ବାପା ପ୍ରେମ ମିଛ
ବାପା ପ୍ରେମ ମିଛ
ମୋହନ ଦୁଇ ମାସର ହୋଇଥାଏ । ତା’ ମାଆ ତାକୁ ଛାଡି ଆରପାରିକୁ ଚାଲିଗଲେ ।ସବୁ ବୋଝ ବିନୋଦ ବାବୁଙ୍କ ଉପରେ ।ବିନୋଦ ବାବୁ ଜଣେ ସ୍କୁଲ ଶିକ୍ଷକ । ବହୁତ ଶାନ୍ତ ସରଳ ସତ୍ୟବାଦୀ ମଣିଷ ଓ କର୍ତ୍ତବ୍ୟପରାୟଣ ମଧ୍ୟ । ସବୁବେଳେ ସେ ନ୍ୟାୟ ପଥରେ ଚାଳନ୍ତି । ମାଆର ସ୍ନେହ ଦେଇ ମୋହନର ଅଳି ଅର୍ଦ୍ଦଳିକୁ ପୂରଣ କରି ଅତି ଯତ୍ନରେ ପାଳି ପୋଷିଛନ୍ତି । ନିଜେ ନ ଖାଇ ତା ପେଟ ରେ ଦାନା ଦେଇଛନ୍ତି ।ନିଜେ ନ ଶୋଇ ତାକୁ ଶୁଆଇଛନ୍ତି । ରାତି ସାରା ଅନିଦ୍ରା ହୋଇ ତାକୁ ଜଗି ବସିଥାନ୍ତି, ମୋହନକୁ କେବେ ତା ମାଆ କଥା କି ମାଆର ଅନୁପସ୍ଥିତିକୁ ଅନୁଭବ କରିବା ପାଇଁ ଦେଇନାହାନ୍ତି । ନିଜର ସ୍ନେହ ପ୍ରେମ ବନ୍ଧନରେ ସବୁବେଳେ ବାନ୍ଧି ରଖିଛନ୍ତି, କେବେ ତାର ଅସୁବିଧା ହେବାକୁ ଦେଇନାହାନ୍ତି କି କୌଣସି ଜିନିଷ ପତ୍ରରେ ଉଣା କରିନାହାନ୍ତି । ଯେତେବେଳେ ଯାହା ଦରକାର ହୋଇଛି ମୋହନର ଯାହା ବି ବିନୋଦ ବାବୁଙ୍କୁ ମାଗିଛି କିଛି ବି କମ୍ କରିନାହାନ୍ତି । ସବୁ ତାକୁ ତା ମନ ମୁତାବକ ଦେଇଛନ୍ତି । ନିଜେ ଘୋଡା ହାତି ହୋଇ ତାକୁ କାନ୍ଧରେ ବସାଇ ବୁଲାଇଛନ୍ତି । ହାତ ଧରି ଚାଳି ଶିଖେଇଛନ୍ତି । ନିଜେ ରୋଷେଇ କରି ଖୁଆଇଛନ୍ତି । ସ୍କୁଲ ଯାଇ ପାଠ ପଡେଇ ଆସି, ଘରର ସବୁ କାମ ରୋଷେଇ ଠାରୁ ଆରମ୍ଭ କରି ସଫା ସୁତୁରା, ମୋହନର ସେବା ଶୁଶ୍ରୁଷା କରି ବହୁତ ଯତ୍ନ ରେ ସବୁ ଦାୟିତ୍ଵ ତୁଲାଇଛନ୍ତି । ଅତି ଗେହ୍ଲାରେ ବଢେଇଛନ୍ତି । ଛୋଟ ବଡ଼ ଅଭାବ ଗୁଡ଼ିକୁ ଦୂର କରିଛନ୍ତି । ମୋହନ ହିଁ ତ ତାଙ୍କ ସାହା ଭରଷା । ସ୍ତ୍ରୀ ତ ଏକାକରି ଛାଡ଼ି ଚାଳିଗଲା ମୋହନକୁ ଛାଡି । ମୋହନ ହିଁ ତାଙ୍କର ଜୀବନ, ସେ ତାକୁ ଜୀବନରୁ ଅଧିକ ଭଲ ପାଆନ୍ତି ।
