Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narendra Prasad Behera

Classics


3  

Narendra Prasad Behera

Classics


ଭଗୀରଥକୁ ସାଥୀ ପିଲା ଜାରଜ କହିଲେ କାହିଁକି

ଭଗୀରଥକୁ ସାଥୀ ପିଲା ଜାରଜ କହିଲେ କାହିଁକି

4 mins 582 4 mins 582

ରାମାୟଣରୁ କିଛି.......୯


ଭଗୀରଥକୁ ସାଥୀ ପିଲା ଜାରଜ କହିଲା କାହିଁକି ଏବଂ ମାଆଙ୍କ ଆଗରେ ଗଙ୍ଗାଙ୍କୁ ଆଣିବା ପାଇଁ ଜିଦ୍ ଧରିଲେ କାହିଁକି-:


   ଅଯୋଧ୍ୟାର ରାଜା ଦିଲୀପଙ୍କ ଦେହାବସାନ ପରେ ଅଯୋଧ୍ୟାରେ ସୂର୍ଯ୍ୟବଂଶ ଶେଷ ହେଲା । ଏହା ଦେଖି ସ୍ବର୍ଗରେ ଦେବତାମାନେ ବଡ ଦୁଃଖିତ ହେଲେ । ଇନ୍ଦ୍ର ପ୍ରଭୁତି ଦେବତା ଯାଇ ବ୍ରହ୍ମାଙ୍କୁ କହିଲେ-ଆପଣ ତ ଆମକୁ କହିଥିଲେ ଅଯୋଧ୍ୟାରେ ସୂର୍ଯ୍ୟବଂଶରେ ନାରାୟଣ ନର ରୂପରେ ଜନ୍ମ ଲାଭ କରି ରାବଣକୁ ବିନାଶ କରିବେ । ବର୍ତ୍ତମାନ ଅଯୋଧ୍ୟାର ରାଜା ଦିଲୀପଙ୍କର ଦେହାନ୍ତ ହୋଇଛି । ଦିଲୀପଙ୍କର କୌଣସି ସନ୍ତାନ ନ ଥିଵାରୁ ଏହିଠାରୁ ସୂର୍ଯ୍ୟବଂଶ ଲୋପ ପାଇଲା । ଦିଲୀପଙ୍କର ଦୁଇ ରାଣୀ, କିନ୍ତୁ କେହିହେଲେ ଗର୍ଭବତୀ ହୋଇନାହାନ୍ତି । ତେଣୁ ସୂର୍ଯ୍ୟବଂଶକୁ ରକ୍ଷାକରିବା ପାଇଁ କ'ଣ କରାଯିବ ? 


  ଦେବତାମାନଙ୍କଠାରୁ ଏହା ଶୁଣି ବ୍ରହ୍ମା ଯାଇ ଶିବଙ୍କ ପାଖରେ ପହଞ୍ଚିଲେ ଏବଂ ଦିଲୀପ ମରିଯାଇଥିବାରୁ ତାଙ୍କ ରାଣୀଙ୍କ ଗର୍ଭରୁ କିପରି ପୁତ୍ର ଜାତ ହେବ ସେହି ବ୍ଯବସ୍ଥା କରିବାକୁ ଶିବଙ୍କୁ ଅନୁରୋଧ କଲେ । ତହୁଁ ଶିବ ଅଯୋଧ୍ୟା ଯାଇ ସେଠାରେ ଦିଲୀପଙ୍କ ବିଧବା ରାଣୀ ଦୁହିଁଙ୍କି ଦର୍ଶନ ଦେଲେ । ରାଣୀ ଦୁହେଁ ପରମ ଭକ୍ତିରେ ଶିବଙ୍କର ପାଦ ପୂଜା କଲେ । ଏଥିରେ ଶିବ ପ୍ରସନ୍ନ ହୋଇ ସେମାନଙ୍କୁ କହିଲେ -ଆମ୍ଭେ ତୁମ ଦୁଇଜଣଙ୍କୁ ବର ପ୍ରଦାନ କରୁଛୁ । ସେହି ବର ପ୍ରଭାବରେ ତୁମର ପୁତ୍ର ଜାତ ହେବ । 


