Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ପ୍ରଶାନ୍ତ କୁମାର ବେହେରା

Drama Inspirational

3.3  

ପ୍ରଶାନ୍ତ କୁମାର ବେହେରା

Drama Inspirational

ଅସହାୟ ବାପାମାନେ -ତୃତୀୟ ଭାଗ

ଅସହାୟ ବାପାମାନେ -ତୃତୀୟ ଭାଗ

8 mins
334



( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )


୨୦୦୬ କିମ୍ୱା ୨୦୦୭ ମସିହା କଥା l ମୁଁ କଲେଜ ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ୍ ଦାୟିତ୍ୱରେ ଥାଏ l ସେଠି ଯୁକ୍ତ ଦୁଇ ପ୍ରଥମ ବର୍ଷରୁ ଆରମ୍ଭକରି ଯୁକ୍ତ ତିନି ଶେଷ ବର୍ଷ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ଛାତ୍ରମାନେ ରହୁଥାନ୍ତି l ସେମାନଙ୍କ ମଧ୍ୟରୁ କିଏ କଳା, ବିଜ୍ଞାନ ତ ଆଉ କିଏ ପୁଣି ବାଣିଜ୍ୟର ଛାତ୍ର l ଏମାନଙ୍କ ଭିତରେ ସବୁଠାରୁ ସିନିଅର୍ ପିଲା ହେଉଛନ୍ତି ତୃତୀୟ ବର୍ଷର ଅର୍ଥାତ୍ କଲେଜର ଶେଷବର୍ଷ ଛାତ୍ରମାନେ l ଏମାନେ ପୁରା ଗୋଷ୍ଠୀ କରି ହଷ୍ଟେଲରେ ବଡଭାଇର ମର୍ଯ୍ୟାଦାକୁ ନିଜେ ନିଜେ ନିଜର କାନ୍ଧ ଉପରକୁ ନେଇଯାଇଥାନ୍ତି l ଅନ୍ୟ ଛାତ୍ରମାନଙ୍କ ଉପରେ ପୁରା ଯାହାକୁ କୁହନ୍ତି ମାମଲତ୍କାର୍ l ଯୁକ୍ତ ତିନି ଶେଷବର୍ଷର ଛାତ୍ରମାନଙ୍କଦ୍ୱାରା ଏହି ସ୍ୱଘୋଷିତ ଭୂମିକାକୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ପିଲାମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ଥାଏ l ଏହି ସମର୍ଥନର ସବୁଠୁ ବଡ ଆଉ ଯୁକ୍ତିଯୁକ୍ତ କାରଣ ହେଉଛି ଆସନ୍ତାବର୍ଷକୁ ସେମାନେ ଏବେକାର ଶେଷବର୍ଷ ପିଲାମାନଙ୍କର ଅବର୍ତ୍ତମାନରେ ତାଙ୍କ ଭୂମିକାରେ ଅବସ୍ଥାପିତ ହେବେ ଅର୍ଥାତ୍ ଅନ୍ୟସମସ୍ତ ଜୁନିଅର୍ ପିଲାମାନଙ୍କ ଉପରେ ନିଜର ଦବଙ୍ଗଗିରୀ ଜାହିର୍ କରିବେ l


