ବେପରୁଆ
ବେପରୁଆ


ବେଶ କଷ୍ଟ ସ୍ୱୀକାର କରିବାକୁ ହୁଏ ବେପରୁଆ ମଣିଷ ସହ ଜୀବନ ଜିଇଁବା । କିନ୍ତୁ ସେଇ କାଇଦା ହିଁ ସଫଳ ଜୀବନର ମନ୍ତ୍ର ।
★★★★★★★
ଲୋରା ଆଉ ଅଧିକ କିଛି କହିବାକୁ ଇଚ୍ଛା କଲାନି । ବେଶି ଜିଦ ଭଲ ନୁହେଁ , ଝିଅଟେ ପାଇଁ । ଅନେକ ଥର ବୁଝେଇ କହିଛି ମମି ।
ଆମେ ଯେବେ ଅଧିକ ଜିଦ କରୁ । କୌଣସି କାରଣ ବଶତଃ ଅବାଧ୍ୟ ହେଉ । ନିଜ କଥାକୁ ଠିକ ବୋଲି ପ୍ରତିପାଦିତ କରିବାକୁ ଅନ୍ୟର ଅହଂ କୁ ଆଘାତ କରୁ । ସେତେବେଳେ ଆମ ଭିତରେ ତିକ୍ତତା ଭରିଯାଏ । ଆମ ସମାଜ ସେଭଳି ଝିଅଟେ ପ୍ରତି ଭିନ୍ନ ମନୋବୃତ୍ତି ଆପଣେଇ ନିଏ । ଉଦଣ୍ଡି , ଘୋଡ଼ି , ଉଦ୍ଧତ , ଅଶାଳୀନ ଭଳି ବିଶ୍ଳେଷଣ ଗୁଡିକ ଆମର ପରିଚୟ ପାଲଟି ଯାଏ । ସମସ୍ୟା ବଢେ ଆମ ଜୀବନରେ । ଝିଅଟିଏ ଏଭଳି ହେବା ଅନୁଚିତ । ସେ କୋମଳ ହେବ , ସରଳ ହେବ , ସହନଶୀଳ ହେବ , ତେବେ ଯାଇଁ ଭଲ ଝିଅ ଭାବରେ ଗଣା ହେବ । ନଚେତ ସେ ଗୋଟେ ବାଜେ ଝିଅ ।
ଲୋରାକୁ ବାଜେ ଝିଅ ଉପାଧିଟା ଭଲ ଲାଗେନି । କେମିତି ଗୋଟେ ଅଶ୍ଳୀଳ ଅଶ୍ଳୀଳ ଲାଗେ । ଲାଗେ ଯେମିତି ଏଇ ପରିଚୟ ମାଧ୍ୟମରେ ସିଧା ସିଧା ଚରିତ୍ର ସଂହାର କରାଯାଏ ଗୋଟେ ଝିଅର । କିନ୍ତୁ ବାଜେ ପୁଅ କହିଲେ ପୁଅଗୁଡାଙ୍କୁ ଟିକିଏ ବି ବାଧେ ନାହିଁ ଅଧିକନ୍ତୁ ସେମାନେ ଦାନ୍ତ ଦେଖେଇ ହସନ୍ତି । ଖୁସି ହେଇକି କୁହନ୍ତି " ସତରେ ନା' କ'ଣ ? ତୁମେ କେମିତି ଜାଣିଲ ?''
ହଁ ଜିତ୍ ଏଇଆହିଁ କୁହନ୍ତି ସବୁବେଳେ । ଯେମିତି ବାଜେ ପୁଅଟେ ସଂକ୍ରାନ୍ତରେ ଜାଣିବା ଝିଅଟେ ପାଇଁ ଗୋଟେ ବଡ଼ ଅପରାଧ । ସେ ବାଜେ ପୁଅଟା ସହ କଥା ହେଉଛି , ଆରୋପ କରୁଛି , ଗାଳି କରୁଛି ମାନେ ; ଝଅଟି ବାଜେ ପୁଅ ସହ ସମ୍ପର୍କରେ । ଏତକ ତା' ଚରିତ୍ର କୁ ଆହୁରି କଳୁଷିତ କରେ ।
ବଡ଼ ବିଚିତ୍ର ପୁଅ ମାନେ ଝିଅଟିକୁ ବାଜେ ଝିଅ କହିଲେ ଝିଅଟିର ଚରିତ୍ର ଖରାପ ବୋଲି ପ୍ରତିପାଦିତ ହେବ । ଆଉ ଯଦି ଝିଅଟେ ପୁଅଟିକୁ ବାଜେ କହିବ ତେବେ ବି ଝିଅଟିର ଚରିତ୍ର ଖରାପ ବୋଲି ଆକ୍ଷେପ କରାଯିବ ।
ରିଆଲି ଆମ ସମାଜ ଗୋଟେ ଶତ୍ରୁ ଝିଅ ମାନଙ୍କର !
