STORYMIRROR

Lopamudra Parida

Drama Tragedy Inspirational

4.2  

Lopamudra Parida

Drama Tragedy Inspirational

ଭିନ୍ନ ଏକ ମା

ଭିନ୍ନ ଏକ ମା

10 mins
192



          ଆଜି ମୁଁ ମୋ କଥା କହିବି,କହିବାକୁ ଏଇଠି ଠିଆ ହେଇଛି ।ଆପଣ ମାନେ ମତେ ନିମନ୍ତ୍ରଣ ସିନା କରିଛନ୍ତି ଏଇ ସଭାରେ ଏଇ ମଞ୍ଚରେ କିଛି କହିବାକୁ, ମୋ ବିଷୟରେ କିନ୍ତୁ ମୁଁ ଜାଣେ ଆପଣ ମାନେ କେତେ ଆମକୁ ଭଲ ପାନ୍ତି ! ଆମ ପଛରେ ଲୁଗାକାନିରେ ମୁହଁ ଗୁଞ୍ଜି ହସନ୍ତି ତୁମ ଆଖିରେ କୌତୁହଳ ଆଉ ଘୃଣା ଆଉ କଣ ସବୁର ମିଶାମିଶି ଭାବ ଆମେ ବି ବୁଝିପାରୁ ।ଆମର ବି ସେଇ ସମାନ ଆକାର ଆଉ ରଙ୍ଗର ଠିକ୍ ସେଇ ଯାଗା ଆଉ ସେଇ ନାଁ'ରେ ହୃଦୟ ବୋଲି ଯନ୍ତ୍ରଟେ ସେମିତି ଧକ୍ ଧକ୍ କରୁଛି, ଯେମିତି ଆପଣ ସମସ୍ତଙ୍କର ।ତ କଷ୍ଟ ଖୁସି ସବୁ ତ ହବ ହି ।ଫିଲିଙ୍ଗ୍ସ ମ ଫିଲିଙ୍ଗ୍ସ ।ବୋଧେ ଦେଖିବାକୁ ଗଲେ ଆମକୁ ଟିକେ ବେଶୀ ହୁଏ ଏଇଟା ଆପଣ ମାନେ ଅଧା ଦିନ ବୁଝିପାରନ୍ତିନି ଆଉ ଅଧାକୁ ବୁଝିକି ବି ଲୁଚାନ୍ତି ।ଫମ୍ପା ସମ୍ମାନ ଭୟରେ ।କାହିଁକି ନା ତମେ ମାନେ ସାଧାରଣ ମଣିଷ ।ତମେ ଆମକୁ ବୁଝି ପାରିବନି, ବୁଝିବାରେ ଶକ୍ତି ନାହିଁ କହିଲେ ଠିକ୍ ହବ ।


(ଦୀର୍ଘଶ୍ବାସ ..... ଆଖି ଲୁହ ସ୍ପଷ୍ଟ)


ଆମେ ବି କୋଉ ଆମକୁ ପୁରା ବୁଝିଛୁ ଯେ !  


କିଏ ବା କାହାକୁ ବୁଝିଛି ଯେ ,ନିଜକୁ ଜାଣିବା ବା ସବୁ ଠୁ କଷ୍ଟ ,ନିଜକୁ ଚିହ୍ନିବା, ବୁଝିବା ଯେ ମୁଁ କିଏ ପରା କାଳେ ସବୁଠାରୁ ଟାଣୁଆ ପାଠ ।

ଆମେ ବି ଗୀତା ପଢୁ ମ ।ସେ ଆମକୁ ଘୃଣା କରେନି ।


ଅନେକ ପ୍ରଶ୍ନର ଉତ୍ତର ନଥାଏ, ଆଉ ଆମେ ଗୋଟେ ଉଲଝା ପ୍ରଶ୍ନର ଟୋକରୀ ତମ ମାନଙ୍କ ପାଇଁ ଆମେ ଜାଣୁ ।ସେତିକି ଥାଉ ଉପକ୍ରମ, ଆପଣ ମାନେ ଏଠି ମୋ ବିଷୟରେ ହିଁ ଶୁଣିବେ... ହଁ ଖାଲି ମୋ ବିଷୟରେ ... ହେଲେ କାହିଁକି ଏ ଆଗ୍ରହ ,ଆଗ୍ରହଶୂନ୍ଯତା ଦେଇସାରି ଫେରେଇଦେଇ ...ହୁଁ ...ଧୁକ୍କାରିଦେଇ ଦୁଆରୁ କେମିତି ଜୀଏଁ ଜାଣିବାକୁ?


