Abinash Pani

Abstract Romance Inspirational

4.0  

Abinash Pani

Abstract Romance Inspirational

ମୋ ଅଫେରନ୍ତା କଥାର ଲେଉଟାଣି

ମୋ ଅଫେରନ୍ତା କଥାର ଲେଉଟାଣି

4 mins
192


କାଇଁକି କେଜାଣି କଟକ ରେଳ ଷ୍ଟେସନଟା ଖାଁଖାଁ ଲାଗୁଚି। ପବନ ଯେମିତି ନିବୁଜ କରିଦେଇଛି... ପତ୍ରଟିଏ ବି ହଲୁନି। ସେପଟେ ତିନିଥର ଆନାଉନ୍ସ କଲାଣିଯେ ଭୁବନେଶ୍ୱର-ବାଙ୍ଗିରିପୋଷି ଟ୍ରେନ ଅଧଘଣ୍ଟା ଲେଟ ଅଛି । ବ୍ୟାଗ ଆଉ ସୂଟକେସକୁ ସାଇଡରେ ଥୋଇଦେଇ ପୁଣି ବସି ପଡିଲି ଚାରି ନମ୍ବର ପ୍ଲାଟ୍ଫର୍ମର ୧୫ ନମ୍ବର ସିଟରେ । ମୋବାଇଲ କାଢି ଦେଖେ ତ... ୪ଟା ମିସକଲ। କାଇଁ କିଛି ଜଣାଶୁଣା ନମ୍ବର ନୁହେଁ ତ... ଦେଖେଁ...


"ହ୍ୟାଲୋ... ଅବିନାଶ କହୁଛି... କିଏ..."

'ଓଃ.. ସରି ... ମୁଁ ବୋଧେ ଗାଡିରେ ଥିଲି... ଜାଣି ପାରିଲିନି'

'ଆଜ୍ଞା... ହଁ.., ମୁଁ ଆଜି ରାତି ସୁଦ୍ଧା ବାଙ୍ଗିରିପୋଷି ରେ ପହଂଚିଯିବି ।'

'ହଁ...ହଁ ଥ୍ୟାଙ୍କ ୟୁ ...'

'ଥ୍ୟାଙ୍କସ୍ ଏ ଲଟ୍, ସାର... ମୁଁ କାଲି ହିଁ ଆପଣଙ୍କ ସହିତ ଦେଖା କରିଆସିବି'

'ଠିକ ଅଛି ଆଜ୍ଞା...' 

ଯା ହଉ ଓଡିଶା ସରକାର ନିଜର ଫର୍ମାଲିଟିକୁ ଖୁବ ଭଲ ଭାବରେ ତୁଲେଇଛନ୍ତି । 

ମନେମନେ ଏତିକି କହିଦେଇ ଆକାଶକୁ ଅନେଇଲି...ଏବେବି ସୂର୍ଯ୍ୟଙ୍କର କାଣିଚାଏ ଆଭାସ ସାରା ଆକାଶକୁ ନାଲିକରି ରଖିଛି। କିନ୍ତୁ ଅପେକ୍ଷା କରିବାଟା ଯେ କେତେ କଷ୍ଟକର ତା' ପୁଣି ଏଇ ଅସହ୍ୟ ଗୁଳୁଗୁଳିରେ... ଓଃ! ଏ ଝାଳଗୁଡାବି ଏ ସମୟ ରେ ଦାଉ ସଢୁଛନ୍ତି... ଅନବରତ ଭାବରେ ବୋହି ଚାଲିଛନ୍ତି। କେତେବେଳେ ମଥାରୁ ତ କେତେବେଳେ ମୁଣ୍ଡରୁ ।

'ଭାଇ ଥଣ୍ଡା ପାଣି ବୋତଲଟେ ଦେଲ...' 

'ଆଛା...ବାଙ୍ଗିରିପୋଷି ଗାଡି କେତେବେଳେ ଆସିବ କି,' ପାଣି ପିଉପିଉ ପକାହାରିଲି ସେ ଦୋକାନୀ ଭାଇକୁ ।

'ଗାଡି ଭୁବନେଶ୍ୱରରୁ ଛାଡ଼ିଲାଣି... ବାରଂଗ ପାଖରେ ପକେଇଚି...ଲାଇନ କ୍ଳିଅର ନାହିଁ ବୋଧେ,'

'କଣ ଭାଇ ସେତେବେଳେଉ ଦେଖୁଚି ଭାରି ଚିନ୍ତାରେ ଥିଲା ଭଳିଆ ଲାଗୁଚ, କଣ ହେଇଚି କି ?,' ପାନ କେଇଖଣ୍ଡ ପାଟିରେ ପୁରେଇ ଦୋକାନୀ ଭାଇଟି ପଚାରିଲା ମୋତେ। 

