Lalita Mohan Mishra

Drama Tragedy

2  

Lalita Mohan Mishra

Drama Tragedy

ବାସି ଫୁଲର ବାସ୍ନା

ବାସି ଫୁଲର ବାସ୍ନା

7 mins
141


ବେଳେ ବେଳେ ମନରେ ପ୍ରଶ୍ନ ଆସେ ସଜ ଫୁଲ ପରି କ'ଣ ବାସ୍ନା ଥିବ ବାସି ଫୁଲର । ସମସ୍ତଙ୍କୁ ଆକର୍ଷିତ କରେ, ସୁବାଷିତ କରେ ଏବଂ ସମସ୍ତଙ୍କର ମନକୁ ମୋହିତ କରେ ସଜଫୁଲ । ବାସି ଫୁଲ ରାତିର ଅନ୍ଧକାର ଭିତରେ ନିଜକୁ ହଜେଇ ଦିଏ ଡୁବେଇ ଦିଏ । ସକାଳର ସୂର୍ଯ୍ୟ କିରଣରେ ବାସି ଫୁଲ ଝଡ଼ି ପଡି ସମସ୍ତଙ୍କର ହୋଇଥାଏ ଅନାଦରର ପାତ୍ର । ଜଣ ଜଣଙ୍କର ଜୀବନ ମଧ୍ଯ ସେମିତି ବାସି ଫୁଲ ସଦୃଶ। ଯେତେବେଳେ ଯୌବନ ଥାଏ ସୁନ୍ଦରତା ଥାଏ ସେତେବେଳେ ହୋଇଥାଏ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ । ଯୌବନ ଢଳି ଢଳି ଯିବା ସହିତ ସୁନ୍ଦରତା କମି କମି ଯାଏ। ଜୀବନ ଧିରେ ଧିରେ ବାସି ଫୁଲ ସଦୃଶ ହୋଇଯାଏ ।        ତା ପରେ ଠାକୁରଙ୍କ ପାଖରେ ଫୁଲଟି ଲାଗି ହୋଇ ସାରିବା ପରେ ସ୍ବତଃ ହୋଇଥାଏ ବାସି । ନୂତନ ସକାଳରେ ନୂତନ ପୁଷ୍ପ ଲାଗି ହୁଏ ଠାକୁରଙ୍କ ପାଖରେ । ବିଗତ ଫୁଲର ବାସ୍ନା ବା ମହକ ଆଜିର ଫୁଲ ପରି ନ ଥାଏ । ବାସ୍ତବ ଜୀବନରେ କିନ୍ତୁ ସେପରି ନୁହେଁ । ସମାଜରେ ଏପରି ଅନେକ ଉଦାହରଣ ପରିଲକ୍ଷିତ । ଯାହାକୁ ଆମେ ବାସି ବୋଲି କହୁ ସେ ଅନ୍ୟ ପାଖରେ ହୋଇଥାଏ ସଜ।    ଗାଁ ରେ ସମସ୍ତ ଟୁପୁରୁ ଟାପର ହେଉଛନ୍ତି କାହା ସାଥିରେ ପଳାଇଗଲା ରେଶମା । ଏଭଳି କଥା ସମସ୍ତଙ୍କୁ ଶୁଣିବାକୁ ଭାରି ଆଗ୍ରହ । ଯଦି ଗାଁରେ କେଉଁଠି ପାଲା, ଦାସକାଠିଆ, ପୁରାଣ ପାଠ କିମ୍ବା ପ୍ରବଚନ ହେଉଥିବ ଯେତିକି ଲୋକ ଜମା ହେଉ ନ ଥିବେ । ତାଠାରୁ କାହିଁ କେତେ ଅଧିକ ଲୋକଙ୍କର ଭିଡ ରେକର୍ଡ ଡ୍ୟାନ୍ସ ଦେଖିବାକୁ । ଭଲ କଥା ପଦେ ଶୁଣିବାକୁ କାହାର ତର ନାହିଁ । କିଏ କାହାର ଝିଅ ବୋହୁକୁ ନେଇଗଲା ବା କିଏ କାହା ସାଥିରେ ପଳାଇଗଲା । ଏ କଥାଟିର ପ୍ରଚାର ଓ ପ୍ରସାର ଦିଗରେ ସମସ୍ତେ ଲାଗି ପଡନ୍ତି । ହେଲେ ବିଚାରୀ ରେଶମାର କ'ଣ ଭୁଲ୍ ଯେ....  ଧୋବା ସାହୁର ତୃତୀୟ ନମ୍ବର ଝିଅ ରେଶମା । ପୁଅକୁ ଚାହିଁ ଚାହିଁ ଚାରୋଟି କନ୍ୟାର ଜନକ ଧୋବା ସାହୁ । ପିଅନ ଚାକିରୀରେ କେତେ ବା ଦରମା ? ପିଲାମାନଙ୍କର ଖାଇବା ପିଇବା ଘର ଖର୍ଚ୍ଚ ପାଠପଢାକୁ ନିଅଣ୍ଟ । ଏମିତି ଦେଖିବାକୁ ଗଲେ ସଂସାରଟା କୁ ଚଳେଇଛନ୍ତି ସେ ଠାକୁର । ଦୁଇଟି ଝିଅକୁ ଯେନତେନ ପ୍ରକାରେଣ ବିଦା କରିଥିଲା ଧୋବା । ତୃତୀୟ ନମ୍ବର ଝିଅକୁ ଗାଁ ପାଖ ମହେଶ୍ବର ସେନାପତିଙ୍କ ପୂଅ ରବି ସାଥିରେ କରିଥିଲେ ବିବାହର । ଭଲ ଘର ଭଲ ବର ବୋଲି ଭାବି ଦେଇଥିଲେ । ହେଲେ ରେଶମା ଭାଗ୍ୟରେ ଏମିତି ଓଲଟା ଫଳ ଫଳିବ ବୋଲି କିଏ ଜାଣିଥିଲା ।      ରବି କଳାହାଣ୍ଡିରେ ନିଯୁକ୍ତି ପାଇଥାଏ ଶିକ୍ଷାସହାୟକ ଭାବରେ । ବିବାହ ପୂର୍ବରୁ ଟିକେ ଦୋଷ ଥିଲା ରବିର । ସାଙ୍ଗ ସାଥୀଙ୍କ ମେଳରେ ବସି ମଉଜ ମଜଲିସ କରିବା ମଦ ପିଇବା, ସେ ଟୋକା ମାନଙ୍କ ସହିତ ଭୋଜିଭାତ କରି ସମୟ ବିତାଇବା ଲକ୍ଷ୍ୟ । ବିବାହର ପରେ ମଧ୍ୟ ସେ ଦୋଷଟା ଗଲାନାହିଁ । ଗାଁ ଟୋକା ମାନଙ୍କ ସହିତ ମିଶି ଘରେ ମଦମାଂସ ଭୋଜି ଚାଲିଲା । ଟୋକାମାନେ ଭାଉଜ ଭାଉଜ କହି ଆଡ ଆଖିରେ ଦେଖିଲେ । ରେଶମା ନୂଆ ନୂଆ ହୋଇଥିବାରୁ କାହାକୁ କିଛି କହିପାରିଲା ନାହିଁ । ସେମାନଙ୍କର ଉଦ୍ଦ୍ୟେଶ୍ୟ ଭାଉଜ ସହିତ ଖରାପ ସମ୍ପର୍କ ଯୋଡ଼ିବା । ରେଶମା ସେଭଳି ପିଲା ନୁହେଁ ।   