ମୋହନ ମଧ୍ୟ ବିନୋଦ ବାବୁଙ୍କୁ ତାର ସବୁକିଛି ମନେ କରି ବହୁତ ଭଲପାଏ । ମାତୃହରା ହୋଇଥିଲେ ସୁଦ୍ଧା ବାପା ଠାରୁ ସବୁ ସ୍ନେହ ଆଦର ହସଖୁସି ପାଇଛି ଏବଂ ନିଜର ଚଳନ୍ତି ଠାକୁର ମନେ କରି ସକାଳେ ସଂନ୍ଧ୍ୟାରେ ପାଦ ଛୁଇଁ ପ୍ରଣାମ କରୁଛି । ଛୋଟରୁ ବଡ କଲେ, ଭଲ କଥା ଶିଖାଇଲେ, ଭଲ ମଣିଷ ହେବାକୁ ଭଲ କାମ କରି ଦେଶ ଜାତିର ଟେକ ରଖିବାକୁ, ସବୁବେଳେ ସତ କଥା କହିବାକୁ ନିର୍ଦ୍ଦେଶ ଦେଉଥିଲେ । ତାଙ୍କର ଭଲ ସଂସ୍କାର ଓ ଶିକ୍ଷାଦିକ୍ଷାରେ ମୋହନକୁ ଅନୁପ୍ରାଣିତ କରି ଠିକ୍ ପଥ ଦେଖେଇ ଥିଲେ । ମନ୍ଦ କାର୍ଯ୍ୟରୁ ନିବୃତ ରହିବାକୁ ମଧ୍ୟ ସଚେତନ କରୁଥିଲେ । ମୋହନ ଧିରେ ଧିରେ ବଡ଼ ହେଲା, ପାଠ ପଢିଲା ଅକ୍ଷରେ ଅକ୍ଷରେ ବାପାଙ୍କ କଥା ମାନି ଚଲିଲା । ଭଲ ପାଠ ପଢି ସ୍କୁଲରେ ଭଲ ନମ୍ବର ରଖି ଗୁରୁଜୀମାନଙ୍କ ଠାରୁ ଆଦର ସ୍ନେହ ପାଇ ନିଜେ ଗର୍ବ ଅନୁଭବ କରେ ଆଉ ତା ପାଠପଢ଼ାରେ ଉନ୍ନତି ଓ ସଫଳତା ହାସଲର ଏକମାତ୍ର ସାହାରା ନିଜ ବାପା ବୋଲି ମାନେ । ତାର ପ୍ରତିଟି କାର୍ଯ୍ୟରେ ବାପାଙ୍କ ହାତ ଅଛି ବୋଲି ମନେ ଭାବେ ଏବଂ ସଦାସର୍ବଦା ବିନୋଦ ବାବୁଙ୍କୁ ସମ୍ମାନ ଦେଇଥାଏ ।
ମାଟ୍ରିକ ସରିଲା ପରେ ମୋହନ ଭଲ ଗୋଟିଏ କଲେଜରେ ନାମ ଲେଖାଇଲା । ଆଉ ପାଠପଢ଼ାରେ ଜୋର୍ ଶୋର୍ ମନ ଦେଲା ।ବାପା ବାର ଟିଏ ସ୍ଥିର କରି ସୋମବାର ରଖିଲେ ମୋହନ କଲେଜ ଯିବ ବୋଲି, ଆଉ ତା ପାଇଁ ଗୋଟିଏ ନୂଆ ପେଣ୍ଟ ସାର୍ଟ ଓ ସ୍କୁଟିଟିଏ କିଣି ଦେଲେ । ପୁଅ କଳେଜ ଯିବ ଭଲ ପାଠ ପଢିବ ବୋଳି ବିନୋଦ ବାବୁ ବହୁତ ଖୁସି । ମୋହନ ମଧ୍ୟ ପ୍ରଥମ କରି କଲେଜ ଯିବ, ନୂଆ ନୂଆ ସାଙ୍ଗସାଥୀ ମାନଙ୍କ ସହ ମିଶିବ, ମଜାମସ୍ତି କରିବ ଭାବି ମନେ ମନେ ବହୁତ ଆନନ୍ଦ ଓ ଉତ୍ସାହିତ ହୁଏ । ସୋମବାର ଦିନ ସକାଳୁ ଉଠି ବିନୋଦବାବୁ ଗାଧୁଆ ପାଧୁଆ ସାରି ପୂଜା ପାଠ କଲେ । ମୋହନର ମଙ୍ଗଳ ମନାସି ଭଗବାନଙ୍କ ଠାରେ ପ୍ରାର୍ଥନା କରି କହିଲେ - ହେ ପ୍ରଭୁ ମୋ ପୁଅ ଆଜି ପ୍ରଥମ କରି କଲେଜ ଯିବ ପାଠ ପଢ଼ିବାକୁ, ତା ହୃଦୟରେ ଅନ୍ଧକାର ମୟ ଆଜ୍ଞାନକୁ ଦୂର କରି ଜ୍ଞାନର ଆଲୋକ ଜାଳିଦିଅ, ଆଉ ତାକୁ ସବୁ ସମୟରେ ସହାୟ ହୋଇ, ଭଲରେ ମନ୍ଦରେ ତା ପାଖେ ପାଖେ ରହିଥିବ ପ୍ରଭୁ ଏତିକି ହିଁ ବିନତି ତୁମ ପାଦ ତଳେ, ହେ କଳା ଠାକୁର, ଜଗନ୍ନାଥ ।
