Narendra Prasad Behera

Classics

2  

Narendra Prasad Behera

Classics

ଭାଗବତ କଥା-୧୯

ଭାଗବତ କଥା-୧୯

3 mins
452


ଇନ୍ଦ୍ର କାହିଁକି କୃଷ୍ଣଙ୍କୁ କ୍ଷମା ମାଗିଲେ-


  ରାଜା ପରୀକ୍ଷିତ ଶୁକଦେବଙ୍କ ମୁଖରୁ ଅମୃତମୟ କୃଷ୍ଣକଥା ଶ୍ରବଣ କରିବାରେ ଲାଗିଛନ୍ତି । ବ୍ଯାସପୁତ୍ର କହି ଚାଲିଛନ୍ତି :   ଆଜି ଗୋପପୁରରେ ଏକ ବିରାଟ ଉତ୍ସବ ଆୟୋଜନ ଚାଲିଛି । ଗୋପବାସୀଙ୍କ ସହ ନନ୍ଦରାଜା ଇନ୍ଦ୍ରଦେବଙ୍କର ପୂଜା କରିବେ,ଯାହାକି ଆବହମାନ କାଳରୁ ଚଳି ଆସୁଛି । କୃଷ୍ଣ ବଡ ହୋଇଯାଇଛନ୍ତି । ସେ ପିତାଙ୍କୁ ପଚାରିଲେ-ଆପଣ ଏପରି ଉତ୍ସବ କାହିଁକି କରୁଛନ୍ତି ? ନନ୍ଦରାଜା ବାଳକର କୌତୁହଳ ଦୂର କରିବା ପାଇଁ କହିଲେ, ମେଘ ମନୁଷ୍ୟ ମାନଙ୍କର ଜୀବନ ରକ୍ଷା କରେ ଓ ଜଳଦାନ କରି ଫସଲକୁ ବଞ୍ଚାଇ ରଖେ । ସେଇ ମେଘର ଦେବତା ହେଉଛନ୍ତି ଇନ୍ଦ୍ର । ତେଣୁ ଆମେ ଇନ୍ଦ୍ରଙ୍କର ପୂଜା କରୁ । କୃଷ୍ଣ କହିଲେ, ପିତା,ଏ ପୂଜା ବନ୍ଦ କରିବାକୁ ହେଵ । ଆମେ ହେଉଛୁ ଗୋପାଳ ଜାତି । ଆମେ କୃଷକ ନୋହୁଁ । କୃଷି ଆମର ଜୀବିକା ନୁହେଁ । ଗୋ-ପୂଜା ହିଁ ହେଉଛି ଆମର କର୍ତ୍ତବ୍ଯ । ଆଉ ତା ସହିତ,ଗୋରୁମାନେ ଚରି ବୁଲୁଥିବା ପାହାଡ଼ ପର୍ବତର ସମତଳ ଭୂମି ହିଁ ଆମର ପୂଜାର ସ୍ଥାନ । ମେଘର କାର୍ଯ୍ଯ ହେଉଛି ବର୍ଷା କରିବା । ସେଥିପାଇଁ ଇନ୍ଦ୍ରଙ୍କୁ ପୂଜା କରିବାର କି ଆବଶ୍ଯକତା ? ବାଳକର ଯୁକ୍ତିକୁ ନନ୍ଦରାଜା ଓ ଗୋପବାସୀ ମାନିନେଲେ । ଇନ୍ଦ୍ର-ଯଜ୍ଞ ନିମନ୍ତେ ଯେଉଁସବୁ ଦ୍ରବ୍ଯ ଅଣାଯାଇଥିଲା,ତାହା ବ୍ରାହ୍ମଣ ମାନଙ୍କ ଦ୍ବାରା ଏକ ହୋମରେ ବ୍ଯବହାର କରାଗଲା । ବ୍ରାହ୍ମଣ ମାନଙ୍କୁ ଭୂରିଭୋଜନ ଓ ଉପହାର ଦିଆଗଲା ଗାଈ-ବାଛୁରୀ ମାନଙ୍କୁ ପ୍ରଚୁର ଖାଇବାକୁ ଦିଆଗଲା । ଗୋପବାସୀ ମାନେ ଏହି ପ୍ରକାରେ ଉତ୍ସବ ପାଳନ କଲେ । ସେମାନେ ଶ୍ରୀକୃଷ୍ଣଙ୍କୁ ପ୍ରଦକ୍ଷିଣ କଲେ ଆଉ ଇନ୍ଦ୍ରରାଜାଙ୍କ କଥା ସମ୍ପର୍ଣ୍ଣ ରୂପେ ଭୁଲିଯାଇ ସମସ୍ତ ପରମ୍ପରାକୁ ଜଳାଞ୍ଜଳି ଦେଲେ । ଏହା ଦେଖି ଇନ୍ଦ୍ର ଖୁଵ୍ ରାଗିଗଲେ । ଭାବିଲେ,କଅଣ ହେଲା ? ସାମାନ୍ଯ ଗଉଡ ଜାତିର ଏଡେ ସାହସ ? ମୋ ପୂଜା ବନ୍ଦ କରିଦେଲେ ? ମୋତେ ଅବହେଳା କଲେ ? ସେ ମେଘମାନଙ୍କୁ ଆଦେଶ ଦେଲେ-ଯାଅ,ଏ ଗଉଡ ଜାତିର ଗର୍ବ ଚୂର୍ଣ୍ଣ କର,ଦିନରାତି ବର୍ଷାକର । ସବୁକିଛି ପାଣିରେ ଭସାଇ ଦିଅ । ସେମାନେ ଜଳସ୍ରୋତରେ ଭାସିଯାଆନ୍ତୁ । ଅବିରାମ ମୂଷଳ ଧାରାରେ ବର୍ଷା ଅଜାଡି ଦିଅ । ଇନ୍ଦ୍ରଙ୍କ ଆଜ୍ଞାରେ ସାତଦିନ ସାତରାତି ଅବିରତ ବର୍ଷା ହେବାରେ ଲାଗିଲା । ଗୋପପୁର ଧ୍ବଂସ ହେବା ଉପରେ । ଚତୁର୍ଦ୍ଦିଗ ଜଳାର୍ଣ୍ଣବ । ଗୋପପୁରବାସୀ ଆତଙ୍କିତ ହୋଇ କୃଷ୍ଣଙ୍କୁ କହିଲେ ହେ ଗୋକୁଳର ପ୍ରଭୁ, ତୁମେ ଏ ମେଘ ଘନଘଟାରୁ ଆମକୁ ରକ୍ଷା କର । ତା ନ ହେଲେ ଆମେ ଭାସିଯିବୁ । 


