Narendra Prasad Behera

Classics

2  

Narendra Prasad Behera

Classics

ଭକ୍ତ ପ୍ରହ୍ଲାଦ ଭଗବାନ

ଭକ୍ତ ପ୍ରହ୍ଲାଦ ଭଗବାନ

5 mins
555


ଭାଗଵତ କଥା--୩୧


ଭକ୍ତ ପ୍ରହ୍ଲାଦ ଭଗବାନ ନରସିଂହ ଦେବଙ୍କୁ କି ବର ମାଗିଲେ-


   ପୂର୍ବ କାଳରେ ହିରଣାକ୍ଷ ଓ ହିରଣ୍ଯକଶିପୁ ନାମରେ ଦୁଇଜଣ ଅସୁର ଭାଇ ଥିଲେ । ଭଗବାନ ବରାହ ମୂର୍ତ୍ତି ଧାରଣ କରି ହିରଣାକ୍ଷକୁ ବଧ କରିଥିଲେ । ତେଣୁ ଭାତୃହତ୍ଯାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ହିରଣ୍ଯକଶିପୁ କଠୋର ତପସ୍ୟା କରିଥିଲେ । ତାର ତପସ୍ଯାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ବର ଯାଚିଲେ । ଅସୁର ରାଜା ବର ମାଗିଥିଲା,ଦେବ,ଗନ୍ଧର୍ବ,ଅସୁର,ନର ବା ପଶୁ,ଭୂମିରେ କିମ୍ବା ଜଳରେ କିମ୍ବା ଆକାଶରେ କେହି ମୋତେ ବଧ କରିପାରିବେ ନାହିଁ । ବ୍ରହ୍ମା କହିଲେ ତଥାସ୍ତୁ । ବ୍ରହ୍ମାଙ୍କ ବର ପ୍ରାପ୍ତି ଯୋଗୁଁ ବଳୀୟାନ ହୋଇ ଦୈତ୍ଯରାଜ ସ୍ବର୍ଗ ଉପରେ ଆକ୍ରମଣ କରି ଜୟ କରି ନେଲା । ଦେଵତାମାନେ ଭୟଭୀତ ଅଵସ୍ଥାରେ ଭଗବାନ ଵିଷ୍ଣୁଙ୍କର ଶରଣ ନେଲେ । ଶ୍ରୀ ଭଗବାନ ଦେବତାମାନଙ୍କୁ ଆଶ୍ବାସନା ଦେଇ କହିଲେ, ତୁମ୍ଭେମାନେ ଅପେକ୍ଷା କର । ଯଥାସମୟରେ ଏହାର ପ୍ରତିବିଧାନ ହେବ । 


   ଦୈତ୍ଯପତିର ଚାରିଜଣ ପୁତ୍ର ଥିଲେ । ସର୍ବକନିଷ୍ଠ ପୁତ୍ର ପ୍ରହ୍ଲାଦକୁ ପିତା ଖୁବ୍ ଭଲ ପାଉଥିଲେ । ବାଳକ ସୁଶୀଳ ସ୍ବଭାବର ଥିଲା । ସେ ସବୁ ସମୟରେ ଭଗବାନଙ୍କ ଚିନ୍ତନରେ ସମୟ ବିତାଉଥିଲେ । ପ୍ରହ୍ଲାଦର ଶିକ୍ଷାର ଭାର ଅସୁର ରାଜାର ପୁରୋହିତଙ୍କର ଦୁଇ ପୁତ୍ରଙ୍କ ଉପରେ ନ୍ଯସ୍ତ କରାଗଲା । କିଛିଦିନ ପରେ ପ୍ରହ୍ଲାଦକୁ କୋଳରେ ବସାଇ ରାଜା ପଚାରିଲେ-କୁହତ ବାବା,ତୁ ଯାହା ପଢିଛୁ,ତନ୍ମଧ୍ୟରୁ କେଉଁ ବିଷୟ ତୋତେ ଭଲ ଲାଗେ ? ପ୍ରହ୍ଲାଦ ଉତ୍ତରରେ କହିଲା-ପିତା,ମୁଁ ମୋର ଏହି ଅଂହଙ୍କାର ଓ ମିଥ୍ଯାବୁଦ୍ଧି ଯୋଗୁଁ ଆତ୍ମାର ଅଧଃପତନ ହୁଏ । ଏଥିରୁ ଉଦ୍ଧାର ପାଇବା ପାଇଁ ଶ୍ରୀହରିଙ୍କର ଶରଣ ନେବା ସବୁଠାରୁ ଭଲକଥା ବୋଲି ମୁଁ ମନେକରେ । ମୋତେ ଏହି ବିଷୟଟି ଭଲ ଲାଗେ । ରାଜା ପୁତ୍ର ମୁଖରୁ ଏପରି କଥା ଶୁଣି ରାଗି ଉଠିଲେ ଏବଂ ଶିକ୍ଷକଦ୍ବୟଙ୍କୁ ଡକାଇ ସାବଧାନ କରାଇ ଦେଇ କହିଲେ ଏପରି ବୁଦ୍ଧି ଏଣିକି ଯେପରି ମୋ ପୁତ୍ର ମୁଣ୍ଡରେ ନ ପଶେ । କିଛିଦିନ ପରେ ପ୍ରହ୍ଲାଦ ଆସି ପିତାଙ୍କୁ ଭକ୍ତି ସହକାରେ ପ୍ରଣାମ କରନ୍ତେ, ରାଜା ସେହି ଗୋଟିଏ କଥା ପ୍ରଶ୍ନ କଲେ-ତୁ ଯାହା ଶିକ୍ଷା କରିଛୁ ତନ୍ମଧ୍ୟରୁ କିଛି ଭଲ କଥା ଶୁଣାଇ ମୋତେ ସନ୍ତୁଷ୍ଟ କର । 