  ଶିବଙ୍କ ମୁଖରୁ ଏହାଶୁଣି ରାଣୀ ଦୁହେଁ ବଡ ଚିନ୍ତାରେ ପଡିଗଲେ । ସେମାନେ ଶିବଙ୍କ ପାଦତଳେ ପଡି କହିଲେ-ହେ ପ୍ରଭୁ,ଆମେ ଦିହେଁ ବିଧବା । ଆମେ ବିଧବା ହୋଇଥିବା ହେତୁ ଆମ ଗର୍ଭରୁ ସନ୍ତାନ ଜନ୍ମିଲେ ଲୋକେ ଆମକୁ କ'ଣ କହିବେ ? ତା' ପରେ ଆମ ପୁରୁଷ ମରିଯାଇଥିବାରୁ ସନ୍ତାନ ବା ହେବେ କେମିତି ? 


  ଦିଲୀପଙ୍କର ସେହି ବିଧବା ରାଣୀ ଦୁହିଁଙ୍କି ଶିବ କହିଲେ - ତୁମର ଋତୁସ୍ନାନ ସମୟରେ ତୁମେ ଦିହେଁ ପରସ୍ପର ସହିତ ରତି କର । ସେଥିରୁ ତୁମର ପୁତ୍ର ଜାତ ହେବ ଓ ସେହି ପୁତ୍ର ସାରାଜଗତରେ ଖ୍ଯାତିଲାଭ କରିବ । ଏହା କହି ଶିବ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ।


   ଦଶମାସ ପରେ ଦୁଇ ରାଣୀଙ୍କ ମଧ୍ଯରୁ ଜଣଙ୍କ ଗର୍ଭରୁ ଗୋଟିଏ ମାଂସ ପିଣ୍ଡୁଳା ଜାତ ହେଲାରୁ ଦୁଇ ରାଣୀଯାକ ନିରାଶ ହେଲେ ଓ ଭାବିଲେ ଏହାକୁ ପାଖରେ ରଖିଲେ ଲୋକେ ନାନା କଥା କହିବେ । ଦୁଇ ରାଣୀ ଏହା ଭାବି ନଗର ବାହାରେ ଫୋପାଡ଼ି ଦେଇ ଆସିବାକୁ ଦାସୀକୁ କହିଲେ । ସେହି ମାଂସପିଣ୍ଡୁଳାକୁ ନେଇ ଯାଉ ଯାଉ ଦାସୀଟା ବଶିଷ୍ଠ ଋଷିଙ୍କ ଆଗରେ ପଡିଗଲା । ଦାସୀକୁ ବଶିଷ୍ଠ କହିଲେ- ହେ ହେ ତୁ କ'ଣ ନେଇ ଯାଉଛୁ ? ଦାସୀ ତାଙ୍କୁ କହିଲା- ଦିଲୀପଙ୍କର ଦୁଇ ବିଧବା ରାଣୀଙ୍କ ମଧ୍ଯରୁ ଜଣଙ୍କ ଗର୍ଭରୁ ଏହି ମାଂସପିଣ୍ଡୁଳାଟି ଜନ୍ମ ହୋଇଥିବାରୁ ମୋତେ ନଗର ବାହାରେ ଫୋପାଡ଼ି ଦେଇ ଆସିବାକୁ ମୋ ହାତରେ ଦେଇଛନ୍ତି । ବଶିଷ୍ଠ ଋଷି ଯୋଗବଳରେ ସବୁକିଛି ଜାଣିପାରି ଦାସୀକୁ କହିଲେ-ଏହାକୁ ତୁ ଜଳ କି ଅନଳରେ ଫୋପାଡ଼ିବୁ ନାହିଁ । ଏହାକୁ ବାଟ କରରେ ଶୁଆଇ ଦେଇ ଚାଲିଯିବୁ । ବଶିଷ୍ଠଙ୍କ କଥାମାନି ଦାସୀ ରାସ୍ତାକରରେ ଶୁଆଇ ଦେଇ ଫେରିଗଲା । 