ଶେଷବର୍ଷ ପିଲାମାନଙ୍କର ହଷ୍ଟେଲରେ ଏହି ବଡଭାଇପଣିଆ ମୁଁ ୨୦୦୫ ମସିହାରେ ସୁପରିଣ୍ଟେଣ୍ଡେଣ୍ଟ୍ ହେବାର ବହୁତ ଆଗରୁ ପ୍ରତିଷ୍ଠିତ ହୋଇସାରିଥାଏ l ସାନ ପିଲାମାନେ ବି ବଡଭାଇମାନଙ୍କର ସେଇସବୁ ଭୁମିକାକୁ ହଷ୍ଟେଲର ପ୍ରଥା ଆଉ ଇୟୁନିଟିର ପ୍ରତିକ ବୋଲି ଧରିନେଇଥାନ୍ତି l ଗୋଟେ ନୂଆପିଲା ଆଡମିସନ ନେଇ ହଷ୍ଟେଲକୁ ଆସିଲାମାନେ ତାକୁ ସୁବିଧା ସୁଯୋଗ ଦେଖି ହଷ୍ଟେଲର ବଡପିଲାମାନେ ଟିୟୁସନ କରିବା ଆରମ୍ଭ କରିଦିଅନ୍ତି l ସେଇ ଟିୟୁସନର ପ୍ରମୁଖ ବିଷୟବସ୍ତୁ ହେଉଛି ହଷ୍ଟେଲରେ ଥିବା ବଡଭାଇ ମାନଙ୍କୁ କେମିତି ସମ୍ମାନ ପ୍ରଦର୍ଶନ କରିବ l ଯଥା - ସକାଳୁ ଉଠିବା ପରେ ଯେତେ ବଡଭାଇ ସବୁ ସେଦିନ ପ୍ରଥମେ ଦେଖାହେବେ ତାଙ୍କୁ ନମସ୍କାର କରିବା , ବଡଭାଇମାନେ ବା ଜଣେ କେହିବି ତମ ପାଖଦେଇ ଯାଉଥିବେ ତାଙ୍କୁ ସସମ୍ମାନର ସହିତ କଡକୁ ଆଡେଇ ହୋଇଯାଇ ବାଟ ଛାଡିଦେବା , ତମେ ଷ୍ଟଡି ଆୱ୍ୱରରେ ପଢୁଥିବା ବେଳେ ଯେଉଁସବୁ ବଡଭାଇମାନେ ତମେ ଠିକ୍ ମନଧ୍ୟାନ ଦେଇ ପଢୁଛ କି ନାହିଁ ତଦାରଖ୍ କରିବାକୁ ଚେକିଙ୍ଗରେ ଯିବେ ସେତେବେଳେ ତମେମାନେ ଠିଆହୋଇ ତାଙ୍କୁ ଉଚିତ୍ ସମ୍ମାନ ଦେଖାଇବ ଇତ୍ୟାଦି ଇତ୍ୟଦି ଏମିତି ବହୁତ କିଛି ଟ୍ରେନିଙ୍ଗ୍ ସେଇ ନୂଆ ଆଡମିଶନ୍ ନେଇଥିବା ପିଲାକୁ ଦିଆଯାଏ l ଏମିତିରେ କହିବାକୁ ଗଲେ ଏସବୁ ନିଶ୍ଚୟ '" ମାଗି ଓଲଗି ଯାଚି କଲ୍ୟାଣ " କଥାସବୁ l ନିଜେ ପାଠ ନପଢି ସାନ ପିଲାମାନଙ୍କର ପାଠପଢାକୁ ଷ୍ଟଡି ଆଓ୍ୱାରରେ ଚେକିଙ୍ଗ୍ କରିବାକୁ ଯିବା ଆଉ ଯଦି ଶେଷବର୍ଷ ପିଲାଙ୍କ ସଂଖ୍ୟା ୩୦ ହୋଇଥିବ ଆଉ ସେମାନେ ଯଦି ପ୍ରତ୍ୟୋକ ଥରେ ଲେଖାଏ ଯାଆନ୍ତି ଚେକିଙ୍ଗରେ ତାହେଲେ ପାଠ ପଢୁଥିବା ଜୁନିୟର ପିଲାଟି କି ପାଠ ପଢିବ ସେଇ ପରିସ୍ଥିତିରେ ସହଜେ ଆପଣମାନେ ଆନୁମାନ କରିପାରୁଥିବେ l ସେ ସେମାନଙ୍କୁ ସମ୍ନାନ ପ୍ରଦର୍ଶନ କରିବାକୁ ତା' ପଢାସ୍ଥାନରେ ଖାଲି ଉଠାବସା ହେଉଥିବ l ପାଠରେ ମନଧ୍ୟାନ ନଦେଇ ପୁରା ରେଡ୍ଡି ହୋଇ ରହୁଥିବ ବଡଭାଇ ମାନଙ୍କୁ ଉଚିତ ସମ୍ନାନ ଦେବାକୁ ସେମାନଙ୍କର ଆଗମନରେ l  