   ପ୍ରହ୍ଲାଦ କହିଲା, ଶ୍ରବଣ,କୀର୍ତ୍ତନ, ସ୍ମରଣ,ପଦସେବା,ଅର୍ଚ୍ଚନା, ବନ୍ଦନା,ଦାସ୍ଯ,ସଖ୍ଯ ଓ ଆତ୍ମା-ନିବେଦନ, ଏହି ନଅଟି ଲକ୍ଷଣଯୁକ୍ତ ଭକ୍ତି ବିଷ୍ଣୁଙ୍କଠାରେ ଅର୍ପଣ କରାଯିବା ହିଁ ସର୍ବୋତ୍ତମ ଶିକ୍ଷା । କ୍ରୋଧରେ ହିରଣ୍ଯକଶିପୁ ଜର୍ଜରିତ ହୋଇ ଶିକ୍ଷକଦ୍ବୟଙ୍କୁ ଡକାଇ ଭର୍ସନା କରି କହିଲେ, କି ଆସ୍ପର୍ଦ୍ଧା ତୁମର । ମୋ କଥାକୁ ଅବଜ୍ଞା କରି ମୋର ଘୋର ଶତ୍ରୁ ବିଷ୍ଣୁର କଥା ମୋ ପୁତ୍ରକୁ ତୁମେ ଶିକ୍ଷା ଦେଉଛ ? ଶିକ୍ଷକମାନେ ବିନୀତ ଭାବରେ କହିଲେ-ହେ ରାଜନ,ଆମେ ଏସବୁ କଥା ପ୍ରହ୍ଲାଦକୁ ଶିକ୍ଷା ଦେଇ ନାହୁଁ । ଏପରି କଥା ସେ କିପରି ଶିଖିଲା ଆମେ ତାହା କହିପାରିବୁ ନାହିଁ । ଏତିକିବେଳେ ପ୍ରହ୍ଲାଦ ପିତାଙ୍କ କୋଳରେ ଥାଇ କହିଲା-ପିତା,ଏମାନେ ମୋତେ ଶିକ୍ଷା ଦେଇ ନାହାନ୍ତି । ଯିଏ ନିଜେ ବଦ୍ଧ ଜୀବ,ଯାହାର ଶ୍ରୀହରିଙ୍କଠାରେ ମତି ନାହିଁ, ସେ କିପରି ଏସବୁ ଶିକ୍ଷା ଦେଇପାରିବ ? 


