ଅପ୍ରଦତ୍ତ ଅଭିଶାପ
ଅପ୍ରଦତ୍ତ ଅଭିଶାପ
ବସନ୍ତର କୋମଳ ସ୍ପର୍ଶ ଆଉ ନଥାଏ । ବୈଶାଖ ମାସର ଖରା ଅଗଣାରେ ବିଛେଇ ହୋଇ ପଡିଥାଏ । ଦିନ ଅଢେଇଟା ପାଖାପାଖି ହବ କି କଣ... ଦାମନଯୋଡି ଭଳିଆ ଜାଗାରେ ବୈଶାଖମାସର ଉଡୁ଼ଉଦୁଆ ଖରାବେଳ ବି ଖରାଦିନ ଭଳିଆ ଜଣାପଡେନି । ଆଉ ଛୁଟିଦିନ ତ, ସମୟ ଜଣା ପଡୁନି । ପବନ ବି କେମିତି ଗୁମସୁମ କରି ରଖିଛି । ପତ୍ରଟିଏ ବି ହଲୁନି । ଅଗଣାରେ ଆରାମଚେୟାରଟା ପକେଇ ବସିଥାଏ ଅନ୍ବେଷ। ସବୁବେଳେ ଖୁଜୁବୁଜୁ ହେଇ ହାତ ବୋଲି ଗୋଡ କାମ କରୁଥିବା ପିଲାଟା ଆଜି କେମିତି କେଜାଣି ଚୁପ ହେଇ ବସିଛି । ୩୦ ବର୍ଷର ଯୁବକ , ଯିଏକି ୫ ବର୍ଷ ହେଲା ସରକାରୀ ଚାକିରୀ କଲାଣି, ହେଲେ କିଏ ତାକୁ ବଡ଼ପିଲା ହିସାବରେ ଦେଖିନାହାନ୍ତି । ଓ.ଏ.ଏସ ପାଇଲା ପରେ ଦୁଇ ଥର ତାର ବଦଳି ହେଲାଣି, ହେଲେ ସବୁଠି ସେମିତି। ଚଞ୍ଚଳ , ତତ୍ପର ଆଉ କର୍ତ୍ତବ୍ୟନିଷ୍ଠ । ଉପର ଅଫିସର ବି ବାବୁରେ ବୋଲି ଡାକିଦିଅନ୍ତି ଆଉ ସ୍ନେହରେ ତୁ, ତା ରେ କଥା ହୁଅନ୍ତି ।
ସବୁବେଳେ ଇଚ୍ଛାକରିଥିବା ଜାଗାରେ ଆଜିସେ ବଦଳି ହେଇକି ଆସିଛି । ଯଦିଓ ତା' ପାଇଁ କୌଣସି ଜାଗା ଅଜଣା ନୁହେଁ । ସବୁ ଜାଗାରେ ଖାପଖୁଆଇ ଚାଲିଯିବା ପିଲାଟି ଦିନରୁ ଗୋଟେ ଅଭ୍ୟାସ ହେଇଯାଇଛି । ତଥାପି ସେ ସମୟ ନବାକୁ ଚାହୁଁଛି । କ୍ଷଣିକରେ ବାଷ୍ପୀଭୂତ ହେଇ ଆକାଶର ନୀଳିମାରେ ମିଶିଯାଉଥିବା ଇଂଜିନର ଧୂଆଁ କୁ , ପାହାଡ ତଳୁ ଉଠୁଥିବା କୁହୁଡ଼ିକୁ ସେ ଘଣ୍ଟାଘଣ୍ଟା ଧରି ଦେଖିବାକୁ ଚାହେଁ । ଦେଓମାଳୀର ଉଚ୍ଚ ଶିଖରକୁ ଯାଇ , ସେଇଠି ବସି ମେଘୁଆ ଆକାଶକୁ ଦେଖିବାକୁ ଚାହେଁ ସେ । ସବୁକାମ ଟାଇମ ପିରିୟଡ଼ ଭିତରେ ସାରିବାକୁ ଚାହୁଁଥିବା ପିଲାଟା ଆଜି ଏଠିକି