Lopamudra Parida

Classics Inspirational

3  

Lopamudra Parida

Classics Inspirational

ଭେଲୋରର ମହାଲକ୍ଷ୍ମୀ

ଭେଲୋରର ମହାଲକ୍ଷ୍ମୀ

9 mins
114


ଐଶ୍ଚର୍ଯ୍ୟର ମହାଦେବୀ: ଭେଲୋରର ମହାଲକ୍ଷ୍ମୀ ଦେବୀ


ଭାଗ - ୧


ସେତେବେଳେ ଆମର ନୂଆ ନୂଆ ବାହାଘର ହେଇଥାଏ ।ଏଇ ମାସେ ଖଣ୍ଡେ ହବ ବାଙ୍ଗାଲୋର ଆସିଥାଉ ।ଇଏ ଏଠି କାମ କରନ୍ତି ତେଣୁ ଏଇଠି ହି ଆରମ୍ଭ ହୁଏ ନୂଆ ଜୀବନ ର ମୂଳଦୁଆ ।ଜୀବନ ତ ଗୋଟେ ରାସ୍ତା ଏଇ ପୃଥିବୀ ପାନ୍ଥଶାଳାରେ ।ସେଇ ଭିତରୁ ଇଏ ଗୋଟିଏ ବାଟ ।


ନୂଆ ନୂଆ ଜାଗା ଦେଖିବା, ସେ ବିଷୟରେ ଜାଣିବା, ବୁଲିବା ମୋର ଗୋଟିଏ ଆଗ୍ରହର ଦିଗ ।ଅନେକ ଜାଗା ପୁରା ଭାରତରେ ବୁଲି ଆସିଛି କେବେ ଚିତ୍ର, କେବେ ନୃତ୍ୟ, ନାଟକ ବା କେବେ ସ୍କାଉଟ୍ ଗାଇଡ୍ କ୍ଯାମ୍ପ ରେ ଭାଗ ନେଇ ।ବାପା ବୋଉ ମଧ୍ୟ ଅନେକ ଜାଗା ତୀର୍ଥ, ଭ୍ରମଣ କରେଇଦେଇଛନ୍ତି ।

ତେଣୁ ଆଖପାଖର ସବୁ ସ୍ଥାନ ଦେଖିବାର ଆଗ୍ରହ ପିଲାବେଳୁ ସାଇତା ଗହନ ମନେ ।


ଶନିବାର ରବିବାର ଏଠିକା ଅଧିକାଂଶ ଅଫିସ ଛୁଟି ।ସେଦିନ ବି ରବିବାର ହେଇଥାଏ ।ଆମେ ସକାଳୁ ବାହାରିଲୁ ।ଦୁଇଶହତିନି କିଲୋମିଟର ରାସ୍ତା ଶ୍ରୀ ଲକ୍ଷ୍ମୀ ନାରାୟଣୀ ମନ୍ଦିର ।ପାଖାପାଖି ଚାରି ପାଞ୍ଚ _ ଘଣ୍ଟା ର ରାସ୍ତା ।ରହି ବସି ଗଲେ ଆଉ ଟିକେ ଘଣ୍ଟାର ବାଟ ।ଆମେ ଆମ ବସାଠୁ ମାଜିଷ୍ଟିକ୍ ବସ୍ ଷ୍ଟାଣ୍ଡ ଯାଏଁ ଗୋଟେ ସିଟିବସରେ ଗଲୁ ।ସେଠୁ ଭେଲୋରକୁ ଟିକଟ କାଟି ମହାପ୍ରଭୁଙ୍କୁ ମୁଣ୍ଡିଆଟିଏ ମାରି ଉଠିଗଲୁ ।ଭଲ ଲାଗୁଥାଏ ।ଆମ ଭିତରେ ନୂଆ ନୂଆ ସାଙ୍ଗ ବସୁଥାଏ ।ତାଙ୍କର ମୋ ପ୍ରତି ଆବେଗ, ଅନୁରାଗ, ଯତ୍ନ କେତେବେଳେ ମତେ କୁନିଝିଅଟିଏ କରିଦେଉଥାଏ ତ କେତେବେଳେ ପାଖୁଡା ମେଲୁଥାଏ ପ୍ରଜାପତି ପରି ,ଆଉ ବା କେତେବେଳେ ପାହାଡି ଝରଣା ପରି ନାଚି ନାଚି ଯାଉଥାଏ ଏକ ନୂତନ ପୁଲକରେ ।ସେମିତି ରେ ମତେ ଝରକା ଦେଇ ଚଳନ୍ତି ପୃଥିବୀ ଦେଖିବାକୁ ଖୁବ୍ ପସନ୍ଦ ।କଳ୍ପନା ରେ ଜୀଁ ହୁଏ ,ଗଢି ହୁଏ ଗପର ଦୁନିଆ ବୋଲି ।ଗାଡି ଚାଲିଥାଏ ଯେ ଚାଲିଥାଏ ।ଦିହିପହର ହେଇ ଆସୁଥାଏ ,ବସ ବୁଲେଇ ପସିଲା ଭେଲୋର ସହରରେ ।ଗହଳିଚହଳି ଭରା ରାସ୍ତା ।ରାସ୍ତା ଦୁଇକଡରେ ଅନେକ ସାମଗ୍ରୀର ପ୍ରଚୁର ବିପଣୀ ।ଖରା ଯେ ଖରା ଚାଇଁ ଚାଇଁ ।ତାମିଲନାଡୁର ଏକ ସହର ଭେଲୋର ।