ମୁଁ ଗୌରୀ । ଶ୍ରୀ ଗୌରୀ ସାୱନ୍ତ । ହଁ ଠିକ୍ ଶୁଣିଲେ, ଶ୍ରୀ । କାହିଁକି ନା ମୁଁ ସେଇ ଅର୍ଦ୍ଧନାରୀଶ୍ବର ରୂପା । ସମଭାଗରେ ଈଶ୍ବର ଓ ଇଶ୍ବରୀ ସ୍ବରୂପା । ଶରୀରୁ ଓ ମନୁ, ଉଭୟୁ । ସେ ମତେ ସୃଷ୍ଟି କରିଛନ୍ତି ଠିକ୍ ଆପଣ ମାନଙ୍କୁ ସୃଷ୍ଟି କଲାପରି । ଆପଣ ମାନେ ମହାଭାରତ ନିଶ୍ଚେ ତ ପଢିଥିବେ । ଅମ୍ବା ରାଜଜେମାଙ୍କୁ ତ ମନେଥିବ, ହଁ ସେଇ ତେଜସ୍ଵିନୀ କନ୍ୟା ଯିଏ ବହ୍ନି ସମ ପ୍ରଜ୍ବଳିତା ଓ ପ୍ରତିଜ୍ଞାବଦ୍ଧ ହେଇ ପୁର୍ନଜନ୍ମରେ ହେଇଥିଲେ ...ମହା ତେଜସ୍ଵୀ ପିତାମହ କୁରୁ ବଂଶ ଶିରୋମଣୀ ଭୀଷ୍ମଙ୍କର ପ୍ରତିଦ୍ବନ୍ଦୀ ।ଯାହାଙ୍କୁ ଦେଖି ହାତରୁ ସେ ବିଶ୍ବବିଜୟୀଙ୍କ ହସ୍ତ ଓ ସ୍କନ୍ଧରୁ ଖସି ପଡିଥିଲା ଧନୁ ଓ ତୁଣୀର । ହଁ ଠିକ୍ ବୁଝିଲେ ମୁଁ ସେଇ ଶ୍ରୀଖଣ୍ଡୀ ଦୃପଦ ନନ୍ଦନଙ୍କ ଠାରୁ ଶ୍ରୀ ଟି ଆଣି ମୋ ଅସ୍ତିତ୍ବକୁ ଶକ୍ତି ଦେଇଛି । ସ୍ଥିର କରେଇଛି ନିଜକୁ ନିଜ ପାଦରେ ଆହୁରି ଅନେକର ଦମ୍ଭ ହେଇଛି ଏଇ ଶ୍ରୀ ବଳରେ ।


ଗୌରୀ ନାଁ ଟି ମତେ ବରଦାନରେ ମିଳିଥିଲା, ମୋର ଏବେ ଆଉ ମନେ ପକେଇବାର ଆବଶ୍ୟକତା ନ ଥିଲା ମୋର ପିତୃଦତ୍ତ ନାଁ ଟି ।


ହଁ ଏ ରକ୍ତ, ହାଡ,ମାଂସର ଶରୀରଟା ସେଇ ପିତାଙ୍କର ଦତ୍ତ ତା ପାଇଁ ବି ମୁଁ ୠଣୀ ।ସେଥିପାଇଁ ସାଙ୍ଗିଆଟା ଚାହିଁ କି ବି ବଦଳେଇପାରିଲିନି ।ଏହେସାନ ଫରାମୋସୀ ନାହିଁ ଏ ରକ୍ତରେ ତେବେ ।ପ୍ରମାଣିତ ହେଲା ।


****

ବହୁତ ଦିନ ଆଗରୁ ବୋଧେ ଦିକୋଡି ଦଶ ଖଣ୍ଡେ ବର୍ଷ ଆଗରୁ ମୁଁ ମହାରାଷ୍ଟ୍ରର ପୁଣୈରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିଥିଲି ।ଜୈବିକ ଜୀବର ସମ୍ମାନ ନେଇ ।ପୁତ୍ରର ଆଦର ପାଇ ।ଭାରତୀୟ ପରିବାରରେ ପୁଅର ଜାଗା ବୁଝେଇବା ଦରକାର ନାହିଁ ।


ଅଳ୍ପ ଦିନେ ସ୍ପଷ୍ଟ ହେଲା ପୁତ୍ର ପଣ ଏକ ପ୍ରହେଳିକା ମାତ୍ର ,କୋଉଠି ଗୋଟେ ଇଶ୍ବର ଠକିଥିଲେ । ପାଣି ଫାଟିଗଲା ଦହି ।


ଅଳ୍ପ ଦିନେ ଜନ୍ମଦାତ୍ରୀ ପରଲୋକକୁ ଚାଲିଗଲେ କୋଉ ଅଭିମାନ ନେଇ ଜାଣେନା, ଜନ୍ମଦାତାଙ୍କ ଚକ୍ଷୁରେ ସ୍ନେହ, କରୁଣା ବଦଳରେ ଦିଶିଲା କରୁଣ ଅସହାୟତା ।

ବଡ ଭାଇ ଭଉଣୀ ମାନେ ନିଜ ଶିଙ୍ଘରେ ନିଜେ ମାଟି ତାଡିବାକୁ ତୟାର୍ ।କାରଣ ସେମାନେ ମେନ୍ ରେସ୍ ରେ ।


ଆଉ ମୁଁ ? 


ବାପା ମୋ ହାତରେ ଷାଠିଏ ଟି ଟଙ୍କା ଥିବା ମୁଣିଟେ ଆଉ ମା'ର କେତୋଟି ଲୁଗା ସହ ଆଉ ଅଳ୍ପ କିଛି ଜିନିଷର ବ୍ଯାଗ୍ ଯେବେ ଥାପିଦେଲେ,ଅବୁଝା ଆଖିରେ ଅନେଇଲି, ମୁଣ୍ଡରେ କିଛି ପଶୁନଥିଲେ ବି ବୁଝିଲି । ମତେ ଏଠୁ ଯିବାକୁ ହେବ ସବୁଦିନ ପାଇଁ ଚାଲିଯିବାକୁ ହେବ ।କିନ୍ତୁ କୁଆଡେ ? ଘର ଛାଡି କେବେ ବି ତ କୁଆଡେ ରହିନି ।


ଏବେ ?


