Narendra Prasad Behera

Classics Others

2  

Narendra Prasad Behera

Classics Others

ଭାଗବତ

ଭାଗବତ

2 mins
620



ଅଭିଶପ୍ତ ଗନ୍ଧର୍ବଠାରୁ ଶ୍ରୀହରି କାହାକୁ ଉଦ୍ଧାର କରିଥିଲେ



     ପୂର୍ବକାଳରେ ହିମାଳୟର କିଛି ଦୂରରେ ତ୍ରିକୁଟ ନାମରେ ଗୋଟିଏ ପାହାଡ ଥିଲା । ସେହି ପାହାଡର ତିନୋଟି ଚୂଡା ଥିଲା । ଗୋଟିଏ ସୁନାର,ଗୋଟିଏ ରୂପାର ଏବଂ ଅନ୍ଯଟି ଲୁହାର । ପାହାଡ ନିକଟବର୍ତ୍ତୀ ସମତଳ ଭୂମିରେ ଥିଲା ଏକ ମନୋରମ ସରୋବର । ଦିନେ ଏକ ଦଳପତି ହସ୍ତୀ ଅନ୍ଯ ହସ୍ତୀମାନଙ୍କ ସହିତ ଆସି ଏହି ସରୋବରରେ ପ୍ରବେଶ କରି ସ୍ନାନ କରୁଥିବା ସମୟରେ ହଠାତ୍ ଏକ ବିରାଟକାୟ କୁମ୍ଭୀର ଏହି ଗଜେନ୍ଦ୍ରର ଗୋଟିଏ ଗୋଡକୁ କାମୁଡି ଜଳ ମଧ୍ଯକୁ ଟାଣି ନେବାକୁ ଲାଗିଲା । ଗଜରାଜ ନିଜକୁ କୁମ୍ଭୀର କବଳରୁ ମୁକ୍ତ କରିବା ଲାଗି ଯଥାସାଧ୍ୟ ଚେଷ୍ଟା କଲା । କୁମ୍ଭୀର ଏବଂ ହାତୀ ମଧ୍ଯରେ ଖୂବ୍ ଟଣାଟଣି ଚାଲିଲା । ଗଜ-କୁମ୍ଭୀର ଲଢେ଼ଇ ହଜାରେ ବର୍ଷ ଧରି ଚାଲିଲା । ଏହି ସମୟରେ ଦେବତାମାନେ ଉପସ୍ଥିତ ହୋଇ ଉଭୟଙ୍କ ଯୁଦ୍ଧ ଦେଖିବାକୁ ଲାଗିଲେ । ଗଜେନ୍ଦ୍ର ଭାବିବାକୁ ଲାଗିଲା, ମୋ ନିଜର ଏତେ ଶକ୍ତି ଥାଉ ଥାଉ କୁମ୍ଭୀର କବଳରୁ ମୁଁ ନିଜକୁ ବଞ୍ଚାଇପାରୁ ନାହିଁ । ବର୍ତ୍ତମାନ ଅଗତିର ଗତି ସର୍ବଶକ୍ତିମାନ ସେହି ଭଗବାନଙ୍କର ଶରଣାଗତ ହେବା ଛଡା ମୋର ଅନ୍ଯ କୌଣସି ଉପାୟ ନାହିଁ । ପୂର୍ବ ଜନ୍ମର ସଂସ୍କାର ରହିଥିବା ଯୋଗୁଁ ସେ ଭଗବାନଙ୍କର ସ୍ତବ କରିବାକୁ ଆରମ୍ଭ କଲା । 

   ଗଜରାଜ କରୁଣ କଣ୍ଠରେ କହିଲା, ହେ ପ୍ରଭୁ, ତୁମେ ହିଁ ହେଉଛ ସକଳ ଜୀବର ବନ୍ଧୁ,ତୁମେ ହେଉଛ ଜଗତର ଆଧାର,ତୁମେ ଏ ବିଶ୍ବର ସ୍ରଷ୍ଟା ଏବଂ ନିଜେ ହିଁ ବିଶ୍ବ । ସାଧୁଗଣ ଯାହାଙ୍କ ଦର୍ଶନ ପାଇଁ ତପସ୍ଯା କରନ୍ତି, ସେଇ ପରମେଶ୍ବରଙ୍କର ମୁଁ ଶରଣ ନେଲି । ସେଇ ପରମେଶ୍ବର ବ୍ରହ୍ମଙ୍କୁ ମୁଁ ପ୍ରଣାମ କରୁଛି । ପ୍ରଭୁ,ମୋତେ ଏବିପଦରୁ ଉଦ୍ଧାର କର । ତୁମ ଛଡା ମୋର ଆଉ କେହି ସାହାଭରସା ନାହିଁ । ଗଜରାଜର ଡାକ ଶୁଣି ଦୟାମୟ ଶ୍ରୀହରି ଗରୁଡ ବାହନରେ ଆସି ସେଠାରେ ଉପସ୍ଥିତ ହେଲେ । ଶଙ୍ଖ-ଚକ୍ର-ଗଦା-ପଦ୍ମଧାରୀ ନାରାୟଣଙ୍କୁ ଦେଖି ଗଜପତି ସରୋବର ମଧ୍ଯରୁ ଗୋଟିଏ ପଦ୍ମଫୁଲ ଶୁଣ୍ଢରେ ଆଣି ଶ୍ରୀହରିଙ୍କୁ ଅର୍ପଣ କଲା ଏବଂ ଯନ୍ତ୍ରଣାଜନିତ କ୍ଷୀଣ ସ୍ବରରେ କହିଲା, ହେ ନାରାୟଣ, ହେ ଭଗବାନ, ତୁମକୁ ପ୍ରଣାମ କରୁଛି । ମୋତେ ରକ୍ଷା କର । 