ସେତେବେଳେ ତ ଏମିତି ସ୍ମାର୍ଟ ଫୋନ ନଥିଲା ଯେ ଗୁଗଲରେ ସବୁ ସବିଶେଷ ଜାଣନ୍ତି, ତଥାପି ଆଗ୍ରହ ନେଇ ଏପଟ ସେପଟର କ୍ବଚିତ୍ ଇଂରାଜୀରେ ହୋର୍ଡିଂ ବୋର୍ଡ ସବୁକୁ ଝରକା ଦେଇ ଉଣ୍ଡୁଥାଏ କାଳେ କୋଉ ଯାଗା, ନାଁ କି କିଛି ବୁଝାପଡିବ ।ବସରେ ତ ଅଧିକରୁ ଅଧିକ ଲୋକ ତାଙ୍କ ଆଞ୍ଚଳିକ ଦାକ୍ଷିଣ୍ଯ ମାତୃଭାଷାରେ କଥା ହେଉଥାନ୍ତି ।ତାମିଲ ଲୋକ ମାନେ ସାଧାରଣତଃ ତାଙ୍କର ଭାଷା କୁ ବହୁତ ବେଶୀ ସମ୍ମାନ ଓ ଭକ୍ତି କରନ୍ତି ବୋଲି ତାଙ୍କ ଆଚରଣରୁ ସ୍ପଷ୍ଟ ହୁଏ ।ଏଇ ଭାଷାପ୍ରିତି ଯଦି ଭାରତର ସମସ୍ତ କୋଣରେ ପ୍ରସ୍ଫୁଟିତ ହୁଅନ୍ତା, ବୋଧେ ସମସ୍ତ ଭଗୀନି ଭାଷା ସହ ଉପଭାଷା, ଆଞ୍ଚଳିକ ଭାଷା,ଲୋକଭାଷା ଆଦି ଆଦି ସମୃଦ୍ଧ ହୋଇପାରନ୍ତେ ।ସାହିତ୍ୟ ସଶକ୍ତ ଓ ସମୃଦ୍ଧ ହୁଅନ୍ତା ଅନନ୍ତ କାଳ ଯାଏ ।


ହଁ ବସ ଗଡୁଥାଏ ।ମୁଁ ୟାଙ୍କୁ ପଚାରୁଥାଏ ତମେ ବୁଝିପାରୁଛ ସମସ୍ତେ କଣ କଥା ହେଉଛନ୍ତି? କୋଉ ଯାଗା ଇଏ? ଆଉ କେତେ ସମୟ ଲାଗିବ? ବସଷ୍ଟାଣ୍ଡରେ ଓହ୍ଲାଇ ଆଉ କେତେ ବାଟ ମନ୍ଦିର? ଆଜି କଣ ଆମେ ଫେରିଯିବା?ଏଇଠି କୋଉଠି ରହିବା?ତମେ ମନ୍ଦିରକୁ ବାଟ ଦେଖିଛ? ଏମିତି ଏମିତି କେତେ ବୋଲି କେତେ କଣ ! ଇଏ ବିଚରା ଶାନ୍ତ ମଣିଷ, ପୁଣି ଅଳ୍ପ କଥା କହୁଥିବା ଲୋକ ।ସବୁ କଥାରେ ହସିଦେଉଥାନ୍ତି ଆଉ କହୁଥାନ୍ତି ," ହଁ ଆଉ ଅଳ୍ପ ବାଟ ହି ।" ମୁଁ ପାଣି ପିଉଥାଏ ଆଉ ଅପେକ୍ଷାରେ ଥାଏ କେତେବେଳେ ଓହ୍ଲାଇବୁ ।ବସ ପୁରା ଖୁନ୍ଦାଖୁନ୍ଦି ଭିଡ ।ହଠାତ୍ ମୋର ମନେପଡିଲେ କଳାସାଆନ୍ତେ ।ଆଖି ଝରଝର ବହିଲା ।ଅଭିମାନରେ କାଟିଲା ।ଭାବିଲି, " ତୁ ପରା କୋଉଠି କୋଣେ ଅନୁକୋଣେ ଥାଉ ।ଜଗତର ପ୍ରତି ଅଣୁ ପରମାଣୁରେ ତୋ ସ୍ଥିତି ।ପ୍ରତି ସ୍ଥାବର ଜଙ୍ଗମରେ ତୁ ପ୍ରାଣ ହେଇ ହୃଦୟେ ଅଧିଷ୍ଠିତ ।ମତେ ଏଇଠି ଏବେ ଦର୍ଶନ ଦେ ।ମତେ ବଡ ବ୍ଯସ୍ତ ଲାଗୁଛି ।ବାପା ଏତେ ବାଟରେ ।ମତେ ଏକା ଲାଗୁଛି ।" ଆବେଗ ଭରା ଅନୁରୋଧ ରେ ଭାବପ୍ରବଣ ହେଉ ହେଉ କାନ୍ଦ କାନ୍ଦ ହେଲିଣି ।ବସ ଯାକ ଆଖି ବୁଲେଇ ଆଣିଲିଣି କୋଉଠି ତାର ଛବିଟେ ଦିଶନ୍ତା କି ! ଇଏ ବ୍ଯସ୍ତ ଦିଶୁଥାନ୍ତି ମୋ ଅବସ୍ଥା ଦେଖି ।ମୁଁ କାହିଁକି ହଠାତ୍ ଏତେ ଏମିତି ବିକଳ ହେଇପଡିଲି ବୁଝିପାରୁନଥାଏ ।ହେଲେ ଭାରି କାନ୍ଦୁଣୁମାନ୍ଦୁଣୁ ଲାଗୁଥାଏ ।ବସ ରୋକିଥାଏ ।ଲୋକ ଓହ୍ଲାଇ ଯେଝା ଘର ଗନ୍ତବ୍ୟ କୁ ଯାଉଥାନ୍ତି ।ଇଏ କହିଲେ ," ବସ ଅଟକିଛି ।ଭୋକ ହେଲାଣି କି ? ହଉ ବସିଥ ।ମୁଁ କଣ ଟିକେ ନେଇ ଆସେ ।" କହି କଣ୍ଡକ୍ଟର କୁ ହାତ ଦେଖେଇ ଠିଆ ହେଲେ ।ମତେ ତ ଆହୁରି କାନ୍ଦ ଲାଗିଲା ଆଉ ।ୟାଙ୍କୁ କହି ବି ପାରୁନଥାଏ କି କାଳିଆକୁ ଝୁରୁଛି ।ତାକୁ ଦେଖିବି ।ଏବେ ।ଏଇଲେ ।ଯେମିତି ହେଲେ ।" ପାଗଳୀ ଭାବିବେନି ନା ! ଭାବିବେ ୟାର କଣ ମୁଣ୍ଡ ଦୋଷ ଅଛି ! ସେମିତି ରେ ସିଏ ବୁଝିପାରୁନଥାନ୍ତି ହେଲା କଣ !ବସ ଗଡିବା ଆରମ୍ଭ ହେଲା ।ୟାଙ୍କୁ ଅଳ୍ପ ତାମିଲି ଜଣା ଯେହେତୁ ଚାକିରି ଖୋଜା ଦିନ ସବୁ ମାଦ୍ରାସରେ କଟିଛି ।ତେଣୁ ସେ କଣ୍ଡକ୍ଟରକୁ ପଚାରୁଥାନ୍ତି ତାମିଲିରେ, " ଆଉ କେତେବାଟ?" ସେ ଆଙ୍ଗୁଳି ଇଶାରାରେ କହୁଥାଏ," ଆଉ ଯୋଡେ ତିନୋଟି ଛକ ।"