ଏଇସବୁ ଟ୍ରେନିଙ୍ଗ୍ ବଡଭାଇମାନେ ଦେବା ଆଉ ନୂଆପିଲାମାନେ ନେବା - ଏହାକୁ ରାଗିଙ୍ଗ୍ କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ l ଏହି ରାଗିଙ୍ଗ୍ କିଛି କିଛି ମାତ୍ରାରେ ସମସ୍ତ କଲେଜ ଓ ବିଶ୍ବବିଦ୍ଯାଳୟରେ ବିଦ୍ୟମାନ l ଜେନେରାଲ୍ ପାଠ୍ୟଖସଡା ହେଉ ବା ଡାକ୍ତରୀ ଇଂଜିନିୟରିଂ ପରି ବୈଷୟୀକ ପାଠ ହେଉ ସବୁଠି ଏଇ ରାଗିଙ୍ଗ୍ ତା'ର କାୟା ବିସ୍ତାର କରି ଆସିଛି l ଏ ସଂମନ୍ଧରେ ପ୍ରାୟ ଖବରକାଗଜ ଓ ଇଲେକ୍ଟୋନିକସ୍ ମିଡିଆରେ ଖବର ପ୍ରକାଶ ପାଏ l ରାଗିଙ୍ଗ୍ ର ଶିକାର ହେଉଥିବା ପିଲାଟି ନିଜକୁ ଖୁବ୍ ଅସହାୟ ଅନୁଭବ କରିବା ସହିତ ସମୟେ ସମୟେ ଅତିଶୟ ନିର୍ଯାତନାର ଶିକାର ହେବା ଯୋଗୁ ସେଠୁ ପାଢପଢାରେ ଡୋରି ବାନ୍ଧି ଘରକୁ ପଳାଇଆସି ନିଜ କ୍ୟାରିୟରକୁ ଧୁଳିସାତ୍ କରିବାକୁ ବାଧ୍ୟ ହୁଏ l ଆଉ କେଉଁଠି ରାଗିଙ୍ଗ୍ ର ଶିକାର ହୋଇଥିବା ଛାତ୍ରଛାତୀ ସୁଇସାଇଡ୍ କରିବାକୁ ଚରମ ନିଷ୍ପତି ନେଇଥାନ୍ତି - ଅର୍ଥାତ୍ ଅକାଳରେ କିଛି ମେଧାବୀ ଛାତ୍ରଛାତ୍ରୀ ଏଇ ଧରାପୃଷ୍ଠରୁ ଦିଦାୟ ମଧ୍ୟ ନେଇଥାନ୍ତି l ତେଣୁ ରାଗିଙ୍ଗ୍ ଏକ ରୁଗ୍ନ ମାନସିକତା ଯାହା ବହୁ ମେଧାବୀ ପିଲାଙ୍କ କ୍ୟାରିୟରକୁ ବରବାଦ କରିଦେଇଥାଏ l ସରକାର ଏହାକୁ ରୋକିବାକୁ ଖୁବ୍ କଡା ଆଇନ ମଧ୍ୟ କରିଛନ୍ତି l କଲେଜ ମାନଙ୍ଗରେ ଆଣ୍ଟିରାଗିଙ୍ଗ୍ ସେଲ୍ ରହିଛି l କଲେଜରେ କିଛି ରାଗିଙ୍ଗ୍ ସମ୍ୱନ୍ଧୀୟ ଅଭିଯୋଗ ଆସିଲେ ସଙ୍ଗେସଙ୍ଗେ ଉକ୍ତ କମିଟି ମାଧ୍ୟମରେ ଉପଯୁକ୍ତ ତଦନ୍ତକରି ରାଗିଙ୍ଗ୍ ରେ ସମ୍ପୃକ୍ତଥିବା ଛାତ୍ରଛାତ୍ରୀ ମାନଙ୍କୁ କଲେଜରୁ ବହିଷ୍କାର କରିବାଠାରୁ ଜେଲ୍ ଯିବା ପର୍ଯ୍ୟନ୍ତ କଡା ଆଇନ ରହିଛି l କିନ୍ତୁ ଏସବୁ ସତ୍ତ୍ୱେ ସାଧାରଣ କଲେଜ ଅପେକ୍ଷା ବୈଷୟୀକ କଲେଜ ମାନଙ୍କରେ ରାଗିଙ୍ଗ୍ ଅଧିକମାତ୍ରାରେ ହେଉଛି ବୋଲି ଖବର ଆସେ l