ଆସି କାଇଁ ଟିକେ ଅଟକି ଯାଇଛି । ବୋଧେ ତରତର ହେଲେ କାଳେ ଭୁଲ ହେଇଯିବ... ଏଇ ଯେମିତି ଅଗଣା ଖରାରେ ଡେଇଁ ଡେଇଁ ଖେଳୁଥିବା ଗୁଣ୍ଡୁଚିମୁଷାଟା ବୁଲାକୁକୁରର ଭୁକାରେ ଆମ୍ବ ଗଛକୁ ଚଢ଼ିଗଲା ସିନା ହେଲେ ଅଜାଣତରେ ଗୋଆ ଖସିଗଲା କି କଣ, ଦୁମ୍ କିନା ପଡିଲା । ଯା ହଉ, ଶୁଖିଲା ପତ୍ର ଗଦାରେ ପଡିଲା ଯେ , କିଛି ହେଇନି । ନା... ଆଉ ହବନି । 3 ବର୍ଷ ତଳେ ଭାରି କୁଇକ ଡିସିସନ ମେକର ଥିଲା ଅନ୍ବେଷ । କିନ୍ତୁ ଆଜି ଜଣେ ସ୍ଥିତପ୍ରଜ୍ଞ ଭଳି । ୟାକୁ ଦାୟିତ୍ୱବୋଧ କିମ୍ବା ପ୍ରକୃତିସ୍ଥ ମଧ୍ୟ କହିହବ ସିନା କିନ୍ତୁ... ଆଗରୁ ସେ କଣ ଏମିତି ଥିଲା !
"ଆଛା ଶୁଣିଲ…ତୁମକୁ ସର୍ପ୍ରାଇଜ୍ ଭଲଲାଗେ "
"ହଁ.. କିନ୍ତୁ ଡିପେଣ୍ଡ କରେ, ସର୍ପ୍ରାଇଜ୍ କଣ, ଆଉ କେତେବେଳେ ମିଳୁଛି"
"ଆଛା ଯଦି ସର୍ପ୍ରାଇଜ୍ରେ ମୁଁ ତୁମ ସାମ୍ନାରେ ଛିଡାହେଇଯାଏ, ତାହେଲେ !"
"ତାହେଲେ ବିଲ୍କୁଲ୍ ଭଲ ଲାଗିବନି । କେତେଥର ମନା କରିଛି ଏମିତି ଓଭର ସ୍ମାର୍ଟ କଥାବାର୍ତ୍ତା ମୋ ସହ କରିବନି । କେବେ ତ ସେ ପିଲ୍ମ ଦୁନିଆରୁ ବାହାରି ରିଅଲିଟି କୁ ଦେଖ। "
"ସରି ସରି ଆଉ ରାଗନି। ଆଛା ମୁଁ ତୁମକୁ ବହୁତ୍ ପସନ୍ଦ କରେ, କାରଣ ମୋ ନାଁ ଆଉ ତମ ନା ପ୍ରାୟ ଏକାପରି। ଆଉ ତମେ ସେ ପ୍ରଥମ ଝିଅ ଯେ, ମୋତେ ସତରେ ବହୁତ୍ ଭଲ ଲାଗିଛ। "
"ତୁମେ ଜଣେ ଅଫିସର୍ ଟି ! ଏଇ ଭଳିଆ ନିବା-ନିବି କଥାବାର୍ତ୍ତା ତୁମେ କେମିତି କରୁଛ। କେଜାଣି ତୁମେ ତୁମ ବ୍ଲକକୁ କେମିତି ହ୍ୟାଣ୍ଡେଲ୍ କରୁଛ।"
"ଅନନ୍ୟା, ତୁମେ ତୁମ ପୋଷ୍ଟିଙ୍ଗ୍ କୋଷ୍ଟାଲ ଓଡିଶାରେ କାହିଁକି ବାଛିଲନି। "
"ତୁମେ ମୋତେ କହିବ ଯେ କୋଉଠି ପୋଷ୍ଟିଙ୍ଗ୍ ନେବି ଆଉ ନେବିନି । "
"ନାଇଁ, ସେସବୁ ଠିକ୍ ଯେ… ହେଲେ ମୁଁ ଆଉ ତୁମେ ଏତେ ଦୂରରେ କେମିତି ରହିବା । ଆଫ୍ଟର ଅଲ୍ ଆଉ କିଛି ମାସ ପରେ ଆମ ବାହାଘର। "
"କିନ୍ତୁ, ମୋତେ ମୋ ବାହାଘର ଠାରୁ ଚାକିରୀ ଇମ୍ପୋଟାଣ୍ଟ ଲାଗେ। ତା ଛଡା ତମର ଯଦି ଏତେ ଇଛା ତାହେଲେ ତୁମେ ହିଁ କୋରାପୁଟ ଟ୍ରାନ୍ସଫର ନେଇ ପଳେଇ ଆସ। "
"ଏଠି ତୁମ ଚାକିରୀ କି ମୋ ଚାକିରୀ ଯାଗା କଥା ପଡିନି। ତୁମେ ଜାଣିଛ, ଯଦି ମୁଁ ପାରନ୍ତି, ତାହାଲେ ତୁମ ପାଖରେ ଜୀବନ ସାରା ରହିବା ପାଇଁ ବି ମୁଁ ପ୍ରସ୍ତୁତ ଅଛି। ଏଠି ଆମ ଫ୍ୟୁଚର କଥା ଭାବି ତମକୁ କହୁଛି। "
"ଦେଖ ତମେ ଯଦି ମୋ କଥାରେ ସାଟିଶ୍ଫାଏ ନାହଁ, ତାହେଲେ ଏବେବି ଡେରି ହେଇନି। "
"ବାର୍ ବାର୍ ତମେ ଏଇଭଳିଆ କଥାବାର୍ତ୍ତା କାହିଁକି କର ଅନନ୍ୟା? କଣ ମୁଁ ଭୁଲ କରି ଦେଇଛି ତୁମ ସହିତ ରିଲେସନ୍ରେ ରହି । ତୁମ ପରିବାର ଆଉ ବିଶେଷ କରି ତୁମେ ହିଁ ମତେ ବାଛିଚ। ଆଉ ଆଜି…"
"ସେ ଦିନ ଚୁପ୍ ରହିଥିଲା ଅନନ୍ୟା। ଅନ୍ବେଷର ପ୍ରତିଟି କଥାର ଭିନ୍ନ ଅର୍ଥ ବାହର କରି ଯେମିତି ଅନନ୍ୟା ସବୁବେଳେ ଅନ୍ବେଷକୁ କହୁଥାଏ ‘ମତେ ହଁ କହି ଦେଇ ତୁମେ ଭୁଲ୍ ରାସ୍ତା ବାଛିଛ’।"
"ଅନନ୍ୟା ମୋ ମା’ ତୁମକୁ ବହୁତ୍ ପସନ୍ଦ କରେ… । "
ଅନ୍ୱେଷ ପାଟିରୁ କଥା ନସରୁଣୁ ଅନନ୍ୟା କହିଲା ‘ତୁମ ମା ପସନ୍ଦ କରିଛନ୍ତି ବୋଲି ତାର ରେସ୍ପନ୍ସିବିଲିଟି ମୋର ନୁହଁ ନା’ ।
"ଅନନ୍ୟା, ଛଅ ମାସ ଉପରେ ହେବ ଆମ ଦୁଇ ଜଣଙ୍କ କଥାବାର୍ତ୍ତା, ପରସ୍ପରକୁ ଜାଣିବା, ହେଲେ ମୁଁ ତୁମ ପାଖରେ ଥରଟିଏ ବି ମୋ ପାଇଁ ଭଲପାଇବା ଦେଖିନି ।"
"ମୋତେ ସେ ସବୁ କହି କିଛି ଲାଭ ନାହିଁ, ଯିଏ ବାହାଘର ଠିକ୍ କରିଛନ୍ତି, ସେଇ ମାନଙ୍କୁ କହିଲେ ଭଲ ହେବ। ମୋ ପାଇଁ କଣ ପୁଅ ଅଭାବ କି ?"