ଦାଣ୍ଡରେ ଗହଳି ବଢୁଥାଏ ।ହଠାତ୍ ଝାନ୍ଜ, ମୃଦଙ୍ଗ, ଘଣ୍ଟା ଘଣ୍ଟ ଶବ୍ଦ ଶୁଭିଲା ।ମୁଁ ଆକର୍ଷିତ ହେଲି ।ଏ ଶବ୍ଦ ମୋର ପ୍ରିୟ ।ଶୁଭିଲା ହରେ କୃଷ୍ଣ ମହାମନ୍ତ୍ର ।ମୁଁ ବସ ଝରକା ଦେଇ ମୁଣ୍ଡ ଗଳେଇଲି ।ବାହାରକୁ ଚାହିଁଲି ।ଆପଣ ମାନେ ବିଶ୍ବାସ କରିବେନି ସେଠି ବିଜେ କରୁଥିଲେ ମୋ ଆରାଧ୍ଯ ।ମୋ କଳାସାଆନ୍ତେ, ଆମ ବଡ ଠାକୁରେ ଓ ମହାଦେବୀ ହରିଦ୍ରାମୁଖୀ ମାଆ ସୁଭଦ୍ରା ।ବିରାଟ ରଥ ।ଭବ୍ଯ ପ୍ରତିମା ।ସାଜସଜ୍ଜା ଅତୀବ ମନୋରମ ।ମୁଁ କୋଟିଲାବଣ୍ଯନିଧି ପାଇଗଲା ପରି ଅନୁଭବଟେ ସାଉଁଟିନେଲି ।କେତେ କୃପାଳୁ ମହାପ୍ରଭୁ ସତେ ।ମହାଲକ୍ଷ୍ମୀଙ୍କ ଧାମରେ ମହାବାହୁଙ୍କ ଦର୍ଶନ ଯୋଗ ।ଆଜୀବନେ ଭୁଲିହେବ କି ! ଅପୂର୍ବ ସେ ମୂହୁର୍ତ୍ତ ।କୃତ୍ଯ କୃତ୍ଯ ଭାବ ଆବୋରି ବସୁଥାଏ ।ଇଏ ଆଗପଟୁ ଫେରିଲେ ।ମୁଁ ଡାକଛାଡି କହିଲି, " ଦେଖ ,ଦେଖ ଆମ ଜଗା ସୁନ୍ଦର ।ଏଠି ବି ।ଏ ଦେଶରେ । ଦେଖୁଛ ଟି ସିଏ କେତେ ଭାବରେ ବନ୍ଧା ।କିଏ ହବ ଏ ସଂସାରେ ତା ପରି ଆହା ।" ଇଏ ଆଉ ବସର ସମସ୍ତେ ନଇଁ ପଡି ଚାହିଁ ଦେଖୁଥାନ୍ତି ।ବସ ଅଟକ ଥାଏ ।ରଥ ଆଗକୁ ଗଡୁଥାଏ ।ମଣିମା ପାଖଉଥାନ୍ତି ।ଦର୍ଶନ ସୁନ୍ଦର ଯୋଗରେ ଲାଭ ହେଉଥାନ୍ତି ।ଇସ୍କନର ରଥ ।ଭକ୍ତ ବୃନ୍ଦ ହରିବୋଲ ହୁଳହୁଳି ଧ୍ବନି ରେ ପ୍ରକମ୍ପିତ କରୁଥାନ୍ତି ।ତାମିଲିନାଡୁ ଭେଲୋରର ଦାଣ୍ଡ ମୂହୁର୍ତ୍ତକେ ବୃନ୍ଦାବନ କି ବଡଦାଣ୍ଡ ରେ ପରିବର୍ତ୍ତିତ ହୋଇଯାଇଥାଏ ସତେ ।ମୋ ମନର ଶାନ୍ତି ର କଳନା ନଥାଏ ।କରୁଣାମୟ ଆନନ୍ଦମୟ ।