ହାତ ମୁଠାରେ ଷାଠିଏ ଟଙ୍କାକୁ ଚାହିଁଲି ,ଧୁନ୍ ଦଲା ଦିଶିଲା ।


ବାପାଙ୍କ ପ୍ରତି ରାଗ ଆଉ ଘୃଣା ବିଷରେ ମନ ଭରିଗଲା ଏବେ ବୁଝୁଛି ସେ ବିଚରା ଲୋକଟି ନିଜ ଝିଅକୁ ଡୋଲିରେ ବିଦା କଲାପରି ଛାତି ଚାପି ସହୁଥିଲା, ସମାଜରେ ତାର ରହିବାର ଥିଲା ନା।


ସେତିକି ସମ୍ବଳ ନେଇ ଏକା ନିଶ୍ବାସକେ ପାଦ ବାଡେଇ ଲୁହ ସିଙ୍ଗାଣୀ ଲତ୍ ପତ୍ ... ଜାଣେନି କୋଉ ଗୋଟେ ବସ୍ ରେ ଚଢିଗଲି । ଆଉ କାନ୍ଦି କାନ୍ଦି ଶୋଇଯାଇଛି...ବସ୍ ହର୍ଣ୍ଣର ବିକଟାଳ ଶବ୍ଦରେ ନିଦ ତ ଭାଙ୍ଗିଲା କିନ୍ତୁ ବସିରହିଲି, ଯିବି ବି କୁଆଡେ ?


କଣ୍ଡକ୍ଟରଟି ଆପାଦମସ୍ତକ ଚାହିଁ ଆମୂଳେ ଚୂଳେ ବୁଝିଗଲା କି କଣ ,କାଖେଇ ନେଇ କହିଲା " ଏ ସ୍ଯାଣେ,ଘର୍ ସେ ଭାଗା ହେ କ୍ଯା? ଫିକର୍ କରନେ କା ନେଇ , ଚଲ୍ । ଆ ଜା ।" 


ମୁଁ ମୂର୍ତ୍ତି ବସି ବସିଥିଲି, ହଲକା ଧକ୍କାଟେ ସହ ସିଏ କହିଲା, ଚଲ୍ ଅବ୍ ଜ୍ଯାଦା ଶୋଚ୍ ମତ୍, ଚଲତେ କା ନାମ୍ ଗାଡିରେ ବେଟା ।


ବେଟା.....! 


ମୁଁ ହସିଦେଲି ସେ କହିଲା ସାବାସ୍ ।ସେଇ ଦିନ ଠୁ ସେ ମୋ ବାପୁ ହେଇଗଲା । ଆଉ ସେଇଟା ମୁମ୍ବାଇ ଥିଲା, ସେ ବି କାଳେ ମୋ ପରି ଅନେକଙ୍କ ମା ' କୁହନ୍ତି ଯାହା । ଅଳ୍ପ ଦିନରେ ସେ ମୋର ନୂଆ ବାପୁଟା ବି କେଜାଣି କୁଆଡେ ମିଳେଇ ଗଲା ହଠାତ୍ । ଲୋକେ ମି ମିଳେଇଯାନ୍ତି ପବନରେ । ମୁମ୍ବାଇର ପବନରେ ତ ଆହୁରି ...ବେଶୀ ।ମେଟ୍ରୋ ନା ।କସମୋପଲିଟାନା ସିଟି ।

ମୁଁ ପୁଣି ରାସ୍ତାରେ , ପୁଣି ଅନାଥ । କିନ୍ତୁ ଏଥର ମୁଁ ବାଟ ପାଇଥିଲି ଅଳ୍ପ ଅଳ୍ପ ଚେର ସବୁ ଜଡେଇଥିଲି ଏ ପାଣିପବନରେ । ମାଗିଯାଚି ଚୋରି କରିବା ଶିଖିସାରିଥିଲି ।ପେଟ ତ ପୋଡୁଛି ନା । ଆଗେ ରୁଟି ଚୋରେଇଥିଲି ମୋର ମନେ ଅଛି, ଧରି ପକେଇଲା ଗୋଟେ ସବଳ ହାତ ଆଉ ମୁଁ ଡରରେ ଶଙ୍କି ଗଲି ମାଡ ଗୋପାଳି ଭଲସେ ବସିବା ଭୟରେ ମୁହଁ ପଛକୁ ମୋଡି ପଡିଥିଲି ନିଶ୍ଚଳ । ହାର୍ଟ ବିଟ୍ ଚାଲିଥିଲା, ଶୁଣୁଥିଲି ।


ସେ ସବଳ ହାତଟି ପଚାରିଲା, ଏଏଏଏଏଏ.....ଏ ଏ ଏ ଏ ଇତ୍ନା ପିଦ୍ଦା ସା ଲଡ୍କା ଚୋରୀ କର୍ତା ହେ ,ୟେହି ଶିଖା ହେ ।ବଡା ହୋକେ ଚୋର୍ ଚୋର୍ ବଡା ଚୋର୍ ବନେଗା କ୍ଯା ।


ମତେ କାଟିଲା ତା ଶବ୍ଦ ବାଣ ସବୁ ମୁଁ ଚଟ୍ କି କହିଲି, ନେହିଁ ...ବଡା ହୋକେ ମେ ଆୟୀ ବନୁଙ୍ଗା । ଆମ ଆଡେ ମା କୁ ଆୟୀ ଡାକନ୍ତି ।


ସେ ଝଟ୍ କି କରେଣ୍ଟ ସକ୍ ଲାଗିଲା ପରି ମୋ ହାତକୁ ଛାଟିଦେଇ ମୋ ଥୋମଣି ଟେକିକି ମୋ ମୁହଁକୁ ଚାହିଁଲା ଆଉ କାଖେଇ ନେଇ ମୋ ମୁଣ୍ଡରେ ଚୁମା ଦେଇ କହିଲା, "ମେରା ବଚ୍ଚା " ।ଆଉ ବଡ ବଡ ପାହୁଣ୍ଡ ପକେଇ ଆଗେଇଲା ମୋ ଭବିଷ୍ୟତକୁ ହାତ ଧରି ନେଇ ।


