ଅସହାୟର ବିଳାପ
ଅସହାୟର ବିଳାପ
ପାର୍କର ସେହି ନିଛାଟିଆ ବେଞ୍ଚରେ ବସିପଡ଼ି ଅନୁଭବବାବୁ ଦୀର୍ଘନିଶ୍ଵାସ ଟିଏ ପକାଇଲେ। ଏଇ ମାସ ଏକତିରିଶ ତାରିଖରେ ତାଙ୍କୁ ସରକାରୀ ଚାକିରୀରୁ ଅବସର ନେବାକୁ ହେବ। ମୁଣ୍ଡରେ ହାତ ବୁଲାଇ ଆଣିଲେ ଅନୁଭବବାବୁ। ପୁଅ ଝିଅ ଦୁଇଟିଙ୍କୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ସେ, ଦୁହେଁ ବି ବହୁତ ଭଲ ପଢୁଥିଲେ। ସବୁ ଶ୍ରେଣୀରେ ପ୍ରଥମ ବା ଦ୍ୱିତୀୟ ହୋଇ ବୃତ୍ତି ମଧ୍ୟ ପାଉଥିଲେ। ଶାନ୍ତ ଶିଷ୍ଟ ନମ୍ର ପିଲା ଦୁଇଟିଙ୍କୁ ଦେଖି ସମସ୍ତେ କୁହନ୍ତି ରତ୍ନ ପାଇଛନ୍ତି। ଧନ ସଂପତ୍ତି କଣ ହେବ, ପିଲା ମାନେ ଯୋଗ୍ୟ ହେଲେ ବଳେ ଧନ ସମ୍ପତ୍ତି ଆସିଯିବ। ହେଲେ ପିଲାଦୁହେଁ ଯୋଗ୍ୟ ହେବାକୁ ସମର୍ଥ ଥାଇ ବି ଅଯୋଗ୍ୟ ପଦବାଚ୍ୟ କାହିଁକି ହେଲେ?
ସହକର୍ମୀ ସୁଶାନ୍ତବାବୁ କୁହନ୍ତି ଅବସର ପରେ ଗୋଟେ ନୂଆ ଜୀବନ ଆରମ୍ଭ ହେବ ତାଙ୍କର ପିଲା ଦୁଇଟାଙ୍କର ଚାକିରୀ ବିବାହ ସବୁ ସରିଛି। ପୁଅ ଆମେରିକାରେ ଓ ଝିଅ ଶାଶୁଘର ଗ୍ରାମ ପାଖ ହାଇସ୍କୁଲର ଶିକ୍ଷୟିତ୍ରୀ। ଅନୁଭବ ବାବୁ ଜାଣନ୍ତି ତାଙ୍କ ପୁଅ ଝିଅଙ୍କ ସାଙ୍ଗର ସୁଶାନ୍ତ ବାବୁଙ୍କ ପୁଅ ଝିଅ, ଏକା କ୍ଲାସ ରେ ପଢ଼ିଆସିଛନ୍ତି। ସବୁବେଳେ, ଖୁବ କମ ମାର୍କ ରଖନ୍ତି ସେ ଦୁହେଁ ଆଉ ଉପର ଶ୍ରେଣୀକୁ ଉଠାଇବାକୁ ସୁଶାନ୍ତବାବୁ ହେଡମାଷ୍ଟରଙ୍କୁ ଧରାଧରି କରି କୌଣସି ମତେ କ୍ଲାସ ପରୀକ୍ଷା ଗୁଡିକ ଚଳାଇ ,ଡିଆଁଇ ଦିଅନ୍ତି, ଆଉ ମାଟ୍ରିକ ତଥା ଉପର ଶ୍ରେଣୀରେ ତାଙ୍କ ପୁଅ ଝିଅଙ୍କ ଖାତା ନେଇ ଲେଖି ଇନଭିଜିଲେଟରମାନଙ୍କୁ ବୋକା ବାନାନ୍ତି, ତ ସେମିତି କୋଟାରେ ଅଳ୍ପ ନମ୍ବର ରଖିଥିଲେ ବି ଦୁହେଁ ଚାକିରୀ ପାଇ ଚାକିରୀଆ ପୁଅ ଝିଅ ଦେଖି ବାହା ହୋଇସାରିଲେଣି କିନ୍ତୁ ଅନୁଭବବାବୁଙ୍କ ପୁଅ ଝିଅ ଅଧିକା ମାର୍କ ରଖି ମଧ୍ୟ ସେଲେକ୍ସନରେ ଆସିପାରିଲେ ନାହିଁ। ଅଫିସରେ ସୁଶାନ୍ତବାବୁ ଯେବେ କୁହନ୍ତି ବୁଝିଲେ ଅନୁଭବବାବୁ ପିଲା ଦିଇଟା ମୋର ହୀରା ଆଉ, ଆପଣଙ୍କ ପୁଅ ଝିଅଙ୍କର ନମ୍ବର କମିଗଲାକି ? ଉତ୍ତର ନଦେଇ ଅନୁଭବବାବୁ ଅନୁଭବ କରନ୍ତି ପ୍ରକୃତରେ ସବୁ ମଣିଷଙ୍କୁ ସମାନ କରାଇବାକୁ ,ମୁଖ୍ୟସ୍ରୋତରେ ଆଣିବାକୁ ଏହା ନିଶ୍ଚିନ୍ତ ଏକ ଯୁଗାନ୍ତକାରୀ ପଦକ୍ଷେପ, ହେଲେ ଅବସର ପରେ ସେ କେମିତି ଚଳେଇବେ ତାଙ୍କ ସଂସାର ?