ଜୀବନର ସାଥୀ ଭାବରେ ଯାହାକୁ ଗ୍ରହଣ କରିଛି ସେଥିରେ ଦ୍ବିତୀୟ ପୁରୁଷର ସ୍ଥାନ ନାହିଁ । ରବି କିନ୍ତୁ ନ ଜାଣିଲା ପରି ସେମାନଙ୍କୁ ସୁଯୋଗ ଦିଏ । ନିଜର ସ୍ବାମୀର ଏପରି ଆଚରଣରେ ରେଶମା କ୍ଷୁବ୍ଧ ହୁଏ । ରବି ଜଣେ ନଷ୍ଟ ଚରିତ୍ରର ବ୍ୟକ୍ତି ଏଥିରୁ ସ୍ପଷ୍ଟ ହୁଏ । "ଅଜାଗା ଘା' ଦେଖି ହୁଏ ନାହିଁ କି ଦେଖେଇ ହୁଏ ନାହିଁ" ।     ଦିନେ ଶୁଣିଲା କୌଣସି ଛାତ୍ରୀ ସହିତ ତାର ଖରାପ ସମ୍ପର୍କ ଅଛି । ଏକଥା ଶୁଣିଲା ପରେ ଭାଙ୍ଗି ପଡିଲା । ଏମିତି ମୋର ସ୍ବାମୀ କାହିଁକି ହେଉଛନ୍ତି ବୋଲି ନିଜକୁ ପ୍ରଶ୍ନ କଲା - ମୁଁ ତ ଅସୁନ୍ଦରୀ କି କାଳି କୋତରୀ ନୁହେଁ । କେବେ ତ ତାଙ୍କର ଇଚ୍ଛାକୁ ପୂରଣ କରିବାରେ ମୁଁ ଅନିଚ୍ଛା ପ୍ରକାଶ କରିନାହିଁ । ଯେତେବେଳେ ଯେଉଁ ସମୟରେ ସେ ଇଛା କରିଛନ୍ତି ପ୍ରତିବାଦ କରିନାହିଁ । ମଦ ପିଇ ମୋର ଦେହକୁ ମଲାଶବ ପରି ଟାଣି ଓଟାରି ଉପଭୋଗ କରିଛନ୍ତି । ବେଳେ ବେଳେ ଭାବେ ମୁଁ ତାଙ୍କର ସ୍ତ୍ରୀ ନା.... ବେଶ୍ୟା.... । ତଥାପି ମୋର ଭାବନା... ଭାବନାରେ ରଖି ଦେହ ମନ ଶରୀର ଦାନ କରିଛି । କାରଣ ମୋର ବିଶ୍ବାସ ଥାଏ - ଛତିଶକୋଟୀ ଦେବତାଙ୍କୁ ସାକ୍ଷୀ ରଖି ଯାହାକୁ ଜୀବନର ସାଥୀ ଭାବରେ ଗ୍ରହଣ କରିଛି । ସେ ମୋର ସର୍ବସ୍ବ ମୁଁ ତାଙ୍କର ନିକଟରେ ସଦା ସମର୍ପିତ ।     ଛାତ୍ରୀ ସହିତ ଖରାପ ସମ୍ପର୍କ ଅଭିଯୋଗରେ ଗାଁ ଲୋକ ଉତ୍ତମ ମଧ୍ଯମ ଦେଇଛନ୍ତି । ପରେ ପୋଲିସର ହସ୍ତକ୍ଷେପ ପରେ ଏବେ ଜେଲରେ । ଅପ୍ରାପ୍ତ ବୟସ ଛାତ୍ରୀ ସହିତ ଯୌନ ନିର୍ଯାତନା, ମଦ୍ୟପାନ ଏଭଳି କେତୋଟି ଦଫା ଲଗାଇ କାରାଗାରରେ ରବି । ବିବାହ ପୁର୍ବରୁ ଯାହା ଥିଲା କି ନ ଥିଲା କିଏ ଜାଣୁ ନ ଥିଲେ । ହେଲେ ବିବାହ ପରେ ସୁନ୍ଦରୀ ସ୍ତ୍ରୀ କୁ ପାଇ ପ୍ରକୃତି ବଦଳିଲା ନାହିଁ । ନିରୀହ ନିଷ୍ପାପ ଶିଶୁ ପ୍ରତି ଏ ପ୍ରକାର ମନୋବୃତ୍ତି ଆସିଲା କେମିତି ? ଏଥିରୁ ସେ କ'ଣ ପାଇଲା - ନା ପ୍ରେମ... ନା ପ୍ରେମ ପରିଣୟ !  !  ! ଯାହା ପାଇଲା ତାହାହେଲା.... ସମାଜରୁ ଅପମାନ... ଲାଞ୍ଚନା.... । ନିଜର ନିମ୍ନ ମାନସିକତା ଲାଗି ଶିକ୍ଷକ ସମାଜକୁ କଳଙ୍କିତ କଲା ।   ବିବାହର ବର୍ଷେ ପୂର୍ଣ୍ଣ ହୋଇ ନ ଥାଏ । ପୁଅ ଜେଲରେ ଥିବା ଯୋଗୁଁ ଶାଶୁଘର ଲୋକ ସବୁ ଦୋଷ ଲଦିଲେ ରେଶମା ଉପରେ । ବିଭିନ୍ନ ପ୍ରକାର ନିର୍ଯାତନା ଦେଲେ । ନିର୍ଯାତନା ସହି ନ ପାରି ପଳାଇ ଆସିଲା ବାପଘରକୁ ରେଶମା । ବାପା ମାଆ ଝିଅକୁ ବହୁତ ବୁଝାସୁଝା କରି ରଖିଲେ । କ'ଣ କରିବେ.... କାହାକୁ ଅବା କହିବେ !   !  ! ଯେତେ ହେଲେ ଜନ୍ମ କରିଛନ୍ତି । ଭଲ ଘର ଭଲ ବର..... ଶାନ୍ତ ଶିଷ୍ଟ ପିଲାଟେ ଭାବି ଦେଇଥିଲେ । କିଏ ଜାଣିଥିଲା "ସାରୁ ଭିତରେ ମାରୁ ବୋଲି" ।     ସମୟ ଆଉ ବୟସ କାହାକୁ ଅପେକ୍ଷା କରେନାହିଁ । ଦିନ ଗଡି ଗଡି ଯାଏ । ରବି ଜେଲ୍ ଯିବାର ଏହା ଭିତରେ ଦୁଇବର୍ଷ ବିତିଗଲାଣି । କେସ୍ ଲାଗିଛି କୋଟ୍ ରୁ ଜାମିନ ମିଳି ପାରୁନାହିଁ । ରେଶମା ବାପ ଘରେ ରହି ବାପା ମାଆଙ୍କର ଚିନ୍ତା ବଢୁଛି । ସ୍ବାମୀ ସୁଖ ପରିବାର ସୁଖ ଜାଣିବା ପୂର୍ବରୁ ସୁଖର ସଂସାର ଭାଙ୍ଗି ଚୁରମାର ହୋଇଗଲା ।           ରକ୍ତ ମାଂସର ଶରୀର । ସୁଖ ଦୁଃଖ ସହିତ ମଣିଷର ଭୋଗ ଲାଳସା ରହିଛି । ମଣିଷ ତ କାଷ୍ଠ ପାଷାଣର ମୂର୍ତ୍ତୀ ନୁହେଁ ? ତାର ମଧ୍ଯ ଇଚ୍ଛା ଅଛି ଭୋଗ କରିବାର ସାମର୍ଥ୍ଯ ଅଛି । ସବୁ ନାରୀଙ୍କ ପରି ତାର ଜୈବିକ କ୍ଷୁଧା ଅଛି, ସ୍ବପ୍ନ ଅଛି, ଆଶା ଆକାଂକ୍ଷା ମନୋକାମନା ଅଛି । ବୟସ ମଧ୍ୟ ଅତ୍ଯଧିକ ହୋଇନାହିଁ ମାତ୍ର ଚବିଶ ବର୍ଷ ।     