ବସ ପୁଣି ଆଗେଇଲା ।ମୋର କ୍ଲାନ୍ତପଣ କଟି ସାରିଥାଏ ।ଇସ୍କନର ଭକ୍ତ ମାନଙ୍କୁ ଦେଖିଲେ ଲାଗେ, ତାଙ୍କର ଶିକ୍ଷା ସଂସ୍କୃତି, ସଂସ୍କାର କେତେ ଭିନ୍ନ ତଥାପି ତାଙ୍କ ସଭିଁଙ୍କର କି ପ୍ରଗାଢ ଭଲପାଇବା ଆମ ପ୍ରେମମୟ ଠାକୁରର ପ୍ରେମରେ !ଆଉ ଆମ ଦେଶରେ ସେଇ ନିରୁତା ଶିଶୁ ପରି ଭକ୍ତି ଯାଗାରେ ତର୍କ ସହସ୍ର ।ଯୋଉଠି ବିଶ୍ବାସ ସିଏ ତ ସେଇଠି ଆବିର୍ଭୂତ ।


ଛାଇଲେଉଟାଣି ବେଳ ହେଇଆସିଥାଏ ।ରତରତ ସଞ୍ଜ ଗଡିବାକୁ ଆଗଭର ଦିଗବଳୟର ପ୍ରସସ୍ତ ନୀଳବାଲୁକାରେ ।


ଆମେ ଓହ୍ଲାଇଲୁ ମହାଦେବୀଙ୍କର ଦ୍ବାରେ ।ମହାଦେବୀ ଙ୍କ ଫାଟକ ଦେଖି ହି ଆଖି ତାଟକା ।ମନେ ପଡୁଥିଲା ମାଣବସା ଗୁରୁବାର ମହାଲକ୍ଷ୍ମୀ ପୁରାଣରେ ମାନମୟୀ ଦେବୀଙ୍କର ସାଗରକୂଳେ ବିଶ୍ବକର୍ମା ଦେବଙ୍କ ଦ୍ବାରା ନିର୍ମିତ ଭବ୍ଯ ଖମ୍ବ, ତୋରଣ, ହୀରା,ମୋତି,ମାଣିକ୍ୟ ଝରି,ଝାଲର ଯୋଖା ସ୍ବର୍ଣ୍ଣୀମ ପ୍ରାସାଦ ,ଯାହା କେବଳ କଳ୍ପନା ଚକ୍ଷୁରେ କଳ୍ପି ହବ ସିନା କଳ୍ପେ ଯାଏ ଦେଖିନୋହିବ ।ହେଲେ ଏ ଦକ୍ଷିଣ ରାଜ୍ଯ କାଳେ ଲକ୍ଷ୍ମୀ ରାଜ୍ଯ ବୋଲି କଥିତ ଅଛି ।ଏଠା ବେଶ ଦେଖିଲେ ଖୋସି ହେଇଯାଏ ଚର୍ମଚକ୍ଷୁ ।ଏଠିକା ଝିଅ ବୋହୂ ମାନେ ମଣ୍ଡଣୀ ହେଇଥାନ୍ତି ବିବିଧ ଅଳଙ୍କାରେ ।ଚଳନ୍ତି ପ୍ରତିମା କ୍ଷିରାବ୍ଧୀତନୟା ଙ୍କର ସତେ ଯେମିତି ସଚଳେ ଦୃଶ୍ୟମାନ, ଆତଯାତ ।ଯଦି ସାଧାରଣ ଜୀବନଚର୍ଯ୍ଯା ରେ ସୁବର୍ଣ୍ଣ ର ଏତେ ମହତ୍ବ ଏଠି ତ କଥା ସ୍ବୟଂ ପଙ୍କଜିନୀ ମହାମାୟେଙ୍କର ।


ଫାଟକ ଦେଖି ଏତେ ତାଜୁବ, ଭିତର କଥା ବର୍ଣ୍ଣିବାକୁ ଶବ୍ଦ ଅବା କାଇଁ ! ଶ୍ରୀ ପୁରମ୍ ।ସତରେ ଶ୍ରୀ ମଣ୍ଡିତ ।ଶ୍ରୀ ଙ୍କର ଭବନ ଯେତେବେଳେ ନ ହେବ କେମିତି ।ଐଶ୍ଚର୍ଯ୍ଯର ଦେବୀ ଯେ !ଫାଟକ ପାଖରେ ବିରାଟ ଶଙ୍ଖଟିଏ ତହୁଁ ବିରାଟ ପଦ୍ମ ଉପରେ ।ସିମେଣ୍ଟର ହେଲେ ମଧ୍ୟ ଏତେ ବଡ ଶୁଭ ଶଙ୍ଖଟିଏ ଦେଖି ସାଗରଦୁଲାରୀଙ୍କର ପିତୃ ଘର ମମତା ପରିଦୃଶ୍ଯ ଦେଖି ଖୁସି ହେଲି ।ଯେତେହେଲେ ଆମେ ତାଙ୍କ ବାପଘର ଗାଁ ଲୋକ ନାଁ ।ତାଙ୍କର ତ ସବୁ ସେଇ ପୁରୀ ଠି ଆଉ ,ଶାଶୁଘର, ବାପଘର,ରୋଷଘର, କର୍ମକ୍ଷେତ୍ର ସବୁ ।


