ଅସଲି ନକଲି
ଅସଲି ନକଲି
ବାବୁଙ୍କ ଉପର ହାକିମ ଆସିବେ l ସେଥିପାଇଁ ମାଆଙ୍କୁ ଆଜି ଫୁରୁସତ୍ ନାହିଁ l ସମସ୍ତେ ମାଆଙ୍କ ହାତ ପରସାକୁ ପସନ୍ଦ କରନ୍ତି l ଅଫିସକୁ ଯିଏ ଆସିଲା, ବାବୁ ତା’କୁ ଘରକୁ ନିମନ୍ତ୍ରଣ କରିବେ l ସେ ଅଫିସ୍ କାମରେ ଆସନ୍ତୁ କି ନିଜ କାମରେ ବାବୁଙ୍କ ଘରେ ଖାଇକରି ଯିବେ ହିଁ ଯିବେ l ଏଣୁ ଏଠି ମାଆଙ୍କ ଘରେ ମାସର ଅଧା ଦିନ ଭୋଜି କହିଲେ ଚଳେ l
ବାବୁଙ୍କ ଅଫିସରେ ଧନେଶ୍ୱର ୱାଚର୍ ଅଛି l ଦରକାର ହେଲେ ମାଆ ତା’କୁ ବଜାର ହାଟ କରିବାକୁ ଡକେଇ ପଠାନ୍ତି l ମାଆଙ୍କୁ କାମରେ ଟିକିଏ ହାତ ବଟେଇଲେ ଧନେଶ୍ୱରକୁ ବି ଖୁବ୍ ଭଲ ଲାଗେ l ଆଜି କିନ୍ତୁ ଗୁରୁବାର l ଘରେ ଆଇଁଷ ପଶିବନି l ତେଣୁ ଅଡୁଆ l କ’ଣ ରୋଷେଇ କରିବେ, କ’ଣ ଖାଇବାକୁ ଦେବେ, ସେଇ ଚିନ୍ତା ମାଆଙ୍କର l ସେମାନେ ହୁଏତ ମାନୁ ନ ଥିବେ l ହେଲେ ଗୁରୁବାରେ ଓଡିଆ ଘରେ ଆଇଁଷ ଚିନ୍ତା କରିବା ବୃଥା l ଆଇଟମ୍ ତ ବହୁତ ହେଲାଣି l ସାଲାଡ୍ ଠାରୁ ଆରମ୍ଭ କରି ଜହ୍ନି ପୋସ୍ତ ପର୍ଯ୍ୟନ୍ତ l ଦେଖାଯାଉ ଗେଷ୍ଟମାନଙ୍କ ପସନ୍ଦ ହେଉଛି ନା ନାହିଁ l
କିଛି ସମୟ ପରେ ବାବୁ ଆସି ପହଞ୍ଚିଲେ l ପଛେ ପଛେ ବଡ ସାହେବଙ୍କ କାର୍ l ତା’ ଭିତରୁ ଦୁଇ ଜଣ ଓହ୍ଲେଇଲେ l ଆର ଜଣଙ୍କ ହାକିମଙ୍କ ପି.ଏl
ଯଥା ବିଧି ଖାଇବା ପର୍ବ ଆରମ୍ଭ ହେଲା l ଡାଇନିଙ୍ଗ୍ ଟେବଲ୍ ଏପଟେ ହାକିମ, ଆଉ ତାଙ୍କ ସାମ୍ନାରେ ବାବୁ ଆଉ ସାହେବଙ୍କ ପିଏl ସବୁ ଖାଇବା ଜିନିଷ ମାଆ ବଢେଇ ଦେଉଥାନ୍ତି l ଆଉ ଧନେଶ୍ୱର ନେଇ ଟେବୁଲ୍ ଉପରେ ରଖି ଦେଉଥାଏ l ବାବୁମାନେ ଖାଇବା ଆରମ୍ଭ କରିବାକୁ ଯାଉଥାଆନ୍ତି, ହଠାତ୍ ମାଆ ହାତ ଠାରି ଡାକିଲେ l ଧନେଶ୍ୱର ଦ୍ୱାରା ପଚାରିଲେ ଘିଅ ଖାଆନ୍ତି ନା ନାହିଁ l ସାହେବ କହିଲେ, ‘ହଁ........ ହଁ......... ଘୃତ ବିନା କୁ ଭୋଜନମ୍ ପଢିଥିଲୁ ପରା l’ କହି ଠୋ ଠୋ ହୋଇ ହସି ଉଠିଲେ l ତା’ ପରେ ଘିଅ ବୋତଲଟା ମାଆ ବଢେଇ ଦେଲେ l ମାଆ ନିଜେ କ୍ଷୀରରୁ ଘିଅ ବାହାର କରନ୍ତି l ବାବୁ ମଧ୍ୟ ଘିଅକୁ ଖୁବ୍ ଭଲ ପାଆନ୍ତି l ଖାଇବାର କିଛି ସମୟ ପରେ ପି.ଏ. ଆଜ୍ଞା ଟିକିଏ ଛିଗୁଲେଇ କହିଲେ, ‘ଘିଅ ଟିକେ ମଧ୍ୟ ଭଲ ମିଳିଲାନି l ଏ ଯୁଗରେ ସବୁ ଭେଜାଲ l’
ବାବୁ ଟିକିଏ ବିଚଳିତ ହୋଇ ପି.ଏ. ବାବୁଙ୍କ ମୁହଁଙ୍କୁ ଚାହିଁଲେ l କାଳେ ବିଗିଡିଯିବେ l ସେଥିପାଇଁ କହିବାକୁ ସାହସ କଲେ ନାହିଁ ଯେ ଏଇଟା ମାଆ ନିଜେ ତିଆରି କରିଛନ୍ତି l
କିନ୍ତୁ ସାହେବ ନିଜେ ପି.ଏ.ଙ୍କ କଥା ଶୁଣି କହିଲେ, ‘ଆକ୍ଚୁଆଲି ଭେଜାଲ୍ ଖାଇ ଖାଇ ଆମେ ଏତେ ଅଭ୍ୟସ୍ତ ହୋଇ ଗଲୁଣି ଯେ, ଅସଲ କୋଉଟା ନିଜେ ବି ଜାଣି ପାରୁନୁ l’