, ତା ପରେ ଚିନି, ପୁଣି ମଲେଇ ଆଉ ଶେଷରେ ଚା' ପିଓଉ ଥିବା ସେ । ମୋଟା ମୋଟି ଗୋଟେ ସଫଳ ପ୍ରେମ କାହାଣୀ ପାଇଁ ହାତ ଦୁଇଟା ଶକ୍ତ , ଶିରାଳ ନୁହେଁ ସ୍ନିଗ୍ଧ କୋମଳ ହେବା ଜରୁରୀ!.....

***

ବହୁତ ହେଇଗଲା, ଏବେ ନାମକରଣ ପର୍ଵ ଜରୁରୀ। ହଁ ସୁନ୍ଦରୀ ଝିଅର ନାଁ ଗୋଟେ ଖୋଜିବାକୁ ହେବ ନିଶ୍ଚିତ। ଯେଉଁ ଝିଅକୁ ନେଇ ଏତେ କଳ୍ପନା ଜଳ୍ପନା ତାର ନାଁଟା ବି ଯଦି ଜାଣି ହେବନି ତେବେ ସେ ଭକୁଆ ନାମରେ ନାମିତ ହେବ ନିଶ୍ଚିତ ।

କିନ୍ତୁ ଏଇଠି ଅସୁବିଧା , ପୂର୍ବ କାମ ସବୁ ଭାରି ସହଜ। ମନେ ମନେ କାହାକୁ ନେଇ କିଛି ବି ଚିନ୍ତା କରିହୁଏ । ସ୍ୱପ୍ନ ଦେଖି ହୁଏ। ବିଶ୍ୱ ପରିଭ୍ରମଣ ରେ ଯାଇ ହୁଏ । ହେଲେ ଯେବେ ବାସ୍ତବତା ଆସେ ସେଠି ଦେଖାଯାଏ ହଜାରେ ପ୍ରତିବନ୍ଧକ। କିନ୍ତୁ ବିନା ପ୍ରତିବନ୍ଧକରେ କି କେହି କିଛି ହାସିଲ କରିଛି ନା କରିପାରିବ! ପ୍ରତି ପ୍ରେମ ପ୍ରସଙ୍ଗରେ କିଛି ରୋମାଞ୍ଚ ରହିବା ଖୁବ୍ ଜରୁରୀ ।

***

"ଏକ୍ସୟୁଜ ମି,ମ୍ୟାଡ଼ମ୍ " ଟିକେ ବିନମ୍ର ହେଇ କହିଲା ସେ । ଜଣା ନାହିଁ ତାକୁ ଝିଅଟି କେମିତି ପ୍ରତିକ୍ରିୟା ପ୍ରକାଶ କରିବ । କଥା ହେବ କି କେବଳ ଗୋଟେ ବେପରୁଆ ଚାହାଣୀ ଫେରେଇ ଚାଲିଯିବ। ପ୍ରକୃତରେ କିଛି ବି କହିବା ସମ୍ଭବ ନୁହେଁ । ତେଣୁ ବିନମ୍ର ହେବା ଜରୁରୀ । ଟିକେ ସାମାଜିକ ସାମାଜିକ ଲାଗେ ମଣିଷ ଆଉ ଭରସା ଆସିଯାଏ ଝିଅର। ଏଇଟା ଗୋଟେ ଫର୍ମୁଲା।

କିନ୍ତୁ ବଡ଼ ବିଚିତ୍ର! ଝିଅଟି କଥା ହେବା ଦୂର ଅନେଇକି ଦେଖିଲା ବି ନାହିଁ। ଅଧିକନ୍ତୁ ପୂରା ଚା'ଟା ଶେଷ ନକରି ଚାଲିଗଲା ଦ୍ରୁତ ଗତିରେ ବୁଲେଟ ଉଡେଇ ତା' ଛାତି ଉପରେ । ଯେମିତି ତା' ଟ୍ରେନ ଫେଲ ହେଇଯିବ କି ଆଉ!

ବେକାର୍ ହେଇଗଲା ପ୍ରଥମ ପ୍ରୟାସ ! ଟିକେ ଖରାପ ଲାଗିଲା କିନ୍ତୁ ସେ ନିଜ ହିମ୍ମତ ହରେଇଲା ନାହିଁ । ନିଜକୁ ପ୍ରସ୍ତୁତ କଲା ପୁଣି ଆଗାମୀ ଦିନ ପାଇଁ।

ପୁଣି ସେଇ ପ୍ରୟାସ ଲାଗି ପାଗ ଭିଡି ଆଗାମୀ ଦିନକୁ ପ୍ରତୀକ୍ଷା କଲା । ଆଜି କିନ୍ତୁ ଆଉ ବିନମ୍ର ନୁହେଁ ଟିକେ ଅଧିକ କିଛି କରିବାର ପ୍ଲାନ ଥିଲା। ମାନେ ଟିକେ ବାଦାନ୍ୟ ହେଇ ଚା'ଟେ ଅଫର୍ କରିବାର ଆଇଡିଆ ପ୍ରୟୋଗ କରିବାକୁ ଯାଉଥିଲା ସେ।