ଓଃ ! କୁଆଡେ ନା କୁଆଡେ ଭାବନା ଚାଲିଯାଏ ମଣିଷ ର ବୁଝିବା ସହଜ ନୁହେଁ । ଟ୍ରେନ ଆସିଗଲାଣି ଧ୍ୟାନ ନାହିଁ ଲୋରାର ।
ତରତର ହେଇ ବି - ଟୁ ବଗିରେ ଚଢ଼ିଗଲା ସେ । ଚଢୁଚଢୁ ଆଖି ଖୋଜିଲା ଆଦର୍ଶକୁ ।ପିଲାଟିକୁ ସେ ଚିହ୍ନି ନାହିଁ । ତେଣୁ ତା'ର ପରିଚୟ କେବଳ ସିଟ ନମ୍ବର 30 । ହଁ ସେଇ ସିଟ ରେ ବସିଥିବ ପିଲାଟି ବୋଲି କହିଥିଲେ ଜିତ୍ । କିନ୍ତୁ ଆଖି ଖୋଜି ଦେଖିଲା ସିଟ ନମ୍ବର 30 ରେ ବସିଛନ୍ତି ହଳେ ଦମ୍ପତି । ସେ ଟିକେ ବ୍ୟସ୍ତ ହେଇ ପଚାରି ପକାଇଲା ସେଇ ଦମ୍ପତିଙ୍କୁ ,
'' ଏକ୍ସକ୍ୟୁଜ ମି , ଆପଣଙ୍କ ସିଟ ନମ୍ବର କେତେ ?''
--'' 30 ଆଉ 31 ରେ ଆମେ ଦୁହେଁ
ମ୍ୟାମ୍ ।''
ବଡ଼ ଅମାୟିକ ଭାବରେ ଜଣେଇଲେ ଭଦ୍ରବ୍ୟକ୍ତି । ଲୋକଟି ମିଛ କହିବାର କିଛି କାରଣ ନାହିଁ । ସ୍ୱାମୀ ସ୍ତ୍ରୀ ନୂଆ ବାହା ହେଇଥିବା ଭଳି ଲାଗୁଛନ୍ତି । ବେଶ ମାର୍ଜିତ ଆଉ ଶାଳୀନ ଦିଶୁଚନ୍ତି । ତେବେ ଆଦର୍ଶ ?
-------------
ପ୍ରଥମ ଥର ପାଇଁ ସମ୍ବଲପୁର ରୁ ଦିଲ୍ଲୀ ଯାଉଛି ଲୋରା ଏକା । ମାନୁଛି ସେ ବେଶ ଉଚ୍ଚ ଶିକ୍ଷିତା , ଅଧୁନିକା , ପାରିଲାର । କିନ୍ତୁ ତଥାପି ଏକା ଯିବାକୁ ଆଗ୍ରହୀ ନଥିଲା ସେ । ଦୁଇ ମାସ ହେଲା ବାହାଘର । ବାହାଘର ବାଦେ ପ୍ରଥମ ଥର ପାଇଁ ସେ ଯାଉଛି ଜିତ୍ ଙ୍କ ପାଖକୁ । ଏଇ ଯାତ୍ରା ରେ ସେ ଏକାକୀ ଯିବା କେତେଦୂର ଉଚିତ । ଜିତ୍ ଙ୍କ ସହ ଯଦି ଯାଉଥାନ୍ତା ତେବେ ଏଇଟି ଅଧିକ ସୁନ୍ଦର ହେଇନଥାନ୍ତା କି ?