ଶେଷବର୍ଷ ପିଲାମାନେ ନୂଆ ପିଲାମାନଙ୍କ ଭିତରେ ହଷ୍ଟେଲର ଏ ହେଉଛି ଟ୍ରାଡିସନ୍ ବୋଲି କହି ନିଜେ କେମିତି ତାଙ୍କଠାରୁ ସମ୍ମାନ ପାଇବେ ସେଇ କାମରେ ଲାଗିଥିବା ବେଳେ କିଛି ନୂଆ ପିଲା ମୁନ୍ନାଭାଇ ଏମ.ବି.ବି.ଏସ୍. ଫିଲ୍ମର ସଂଜୟ ଦତ୍ତ ପରି ହୁଅନ୍ତି l ଠିକ୍ ସେଇ କାଟର ଗୋଟେ ନୂଆପିଲା ପାରାଦୀପରୁ ଆସି ଯୁକ୍ତ ତିନି ପ୍ରଥମବର୍ଷ କମର୍ସ ଶ୍ରେଣୀରେ ଆଡମିସନ କରି ହଷ୍ଟେଲରେ ରହିଲା l ତାକୁ ବଡପିଲା ମାନେ ଯେତେ ବୁଝେଇଲେ ବି ସେ ସକାଳୁ ଉଠି ତାଙ୍କୁ ନମସ୍କାର କଲାନାହିଁ କିମ୍ୱା ଷ୍ଟଡି ଆଓ୍ୱା୍ରେ ତା ରୁମ୍ କୁ କଣ କରୁଛି ଚେକିଂପାଇଁ ଗଲାବେଳେ ସମ୍ମାନ ଦେଖାଇ ଠିଆ ହେଲାନାହିଁ l ବଡପିଲା ମାନେ ତାକୁ ଯାହା ଧମକ ଚମକ ଦେଇଥାନ୍ତେ , କିନ୍ତୁ ତାକୁ ସେମାନେ ଡରୁଥିଲେ ତାର ଭୀମକାୟ ଚେହେରା ପାଇଁ l 


ଶେଷବର୍ଷ ପିଲାଙ୍କ ଭିତରେ ଗୋଟେ କଥା ବାରମ୍ୱାର ଆସୁଥାଏ, ତାହାଥିଲା - ଆଜି ଜଣେ ସମ୍ମାନ ପ୍ରଦର୍ଶନ କରୁନାହିଁ, କାଲି ତା ଦେଖାଦେଖି ଆଉ କେହି ନମସ୍କାର କରିବେ ନାହିଁ l ସେମାନଙ୍କ ସହିତ ଏକଥାରେ ସମ୍ପୂର୍ଣ୍ଣ ଏକମତ ହେଉଥାନ୍ତି ଯୁକ୍ତ ତିନିର ଦ୍ୱିତୀୟ ବର୍ଷର ଛାତ୍ରମାନେ l ସେମାନେ ବି ଭୟକରୁଥାନ୍ତି ଯେ, ଆସନ୍ତା ବର୍ଷକୁ ତାଙ୍କୁ ଆଉ କେହି ଖାତିର୍ କରିବେନି l ଏମିତି ହେଲେ ତାଙ୍କର କ୍ଷମତା ସମ୍ପୂର୍ଣ୍ଣ ଜିରୋ ହୋଇଯିବ l ହଷ୍ଟେଲରେ ସେମାନଙ୍କର ବଡଭାଇ ପଣିଆର ଏମିତି ପୂର୍ଣ୍ଣଛେଦ ପକାଇବାକୁ କେବେହେଲେ ଦେବେନାହିଁ l ଏବେ ସେମାନେ ଲାଗିପଡି ଖୋଜିଲେ ସେ ଭୀମ ପରି ପିଲାଟିର କଣ ସବୁ ଖରାପ ଗୁଣ ଅଛି l ପାଇଗଲେ ମଧ୍ୟ l ସେ ପିଲାଟି ମଦ ପିଇବାରେ ମାହିର୍ ଥିଲା l 


ତା' ପରଦିନ ବଡପିଲାମାନେ ମେଳି କରି ଗୋଟେ ଦରଖାସ୍ତ ଲେଖି ମୋ ପାଖରେ ପହଞ୍ଚିଗଲେ l ସେ ଦରଖାସ୍ତର ବିଷୟବସ୍ତୁରେ ସେଇ ପିଲାଟି କୁଆଡେ ମଦ ପିଇ ତାଙ୍କୁ ଗତକାଲି ରାତିରେ ମିସବିହେଭ୍ କରିଛି l ମୁଁ ଦରଖାସ୍ତ ପାଇବାପରେ ତାଙ୍କୁ କହିଲି," କଣ ସେ ତମ ସମସ୍ତଙ୍କୁ ଖରାପ ବ୍ୟବହାର ଦେଖାଇଲା ନା ତମ ଭିତରୁ କାହାକୁ ଜଣଙ୍କୁ ସେମିତି କହିଲା ?" 