  ଅଷ୍ଟାବକ୍ରମୁନି ତାଙ୍କ ମାତୃଗର୍ଭରେ ଥିଲାବେଳେ ଥରେ ତାଙ୍କ ପିତା ଗୋଟିଏ ଶ୍ଳୋକ ଗାନ କରୁଥିଲେ । ସେହି ଶ୍ଳୋକ ଗାଇବାରେ ଗୋଟିଏ ଭୁଲ ହୋଇଥିବାରୁ ମାତୃଗର୍ଭରେ ଥାଇ ତାଙ୍କର ସେହି ଶିଶୁ ପିତାଙ୍କୁ ଶୁଣାଇ ଭୁଲଟିକୁ ସଂଶୋଧନ କରିଦେଲେ । ଏଥିରେ ପିତା ନିଜକୁ ଅପମାନିତ ମନେକରି ମାତୃଗର୍ଭରେ ଥିବା ନିଜର ଶିଶୁପୁତ୍ରକୁ ଅଭିଶାପ ଦେଲେ - ରେ ରେ ନିର୍ବୋଧ ଶିଶୁ ? ତୁ ମୋର ଭୁଲ ସଂଶୋଧନ କରି ମୋତେ ଅପମାନିତ କଲୁ ? ତେଣୁ ମୁଁ ତୋତେ ଏହି ଅଭିଶାପ ଦେଉଛି ଯେ ତୋ'ର ଶରୀର ଅଷ୍ଟବକ୍ର ହୋଇଯାଉ । ଫଳରେ ସେହି ଶିଶୁପୁତ୍ରଟିର ଶରୀର ଆଠ ଜାଗାରେ ବଙ୍କା ହୋଇଗଲା ଓ ସେହି ଶରୀରନେଇ ସେ ଜନ୍ମଲାଭ କଲେ । ତେଣୁ ତାଙ୍କ ନାଆଁ ହେଲା ଅଷ୍ଟାବକ୍ର । ଘୋର ତପସ୍ୟା କରି ଅଷ୍ଟାବକ୍ର ସିଦ୍ଧି ଲାଭ କଲେ । ତାଙ୍କ ଶରୀର ଆଠ ଜଗାରେ ବଙ୍କା ହୋଇଯାଇଥିବାରୁ ସେ ଚାଲିଲାବେଳେ ହାସ୍ଯୋଦ୍ଦୀପକ ବିଚିତ୍ର ଚାଲି ଚାଲୁଥିଲେ ।


  ଅଷ୍ଟାବକ୍ରମୁନି ଆଠବାଙ୍କ ଗତିରେ ଚାଲିଚିଲି ଆସୁଥିଲାବେଳେ ବାଟକରରେ ସେହି ମାଂସପିଣ୍ଡୁଳାବତ୍ ଶିଶୁଟିକୁ ଦେଖିଲେ । ଶିଶୁଟି ଦେହରେ ହାଡ ନ ଥିବାରୁ ସେ ଅଷ୍ଟାବକ୍ରମୁନି ଚାଲିଲା ପରି ଲୁତୁପୁତୁ ହେଉଥିଲା । ଏହା ଦେଖି ଅଷ୍ଟାବକ୍ରମୁନି ରାଗିଉଠି କହିଲେ- ରେ ଶିଶୁ ? ତୁ ଯଦି ମୋତେ ପରିହାସ କରିବା ପାଇଁ ଏପରି ଅଭିନୟ କରୁଥାଉ ତେବେ ତୁ ସେହିପରି ଆଠବାଙ୍କ ହୋଇ ରହିଥାଆ । ନଚେତ୍ ଯଦି ତୋର ଶରୀର ପ୍ରକୃତରେ ସେହିପରି ତେବେ ତୁ କନ୍ଦର୍ପ ପରି ସୁନ୍ଦର ରୂପ ଲାଭ କର । 