  କ୍ରୋଧରେ ହିରଣ୍ଯକଶିପୁ ପାଗଳପ୍ରାୟ ହୋଇ କୋଳରେ ଵସିଥିଵା ପୁତ୍ରକୁ ଉଠାଇ ତଳେ କଚାଡି ଦେବା ସଙ୍ଗେ ସଙ୍ଗେ ଚିତ୍କାର କରି କହିଉଠିଲା,କିଏ କେଉଁଠି ଅଛ ଆସ,ଆଉ ଏ ପିଲାକୁ ଏହିକ୍ଷଣି ଵଧ କର । ଏ ବାଳକ ମୋର ପରମ ଶତ୍ରୁ ହରିର ସେବକ । ଅସୁରଗଣ ଧାଇଁ ଆସି ବାଳକକୁ ଉଠାଇନେଇ ଶୂଳ ଉପରେ ଚଢାଇ ଦେଲେ । ପ୍ରହ୍ଲାଦ ଶ୍ରୀହରିଙ୍କୁ ସ୍ମରଣ କରି ସେହି ଆଘାତ ସହ୍ଯ କରିନେଲେ । ତାର କୌଣସି କଷ୍ଟ ହେଲି ନାହିଁ । ଏହାପରେ ବାଳକ ଉପରେ ହାତୀ ଚଢାଇ ଦେଇ ହତ୍ଯା କରିବାର ଉଦ୍ଯମ କରାଗଲା । କିନ୍ତୁ ହାତୀ ବାଳକ ଉପରେ ପାଦ ପକାଇ ଦଳିଦେବା ପରିବର୍ତ୍ତେ, ଶୁଣ୍ଢରେ ଉଠାଇ ନେଇ ପିଠି ଉପରେ ବସାଇ ଦେଲା । ଏଥିରେ ମଧ୍ଯ ପ୍ରହ୍ଲାଦରକୌଣସି ଅନିଷ୍ଟ ନ ହେବାରୁ ବିଷଧର ସର୍ପସବୁ ରହୁଥିବା ସ୍ଥାନରେ ତାକୁ ଛାଡି ଦିଆଗଲା । ପ୍ରହ୍ଲାଦ ମୁଖରୁ ହରିନାମ ଶୁଣି ସର୍ପମାନେ ତାକୁ ଦଂଶନ କରିବା ପରିବର୍ତ୍ତେ ଫଣା ଟେକି ନାଚିବାକୁ ଲାଗିଲେ । ଏହିପରି ଭାବରେ ଦିନ ପରେ ଦିନ ପ୍ରହ୍ଲାଦକୁ ଜୀବନରେ ମାରିଦେବା ଲାଗି ଉଦ୍ଯମ କରାଗଲା । ଦୈତ୍ଯରାଜର ଅନୁଚରମାନେ ବାଳକକୁ ପର୍ବତର ଶିଖର ଦେଶକୁ ନେଇ ତଳକୁ ନିକ୍ଷେପ କଲେ । ସେଥିରେ ମଧ୍ୟ ତାର କୌଣସି କ୍ଷତି ହେଲାନାହିଁ । ଏହାପରେ ଅନ୍ନରେ ବିଷ ମିଶାଇ ବାଳକକୁ ଖାଇବାକୁ ଦିଆଗଲା । ସେହି ବିଷ ଅମୃତ ପାଲଟିଗଲା । ଶ୍ରୀହରିଙ୍କ କୃପାରୁ ପ୍ରହ୍ଲାଦ ସଵୁ ଵିପଦରୁ ଉଦ୍ଧାର ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । 


   ହିରଣ୍ଯକଶିପୁ ମନରେ ଘୋର ଚିନ୍ତା । ଏତେ ଛୋଟ ପିଲା । ଏତେ ଶକ୍ତି ପାଇଲା କେଉଁଠୁ ? ତାକୁ ବଧ କରିବା ପାଇଁ ଯେତେ ଚେଷ୍ଟା କରାଗଲା ସଵୁ ଵ୍ଯର୍ଥ ହେଲା । ବର୍ତ୍ତମାନ କଅଣ କରାଯିବ ? ଦୈତ୍ଯରାଜ ଏସଵୁ କଥା ଭାବି ,ପ୍ରହ୍ଲାଦ ଅସୁର ପିଲାମାନଙ୍କ ସଙ୍ଗରେ ରହି ପାଠ ପଢିବା ନିମନ୍ତେ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଲା । ପ୍ରହ୍ଲାଦ ରାଜପ୍ରସାଦରୁ ବିତାଡିତ ହୋଇ ଶିକ୍ଷକମାନଙ୍କ ତତ୍ତ୍ବାବଧାନରେ ରହି ଅସୁର ପିଲାମାନଙ୍କ ସହିତ ଅଧ୍ଯୟନ କରିବାକୁ ଲାଗିଲା । ସେହି ପିଲାମାନଙ୍କ ସହିତ କ୍ରୀଡାରତ ଥିବା ସମୟରେ ପ୍ରହ୍ଲାଦ ସେମାନଙ୍କୁ ଅନେକ ଗଳ୍ପ ଶୁଣାଏ । ତାର ସାଥୀମାନେ କ୍ରୀଡା ପ୍ରତି ମନ ନ ଦେଇ ଗଳ୍ପ ଶୁଣିବାକୁ ଭଲ ପାନ୍ତି । କେବଳ ଭଗବାନଙ୍କ କଥା, ଶ୍ରୀହରିଙ୍କ କଥା,ତାଙ୍କରି ମହିମାର କଥା । ଏସଵୁ ଶୁଣି ଅସୁର ପିଲିମାନଙ୍କ ମନରୁ ଆସୁରୀ-ସ୍ବଭାବ କ୍ରମଶଃ ଦୂର ହୋଇ ସେମାନେ ମଧ୍ଯ ହରି ଭକ୍ତ ହେବାରେ ଲାଗିଲେ । 