ଏତିକି ବେଳେ ମୋହନ ବାଥ୍ ରୁମ୍ ରୁ ଡାକ ପକେଇଲା ବାପା… ପେଷ୍ଟ ସରିଯାଇଛି ଆଉ ସାବୁନ ବି ନାହିଁ । ବିନୋଦ ବାବୁ କହିଲେ - ହଁ ହଁ ଯାଉଛି । ପୂଜା ଘରୁ ବାହାରି ପେଷ୍ଟ ଆଉ ସାବୁନ ନେଇ ମୋହନକୁ ଦେଇ ଆସିଲେ ଏବଂ ରୋଷେଇ ଘରକୁ ଯାଇ ଚା' ଜଳଖିଆ ତିଆରି କଲେ ।ମୋହନ ଚା' ଜଳଖିଆ ସାରି ବାପାଙ୍କୁ ପ୍ରଣାମ କରି କଲେଜ ବାହାରିଲା ।ବାପା ୫୦୦ ଟଙ୍କିଆ ନୋଟ୍ ଟି ଧରେଇ ଦେଇ କହିଲେ- ବାଟରେ ଶିବ ମନ୍ଦିର ଟିକେ ଯାଇ ଶିବ ବାବାଙ୍କୁ ଦର୍ଶନ କରି କଲେଜ ଯିବୁ, ଆଉ ଦେଖି ଚାହିଁ ଗାଡି ଚଲେଇବୁ ଆଉ ମନଦେଇ ପାଠ ପଢ଼ିବୁ ଓ ଶିଘ୍ର ଘରକୁ ଫେରିବୁ । ମୋହନ ମୁଣ୍ଡ ହଲାଇ ହଁ ବାପା କହି ଚାଲିଗଲା । ନୂଆ କଲେଜ, ନୂଆ ନୂଆ ସାଙ୍ଗସାଥୀ, ନୂଆ ସ୍କୁଟିକୁ ନେଇ ଆନନ୍ଦରେ ଯେତେ ବିଭୋର ଥାଏ ସେତେ ଭୟରେ ମଧ୍ୟ । କେମିତି କ'ଣ କରିବ, କେମିତି ପିଲାମାନଙ୍କ ସହିତ ସାଙ୍ଗ ହେବ, କେମିତି କ୍ଲାସ କରିବ ଏମିତି ଭାବି ଭାବି ମୋହନ ଟିକେ ଡରି ଯାଇଥିଲା । ଭାବି ଭାବି ଏ ଭିତରେ ଶିବ ମନ୍ଦିରକୁ ପହଞ୍ଚିଲା । ଫୁଲ ଚାଉଳ, ଚନ୍ଦନ ସିନ୍ଦୁର ଓ ଭୋଗ କିଣି ମନ୍ଦିରର ପାହାଚ ଚଢୁ ଚଢୁ ହଠାତ୍ ଜଣେ ଝିଅ ସହିତ ମୋହନର ଧକ୍କା ହୋଇଗଲା । ମୋହନର ପୂଜା ସାମଗ୍ରୀ ସବୁ ତଳେ ପଡିଗଲା । ଝିଅଟି କାନ ଧରି ଓଠ ଚାପି ହସିଦେଇ ସରି.. କହି ଚାଳିଗଲା ।
ମୋହନ ଅବାକ୍ ହୋଇ ଠିଆ ହୋଇଥାଏ ଆଉ ଦେଖୁଥାଏ ଯାଉଥିବା ସେ ଝିଅଟିକୁ । କାହିଁକି କେଜାଣି ସେ ଝିଅଟିକୁ ଦେଖିଲା ପରେ ମୋହନର ମନ କୋଉଠି ହଜଯାଇଛି । ନାଁ ତଳେ ପଡ଼ିଯାଇଥିବା ପୂଜା ସାମଗ୍ରୀକୁ ଉଠଉଛ ନା ପାହାଚ ଚଢି ଆଗକୁ ଯାଇପାରୁଛି ଶିବବାବାଙ୍କ ଦର୍ଶନ ପାଇଁ । ଖାଳି ସେ ଝିଅର ଯିବା ବାଟକୁ ହିଁ ଚାହିଁ ରହିଛି । ତାର ସେ ମୁରୁକି ହସ, କଥା କହିବାର ଶୈଳୀ, ହରିଣୀ ଆଖି ଦୁଇଟା, ଗୋଳାପ ଫୁଲିଆ ମୁହଁଟି ମୋହନକୁ ମୁଗ୍ଧ କରି ଦେଇଛି । ଆଉ ତା ପାଉଁଜିର ରୁଣୁଝୁଣୁ ଶବ୍ଦ ତା'ର କାନକୁ ବାରମ୍ବାର ପ୍ରତିଧ୍ଵନିତ କରୁଛି । ସେ ଆଉ ମନ୍ଦିର ଭିତରକୁ ନ ଯା’ ।