    ଅଷ୍ଟାବକ୍ରମୁନୀ ଏହିପରି କହିବା ମାତ୍ରେ ମାଂସପିଣ୍ଡୁଳାବତ୍ ଶିଶୁଟି ଅତି ସୁନ୍ଦର ରୂପ ଧାରଣ କଲା । ଏହା ଦେଖି ଅଷ୍ଟାବକ୍ରମୁନି ଆଶ୍ଚର୍ଯ୍ୟ ହେଲେ । ଯୋଗବଳରେ ସବୁକଥା ଜାଣିପାରି ଦିଲୀପଙ୍କ ରାଣୀ ମାନଙ୍କୁ ସେଠାକୁ ଡକାଇଲେ । ରାଣୀଦୁହେଁ ଆସିବାରୁ ଅଷ୍ଟାବକ୍ରମୁନି ସେହି ଶିଶୁଟିକୁ ସେମାନଙ୍କୁ ଦେଇ କହିଲେ - ହେ ରାଣୀମାନେ, ତୁମର ଏହି ଯେ ପୁତ୍ର ଜାତ ହୋଇଛି ସେ କୌଣସି ପୁରୁଷ ସଂଯୋଗ ହେତୁ ଜାତ ହୋଇନାହିଁ । ତୁମ ଦୁଇ ରମଣୀଙ୍କ ଭଗ ସଂଯୋଗରେ ସେ ଜାତ ହୋଇଥିବାରୁ ତା'ର ନାମ ଭଗୀରଥ ହେଉ । ଏହାକହି ଅଷ୍ଟାବକ୍ରମୁନି ନିଜ ବାଟରେ ଚାଲିଗଲେ । ରାଣୀମାନେ ସେମାନଙ୍କର ସେହି ସୁନ୍ଦର ଶିଶୁପୁତ୍ରଟିକୁ ଆନନ୍ଦରେ ନେଇ ଉଆସକୁ ଫେରିଆସିଲେ । 

  