ବିରାଟ ଶ୍ବେତ ଫାଟକର ଦୁଇପଟେ ଅଳଙ୍କାରେ ଲଦା ବଡ ବଡ କାନହଲା ଧଳା ହାତୀ ଯୋଡେ ।ବିଷ୍ଣୁପ୍ରିୟା ଭବନକୁ ସ୍ମିତହସଟେ ସହ ସ୍ବାଗତ କଲାପରି ଦଣ୍ଡାୟମାନ ମୁଦ୍ରା ।ମତେ ଭାରିବଢିଆ ଲାଗିଲେ ହାତୀ ଦୋଟି ।ସିମେଣ୍ଟର ଗଢା ସିନା, ଆଖି ଦି'ହଳ ଜୀବନ୍ତ ।କଳାକାରଙ୍କ କାରୀଗରିକୁ ନମନ ।


ସେଇ ଫାଟକ ଦେଇ ସ୍ବର୍ଗରେ ପାଦ ଦେଲୁ ।ଏକା ଥରେ ଦର୍ଶନକୁ ବାଟ ନାହିଁ ।ଦିନ ଦିନ ଅଛି ଏ ଯାଏ ।ଏପଟେ ସାତଟାରେ ସଂଜ ।ବୋଧେ ସାଢେଚାରି କି ପାଞ୍ଚ ହବ ।ଲୋକେ ସେଠି ଦ୍ବାରପାଳ ପରି ଜଗିଥାନ୍ତି ।ଲକ୍ଷ୍ମୀ ସେବକଗଣ ।ବାଟ କଢେଇ ନିଅନ୍ତି ଶ୍ରୀପାଦ ଯାଏ ।ଆମକୁ ବି ନେଲେ ।ହେଲେ ଇଏ କଣ ବେଗବସ୍ତାନିବୁଜୁଳା ଆଣ୍ଡୁଳି ଜାଲି ଜାଲିଆ ବଡ ବଡ ବଖରାରେ ବସ ରେଳ ଷ୍ଟେସନ ପ୍ରତିକ୍ଷା ଘର ପରି ଗଦାଗଦା ଲୋକ, ଆଡୁମାଡୁ ଭାଷାରେ କଥା ,ହୋ ହୋ ପରିବେଶ! କଥାକଣ ପଚାରି ବୁଝିବା ଆଗରୁ ଆମେ ବି ସେ ଜାଲି ଘରେ କଏଦ ।ଏଇଠି ସେଇଠି ସବୁଠି ଲୋକ ଭର୍ତ୍ତି ।ଆଖି ପାଇବା ଯାଏ ପୁଣି ଜାଲି ସେପଟେ ଆହୁରି କେତେ ଜାଲି ଘର ସବୁଠି ଖୁନ୍ଦିଲା ଭଳିଆ ଲୋକ ।କିଏ ଶୋଇଥାଏ, କିଏ କିଏ କଣ କଣ ସବୁ କରୁଥାନ୍ତି ।ବସିବା ବ୍ଯବସ୍ଥା ଠୁ ବଳକା ଲୋକ ।ତେଣୁ ତଳେ ନିଜର ଚଦର ମେଲେଇ ଲୋକେ ଲଟପଟ ।କେତେ ଯୁଗର ଅପେକ୍ଷା, ତପସ୍ୟା ।ଏତେ ସହଜ କଣ ପାଇଯିବା ସ୍ବର୍ଗ ସୁଖ ।କଷ୍ଟ କଲେ ଯାଇ କୃଷ୍ଣ ମିଳିବେ ନା ।ଇଏ କଣ ଆମ ପୁରୀ ହେଇଛି?ଚାରିପଟେ ଚଉଦୁଆର ସାହାଣ ମେଲା ।ବାତ ମେଲେଇ ନେ'ନେ' ବୋଲି ଚଉବର୍ଗ ଫଳ ଯାଚିଦେଉଥିବେ ଜଗତପତି! ଇଏ ତ ମାଆର ଦୁଆର ।ଏଠି ସ୍ନେହ, ଶ୍ରଦ୍ଧା, ଦଣ୍ଡ ସବୁ ଦବ ମାଆ ଆମ କର୍ମ ନେଇ ।ମତେ ବଡ ଅଡୁଆ ଲାଗୁଥାଏ ।ଲାଗୁଥାଏ ମୁଁ ଗୋଟେ ବ୍ରଏଲର କୁକୁଡା ପାଲଟିଯାଇଛି ଆଉ ତାରବାଡ ସେପଟୁ ଖାଲି ଜୁଳୁଜୁଳୁ କି ଚାହୁଁଛି ସିନା ମୁକୁଳି ପାରୁନି ।ପାଖରେ ବସିଥିବା ପେଣ୍ଠି ପରି ଆମ୍ମାଟିକୁ ଚାହିଁ ଠାରରେ ପଚାରିଲି, " କଣ ପାଇଁ ଆମେ ଏଠି ଫସିଛୁ? ଦର୍ଶନ କେମିତି କଣ ହୁଏ ? " ସିଏ ବି ଠାରରେ ଉତ୍ତର ଫେରେଇଲେ, " ଅପେକ୍ଷା କର।ଧ୍ଯୋର୍ଯ୍ଯ ଧର ।ସେପଟ ସବୁ ବଖରା ଖାଲି ହେଲେ ତମଆମ ପାଳି ।ସେଯାଏ ଧ୍ଯାନ କର ।" ଯା ଶଃ ।ଆଖିମୁଦି ସିଏ ସିନା ମଗ୍ନ ହେଇଗଲେ ମୁଁ ଛକରପକର ଅସ୍ଥିର ଆକ୍ବାରିଅମ୍ ର ମାଛ ପରି ହେଲି ।ଉଠିପଡି ଏ କାନ୍ଥ ସେ କାନ୍ଥ ପିଟି ହେଲି ।ଇଏ କହିଲେ, "ବସ ।ଆମକୁ ବି ଛାଡିବେ ।ଆମ ପାଳି ଆସୁ ।" ହେଁ ପାଳି କଣ ଆସିବ? ଲୁଡୁ ନା ତାସ ଖେଳ ଯେ । ଗୁଡେ ସମୟ ଅସ୍ଥିର ହେଇ କାଟି ସାରି ସ୍ଥିର ହେଇ ବସିଗଲି ।" ଓଁ ମହାଲକ୍ଷ୍ମୀ ଦେବୈଚ ବିଦ୍ମହେ, ବିଷ୍ଣୁ ପତ୍ନୀୟ ଧିମହୀ, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍ " ।ଜପ ଆରମ୍ଭ କଲି ।ଶାନ୍ତି ଲାଗିଲା ।ଚାରିପଟ ଘୋ ଘୋ ଅଦୃଶ୍ୟ ହୋଇଗଲା ।ଆଖିମୁଦି ବସିଥାଏ ମୁଁ ।ଏକଲୟରେ ଜପୁଥାଏ ।ବୋଉର ମହାଲକ୍ଷ୍ମୀ ସ୍ତୋତ୍ର ଆପେ ଆପେ ଗାଉଥାଏ ।ଆମ ବଡଦେଉଳ ସାନ୍ତାଣୀ ଙ୍କ ଗୁମୁଟ ଫାଙ୍କରୁ ଦେଖିଲାପରି ଦର୍ଶନ ମନଚକ୍ଷୁରେ କରୁଥାଏ ।ପ୍ରଶାନ୍ତ ହୃଦୟ ।ଏତିକି ବେଳେ ଇଏ ହଲେଇ ଦେଲେ ଅଳ୍ପ କି ।କହିଲେ, " ଆସ ଆମ ଚାବି ଫିଟିଲାଣି ।" ଚାହିଁ ଦେଇ ଦେଖେ ସତକୁ ସତ ଧଳା ହାଫ୍ ସାଟ୍ ପିନ୍ଧା ମୋଟକ ଦ୍ବାରପାଳ ଭାଇ ଜଣକ ପେନ୍ଥେ ଚାବି ରୁ ଗୋଟିଏ ଆମ ଜାଲ କବାଟ ତାଲାରେ ମୋଡୁଥାନ୍ତି ।ବିରକ୍ତ ଲାଗିଲା ଏଥିପାଇଁ ଯେ ଆମେ ତ ଏଠି ସବୁ ମଣିଷ ଶୃଙ୍ଖଳିତ ଜୀବ ଭିତରେ ପୁରେଇ ତାଲା କାଇଁ ଦିଅ ? କିଏ କଣ ଫିଟି ଉଡି ଯିବେ? ଛାଡ ।