ଖାଇବାକୁ ଦେଲା, ସେତିକି ଯଥେଷ୍ଟ ଥିଲା ସେତେବେଳେ ।ପଡିଗଲେ, କାଟିଲେ ନିଜେ ମାଟି ବୋଳି ମାଟି ହବା ଶିଖିଲି ।ତା'ଘର କୁ ମୋ ଘର କହିବାର ଅଧିକାର ବି ତ ଦେଲା ।ଝୋପଡ୍ ପଟ୍ଟି ଯାହାକୁ କୁହନ୍ତି ଆପଣ ମାନେ ।


ସିଏ ହିଁ ଶିଖେଇଲା...ଯେତେ ଆଖି ପୋଡିବ ସେତେ ମୋଟାକି କାଜଲ ମାରିବୁ,ଆଉ ଯେତେ ଓଠ ଥରି ଥରି କାନ୍ଦିବାକୁ ଚାହିଁବ ସେତେ ମୋଟାକି ଆଉ ଗାଢା କି ମ୍ଯାଚିଙ୍ଗ ଲିପ୍ସଟିକ୍ ଭରିଦବୁ ।ଧିରେ ଧିରେ ପଥର ହେବା ଶିଖିଗଲି ।ତଥାପି କୋଉଠି ଗୋଟେ ପଚ୍ ପଚ୍ କରୁଥିଲା ଲାଲ୍ ଯନ୍ତ୍ର ଟେ ଯତ୍ନ ରେ ।


ମୁଁ ପୁଣି ଅନାଥ ହେଇଗଲି, ଏଠି ବଞ୍ଚି ଗଲି ।ଆଉ ବଢିଗଲି ବି ଠିକ୍ ମୋ ଆୟୀ ପରି, ଏଇ ଆୟୀ ଯିଏ ମତେ ଗୌରୀ ନାଁ ଟି ଦେଇଥିଲା ।ସେ ବୁଢୀ ହେଲା ।ମୁଁ ତାର ଉତ୍ତର ଅଧିକାରୀ ଭାବେ ସବୁ ଧନ୍ଦା ଶିଖିଲି ଆଉ ସମ୍ଭାଳି ନେଲି ।ସେ ଖୁସ୍ ଥିଲା ଆଉ ଶାନ୍ତି ରେ ଗଲା ମତେ ତାର ରାଜଧାନୀ ଦେଇ କି ।


ଗଲାଦିନ ମୋ ହାତ ଧରି ମୁହଁ କୁ ବଲ ବଲ କି ଚାହିଁ ତା ମଥାର ବଡ ଖଇରିଆ ଟିକିଲି ଟା କାଢି ମୋ ମଥାରେ ଟିପିଦେଇ କହିଲା,ବଡ ହେଲେ ଆୟୀ ହବୁ କହୁଥିଲୁ ବା...ଆଜି ଠୁ ଏ ସମସ୍ତଙ୍କର ଆୟୀ ତୁ ।


ପଥର କରି ଗଢିଥିବା ଭିତରଟା ବି ମନ୍ଥି ହେଇଗଲା ।


ସେବେଠୁ ମୁଁ ସମସ୍ତଙ୍କର ଗୌରୀ ଆୟୀ ।ଖୁସିଲାଗେ ଭାବିଲେ । ଆଶ୍ଚର୍ଯ୍ୟ ହେଲେ କି ! ଆମେ ଅଭାବରେ ,ନିଷ୍ପେସିତତା ଭିତରେ ବି ଅଳ୍ପ ହସିବା ଶିଖିଛୁ ଯେ । ସତ ହସ ।


ଇଶ୍ବରଙ୍କ କମାଲ । ମଣିଷ ଗଛ ପରି ନା କେତେବେଳେ ବଡ ହେଇଯାଏ ଜାଣେ ନି ।ଆମ ପରି ମଣିଷ ।ଆପଣ ନୁହେଁ, ଆପଣଙ୍କର ତ କେତେ ସୁନା ସ୍ମୃତି ଥିବ । ମୋର ଆପଣଙ୍କର ଅନେକ ଥର ଭେଟ ହେଇଥିବ । ଚିଡିଥିବେ, ମୁହଁ ଫେରେଇ ଲୁଚେଇଥିବେ, ପଛରେ ଟାପରା କରିଥିବେ, ଖିଁ ଖିଁ କରି ହସିଥିବେ ,ଭଦ୍ର ମୁଖା ନା ଖୋଲି ନ ଯିବା ଭୟରେ ସିଧା ଚାହାନ୍ତିନି ମତେ ଆପଣ ।ହଁ ଆଉ ଡରନ୍ତି ବି ,ଦିଶେ ।


ମୁଁ କିନ୍ତୁ ସ୍ନେହ ଟୋପେ ପାଇଁ ଜିଭ ହଲାଏ, ଲାଞ୍ଜ ହଲାଏ,ଲହଲହାଏ, ତାଳି ମାରି ମାରି ,ଲୁଗା ଟେକି ଖସେଇ ଆପଣଙ୍କୁ ଇରିଟେଡ୍ କରେ ।ଦଶ ଟଙ୍କା ଟେ ପାଇଲେ ଚାଲିଯାଏ ଆଉ କାହାକୁ ଘସି ହେଇ ଚିଡେଇବାକୁ । ଆପଣ ମାନଙ୍କ ଚିଡ୍ ଚିଡା ବି ବାଧେ ମ ଆମକୁ, ବାସ୍ ବିବେକ୍ ଆପଣଙ୍କର କେମିତି ବାଧେନା ।