ହସିଦେଲି । ଲୋକଟା ନିଶ୍ଚୟ କଟକର ହେଇଥିବା ବୋଧେ ନହେଲେ ଏମିତି କଥା ବୋଧହୁଏ କିଏ ଗରାଖଙ୍କ ସହିତ ହୁଅନ୍ତି।

'ଚିନ୍ତା... ଯାହା ଚିନ୍ତାରେ ଆଜି ଏଇଠି ଅଛି ସେ ଚିନ୍ତା ପାଇଁ ଭାରି ଖୁସି ମୁଁ ହେଲେ ....'

'ହେଲେ କଣ ଯେ କହିବନି... ଏଇଆ ତ ?...'

ଜୋରରେ ହସି ପକେଇଲି। ଭାରି ମଜାଳିଆ ଅନ୍ଦାଜରେ ସେ ଭାଇ ଜଣକ କଥା ହଉଥାନ୍ତି।

'ହଉ... ବ୍ୟସ୍ତ ହୁଅନି... କିଏ ଜାଣିଲା... ଟ୍ରେନ ଭିତରେ ହୁଏତ ତୁମ ଚିନ୍ତା କୁଆଡେ ଉଭେଇ ଯିବ .... ହା ହା ହା...'

ମନରେ ତ ଅନେକ ଖୁସି ଥାଏ। ମୁଁ ମୋ ପ୍ରଥମ ସରକାରୀ ଚାକିରୀରେ ଜଏନ କରିବାକୁ ଯାଉଛି । ପାଞ୍ଚ ବର୍ଷର ଅକ୍ଲାନ୍ତ ପରିଶ୍ରମ ବୋଧେ ଏଇ ଦିନକୁ ଅପେକ୍ଷା କରିଥିଲା । ହେଲେ ଆଉ କେତେଥର ପଛକୁ ବୁଲି ଚାହିଁବି... କାଇଁ କେହିତ ଆସୁନାହାନ୍ତି। ଛାଡ। 

ଗାଡି କେତେବେଳେ ଆସିବ କେଜାଣି ନାଁକୁ ସିନା ୩୦୦ କିଲୋମିଟର ହେଲେ ଆଜି ସେଠି ପହଂଚୁ ପହଂଚୁ ରାତି ୩ଟା ପରେ ହେଇଯିବ ବୋଧେ। 

ଏତେ ରାତିରେ... ପୁଣି ନୂଆ ଜାଗା,ହେଃ! ନାଇଁ ମ... ଏମିତି କେତେ ରାତି କଟିଯାଇଛି ପ୍ରିପେୟାରେସନ ଆଉ ସାମ୍ବାଦିକତା ଚାକିରୀ ବେଳେ... କେତେବେଳେ ରେଲୱେ ଷ୍ଟେସନରେ ତ କେତେବେଳେ କୋଉ ଡର୍ମିଟୋରିରେ

। ମୁଁ ସବୁଯାଗାରେ ଚଳିଯିବି। କିନ୍ତୁ ଏତେଦିନ ପରେ ଯାଇଁକି ମୋ ସ୍ବପ୍ନ ସାକାର ହେଇଚି ମନଭିତରେ ଖୁସି ଯେତିକି ତାଠୁ ବେଶୀ ଅଛି ଉନ୍ମାଦନା, ହେଲେ...

ଏତିକି ଭବୁଭାବୁ ପୁଣିଥରେ ପଛକୁ ଅନେଇଦେଲି କାଇଁ କେହିତ ନାହାନ୍ତି। ଧୀରେ ଧୀରେ ଲୋକ ଗହଳି ବଢିବା ଦେଖି ଜାଣିହେଲା ଯେ ଗାଡି ଆସିବାବେଳ ହେଇଗଲାଣି ।

"ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ ଗାଡି ନମ୍ବର ୧୨୮୯୨, ଭୁବନେଶ୍ୱର-ବାଙ୍ଗିରିପୋଷି ଟ୍ରେନ ଆଉ କିଛି ସମୟ ମଧ୍ୟରେ ପ୍ଲାଟଫର୍ମ ନମ୍ବର ୪ ରେ ପହଂଚିବ..."