ଲୋରା ର ଯୌଥ ପରିବାର । ଘର ଲୋକେ ଏଇଟା ଜମା ପସନ୍ଦ କଲେ ନାହିଁ । ଜେଜୀ ତ ସଫା ସଫା ମନା କରିଥିଲା । ନାତୁଣୀ ଜୋଇଁ ଆସିକି ନେଇଗଲେ ହୁଅନ୍ତା ନାହିଁ । ଏମିତି କ'ଣ କରୁଛନ୍ତି । ବାହାରି ଝିଅଟା ଏକୁଟିଆ ଯିବ କେମିତି । କୁଆଡେ ଛାଡିନୁ ଆମେ ଆଗରୁ ।
ବୋଉ ବି ଟିକେ ମନ ଦୁଃଖ କରୁଥିଲା । ତା'ର ତ ବାପା କି ଭାଇ ନାହାନ୍ତି । କିଏ ଆଉ ସାଥିରେ ଯିବ । ଜୋଇଁ ଏତକ ବୁଝୁ ନାହାଁନ୍ତି କେମିତି ?
ଏଇ କଥା ବୁଝେଇବାର ପ୍ରୟାସ କରିଥିଲା ଲୋରା । କିନ୍ତୁ ଜିତ୍ ମନା କଲେ , '' ତୁମେ ଆସିପାରିବ ଲୋରା । ବାଜେ ଝିଅ ଭଳି ଅବାଧ୍ୟ ହେବା ଶୋଭା ପାଏନା ।''
ସତରେ ଅବୁଝା ଥିଲା ବାଜେ ଝିଅର ପ୍ରସଙ୍ଗ । କିନ୍ତୁ ବିକଳ୍ପ ନଥିଲା କିଛି । ମନା କରିବା ଉଚିତ ନୁହେଁ ବୋଲି ଆସୁଥିଲା ଭାବନା । ଜିତ୍ ଚ୍ୟାଲେଞ୍ଜ କରୁଥିଲେ ତା' ପାରିଲାପଣକୁ । ତେଣୁ ସେ ବୋଉ ଆଉ ଘର ଲୋକଙ୍କୁ ବୁଝେଇ ଦେଲା । ଭଲ ଝିଅ ମାନଙ୍କୁ ଏମିତିହିଁ କରିବାକୁ ହୁଏ ।
--'' ମୁଁ ଏକା ଯାଉନି , ଆଦର୍ଶ ବୋଲି ପିଲାଟିଏ ଯିବ ମୋ ସହ । ୟାଙ୍କ ଅଫିସର ମହାନ୍ତି ବାବୁଙ୍କ ପୁଅ । ଭଲ ଲୋକ ମୁଁ ଦେଖିଛି , ବାହାଘର କୁ ଆସିଥିଲେ ମହାନ୍ତି ବାବୁ ।''
ଲୋରା, କହିଲା ଏତକ ସିନା କିନ୍ତୁ ମନ ତା'ର ଦୁଃଖରେ ଟୁକୁଡ଼ା ଟୁକୁଡ଼ା ହେଇଯାଉଥିଲା । କେତେ କହିଲା ସେ ଜିତ୍ ଙ୍କୁ , '' ପ୍ଲିଜ ଆସ ଗୋଟିଏ ଦିନ ପାଇଁ । ସଭିଏଁ ଭିନ୍ନ ଦୃଷ୍ଟି ରେ ଦେଖୁଛନ୍ତି ଏଇ ଘଟଣା ଟିକୁ । ପ୍ଲିଜ ।''
----------
ଶୀତ ରାତିର ହେମାଳ ପରିବେଶ ଏବେ ଉତ୍ତପ୍ତ ଲାଗୁଥିଲା । ଟି .ଟି ଜଣେଇ ଦେଲେ, ନାହିଁ କେହି ଆଦର୍ଶ ମହାନ୍ତି ନାମରେ ପୂରା ଟ୍ରେନରେ ।
ଆଛା ଜିତ୍ କ'ଣ ମିଛ କହିଲେ । ଠିକ ଅଛି ତୁମେ ଆସିବ ନାହିଁ । ମୋତେ ସାଥିରେ ନେଇ ଯିବାର ଇଚ୍ଛା ନାହିଁ । ମୋତେ ଆରମ୍ଭରୁ ହିଁ ବୁଝିବାର ଅଛି ମୋର ସ୍ଥିତି । ଆଗକୁ ସବୁକିଛି ମୁଁ ଏକା କରିବି । ତୁମେ ମୋର ଦାୟୀତ୍ୱ ନେବ ନାହିଁ । ମୁଁ ବୁଝିଯାଇଥାନ୍ତି ।ଏଇ ନିଛକ ସତ୍ୟ କୁ ହଜମ କରି ନେଇଥାନ୍ତି । କିନ୍ତୁ ମିଛ କାହିଁକି କହିଲ ?....
