CHINMAYEE PRADHAN

Abstract Romance

3.8  

CHINMAYEE PRADHAN

Abstract Romance

ଭିନ୍ନ ଏକ ସାବିତ୍ରୀ

ଭିନ୍ନ ଏକ ସାବିତ୍ରୀ

3 mins
427



ଅସ୍ତଗାମୀ ସୂର୍ଯ୍ୟର ଲାଲ୍ ଆଭା ଧୀରେ ଧୀରେ ଅପସରି ଯାଇ ଦୂର ଦିଗବଳୟରେ ଲୀନ ହେବାକୁ ବସିଲାଣି। ନାନା ଆଶା ଓ ଆଶଙ୍କା ମଧ୍ୟରେ ଲୀନାର ମନଟା ଆନ୍ଦୋଳିତ ହେଉଥାଏ। ଶାଶୁଙ୍କ ଦେହ ଭଲ ନାହିଁ। କେମିତି ଶୀଘ୍ର କାମସାରି ଘରକୁ ଫେରିବ। ସବୁ କାମ ସାରି ଘରକୁ ଫେରିଲା ବେଳକୁ ବିଦୁଦିଦି ଆସି ଗୋଟିଏ ଶାଢୀ ଆଣି ଦେଲେ। ଲୀନା ଏଇ ଗୋଟିଏ ଟିକେ ମୁହଁ ସିଲେଇ କରିଦିଅ। କାମ ସାରି ଘରେ ପହଞ୍ଚିଲା ବେଳକୁ ସାତଟା ବାଜିଲାଣି। ଶାଶୁ ସଞ୍ଜ ଆଳତି କରି ସାରିଥିଲେ। ବୋହୂ ପାଇଁ ଚା କରି ରଖି ଥିଲେ। ଆଜି ଏତେ ଡେରି ହେଲା ଯେ ଲୀନା, ହଉ ଧୂଆ ଧୋଇ ହେଇ ଆସ। ମୁଁ ଚା' କରିସାରିଛି। ଆଉ ଟିକେ ଗରମ କରି ଦେଉଚି ଆସ ସାଙ୍ଗ ହେଇ ପିଇବା। ଶାଶୁ ବୋହୂ ତ ନୁହେଁ ମା ଝିଅ ପରି ଚଳନ୍ତି ଦୁହେଁ ।


  ବାହାଘର ମାସେ ନ ପୁରୁଣୁ ସ୍ଵାମୀ ଛାଡି ପଳେଇଲା ଲୀନାକୁ। କାରଣ ସେ ଦେଖିବାକୁ ଏତେ ସୁନ୍ଦର ନ ଥିଲା ଓ ପାଠବି ବେଶୀ ପଢି ନଥିଲା। କେବଳ ବୋଉର ମନ ରଖି ବାକୁ ସେ ବିବାହ କରିଥିଲେ। ଏହା ଭିତରେ ଚାରିବର୍ଷ ବିତିଗଲାଣି। ସ୍ୱାମୀଙ୍କର ନା ଫୋନ ଅଛି ନା ଘରକୁ ଫେରିବା। ସେ କାଳେ ଆଉଗୋଟିଏ ଝିଅକୁ ବାହାହୋଇ ଭୁବନେଶ୍ବରରେ ରହୁଛନ୍ତି। ଏ ସବୁ ଘଟଣା ଜାଣି ମଧ୍ୟ ତା ମନରେ ସ୍ଵାମୀ ପ୍ରତି ଥିବା ପ୍ରେମ କେବେ ବି କମି ନ ଥିଲା। ବରଂ ସେ କେମିତି ଭଲରେ ରହିବେ ସବୁବେଳେ ଠାକୁରଙ୍କ ପାଖରେ ପ୍ରାର୍ଥନା କରି ଆସିଛି। ସ୍ୱାମୀ ପାଇଁ ପ୍ରତିବର୍ଷ ସାବିତ୍ରୀ ବ୍ରତ କରିଛି। ସ୍ଵାମୀ ତା ପାଖକୁ ଫେରି ଆସନ୍ତୁ ବୋଲି କେବେ ବି ଠାକୁରଙ୍କୁ ମାଗିନାହିଁ।