କିନ୍ତୁ ବେଳା ଭଲ ନଥିଲା ତା'ର , ଗାଡି ଟା ମାନେ ବୁଲେଟ ନୁହେଁ ତା' ପ୍ରିୟ ଟି.ଭି .ଏସ୍ ଲୁନାଟା ରୁଷିଗଲା । ଏମିତି ରୁଷିବା ତାର ଗୋଟେ ସ୍ଵତନ୍ତ୍ର ପ୍ରବୃତ୍ତି। କାରଣ ବହୁ ବର୍ଷ ସାଥିରେ ରହି ସେ ଟିକେ ସ୍ତ୍ରୀ ପରି ହେଇଯାଇଥିଲା। ପୁରୁଣା ଆଉ ଘସରା । ତେଣୁ ତା' ପାୱାର କମି ଯାଇଥିଲା କିନ୍ତୁ ନଖରା ବଢି ଯାଇଥିଲା। ସ୍ତ୍ରୀ ନୂଆ ନୂଆ ଭାରି ଭଲ ଲାଗିଲା ପରି ଦିନେ ଏଇ ଲୁନାଟା ଥିଲା ଖାସ୍। କିନ୍ତୁ ଏବେ ସେ ହେଇ ଯାଇଥିଲା ଗୋଟେ ବୋଝ । ବିଚରା ନା ଛାଡି ପାରୁଥିଲା ନା ରଖିକି ଶାନ୍ତି ପାଉଥିଲା। କିନ୍ତୁ ବିକଳ୍ପ ନଥିଲା ଅଦ୍ୟାବଧି। ହେଲେ ଆଜି ଏଇ ଗାଡିଟା ବିଲକୁଲ ଭଲ କାମ କଲାନି। ସାଉତୁଣୀ ସାଜି ଆଜି ପରି ପବିତ୍ର ଦିନରେ ଧୋକା ଦେଲା ଛି!..

.......

ବିତିଗଲା ମାହେନ୍ଦ୍ର ବେଳା ଗଡ଼ବଡ଼ ହେଇଗଲା ସବୁ ପ୍ଲାନ। ନିନ୍ଦିଲା ସେ ପ୍ରଥମେ ଗାଡି ପରେ ଭାଗ୍ୟ ଦିଇଟାଙ୍କୁ। କିନ୍ତୁ ଏତିକି ପର୍ଯ୍ୟାପ୍ତ ନୁହେଁ , ତାର ଯେ ଗୋଟେ ବିଶେଷ ସନ୍ଧାନ ବାକି ଅଛି। ସେଥିପାଇଁ ନିଜକୁ ପୂରା ସଠିକ ଭାବେ ପ୍ରସ୍ତୁତ କରିବାକୁ ହେବ। ଟିକେ ଶୁଭ ବେଳା ଦେଖି ଅଭିଯାନଟା ଆରମ୍ଭ କଲେ ସୁଫଳ ମିଳିବ । ଏଇ ପ୍ରେରିପ୍ରେକ୍ଷୀରେ ସେ ନିଜ ଜନ୍ମ ଜାତକ ଖେଳେଇ ଦୁଇ ଦିନ ପରର ଗୋଟେ ସର୍ଵମଙ୍ଗଳ ବେଳା ଆବିଷ୍କାର କଲା । ସେଇ ଦିନ ନିଜ ପ୍ରେମକଳ୍ପରେ ସ୍ୱୀକୃତିର ମୋହର ଲଗେଇକି ଛାଡିବାର ଦୃଢ଼ ନିଶ୍ଚୟ କରି ପକେଇଲା।

***

ଏଥର କିନ୍ତୁ ଇନ୍ଦ୍ରଙ୍କ ପଦ ଟଳମଳ ହେଲା। ଝିଅଟି କ’ଣ ତାଙ୍କ ପ୍ରେରିତ ରମ୍ଭା ନା ଉର୍ବଶୀ ଯେ ତାକୁ ସୁରକ୍ଷା ଦେବା ଚକ୍କର ରେ ସେ ଅବିରତ ବର୍ଷା ଆରମ୍ଭ କରିଦେଲେ। ଯା , ଏ ପାଗରେ କି ପ୍ରେମ । ତାର ପୁଣି ଅଛି ପ୍ରବଳ ଥଣ୍ଡା ଆଲର୍ଜି , ଭିଜିଲେ ଛିଙ୍କି ଛିଙ୍କି ଛୁଙ୍କ ବାହାରି ଯାଏ। ନା ଜମା ନୁହେଁ ଯଦି ସେମିତି ଛିଙ୍କ ଟା ଚାଲୁ ହେଇଯିବ ଝିଅଟା ତ ଝିଟିକି ପଡିବ ଆଉ କଥା କଣ ହବ । ଛୁଟି କରିଦେଲା ସେ ତା' ଅଭିଯାନ। ଛଟପଟ ଦେହ ମନ ନେଇ ପଡି ରହିଲା କେବଳ।