ଜିତ୍ ଙ୍କୁ ଫୋନ୍ କରି ପଚାରିବାକୁ ଆଉ ଇଚ୍ଛା ହେଲାନି । କେମିତି ଗୋଟେ ଅଭିମାନ ଆସୁଥିଲା ମନରେ । ଥାଉ ସେ ଏକାହିଁ ଯିବ । ଆବଶ୍ୟକ ନାହିଁ କୌଣସି ଆଦର୍ଶର । କୌଣସି ସାହାରାର ।
କିନ୍ତୁ ଭିତରେ ଭିତରେ ରୁଗୁରୁଗୁ ହେଉଥିଲା କିଛି । ଭାବନା ଟେ ଆସୁଥିଲା ଏମିତି ; ସମ୍ପର୍କର ମୂଳଦୁଆ ବିଶ୍ୱାସ , ସେଇତକ ହରେଇ ଦେଲେ କେମିତି ଗଢିବି ସଂସାର ?...
ଏକା ଏକା ଏବେ ଭୟ ଲାଗୁଥିଲା ତାକୁ । ଜିତ୍ ଆଉ ଭିନ୍ନ କିଛି କରୁ ନାହାନ୍ତି ତ ? ତାଙ୍କର ଏଇ ସମ୍ପର୍କକୁ ନେଇ ଅସହଜ ବୋଧ ନାହିଁ ତ ? ଆଉ କେହି ଅଛିକି ତାଙ୍କ ଜୀବନରେ ?
ଓଃ ! ମୁଣ୍ଡ ଏବେ ଗୋଳମାଳ ହେବାକୁ ଆରମ୍ଭ ହେଉଥିଲା । ହଜାରେ ଅପଚିନ୍ତା ଘର କରୁଥିଲେ ମନ ଭିତରେ। ଶୀତ ରାତିର ବୟସ ବଢ଼ିବା ସହ ଲୋରା ମନର ସଂଶୟ ବଢ଼ୁଥିଲା ଦ୍ରୁତ ଭାବରେ ।
ଏବେ କାନ୍ଦ ଲାଗୁଥିଲା ଲୋରା କୁ । ଜିତ୍ କେମିତି ମଣିଷ ?? ସନ୍ଦେହ ର କୁହେଳି ଛାଉ ଥିଲା ମନ ଭିତରେ । ଆଜିର ସମୟ ଭାରି ଖରାପ । ଗୋଟେ ଭଲ ମଣିଷ ମିଳିବା ଆଦୋୖ ସହଜ ନୁହେଁ । ବାହାଘର ଭଳି ସାମାଜିକ ସମ୍ପର୍କରେ ତେଣୁ ଆଜିକାଲି ଅନେକ ସମସ୍ୟା । ବିଶ୍ୱାସ ହିଁ ନାହିଁ ଯେତେବେଳେ ଘର କେମିତି ଗଢିବ ଲୋରା ?
ତଥାପି ସେଇ ସିଟ ନମ୍ବର 30 ପାଖରେ ଅପେକ୍ଷା କଲା ସେ । ହୁଏତ ଆସିବ କେହି ଆଦର୍ଶ ମହାନ୍ତି ।
ଆଶା କରିବା ମଣିଷର ଗୋଟେ ବିରାଟ ସାହାରା । କିଛି ଅପ୍ରାପ୍ତି କେବଳ ଆଶା ଉପରେହିଁ ତୃପ୍ତ ହେଇଯାଏ ।
-- " ପ୍ଲିଜ ଆଦର୍ଶ , ଆସିଯାଅ । ହେ ପ୍ରଭୁ ଜିତ୍ ମିଛ କହି ନଥାନ୍ତୁ ।''
ମନେ ମନେ ଗୁଣୁଗୁଣୁ ହେଲା ଲୋରା ଆଉ ଆଖି ମୁଦି ଅଦୃଶ୍ୟ ଙ୍କୁ ସ୍ମରଣ କଲା । ପ୍ରାୟ ରାତି 11:30 ବେଳକୁ ଆସିଲା କଲେଜ ପଢୁଆ ପିଲାଟିଏ । ଇତସ୍ତତଃ ହେଉଥିଲା ତା' ଆଖି ଯୋଡ଼ାକ । ଯେମିତି ଖୋଜୁଥିଲା କିଛି ଭିଡ଼ ଭିତରେ । ତାକୁ ଦେଖି ଅଜଣା ଆନନ୍ଦରେ ଭରି ଗଲା ଲୋରାର ମନ । ସେ ନିଜ ସିଟ ଛାଡି ପିଲାଟି ପାଖକୁ ଆସିଲା ଆଉ ପଚାରିଲା , '' ତୁମେ ଆଦର୍ଶ ଟି ?''
ପିଲାଟି ଭାରି ଖୁସି ହେଇ କହିଲା ,'' ହଁ ଲୋରା ଆଣ୍ଟି ।''
ଅମାନିଆ ଲୁହ ଏବେ ଆଖିର ବନ୍ଧ ଭାଙ୍ଗି ବୋହିଗଲେ । ଲୋରା ସେଗୁଡାକୁ ପୋଛି ନେଇ କହିଲା , '' କୁଆଡେ ଥିଲ ତୁମେ , ମୁଁ କେତେ ବ୍ୟସ୍ତ ହେଲିଣି । ତୁମ ଫୋନ୍ ମଧ୍ୟ ଲାଗୁନି ?''
--'' ଆଣ୍ଟି ମୋର ବ୍ୟାଗ ଚୋରି ହେଇଗଲା ଆଉ ସେଥିରେ ମୋର ସମସ୍ତ ଜିନିଷ ଚାଲିଗଲା । ଟିକେଟ ଟା ଚୋର ବିକ୍ରି କରିଦେଇଥିବ । ତେଣୁ !''
ଲୋରା ଟି .ଟି କୁ ଡ଼କେଇ ଆଦର୍ଶ ପାଇଁ ଟିକେଟର ବନ୍ଦୋବସ୍ତ କଲା । ଆଉ ସେ ଦୁହେଁ ଆରମ୍ଭ କଲେ ଯାତ୍ରା ।
*********
ପର ଦିନର ଶୀତ ସକାଳ ନୂଆ ଅଲୋକ ନେଇ ଆସିଥିଲା ଲୋରା ଜୀବନରେ । ବୁଝି ସାରିଥିଲା ଲୋରା ଜିତ୍ ମିଛ କହି ନଥିଲେ । ଜିତ୍ ଅବିଶ୍ୱାସୀ ନୁହଁନ୍ତି । ସେ କେବଳ ଟିକେ ବେପରୁଆ । ଦିଲ୍ଲୀ ସହରର ହେମାଳ ଶୀତ ସକାଳରେ ଭିନ୍ନ ଉଷ୍ଣତା ଥିଲା ଲୋରା
ପାଇଁ । ଦିଲ୍ଲୀ ଷ୍ଟେସନରେ ଦିଶୁଥିଲେ ଜିତ୍ । ଆଖିରେ ଆଖିଏ ଚମକ ଆଉ ଦେହରେ ବେଜାଏ ଉଷ୍ଣତା ନେଇ । ଲୋରା କୁ ଏକଦମ ଉଠେଇ ନେଲେ ଜିତ୍ ଆଉ ଚୁପି ଚୁପି କହିଲେ , '' ବାଜେ ଝିଅ ଗୁଡ଼ ମୋର୍ନିଂ ।"