ଆପଣଙ୍କ ଘରେ ନୂତନ ସନ୍ତାନର ଆଗମନୀରେ ଆମ ତାଳି ଆପଣଙ୍କୁ ଶୁଭ ଲାଗେ କାରଣ ଛୁଆଟିକୁ କାଳେ ଆମ ଆଶୀର୍ବାଦ ଘଣ୍ଟ ଘୋଡାଏ କୁନଜରରୁ ।ବରକତ ହୁଏ ।ସେଦିନ ଆମେ ସେଇ ବନେଇଲା ବା

ଲାକୁ ହାତ ଯୋଡୁ କି ଆମ ପରି କାହାକୁ ନ କରୁ ।କିନ୍ତୁ ସେ କାହାର ଶୁଣେ ଯେ,ଯାହା ବୁଝେ ......କରେ ।


ଏମିତି ଏମିତି କାମ ଚାଲିଲା।ମୁଁ ମଣିଷ ରୁ କେତେ ବେଳେ ମେସିନ୍ ହେଇଯାଇଥିଲି ଜାଣିଶୁଣି ସବୁ କଟୁଥିବା ଚିଜ୍ ଭୁଲିବା ଚକ୍କର୍ ରେ ।ନିଜେ ଗୋଟେ ଗୋଲକଧନ୍ଦାରେ ଅଜାଣତେ ଘୁରୁଥିଲି, ପିଲାଦିନୁ ବଢିଥିଲି ନା ଇଆରି ଭିତରେ ,ଅଚିହ୍ନା ନଥିଲା କିନ୍ତୁ ମନମୁତାବକ୍ ବି ନଥିଲା ।ଅନେକ ଖୋଜିଛି ସବୁ ଭିତରେ ନିଜକୁ ।

ସବୁ ଧନ୍ଦା ଚାଲୁଥିବା ଏରିୟା ଥିଲା ଇଏ । ଏଠି ବି ଆମେ ନିଶ୍ବାସ ନଉଥିଲୁ,ଗୀତ ଗାଉଥିଲୁ, ମନମୋହନ କୁ ପୁଜୁଥିଲୁ, ମଲମ ଲଗଉଥିଲୁ, ହଣା ମରା ସବୁ କରୁଥିଲୁ ।ଆପଣଙ୍କ ଲିଷ୍ଟର ଘୃଣ୍ଯ ଜାଗାରୁ ଖଣ୍ଡେ ।ଆମ ଇଲାକା ।ଆମେ ଆମେ ହିଁ ସର୍ବେସର୍ବା ।


*******


୨୦୧୪ ମସିହାର କଥା ।ଚାର୍ ଚୌଗି ଟ୍ରଷ୍ଟ ପାଇଁ ଆମେ କାମ କରୁଥାଉ ଯୋଉଠି, ନଗରବଧୂ ମାନେ ରୁହନ୍ତି । ହଁ ଭୋଗ୍ଯା ନଗରବଧୂ ।କଣ ପୁଣି ନାକ ଟେକିଲେ ଟି ।ସେମାନଙ୍କ ଗପ ତ ଲହୁରେ ଲେଖା ।ମୋର ତ ହେଲେ ଲୁହରେ ।


ଦିନେ ଧନ୍ଦା ଟାଇମ୍ ପରେ ଖାଇବାକୁବସିଛି ।କିଏ ଜଣେ ପଛରୁ ଡାକିଲା ଆମ୍ମା......।

ପଛକୁ ଚାହିଁ ଦେଖେ ସୁନ୍ଦରିଆ କିନ୍ତୁ ଶୋଷିତା ମୁହଁ ଟି ,ଜବରଦସ୍ତିଆ ହସିଟେ ର ବାହାନା ନେଇ ଆଚାର ଟିକେ ମାଗୁଛି ରୁଟି ସାଙ୍ଗେ ଖାଇବ ବୋଲି ।କିଛି କଥା ନ ଥିଲା, ବାସ୍......ବୋତଲ ଟା ବଢେଇ ଦେଇ ଭୁଲିଗଲି ।ଧେତ୍ ! ବୋତଲ ମ ,ଆଚାର ଶିଶି ବୋତଲ ।


ଆମେ ସିନା ବଢୁ ଖରାପରେ, ବାଧ୍ୟତା । ଉପାୟଶୂନ୍ଯ ।କିନ୍ତୁ ପୋକଟା ପ୍ରକୃତିରେ କୋଉଠି ଭାବନ୍ତୁ ତ ଥରେ ଦେଖି !  


ମୋ ଭଙ୍ଗୀ ଓ ଆଖି ନଚା ଦେଖି ସେ ହସିଦେଲା ଯାହା ।ସେତିକି ସମ୍ପର୍କ ।


ଭୁଲିଗଲି ସେ ଆଚାର ଆଉ ତାକୁ କିଏ ମନେ ରଖୁଛି, କାରଣ କାଇଁ?


*******


ଅନେକ ଦିନ ପରେ କଣ ଗୋଟେ ସଲ୍ଟେଇବା କାମରେ ପୁଣି ସେଇ ଟ୍ରଷ୍ଟ ଏରିଆ କୁ ଯିବା ହେଲା ।ସାଙ୍ଗରେ ଥିବା ମୋର ଜଣେ ଆପଣାର କହିଲା, ଆୟୀ ମନେଅଛି ଏଇ ଝିଅ? 