କିଛି ଅପଦେଵତା ତା' ପଛରେ ଗୋଟେ ଦୁଷ୍ଟ ଷଡ଼ଯନ୍ତ୍ର କରିବା ଆରମ୍ଭ କରିଛନ୍ତି ବୋଲି ବୁଝିଗଲା ସେ। ଏବେ ପରବର୍ତ୍ତୀ ପଦକ୍ଷେପ ପୂଜା ପାଠ , ଅପଦେଵତା ମାନଙ୍କ ଲାଗି। ସେତକ ସାରି ଯିବ ଆଉ ସଫଳ ହେବ ଏଇ ଆଶାରେ ବିତିଲା ଦିନ।

ଯା ହେଉ ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଆସିଲା ଗୋଟେ ମହାର୍ଘ୍ୟ ଦିନ। ପ୍ରେମର ଅୟମାରମ୍ଭ ପୂର୍ବରୁ ଗୋଟେ ଛୋଟ କାଟିଆ ବୀରହ ପ୍ରସଙ୍ଗ ଲେଖା ସାରିଥିଲା ତା' ନିଜ ପୃଷ୍ଠାରେ। ବିଚ୍ଛେଦ ପରର ତୀବ୍ର ଆଲୋଡନ ଥିଲା ହୃଦୟରେ ଆଉ ଟିକେ ଏକାତ୍ମ ହେବାର ମିଠା ମୋହ।

***

ସଜ ବାଜ ହେଇ ସେ ତା' ବୁଲେଟ ସୁନ୍ଦରୀ ପାଇଁ ଆଖି ବିଛେଇ ବସି ରହିଲା। ହେଲେ କାହାକୁ ଅପେକ୍ଷା କରିବା ବଡ଼ ଯନ୍ତ୍ରଣା ଦାୟକ। ଲାଗୁଥିଲା ଯେମିତି ଘଣ୍ଟା ଚାଲୁନି ୯:୧୫ ହେଉନି ଜମା। ସୂର୍ଯ୍ୟ ବି ଅଳସୁଆ ହେଇ ଚାଲୁନି ବିଲକୁଲ।

ଯା’ ହେଉ ସରିଲା ପ୍ରତିକ୍ଷୀତ ମୁହୂର୍ତ୍ତ। ଆସିଲା ବୁଲେଟର ଦୃଶ୍ୟ ଧୂଆଁ ଉଡେଇ ମନ ଚହଲେଇ। କିନ୍ତୁ ଯେତେ ନିକଟତର ହେଲା ବୁଲେଟ ସେତେ ଦୁଖୀ ଦୁଖୀ ଲାଗିଲା ତାକୁ। ହୃଦୟରେ ଯେମିତି କଣ୍ଟା ଫୋଡି ହେଇଗଲା। ମନ କୋଣରେ ଯେମିତି କିଏ ଗୋଟେ ନିଆଁ ଲଗେଇ ଦେଲା। ବିଚରା ଜଳି ପୋଡି ଗଲା ପ୍ରେମ କଳ୍ପ। ରୁଗୁ ରୁଗୁ ପୋଡିଲା ସବୁଠି। ଆହା ! ଲୁହ ସନ୍ତେଇ ଗଲା ଆଖିରେ। ଏକଦମ୍ କାନ୍ଦି ପକେଇଲା ସେ । ରୁମାଲ ଖଣ୍ଡକ ଯେଉଁଥିରେ ମେଞ୍ଚେ ଅତର ଛିଞ୍ଚି ଆଣିଥିଲା ସେଇଟା ଲୁହ ଶିଙ୍ଘାଣିରେ ଜୁଡୁବୁଡୁ ହେଇଗଲା।

ସୁନ୍ଦରୀ ଆଜି ଅପ୍ସରୀ ଲାଗୁଥିଲା । ହାତରେ ଥିଲା ରଙ୍ଗୀନ ଚୁଡି ଆଉ ମସ୍ତ କୋମଳତା । ଦିଶୁଥିଲା ତାକୁ ସ୍ପଷ୍ଟ ଯେ ତା' କଳ୍ପନା ସତ୍ୟ ହେଇଛି ସୁନ୍ଦରୀ ସ୍ନିଗ୍ଧ କୋମଳ ଲାଗୁଛି। ହେଲେ ତା' ନିଜ ପୋଷ୍ଟଟା ଅକ୍ତିଆର କରିନେଇଛି ଜଣେ ଦୁର୍ବୁତ୍ତ।ସେ ଗୋଟେ ଝକାସ ହିରୋ। ସୁନ୍ଦରୀ ହସି ହସି ଲୋଟି ପଡୁଥିଲା ସେଇ ହିରୋ କାନ୍ଧ ଉପରେ। ଆଉ ଛୁରୀ ଚଲେଇ ଦେଲା ତା' ଛାତିରେ।

ପ୍ରୀତି କଳ୍ପରେ ଆରୋହଣ ଥିଲା ଯେତିକି ରୋମାଞ୍ଚକର ସେଥିରୁ ଅଵରୋହଣ ଥିଲା ସେତିକି ମର୍ମନ୍ତୁଦ।

ସୌମ୍ୟା


Rate this content
Log in

Similar oriya story from Romance