ପିଲାମାନେ ମୋର ଏ ପ୍ରଶ୍ନରେ ହଡବଡେଇ ଗଲେ l ଏଠାରେ କହି ରଖୁଛି ମୁଁ ବଡପିଲା ମାନଙ୍କୁ ବହୁ ପୂର୍ବରୁ କହିଥାଏ ତମେମାନେ କାହା ରୁମ୍ କୁ ଷ୍ଟଡି ଆଓ୍ୱାରରେ ଚେକିଙ୍ଗ୍ ରେ ଯିବନି l ଷ୍ଟଡି ଆଓ୍ୱାରର ହେଉଛି ସମସ୍ତଙ୍କ ପଢିବା ପାଇଁ l କେହି କାହାର ଚେକିଙ୍ଗ୍ କରିବାକୁ ଯିବା ଦରକାର ନାହିଁ l ସେ ଚେକିଂ ମୁଁ କରିବି l 


ମୋ ପ୍ରଶ୍ନରେ ପିଲାମାନଙ୍କ ଭିତରେ କିଛି ସମୟ ନିରବତା ବିରାଜମାନ କଲା l ଶେଷକୁ ଦୁଉଜଣ ଶେଷବର୍ଷ ଛାତ୍ର କହିଲେ , " ସାର୍ ସେ ଆମ ଦୁଇ ଜଣଙ୍କୁ ଖରାପ ବ୍ୟବହାର ଦେଖାଇଲା l" 


" କୋଉଠି " - ମୁଁ ପୁଣି ପ୍ରଶ୍ନ କଲି l


ସେ ଦୁଇ ଜଣଙ୍କ ଭିତରୁ ଜଣେ ବୁଦ୍ଧି ଖଟାଇ କହିଲା, ସାର୍ ଷ୍ଟଡି ଆଓ୍ୱାର ପୁର୍ବରୁ ହଷ୍ଟେଲ ବାରଣ୍ତାରେ ଖରାପ ବ୍ୟବହାର ଦେଖାଇଲା l " 


ମୁଁ ପୁଣି ପଚାରିଲି, " ବିନା କାରଣରେ କିଛି ନଥାଇ ସେ ଖରାପ ବ୍ୟବହାର ଦେଖାଇଲା କାହିଁକି ?" 


" ସାର୍ ସେ ନିଶାରେ ଢଳି ଢଳି ଚାଲୁଥିଲା ଆଉ ଆମକୁ ଦେଖିଲା ତ ଶୋଧିଲା l" - ତାଙ୍କ ଭିତରୁ ଜଣେ କହିଲା l 


ଶେଷକୁ ମୁଁ କହିଲି, " ଠିକ୍ ଅଛି, ତମେମାନେ ଏବେ ଯାଅ, ମୁଁ ବୁଝିବି l"


ମୋର ଏଇ କଥାରେ ସବୁପିଲା କିହିଲେ, "ସାର୍ ସେ ପିଲା ହଷ୍ଟେଲରେ ରହି ପାରିବ ନାହିଁ l ତାକୁ ବିଦା କରନ୍ତୁ l" 


ମୁଁ କହିଲି," ଏତେ ବ୍ୟସ୍ତ କାହିଁକି , ମୁଁ ତାକୁ ଡାକି କଥାହେବି, ତାପରେ ତମ ଦୁଇଜଣଙ୍କୁ ବି ଡାକିବି l ଯଦି ସେ ଭୁଲ୍ କରିଥିବ କଲେଜ ପ୍ରିନ୍ସପାଲଙ୍କୁ କହିଲେ ସେ ହଷ୍ଟେଲରୁ ତାକୁ ବିଦା କରିଦେବେ l " 