   କୃଷ୍ଣ ସ୍ବରୂପ ଧାରଣ କରି କହିଲେ ଭୟ କର ନାହିଁ । ମୁଁ ତୁମମାନଙ୍କୁ ରକ୍ଷା କରିବି । ଏହା କହି ସେ ଅନାୟାସରେ ବାମହସ୍ତର କନିଷ୍ଠ ଆଙ୍ଗୁଳିରେ ନିକଟସ୍ଥ ଗୋବର୍ଦ୍ଧନ ପର୍ବତକୁ ଛତା ପରି ଧରି ରଖିଲେ ଏବଂ ସମସ୍ତ ଗୋପବାସୀ ତାହା ତଳେ ଆଶ୍ରୟ ନେଲେ । ଶ୍ରୀକୃଷ୍ଣ ଏକ ସପ୍ତାହ କାଳ ଏହିପରି ଭାବରେ ଗିରି ଗୋବର୍ଦ୍ଧନକୁ ଟେକି ରଖିଲେ । ଏହାଦେଖି ଇନ୍ଦ୍ର ବିସ୍ମିତ ହୋଇ ଭାବିଲେ,ଏପରି କାର୍ଯ୍ୟ କଅଣ ଜଣେ ସାମାନ୍ଯ ଗୋପ ବାଳକ ପକ୍ଷରେ ସମ୍ଭବ ? ଏହା ନିଶ୍ଚୟ ସର୍ବନିୟନ୍ତା ପ୍ରଭୁଙ୍କର କାର୍ଯ୍ୟ । ବିସ୍ମିତ ଅବସ୍ଥାରେ ଇନ୍ଦ୍ର ସେଠାରେ ଉପସ୍ଥିତ ହେଲେ ଏବଂ ନିଜର ରାଜମୁକୁଟ ତଳେ ରଖିଦେଇ କୃଷ୍ଣଙ୍କ ପାଦତଳେ ପ୍ରଣାମ କଲେ । ଇନ୍ଦ୍ର କହିଲେ, ପ୍ରଭୁ,ମୁଁ ନିଜକୁ ବଡ ବୋଲି ଭାବି ଗର୍ବରେ ଉନ୍ମତ୍ତ ହୋଇ ଝଡବର୍ଷା ସୃଷ୍ଟି କରି ବ୍ରଜପୁରକୁ ଧ୍ବଂସ କରିଦେବାକୁ ଇଛା କରିଥିଲି । ମୁଁ ଘୋର ଅପରାଧ କରିଛି । ମୋର ଯେପରି ଆଉ ଏପରି ଦୁର୍ବୁଦ୍ଧି ନ ହୁଏ ସେଥିପାଇଁ ମୋତେ କ୍ଷମା କରନ୍ତୁ । 


