ଦୂହିତା
ଦୂହିତା
ନକୁଲ ମଉସା ଓ ଅନିତା ମାଉସୀଙ୍କ ଗୋଟିଏ ବୋଲି ଝିଅ କନକ ।ଏବେ ଯୁକ୍ତ ୨ କଳାରେ ପାଠ ପଢୁଛି ।ଦେଖିବାକୁ ଭାରି ସୁନ୍ଦର । ଗୋଟିଏ ଚାଉଳରେ ଗଢା ପରିଟିଏ । ମା ବାପାଙ୍କ ଅତି ଗେଲ୍ହା । ବହୁତ ଶାନ୍ତଶିଷ୍ଟ ସ୍ଵଭାବର ,ବଡମାନଙ୍କୁ ସମ୍ମାନ ଦିଏ ଓ ଗୁରୁଜନଙ୍କ କଥା ମାନେ ଏହି ଗୁଣ ପାଇଁ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି । ନକୁଲ ମଉସା ଚାଷବାସ କରି ତିନି ପେଟକୁ କଷ୍ଟେ ମଷ୍ଟେ ଚଲାନ୍ତି ।କନକର ପାଠ ପଢା ଖର୍ଚ୍ଚ ଓ ଘରର ତେଳ ଲୁଣ ଘର ଚଲଣି ଆହୁରି କେତେ କଣ ଅଭାବକୁ ପୂରଣ କରନ୍ତି ନକୁଲ ମଉସା ।ଆଉ କନକ ବି କିଛି କମ୍ ନୁହେଁ ଅତି ଦାୟିତ୍ୱବାନ ଓ କର୍ତ୍ତବ୍ୟନିଷ୍ଠ ଝିଅଟିଏ ।କାମରେ ଯେମିତି ଦୁରନ୍ଧର ପାଠ ପଢାରେ ବି ସେମିତି ଏକ ନମ୍ବର । ପାଠପଢା ସାଙ୍ଗେ ସାଙ୍ଗେ ଘର କାମରେ ମାଁକୁ ମଧ୍ୟ ସାହାଯ୍ୟ କରେ । କେବେକେବେ ମାଁ ବାପା ସହ ବିଲକୁ ଯାଇ ବିଲ କାମ କରେ ।ଘରେ ମାଆଙ୍କୁ ସାହାଯ୍ୟ କରେ ରୋଷେଇବାସରେ , ଘର ଲିପାପୋଛାରେ, ଲୁଗାପଟା ସଫାରେ । ଏଥିପାଇଁ ତାକୁ ଘରେ ବହୁତ ଭଲ ପାଆନ୍ତି ଓ ଆଦର କରନ୍ତି ।ସେତିକିରେ ସେ ସୀମିତ ନୁହେଁ, କେତେବେଳେ ସମୟ ପାଇଲେ ସିଲେଇ କାମ କରି ଦୁଇ ପଇସା ରୋଜଗାର କରୁଥିଲା ।କିଛି ଦୈନନ୍ଦିନ ସଉଦା ,ଘରକରଣା ଜିନିଷ କିଣିବାରେ ମଧ୍ୟ ବାପାଙ୍କୁ କିଛି ଅର୍ଥ ସାହାଯ୍ୟ କରି ନିଜ ପାଠପଢାରେ ଉପଯୋଗ କରୁଥିଲା ।
ତାକୁ ନେଇ ତା ମାଆ ବାପା ବହୁତ ଗର୍ବ କରନ୍ତି ଏବଂ ସାଇପଡିଶା ଲୋକମାନେ ମଧ୍ୟ ତାର ଦାୟିତ୍ୱ କର୍ତ୍ତବ୍ୟ ଓ କାର୍ଯ୍ୟକୁ ଦେଖି ବହୁତ ପ୍ରଶଂସା କରନ୍ତି ଆଉ କୁହନ୍ତି ଗୋଟେ ଭଲ ସଂସ୍କାରି କର୍ମଠ ଝିଅ ବୋଲି ।ସାଇପଡିଶା ଲୋକମାନଙ୍କ ଠାରୁ କନକର ପ୍ରଶଂସା କଥା ଶୁଣିଲେ ନକୁଲ ମଉସା ଓ ଅନିତା ମାଉସିଙ୍କ ହୃଦୟଟା ଖୁସିରେ ନାଚି ଉଠେ ।
ଦିନକର କଥା ସକାଳ ୧୦ ଟା ହେବ ବିବାହ ପ୍ରସ୍ତାବ ନେଇ ନବିନବାବୁ ଓ ନଳୀନିଦେବୀ ଆସି ପହଞ୍ଚିଲେ କନକ ଘରେ।ସହରର ଲୋକକୁ ଦେଖି ନକୁଲ ମଉସା ଆଚମ୍ବିତ ହୋଇ ପଚାରିଲେ -କିଏ ଆପଣମାନେ ? ନବିନବାବୁ ଉତ୍ତର ଦେଲେ ଆମେ ସହରରୁ ଆସିଛୁ ବିବାହ ପ୍ରସ୍ତାବ ନେଇ ।ମନରେ ଝିଅକୁ ନେଇ ଗୋଟେ ମସ୍ତବଡ ବୋଝ ଥିଲା ।କେମିତି ଝିଅଟିକୁ ହାତରୁ ଦୁଇ ହାତ କରିବି ବୋଲି ମନରେ ତାଙ୍କର ଚିନ୍ତା ବସାବାନ୍ଧି ରହିଥିଲା ।
ପୁଣି ନିଜଠାରୁ ନିଜ ହୃଦୟ ଟୁକୁଡାକୁ ଦୁରେଇ ଦେବା ଭୟ ବି ମନେ ବେଳେବେଳେ ଦୁଃଖ ଭରି ଦେଉଥାଏ । ଝିଅ ଜନମ ତ ପର ଘରକୁ ,ଦିନେ ନା ଦିନେ ସେ ପର ହେଇଯିବ ଥରେ ଥରେ ଭାବି ମନକୁ ବୁଝୋଉ ଥିଲେ ନକୁଲ ମଉସା ।ଆଜି ଭଳି ଦିନରେ ଏତେ ବଡ ଖୁସି ଖବର ଯାହା ହଉ ଭଗବାନଙ୍କ କୃପା ଏହା ମନେ ମନେ ଭାବି ନବିନବାବୁ ଓ ନଳୀନିଦେବୀଙ୍କୁ ଘର ଭିତରକୁ ଡାକିଲେ ।କିଛି ଭଲମନ୍ଦ କଥାବାର୍ତ୍ତା ପରେ କନକ ସହିତ ମିଳାମିଶି କରି କନକର ଶାନ୍ତ ନମ୍ର ଓ ଭଲ ଶିଷ୍ଟାଚାରକୁ ଦେଖି ନଳୀନିଦେବୀ ଖୁସି ହୋଇ ହାତରୁ ଦୁଇଟି ସୁନାଚୁଡି କାଢି କନକ ହାତରେ ପିନ୍ଧାଇ ଦେଇ କହିଲେ ତୁ ମୋର ପସନ୍ଦ ହେଇଛୁ ମା ଆଜି ଠାରୁ ତୁ ମୋ ସୁନା ବୋହୂ ।ଘର ଜମିବାଡି କୋଠାଗାଡି ସୁନାଟଙ୍କା କୌଣସିରେ ଆମର ଅଭାବ ନାହିଁ ।ତୋର କିଛି ଅସୁବିଧା ହେବନାହିଁ ମୋ ପୁଅ ତୋତେ ଖୁସିରେ ରଖିବ ଏମିତି ବୁଝେଇ ସୁଜେଇ କନକ ପାଖରେ କହୁଥାନ୍ତି ।ନକୁଲ ମଉସା ଓ ଅନିତା ମାଉସି ସବୁକିଛି ଦେଖି ଓ କଥାବାର୍ତ୍ତା ଶୁଣି ତାଙ୍କ ଖୁସିର ସୀମା କହିଲେ ନସରେ ଆଖିରୁ ଖୁସିର ଲୁହଧାର ଗୁଡିକ ଝରି ପଡୁଥାଏ ଥପ୍ ଥପ୍ ।କାଳବିଳମ୍ବ ନ କରି ଦୁଇ ପରିବାର ବିବାହ ପାଇଁ ନିଷ୍ପତି ନେଲେ ।ବିବାହର ତାରିଖ ମଧ୍ୟ ଧାର୍ଯ୍ୟ କରାଗଲ ।ଖୁସିରେ ଖୁସିର ଚା ,ଜଳଖିଆ ଖାଇ ଫେରିଆସିଲେ ନବିନ ବାବୁ ଘରକୁ । ତେଣେ କନକ ମାଆ କୋଳେ ମୁହପୋତି କଇଁ କଇଁ ହେଇ କାନ୍ଦୁଛି । ଅନିତା ମାଉସି ବୁଝାଇ କୁହନ୍ତି ଝିଅ ଜନମ ତ ପର ଘରକୁ କାନ୍ଦନି ମା ।