ଜୀବନରେ ଆଗକୁ ଚାଲିବା ପାଇଁ ଲମ୍ବା ରାସ୍ତା ପଡିଛି । ପଛ କଥାକୁ ମନରୁ ପାସୋରି ଆଗକୁ ପାଦ ବଢାଇଲେ କିଏ ଆପତ୍ତି କରିବେ ନାହିଁ । ଇଛା ଅନେକ.... ସ୍ବପ୍ନ ଅନେକ ...... ଏବଂ ଅସରନ୍ତି ଭାବନାର ପରିମାପକ । ବିବାହିତା ଝିଅ ହୋଇ ବାପଘରେ କେତେଦିନ ମୁଣ୍ଡ ଗୁଞ୍ଜିବ ? ଭଗବାନ ମଧ୍ୟ ଆଶାର କିରଣ ଟିଏ କୋଳକୁ ଦେଇ ନାହାଁନ୍ତି । ଜୀବନ ରୂପକ ମାର୍ଗ ସମ୍ପୂର୍ଣ୍ଣ ଖାଲି । ଅନ୍ଯ କାହାକୁ ନିଜର କଲେ ଅସୁବିଧା ନାହିଁ । ସମାଜ ତ ନିଶ୍ଚିତ ଟାହିଟାପରା କରିବ..... ନିଜର ମନର କଥା... ନିଜର ଭବିଷ୍ୟତ କଥାକୁ କିଏ ପଚାରୁଛି ?      ରେଶମା ନିଜର ମନକୁ ଦୃଢ଼ କଲା । ଅଭିଜ୍ଞତାକୁ ଆପଣେଇଲା । ନୂତନ ସାଥୀ ପାଇଁ ବ୍ୟଗ୍ର । ଏଥର କିନ୍ତୁ ଜୀବନର ସୁଖ ଦୁଃଖକୁ ଆପଣେଇ ନିଜର ମନକୁ ହୃଦୟକୁ ଯେ ବୁଝି ପାରିବ ସେଭଳି ସାଥୀ ଖୋଜିଲା । ହେଲେ ନିଜେ ଚାହିଁଲେ ତ ସବୁ ଆଶା ଆକାଂକ୍ଷା ପୂରଣ ହୋଇ ଯିବ ନାହିଁ । କାରଣ ସ୍ବପ୍ନ ଆଉ ବାସ୍ତବତା ଭିନ୍ନ ଭିନ୍ନ । ମନୁଷ୍ଯ ସ୍ବପ୍ନ ଦେଖେ କିନ୍ତୁ ବାସ୍ତବତାରେ ପରିଣତ କରିବା ଏତେ ସହଜ ହୋଇ ନ ଥାଏ । ରେଶମା ଏଥର ଭାବିଚିନ୍ତି ନିଷ୍ପତ୍ତି ନେବ !  !  ! ଭାବ ପ୍ରବଣତାରେ ପୁନର୍ବାର ଆଉ ସେଭଳି ଭୁଲ୍ କରିବ ନାହିଁ ।      ସେଦିନ ମକର ସଂକ୍ରାନ୍ତି । ଗାଁ ଶିବ ମନ୍ଦିରକୁ ଯାଇଥାଏ ରେଶମା । ମନ୍ଦିରରେ ଭେଟ ହେଲା ରତିକାନ୍ତକୁ । ପିଲାଦିନେ ଗୋଟିଏ ଶ୍ରେଣୀରେ ଗାଁ ସ୍କୁଲରେ ପଢୁଥିଲେ । ରେଶମା ପ୍ରତି ରତିକାନ୍ତର ସର୍ବଦା ଦୂର୍ବଳତା । ପ୍ରକାଶ କରି ପାରୁ ନ ଥାଏ । ଲୁଚି ଲୁଚି ରେଶମା ସୌନ୍ଦର୍ଯ୍ୟରେ ବିମୋହିତ ହେଉଥାଏ । ନିଜର ମନର କଥାକୁ ବହୁଥର ପ୍ରକାଶ କରିବାକୁ ଇଛା କରିଛି କିନ୍ତୁ ସେଭଳି ପରିବେଶ ପାଇପାରି ନାହିଁ । ମନର କଥା ମନରେ ରହି ଯାଇଛି । ବେକାର ଜୀବନ ମୋତେ ଅବା କିଏ ସାଥୀ ଦେବ ଭାବି କହି ପାରିନାହିଁ । କହିବା ପାଇଁ ସାହସ ଯୋଗାଡିଲା ବେଳକୁ ରେଶମା ଅନ୍ୟର ହୋଇ ସାରିଛି ।      