ଏଇ ପଦକ କଥାରେ ନିରୁତ୍ତର ରହିଥିଲା ଅନ୍ବେଷ। ଏମିତି କେତେଥର ଛଅ ମାସରେ ଦୁଇଜଣଙ୍କ ଭିତରେ ଯୁକ୍ତିତର୍କ ହୋଇଛି। କଥା ଘର ଲୋକଙ୍କ ପାଖକୁ ଗଲେ ବି କିଛି ଫଳପ୍ରଦ ହୁଏନି। କାରଣ ଦୁଇ ପରିବାର ବୁଝାମଣା କରିବାକୁ ଆଗକୁ ହିଁ ଆସନ୍ତିନି। ଅନ୍ୱେଷ ତା ଜୀବନରେ ପ୍ରଥମ ଥର ପାଇଁ ବଡ ନିସହାୟ ବୋଧ କରୁଥିଲା। ଆଗରୁ ତା ସହିତ କେବେବି କିଛି ହୋଇନି ଏମିତି। ତାକୁ ଲାଗୁଥିଲା, ସବୁ କିଛି ବୁଝେଇ ଦେଲେ ଠିକ୍ ହେଇଯିବ। କିନ୍ତୁ, ସେମିତି ହଉନଥିଲା।
"ଆଜି କହୁଛ, ତୁମେ ମତେ ବହୁତ୍ ଭଲ ପାଉଛ ବୋଲି । ବୋଧେ ତୁମେ ଆଗରୁ କେଉଁ ପୁଅକୁ ଭଲ ପାଇନ । ଛଅ ମାସ ଭିତରେ ଏତେ ଭଲ କେମିତି ପାଇଯାଅ। ତୁମ ଆଗରୁ ମୁଁ ବି କାହାକୁ ଭଲ ପାଉଥିଲି ଆଉ ଆଜି ସିଏ ବାହାହୋଇ ସାରିଛି। ଭଲ ପାଇବାରେ କିଛି ନଥାଏ। Marriage is just a social ritual. ଆଉ ତା ଛଡା ତୁମେ ତୁମ ବାଟରେ ଆଉ ମୁଁ ମୋ ବାଟରେ । "
ଏଇ କଥାରେ ଅନ୍ବେଷ ସେଦିନ କିଛି କହି ନଥିଲା। କିନ୍ତୁ, ମନେ ମନେ କହିଥିଲା। ଜଣେ ଅନ୍ୟ ଜଣଙ୍କୁ ଭଲ ପାଇବା ପାଇଁ କଣ ଛଅ ମାସ କାଫି ନୁହେଁ। ଏତେ ନିଜରତାର ସହିତ କାହାକୁ କେବେ ବି ଭଲ ପାଇ ନଥିଲା ଅନ୍ବେଷ। ସ୍କୁଲ, କଲେଜ୍, ୟୁନିଭର୍ସିଟି ସବୁଠି କେବଳ ନିଜ ପାରିବା ପଣିଆକୁ ସାବ୍ୟସ୍ତ କରି କରି ଅନେକ ଇଚ୍ଛାକୁ ପାଣି ଫଟେଇ ଦେଇଥିଲା। ଆଉ ଶେଷରେ ବାପା ମାଁଙ୍କ ବାଧ୍ୟ ଶିଶୁଟିଏ ପରି ଅନନ୍ୟାକୁ ବାହାହେବା ପାଇଁ ହଁ କହିଦେଇଥିଲା ସେ। କିନ୍ତୁ, ସତରେ ଦେଖିବାକୁ ଗଲେ ପ୍ରଥମ ଥର ପାଇଁ ଅନନ୍ୟାକୁ ଦେଖି ସେ ଭାବିନେଇଥିଲା ଯେ, ତାର ସୁନ୍ଦର ସୁନ୍ଦର ଆଖି ଦୁଇଟି କେବଳ ଅନ୍ବେଷର କଥା ଶୁଣିବା ପାଇଁ ହୋଇଛି। ଦେଖା ହେବାର ପ୍ରଥମ ଦିନ, ତାର ସେ ମୁହଁ ପୋତି କଥା ହବା ଢଙ୍ଗ, ବହୁତ ପସନ୍ଦ ଆସିଥିଲା। ଆଉ ତାର ମନେ ବି ଅଛି, ଯେତେବେଳେ ସେ ଦିନ କଥା ଆଳରେ ଅନନ୍ୟାକୁ ସେ ଫୋନ୍ ନମ୍ବର ମାଗିଥିଲା, ଅନନ୍ୟା କାଗଜ ଖଣ୍ଡେ ଆଉ ପେନ୍ ବଢେଇ ଦେଇଥିଲା ତା ହାତକୁ। ଆଉ କାଗଜର ସେଇ ଲେଖାକୁ ଦେଖି କହି ଦେଇଥିଲା ତୁମ ଅକ୍ଷର ପାଇଁ ବୋଧେ ଅଧିକା ନମ୍ବର ପାଉଥିବ ବୋଲି।
ଆରେ ଗେଟ୍ ସେପଟ ରାସ୍ତାରେ କିଏ ପାଟି କରୁଛି ନା କଣ ।
"କେତେ ଥର ତୁମକୁ କହିଥିଲି ଶାଢୀ ପିନ୍ଧିକି ଆସିବ ବୋଲି। ନିଜକୁ କଣ ବୋଲି ଭାବୁଛ। ମୋ ଇମେଜ୍ କଥା କେବେ ଚିନ୍ତା କରିଛ କି ନାହିଁ। ଚାଲି ଆସିଲା ଡ୍ରେସ୍ ପିନ୍ଧିକି । "
"କାଇଁ ମତେ ଆଗରୁ ତ କହି ନଥିଲ। ଏବେ ମୁଁ କଣ କରିବି। "
"Shut-up… କିଛି କରିବା ଦରକାର ନାହିଁ। ଚୁପ୍ଚାପ୍ ସେଇଠି ଛିଡା ହୁଅ। ଆସୁଛି ମୁଁ। "
ଏ ସବୁ କିଛି ସ୍ପଷ୍ଟ ଶୁଭୁଥାଏ ଗେଟ୍ ସେପଟୁ। ବୋଧେ ସେ ଦୁଇ ଜଣ ସ୍ବାମୀ ସ୍ତ୍ରୀ ! ସେ ଦୁଇ ଜଣଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ଶେଷରେ ଅନ୍ବେଷକୁ ଆରାମ୍ ଚେୟାରରୁ ଉଠିବା ପାଇଁ ବାଧ୍ୟ କରିଦେଲା। କୌତୁହଳ ପ୍ରିୟ ମଣିଷଟା ଅତି ସନ୍ତର୍ପଣରେ ଚାଲିଗଲା ଗେଟ୍ ପାଖକୁ। ସଜ ହେଇକି, ସୁନ୍ଦର ସାଲ୍ୱାର କମିଜ୍ ପିନ୍ଧି, ଝିଅ ଟେ କିଏ ଗେଟ୍ ପାଖରେ ତ ନୁହେଁ। ଗେଟ୍ ଆରପଟ ରାସ୍ତାରେ… ବେଶୀ ଦୂର ନୁହଁ, ଏଇ ଦୁଇ ତିନି ହାତ ଦୂରକୁ ଛିଡା ହୋଇଛି। ଗେଟ୍ ଫାଙ୍କରୁ ସ୍ପଷ୍ଟ ଦେଖାଯାଉଥାଏ। ଗୋରା ତକ୍ତକ୍ ସୁନ୍ଦର ମୁଁହ, ଢଳଢଳ ବଡବଡ ଆଖି, ଆଖି ଦୁଇଟିକୁ ମ୍ୟାଚିଙ୍ଗ୍ କଲାପରି କାନଫୁଲ। ଆଉ… ବାଁ ପଟ ମଥା ଉପରେ ମାଡର ଚିହ୍ନ। ଆଖିରେ ଆଖିଏ ଲୁହ ଜକେଇ ଆସିଛି ସିନା, କିନ୍ତୁ ଖସିପଡିବାର ବାଟ ପାଉନି ସିଏ। ଗେଟ୍ ଖୋଲି ଦେବାକୁ ଅନ୍ବେଷର ବହୁତ୍ ଇଚ୍ଛା, ଆଉ ଶେଷରେ ଖୋଲିଦେଇ ଟିକେ ଆଗକୁ ଚାଲିଗଲା ମଧ୍ୟ। ରାସ୍ତାରେ କେହି ନଥାନ୍ତି। ଦାମନଯୋଡିର ଶାନ୍ତ ଉଦୁଉଦିଆ ଖରବେଳଟା ବୋଧେ ଅନେକ ପଥିକଙ୍କୁ ଅଟକେଇ ଦେଇଛି। ମୁଁହ ତଳକୁ କରି ଛିଡାହୋଇଥିବା ଝିଅଟି ଶେଷରେ ଅନ୍ବେଷ ଆଡକୁ ଚାହିଁଲା ମଧ୍ୟ। କିନ୍ତୁ ଇଏ କଣ… ନାଁ… କେଡେ ସୁନ୍ଦର ଝିଅଟା।
ଛଅ ମାସରେ କେବଳ ଦି’ଥର ହିଁ ଅନ୍ବେଷ ଅନନ୍ୟାକୁ ଦେଖିଥିଲା। କିନ୍ତୁ, ଅନନ୍ୟା ସହିତ ଏ ଝିଅର ସମ୍ପର୍କ କଣ। କଣ ଦି’ ବର୍ଷ ଭିତରେ ଜଣଙ୍କ ଭିତରେ ଏତେ ପରିବର୍ତ୍ତନ ଦେଖାଯାଇପାରେ? ଅଦିନିଆ ବସନ୍ତ ୠତୁ କଣ କେବେ କାହା ପାଇଁ ମରୁଡି ନେଇ ଆସିପାରେ ! ଅନ୍ବେଷ ସେମିତି ଚାହିଁ ରହିଥାଏ ସେଇ ଝିଅଟିକୁ। ହେଲେ ଝିଅଟି ଆଉ ଅନ୍ବେଷ ଆଖିରେ ଆଖି ନମିଶେଇ ଭ୍ୟାନିଟି ବ୍ୟାଗରୁ କାଗଜ ଖଣ୍ଡେ କାଢି କଣ ଲେଖୁଥାଏ।
ସେତିକିବେଳେ ପୁଅଟିଏ ଆସି, ଗାଡିର ହର୍ଣ୍ଣ ବଜେଇ ରାସ୍ତା ଏପଟେ ପାଟିକଲା,‘ସେପଟେ କଣ ଠିଅ ହେଇଚ, ଦେଖା ଯାଉନି ନା କଣ’ । ତା କଥା ଶୁଣି ଝିଅଟି ଚମକି ପଡି ରାସ୍ତା ପାର ହୋଇ ଆସୁଥାଏ… ସେତିକି ବେଳେ ହୋମଗାର୍ଡ଼ କୋଉଠି ଥିଲା କେଜାଣି ଆସି ତାଙ୍କୁ ପାଟିକଲା।