ଆମ ଠାରୁ ଦୂରେଇ ରହିଲେ କ’ଣ ହେଲା ସେଠାରେ ଆମ ପରି ନୂଆ ମା ବାପା ପାଇବୁ ।ନୂଆ ଘର ପାଇବୁ ,ସମସ୍ତଙ୍କୁ ନିଜର ଭାବି ଚଲିଳେ ହେଲା ଏମିତି ଅନେକ କହି କନକକୁ ବୁଝାନ୍ତି ।
କିଛି ଦିନ ପରେ କନକର ବାହାଘର ହୋଇଗଲା ଅମୀୟ ସାଥିରେ ।ଆପଣା ଘର ,ମାଆ ବାପା , ପରିବାର ,ଗାଆକୁ ଛାଡି ଆଜି ଶାଶୁ ଘରେ କନକ।
ଠିକ୍ ଯେମିତି ଘରେ ଥିଲାବେଳେ ମାକୁ ସାହାଯ୍ୟ କରୁଥିଲା ଶାଶୁ ଘରେ ମଧ୍ୟ ନିଜେ ସବୁକାମ ସମ୍ଭାଳି ଠିକ୍ ସମୟରେ ଶାଶୁ ଘର ଲୋକମାନଙ୍କୁ ଖାଇବାକୁ ଦଉଥିଲା , ତାଙ୍କ ଲୁଗାପଟା ସଫା କରୁଥିଲା , ଶୋଇବା ଆଗରୁ ଶାଶୁଙ୍କର ହାତ ଗୋଡ ଚିପି ଦେଉଥିଲା ବହୁତ ସେବା ଯତ୍ନ କରି ଶାଶୁ ଘର ଲୋକମାନଙ୍କ ଠାରୁ ପ୍ରଶଂସା ଆଦର ପାଉଥିଲା ।କନକ ପରି ବୋହୂଟିଏ ପାଇଁ ନବିନବାବୁ ଓ ନଲୀନିଦେବୀ ଖୁବ୍ ଗର୍ବ କରନ୍ତି ।ଏମିତି କେତେଦିନ ବିତି ଗଲା ପରେ କନକକୁ ପୁଅଟିଏ ଜନ୍ମ ହେଲା ଓ ନବିନବାବୁଙ୍କ ବଂଶ ରକ୍ଷା ପାଇଲା ।
ପରିବାରରେ ହସ ଶାନ୍ତି ସୁଖ ସବୁଦିନ ପାଇଁ ରହିଲା ।ସମସ୍ତେ ଖୁସିରେ ରହିଲେ ।ନାରୀ ତାର ସର୍ବତ୍ରକୁ ଜଳାଞ୍ଜଳି ଦେଇ ବଂଶ ନିପାତରୁ ରକ୍ଷା କରେ , ସେ ଦୁଇ କୁଳର ହିତ ସାଧନ କରି ନିଜେ ଦୁଃଖରେ ରହି ମଧ୍ୟ ଅନ୍ୟକୁ ସୁଖ ଦିଏ ।ନିଜେ ନହସି ଅନ୍ୟକୁ ହସାଏ , ନିଜେ ନଖାଇ ଅନ୍ୟକୁ ଖାଇବାକୁ ଦିଏ ।ସେ ହି ଦୁନିଆର ସବୁଠାରୁ ବଡ। ତା’ ପାଖେ ସବୁକିଛି ସମ୍ଭବ ।ଅନ୍ଧାରରେ ସେ ଆଲୁଅ ଦେଖାଏ ।ତା ପାଇଁ ଆଜି ବଞ୍ଚିରହିଛି ଏ ଦୁନିଆ । ନାରୀ ମହାନ ଅଟେ ।
ପ୍ରେମଶିଲା ରାଉତ
ବୃନ୍ଦାବାହାଲ,କଳାହାଣ୍ଡି