  ଦିନେ ତାର ସାଥୀମାନେ ପ୍ରହ୍ଲାଦକୁ ଘେରିଯାଇ ପଚାରିଲେ,ତୁ ଏସଵୁ କଥା ଜାଣିଲୁ କିପରି ? ଏଠାରେ ଆମେ ଶିକ୍ଷକଙ୍କଠାରୁ ଯାହା ସଵୁ ଶିକ୍ଷା ପାଉଛୁ ସେଥିରେ ତ ଶ୍ରୀହରିଙ୍କ ନାମ ଗନ୍ଧ ନାହିଁ । ପ୍ରହ୍ଲାଦ କହିଲା, ସ୍ବୟଂ ହରି ମୋର ଅନ୍ତର ମଧ୍ଯରେ ଥାଇ ମୋତେ ଏହି ଜ୍ଞାନ ଦେଇଛନ୍ତି । ମୁଁ ମାତୃଗର୍ଭରେ ଥିବା ସମୟରେ ଶ୍ରୀହରି ନାରଦଙ୍କ ଦ୍ବାରା ମୋତେ ଏହା ଶିକ୍ଷା ଦେଇଛନ୍ତି । 

   ସାଥୀମାନେ ଆଗ୍ରହର ସହିତ ହରିକଥା ଶୁଣିବାକୁ ଇଛାପ୍ରକାଶ କରିବାରୁ ପ୍ରହ୍ଲାଦ କହିଲା-ପ୍ରଭୁଙ୍କର ଶ୍ରୀଚରଣରେ ଭକ୍ତି, ସାଧୁସଙ୍ଗ,ଈଶ୍ବରଙ୍କର ଆରାଧନା,ତାଙ୍କ କଥାରେ ଶ୍ରଦ୍ଧା, ତାଙ୍କ ନାମ,ଗୁଣ ଓ ମହିମା କୀର୍ତ୍ତନ ଦ୍ବାରା ଅନ୍ତର ଶୁଦ୍ଧ ହୋଇଥାଏ । ତାଙ୍କଠାରେ ଶ୍ରଦ୍ଧା ଓ ଭକ୍ତି ଦ୍ବାରା ଈଶ୍ବର ପ୍ରୀତ ହୁଅନ୍ତି । ଶ୍ରୀହରିଙ୍କ ଠାରେ ଭକ୍ତି ଦ୍ବାରା ଜୀବନ ସାର୍ଥକ ହୋଇଥାଏ । ଭକ୍ତିଦ୍ବାରା ହିଁ ଶ୍ରହରି ପ୍ରାପ୍ତ ହୁଅନ୍ତି । ପ୍ରହ୍ଲାଦର ସଙ୍ଗଲାଭ କରି ଦୈତ୍ଯ ବାଳକମାନେ ବିଷ୍ଣୁଭକ୍ତରେ ପରିଣତ ହେଲେ ଏବଂ ସେମାନଙ୍କ ମନରୁ ସମସ୍ତ ଆସୁରୀ -ଭାବନା ଦୂରୀଭୁତ ହେଲା । କ୍ରମେ ଏସବୁ କଥା ଦୈତ୍ଯରାଜ ହିରଣ୍ଯକଶିପୁର କର୍ଣ୍ଣଗୋଚର ହୁଅନ୍ତେ, ସେ କ୍ରୋଧାନ୍ବିତ ହୋଇ ପ୍ରହ୍ଲାଦକୁ ଡକାଇ କହିଲା, ରେ ଦୁଷ୍ଟ ବିଳକ , ଯିଏ ମୋର ଶତ୍ରୁ,ତୁ ତା' କଥା ପ୍ରଚାର କରୁଛୁ ? ତୁ କାହା ବଳରେ ପିତା ବିରୁଦ୍ଧରେ କାର୍ଯ୍ୟ କରୁଛୁ ? 