"ଜଣାପଡୁନି କି। ବିଡିଓ ସାର୍ଙ୍କ ଘର ପରା ଏଇଟା। ଏଠି କଣ ଛିଡା ହୋଇ ପାଟି କରୁଚ। ଯାଅ ସିଆଡେ। "
ଅନ୍ବେଷର କିନ୍ତୁ ସିଆଡେ ନଜର ନଥାଏ। ତା ଆଖି ଯେମିତି ସ୍ଥାଣୁ ହୋଇ ସେଇ ଝିଅଟିର ମୁଁହକୁ ଚାହିଁ ରହିଥାଏ। ଆଉ ସେଇ ଝିଅଟି ଆସି ସେହି ଗାଡିରେ ବସିଲା, ଆଉ ବସୁ ବସୁ ସେଇ ଗାଡିଟି ଷ୍ଟାର୍ଟ ହେଇ ଆଗକୁ ଚାଲିଗଲା। ଅନ୍ବେଷର ଆଖି ସେମିତି ତାକୁ ଚାହିଁଥାଏ।
ଆରେ ! ଗାଡି ଝରକା ବାଟେ ହାତଟି କାଢି ବୋଧେ ସେ ଝିଅ କଣ ପକେଇଦେଲା। ମନର କୌତୁହଳକୁ ଶେଷ କରିବାକୁ ଯାଇ ସେଇ କାଗଜ ଖଣ୍ଡକୁ ଗୋଟେଇ ଆଣିଲା ଅନ୍ବେଷ। ଆଉ ସେଇ କାଗଜରେ ଗୋଟେ ପଟରେ ଲେଖାହୋଇଥିଲା, ‘ତୁମ ସହିତ ଭୁଲ କରି, ବୋଧେ ସାରା ଜୀବନ ତୁମ ଅଭିଶାପରେ ବଞ୍ଚିବାକୁ ପଡିବ ମତେ’।
ଅନ୍ବେଷ ସବୁ ବୁଝିଥିଲା। ତିନି ବର୍ଷର ସେହି ଏକଲାପଣରୁ, ତା ପସନ୍ଦ ଠାରୁ ଆହୁରି ଦୂରକୁ ଚାଲିଯାଇଥିବା ଅନ୍ବେଷ କାଗଜଟିକୁ ଓଲଟାଇ ଦେଖେ ତ, ସେଇଟା ସେଇ କାଗଜ ଥିଲା, ଯୋଉଟା ସେ ତା ନମ୍ବର ଲେଖି ଅନନ୍ୟାକୁ ଦେଇଥିଲା। ବୋଧେ ଶେଷ ପଦଟିଏ କଥା ଥିଲା ଅନନ୍ୟାକୁ ତାର... ‘ମଣିଷକୁ ଅଭିଶାପର ଆବଶ୍ୟକତା ନଥାଏ, ଯଦି ତୁମଭଳି ମଣିଷ କାହାକୁ ମିଳିଯିବ’।
ହୋମଗାର୍ଡ ଦଉଡି ଆସି, ସାର କଣ ହେଲା, କିଛି ଦରକାର କି? ମୋତେ କହୁ ନାହାନ୍ତି, ଆପଣ କଣ ପାଇଁ ବାହାରକୁ ଆସୁଛନ୍ତି ବୋଲି ପଚାରିଲାରୁ ଅନ୍ବେଷ କହିଥିଲା ନାଇ ରମେଶ ଭାଇ… ମୁଁ ଖାଲି ଦେଖୁଥିଲି ଅପ୍ରଦତ୍ତ ଅଭିଶାପ କେମିତିକା ।