ପକେଟରୁ ଫୋନ କାଢିକି ଦେଖିଲି କାହାର ମିସକଲ ବି ନାହିଁ ହ୍ବାଟସାପରେ ଅନେକଗୁଡିଏ ମେସେଜ ତଥାପି ପୁରୁଣା ମେସେଜ ଗୁଡାକ ଖେଳେଇ ଖେଳେଇ ଦେଖୁଥାଏ । କାଳେ ଏତେଦନ ଧରି ବ୍ଲକ ଥିବା ନମ୍ବରରୁ ମେସେଜ ଆସିଯିବ କି ?

ନାଇଁ...ପାଟିରୁ ବାହାରି ଯାଇଥିବା କଥା ଆଉ ବିତି ଯାଇଥିବା ସମୟ କେବେ କଣ ସେଇ ମଣିଷ ପାଖକୁ ଫେରିଆସିଚି, ଯିଏ ସେ ସମୟର ବିରହରେ ନିଜକୁ ଆଉ ନିଜ ଅସ୍ଥିତ୍ୱକୁ ସମ୍ପୂର୍ଣ୍ଣ ଅବହେଳା କରିଦେଇ ଆଜି ଏଇ ସ୍ଥିତିରେ ପହଂଚିଛି।

୧୦୦ ରୁ ଅଧିକ ମେସେଜ ଏବେ ଯଦି କଥା ହେଇବସିଲି ପ୍ରାୟ ସମସ୍ତଙ୍କ ସହିତ ଗପୁଗପୁ ରାତି ପାହିଯିବ। କିନ୍ତୁ ଆଉ ଇଚ୍ଛା ନାହିଁ ବୋଧେ ସମୟ ସହିତ ତଳ ମିଳେଇ ପାରିନି ଅବା ନିଜକୁ ଏତେ ଆଗକୁ ନେଇଯାଇଛି ଯେ ଆଉ ପଛକୁ ବୁଲିଦେଖିଲେ ମୋ ନିଜ ଛାଇ ଛଡା ଆଉ କିଛି ଦେଖାଯାଉନି ।

ହର୍ନ ଦେଲାଣି ଆସିଗଲା ବୋଧେ। ପୁଣି ଫୋନ ବାଜିଲା... ଏଥର କିନ୍ତୁ ଜଣାଶୁଣା ନମ୍ବରଟେ ।

'ହଁ ବେ... କହ.. ଏତେବେଳକୁ ଫ୍ରି ହେଲୁ ସାଙ୍ଗ ସହିତ କଥା ହବାକୁ...'

ମୋ ପିଲାବେଳର ସାଙ୍ଗ ଆଉ ମୋ ସବୁଠୁ ନିଜର ମଣିଷ... ଶୁଭମ କଲ କରିଥିଲା।

'ହଁ ହଁ ... ଏଇ ବାହାରିଲି ପା।'

'ନାଇଁ କେହି ଆସିନାହାନ୍ତି ସାଙ୍ଗରେ'

'ହଁ ତୋ ସ୍ବପ୍ନ ସତ ହେଲା ଆଉ...'

'ହଁ ହଁ... ହେଇଗଲା ତୋ ସାଙ୍ଗ ଅଫିସର କିନ୍ତୁ ସାଙ୍ଗ ବାକି ରହିଗଲା ଆମ ପାର୍ଟିଟା... ଜଗବନ୍ଧୁ ଢ଼ାବାରେ ଖାଇବାଟା ପୁଣି କେବେ?...'

'ଛାଡ଼ନା ସେ କଥା... ନା... ନା...'

ଶୁଭମ ଜାଣିଚି... ସେଇଥିପାଇଁ ସେ ଶେଷ ବେଳେ ବି ସେଇ କଥା ପଚାରୁଛି ଯୋଉକଥା ଜାଣିବାପାଇଁ ପାଇଁ ସେ ଦୋକାନୀ ଭାଇ ବି ପଚାରୁଥିଲା । ହେଲେ ୟାକୁ ତ ଭୁଲେଇ ଦେଇ ପାରିବିନି ନା...ପିଲାଟି ବେଳରୁ ଆଜି ଯାଏଁ... ଜୀବନର ସବୁ ସମୟକୁ ଆମେ ଦି ଜଣ ଏକାଠି କାଟିଛୁ... କିଲ୍ଲା ପଡିଆରେ କ୍ରିକେଟ ଖେଳ ଠୁ ଆରମ୍ଭ କରି ଘରେ ଡ଼ାଲମା ଛୁଙ୍କ ପର୍ଯ୍ୟନ୍ତ ସବୁ ଆମେ ମିଶିକି କରିଛୁ। ଆଉ ଏ କଥା ତାକୁ ଅଛପା କେମିତି ରହିବାକୁ ଦେବି?