  ପ୍ରହ୍ଲାଦ ଉତ୍ତର ଦେଲା- ହେ ପିତା,ମୁଁ ଯାହାଙ୍କ ବଳରେ ବଳୀୟାନ ,ସେହି ସର୍ବମୟ ଭଗବାନ ବିଷ୍ଣୁ ହେଉଛନ୍ତି ଜଗତର ଆଶ୍ରୟ । ବ୍ରହ୍ମାଙ୍କଠାରୁ ଆରମ୍ଭ କରି ସ୍ଥାବର ଜଙ୍ଗମ ସମସ୍ତେ ତାଙ୍କର ବଶୀଭୂତ,କାରଣ ସେ ହେଉଛନ୍ତି ଈଶ୍ବର । ତେଜ,ସାହସ ଓ ବଳବୁଦ୍ଧି,ସବୁକିଛିର ପରମ ଆଶ୍ରୟ ହେଉଛନ୍ତି ଭଗବାନ । ଆପଣ ସେହି ବିଷ୍ଣୁଙ୍କ ପ୍ରତି ରହିଥିବା ଶତ୍ରୁଭାବ ତ୍ଯାଗ କରନ୍ତୁ । 


   ପୁତ୍ରର ଏ ପ୍ରକାର କଥା ଶୁଣି ଦୈତ୍ଯରାଜ କ୍ରୋଧରେ ହତଜ୍ଞାନ ହୋଇ କହିଲା-ରେ ହତଭାଗା,ତୋର ଏତେ ସାହସ ? ମୋତେ ଉପଦେଶ ଦେବାକୁ ସାହସ କରୁଛୁ ? ତୋର ବିଷ୍ଣୁ ସର୍ବମୟ ବୋଲି କହୁଥିଲୁ । ସେ ଯଦି ସର୍ବତ୍ର ରହିଛି, ତୋ ସମ୍ମୁଖରେ ରହିଥିବା ଏହି ଖମ୍ବରେ କଅଣ ତୋର ଈଶ୍ବର ରହିଛି ? ପ୍ରହ୍ଲାଦ ଦୃଢତା ସହ କହିଲା-ସେ ତ ସର୍ବବ୍ଯାପୀ । ସେ କେଉଁଠି ନାହାଁନ୍ତି ? ଦୈତ୍ଯରାଜ କହିଲା- ମୁଁ ଆଗ ଏ ଖମ୍ବଟାକୁ ଭାଙ୍ଗି ଚୂରମାର କରିବି , ତାପରେ ଏଇ ଖଣ୍ଡାରେ ତୋର ମୁଣ୍ଡ କାଟିବି । ତୋର ମରଣର ବେଳ ପାଖେଇ ଆସିଲା । ଡାକ ତୋର ହରିକୁ,ସେ କିପରି ତୋତେ ରକ୍ଷା କରିବ ଦେଖିବି ! 