ମୋର ଏତିକି କଥାରେ ପିଲାମାନେ ସେଦିନ ବିଦାୟ ନେଲେ l ତାପର ଦିନ ମୁଁ ସେ ପିଲାକୁ ଡାକି କଥା ହେଲି l ସେ ସିଧା କହିଲା , " ସାର୍ ମୁଁ କାହାକୁ କିଛି କହିନି l " 


ଶେଷରେ ଜାଣିଲି ବାସ୍ତବ ଘଟଣାଟା କଣ l କିନ୍ତୁ ଗୋଟେ କଥା ବଡପିଲାମାନେ ଠିକ୍ କହିଥିଲେ l ସେ ପିଲାଟା ମଦ ପିଉଥିଲା l ଚୁପ୍ ଚାପ୍ ବାର୍ କୁ ଯାଇ ମଦ ପିଇ ଦେଇ ବାସ୍ନାପାନ ଖାଇ ହଷ୍ଟେଲକୁ ସଂଧ୍ୟା ପୂର୍ବରୁ ପଳାଇଆସେ l ହଷ୍ଟେଲର ରାତ୍ରୀ ଜଗୁଆଳି ଗୌରାଙ୍ଗ ଏଇ କଥା କହିଲା l


ସେ ପିଲାଟି ମଦ ପିଉଥିବାର ସଠିକତା ଜାଣିବାପରେ ହଷ୍ଟେଲରେ ଆଡମିଶନ ରେଜିଷ୍ଟରରୁ ତାଙ୍କ ବାପାଙ୍କ କଣ୍ଟାକ୍ଟ୍ ନମ୍ୱର ବାହାର କରି ତାଙ୍କୁ ଫୋନ୍ କଲି l ତାଙ୍କୁ ମୋ ପରିଚୟ ଦେଇ ସିଧା କହିଲି, " ଏଠି ହଷ୍ଟେଲରେ ଆପଣଙ୍କ ପୁଅ ମଦ ପିଇ ସିନିଅର୍ ପିଲାମାନଙ୍କୁ ଖରାପ ବ୍ୟବହାର ଦେଖାଉଛି l ଆପଣ କାଲି ଦିନ ୧୧ରେ ଆସି କଲେଜରେ ମୋତେ ଦେଖା କରନ୍ତୁ l "


ସେତେବେଳକୁ ବୋଧେ ଏ ପିଲା ସବୁକଥା ତା' ବାପାଙ୍କୁ କହିସାରିଥିଲା l ତେଣୁ ତାଙ୍କ ବାପା ପୁରା ଯୋର୍ ଦେଇ କହିଲେ , " ଦେଖନ୍ତୁ ସାର୍ , ପୁଅ ମଦ ପିଉଥିବ l ମୁଁ ମନା କରୁନି l ସେ ସ୍କୁଲରେ ପଢୁଥିବା ସମୟରୁ ମଦ ପିଉଛି l କିନ୍ତୁ କାହାକୁ ଗାଳି ଦେବା ପିଲା ସେ ଆଦୌ ନୁହେଁ l "


ମୁଁ ତାଙ୍କ କଥାରେ ଆଶ୍ଚର୍ଯ୍ୟ ହୋଇଗଲି l କଥାବାର୍ତ୍ତା ଶୈଳୀରୁ ଜାଣିଲି ସେ ବିଶେଷ ଶିକ୍ଷିତ ନୁହନ୍ତି l ତଥାପି ତାଙ୍କୁ ଆସନ୍ତା କାଲି ସମୟ କାଢି ଯେମିତି ହେଲେ ଆସିବାକୁ କହିବାରୁ ସେ ନିଜର ସନ୍ମତି ପ୍ରଦାନ କଲେ l 


ହଷ୍ଟେଲର ବଡପିଲାମାନେ କଣ କଣ ଘଟୁଛି ସବୁ ଉପରେ ନଜର ରଖିଥାନ୍ତି l ସେମେନେ ସେଇ ଗୋଟିଏ ନାରା ଧରିଥାନ୍ତି - " ସେ ମଦୁଆ ଆମ ହଷ୍ଟେଲରେ ରହି ପାରିବନି l " 


ତା ପରଦିନ ତାଙ୍କ ବାପା ଆସି କଲେଜରେ ମୋତେ ଦେଖାଦେଲେ l ମୁଁ ତାଙ୍କୁ ପଚାରିଲି , " ଆପଣ ତାକୁ ମାସିକ କେତେ ଟଙ୍କା ଦେଉଛନ୍ତି ? " 