 

 ଶ୍ରୀଭଗବାନ ଗରୁଡ ଉପରେ ଥାଇ ଚକ୍ରପେଶି କୁମ୍ଭୀରର ମୁଖକୁ ଛେଦନ କଲେ । ଗଜେନ୍ଦ୍ର ରକ୍ଷା ପାଇଲା । ଏହି କୁମ୍ଭୀର ଥିଲା ଅଭିଶପ୍ତ ଗନ୍ଧର୍ବ । ଜଣେ ସ୍ନାନରତ ମୁନିଙ୍କର ଅଭିଶାପ ଯୋଗୁଁ ସେ କୁମ୍ଭୀର ଜନ୍ମ ପାଇଥିଲା । ଶ୍ରୀହରିଙ୍କ ସ୍ପର୍ଶରେ ତା'ର ଅଭିଶାପ ମୋଚନ ହେଲା । ଗନ୍ଧର୍ବ ଭଗବାନଙ୍କୁ ସ୍ତୁତି ଓ ପ୍ରଣାମ କରି ଗନ୍ଧର୍ବ ଲୋକକୁ ଫେରିଗଲା । 

  ବର୍ତ୍ତମାନ ଗଜେନ୍ଦ୍ରଙ୍କ ପୂର୍ବ ଜନ୍ମର କଥା ଶୁଣନ୍ତୁ । ପ୍ରଚୀନ କାଳରେ ପାଣ୍ଡ୍ଯ ଦେଶର ରାଜା ଥିଲେ ଇନ୍ଦ୍ରଦ୍ୟୁମ୍ନ । ସେ ଥିଲେ ଖୁବ୍ ଭକ୍ତିପରାୟଣ । ରାଜାଙ୍କ ମନରେ ବୈରାଗ୍ୟ ଉପୁଜିବାରୁ ସେ ରାଜବିଭବ ତ୍ଯାଗ କରି ତାଙ୍କର ପୁତ୍ରଙ୍କୁ ରାଜସିଂହାସନରେ ଅଭିଷିକ୍ତ କରି ତପସ୍ଯା କରିବା ନିମନ୍ତେ ମଳୟ ପର୍ବତକୁ ଚାଲିଯାଇଥିଲେ । ସେଠାରେ ଏକ ଆଶ୍ରମ କରି ରାଜା ମୌନବ୍ରତ ଅବଲମ୍ବନ କରି ତପସ୍ଯାରେ ନିମଗ୍ନ ରହିଲେ । ଏହି ସମୟରେ ଦିନେ ଅଗସ୍ତ୍ଯ ମୁନି ଅନେକ ଶିଷ୍ୟଙ୍କ ସହ ହଠାତ୍ ସେଠାରେ ଉପସ୍ଥିତ ହେଲେ । ରାଜା ମୌନ ରହିଥିବାରୁ ଅତିଥିମାନଙ୍କୁ ସ୍ବାଗତ ସମ୍ଭାଷଣ ଜଣାଇପାରିଲେ ନାହିଁ । ଏଥିଯୋଗୁଁ ମୁନି ଅଭିଶାପ ଦେଇ କହିଲେ, ହେ ରାଜା,ତୁମେ ଅତିଥି ସତ୍କାର ନ କରି ଘୋର ବିପରୀତ ଆଚରଣ କରିଛ,ଯାହାକି ଜଣେ ରାଜାଙ୍କ ପକ୍ଷେ ଶୋଭନୀୟ ନୁହେଁ । ତୁମେ ପରବର୍ତ୍ତୀ ଜନ୍ମରେ ହାତୀ ହେବ । 

  ରାଜା ଇନ୍ଦ୍ରଦ୍ୟୁମ୍ନ ପରଲୋକ ଗମନ କରିବା ପରେ ହାତୀ ଜନ୍ମ ପ୍ରାପ୍ତ ହୋଇଥିଲେ । କିନ୍ତୁ ତପସ୍ଯାର ସଂସ୍କାର ରହିଥିବା ହେତୁ ତାଙ୍କର ପୂର୍ବଜନ୍ମ କଥା ମନେଥିଲା । କରୁଣାମୟୀ ଶ୍ରୀହରିଙ୍କ ଦର୍ଶନ ପାଇ ଗଜେନ୍ଦ୍ର ମୋକ୍ଷ ଲାଭ କରି ଭଗଵାନଙ୍କର ପାର୍ଷଦ ରୂପେ ବୈକୁଣ୍ଠରେ ସ୍ଥାନ ପାଇଥିଲା ।



Rate this content
Log in

Similar oriya story from Classics