 ଶିଶୁ ଭଗୀରଥକୁ ରାଣୀଦିହେଁ ଭାରି ଯତ୍ନରେ ପାଳିବାରେ ଲାଗିଲେ । ଚାହୁଁ ଚାହୁଁ ଏଥିମଧ୍ଯରେ ପାଞ୍ଚ ବର୍ଷ ବିତିଗଲା । ତହୁଁ ଭଗୀରଥ ମହର୍ଷି ବଶିଷ୍ଠଙ୍କ ପାଖରେ ଵସି ପାଠ ପଢିବାକୁ ଆରମ୍ଭ କଲେ । ଦିନେ ଗୋଟାଏ ସାଥୀ ପିଲା ଭଗୀରଥକୁ ଜାରଜ ବୋଲି କହି ଗାଳିଦେଲା । ଏଥିରେ ଭଗୀରଥଙ୍କ ମନରେ ଭାରି କଷ୍ଟ ହେଲା । ଉଆସକୁ ଫେରି ଭଗୀରଥ ନ ଖାଇ ନ ପିଇ ମନ ଦୁଃଖରେ ଶୋଇ ରହିଲେ । ଜନନୀ ଦିହେଁ ତାକୁ ଖୋଜି ଖୋଜି ବହୁତ କଷ୍ଟରେ ପାଇଲେ । ଭଗୀରଥ ଆଖିରେ ଅଶ୍ରୁଦେଖି ମାଆ ଦିହେଁ ଭଗୀରଥକୁ କୋଳକୁ ନେଇ ତହିଁର କାରଣ ପଚାରିଲେ । ସାଙ୍ଗପିଲା ଯେପରି ଜାରଜ କହି ତାକୁ ଅପମାନିତ କଲା ଭଗୀରଥ ବଡ ଦୁଃଖରେ କାନ୍ଦି କାନ୍ଦି ମାଆ ଦୁହିଁଙ୍କି କହିଲେ । ତହୁଁ ମାଆ ଦିହେଁ ଭଗୀରଥ କୁ କହିଲେ-ପବିତ୍ର ସୂର୍ଯ୍ୟବଂଶରେ ତୋର ଜନ୍ମ । ତୋ ବଂଶରେ ସଗର ନାମରେ ଜଣେ ରାଜା ଥିଲେ । ଚୋରୀଯାଇଥିବା ତାଙ୍କର ଯଜ୍ଞଅଶ୍ବକୁ ଖୋଜିବା ପାଇଁ ତାଙ୍କର ଷାଠିଏ ହଜାର ପୁଅ ପାତାଳରେ ପହଞ୍ଚି ସେଠି କପିଳମୁନିଙ୍କ ଅଭିଶାପ ହେତୁ ଭସ୍ମ ହୋଇଗଲେ । ତେଣୁ ସେମାନଙ୍କ ଆତ୍ମା ମୁକ୍ତି ନ ପାଇ ଛଟପଟ ହେଉଛନ୍ତି । ଗଙ୍ଗାଙ୍କୁ ସେଠାକୁ ଆଣିପାରିଲେ ଓ ଗଙ୍ଗା ଜଳ ସେମାନଙ୍କ ଭସ୍ମକୁ ଧୋଇନେଲେ ସେମାନଙ୍କ ପୀଡିତ ଆତ୍ମା ମୁକ୍ତିଲାଭ କରି ପୀଡାରୁ ମୁକ୍ତି ପାଇବେ । ସେଥିପାଇଁ ସଗର ତପସ୍ୟା କରିବାକୁ ଯାଇ ସମୟ ହୋଇଯିବାରୁ ଦେହତ୍ଯାଗ କଲେ । ଅଂଶୁମାନଙ୍କ ପୁତ୍ର ଦିଲୀପ ଯେ କି ତୋର ପିତା ସେ ମଧ୍ଯ ଗଙ୍ଗାଙ୍କୁ ଆଣିବା ପାଇଁ ତପସ୍ୟାକୁ ଯାଇ ଶେଷରେ ସମୟକ୍ରମେ ମୃତ୍ୟୁଲାଭ କଲେ । ସେହିଠାରୁ ସୂର୍ଯ୍ୟବଂଶ ଲୋପ ପାଇବାର କଥା । କିନ୍ତୁ ପ୍ରଭୁ ସଦାଶିବ ଦୟାକରି ଆମ ପାଖରେ ଉପସ୍ଥିତ ହୋଇ ସେ କହିଲେ- ତୁମ ଦୁହିଁଙ୍କ ଭଗ ସଂଯୋଗରେ ପୁତ୍ର ଜାତ ହେଉ । ଏହାକହି ସଙ୍ଗେ ସଙ୍ଗେ ଅନ୍ତର୍ଦ୍ଧାନ ହୋଇଗଲେ । ଆମ ଦୁହିଁଙ୍କ ଭଗ ସଂଯୋଗରୁ ତୁ ଜାତ ହୋଇଥିବାରୁ ତୋ ନାଆଁ ହେଲା ଭଗୀରଥ । 


  ମାତା ଦୁହିଁଙ୍କ ମୁଖରୁ ଏସବୁ କଥା ଶୁଣି ଭଗୀରଥ କହିଲେ- ମାଆ,ମୁଁ ଗଙ୍ଗାଙ୍କୁ ଆଣିବାକୁ ଯିବି । କୋମଳ ବୟସର ଛୋଟ ଶିଶୁ ଭଗୀରଥ । ମାଆମାନେ ଛାଡିବାକୁ ମନାକଲେ । କିନ୍ତୁ ଭଗୀରଥଙ୍କର ଏକା ଜିଦ୍ ଯେ ସେ ଗଙ୍ଗାଙ୍କୁ ଆଣିବାକୁ ଯିବେ । ମହର୍ଷି ବଶିଷ୍ଠଙ୍କ ପାଖକୁ ଯାଇ ଭଗୀରଥ ତାଙ୍କଠାରୁ ମନ୍ତ୍ରଦୀକ୍ଷା ନେଲେ । ଜନନୀ ଦୁହିଁଙ୍କ ପାଖରୁ ବିଦାୟ ନେଇ ମେରୁ ପର୍ବତ ଉଦ୍ଦେଶ୍ୟରେ ଯାତ୍ରା କଲେ । 



Rate this content
Log in

More oriya story from Narendra Prasad Behera

Similar oriya story from Classics