ସେ ସିଧାସିଧା କହିଲେ, " ଖାଇବା ପାଇଁ ୩୦୦୦ ଟଙ୍କା ଆଉ କଣ ସବୁ ଟିୟୁସନ୍ ଯାଉଛି ସେଥିପାଇଁ ୪୦୦୦ ଟଙ୍କା ସେ ମାସିକ ନେଉଛି l ଏଇ ସାତ ହଜାର ଟଙ୍କାଠୁ ସେ କେବେ ଅଧିକ ଆଣିନି ଆଜ୍ଞା l "


ମୁଁ ଜାଣିଗଲି ଏ ପିଲାର ବାପା ଶିକ୍ଷିତ ହୋଇନଥିବାରୁ ତାଙ୍କୁ ପୁରା ଭୁଆଁ ବୁଲାଇ ଟଙ୍କା ଆଣି ମଦ ପିଉଛି l ସେତେବେଳେ ମିଲ୍ ଗୋଟା ହଷ୍ଟେଲରେ ୧୨ ଟଙ୍କା ହିସାବରେ ମାସିକ ମୋଟ ୬୦ଟା ମିଲ୍ ବାବଦକୁ ୧୪୪୦ଟଙ୍କା ଏବଂ ବଜାରରୁ ଜଳଖିଆ ବାବଦରେ ମାସିକ ୫୦୦ଟଙ୍କା ଯଥେଷ୍ଠ l ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେ ପିଲା କୌଣସି ଜାଗାକୁ ଟିୟୁସନ୍ ନଯାଇ ବାପାଙ୍କ ଠାରୁ ମାସିକ ୪୦୦୦ଟଙ୍କା ଆଣୁଥିଲା କେବଳ ମଦ ପିଇବା ପାଇଁ l  


ମୁଁ ତାଙ୍କୁ କହିଲି, "ସେ ଆପଣଙ୍କୁ ମିଛ କହିଛି, କୋଉଠିକି ଟିୟୁସନ୍ ସେ ଯାଉନି l ସେ ବାବଦକୁ ଟଙ୍କା ଆଣି ଖାଲି ମଦ ପିଉଛି l " 


ମୋ କଥା ଶୁଣି ସେ ଯାହା କହିଲେ ମୁଁ ପୁରା ଆକାଶରୁ ଖସି ପଡିଲା ପରି ଅନୁଭବ କଲି l ସେ ସିଧା କହିଲେ," ଦେଖନ୍ତୁ ଆଜ୍ଞା , ମୁଁ ଚାଟଶାଳୀ ମାଟି ମାଡିନି, ଏଇ ଟିପ ଦେଇ ମାସିକ ୪୦ ହଜାର ଟଙ୍କା ରୋଜଗାର କରୁଛି l ମୋ ପୁଅ ତ କାଇଁ କେତେ ପାଠ ପଢିଲାଣି l ଇସକୁଲ୍ ସାରି ସେଇ ପାରାଦୀପରେ ଦୁଇଟା ବରଷ କଲେଜ ପାଠ ସାରି ଏଠି ଆସି ବଡ କଲେଜରେ ପଢିଲାଣି l ଆଉ କେତେ ପଢିବ କହିଲେ ? "


ମୁଁ ଦେଖିଲି ଏ ଲୋକକୁ କିଛି ମଧ୍ୟ ବୁଝେଇ ହେବନି l ଶେଷକୁ କହିଲି, " ଦେଖନ୍ତୁ ହଷ୍ଟେଲରେ ରହି ମଦ ପିଇ ପାରିବ ନାହିଁ l ହଷ୍ଟେଲର ନିୟମ ମାନି ଚଳିବାକୁ ପଡିବ l ଆପଣ ଗୋଟେ କାମ କରନ୍ତୁ, ତାକୁ ୮ କି ୧୦ ଦିନ ପାଇଁ ଘରକୁ ନେଇଯାଆନ୍ତୁ l ତାକୁ ବୁଝେଇବେ ଯେ ହଷ୍ଟେଲରେ ରହିବାକୁ ହେଲେ ମଦ ପିଆ ଛାଡ l ମଦ ଛାଡିଲେ ତାକୁ ଆଣି ଏଠି ଛାଡିଦେବେ l " 