   ଶ୍ରୀକୃଷ୍ଣ କହିଲେ, ହେ ଇନ୍ଦ୍ର, ତୁମର ଗର୍ବ ନଷ୍ଟ କରିଦେବା ପାଇଁ ମୁଁ ତୁମ ଯଜ୍ଞ ଭଙ୍ଗ କରିଛି । ଯେଉଁମାନେ ନିଜର ଐଶ୍ୱର୍ଯ୍ୟ ଯୋଗୁଁ ଧରାକୁ ସରା ଜ୍ଞାନ କରନ୍ତି, ମୁଁ ସେମାନଙ୍କର ଗର୍ବ ଚୂର୍ଣ୍ଣ କରିଦିଏ । ମୁଁ ତୁମରି ମଙ୍ଗଳ ପାଇଁ ଏହା କରିଛି । ଇନ୍ଦ୍ର ଐରାବତ ହାତୀକୁ ପଠାଇ ସ୍ବର୍ଗର ଆକାଶ ଗଙ୍ଗାରୁ ଜଳ ଅଣାଇ ସେହି ପବିତ୍ର ଜଳରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରି ତାଙ୍କୁ ଗୋବିନ୍ଦ ନାମରେ ଅଭିହିତ କରି ଅଦୃଶ୍ୟ ହୋଇଯାଇଥିଲେ । ସେହି ଦିନଠାରୁ ଶ୍ରୀକୃଷ୍ଣଙ୍କର ଅନ୍ଯନାମ ହେଲା ଗୋବିନ୍ଦ । 


   ଶ୍ରୀକୃଷ୍ଣ ନିଜର ସ୍ବରୂପକୁ ଲୁଚାଇ ଦେଇ ପୁଣି ଗୋପବାଳକ ରୂପ ଧାରଣ କଲେ । ମା' ମଶୋଦାଙ୍କ ଆଖିରେ ସେ ଯେଉଁ ଦୁଲାଳକୁ ସେଇ ଦୁଲାଳ । ସେହି କାଳଠାରୁ ଗୋବର୍ଦ୍ଧନ ପର୍ବତ ପୂଜାପାଇ ଆସୁଛନ୍ତି । ସେ ସମୟରୁ ଶ୍ରୀକୃଷ୍ଣଙ୍କର ଅନ୍ଯନାମ ହୋଇଛି ଗିରିଧର ଗୋପାଳ ।



Rate this content
Log in

Similar oriya story from Classics