'ହୁଁ...ହେଇ ଗାଡି ଆସିଲାଣି ମୁଁ ଜିନିଷ ରଖେଁ...ହଁ ରହ ଲାଇନରେ... ଜୀବନ ସାରା ଲାଇନରେ ରହୁନୁ ଶଳା କୁକୁର...'

ଏତିକି କହି ସୁଟକେଶ ଆଉ ଦିଟା ବ୍ୟାଗ ନେଇ ମୁଁ ଗଲି ମୋ ସିଟ ଆଡକୁ... ୭୩...୭୩...୭୩...ହଁ ଏଇଟା ତ .... 

'ହଁ ପାଇଗଲିରେ...' 

ଶୁଭମ ସେମିତି ଲାଇନରେ ଥାଏ। ବ୍ୟାଗକୁ ଉପର ସିଟରେ ରଖୁଥାଏ ମୁଁ ଆମ ଦି ଜଣଙ୍କ କଥାରେ ଫୋନଟା ବିଚରା କାନ ଆଉ କନ୍ଧମଝିରେ ରହି ଝାଳ ହେଇଗଲାଣି ।

ଆରେ...ରୁହ ଟିକେ... 'ନାଇଁବେ... ତତେ କହୁନି' 

ସେପଟେ କିଏ ଗୋଟେ ।

ପଛକୁ ବୁଲି ଚାହେଁ ତ... 'ତୁ?' 

ଫୋନ ସେପଟୁ ଶୁଭମ ହସି ହସି କହୁଥାଏ... "କଣ... ପାଇଗଲୁ ନା ଏବେ ଆଉ କିଛି କରିବି ତମ ଦି ଜଣଙ୍କ ପାଇଁ ? ହ୍ୟାଲୋ .... ହ୍ୟାଲୋ .... ପାଣି...ପାଣି ... ୟେ ଶଳା ଗଲା... ଆଉ କଣ ମୋ ସାଙ୍ଗରେ କଥା ହବ?.l"

ଦୋକାନୀ ଭାଇଙ୍କ କଥା... ମତେ ଏବେବି ମନେପଡିଯାଉଥାଏ..."କିଏ ଜାଣିଲା... ଟ୍ରେନ ଭିତରେ ହୁଏତ ତୁମ ଚିନ୍ତା କୁଆଡେ ଉଭେଇ ଯିବ"

ସତକୁ ସତ... ଏତେ ଦିନରୁ ଦେଖିନଥିବା ମୁହଁକୁ ଆଜି ଏତେ ପାଖରେ ପାଇ ମୁଁ ଆତ୍ମହରା ନୁହେଁ... କିନ୍ତୁ ତା ଆଖିରୁ ବୋହି ସାଉଥିବା ଧାର ଧାର ଲୁହକୁ ହାତରେ ପୋଛି ଦେଇ ଟାଣିଆଣିଲି ତା'ର ସେଇ ସୁନ୍ଦର ମୁହଁକୁ ମୋ ଛାତିପଖକୁ ସେ ସେମିତି କାନ୍ଦୁ ଥାଏ ।

ମତେ କାନ୍ଦ ଲାଗୁଥିଲେ ବି ମୁଁ ନକାନ୍ଦି ତା'କୁ କହୁଥାଏ..."ଡ୍ରେସ ଆଣିଛୁ ନା ଯୋଉ ଡ୍ରେସ ଛାଡି ଯାଇଥିଲୁ ମୋ ପାଖରେ ସେଇଆକୁ ଦେବି ପିଂଧିକି ରହିବୁ? ଆରେ... ଛୋଟୀ..."

କିନ୍ତୁ ଶଳା ସେ ଶୁଭମକୁ ଛାଡିବିନି ସବୁ ଜାଣି ଜାଣି କମେଡି କରୁଥିଲା ଏପଟେ ତା' ମୁହଁ ଉଠେଇ ଦେଖେ ତ ଆମ ଦି ଜଣ ଙ୍କ ମୁହଁରେ ହସ ଥିଲା।

ଟ୍ରେନ ସେତେବେଳକୁ କାଠଯୋଡ଼ି ପାର ହଉଥାଏ ଆଉ ଝରକାବାଟୁ ଥଣ୍ଡା ପବନ ମୋ ଓଦା ପଂଜାବୀ କୁ ଶୀତଳ କରିଦେଇ ଯାଉଥାଏ। ଶେଷରେ ମୋ ପାଟିରୁ ବାହାରିଥିବା କଥା ଆଜି ମୋ'ରି ପାଖକୁ ଚାଲି ଆସିଛି। ସବୁକିଛି ପଛରେ ପକେଇଦେଇ ଆସିଛି।


Rate this content
Log in

Similar oriya story from Abstract