     ଲଲାଟେନ୍ଦୁ ବାହା ହେଇଥିବା ଝିଅ କୁଆଡେ ଭାରି ସୁନ୍ଦରୀ ଓ ପାଠୋଈ ବି। ଏ କଥା ଗାଁ ଲୋକେ କୁହାକୁହି ହେଉଛନ୍ତି। ସେଥିପାଇଁ ତ ଲଲାଟ ତାକୁ କିଛ଼ି କାମ କରିବାକୁ ଦିଏନି। ତା ପଦସେବାଠୁ ଆରମ୍ଭ କରି ପାଲଟା ଲୁଗା ବି ଧୋଇ ଦିଅନ୍ତି। ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବ ବୋଲି ପିଲା ଜନ୍ମ କରିପାରିବ ନାହିଁ ବୋଲି ସିଧା ସିଧା ମନା କରିଦେଲା। 


    ଗାଁରେ ଲୀନା ଓ ତା ଶାଶୁ ଦିଜଣ ରୁହନ୍ତି। ଶାଶୁଙ୍କର ସ୍ନେହ ଆଦର ଏତେ ବେଶୀ ଥିଲା ଯେ 

ସେ ତାଙ୍କୁ ଛାଡ଼ି ଯିବାକୁ ଚାହିଁଲା ନାହିଁ। ଦ୍ଵିତୀୟ ବିବାହ କରିବାକୁ ଶାଶୁ ବହୁତ୍ ଥର ତାକୁ କହିଛନ୍ତି। ମା' ବିବାହ ତ ଭଗବାନ ଠିକ୍ କରିଥାନ୍ତି। ଜୀବନରେ ମୁଁ ଜଣଙ୍କ ହାତରୁ ସିନ୍ଦୁର ପିନ୍ଧି ସାରିଛି। ସେ ମତେ ସ୍ତ୍ରୀ ରୂପେ ଗ୍ରହଣ ନ କରନ୍ତୁ କିନ୍ତୁ ମୁଁ ତାଙ୍କୁ ସ୍ୱାମୀ ରୂପରେ ପୂଜା କରେ। ତାଙ୍କର ମଙ୍ଗଳ କାମନା କରେ। ସେ ଯେଉଁଠି ବି ଥାଆନ୍ତୁ ଭଲରେ ଥାଆନ୍ତୁ । ଶାଶୁଙ୍କ ଆଖି ଲୁହରେ ଛଳଛଳ ହେଇଗଲା। ସତରେ ଆଜିକାଲିର ଏ ସ୍ୱାର୍ଥପର ଦୁନିଆରେ ତୋ ଭଳି ପତିବ୍ରତା ସ୍ତ୍ରୀ ମିଳିବା ବିରଳ। ହେଲେ ମୋ ପୁଅ ତ ହତଭାଗାଟାଏ। ତୋ ପରି ସ୍ତ୍ରୀ ପାଇ ଯେ ଛାଡି ଚାଲିଗଲା। ମତେ ତ ତାକୁ ନିଜ ପୁଅ କହିବାକୁ ଘୃଣା ଲାଗୁଛି। ଏମିତି ପୁଅ ଜନ୍ମ କରିବା ଅପେକ୍ଷା ମୁଁ ବନ୍ଧ୍ୟା ହେଲିନି କାହିଁକି। ସେ ତତେ ଯେବେଠାରୁ ଛାଡି ଚାଲିଗଲା ସେବେଠାରୁ ସେ ମୋ ପାଇଁ ମରିସାରିଛି। ଛି ମାଆ ଏମିତି ପାପକଥା ତୁଣ୍ଡରେ ଧରନି। ମୋ ସ୍ଵାମୀଙ୍କର କିଛି ବି ହେବନି।