ଯେମିତି ସେ ଫାଟକ ଫିଟିଛି ଆରମ୍ଭ ହେଇଗଲା କି ପ୍ରତିଯୋଗିତା ସତେ ! ସମସ୍ତେ ମଣିଷ/କୁକୁଡା ରୁ ହଠାତ୍ ଘୋଡା ପାଲଟି ଗଲେ ।ପକ୍ଷୀରାଜ ଘୋଡା ।ଡେଣା ଫଡ୍ ଫଡ୍ ଫଡ୍ ।ଏଡିକି ବକଟେ ଜାଲ କବାଟ ।ଲୋକ ଗୋଟିଏ କି ଅତିବେଶୀରେ ଦିଟି ଯାଇପାରିବେ ।ହେଲେ ଏଠି ମଣିଷ ଙ୍କ ଅଧର୍ଯ୍ଯ ପଣରେ ଏକା ସାଙ୍ଗେ ଦଶ କୋଡିଏ ବାହାରି ପଡିବାର ଅପଚେଷ୍ଟା ।ପେଲାଧସା ।ହେଲା ଭାଇ ।ସମସ୍ତେ ତ ଯିବା ।ଦଳି ମଚକି ହବା କାହିଁକି? ଜଣେ ଜଣେ କି ଗଲେ କଣ ଅଡୁଆ? ଆଗେ ପହଞ୍ଚିଲେ ଖୋଦ ଭବତାରିଣୀ କଣ ଲଟେରୀ ଟିକଟ ଟି ଥମେଇବେ ବୋଲି ଆଗୁଆ ଖବର ଦେଇଥିଲେ ଭଲା ! ଯେଝା କର୍ମ, ଯେଝା ଫଳ ତ ।


