ଭିଟାମାଟି
ଭିଟାମାଟି
ଆଖିକୁ ବିଭୋର ଏବଂ ବିସ୍ମୟ କଲା ଭଳି ଦୃଶ୍ୟ ଗ୍ରାମର ସୋନ୍ଦର୍ଯ୍ୟ ପରିବେଶ। ଥରେ ଦେଖିଲେ ମନ ଲଖିଯାଏ, ବାରମ୍ବାର ଦେଖିବାକୁ ମନ ବଲେ। ଲାଗେ ସତେ ଯେପରି ଏ ଗାଁ ରେ ସବୁକିଛି ଭରପୁର ରହିଛି । ଭକିଲା ପେଟକୁ ଦାନା ମିଳୁଛି । ଧନ ସମ୍ପଦ ନ ଥିଲେ ମଧ୍ୟ ଜଣେ ମାଟିରେ କିଛି ଫଳାଇ ବେଶ୍ ଆରାମରେ ଚଲିଯାଉଛି ।
ମାଣିକପୁର ଗାଁ ଶେଷ ମୁଣ୍ଡରେ ଧନମତ ପ୍ରଧାନର ଘର । ତାର ସ୍ତ୍ରୀକୁ ଛାଡ଼ିଦେଲେ ନିଜର ବୋଲି କେହି ନାହିଁ। ସ୍ତ୍ରୀ'ର ସମସ୍ତ ଇଚ୍ଛାକୁ ସେ ପୁରଣ କରିଛି । କେବେ ତାର କିଛି ଅସୁବିଧା ନାହିଁ । ଘର ପାଖକୁ ଲାଗି ରହିଛି ତାର ଦେଢ଼ ଏକରର ଜମି । ଗୋଟାଏ ଏକରରେ ଧାନ ଚାଷ କରି ଆଉ ଅଧ ଏକରରେ ପନିପରିବା ଚାଷ କରିଥାଏ ।
ଏତିକିରେ ଛୋଟ ପରିବାର ସୁଖୀ ପରିବାର ଭଳି ସେମାନେ ଦି ମଣିଷ ବେଶ୍ ଆନନ୍ଦରେ ଚଲିଯାଆନ୍ତି ।
ଧନମତ ଜଣେ ପରିଶ୍ରମୀ ମଣିଷଟିଏ । ସେ ଖାଲିଟାରେ ବସି ରହିବା ଲୋକ ନୁହଁ । ସେ ସଦା ସର୍ବଦା କିଛି ନା କିଛି କାର୍ଯ୍ୟ କରୁଥାଏ । ଦିନ ଯାକ ଲାଗିରହିଥାଏ ନିଜ ଚାଷ ଜମିରେ । ମାଟି ସହିତ ମାଟି ହେବାରେ ତାର ଆନନ୍ଦ। ଏପରି ପ୍ରଣାଳୀରେ ଚାଷ କରେ, ଜମିକୁ ପାଣି ମଡ଼ାଏ ଯେ, କେହି ବି ଦେଖିଲେ ଅବାକ ହୋଇଯିବ । ପାଣିର ସୁବିଧା ନ ଥିବାରୁ ସେ ନଳକୂପରୁ ପାଣି ବଳାଇ ଚାଷ କରିନିଏ। ଅଳ୍ପ ଟିକିଏ ଦୂରରୁ ନଳକୂପରୁ ପାଣି ଆସିବା ବେଳେ ମାଟି ଅଧା ପାଣି ପି ଯାଉଥିବାରୁ ସେ ନିଜ ବୁଦ୍ଧି ବଳରେ ପ୍ଲାଷ୍ଟିକ ବୋତଲ ଏବଂ ଜରି ଗୁଡ଼ିକୁ ନାଲିରେ ଖଞ୍ଜି ଦେଇ ପାଣି ମଡ଼ାଏ । ଗଛ ଗୁଡ଼ିକ ସଅଳ ସଳଖ ବଢିବ ବୋଲି ତାର ଶାଖା ପ୍ରଶାଖାକୁ କାଟି ଦେଇ ଗଛରେ କେବଳ ଚାରି ଛ' ଟି ପତ୍ର ରଖିବ ।
ଦିନେ ଦୁଇଚାରି ଜଣ ସରକାରୀ କର୍ମଚାରୀ ଆସି ଧନମତର ଚାଷ ଜମିକୁ ଦେଖିଛନ୍ତି । ତାର ଚଷା ବୁଦ୍ଧି ଦେଖି ମନରେ ମୁରୁକି ମୁରୁକି ହସୁଛନ୍ତି । ଧନମତ ମଧ୍ୟ ସେଠି ଉପସ୍ଥିତ ଥାଏ । ସେ ଭାବିଲା ମୋ ଫସଲଗୁଡ଼ିକୁ ସରକାରୀ କର୍ମଚାରୀ ବାବୁ ମାନଙ୍କ ମନକୁ ପାଇଛି ନିଶ୍ଚେ ସରକାରଙ୍କ ତରଫରୁ କିଛି ସୁବିଧା ମିଳିବ ।
କିଛି ସୁବିଧା ମିଳିବ କି ଆଜ୍ଞା ବୋଲି ପଚାରିବାରୁ କର୍ମଚାର