   କିଛିଦିନ ପରେ ଲଲାଟର ଜଣେ ସାଙ୍ଗ ଆସି ସୂଚନା ଦେଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସେ ମେଡିକାଲ୍ ରେ ପଡିଛି। ଏ କଥା ଶୁଣି ଲୀନା ସଙ୍ଗେସଙ୍ଗେ ବାହାରି ପଡିଲା ଯିବାପାଇଁ। ଶାଶୁ ବାରଣ କଲେ। ହେଲେ ସେ କିଛି ନ ଶୁଣି ସିଧା ଯାଇ ପହଞ୍ଚିଗଲା ଲଲାଟ ପାଖରେ। ଅସହାୟ ଅବସ୍ଥାରେ ପଡିଥାଏ। ଦେଖାଶୁଣା କରିବାକୁ କେହି ବି ନ ଥିଲେ। ହୋସ୍ ଆସି ନ ଥାଏ। ଡାକ୍ତର କହିଲେ ବହୁତ୍ ରକ୍ତ ସ୍ରାବ ହେଇ ଯାଇଛି। ରକ୍ତ ଦରକାର।ଆପଣ ମୋ ରକ୍ତ ନେଇ ଯାନ୍ତୁ ସାର୍। ଦେଖନ୍ତୁ ଆପଣଙ୍କ ରକ୍ତ ସହିତ ତାଙ୍କର ମିଶୁଥିବା ଦରକାର। ଆପଣ ପରୀକ୍ଷା କରି ଦେଖନ୍ତୁ ଥରେ। ରକ୍ତ ମିଶୁଥିବାରୁ ସେ ରକ୍ତ ଦେଇ ଲଲାଟର ଜୀବନ ବଞ୍ଚେଇଲା।


     ଯାହାକୁ ସେ ଏତେ ଘୃଣା କରି ଛାଡ଼ି ଯାଇଥିଲା ସେ ହିଁ ତାର ଜୀବନ ରକ୍ଷାକଲା। ଯାହାକୁ ନିଜେ ପସନ୍ଦ କରି ବାହା ହେଇଥିଲା ସେ ଟିକେ ଆଡ ଆଖିରେ ବି ଚାହିଁଲାନି। ନିଜକୁ ବହୁତ ଲଜ୍ଜିତ ଓ ଅପମାନିତ ବୋଧ କରୁଥିଲା ସେ। ଲୀନାକୁ କ୍ଷମା ମାଗିବା ପାଇଁ ବି ତାର ମୁହଁ ନ ଥିଲା। ତମେ ମୋ ଜୀବନ ବଞ୍ଚେଇଚ ଲୀନା। ମୁଁ ତୁମ ପାଖରେ ଚିରରୁଣି। ମୁଁ ତ କ୍ଷମାର ଯୋଗ୍ୟ ନୁହେଁ। ଛି ସେମିତି କାଇଁ କହୁଛ। ତୁମେ କ୍ଷମା ମାଗିବ କାହିଁକି? ତୁମେ ଯଦି ଚାହିଁବ ତେବେ ସୁସ୍ଥ ହେବା ପର୍ଯ୍ୟନ୍ତ ଘରେ ରହିଲେ ମୁଁ ତୁମ ସେବା କରି ପାରନ୍ତି। ଲୀନା ଓ ଲଲାଟ ଦୁହେଁ ଘରକୁ ଫେରିଲେ। ଗାଁ ଲୋକେ କୁହାକୁହି ହେଉଥିଲେ, ସତରେ ଲୀନା ପରି ସତୀ ପତିବ୍ରତା ସ୍ତ୍ରୀ ପାଇବା ଭାଗ୍ୟରେ ଥିଲେ ମିଳେ। ହଁ ଲୀନା ତୁମ ପରି ସ୍ତ୍ରୀ ପାଇ ମୁଁ ନିଜକୁ ଗର୍ବିତ ମନେ କରୁଛି। ତୁମେ ମୋ ପାଇଁ ସାବିତ୍ରୀ। ତୁମ ପରି ସ୍ତ୍ରୀ ମତେ ସବୁ ଜନ୍ମରେ ମିଳୁ ହେଲେ ମୋ ପରି ସ୍ଵାମୀ ତୁମକୁ ନ ମିଳୁ। ଦୂରରେ ଥାଇ ଶାଶୁ ସବୁକଥା ଶୁଣୁଥିଲେ। ଠାକୁରଙ୍କୁ ଡାକୁଥିଲେ ମୋ ପୁଅବୋହୂଙ୍କୁ ସବୁବେଳେ ଖୁସିରେ ରଖ।



Rate this content
Log in

Similar oriya story from Abstract