ପେଲିଧସି ଲହଡି ମାଡିଆସିଲା ପରି ଲୋକେ ଆମକୁ ବି ବହେଇ ଆଣିଲେ ।ସାଷ୍ଟାମ ହେଇ ଦେଖେ ଏବେ ସବୁ ସୁନାପିଲା ପରି ଏକ ଲମ୍ବ ନଦୀ ପରି ଧାଡିରେ ଚାଲୁଛନ୍ତି ।ବାଟ ବି କାଇଁ! ଧାରେ ବାଟ ।ସିଏ ବି ଜାଲି ଘେରା ।ଚଢାମଢାକୁ ଚାରା ନାହିଁ ।ସେଇଠୁ ଗୋଟିଏ ଗୋଟିଏ କରି ଚାଲିଲୁ ।ଚାଲୁଥିବା ଯାଏ ଜୀବନ ।ଅଟକିଗଲେ ମାଟି ।


ସେଇ ଜାଲ ଦେଇ ଦେଖିହେଉଥାଏ ବାହାରର ମନେରମ ଦୃଶ୍ୟ ।ଜଳଧାର। ସୁସଜ୍ଜିତ ଉପବନ,ବିବିଧ ପୁଷ୍ପ ମଣ୍ଡଣୀ ଗଛବୃଛ । ଦୌଡୁଥିବା ପରି ଚାଲି ସହ" ଜୟ ଲକ୍ଷ୍ମୀ ଆମ୍ମା କି ଜୟ" ଜୟକାର ଗୁଞୁଥାଏ ଚତୁଃପାର୍ଶ୍ବ ।


ବାହାରିଲୁ ଏକ ବିରାଟ ଭବ୍ଯ ଅଗଣାରେ ।ଆହୁରି କେତେବାଟ ଚାଲିଲେ ଯାଇ ମାଆ ର ଦର୍ଶନ ।ବଗବେକ ଟେକି ଦେଖିନେଲି ।ନାଇଁ ମାଆ କେତେଦୂରଯାଏ ତ ଦିଶୁନି ।ପାଦ ଅଟକିନଥାନ୍ତି ।ଢେଉ ସହ କାଟିକୁଟା ପରି ଗହଳରେ ଆମେ ଆଗଉଥାଉ ।ଉପରେ ଲାଲି ଟାଇଲି ଓ ପ୍ଲାଷ୍ଟିକ ଆଜବେଷ୍ଟସ ର ଛାତ ଦେଇ,ତଳେ ଲାଲି କାର୍ପେଟ ପଡି ଏକ ରାସ୍ତା ଧରିଲୁ ।ଦୁଇକଡରେ ବିଶ୍ରାମ ନେବା ଲାଗି ଲମ୍ବା ସିମେଣ୍ଟ ବେଞ୍ଚ ସବୁ ଧାଡି ଧାଡି ।ପିଇବା ପାଣି ଆଦିର ସୁ ବ୍ଯବସ୍ଥା ।ଆରାମ ନେଉଥିବା ପରିବାର, ବୟସ୍କ, ବାଳ,ବୃଦ୍ଧ ।ଚାଲୁ ଚାଲୁ ଆଗନ୍ତୁକ ଜଣଙ୍କ ଜ୍ଞାନପୁଟୁଳିରୁ ଶୁଣିଲି, " ଏଠାରେ ମହାଦେବୀ ଙ୍କ ବେଢାରେ ଗଢାଯାଇଛି ବାସ୍ତୁକଳା ଅନୁଯାୟୀ ଏକ ବିରାଟ ନକ୍ଷତ୍ର ଆକୃତିର ଏଇ ଚଲାପଥ ଯାହା ମହାଦେବୀ ଙ୍କ ନିକକୁ ସଂଯୁକ୍ତ ହୋଇଅଛି ।ଏଇ ପଥ କାଳେ ଆମ ରାଶିଚକ୍ର, ଜାତକ, ଗ୍ରହ,ନକ୍ଷତ୍ର ର ସମସ୍ତ ଦୋଷ ତୃଟିକୁ ହନନ କରି, ମାର୍ଜନା କରିପାରିବାର ଅଖଣ୍ଡ କ୍ଷମତା ରଖେ ।ଏଠିକା ବିଶ୍ବାସ ଅନୁଯାୟୀ ଯଦି ଆମର ଚନ୍ଦ୍ର ବା ସୂର୍ଯ୍ୟ ଅନୁଯାୟୀ ତିଆରି ହୋଇଥିବା କୋଷ୍ଠିରେ କୌଣସି ତୃଟି ବିଚ୍ଯୁତି ଥାଏ ଯାହା ଆମ ଭାଗ୍ୟ କୁ ନିୟନ୍ତ୍ରଣ କରେ ତେବେ ତାର ସରଳ ସହଜ ପ୍ରତିକାର ହେଲା ଏହି ଦିବ୍ଯ ପଥରେ ବେଢାପରିକ୍ରମା କରିବା ।


ମୋ ମନ ଖୁସି ହେଇଗଲା ।ଭାବିଲି ଆମ ପରିବାର, ସାଙ୍ଗସାଥି, ଜଣାଚିହ୍ନା ଯେତେ ଯିଏ ଯୁଆଡେ ଅଛନ୍ତି ସମସ୍ତଙ୍କୁ କହିବି ।ଯାହାର ମନ ମାନିବ, ବିଶ୍ବାସ ଆସିବ ସିଏ ଅନ୍ତତଃ ଥରେ ଆସି ଦର୍ଶନ କରିଯାନ୍ତୁ ଏଇ ନକ୍ଷତ୍ର ପଥରେ ।ଆମ ଭାଗ୍ଯ ସହ ଆମେ ତ ଅବିରତ ଲଢୁଥାଏ ହି ।ତାକୁ ବଦଳେଇବାକୁ କେତେ ରକମାରୀ ତରକାରୀ ପରି ବିବିଧ ଚେଷ୍ଟା ଯୋଡୁଥାଉ ହି ।ଏହା ସେମିତି ଏକ ଚେଷ୍ଟା ହି ହେଉ ।କାଳେ ପରମପିତା ସତକୁ ସତ ବଦଳେଇଦେବେ କିଏ ଜାଣେ ।ବିଶ୍ବାସେ ମିଳନ୍ତି ହରି ପରା ।