    ଏହାକହି ହିରଣ୍ଯକଶିପୁ ସିଂହାସନରୁ ଓହ୍ଲାଇ ଆସି ଖମ୍ବଟିକୁ ଭାଙ୍ଗିବା ପାଇଁ ଧକ୍କା ଦେବା ମାତ୍ରେ ପ୍ରଚଣ୍ଡ ଶବ୍ଦ କରି ସେହି ଖମ୍ବ ଭିତରୁ ଭଗବାନ ଆବିର୍ଭୂତ ହେଲେ । କିନ୍ତୁ ଏ କି ଅଦ୍ଭୁତ ରୂପ ! ଅର୍ଦ୍ଧେକ ଭାଗ ମନୁଷ୍ୟର ଦେହ ଏବଂ ଅର୍ଦ୍ଧେକ ସିଂହର ଦେହ-ନରସିଂହ ଅବତାର । ଭଗବାନ ନରସିଂହ ରୂପରେ ଖମ୍ବ ମଧ୍ଯରୁ ଆବିର୍ଭୂତ ହୋଇ ହିରଣ୍ଯକଶିପୁକୁ ପ୍ରବଳ ଵେଗରେ ଆକ୍ରମଣ କଲେ ଏବଂ ଅନାୟାସରେ ଅସୁରକୁ ଧରି ମାଟି ଉପରେ ନୁହେଁ କିମ୍ବା ଆକାଶରେ ନୁହେଁ, ନିଜର ଜଙ୍ଘ ଉପରେ ହିରଣ୍ଯକଶିପୁକୁ ରଖି ଭୟଙ୍କର ନଖମାନଙ୍କରେ ତାର ଉଦରକୁ ବିଦାରି ପକାଇ ଛିନ୍ନ ଭିନ୍ନ କରିଦେଲେ । କି ଭୟଙ୍କର ଦୃଶ୍ୟ । 


   ହିରଣ୍ଯକଶିପୁ ନିହତ ହେବିପରେ ଦେବତାମାନେ ଆଶ୍ବସ୍ତ ହେଲେ , କିନ୍ତୁ ଭଗବାନଙ୍କର ଏହି ଭୟଙ୍କର ନରସିଂହ ରୂପ ଦେଖି ଦେବତାମାନେ ମଧ୍ଯ ଭୟଭୀତ ହୋଇ ପଡିଲେ । ସେମାନେ ଭଗଵାନଙ୍କର କ୍ରୋଧ ପ୍ରଶମିତ କରିବା ପାଇଁ ପ୍ରାର୍ଥନା କରିବାକୁ ଭକ୍ତ ପ୍ରହ୍ଲାଦଙ୍କୁ ଅନୁରୋଧ କଲେ । ଦେଵତାମାନଙ୍କର ଅନୁରୋଧ କ୍ରମେ ପ୍ରହ୍ଲାଦ ଭୂମିଷ୍ଠ ପ୍ରଣାମ କରି ସ୍ତୁତିଗାନ କରିବାକୁ ଲାଗିଲା । ପ୍ରହ୍ଲାଦର ଭକ୍ତିପ୍ଲୁତ ଆରାଧନାରେ ସନ୍ତୁଷ୍ଟ ହୋଇ ନରସିଂହଦେବ ପ୍ରହ୍ଲାଦକୁ ତଳୁ ଉଠାଇନେଇ ଅତି ଆଦରରେ ତାର ମଥା ଆଉଁସି ଦେଲେ । ଭଗଵାନଙ୍କର କର ସ୍ପର୍ଶରେ ବାଳକର ହୃଦୟରେ ବିଶୁଦ୍ଧ ବ୍ରହ୍ମଜ୍ଞାନ ପ୍ରକାଶିତ ହେଲି । ପ୍ରଭୁ ନରସିଂହଦେବ ପ୍ରହ୍ଲାଦକୁ ବର ଦେବାକୁ ଇଛା ପ୍ରକାଶ କରିବାରୁ ବାଳକ ପ୍ରାର୍ଥନା କରି କହିଲା-ହେ ପ୍ରଭୁ,ମୋତେ ଏହି ବର ଦିଅନ୍ତୁ, ଯେପରିକି ମୋର ହୃଦୟରେ କେବଳ ଆପଣଙ୍କ ଛଡା ଅନ୍ୟ କୌଣସି ସାଂସାରିକ କାମନା-ବାସନାର ଚିନ୍ତା ସ୍ଥାନ ନ ପାଇବ । ମୋତେ ଏହି ବର ଦିଅନ୍ତୁ, ଯେପରିକି ମୋର ପିତା ଆପଣଙ୍କ ପ୍ରତି ଶତ୍ରୁତା ଆଚରଣ କରି ଯେଉଁ ପାପ କରିଛନ୍ତି, ସେଥିରୁ ସେ ମୁକ୍ତି ପାଇବେ ଓ ତାଙ୍କ ଆତ୍ମାର ସଦଗତି ହେବ । ତା'ପରେ ଭଗବାନ ନରସିଂହ ତଥାସ୍ତୁ କହି ଅନ୍ତର୍ହିତ ହୋଇଗଲେ ।



Rate this content
Log in

Similar oriya story from Classics