କରଣ ଘରର ମାନ ମର୍ଯ୍ୟାଦାକୁ ନେଇ ଦିନେ ଗର୍ବ କରୁଥିବା ଅନୁଭବ ବାବୁ ଆଜି ଏତେ ହତାସ କାହିଁକି? ବଢିଲା ବେରୋଜଗାରିଆ ପୁଅର ବାପା ଓ ବଢ଼ନ୍ତା ଵିବାହ ଯୋଗ୍ୟା ଝିଅକୁ ନେଇ ଅବସର ପରେ ଶାନ୍ତିରେ ରହିବାକୁ କରଣଘରର ସଣ୍ଠଣା, ଶିକ୍ଷା, ସଂସ୍କୃତି, ଆଚାରବ୍ୟବହାର, ଅତିଥିପରାୟଣତା, ଭାଷାର ମଧୁରତା ସାଙ୍ଗକୁ ଆଚରଣ ଓ ଉଚ୍ଚାରଣରେ ତ୍ରୁଟିଶୂନ୍ୟତା ସାହାଯ୍ୟ କରିପାରିବକି ? ଆଜି ଭାରତ ବନ୍ଦ। ସଂରକ୍ଷଣ ଦାବିରେ ରାଲି ଯୋଗୁଁ ରାସ୍ତା ଭିଡ, ସେ ବି ଯାଇପାରିନାହାନ୍ତି ଅଫିସ, ଯାଇଥିଲେ ହୁଏତ ସୁଶାନ୍ତବାବୁ କହିଥାନ୍ତେ, , "ଜାଣିଲେଇ ଅନୁଭବ ବାବୁ, ସମସ୍ତେ ସମାନ ହେବା ଯୁଗ ଆଇଲେଇ, ଏଥର ଯଦି କିଛି ଆପତ୍ତି ନଥାଏ ମୋ ପୁତୁରା ସଙ୍ଗେ ତୁମ ଝିଅର ଵିହା କରାଇଦେବା ହେ"ସମ୍ପତ୍ତି ବାଡ଼ି ବହୁତ ଅଛି ତା ଛଡା ଅଙ୍ଗୱାଡ଼ିରେ ଅଛି, ଅସୁବିଧା କଣ କହୁନ ଅନୁଭବ ବାବୁ?? ଯୋଉ କଥା ସେ ସମୟ ସୁଯୋଗ ଦେଖି କେତେଥର କହିଲେଣି, ସେକଥା ସହି ନପାରି ବି ସହିବାକୁ ବାଧ୍ୟ ହୁଅନ୍ତି ଅନୁଭବବାବୁ, କାରଣ ବୋଧେ ଏକରେ ଅସହାୟତା, ଦୁଇରେ ଉତ୍ତରାଧିକାରୀମାନେ ଅର୍ଥାତ ଝିଅର ଭବିଷ୍ୟତ ବଂଶଧର ,କୋଟାରେ କିଛି ଜୀବିକା ପାଇଯିବାର ନିଶ୍ଚିନ୍ତତା।କ୍ଳାନ୍ତ ଅବସନ୍ନ ପାଦ ଘୋଷାରି, ପାର୍କର ସେହି ନିଛାଟିଆ ବେଞ୍ଚରୁ ଉଠି ଘରକୁ ଯିବାର ସାହସ ଯୁଟାଉ ଥିଲାବେଳେ, ପଛୁଆବର୍ଗ ବୋଲାଉଥିବା କିଛି ଧନୀ, ଚାକିରିଆ, ଉନ୍ନତ ନାଗରିକ ସଂରକ୍ଷଣ ଦାବିରେ ରାଲି ରେ ଯାଉଥିଲେ, ତ ରାସ୍ତା ପାର ହେବାକୁ ସମୟ ଓ ବୟସ ଅନୁଭବବାବୁଙ୍କୁ ,ଦୁର୍ବଳ କରିଦେଉଥିଲା ।