ଏବେ ଦୁଇ ମାସ ହେଲା ଜୁନିୟର କ୍ଲର୍କ ଭାବରେ ସରକାରୀ ଚାକିରୀ ପାଇଛି ମାଲକାନଗିରିରେ । ମନ୍ଦିରରେ ରେଶମାକୁ ଏକୁଟିଆ ପାଇ ବହୁତ ଦିନର ମନର କଥା ପ୍ରକାଶ କରିବାକୁ ସାହାସ କରିଛି । ରେଶମା ତ ପ୍ରଥମେ ବୁଝି ପାରି ନାହିଁ । ଯେତେବେଳେ ବୁଝିଛି ସେତେବେଳେ ନିଜର ଦୁଃଖ ଦୁର୍ଦ୍ଦଶା କଥା କହିଛି । ରତିକାନ୍ତ ସବୁଦୁଃଖ ଶୁଣି ନିଜର କରିବାକୁ ପ୍ରତିଶ୍ରୁତି ଦେଇଛି । ଏବଂ ଶେଷରେ କହିଛି - ଯଦି ଖରାପ ଭାବିବ ନାହିଁ, ଗୋଟିଏ କଥା କହିବି ! ! !       ମୋର ଆଶା ଆଶାରେ ରହି ଯାଇଥିଲା । ସେ ଆଶାକୁ ପୂରଣ କରିବାକୁ ଚାହିଁଲେ ମୁଁ ଜୀବନ ସାଥୀ ଭାବରେ ତୁମକୁ ଗ୍ରହଣ କରିବି । ତୁମେ ଠାକୁରଙ୍କ ଠାରେ ଲାଗି ହୋଇ ଯାଇଥିଲେ ମଧ୍ୟ ମୁଁ ତୁମକୁ ଦ୍ବିତୀୟ ବିବାହ କରିବାକୁ ଇଛୁକ । ସେହି ଶଙ୍ଖା ସିନ୍ଦୁର ହିଁ ମୋର ଶଙ୍ଖା ସିନ୍ଦୁର ବୋଲି ଭାବିନିଅ । ଆଜିଠାରୁ ମୁଁ ତୁମକୁ ଧର୍ମପତ୍ନୀ ଭାବରେ ଗ୍ରହଣ ରହିବାକୁ ଇଚ୍ଛା କରୁଛି । ସମାଜ ଯାହା କହୁଛି କହୁ.... ଯିଏ ଯାହା କହୁନା କାହିଁକି.... ମୁଁ ଆଜି ପର୍ଯ୍ୟନ୍ତ ତୁମକୁ ଅପେକ୍ଷା କରି ବିବାହ କଲି ନାହିଁ ।       ମୋର ମନର କଥା କେବେ ପ୍ରକାଶ କରିନାହିଁ ଆଜି ପର୍ଯ୍ୟନ୍ତ । ତୁମେ ବିବାହ କରିବା ପରେ ମୋର ଆଶା ଆଶାରେ ରହିଗଲା । ଆଜି ତୁମର ଏ ଅବସ୍ଥା ଦେଖି ଭାବୁଛି..... ତୁମର ଏ ଜୀବନ ମରୁଭୂମିକୁ ମୁଁ ଶସ୍ଯ ଶ୍ୟାମଳ କରି ପାରିବି..... । ତୁମେ ମୋତେ ସାଥୀ ଦେବ ତ.....   ଲାଜକୁଳୀ ଲତା ପରି ରେଶମା ରତିକାନ୍ତଙ୍କ ପାଖରେ ଲାଜେଇ ଯାଇଥିଲା । ମନ୍ଦିରରୁ ଟୋପାଏ ସିନ୍ଦୁର ଆଣି ରେଶମାର ମୁଣ୍ଡରେ ଲଗାଇ ଦେଇଥିଲା । ଜୀବନର ବାସ୍ତବ ସାଥୀ ଭାବରେ ଗ୍ରହଣ କରିନେଲା । ଆଜି ରାତି ବସ୍ ରେ କାହାକୁ କିଛି ନ ଜଣାଇ ଦୁହେଁ ଚାଲିଗଲେ ମାଲକାନଗିରି ।       