ଆଗକୁ ଆଗକୁ ଅଳ୍ପ ଛାଇ,ଅନ୍ଧାର, ସବୁଜ,ହଳଦୀ, ଇଷତ୍ ଲାଲି ଆଲୁଅ ବାଟରେ ଚାଲୁ ଚାଲୁ ସଂଧ୍ୟା ଦେବୀ ପୃଥିବୀ ର ଓଢଣା ସାଜି ସାରିଥିଲେ ।ଏକ ଅତିଭବ୍ଯ ମହଲ ବା ପ୍ରାସାଦର ଅଧିଷ୍ଠାତ୍ରୀ ରାଜରାଣୀଙ୍କ ଠି ପହଞ୍ଚ ପହଞ୍ଚ ହେଉଥାଉ ଆମେ ।

ତାରା ବୁଲାଣି ଯୋଉଠି ସରିଲା ସେଠି ଯାହା ଏ ନୟନ ଦେଖିଲା ଏ ଭବ ମଣ୍ଡଳେ କାଇଁ ସେ ଦୃଶ୍ୟରାଜି ଅବା ।ଏ ଦୃଶ୍ୟ ତ ଅମର ମଣ୍ଡଳ ବାସୀଙ୍କୁ ମଧ୍ୟ ଦୁଷ୍ପ୍ରାପ୍ଯ ହବ ଗୋ ।ଅନିନ୍ଦ୍ଯ ଅନିନ୍ଦ୍ଯ ।କୋଟି ନନ୍ଦନବନ ଶୋଭାରାଜି ଏକତ୍ରିତ କି ଧରାବକ୍ଷେ ସତେ !


ଗଡ ବା ଦୁର୍ଗ ଚାରିପଟେ ଶତ୍ରୁ ଆକ୍ରମଣରୁ ରକ୍ଷା ନିମନ୍ତେ ଖୋଳା ଯାଉଥିବା ବିଶାଳ ଖାଇ ଦେଖିଥିବେ ଯୋଉଥିରେ ଭୟଙ୍କର ବିକଟାଳ କୁମ୍ଭୀର ସବୁ ଛଡାଯାନ୍ତି, ସେମିତିକା ଖାଇ ଗଢେଇ କରାହେଇଛନ୍ତି ମୁଖ୍ଯ ମନ୍ଦିର ଚାରିପଟେ ।ଯେଉଁ ଥିରେ କୁମ୍ଭୀର ନୁହେଁ କୋମଳ କମଳ ମାନେ ହସୁଛନ୍ତି ଅଷ୍ଟ ଐଶ୍ଚର୍ଯ୍ଯର ସମ୍ଭାର ନାଇ ।ଆହା ।କି ସୁନ୍ଦର କାଚକେନ୍ଦୁ ପରି ଜଳଧାର ।ଆକାଶରେ ଚନ୍ଦ୍ରମା ।ଜଲରେ ପ୍ରତିବିମ୍ବିତ ଶଶି ।ବିରାଟ ବିରାଟ ପେଟ୍ରୋମାକ୍ସ ଆଲୁଅ ପଡୁଥାଏ ଚାରିପଟୁ ମୁଖ୍ୟ ମନ୍ଦିର ଚୂଡା ଯାଏ ।ଲାଗୁଥାଏ, ଏଇ ତ ଏବେ ଏବେ ସଂଜର ଅନ୍ଧାର ନୁଆଁ ମୁହଁ ରେ ଥିଲୁ ।ଆଉ କି ଆଶ୍ଚର୍ଯ୍ୟ ଦେଖ ।ଝଲସା ଦିନ ଦ୍ବିପ୍ରହର ପରି ପ୍ରକାଶ । ଜଣେ ତତକ୍ଷଣାତ୍ ଦ୍ବନ୍ଦ ରେ ପଡିଯାଇପାରେ ଏଇଟି ପ୍ରକୃତରେ ସଂଜ ନା ଦିନ ?ମତିଭ୍ରମ ନୁହେଁ ତ ?


ଭିଡ ସେମିତି ଆଗଉଥାଏ ।ପାଣିର ରଙ୍ଗ ସୁବର୍ଣ୍ଣ ।କିଏ କହେ ଜଳ ବର୍ଣ୍ଣହୀନ ବୋଲି, କିଏ କହେ ନୀଳ ।ହେଲେ ଏଠିତ ଜଳ କାଞ୍ଚନବର୍ଣ୍ଣା ।ମୁଖ୍ୟ ମନ୍ଦିର ର କଳସୀ, ପତାକା,ଅଁଳାବେଢା ଠାରୁ ପାଦ ଦେଶଯାଏ ସବୁର ପ୍ରତିଫଳନ କୃତ୍ରିମ ସରସୀଧାରାକୁ କରୁଥାଏ ମାୟାସରୋବରର ପ୍ରତିରୂପ ।ଚାଲୁଥିବା ଲୋକେ ଆପେ ଆଁ ଖୋଲି ଘଡିଏ ଠିଆ ହେଇ ଯାଉଥାନ୍ତି ।


କ୍ରମଶଃ ......


Rate this content
Log in

Similar oriya story from Classics