ୀମାନେ କହିଲେ ହଁ । ତମକୁ ସରକାରଙ୍କ ତରଫରୁ ପନ୍ଦର ଲକ୍ଷ୍ୟ ଟଙ୍କା ମିଳିବ । ଏତେ ଟଙ୍କା ! ଟଙ୍କା କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲା । ଏତେ ଟଙ୍କା ସେ ସ୍ବପ୍ନରେ ବି ଦେଖି ନ ଥିବ । ତାର ବିଶ୍ୱାସ ହେଲା ନାହିଁ । ସେ ପୁଣି ପଚାରିଲା କଣ ସତରେ ଏ ଟଙ୍କା ମିଳିବ । ହଁ ନିଶ୍ଚୟ ମିଳିବ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ତମ ଜମି ଉପରେ ରେଳ ଗଡିବ। ତମ ସମସ୍ତ ଜମି ବାବଦକୁ ପନ୍ଦର ଲକ୍ଷ ଟଙ୍କା ମିଳିବ । ମାତ୍ର ତମକୁ ଏ ଜାଗା ଛାଡିବାକୁ ପଡ଼ିବ। ସେ ଦୁଃଖ ପ୍ରକାଶ କଲା ନିଜ ଗାଁ ମାଟି, ଘରଛାଡ଼ି ଯିବ ବା କୁଆଡେ। ମାତ୍ର ଆନନ୍ଦିତ ହେଲା ପନ୍ଦର ଲକ୍ଷ୍ୟ ଟଙ୍କା ପାଇଛି। ଟଙ୍କା ପଇସା ପାଖରେ ଥିଲେ ସବୁ ସୁବିଧା ହେବ । କିଛି ଅସୁବିଧା ନାହିଁ ।
ଦୀର୍ଘତିନି ମାସ ପରେ ଧନମତର ଜମି ମାପଜୁପ କରି ତାକୁ ଟଙ୍କା ଦେଇ ଦିଆଗଲା। ସେ ପନ୍ଦର ଲକ୍ଷ୍ୟ ଟଙ୍କା ପାଇ ଘର ଛାଡ଼ି ସହରକୁ ଚାଲିଗଲା। ସେଠାରେ ସେ ଘରଭଡ଼ା କରି ରହିଲା । ଚାଷ କାମ ଛଡ଼ା ତ ସେ ଆଉ କିଛି ଜାଣି ନାହିଁ କଣ ବା କାମ କରିବ ।
ସମୟ କ୍ରମେ ସେ କୁ ସଙ୍ଗରେ ପଡ଼ି ଅନେକ କ୍ଲବ, ବାରପାଟି ମାନଙ୍କୁ ଯୋଗଦାନକରି ଟଙ୍କା ଗୁଡାକ ଖର୍ଚ୍ଚ କରି ଚାଲିଲା। ବିଭିନ୍ନ କ୍ରିକେଟ ମ୍ୟାଚ୍, ଯାତ୍ରା ଗୁଡିକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆର୍ଥିକ ସାହାଯ୍ୟମାନ ମଧ୍ୟ କଲା । ସହରରେ ଧନମତର ଅନେକ ସାଙ୍ଗ ସାଥି ବନିଲେ । କାଳକ୍ରମେ ସେ କେବଳ ସାଙ୍ଗ ସାଥିଙ୍କ ସହ ମଦ, ମାଂସ ଖାଇ ବିଳାସ ବ୍ୟସନରେ ଜୀବନ ଅତି ବାହିତ କରିଚାଲିଲା । ତାର ସ୍ତ୍ରୀ ପ୍ରତିମଧ୍ୟ ତାର ଟିକିଏ ହେଲେ ଚିନ୍ତା ହେଲା ନାହିଁ । ବସି ଖାଇଲେ ନଈ ବାଲି ସରିଲା ପରି ଖୁବ୍ ଅଳ୍ପ ଦିନରେ ତାର ଟଙ୍କାତକ ସବୁ ସରିଗଲା ।
ଟଙ୍କାତକ ସବୁ ସରିଗଲା ପରେ ସେ ନିଜ ସ୍ତ୍ରୀ ସହିତ ଫେରିଆସିଛି ଗାଁକୁ । ଦେଖିଛି ନିଜ ମାଟି ନିଜ ଘର ଉପରେ ରେଳ ରାସ୍ତା ନିର୍ମାଣ ହେଉଛି । ବଡ଼ ବଡ଼ ଯନ୍ତ୍ର ଆସି କାମ କରୁଛି । ଗାଁ ରେ ତାର ଆଉ କିଛି ରହି ନାହିଁ । ସରକାରୀ ଜମିରେ ମଧ୍ୟ ବଡ଼ ବଡ଼ କୋଠାମାନ ତିଆରି ହେଉଛି ରହିବାକୁ ଖାଇବାକୁ ତା ପାଖରେ କିଛିନାହିଁ । କଣ କରିବ କିଛି ବୁଦ୍ଧି ବିଚାର ଦିଶିଲା ନାହିଁ ।
ଶେଷରେ ସେ ରେଳ ନିର୍ମାଣ ପାଇଁ ଥିବା ଇଲେକ୍ଟ୍ରିା ତାର କୁ ଚୋରି କରି ବିକ୍ରୀ କରିଛି । ପୋଲିସ ଦ୍ବାରା ଧରାପଡ଼ି ଜେଲର କଳା କୋଠରୀରେ ବନ୍ଦି ହୋଇ ପଡ଼ିଛି ।