ମୁଁ ଫୁତୁକାର ମାରି କହିଲି, ଶାଲେ, କିଏ ବେ ।ରାତି ପାହିଲେ ଶଳା ଏ ଧନ୍ଦା ରେ ଭଦ୍ର ଅଭଦ୍ର କେତେ ଯୁଟୁଛନ୍ତି ।କାହାକୁ କାହାକୁ ମନେ ରଖିବି ଆଉ କାହିଁକି ।ଚାଲ୍ । ସେ ନଛୋଡବନ୍ଧା କହିଲା, ଆରେ ଆୟୀ ଯାହାକୁ ତୁ ଆଚାର ଦେଇଥିଲୁ ସେଦିନ ।


ହେ ବକବାସ୍ ବନ୍ଦ କର, କାମ କଣ କହ ।କାରବାର୍ ବେଳେ ଖଟ୍ଟି ନାଇଁ ।ନୋ ।ହେଇଥିବ କିଏ ଗୋଟେ ।ଯାହା ମନେ ପଡୁଛି ସେକ୍ସ ୱାକର୍, ସେମିତି ରେ କେହି ବି ନ ଥିବେ ତ ତାର ।ଲାସ୍ କୁ ଠିକାନା ଲଗେଇ ଗାୟବ ତ ।ହେ ହେ ।ଡେଲି କଥା ।


ନା ଆୟୀ, ଅଛି ।ତାର ଗୋଟେ କୁନି ଚାରି ବର୍ଷର ଝିଅଟେ ଅଛି ଆୟୀ ।


ମୁଁ ତା ଆଖିକୁ ଚାହିଁଲି ।ସେ କଣ କହିବାକୁ ଚାହୁଛି ତା ବି ବୁଝିଲି ।କଞ୍ଚା ମାଲ୍ ।


ଗାଈର ମାଈ ବାଛୁରୀ ଜନ୍ମିଲେ ଗୋପାଳ ଖୁସି ହୁଏ ଶୁଣିଥିବେ, ପୃଥିବୀର ଅନ୍ୟ ପ୍ରଜାତିର ଲୋକେ କେତେକ ବି ଏଇ ସମାନ କାରଣରୁ ଖୁସ୍ ହୁଅନ୍ତି ।


ସ୍ବାର୍ଥ ସର୍ବତ୍ର ସର୍ବସ୍ଵ ।ଗନ୍ଧାଏ ଜୋର୍ କିନ୍ତୁ ସଫେଇ ହୁଏନା ।ଚାହିଁ ନଥାନ୍ତି ଅନେକ ସଫେଇ ପାଇଁ ।


ଆମେ ଗଲୁ ସେ ଝିଅର ଘରକୁ ।ସିଧା ।

ମୁଁ ପଶିଲି ଘରେ ।ଇଃ ......କି ବିଚିକିଟିଆ ଗନ୍ଧ ।ଆମେ ଶସ୍ତା ଅତର ଲଗାଉ ସତ କିନ୍ତୁ ଏଠି ତ ଅସମ୍ଭବ ଗନ୍ଧ ।


ଗୋଟେ କୋଣକୁ ନଜର ପଡିଲା, କାକୁସ୍ତ କୁନି ପାଦ ଦୁଇଟି ପରଦା ପଛରୁ ।ଭୟରେ ଜଡସଡ । ଆସ୍ତେ ପରଦାର ଅସ୍ତରଣ ହଟେଇ ଦେଖେ ଏତେ ନୀରିହ ନିରିମାଖୀ ତ୍ରସ୍ତ ଆଖି ଦୁଇଟି ଯେ ,ଆପେ ମନ ଓଦେଇଗଲା ।


ଆଓ ବେଟା କୁଛ୍ ନେହିଁ ହୋଗା, ଆଜାଓ, ଆଜାଓ ।କଅଁଳିଆ ତୁଳା ନାଡ ପରି ହାତ ଟିକୁ ଧରି ଆସ୍ତେ ଟାଣିଲି ।


ଛିଡି ନ ଯାଉ ଡରରେ ।


ମୋ ଆଖିରେ ଆଖି ମିଶେଇ ଟିକେ ସାହାସ ପାଇଁ ବାହାରି ଆସେ ମୋ ଉପରେ ଲଟେଇଗଲା ଆଉ ମମି ,ମମି କହି କଇଁ କଇଁ ହେଲା ।କାଖେଇ ଆଣିଲି ତାକୁ, ମେରା ବଚ୍ଚା .......ଆପେ ପାଟିରେ ବାହାରି ଗଲା ।


ସେମିତି ସିମିରି ଥାଏ ମୋ ଛାତିରେ ।ଏତେ ଟିକେ ଆଉ ହାଡ ଛାଞ୍ଚ ଖଣ୍ଡ ଯେ ଶାଢୀରେ ମିଶି ଯାଉଥାଏ,କୁହନ୍ତିନି ନା ... ହାତକୁ ଲାଗୁନଥାଏ ।ସେମିତି ।


ବାହାରେ ଥିବା ମୋ ଚେଲା ଟି କହିଲା, ଆୟୀ ୟାର ତ ପାଞ୍ଚ ଲକ୍ଷ୍ଯ ମିନିମମ୍ ମିଳିବ ହି ।ମୋ ଛାତିରେ ଛୁରୀ ଚାଲିଲା ପରି ଲାଗିଲା ।


ମୋ ନୀରବତା ଦେଖି ସେ ବାଚାଳ ବାଉଳି ହେଲା ।


ଖୋଲିରେ ପହଞ୍ଚିଲୁ।ଆମ ଖୋଲିରେ ଯେତେ କ ଲୁଚ୍ଚା, ଲଫଙ୍ଗା, ଦଲାଲ୍, ସବୁ ସାମାଜିକ ବାସନ୍ଦ ଅଳିଆ ତକ ଏକାଠି ।କିଏ କିଏ ସତରେ ଚାରି ଦଉଡି କଟା ବାଳୁଙ୍ଗା ଆଉ କେତେ କ ପରିସ୍ଥିତି ର ରଶିରେ ମୋଡା ବଙ୍କା ତାର ସବୁ ।ସୁଯୋଗ ପାଇଲେ ସଜାଡି ହବ । 