ଗାଁ ଲୋକଙ୍କର କେତେ ଟୁପୁରୁଟାପର ଟାହିଟାପରା । କିଏ କହୁଛି ରତିକାନ୍ତକୁ ଝିଅ ମିଳି ନ ଥାନ୍ତା ଯେ..... ସେ ବିବାହିତା ଟାକୁ ନେଇ ପଳାଇଲା ? କିଏ କହୁଥାଏ ଆଗରୁ ତାଙ୍କର ସମ୍ପର୍କ ଥିଲା ବୋଧେ....  । ଏମିତି କେତେ କ'ଣ କଥା...... । ଲୋକେ ତ ଅନେକ କଥା କହିବେ.... ଏଠି ତେଲ ଜଳେ ସଳିତା ବି ଜଳେ କିନ୍ତୁ ଲୋକେ କୁହନ୍ତି ଦୀପ ଜଳେ। କହିବା ଲୋକଙ୍କର କାମ । ହେଲେ ରେଶମା ମନର କଥା ଆଜି ପର୍ଯ୍ୟନ୍ତ ତ କିଏ ବୁଝୁ ନ ଥିଲେ ।         ପ୍ରତିଦିନ ଏଭଳି କିଛି ତରୁଣୀ ନିଜ ସମସ୍ୟାକୁ ସମାଧାନ ନ କରି ତୃତୀୟ ପନ୍ଥା ଆଦରୁ ଅଛନ୍ତି । ତ କିଏ ଶ୍ବଶୁର ଶାଶୁ ସ୍ବାମୀ ବିରୁଦ୍ଧରେ କେସ୍ କରି ସମୟର ଅପଚୟ କରୁଛନ୍ତି । ରେଶମା କିନ୍ତୁ ସମୟର ଅପଚୟ ନ କରି ସୃଷ୍ଟି କରିଛି ବିଜ୍ଞତାର ପରିଚୟ । ଉତ୍ତମ ପୁରୁଷ ଟିଏ ପାଇ ତାର ମନ ଖୁସି । ଲୋକ କିଛି ଦିନ କହିବେ..... କହିବା ତାଙ୍କର କାମ । କ୍ଷତ ସୁଖିଗଲା ପରି ସେ କଥା ଆଉ ପରବର୍ତ୍ତୀ ସମୟରେ ନ ଥିବ ।       କିଏ କହେ ବାସି ଫୁଲର ବାସ୍ନା ନାହିଁ ବୋଲି....... ସଜ ଫୁଲର ମହକ ଠାରୁ ବାସି ଫୁଲର ଅଭିଜ୍ଞତାର ମହକ ଅଧିକ । ଦୁଇ ବର୍ଷ ପରେ ଗାଁ କୁ ଆସିଛି ରେଶମା । କୋଳରେ ଶିଶୁ ଟିଏ । ଗାଁ ପିଲେ ଛନ୍ ଛନ୍ ଶିଶୁଟିକୁ ଧରିବାକୁ ମାଡଗୋଳ । ବୁଢାବୁଢୀଙ୍କ କଥା..... କିଏ କହୁଛି ପୁଅଟି ରତିକାନ୍ତ ପରି । କିଏ କହୁଛି ସୁନାନାକୀ ରେଶମା ପରି..... ପଛ କଥା ପଛରେ ରହି ଯାଇଛି । ସକାଳର କାକର ଭିଜା ଘାସ ଗାଲିଚା ଉପରେ ଗଙ୍ଗଶିଉଳୀ ଫୁଲ ଗୁଡ଼ିକ ପଡି ସଜ ସଜ ଦେଖା ଯାଉଥାଏ ।


Rate this content
Log in

Similar oriya story from Drama