ମୋର ଏ କଥାରେ ସେ ଲୋକ ପୁରା ଅସହାୟ ହୋଇ କହିଲେ, " ଦେଖନ୍ତୁ ସାର୍, ମୁଁ ତ ଅପାଠୁଆ ଲୋକ, ମୋ କଥା ସେ କେଉଁଠୁ ବୁଝିବ ? ବରଂ ଆପଣମାନେ ଶିକ୍ଷିତ ଲୋକ କିଛି ବୁଝାଇଲେ ସେ ବୁଝିକି ମଦ ଛାଡିଦେଇ ପାରେ l "


ମୁଁ ଦେଖିଲି ଲୋକଟାର ବୁଦ୍ଧି ମଧ୍ୟ କିଛି ମାତ୍ରାରେ ରହିଛି l ତଥାପି ତାଙ୍କୁ କହିଲି, " ଦେଖନ୍ତୁ ସେ ମଦ ପିଉ ଥିବାରୁ ବଡପିଲାମାନେ ସବୁ ତା ବିରୁଦ୍ଧରେ ମେଳି ବାନ୍ଧିଛନ୍ତି l ତାକୁ କିଛି ଦିନ ପାଇଁ ଘରକୁ ନେଇଯାନ୍ତୁ l ମୁଁ ତାକୁ ମଧ୍ୟ ବୁଝାଇବି ମଦ ନ ପିଇବା ପାଇଁ l କେଇଦିନ ପରେ ସେ ଫେରି ଆସିବ ହଷ୍ଟେଲ୍ l" 


ତାଙ୍କ ବାପା ଶେଷକୁ ନିରୁପାୟ ହୋଇ ପାରାଦୀପକୁ ଫେରିଯିବା ପୂର୍ବରୁ କହିଲେ ," ହଉ ଠିକ୍ ଅଛି ସାର୍, କାଲି ତାକୁ ଘରକୁ ବୁଝାଇକି ପଠାଇଦେବେ l " 


ସେଦିନ ସଂଧ୍ୟାବେଳକୁ ମୁଁ ଶେଷବର୍ଷ ଛାତ୍ରମାନଙ୍କୁ ହଷ୍ଟେଲ କମନରୁମ୍ ରେ ବସାଇ କହିଲି , " ଶୁଣ, ତାଙ୍କ ବାପାଙ୍କୁ ଡାକିଥିଲି, ସେ କିନ୍ତୁ ଅଲଗା କଥା ସବୁ କହିଲେ l ତମେମାନେ କୁଆଡେ ଜୁନିଅର୍ ପିଲାମାନଙ୍କୁ ନମସ୍କାର କରିବାକୁ ବାଧ୍ୟ କରୁଛ l ନିଜେ ପାଠ ନପଢି ତାଙ୍କ ରୁମକୁ ବାରମ୍ବାର ଚେକିଂ କରିବାକୁ ଯାଉଛ l ସେମାନେ ତମକୁ ଦେଖିଲେ ଯେମିତି ଧଡପଡ ହୋଇ ଠିଆହେବେ ସେକଥା କହିଛ l ଏସବୁ ରାଗିଙ୍ଗ୍ l ଥାନାରେ କେସ୍ ହେଲେ ତମମାନଙ୍କ ଅବସ୍ଥା ସାଂଘାତିକ୍ ହେବା ଫାଇନାଲ୍ l ତାଙ୍କ ବାପାଙ୍କୁ ମୁଁ ବୁଝାଇ ଘରକୁ ପଠାଇ ଦେଇଛି l କାଲି ଏ ପିଲା ବି ତା ଘରକୁ ଯିବ l ପରେ ମୁଁ ପ୍ରିନ୍ସପାଲଙ୍କ ସହିତ କଥା ହୋଇ ଯାହା ନିଷ୍ପତି ନେବି l"


ମୋର ଏତିକି କଥାରେ ଶେଷବର୍ଷର ଛାତ୍ରମାନେ ମଧ୍ୟ ଖୁବ୍ ଡରିଗଲେ l ସେମାନେ ଏମିତି ସବୁ କରିବାକୁ ପିଲାଙ୍କୁ କହିଥାନ୍ତି ବୋଲି ଉଭୟ ଗୌରାଙ୍ଗ ଓ ରଜନୀନନା ମୋତେ କହିଥିଲେ l (କ୍ରମଶଃ ........)



Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Drama