ଲୋଭିଲା ଆଖି ଘୁରିଲା ତା କଅଁଳ ମାଂସ ଉପରେ ।କଣ ଆୟୀ ଆଜି ଏ ଚିକନ୍ କାହାଁ ସେ ଉଠାଲାଇ?? ରୋଜ୍ ତୋ କୁକୁର୍ ବିଲ୍ଲି କା ବଚ୍ଚା ଲାତି, ଆଜ୍ ୟେ କାହାଁ ସେ ଉଠାୟା ।ସାତ୍ ଲାଖ୍ ତ ହବ ହି ।କାଲି ବୁଝୁଛି ସୋନାଗାଛି ରେ ।ପିଆ ପି ଚାଲିଲା ମାତାଲ୍ ହୁଙ୍କାର ସହ ।


ତଥାପି ନୀରବ ଥିଲି ମୁଁ ।ରାତିରେ ଖାଇଲୁ,ତାକୁ ଖୋଇଦେଲି ନିଜର ଏଇ ହାତରେ ।ସେ ଯାଏଁ ସେ ବି ଗୁମ୍ ଥିଲା ।ମୁଁ ଖୋଇଲାରୁ ମୋ ଆଖିକୁ ଚାହିଁ ଚାହିଁ ଖାଇଦେଲା ।କଣ ବୁଝୁଥିଲା କେଜାଣି ।


ଶୋଇବାକୁ ଗଲୁ, ମୋ କଢରେ ସେ । 


ମୁଁ ବହୁତ ଦ୍ବନ୍ଦରେ ଥିଲି ।ମତେ ଛନ୍ଦି ହେଲା ପରି ଲାଗୁଥିଲା ବୁଡିଲା ପରି ଗଭୀର ପଙ୍କରେ ।ଛଟ ପଟ ଲାଗୁଥିଲା ।ଯେମିତି ଆଜି ମରିଯିବି କି ।ଏତେ ଅପରାଧର ମୁକସାକ୍ଷୀ, ମୁଁ ଆଜି କାଇଁ ଥରୁଥିଲି ।କି ବେଦନା କେଜାଣି ।ହାଡ ସବୁ ଭାଙ୍ଗିଲା ପରି ଲାଗୁଥିଲା, ମୁଣ୍ଡ ଫାଟିଯାଉଥିଲା ।


ମୋ ଖଟ ମୁଁ କାହାକୁ ସେୟାର କରେନି ସେ କଡରେ ଶୋଇଥିଲା କନା ବୁଜୁଳାଟେ ପରି ।ଅଡୁଆ ଲାଗୁଥିଲା ।ନିଦ କାଇଁ ......ଭଙ୍ଗା ଟିଣ ଚଦର ଛାତକୁ ପଚାରୁଥିଲି ।


ଏକଡ ସେକଡ ଲେଉଟୁ ଲେଉଟୁ କଣ ଗୋଟେ ମୋ ଖୋଲା ପେଟ ଉପରେ ପଡିଲା ।ଚମକି ପଡିଲି ।ଆଗରୁ କେବେ ଏମିତି ଲାଗିନି ତ ଏତେ ହାତ ଏ ପେଟକୁ ସଭ୍ଯ ଅସଭ୍ଯ ଭାବେ ଛୁଇଁ ଛନ୍ତି ।ଘୃଣା ଥାଏ ସେ ଛୁଆଁ ପାଇଁ କିନ୍ତୁ ଏଇ ପେଟ ପାଇଁ ତ ସବୁ ନାଟ ।


ଆଜି କିନ୍ତୁ ଲାଗୁ ଥିଲା କଣ କେମିତି କହିବାକୁ ଶବ୍ଦ ନାହିଁ ।ବୋଧେ ମା'ପେଟ ଭିତରେ ମୁଁ ଏମିତି ମୋ ମା କୁ ଛୁଇଁ ଥିବି ।ସେ ବି କଣ ଏମିତି .... ଆଜି କାଇଁ ମୋର ମୋ ଜନ୍ମଦାତ୍ରୀ ମନେପଡିଲା, ଏତେ ଯୁଗେ ।


ମା ପେଟ।ଯୋଉଠି ରହିବାକୁ କୁ ଇଶ୍ବର ବି ମନ ବଳାନ୍ତି କାଳେ, ଆଉ ସେଇଥି ପାଇଁ ସେ ଜୀବନ୍ତ ଇଶ୍ବରୀ ।


ମୁଁ ଏତେ କଥା ବୁଝେନା କି ବୁଝିବାକୁ ଚାହେଁନା ଏତେ ସମ୍ବେଦନଶୀଳତା ।ନାହିଁ ସେ ସବୁର ମୋ ପାଖରେ କିଛି ବି ମୂଲ୍ଯ ।ପାଇନି ବୋଲି କହିବିନି ଯେ ।ରୂପ ଅଲଗା ଥିଲା ଯାହା ।


ସେ ହାତ କୁ ମୋ ହାତରେ ଜଡେଇ ଧରିଲି, ମୁଠେଇଲି ।ସେ ବୋଧେ ଉଷୁମ ପାଇଲା, ଆହୁରି ଲାଗି ଆସିଲା ।ମୋ ପେଟ ସାଇଜ୍ ରେ ତା ମୁହଁ ଟିକି ବଲ୍ ଟେ ପରି ଦିଶୁଥିଲା ।ମତେ ହସ ଲାଗିଲା ।ମୁଁ ତାକୁ କୋଉ ଆବେଶରେ କେଜାଣି କୋଳେଇନେଇ ଶୋଇଗଲି ।ଶାନ୍ତି ରେ ।ଆଃ ......ଶାନ୍ତି । ସକାଳୁ ମୁଁ ମରିସାରି ଆଉ ଗୋଟେ ମୁଁ ଖଟରୁ ଉଠିଲି ।ପୁରା ନୂଆ ମୁଁ ।ନ ମାସ ର ଅନୁଭୂତି କୁ କାଲି ଠୁ ଆଜି ଭିତରେ....  ନ ଘଣ୍ଟାରେ ଅନୁଭବିଥିଲି । ମୋ ବାପା ଦେଇଥିବା ମୋ ମା' ର ଶାଢୀ ତକ ମୁହଁରେ ମାଡି ଶୁଙ୍ଗି ଗଲି, ଯେତେ ଟାଣିପାରିବି ଅମୃତ ବାସ୍ନା ଟାଣିଲି ।ଓଃ ..... ଏମିତି ବା ସେ ତେବେ ମା ' ।ଆଗରୁ କାଇଁ ଖୋଜିନଥିଲି ଯେ ।ଟିକେ ପସ୍ତେଇଲି ।


ହେ ! ଇଉଟ୍ରେସ୍ କଣ ଦରକାର ମ ମା 'ହବାକୁ, ମିଛ ।ସବୁ ମିଛ ।


ଗୋଟେ ମିଠା ଆଖି, ମିଠା ଛୁଆଁ, ମା ଡାକ ତମକୁ ମା କରିଦେଇପାରେ । ମୋ ଜୀବନର ଲକ୍ଷ୍ୟ ଥିଲା ମା ହବା ।ଇଶ୍ବର ଅଛନ୍ତି ବୋଲି ତ କୃପା କଲେ ନା । ଗଣ୍ଡଗୋଳକୁ ଆଡେଇବା ପାଇଁ ଶୃଗାଳ ଦଳଙ୍କୁ କହିଲି, ମୁଁ ୟାକୁ ବିକିପାରିବିନି ।ତାକୁ ଏଡ୍ସ ।କିଏ କିଣିବ ।ଘାଟାର ସଉଦା ।


ମୁହଁ ମୋଡି ହାରାସିଆ ଦଳ ଚାଲିଗଲେ ।ମୁଁ ସ୍ବସ୍ତିର ନିଶ୍ବାସ ମାରିଲି କାଖେଇକି ତାକୁ ।ସେମିତି ବି ସିଏ କାଲିଠୁ ସେ ପଶୁମଣିଷ ମାନଙ୍କୁ ଦେଖି କୁଙ୍କୁରି ଯାଇଥିଲା ଭୟରେ ।ତା ମମି ପାଖେ ଦେଖିଥିବେ ନା ।ଶିଶୁ ମନ ତ ଖାଲି ସିଲଟ ପରି ।ଛପି ଯାଏ ଚିତ୍ର ସବୁ ।


ପୁଣ୍ଯର ମିଛଟେ ।ଆଉ ଭୟଙ୍କର ରୋଗର ନାଁ ଟେ ସବୁଦିନ ପାଇଁ ତାକୁ ମୁନିଆ ଦାନ୍ତ କବଳରୁ ରକ୍ଷା କରିବ ।କାରଣ ମଣିଷ ସବୁଠୁ ବେଶୀ ଭଲ ପାଏ ନିଜକୁ ।ଖାଲି ନିଜକୁ ।

*****


ତା ମଥାକୁ ଚୁମି କହିଲି ,ମୁଁ କିଏ କହ ।ମୁଁ ହେଲା ତୋର ଆୟୀ ହମ୍ ।ମନେରଖ ।ଡାକ୍ ।ଆୟୀ ।


ସେ ଡାକିଲା, ମା ' ମା '।


ମୁଁ ସମ୍ପୂର୍ଣ୍ଣ ହେଇଗଲି ।ଚୁମିଗଲି ତା ମୁହଁ ସାରା ମନବୋଧକି ।


ତା ନାଁ ଦେଲି ଗାୟତ୍ରୀ ।


ଶୁଣିଥିଲି ଏ ଦେବୀ କାଳେ ପ୍ରଥମ ଆଦି ଶକ୍ତି ମୟୀ ।ସେ କାଳେ ଅନ୍ଧକାରରୁ ଆଲୋକକୁ ପଥ ଦେଖାନ୍ତି ।ପ୍ରସ୍ଫୁଟିତ କରନ୍ତି ଜୀବନ ପଥ ଜ୍ଞାନାଲୋକରେ ।


ଗୌରୀର ଝିଅ ଗାୟତ୍ରୀ ।ସକଳ ଶକ୍ତି ର ପ୍ରତୀକ ଗୌରୀ ବି ତ ।


ସେଇଦିନୁ ମୋର ଗୋଟେ ମକସଦ୍ ହେଲା, ତା ପରି ସବୁ କୁନିଙ୍କୁ ମୁଁ ଗୋଟେଇ ଆଣେ ।ଆଉ ମୋର ଏବେ ବହୁତ ବଡ ସଂସାର ପୁରା ତିରିଶ ଟି ପିଲାର ମା'  ମୁଁ ।ନୂଆ ଘର ନେଇଛି ବଡ କି ।


ଘର ! 


କେତେ ଭଲ ଲାଗୁଛି ନା ଶୁଣିବାକୁ ।


Rate this content
Log in

Similar oriya story from Drama